spot_img
Home Blog Page 1616

ଦେଶର ଅଭିବୃଦ୍ଧିରେ କମୁଛି ଏମ୍ଏସ୍ଏମ୍ଇ ଶିଳ୍ପଙ୍କ ଯୋଗଦାନ!

ଭୁବନେଶ୍ବର : ବିପଦରେ ଏମ୍ଏସ୍ଏମ୍ଇ ଶିଳ୍ପ ! ବଢୁଛି ଚୀନ ଉପରେ ନିର୍ଭରଶୀଳତା । ଛତା, ଜୋତା, ବୈଦ୍ଯୁତିକ ସାମଗ୍ରୀ, ଘରକରଣା, ମୂର୍ତ୍ତି ଓ ଶିଳ୍ପ ଉପକରଣ ସବୁ କିଛି ଚୀନରୁ ଆମଦାନୀ କରିବାକୁ ପଡ଼ୁଛି । ଫଳରେ ଦେଶ ଭିତରେ ଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ହାତ ବାନ୍ଧି ବସିଲେଣି । ସ୍ଥିତି ଏମିତି ହେଲାଣି ଗୋଟିଏ ସମୟରେ ଦେଶର ଅଭିବୃଦ୍ଧିରେ ଏହି ଶିଳ୍ପ ୩୦ ପ୍ରତିଶତ ଯୋଗଦାନ କରୁଥିଲା ଏବେ ତାହା ଧୀରେ ଧୀରେ କମିବାରେ ଲାଗିଛି । ସବୁଠୁ ଅଧିକ ରୋଜଗାର ସୃଷ୍ଟି କରୁଥିବା ଏହି ଶିଳ୍ପ ଏବେ ବିପଦରେ ବୋଲି ଶିଳ୍ପ ସଂଘ ଆଶଙ୍କା ବ୍ୟକ୍ତ କରିଛି । ଅଭିଯୋଗ ହୋଇଛି ଏବେ ଦେଶର କେତେକ ବଡ଼ ବଡ଼ ଶିଳ୍ପ ଏମ୍ଏସ୍ଏମ୍ଇ ଉତ୍ପାଦ ଆରମ୍ଭ କରିବାକୁ ବସିଲେଣି । ଇଟା ଉତ୍ପାଦନ କରିବାକୁ ଯାଉଛନ୍ତି ବଡ଼ ବଡ଼ ଶିଳ୍ପ । ଏମ୍ଏସ୍ଏମ୍ଇ ଶିଳ୍ପ ଋଗୁଣ ହେଉଥିବାବେଳେ ବଡ଼ ଶିଳ୍ପକୁ ସୁହାଇଲାଭଳି ସବୁ ନୀତି କରୁଛନ୍ତି ଭାରତ ସରକାର । ଯଦି ଏପରି ବହୁରାଷ୍ଟ୍ରୀୟ କମ୍ପାନୀ ଏମ୍ଏସ୍ଏମ୍ଇ ଉତ୍ପାଦ ଆରମ୍ଭ କରିବେ ତା ହେଲେ ଦେଶ ଓ ରାଜ୍ୟରେ ଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ହାତ ବାନ୍ଧି ବସିବା ଛଡ଼ା ଉପାୟ ନାହିଁ ବୋଲି ଶିଳ୍ପପତି କ୍ଷୋଭ ପ୍ରକାଶ କରିଛନ୍ତି ।…

ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ । ଏ ନେଇ ଆକଳନ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । କିନ୍ତୁ ଗତ ସପ୍ତାହରେ ଏନ୍ଏସ୍ଓ ରିପୋର୍ଟ ଦେଲେ ଏବର୍ଷ ପ୍ରଥମ କ୍ବାର୍ଟରରେ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିଲା । ଖୋଦ ରିଜର୍ଭ୍ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ଏମ୍ଏସ୍ଏମ୍ଇ ଶିଳ୍ପ ଅଭିବୃଦ୍ଧି ଉପରେ ଜୋର ଦେଇଛନ୍ତି । ବିକଶିତ ରାଷ୍ଟ୍ରରେ ଏମ୍ଏସ୍ଏମ୍ଇ ଶିଳ୍ପ ପର୍ଯ୍ୟାପ୍ତ ଥିବାରୁ ସେଠାକାର ଅର୍ଥନୀତିରେ ଉନ୍ନତି ହେଉଛି ବୋଲି ବିଶେଷଜ୍ଞଙ୍କ ମତ । ଛୋଟଠୁ ବଡ଼ ଉତ୍ପାଦ ପାଇଁ ଚୀନ ଉପରେ ନିର୍ଭର କରିବାକୁ ପଡୁଥିବାରୁ ବୈଦେଶିକ ପୁଞ୍ଜି ମଧ୍ୟ ବିନିଯୋଗ ହୋଇଚାଲିଛି । ଏହା ଦେଶର ଆର୍ଥିକ ବିକାଶ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି ।…

