spot_img
Home Blog Page 1602

ସୁନ୍ଦରଗଡ଼ କଲୁଙ୍ଗା ରାସ୍ତାରେ ସଡକ ଦୁର୍ଘଟଣା: ଟ୍ରଲର-କାର ଧକ୍କାରେ ଜଣେ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ କଲୁଙ୍ଗା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରଲର-କାର ଧକ୍କାରେ କାର ଚାଳକଙ୍କର ମୃତ୍ଯୁ ହୋଇଛି । ମୃତ ଯୁବକଙ୍କର ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଉତ୍ତ୍ଯକ୍ତ ଲୋକ ରାସ୍ତାରୋକ କରିଛନ୍ତି । କ୍ଷତିପୂରଣ ଦାବିରେ କଲୁଙ୍ଗା ରାସ୍ତାରେ ଆନ୍ଦୋଳନରେ ବସିଛନ୍ତି ସ୍ଥାନୀୟ ଲୋକ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି । ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରୁଛି।

 

ଥମୁନି ମଣିପୁର ହିଂସା: ୩ ଜିଲ୍ଲାରେ କର୍ଫ୍ୟୁ, ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଥମୁନି ମଣିପୁର ହିଂସା। ରାଜ୍ଯରେ ପୁଣିଥରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ହିଂସାକୁ ଦୃଷ୍ଟିରେ ରଖି ୩ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ ଏବଂ ଥୌବାଲରେ କର୍ଫ୍ୟୁ ବଳବତ୍ତର ରହିଛି। ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ, ଥୌବାଲ, ବିଷ୍ଣୁପୁର ଏବଂ କାକଚିରେ ଇଣ୍ଟରନେଟ୍ ସେବା ୫ ଦିନ ଯାଏ ବନ୍ଦ ରଖାଯାଇଛି।

ସେହିପରି ସମସ୍ତ ସରକାରୀ ଓ ବେସରକାରୀ କଲେଜକୁ ଆଜି ଯାଏଁ ଛୁଟି ଘୋଷଣା କରାଯାଇଛି। ବିଭିନ୍ନ ସ୍ଥାନରେ ୨ ହଜାର ସିଆରପିଏଫ ସୁରକ୍ଷା ବଳ ନିୟୋଜିତ ହୋଇଥିବାବେଳେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଅଧିକ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି । ରାଜ୍ଯରୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ହଟାଇବା ସହ ପୋଲିସ ମହାନିର୍ଦ୍ଦେଶକ ଏବଂ ସୁରକ୍ଷା ଉପଦେଷ୍ଟାକୁ ହଟାଇବା ନିମନ୍ତେ ଆନ୍ଦୋଳକାରୀ ଛାତ୍ରଛାତ୍ରୀ ଦାବି କରୁଛନ୍ତି । ପରିସ୍ଥିତି ଅଶାନ୍ତ ହେଉଥିବାରୁ କେନ୍ଦ୍ର ସରକାର ଆଉ ଦୁଇ ବାଟାଲିଅନ ସିଆରପିଏଫ ମୁତୟନ କରିଛନ୍ତି ।

ଗତବର୍ଷ ମେ ମାସରୁ ମଣିପୁରରେ ହିଂସା ଜାରି ରହିଛି । ଏଯାଏଁ ୨୦୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବାବେଳେ ହଜାର ହଜାର ଲୋକ ବାସହୀନ ହୋଇପଡ଼ିଛନ୍ତି । କୁକୀ ଏବଂ ମଇତି ସଂପ୍ରଦାୟ ମଧ୍ଯରେ ଗଣ୍ଡଗୋଳ ଯୋଗୁ ହିଂସା ଉଗ୍ର ରୂପ ଧାରଣ କରିଛି । ଗତ କିଛିଦିନ ହେବ ଉଗ୍ରବାଦୀମାନେ ଡ୍ରୋନ ବୋମା ଏବଂ ରକେଟ ଆକ୍ରମଣ କରିବାରୁ ୯ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଯାହାକୁ ନେଇ ସାରା ରାଜ୍ଯରେ ଅଶାନ୍ତ ବାତାବରଣ ଲାଗିରହିଛି ।

