spot_img
Home Blog Page 1605

ଦିଗଦର୍ଶନ କାର୍ଯ୍ୟକ୍ରମ ପଦ୍ଧତି ଅଗଣତାନ୍ତ୍ରିକ, ବିଜେଡି ଓ କଂଗ୍ରେସର ବୟକଟ

ଭୁବନେଶ୍ବର: ବିଧାନସଭାରେ ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ଯକ୍ରମକୁ ବିଜେଡି ଓ କଂଗ୍ରେସ କରିବେ ବୟକଟ । ବିଧାନସଭା ପରମ୍ପରାକୁ ଭାଙ୍ଗି ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହାକୁ ବିରୋଧ କରି ଦୁଇ ବିରୋଧୀ ଦଳ ଅଂଶଗ୍ରହଣ ନକରିବାକୁ ନେଇଛନ୍ତି ନିଷ୍ପତ୍ତି । ବିଧାନସଭାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟୋକଲକୁ ଉଲ୍ଲଘଂନ କରାଯାଇ ମର୍ଯ୍ୟାଦା ଭଙ୍ଗ କରାଯାଇଛି । ଦିଗଦର୍ଶନ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବାକୁ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି । ଅନ୍ୟପଟେ ଏ ପ୍ରସଙ୍ଗରେ ଶାସକ ଦଳ ସଫେଇ ଦେଇ କହିଛି, କୌଣସି ପରମ୍ପରା ଭଙ୍ଗ ହୋଇନାହିଁ ।

ପରମ୍ପରା ଭାଙ୍ଗୁଛ । ଅଗଣତାନ୍ତ୍ରିକ ପଦ୍ଧତିରେ ଦିଗଦର୍ଶନ କାର୍ଯ୍ୟକ୍ରମ କରାଯାଉଛି । ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାକୁ ମଧ୍ଯ କରଯାଇଛି କ୍ଷୁଣ୍ଣ । ଏପରି ଅଭିଯୋଗ ଆଣି କାଲିଠୁ ଆରମ୍ଭ ହେଉଥିବା ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହେବେନି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ବିଜେଡି ଅଭିଯୋଗ କରିଛି ବାଚସ୍ପତି ଓ ମୁଖ୍ଯମନ୍ତ୍ରୀ ଥାଉ ଥାଉ କାହିଁକି କେନ୍ଦ୍ରମନ୍ତ୍ରୀ ଦିଗଦର୍ଶନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଏହା କ’ଣ ଓଡିଆ ଅସ୍ମିତା ? ବିଧାନସଭା ପରିସରରେ ଏହି କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ସାଧାରଣ ବକ୍ତା ଭାବେ ଯୋଗ ଦେବା ତାଙ୍କ ପଦର ମର୍ଯ୍ଯାଦା ହାନୀ କରୁଛି । ସଂଘୀୟ ବ୍ଯବସ୍ଥା ଅନୁସାରେ କେନ୍ଦ୍ରମନ୍ତ୍ରୀ ପାହ୍ଯାର ଉପରେ ରହିଥାଏ ମୁଖ୍ଯମନ୍ତ୍ରୀଙ୍କ ପାହ୍ୟା । ଏହି କାର୍ଯ୍ଯକ୍ରମରେ କିନ୍ତୁ ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ଯାଦା କେନ୍ଦ୍ରମନ୍ତ୍ରୀଙ୍କ ପରେ ରହିଛି । ଯାହାକୁ ବିରୋଧ କରି ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହେବନି ମୁଖ୍ୟ ବିରୋଧୀ ବିଜେଡି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ବିଜେଡିର ଯୁକ୍ତି ହେଉଛି ବିଧାନସଭାର ପରମ୍ପରା ଭାଙ୍ଗି ଅଗଣତାନ୍ତ୍ରିକ ଭାବେ କାର୍ଯ୍ୟକ୍ରମ କରାଯାଉଥିବାରୁ ଏଥିରେ ଦଳ ସାମିଲ ହେବ ନାହିଁ ।