ଦେଶର ଆର୍ଥିକ ପ୍ରଗତିରେ ଏମ୍ଏସ୍ଏମ୍ଇ ଶିଳ୍ପର ବଡ଼ ଯୋଗଦାନ ରହିଛି । ଏକଥାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଭବ କରୁଛନ୍ତି । ଖାଲି ନୀତି କରିଦେଲେ ହେବନି  । ନୀତି କିପରି ସବୁ ରାଜ୍ୟର ଏମ୍ଏସ୍ଏମ୍ଇ ଶିଳ୍ପ ଅଭିବୃଦ୍ଧିରେ ରୂପାୟନ ହେବ ସେ ନେଇ ସରକାର ଦୃଷ୍ଟି ଦେବା ଦରକାର ।

ବିଶିଷ୍ଟ କବୟିତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ କଥା ଭାରତ ସମ୍ମାନ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ଗଣେଶ ପୂଜାରେ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନ। ଦୀର୍ଘ ୨୫ ବର୍ଷ ଧରି ଦେଶରେ ଖ୍ଯାତି ଅର୍ଜନ କରିଥିବା ଭାରତ ମସଲା ପକ୍ଷରୁ ସମ୍ମାନିତ ହୋଇଛନ୍ତି କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ବିଜେତା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସମେତ ବହୁ ବ୍ଯକ୍ତି। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ ବିଜ୍ଞାନ, କଳା ଓ ବାଣିଜ୍ୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା।

ମାତ୍ର ୪୦୦ ଟଙ୍କାରେ ଆରମ୍ଭ ହୋଇଥିଲା ହଳଦୀ ଗୁଣ୍ଡ ବ୍ଯବସାୟ। ଏବେ ୬ଶହ କୋଟି ଟଙ୍କାର କମ୍ପାନି। ୧୯୯୬ରୁ ୨୦୨୪ ସଫଳତାର ଦୀର୍ଘ ଯାତ୍ରାରେ ସୁନାମ ସାଉଁଣ୍ଟିଛି ଭାରତ ମସଲା। ଶିଳ୍ପୋଦ୍ଯୋଗୀ ତଥା ଅଧ୍ଯକ୍ଷ ସୁରେନ୍ଦ୍ର ପଣ୍ଡାଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା ଯୋଗୁ ବିଶେଷ ଖ୍ଯାତି ହାସଲ କରିଛି ଭାରତ ମସଲା। କଟକ ରାମଦାସପୁରଠାରେ ପ୍ରତିଷ୍ଠିତ କମ୍ପାନୀ ପାଳନ କରିଛି ୨୫ତମ ପ୍ରତିଷ୍ଠା ଦିବସ। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡାଙ୍କ ସଫଳ ବ୍ୟବସାୟିକ କ୍ୟାରିୟର ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ଶିଳ୍ପମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଅତିଥି ଭାବେ ଯୋଗ ଦେଇଥିଲେ।