ନବୀନ ନିବାସରେ ବିଜେଡି ସଭାପତିଙ୍କୁ ଭେଟିଲେ ରାଜ୍ଯର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସରେ ବିଜେଡି ସଭାପତିଙ୍କୁ ଭେଟିଲେ ରାଜ୍ଯର ବିଭିନ୍ନ ନିର୍ବାଚନ ମଣ୍ଡଳିର ନେତୃବୃନ୍ଦ । ମହାକାଳପଡ଼ା, ସତ୍ଯବାଦୀ ନିର୍ବାଚନ ମଣ୍ଡଳିର ବିଜେଡି ନେତା ଓ କର୍ମୀମାନେ ନବୀନଙ୍କୁ ଭେଟି ଦଳର ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି । ମହାକାଳପଡ଼ା ନିର୍ବାଚନମଣ୍ଡଳିର ଚେୟାରମ୍ଯାନ, ଭାଇସ ଚେୟାରମ୍ଯାନ, ସରପଞ୍ଚ, ସମିତିସଭ୍ଯ, ଜିଲ୍ଲାପରିଷଦ ସଦସ୍ଯଙ୍କ ସହ ବରିଷ୍ଠ ନେତାମାନେ ଅତନୁ ସବ୍ଯସାଚି ନାୟକଙ୍କ ନେତୃତ୍ବରେ ନବୀନଙ୍କୁ ଭେଟିଛନ୍ତି । ସତ୍ଯବାଦୀ ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ବରେ ବିରୋଧୀ ଦଳ ନେତାଙ୍କୁ ଭେଟିଛନ୍ତି । ସେହିପରି ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ୧୪ ଜଣ ବରିଷ୍ଠ ନେତା ମଧ୍ଯ ନବୀନଙ୍କୁ ଭେଟି ଆଲୋଚନା କରିଛନ୍ତି । ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ଲଢେଇ କରିବା ସହ ଲୋକଙ୍କ ସେବା ଜାରି ରଖିବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଗଲେ ବୃଦ୍ଧ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଗଲେ ବୃଦ୍ଧ । ନୀଳଚକ୍ରରେ ଚଢି ଦୀର୍ଘ ସମୟ ପର୍ଯ୍ଯନ୍ତ ଅଟକି ରହିଲେ । ସଂପୃକ୍ତ ବୃଦ୍ଧ ହେଲେ ଛତ୍ରପୁରର ବଳରାମ ମହାରଣା । ସନ୍ଧ୍ଯାରେ ସେ ନୀଳଚକ୍ର ଉପରକୁ ଚଢିଥିଲେ । ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଓ ମନ୍ଦିର ପ୍ରଶାସନ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି । ତେବେ କାହିଁକି ସେ ଦଧିନଉତି ଉପରକୁ ଚଢିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରନି । ତାଙ୍କ ମାନସିକ ସ୍ଥିତି ଠିକ ନଥିବା ସନ୍ଦେହ କରାଯାଉଛି । ସିଂହଦ୍ବାର ଥାନାକୁ ନେଇ ତାଙ୍କୁ ପଚରାଉଚରା କରାଯାଉଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ତେବେ ବୃଦ୍ଧ ଜଣଙ୍କ ଶ୍ରୀମନ୍ଦିର ଉପରକୁ ଚଢିଯିବା ଶ୍ରୀମନ୍ଦିରର ସୁରକ୍ଷା ବ୍ଯବସ୍ଥା ନେଇ ଅନେକ ପ୍ରଶ୍ନ ଉଠାଇଛି । ପ୍ରଶ୍ନ ଉଠୁଛି, ସୁରକ୍ଷା ବଳୟ ଭାଙ୍ଗି କେମିତି ଦଧିନଉତି ଉପରକୁ ଚଢିଗଲେ ବୃଦ୍ଧ ? ସଂପୃକ୍ତ ବ୍ଯକ୍ତି ଚଢିବାବେଳେ କେମିତି କେହି ଦେଖିପାରିଲେ ନାହିଁ ? ଜେଟିପି ଓ ପୋଲିସ ସେଠାରେ ନଥିଲେ କି ? ଯଦି ଥିଲେ ତେବେ ବୃଦ୍ଧ ବଳରାମଙ୍କୁ ଅଟକାଇଲେ ନାହିଁ କେମିତି ?

ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ଦରଦାମ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ଦରଦାମ। ଖାଉଟି ହେଉଛନ୍ତି ହନ୍ତସନ୍ତ। କିନ୍ତୁ ପଦକ୍ଷେପ ନେଉନାହାନ୍ତି ସରକାର। ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଥିବା ବେଳେ ପଶ୍ଚିମବଙ୍ଗ ଆଳୁ ଟ୍ରକ ବନ୍ଦ କଲା। କିନ୍ତୁ ରାଜ୍ୟର ବିଜେପି ସରକାର କିଛି ପଦକ୍ଷେପ ନେଲେନି। ଓଡ଼ିଶା ବ୍ୟବସାୟୀ ମହାସଂଘ ଏଭଳି ଅଭିଯୋଗ ଆଣିବା ସହ ଦିଲ୍ଲୀ ଦରବାରରେ ଓଡ଼ିଶାର ଖାଉଟିଙ୍କ ସ୍ୱାର୍ଥ ରକ୍ଷା କରିବାକୁ ଆଗକୁ ଆସିଛି। ଖାଉଟିଙ୍କୁ କିଭଳି ସଠିକ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ସେ ପାଇଁ ଉଦ୍ୟମ କରାଯିବ। ଏଥିପାଇଁ ଆସନ୍ତା ୨୮ ଓ ୨୯ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଗଭର୍ଣ୍ଣିଂ କାଉନସିଲ ବୈଠକରେ ସାମିଲ ହୋଇ ଖାଉଟିଙ୍କ ସ୍ବାର୍ଥ ରକ୍ଷା ଉପରେ ସ୍ବର ଉଠାଇବ ଓଡ଼ିଶା ବ୍ୟବସାୟୀ ମହାସଂଘ।

ସରକାର ପାରିଲେନି। ବ୍ୟବସାୟୀ ହାତକୁ ନେଲେ। ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରି ସଠିକ ମୂଲ୍ୟରେ ଖାଉଟିଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ବ୍ୟବସାୟୀଙ୍କ ଅନୁରୋଧ ପରେ ବି ମିଳିଲାନି ସୁଫଳ। ରାଜ୍ୟରେ ହୁ ହୁ ହୋଇ ବଢୁଥିବା ଦରଦାମକୁ ଆଖି ଆଗରେ ରଖି ଓଡ଼ିଶା ବ୍ୟବସାୟୀ ମହାସଂଘ ଦିଲ୍ଲୀ ସ୍ତରରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି। ଲୋକଙ୍କ ସ୍ୱାର୍ଥ ପାଇଁ ଆସନ୍ତା ୨୮ ଓ ୨୯ ରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଗଭର୍ଣ୍ଣିଙ୍ଗ କାଉନସିଲ ବୈଠକରେ ସାମିଲ ହେବେ ଓଡ଼ିଶା ବ୍ୟବସାୟୀ ସଙ୍ଘର ସଦସ୍ୟ। ଅତ୍ୟାବଶ୍ୟକ ସାମଗ୍ରୀକୁ କେନ୍ଦ୍ରର ବିନା ଅନୁମତିରେ କୌଣସି ରାଜ୍ୟ ଅନ୍ୟ ରାଜ୍ୟକୁ ବନ୍ଦ କରିପାରିବ ନାହିଁ। କିନ୍ତୁ ପଶ୍ଚିମବଙ୍ଗ ଦୀର୍ଘ ଦିନ ଧରି ଓଡ଼ିଶାକୁ ଆଳୁ ଟ୍ରକ ଛାଡିଲା ନାହିଁ। ତେଣୁ ଏହାକୁ ଭୁଲ ବୋଲି କହିଛି ବ୍ୟବସାୟୀ ସଂଘ। ଏ ପ୍ରସଙ୍ଗକୁ ଦିଲ୍ଲୀରେ ଆୟୋଜିତ ବୈଠକରେ ଉଠାଯିବା ସହ କେନ୍ଦ୍ରକୁ ଅବଗତ କରାଯିବ। ଯଦିଓ ଏହା ରାଜ୍ୟ ସରକାରଙ୍କ ଦାୟିତ୍ବ, କିନ୍ତୁ ଏ ଦିଗରେ କୌଣସି ଠୋସ ପଦକ୍ଷେପ ନେଲେନି ସରକାର। ପଶ୍ଚିମବଙ୍ଗ ଆଳୁ ଦେଲାନି, କାଲି ଆନ୍ଧ୍ର ମାଛ ଦେବନି। ତେଣୁ ଏହାକୁ କିପରି ବରଦାସ୍ତ କରାଯିବ। ଆବଶ୍ୟକ ପଡ଼ିଲେ ଲୋକଙ୍କ ସ୍ୱାର୍ଥ ପାଇଁ ଆଇନର ଆଶ୍ରୟ ନିଆଯିବ ବୋଲି କହିଛି ଓଡ଼ିଶା ବ୍ୟବସାୟୀ ସଂଘ।