ସେପଟେ କଂଗ୍ରେସର ଅଭିଯୋଗ ହେଉଛି ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବାକୁ ନେଇ ବିଜେପି ରାଜନୀତି କରୁଛି । ବିଧାନସଭାର ପରମ୍ପରା ଭଙ୍ଗ କରି ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ କରାଯାଉଛି । ବିଧାନସଭା କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା କେତେଦୂର ଯୁକ୍ତିଯୁକ୍ତି ବୋଲି କଂଗ୍ରେସ ବିଧାୟକ ରାଜେନ ଏକ୍କା ପ୍ରଶ୍ନ କରିଛନ୍ତି ।

ଶାସକ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢିଛି । ଦଳୀୟ ଭିତ୍ତିରେ କୌଣସି କାର୍ଯ୍ୟକ୍ରମ କରାଯାଉନାହିଁ ବୋଲି କହିବା ସହ ଏହାକୁ ନେଇ ବିରୋଧୀ ରାଜନୀତି କରୁଥିବା କହିଛି ।

ସପ୍ତଦଶ ବିଧାନସଭାକୁ ପ୍ରଥମ ଥର ପାଇଁ ୮୪ ଜଣ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ବିଜେପିରୁ ସର୍ବାଧିକ ୫୪ ଜଣ, ବିଜେଡିର ୧୮ ଜଣ, କଂଗ୍ରେସର ୯ ଜଣ ଓ ୩ ଜଣ ସ୍ବାଧୀନ ବିଧାୟକ ପ୍ରଥମ ଥର ନିର୍ବାଚିତ ହୋଇ ଆସିଛନ୍ତି । ହେଲେ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମକୁ ଶାସକ ବିଜେପି, ଦଳୀୟ କାର୍ଯ୍ୟକ୍ରମ କରିଥିବାରୁ ଏହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ ।

ହକି ହିରୋ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ

ଭୁବନେଶ୍ବର: ଭାରତୀୟ ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ନିବାସରେ ଅମିତଙ୍କୁ  ରୁପା ତାରକସିର ରଥାରୁଢ଼ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସହ ଏକ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ନବୀନ ।

ଅମିତଙ୍କୁ ଓଡିଶାର ଗର୍ବ ବୋଲି ନବୀନ ବର୍ଣ୍ଣନା କରିବା ସହ ଯୁବ ପିଢ଼ିକୁ ତାଙ୍କର ସଫଳତା ପ୍ରେରଣା ଦେଇ ଚାଲିବ ବୋଲି କହିଛନ୍ତି ।

ଓଡିଶା ଭାରତୀୟ ହକି ଦଳକୁ ପ୍ରାୟୋଜିତ କରିବା ପରେ ଲଗାତାର ଦୁଇଟି ଅଲିମ୍ପିକରେ ଦଳ ଦୁଇ ଦୁଇଟି ବ୍ରୋଞ୍ଜ ପଦକ ପାଇ ଦେଶର ଗୌରବ ବୃଦ୍ଧି କରିଥିବାରୁ ନବୀନ ଅମିତଙ୍କୁ ଓ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ  ଲସଏଞ୍ଜେଲସ ଅଲିମ୍ପିକ୍ସରେ ଭାରତୀୟ ଦଳ ଆହୁରି ଭଲ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିବ ବୋଲି ନବୀନ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।

ନବୀନଙ୍କୁ ଅମିତ ପ୍ୟାରିସ ଅଲିମ୍ପିକର ମାସ୍କଟ ପ୍ରଦାନ କରିବା ସହ ଭାରତୀୟ ହକି ଦଳର ଏହି ସଫଳତାରେ ତାଙ୍କ ପ୍ରୋତ୍ସାହନ ପାଇଁ ଦଳ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ।

ତେନ୍ତୁଳିଖୁଣ୍ଟି ପାକ୍ସରେ ଧାନ ବିକ୍ରିକୁ ବର୍ଷେ ପୂରିଲା, ଚାଷୀଙ୍କୁ ମଳିଲାନି ଏପର୍ଯ୍ୟନ୍ତ ଟଙ୍କା

ବଲାଙ୍ଗୀର: ପାକ୍ସରେ ଧନ ବିକ୍ରି କରି ପସ୍ତାଉଛନ୍ତି ଚାଷୀ । ବର୍ଷେ ପୂର୍ବରୁ ପାକ୍ସରେ ଖରିଫ ଧାନ ବିକ୍ରି କରିଥିଲେ । ହେଲେ ଏପର୍ଯ୍ୟନ୍ତ ମିଳିଲାନି ଚାଷୀଙ୍କୁ ତାଙ୍କ ଧାନର ପ୍ରାପ୍ୟ । ଏମିତି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ତେନ୍ତୁଳିଖୁଣ୍ଟି ପାକ୍ସରୁ । ଏ ସମ୍ପର୍କରେ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚାଷୀ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି ।