ଉତ୍ସବରେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ବିଜେତା, ବିଶିଷ୍ଟ କବୟିତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ କଥା ଭାରତ ସମ୍ମାନରେ ସମ୍ମାନିତ କରିଥିଲେ ମୁଖ୍ଯମନ୍ତ୍ରୀ। ଡକ୍ଟର ପଣ୍ଡା କହିଛନ୍ତି- ବର୍ତ୍ତମାନ ଭାଷା ବଡ଼ ସଙ୍କଟରେ ଉପନୀତ ହୋଇଛି। ଯୁବବର୍ଗ ମାତୃଭାଷାକୁ ଗୁରୁତ୍ବ ଦିଅନ୍ତୁ। ପିଲାଙ୍କ ଭିତରେ ଭାଷା ପ୍ରତି ଆଗ୍ରହ ସୃଷ୍ଟି ପିତାମାତାଙ୍କ କର୍ତ୍ତବ୍ଯ। ପଢ଼ିବା ହିଁ ଲେଖିବାର ପ୍ରେରଣା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ। ଉତ୍ସବରେ ଅନ୍ଯମାନଙ୍କ ମଧ୍ଯରେ ସେବା ଭାରତ ସମ୍ମାନରେ ଅବସରପ୍ରାପ୍ତ ପ୍ରଶାସକ ରବି ନାରାୟଣ ସେନାପତି, ଭାରତ ଗୌରବ ସମ୍ମାନରେ ସରୋଜ କୁମାର ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ସଂସ୍କୃତି ଭାରତ ସମ୍ମାନ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କୁ ଏବଂ  କ୍ରୀଡା ଭାରତ ସମ୍ମାନ ବିଭାରାଣୀ ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ଏହା ସହ ବିଜ୍ଞାନ, କଳା ଓ ବାଣିଜ୍ୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା। ଦୀର୍ଘ ୨୫ ବର୍ଷ ଧରି କମ୍ପାନୀ ପକ୍ଷରୁ ପବିତ୍ର ଗଣେଶ ପୂଜା ଅବସରରେ ପୂଜ୍ୟପୂଜା ଓ  ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ କରାଯାଉଛି।

ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ବର : ପବିତ୍ର ଗଣେଶ ପୂଜା ଅବସରରେ ରାଜଧାନୀର ବିଭିନ୍ନ ଗଣେଶ ମଣ୍ଡପ ବୁଲିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୁଣା ଭୁବନେଶ୍ବର ବଢେଇବାଙ୍କସ୍ଥିତ ପୂଜାମଣ୍ଡପ, ନୟାପଲ୍ଲୀ ନୂଆସାହିସ୍ଥିତ ପୂଜାମଣ୍ଡପ, ଗଜପତି ନଗରସ୍ଥିତ ପୂଜାମଣ୍ଡପ ପରିଦର୍ଶନ କରିଥିଲେ ନବୀନ। ମଣ୍ଡପ ପରିଦର୍ଶନ ବେଳେ ନବୀନଙ୍କ ସହ  ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଭୁବନେଶ୍ବରରେ ଶତାଧିକ ପୂଜାମଣ୍ଡପ ହୋଇଛି। ଆକର୍ଷଣୀୟ ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କୁ ଆକର୍ଷଣ କରୁଛି। ଗଣେଶ ପୂଜାରେ ରାଜଧାନୀରେ ପବିତ୍ର ମାହୋଲ ସୃଷ୍ଟି ହୋଇଥିବାବେଳେ ପ୍ରଭୁ ଗଜାନନଙ୍କୁ ଦର୍ଶନ କରିଛନ୍ତି ନବୀନ। ଦର୍ଶନ ବେଳେ ନବୀନ ବେଶ୍ ଭାବବିହ୍ବଳ ହୋଇଥିଲେ। ପ୍ରଭୁ ଗଜାନନଙ୍କ ନିକଟରେ ରାଜ୍ଯବାସୀଙ୍କ ମଙ୍ଗଳ କାମନା କରିଛନ୍ତି ନବୀନ।

ପୂଜା ମଣ୍ଡପ ଲାଗି BMCର ଗାଇଡଲାଇନ ଜାରି, ନିରାପଦ ଏବଂ ପରିବେଶ ଅନୁକୂଳ ରଖିବା ପାଇଁ କଲା ଅପିଲ

ଭୁବନେଶ୍ବର : ପ୍ଳାଷ୍ଟିକ, ପ୍ରଦୂଷଣ ମୁକ୍ତ ଗଣେଶ ପୂଜା। ପୂଜା ମଣ୍ଡପ ଲାଗି ବିଏମସିର ଗାଇଡଲାଇନ ଜାରି। ୧୨ ସୁତ୍ରୀ ନିୟମାବଳୀ ଜାରି କଲା ବିଏମସି। ପରିବେଶ ଓ ପୂଜା ମଣ୍ଡପ ସ୍ବଚ୍ଛ ରଖିବା ଲାଗି ଅପିଲ୍। ପରିବେଶକୁ ଦୃଷ୍ଟିରେ ରଖି କମ୍ ଉଚ୍ଚତାର ମୃଣ୍ମୟୀ ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ । ଯାଦ୍ୱାରା ପରିବେଶ ପ୍ରଦୂଷିତ ହେବ ନାହିଁ । ପ୍ରସାଦ ଇତ୍ୟାଦି ସେବନ ପାଇଁ ଜୈବ ବିଘଟନ ଯୋଗ୍ୟ ଠୁଙ୍ଗା, ଖଲି ଇତ୍ୟାଦି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ନତୁବା କଦଳୀ ପତ୍ର, ଶାଳ ପତ୍ର, କାଗଜ ପ୍ଲେଟ, କପ୍, ମାଟି ପାତ୍ର ଇତ୍ୟାଦି ବ୍ୟବହାର କରିବାକୁ କୁହାଯାଇଛି । ପରିବେଶ ପ୍ରଦୂଷିତ ହେଲା ଭଳି କୌଣସି ପ୍ରକାରେ ଥର୍ମକୁଲ, ଏକକ ବ୍ୟବହାର, ପ୍ଲାଷ୍ଟିକଦ୍ରବ୍ୟ ପ୍ରସ୍ତୁତ ପାତ୍ରରେ ପ୍ରସାଦ ଇତ୍ୟାଦି ଦିଅନ୍ତୁ ନାହିଁ । ମୂର୍ତ୍ତିରେ କୌଣସି ପ୍ରକାର ପ୍ଲାଷ୍ଟିକ ଆଭୂଷଣର ବ୍ୟବହାର କରନ୍ତୁ ନାହିଁ । ବିସର୍ଜନ ପୂର୍ବରୁ ମୂର୍ତିରେ ବ୍ୟବହୃତ ଫୁଲ, ପତ୍ର, ବସ୍ତ୍ର, ଇତ୍ୟାଦି ଆଭୂଷଣକୁ ବାହାର କରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଅସ୍ଥାୟୀ ପୁଷ୍କରିଣୀ ନିକଟରେ ଦର୍ଶାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ ପାତ୍ରରେ ଏଗୁଡିକୁ ପକାଇବାକୁ କୁହାଯାଇଛି ।  ଯେଉଁମାନେ ସାମୂହିକ ପୂଜା କରୁଛନ୍ତି, ସେହି ସ୍ଥାନର ୫ ମିଟର ଚତୁଃପାର୍ଶ୍ଵକୁ ନିଜ ଦାୟିତ୍ବରେ ସଫା ରଖନ୍ତୁ । ପୂଜା ମଣ୍ଡପ ପାଖରେ ଓଦା ଓ ଶୁଖିଲା ଅଳିଆ ପକାଇବା ପାଇଁ ବଡ ବଡ ଡଷ୍ଟବିନ୍ ରଖିବାକୁ କୁହାଯାଇଛି ।

ସେପଟେ ପୂଜା ମଣ୍ଡପ ନିକଟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହେବା ପାଇଁ ସତନ୍ତ୍ର ପାକିଂ ବ୍ୟବସ୍ଥା କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି ।  ଅସ୍ଥାୟୀ ପୂଜା ମଣ୍ଡପଗୁଡିକୁ ଯେପରି ଲୋକଙ୍କ ଭିଡ ଯୋଗୁଁ ଭାଙ୍ଗି ନଯାଏ ସେଥିପାଇଁ ମଜବୁତ୍ ଭାବେ ନିର୍ମାଣ କରିବାକୁ କୁହାଯାଇଛି । ବିଦ୍ୟୁତ୍ ସଂଯୋଗରେ କୌଣସି ସ୍ଥାନରେ ଯେପରି ସର୍ଟ ସର୍କିଟ୍ ନ ହୁଏ, ସେଥିପ୍ରତି ଧ୍ୟାନ ଦେବେ । ପ୍ରତ୍ୟେକ ମଣ୍ଡପର ନିରାପତା ଓ ସୁରକ୍ଷା ନିମନ୍ତେ ଅତି କମରେ ୩ ଜଣ ସିକ୍ୟୁରିଟି କର୍ମୀ ରଖନ୍ତୁ। ଯେଉଁମାନେ ଘରେ କିମ୍ବା ବ୍ୟକ୍ତିଗତ ଭାବେ ଛୋଟ ମୂର୍ତି ପୂଜା କରୁଛନ୍ତି ଏବଂ ବିସର୍ଜନସ୍ଥାନକୁ ଯିବାରେ ଅସୁବିଧା ହେଉଛି, ତେବେ ବିସର୍ଜନ ନିମନ୍ତେ ଠାକୁରଙ୍କ ମୂର୍ତିକୁ ନିକଟସ୍ଥ ବିଏମ୍ସି କଲ୍ୟାଣମଣ୍ଡପରେ ହସ୍ତାନ୍ତର କରନ୍ତୁ । ଅଗ୍ନିକାଣ୍ଡ ଘଟାଇବା ଭଳି କୌଣସି ଜ୍ବଳନଶୀଳ ସାମଗ୍ରୀ ଯଥା-ଧୂପ, ଦୀପ ଇତ୍ୟାଦିକୁ ଅଣଦେଖା କରିବ ନେଇ ବିଏମସି ଅପିଲ କରିଛି। ଚଳିତ ବର୍ଷ ଭଷାଣି ବେଳେ ଡିଜେ ବଜାଇବାକୁ ଅନୁମତି ଦେଇନି କମିଶନରେଟ ପୋଲିସ। ବିନା ଅନୁମତିରେ ଡିଜେ ବଜାଇଲେ ପୋଲିସ ନେବ ଆକ୍ସନ।