ଚାଷୀ ବିପିନ ରଣା । ବର୍ଷେ ପୂର୍ବେ ଖରିଫ ଧାନ ବିକ୍ରି ପାଇଁ ଟୋକନ ପାଇବା ପରେ ତେନ୍ତୁଲିଖୁଣ୍ଟି ପାକ୍ସରେ ପ୍ରାୟ ୧୫ କ୍ଵିଣ୍ଟାଲ୍ ଧାନ ମଣ୍ଡିକୁ ଦେଇଥିଲେ । ସେ ସମୟରେ ବିପିନଙ୍କ ଗୋଟିଏ ଆଖି ଖରାପ ଥିବାରୁ କମ୍ପୁଟର ରିଡ୍ କରିପାରୁ ନଥିଲା । ମଣ୍ଡିରେ ଧାନ ଓଜନ କରି ନେବା ପରେ ପାକ୍ସର ଡାଟା ଏଣ୍ଟ୍ରି ଅପରେଟର ଟଙ୍କା ପୁଅ ଆକାଉଣ୍ଟକୁ ପଳେଇବ କହିଥିଲେ । ୭ ଦିନ ମଧ୍ୟରେ ଟଙ୍କା ପହଞ୍ଚିଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ୭ ଦିନ ଯାଇ ବର୍ଷେ ହେଲାଣି । ହେଲେ ଏଯାଏଁ ଆସିଲାନି ଟଙ୍କା । ସେହିଭଳି ଅନ୍ଯ ଜଣେ ଚାଷୀ ହେଲେ ଭଗବାନ ମାଝୀ । ମଣ୍ଡିରୁ ଟୋକନ ପାଇବା ପରେ ଭଗବାନ ୪୦ କ୍ଵିଣ୍ଟାଲ୍ ଧାନ ପାକ୍ସକୁ ନେଇଥିଲେ । ତାଙ୍କୁ ମଧ୍ଯ ବର୍ଷେ ହେବ ଟଙ୍କା ମିଳିନି । ଜଣେ କି ଦୁଇ ଜଣ ନୁହେଁ, ତେନ୍ତୁଳିଖୁଣ୍ଟି ମଣ୍ଡିରେ ୫ରୁ ୬ ଜଣ ଚାଷୀ ଧାନ ବିକ୍ରି କରି ପାଉଣା ପାଇନାହାଁନ୍ତି ।

ମିଳିଥିବା ସୂଚନା ଅନୁସାରେ ଧାନ କିଣା ସମୟରେ ପାକ୍ସର ସମ୍ପାଦକ ରୋଗରେ ପଡିଥିଲେ । ତେଣୁ ସମସ୍ତ ଧାନ କିଣା ବିକା ଦାୟିତ୍ବ ପାକ୍ସ ଡାଟା ଏଣ୍ଟ୍ରି ଅପରେଟର ନେଇଥିଲେ । ହେଲେ ଦୀର୍ଘ ଦିନ ଧରି ଚାଷୀମାନେ ଟଙ୍କା ନପାଇବାରୁ ଟିଟିଲାଗଡ ଏଆରସିଏସ ଓ ବଲାଙ୍ଗୀର ଡିଆରସିଏସଙ୍କୁ ଅଭିଯୋଗ କରିଥିଲେ । ବର୍ତ୍ତମାନ କାର୍ଯ୍ୟରେ ଥିବା ପାକ୍ସ ସମ୍ପାଦକଙ୍କୁ ପଚାରିବାରୁ, ଅଭିଯୋଗ ହୋଇଛି ହେଲେ ପାକ୍ସର କୌଣସି କାଗଜପତ୍ରରେ ଅଭିଯୋଗକାରୀ ଚାଷୀଙ୍କ ତଥ୍ଯ ନାହିଁ । ସେ ସମୟର ଡାଟା ଏଣ୍ଟ୍ରି ଅପରେଟର କାମକୁ ଆସୁନାହାନ୍ତି କି ଫୋନ ମଧ୍ୟ ଉଠାଉନାହାନ୍ତି ବୋଲି କହିଛନ୍ତି ।