ଗୋରୁ ଗାଈଙ୍କ ଚରାଭୂଇଁ ପାଲଟିଛି ଗ୍ରାମୀଣ ଉଦ୍ୟାନ

ଚଣ୍ଡିଖୋଲ : ଯାଜପୁର ବଡ଼ଚଣା ବ୍ଲକରେ ଦିଗହରା ହୋଇ ପଡିଛି ମିନି ପାର୍କ ଯୋଜନା। କେଉଁଠି ଅଧାରେ ଅଟକିଛି ପାର୍କ କାର୍ଯ୍ୟ ତ ଆଉ କେଉଁଠି ଗୋରୁ ଗାଈଙ୍କ ଚରାଭୂଇଁ ପାଲଟି ଗଲାଣି। ଯାଜପୁର ବଡ଼ଚଣା ଖରମଙ୍ଗୀ ଠାରେ ମନେରଗା ଯୋଜନାରେ ନିର୍ମାଣ ହୋଇଥିବା ଗ୍ରାମୀଣ ଉଦ୍ୟାନ କାର୍ଯ୍ୟ ଦୀର୍ଘ ୮ ମାସ ପରେ ବି ଅଧପାନ୍ତରିଆ ଅବସ୍ଥାରେ ରହିଛି । ପାର୍କରେ ୧୩ ଫୁଟର ଶିବଙ୍କ ମୂର୍ତ୍ତି, ବିଭିନ୍ନ ସେଡ, ପିଲାଙ୍କ ଖେଳିବା ପାଇଁ ଦୋଳିର ବ୍ୟବସ୍ଥା, ସହ ପାର୍କର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ କାର୍ଯ୍ୟ କରାଯାଇଛି।

କେବଳ ଏହି ଗୋଟିଏ ପାର୍କ ନୁହେଁ ଦର୍ପଣ ପଂଚାୟତରେ ମଧ୍ୟ ସମାନ ଅବସ୍ଥା । ପଂଚାୟତରେ ନିର୍ମାଣ ହୋଇଥିବା ଗ୍ରାମୀଣ ଉଦ୍ୟାନ ଏବେ ଗୋରୁ ଛେଳିଙ୍କ ଚରା ଭୂଇଁ ପାଲଟି ଗଲାଣି। ୯ ଲକ୍ଷ ଟଙ୍କା ବେୟରେ ପାର୍କରେ ଗେଟ, ପାଦ ଚଲା ରାସ୍ତା, ଗଛ ଲଗାଯାଇଥିଲା। ହେଲେ ଆବଶ୍ୟକ ଅର୍ଥ ନଆସିବାରୁ ଠିକରେ ଏହାର ରକ୍ଷଣାବେକ୍ଷଣ ହୋଇପାରିଲାନି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି। ଅନ୍ୟପଟେ ବଡ଼ଚଣା ବ୍ଲକ ବିଡ଼ିଓ କହିଛନ୍ତି, ଏହା ଉପରେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ। ଖୁବ ଶୀଘ୍ର ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଗଲେ ସରକାରୀ ଅର୍ଥର ସଦୁପଯୋଗ ହେବା ସହ ଏହା ଲୋକଙ୍କ କାର୍ଯ୍ୟରେ ଆସିପାରନ୍ତା ।

ଅବ୍ଯବସ୍ଥା ଘେରରେ ଜୟପାଟଣା ମୁଖିଗୁଡାର ବିଭିନ୍ନ ଅଞ୍ଚଳ

ମୁଖିଗୁଡା : ଜୟପାଟଣା ମୁଖିଗୁଡାରେ ଅବ୍ଯବସ୍ଥା।  ଗମନାଗମନ ପଥ, ପାଣି, ବିଜୁଳି ନେଇ ଅଭିଯୋଗର ଲମ୍ବା ଫର୍ଦ୍ଦ। ପାରିପାର୍ଶ୍ବିକ ଉନ୍ନତି ନାଁରେ ଲକ୍ଷ ଲକ୍ଷ ଟଙ୍କା ହରି ଲୁଟ ହେଉଥିବା ଅଭିଯୋଗ ହୋଇଛି। ମୁଖିଗୁଡାରେ ପାନୀୟ ଜଳ ଯୋଗାଣ, ଡ୍ରେନେଜ୍ ବ୍ୟବସ୍ଥା, ଆବର୍ଜନା ପୂର୍ଣ୍ଣ ପରିବେଶକୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ଡ୍ରେନେଜ୍ ବ୍ଯବସ୍ଥା ନଥିବାରୁ ରାସ୍ତାରେ ପାଣି। ଅଳିଆ ଅପରିସ୍କାରରେ ଭର୍ତ୍ତି ପରିବେଶ ପାଇଁ ନାକେଦମ ହେଲେଣି ଅଞ୍ଚଳବାସୀ। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଅବ୍ଯବସ୍ଥା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ମୁଖିଗୁଡା ତଥା ଶକ୍ତି ଗୃହ ଅଞ୍ଚଳର ମୂଖ୍ୟ କେନ୍ଦ୍ରସ୍ଥଳ ପାଲଟିଥିବା ମୂଖ୍ୟ ଛକର ଦୂରାବସ୍ଥା କହିଲେ ନସରେ। ଯାତ୍ରୀ ତଥା ଜନସାଧାରଣ ବିଶ୍ରାମ ନେଉଥିବା ବିଶ୍ରାମସ୍ଥଳୀକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ପାଣି ନିସ୍କାସନ ସଠିକ ନହେଇପାରୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ଯ ସମସ୍ଯାର ସମାଧାନ ହୋଇପାରୁନି ବୋଲି କହିଛନ୍ତି ଅଞ୍ଚଳବାସୀ। ଓ.ଏଚ.ପି.ସି ଜେନେରାଲ ମ୍ୟାନେଜର ଏସମ୍ପର୍କରେ କୌଣସି ପ୍ରକାର ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

ଦେବଗଡ଼ ବିଜେପିରେ ଫାଟ ! ଦେବଗଡ଼ ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ୮ କାଉନସିଲର

ଦେବଗଡ଼ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଦେବଗଡ଼ ବିଧାନସଭା ମଣ୍ଡଳୀ ବିଜେପିରେ ଫାଟ ! ଦେବଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ତଥା ବିଜେପି ନେତା ପ୍ରଜିତ ଭୋଜଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ୪ ବିଜେପି ଏବଂ ୪ ବିଜେଡି କାଉନସିଲର ଜିଲ୍ଲାପାଳଙ୍କ ଠାରେ ଦରଖାସ୍ତ କରିଛନ୍ତି । ପୌର ପରିଷଦର ଦୁଇ ବିଜେପି କାଉନସିଲରଙ୍କ ନାଁରେ ଅପହରଣ ଅଭିଯୋଗ ମଧ୍ୟ ଆସିଛି । ୭ ନମ୍ବର ୱାର୍ଡ କାଉନସିଲର ପିଙ୍କି ସାହୁ ଓ ତାଙ୍କ ଦୁଇ ଝିଅଙ୍କୁ ୧୦ ନମ୍ବର ୱାର୍ଡ ବିଜେପି କାଉନସିଲର କାର୍ତ୍ତିକ ମହାକୁଳ ଓ ୧୧ ନମ୍ବର ୱାର୍ଡ ବିଜେପି କାଉନସିଲର ଇତିଶ୍ରୀ ମିଶ୍ର ଓ ତାଙ୍କ ସ୍ୱାମୀ ରାଜେନ୍ଦ୍ର ମିଶ୍ର ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ଦେଲେ ଅପହୃତା ୭ ନମ୍ବର ୱାର୍ଡ ବିଜେପି କାଉଁସିଲର ପିଙ୍କି ସାହୁଙ୍କ ସ୍ୱାମୀ ପ୍ରଦୀପ ସାହୁ l ଗତ ୫ ତାରିଖରୁ ନିଖୋଜ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ୬ ବିଜେପି କାଉନଶୀଳର ଓ ୪ ବିଜେଡି କାଉନଶୀଳର ଏବଂ ଜଣେ ସ୍ୱାଧୀନ କାଉଁସିଲର ରହିଛନ୍ତି।