ଘଟଣା ସମ୍ପର୍କରେ ପଚରାଯିବାରୁ ଟିଟିଲାଗଡ଼ ଉପଜିଲ୍ଲାପାଳ କହିଛନ୍ତି ଶୀଘ୍ର ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ ।

କିଛିଦିନ ପୂର୍ବେ ଟିଟିଲାଗଡ ବିଜେପୁର ପାକ୍ସରେ ଚାଷୀଙ୍କ ରେଜିଷ୍ଟ୍ରେଶନ୍ ପାଇଁ ୧୦୦ ଟଙ୍କା ସଂଗ୍ରହ କରୁଥିବା ଏକ ଖବର ପ୍ରସାରଣ ହୋଇଥିଲା । ଗୋଟିଏ ଅଭିଯୋଗର ତଦନ୍ତ ନସରୁଣୁ ଆଉ ଏକ ଅଭିଯୋଗ ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ସମସ୍ଯାକୁ ଅଧିକ ବଢାଇଦେଇଛି ।

୮ଟି ଶ୍ରେଣୀକୁ ୩ ଶିକ୍ଷକ; ତାତିଲେ ଅଭିଭାବକ, ସ୍କୁଲରେ ତାଲା ଝୁଲାଇବାକୁ ଚେତାବନୀ

ଗଞ୍ଜାମ: ସ୍କୁଲରେ ଅଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ । ହେଲେ ପଢ଼ାଇବାକୁ ରହିଛନ୍ତି ମାତ୍ର ୩ ଜଣ ଶିକ୍ଷକ । ଏଥିରୁ ଅନୁମେୟ ପାଠ ପଢ଼ା କେମିତି ହେଉଥିବ । ଏ ହେଉଛି ଦିଗପହଣ୍ଡି ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥିତି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେବା ସହ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଆଜି ସ୍କୁଲରେ ତାଲା ପକାଇବାକୁ ବାହାରିଥିଲେ । ତେବେ ୧୫ଦିନ ମଧ୍ୟରେ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ଯନ୍ତ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ପ୍ରଥମ, ଦ୍ଵିତୀୟ, ତୃତୀୟକୁ ଗୋଟିଏ ସ୍ଥାନରେ ପଢା ଯାଉଛି । ସେହିପରି ଚତୁର୍ଥ ଓ ପଞ୍ଚମ ଗୋଟିଏ ଶ୍ରେଣୀରେ ଏବଂ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଅଉ ଗୋଟିଏ ଶ୍ରେଣୀଗୃହରେ ପାଠ ପଢାଯାଉଛି । ଅଧିକ ଶିକ୍ଷକ ନିଯୁକ୍ତି ଦେବାକୁ ଅଭିଭାବକ ଏବଂ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆସୁଥିଲେ ବି ସମସ୍ୟାର କୌଣସି ସମାଧାନ କରାଯାଉନି । ଯାହାକୁ ନେଇ ଲୋକଙ୍କ ମନରେ ଥିବା ଅସନ୍ତୋଷ ଆଜି ଉଗ୍ର ରୂପ ନେଇଥିଲା । ସକାଳୁ ସକାଳୁ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିବା ସହ ବିଦ୍ୟାଳୟ ମୁଖ୍ୟ ଫାଟକ ତାଲା ପକାଇବାକୁ ସ୍ଥିର କରିଥିଲେ । ଖବର ପାଇ ପ୍ରଧାନଶିକ୍ଷକ, ସହକାରୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚି ବୁଝାଶୁଝା କରି ୧୫ ଦିନ ମଧ୍ୟରେ ସମସ୍ଯାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ଗୁମାପଦର ସ୍କୁଲରେ ପଡ଼ିଲା ତାଲା

ସେପଟେ କନ୍ଧମାଳ ଜିଲ୍ଲା କ.ନୁଆଗାଁ ଗୁମାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତାଲା ପକାଇଛନ୍ତି ଅଭିଭାବକ । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ନହେବାରୁ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ।