ଶାଢିରେ ଗଣପର୍ବ ନୂଆଖାଇର ସମ୍ପୂର୍ଣ୍ଣ ଚିତ୍ର

ସୋନପୁର : ଶାଢିରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ସମ୍ପୂର୍ଣ୍ଣ ଚିତ୍ର। ଏଭଳି ଶାଢି ତିଆରି କରିଛନ୍ତି ସୋନପୁର ପଟାଭାଡିର ପ୍ରସିଦ୍ଧ ତନ୍ତଶିଳ୍ପୀ ପ୍ରହଲ୍ଲାଦ ମେହେର । ଶାଢିରେ ନୂଆଧାନ ସଂଗ୍ରହଠାରୁ ଜୁହାର୍ ଭେଟ ପର୍ଯ୍ୟନ୍ତ ପ୍ରତ୍ୟେକଟି ଚିତ୍ର ସ୍ଥାନିତ ହୋଇଛି । ଝାଙ୍କରଙ୍କ ନୂଆ ଧାନ ସଂଗ୍ରହ, ପାହୁର୍ ଯାତ୍ରା, ଇଷ୍ଟ ଦେବା ଦେବୀଙ୍କୁ ନବାନ୍ନ ଲାଗି, ଏକାଠି ବସି ନବାନ୍ନ ଭକ୍ଷଣ, ନୂଆଁ ଖାଇଲା ପରେ ଜୁହାର୍ ଭେଟ୍ ଆଦିକୁ ସୁନ୍ଦର ଢଙ୍ଗରେ ବୁଣାଯାଇଛି । ସବୁଠୁ ଆକର୍ଷଣୀୟ ଲାଗୁଛି ରାତିର ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି ଶାଢି ବୁଣିବାରେ ତାଙ୍କ ପତ୍ନୀ, ଦୁଇ ପୁଅ ସାହାର୍ଯ୍ୟ କରିଥିବା ବେଳେ ୨ମାସ ସମୟ ଲାଗିଛି । ୬ ଗ୍ରାମ ଉତ୍ତମ ପାଟ ସୂତାରେ ବୁଣାଯାଇଥିବା ଶାଢିରେ କଫି, ରଷ୍ଟ, ଲାଲ ଏବଂ କଳା ଚାରୋଟି ରଙ୍ଗ ବ୍ୟବହାର ହୋଇଛି । ତେବେ ଚଳିତ ନୂଆଖାଇରେ ଏହି ନୂଆଖାଇ ଶାଢିକୁ ଲୋକେ ନିଶ୍ଚୟ ଆଦର କରିବେ ବୋଲି ପ୍ରହଲ୍ଲାଦ କହିଛନ୍ତ ।