୭୦ତମ ଜାତୀୟ ଫିଲ୍ମ ପୁରସ୍କାର; ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ, ନବୀନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର: ଘୋଷଣା ହୋଇଛି ୭୦ତମ ଜାତୀୟ ଫିଲ୍ମ ପୁରସ୍କାର । ‘କାନ୍ତାରା’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିଥିବା ବେଳେ ‘ଦମନ’କୁ ଶ୍ରେଷ୍ଠ ଓଡିଆ ଫିଲ୍ମ ପୁରସ୍କାର ମିଳିଛି । ସେହିପରି ‘କାର୍ତ୍ତିକେୟ-୨’କୁ ଶ୍ରେଷ୍ଠ ତେଲୁଗୁ ଫିଲ୍ମ, ‘ପୁନିୟିନ ସେଲଭାନ’କୁ ଶ୍ରେଷ୍ଠ ତାମିଲ ଫିଲ୍ମ, ‘ବାଗିଦି ଧି’କୁ ଶ୍ରେଷ୍ଠ ପଞ୍ଜାବୀ ଫିଲ୍ମ ପୁରସ୍କାର ମିଳିଛି ।

ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ‘ଅଟ୍ଟମ’କୁ ମିଳିଥିବା ବେଳେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ରିଷଭ ସେଟ୍ଟୀ । ନିତ୍ୟ ମେନନ ଓ ମାନସୀ ପାରେଖଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ସୂରଜ ବାଡଜାତ୍ଯାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ନୀନା ଗୁପ୍ତାଙ୍କୁ ଶ୍ରେଷ୍ଠ ସହାୟିକା ଅଭିନେତ୍ରୀ, ପୱନ ମାଲହୋତ୍ରାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ମିଳିଛି ।

‘ଦମନ’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ନେଇ ଖୁସି ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସମସ୍ତ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ନିର୍ମାତା ଓ ଅନ୍ୟ ସମସ୍ତ ସଦସ୍ୟଙ୍କୁ ନବୀନ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଆହୁରି ଅଧିକ ସଫଳତା କାମନା କରିଛନ୍ତି ।

ଦାୟିତ୍ବ ଗ୍ରହଣ କଲେ ନୂଆ ଡିଜିପି ଓ୍ବାଇ.ବି. ଖୁରାନିଆ

ଭୁବନେଶ୍ବର: ନୂଆ ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ ଯୋଗେଶ ବାହାଦୁର ଖୁରାନିଆ (ଓ୍ବାଇ.ବି. ଖୁରାନିଆ) । କଟକ ସ୍ଥିତି ପୋଲିସ ମୁଖ୍ୟାଳୟ ପହଞ୍ଚି ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ସେ ବିଏସଏଫର ୱେଷ୍ଟର୍ଣ୍ଣ କମାଣ୍ଡାଣ୍ଟ ସ୍ପେଶାଲ ଡିଜି ଭାବରେ କାର୍ଯ୍ୟରତ ଥିଲେ । ସପ୍ତାହେ ପୂର୍ବରୁ ଓଡ଼ିଶା କ୍ଯାଡରକୁ ଫେରିଥିଲେ ।

ହରିୟାଣା କୈଥଲ ଜିଲ୍ଲା ବାସିନ୍ଦା ଓ୍ବାଇ.ବି. ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର । ଓଡିଶା କ୍ୟାଡର ଚୟନ କରିଥିବା ଖୁରାନିଆ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଭଳି ବିଭିନ୍ନ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । ପରେ ତାଙ୍କୁ ଡିଆଇଜି ପଦକୁ ପଦୋନ୍ନତି ଦିଆଯାଇଥିଲା । ଏହାପରେ ସେ ଡିଆଇଜି ବ୍ରହ୍ମପୁର, ଭୁବନେଶ୍ବର ଓ ଅତିରିକ୍ତ ପୋଲିସ କମିଶନର ଏବଂ ଡିଆଇଜି ସମ୍ବଲପୁର ଭାବେ କାର୍ଯ୍ୟ କରିଥିଲେ । ଏହାସହ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଓ କ୍ରାଇମବ୍ରାଞ୍ଚ ଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପରବର୍ତ୍ତି ସମୟରେ ଅତିରିକ୍ତ ଡିଜି ପଦକୁ ପଦୋନ୍ନତି ପାଇ ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୋଲିସ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଓଡ଼ିଶା ପୋଲିସର ଜଣେ ଦକ୍ଷ ଅଫିସର ଭାବେ ପରିଗଣିତ ଖୁରାନିଆ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି । ବିଶେଷ କରି ମୟୂରଭଞ୍ଜ ଏସପି ଭାବେ କାର୍ଯ୍ୟ କରୁଥିବା ସମୟରେ ସେ ବହୁ ଚର୍ଚ୍ଚିତ ଅଷ୍ଟ୍ରେଲିୟ ଧର୍ମପ୍ରଚାରକ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଧରିବାରେ ପ୍ରମୁଖ ଭୂମିକା ନେଇଥିଲେ ।