ପ୍ରେମ ପାଇଁ ଅପହରଣ ନାଟକ, ୩ ମାସର ଶିଶୁକୁ ପ୍ରେମିକ ହାତରେ ଟେକି ଦେଲା ମାଆ

ଜୟପୁର : ପ୍ରେମ ଲାଗି ଶିଶୁ ଅପହରଣ ନାଟକ। ୩ ମାସର ଶିଶୁକୁ ପ୍ରେମିକ ହାତରେ ଟେକି ଦେଇ ମା କଲା ଅପହରଣ ଅଭିଯୋଗ। ଘଟଣା ଘଟିଛି ଜୟପୁର ମାଦଳା ସାହିରେ। ସୁକାନ୍ତି ଦାସ ନାମ୍ନୀ ମହିଳାଙ୍କ ଏକ ୩ ବର୍ଷର ପୁଅ ରହିଛି। ତେବେ ଗତ ୩ ତାରିଖ ରାତିରେ ଶିଶୁ ନିଖୋଜ ନେଇ ସୁକାନ୍ତି ଜୟପୁର ଟାଉନ ଥାନାରେ ଦେଇଥିଲେ ଏତଲା। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ସେହି ଶିଶୁକୁ ଭୁବନେଶ୍ବରରେ ରହୁଥିବା ପ୍ରେମିକଙ୍କ ଜଣେ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରିଛି ପୋଲିସ। ପ୍ରେମ ଲାଗି ଏହି ଅଭିଯୋଗ ମିଛ ଥିଲା ବୋଲି ପୋଲିସ କହିଛି।

ଗଣେଶ ପୂଜାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା, ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ସ୍କୁଲ

ଭୁବନେଶ୍ବର : ଗଣେଶ ପୂଜାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା । ଏଣିକି ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ସ୍କୁଲ । ନବମରେ ପଢିଥିବା ପିଲାମାନଙ୍କ ଅନଲାଇନ ପଞ୍ଜିକରଣ ନେଇ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଏହି ବ୍ଯବସ୍ଥାରେ ବାପା, ମାଆଙ୍କ ନାଁ, ଜନ୍ମ ତାରିଖ ପରି ତଥ୍ୟ ପୋର୍ଟାଲରେ ଅପଲୋଡ ହେବ । ଦଶମ ପରୀକ୍ଷାରେ ଏହି ତଥ୍ୟ ପୁଣି ରିପିଟ ହେବ । ସାର୍ଟିଫିକେଟ ପାଇବା ସମୟରେ ଏହି ତଥ୍ୟ ସବୁ ସାମ୍ସକୁ ସ୍କୁଲ ଦେବ । ଯାହା ଯୁକ୍ତ ଦୁଇ କଲେଜ ନାମଲେଖା ପାଇଁ ସୁବିଧା ହେବ । ଏଥି ପାଇଁ ନବମରୁ ହିଁ ଛାତ୍ରଛାତ୍ରୀମାନଙ୍କୁ ସବୁ ଠିକ ତଥ୍ୟ ଦେବାକୁ ପଡିବ । ଆଉ ଭୁଲ ହେଲେ ତଥ୍ୟ ଠିକ କରିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ହେବ । ସ୍କୁଲର ପ୍ରଧାନ ଶିକ୍ଷକ ଏହାକୁ ଯାଞ୍ଚ କରିବେ । CBSE ଓ ICSE ଯୁକ୍ତ ଦୁଇ ପାଇଁ ଵି ଏହି ତଥ୍ୟ ଦିଆଯିବ । ପ୍ରତି ବର୍ଷ ପାଖାପାଖି ୬ ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଏନେଇ ସିଏଚଏସଇ ଅଧ୍ଯକ୍ଷ ପ୍ରତିକ୍ରିୟା ରଖିଛନ୍ତି । ବୋର୍ଡର ପଦକ୍ଷେପ ଅନୁସାରେ ଯୁକ୍ତ ଦୁଇରେ କିପରି ନିର୍ଭୁଲ ଭାବେ ନାମଲେଖା ହୋଇ ପାରିବ ସେନେଇ ପରିଷଦ ଚେଷ୍ଟା କରିବ । ଏହାକୁ କାର୍ଯ୍ୟକାରୀ କରିବାକୁ ବୋର୍ଡ ଓ ସାମ୍ସ ସହ ଆଲୋଚନା କରିବ ପରିଷଦ । ପିଲାମାନେ ରୁଚି ଓ ମାର୍କ ଆଧାରରେ ଷ୍ଟ୍ରିମ ବାଛୁଛନ୍ତି । ସାମ୍ସକୁ ବୋର୍ଡ ପିଲାମାନଙ୍କ ଯେଉଁ ସ୍ବତନ୍ତ୍ର ID ବା ନମ୍ବର ଦେବ ତାହାଦ୍ବାରା ପଞ୍ଜିକରଣ ଓ ନାମଲେଖା ଭଲ ଭାବେ ହୋଇ ପାରିବ ବୋଲି କହିଛନ୍ତି ପରିଷଦ ଅଧ୍ଯକ୍ଷ ଅଶ୍ବିନୀ ମିଶ୍ର ।