ସେହିଭଳି ଭାବେ ପୋଲିସ କମିଶନର ଭାବେ କାର୍ଯ୍ୟ କରିବା ସମୟରେ ସେ ଟୁଇନ ସିଟିକୁ ଅପରାଧି ମୁକ୍ତ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ।

କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ, ଏଆଇସିସିକୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ପ୍ରଶାସକ ତଥା ରାଜନେତା ବିଜୟ ପଟ୍ଟନାୟକ । ମେଲ ଯୋଗେ ଏଆଇସିସି ପାଖକୁ ପଠାଇଲେ ଇସ୍ତଫା ପତ୍ର । ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ । ସେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ ।

ଇସ୍ତଫା ଦେବା ପରେ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ବିଜୟ । ସେ କହିଛନ୍ତି, କଂଗ୍ରେସ ଦଳରେ ମୋର କୌଣସି ଆବଶ୍ୟକତା ନଥିବା ଅନୁଭବ କରିବାରୁ ଇସ୍ତଫା ଦେଇଛି । ପ୍ରତ୍ୟକ୍ଷ ଜନସେବା କରିବି ।

ସେହିପରି ବିଜୟଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ‘ତାଙ୍କ ଇସ୍ତଫାର କାରଣ ମୁଁ ଜାଣିନି । ବିଜୟ ପଟ୍ଟନାୟକଙ୍କ ଇସ୍ତଫା ଦେବାର ନଥିଲା । ତାଙ୍କ ଇସ୍ତଫା କଂଗ୍ରେସ ଉପରେ କୌଣସି ପ୍ରଭାବ ପକାଇବନି ।’

ଭୁବନେଶ୍ବରରୁ ସନ୍ଦିଗ୍ଧ ଯୁବକ ଠାବ, ବାହାରକୁ ପଠାଉଥିଲା ଗୋପନୀୟ ତଥ୍ୟ

ଭୁବନେଶ୍ବର: ରାଜଧାନୀରେ ସନ୍ଦିଗ୍ଧ ବଙ୍ଗୀୟ ଯୁବକଙ୍କୁ ମାଡି ବସିଲା ପୋଲିସ । ଭଡ଼ା ଘରେ ରହି ବାହାରକୁ ପଠାଉଥିଲା ଗୋପନୀୟ ତଥ୍ୟ । ସାଇବର ଠକେଇରେ ଥିଲା ଲିପ୍ତ ।

ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ମୀସାଗର ଥାନା ପୋଲିସ ଏବଂ ସ୍ପେଶାଲ ସ୍କ୍ବାଡ ପକ୍ଷରୁ ସନ୍ଦିଗ୍ଧ ଯୁବକ ଭଡ଼ା ଘରେ ଚଢ଼ାଉ କରାଯାଇ ତାଙ୍କୁ ଧରାଯାଇଛି । ତାଙ୍କ ପାଖରୁ ୧୦ଟି ସିମ ବକ୍ସ ଠାବ କରାଯାଇଛି । ଭୁବନେଶ୍ୱର ଡିସିପି ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ଝାରପଡା ମହାଦେବ ନଗର ପ୍ଲଟ ନମ୍ବର ୨୧୫୯/୭୦୧୦ରେ ୭ରୁ ୮ ମାସ ଧରି ୮ ହଜାର ଟଙ୍କା ଭଡା ନେଇ ରହୁଥିଲେ ସନ୍ଦିଗ୍ଧ ଯୁବକ ଜଣକ ।

ଯୁବକ ଜଣଙ୍କ ଏତେ ଗୁଡ଼ିଏ ସିମ୍ ବକ୍ସ କାହିଁକି ରଖିଥିଲେ ? ଏଥିରେ ସେ କ’ଣ କରୁଥିଲେ ? ସନ୍ଦିଗ୍ଧ ଯୁବକଙ୍କ ଆତଙ୍କବାଦୀଙ୍କ ସହ ଲିଙ୍କ ଅଛି କି, ତାହାର ତଦନ୍ତ ଚାଲିଛି । ଏସଏଫଏଫଏଲ ସହ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ବ୍ୟାପକ କରିଛି ।

ରାଜ୍ୟସଭା ନିର୍ବାଚନ ପାଇଁ ଦିନେ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା: ମନମୋହନ

ଭୁବନେଶ୍ବର: ରାଜ୍ୟ ବିଜେପିର ରାଜ୍ୟସଭା ନିର୍ବାଚନ ପ୍ରସ୍ତୁତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦେଲେ ସୂଚନା । କହିଲେ- ସଂସଦୀୟ ବୋର୍ଡ ଖୁବ ଶୀଘ୍ର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବେ । ଦିନେ ଦୁଇ ଦିନ ଭିତରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ୨୧ ତାରିଖ ପୂର୍ବରୁ ବିଜେପି ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିବେ । ଚୂଡାନ୍ତ ନିଷ୍ପତ୍ତି ଜାଣିବା ପାଇଁ  ଅପେକ୍ଷା କରିବାକୁ ପଡିବ ।

ସେହିଭଳି ବିଜେପି ସାଙ୍ଗଠନିକ ନିର୍ବାଚନ ପର୍ବ ପାଇଁ ଦିଲ୍ଲୀରେ ଅସନ୍ତାକାଲି ବୈଠକ ବସିବାକୁ ଯାଉଛି । ନିର୍ବାଚନ ପୂର୍ବରୁ ପ୍ରାଥମିକ ସଦସ୍ୟ ଅଭିଯାନ ଚାଲିବ । ସେଥିପାଇଁ ଦିଲ୍ଲୀରେ ବସୁଥିବା ବୈଠକରେ ରାଜ୍ୟ ସଭାପତି ହିସାବରେ ଯୋଗ ଦେବେ ବୋଲି କହିଛନ୍ତି ମନମୋହନ ।

ବିଧାନସଭା ନିର୍ବାଚନ: ଜମ୍ମୁ-କାଶ୍ମୀରରେ ସେପ୍ଟେମ୍ବର ୧୮ରୁ ହରିୟାଣାରେ ଅକ୍ଟୋବର ୧ରେ

ନୂଆଦିଲ୍ଲୀ: ଦେଶରେ ପୁଣି ବାଜିଲା ନିର୍ବାଚନ ବିଗୁଲ । ଉଷ୍ଣ ହେଲା ରାଜନୀତି । ଜମ୍ମୁ ଓ କାଶ୍ମୀର ଏବଂ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ଜମ୍ମୁ ଓ କାଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ।

ଜମ୍ମୁ ଓ କାଶ୍ମୀରରେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ସେହିପରି ସେପ୍ଟେମ୍ବର ୨୫ରେ ଦ୍ବିତୀୟ ପର୍ଯ୍ୟାୟ ଓ ଅକ୍ଟୋବର ୧ ତାରିଖରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଅକ୍ଟୋବର ୪ ତାରିଖରେ ଭୋଟ ଗଣତି କରାଯାଇ ସେହିଦିନ ଫଳାଫଳ ଘୋଷଣା କରାଯିବ । ମୋଟ ୮୭ ଆସନରେ ଜମ୍ମୁ ଓ କାଶ୍ମୀରରେ ମତଦାନ ହେବ ।

ପ୍ରଥମ ପର୍ଯ୍ୟାୟ ଲାଗି ୨୦ ଅଗଷ୍ଟରେ ପ୍ରକାଶ ପାଇବ ବିଜ୍ଞପ୍ତି । ୨୭ ଅଗଷ୍ଟ ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖ ରହିଛି । ୨୮ ଅଗଷ୍ଟ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୩୦ ଅଗଷ୍ଟ ନାମାଙ୍କନ ପ୍ରତ୍ଯାହାରର ଶେଷ ତାରିଖ। ଦ୍ବିତୀୟ ପର୍ଯ୍ୟାୟ ଲାଗି ୨୯ ଅଗଷ୍ଟରେ ପ୍ରକାଶ ପାଇବ ବିଜ୍ଞପ୍ତି । ୫ ସେପ୍ଟେମ୍ବର ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖ ରହିଛି । ୬ ସେପ୍ଟେମ୍ବରରେ ହେବ ଯାଞ୍ଚ । ୯ ସେପ୍ଟେମ୍ବର  ନାମାଙ୍କନ ପତ୍ର ପ୍ରତ୍ଯାହାରର ଶେଷ ତାରିଖ ରହିଛି । ଦ୍ବିତୀୟ ପର୍ଯ୍ୟାୟ ଲାଗି ୨୫ ସେପ୍ଟେମ୍ବରରେ ହେବ ଭୋଟ । ତୃତୀୟ ପର୍ଯ୍ୟାୟ ଲାଗି ବିଜ୍ଞପ୍ତି ଜାରି ହେବ ୫ ସେପ୍ଟେମ୍ବରରେ ।  ୧ ଅକ୍ଟୋବରରେ ହେବ ଭୋଟ । ୩ଟି ଯାକ ପର୍ଯ୍ୟାୟର ଭୋଟ ଗଣତି ୪ ଅକ୍ଟୋବରରେ ହେବ । ୬ ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ଚଳିତ ନିର୍ବାଚନରେ ଜମ୍ମୁ ଓ କାଶ୍ମୀରରେ ୮୭ ଲକ୍ଷ ୯ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୧ ହଜାର ୮ ଶହ ମତଦାନ କେନ୍ଦ୍ର ହେବ । ଚଳିତ ନିର୍ବାଚନରେ ଜମ୍ମୁ ଓ କାଶ୍ମୀରରେ ୨୦ ଲକ୍ଷରୁ ଅଧିକ ଯୁବ ଭୋଟର ସେମାନଙ୍କ ନେତା ବାଛିବାକୁ ଯାଉଛନ୍ତି । ମହିଳାଙ୍କ ମତଦାନ ହାର କେମିତି ଅଧିକ ହେବ ତା’ଉପରେ ଇସିଆଇ ଗୁରୁତ୍ବ ଦେଇଛନ୍ତି ।

ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ମତଦାନ

ସେହିପରି ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଅକ୍ଟୋବର ୧ ତାରିଖରେ ହରିୟାଣାରେ ମତଦାନ ହେବ । ଅକ୍ଟୋବର ୪ ତାରିଖରେ ଭୋଟ ଗଣତି କରାଯାଇ ସେହି ଦିନ ଫଳାଫଳ ଘୋଷଣା କରାଯିବ । ସୂଚନା ଯୋଗ୍ୟ ହରିୟାଣାରେ ମୋଟ ୯୦ ଆସନରେ ମତଦାନ ହେବାକୁ ଯାଉଛି ।

ସେପ୍ଟେମ୍ବର ୫ ତାରିଖରେ ନାମାଙ୍କନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ । ୧୨ ସେପ୍ଟେମ୍ବର ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୧୩ ସେପ୍ଟେମ୍ବର ନାମାଙ୍କନ ପତ୍ର ଯାଞ୍ଚ ହେବ । ୧୬ ସେପ୍ଟେମ୍ବର ସୁଦ୍ଧା ହେବ ନାମାଙ୍କନ ପ୍ରତ୍ଯାହାର । ୪ ଅକ୍ଟୋବରରେ ହେବ ଭୋଟ ଗଣତି । ୬ ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ଚଳିତ ନିର୍ବାଚନରେ ହରିୟାଣାରେ ୨ କୋଟି ଭୋଟର ଅଛନ୍ତି । ମହିଳା ଭୋଟରଙ୍କ ସଂଖ୍ୟ ୯୫ ଲକ୍ଷ ହୋଇଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ରହିଛି । ଗୋଟିଏ ପର୍ଯ୍ୟାୟରେ ହେବାକୁ ଯାଉଥିବା ଏହି ନିର୍ବାଚନ ପାଇଁ ୨୦ ହଜାର ୬୨୯ ମତଦାନ କେନ୍ଦ୍ର ସ୍ଥାପନ କରାଯିବ ।