ସେପଟେ ଏସବୁ ପ୍ରସଙ୍ଗକୁ ନେଇ ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଛି ଓଡ଼ିଶା ସିଟିଜେନସ ଫୋରମ।  ସରକାର କ୍ଷମତାକୁ ଆସିବା ପରଠୁ ସଠିକ ଭାବେ ତୁଲାଇ ପାରୁନାହାନ୍ତି କୌଣସି କାର୍ଯ୍ୟ। ଦରଦାମକୁ ନିୟନ୍ତ୍ରଣ କରିପାରୁନାହାନ୍ତି ସରକାର। ମହଙ୍ଗା ମାଡ଼ରେ ପେଶି ହୋଇଗଲେଣି ଖାଉଟି। ବଜାରକୁ ଗଲେ କଣ କିଣିବେ ତାକୁ ନେଇ ଭୋଳେଣି ପଡୁଛି। ମନ୍ତ୍ରୀ ଓ ଅଫିସରଙ୍କ ମଧ୍ୟରେ ରହୁନି ସମନ୍ବୟ। ଯେଉଁଥି ପାଇଁ ସାଧାରଣ ଲୋକେ ହେଉଛନ୍ତି ହୀନସ୍ତା। ଏହାର ପ୍ରତିବାଦରେ ଆସନ୍ତା ୬ ମାସ ମଧ୍ୟରେ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ ସରକାର ବିରୋଧରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଓଡ଼ିଶା ସିଟିଜେନସ ଫୋରମ।

ଦିଲ୍ଲୀରେ ହେବାକୁ ଥିବା ବ୍ୟବସାୟୀ ସଙ୍ଘର ଜାତୀୟ ସ୍ତରୀୟ ବୈଠକରେ ଆନ୍ତଃରାଜ୍ୟ ବ୍ୟବସାୟ, ଜିଏସଟି, ପ୍ରଫେସନାଲ ଟ୍ୟାକ୍ସ, ବ୍ୟବସାୟୀଙ୍କ ସାମାଜିକ ସୁରକ୍ଷା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଯାହା ସରକାର କରିବା କଥା ତାହା ବ୍ୟବସାୟୀ ସଂଘ କରିବ ବୋଲି କୁହାଯାଇଛି।

ଜିଲ୍ଲାପାଳଙ୍କୁ ମିଠା ପ୍ଯାକେଟରେ ଲାଞ୍ଚ ଦେଇ ଅମ୍ବୁଜା ସିମେଣ୍ଟର ବରିଷ୍ଠ ଅଧିକାରୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଜିଲ୍ଲାପାଳଙ୍କୁ ମିଠା ପ୍ଯାକେଟରେ ଲାଞ୍ଚ । ବରଗଡ଼ ଜିଲ୍ଲାପାଳ ଆଦିତ୍ଯ ଗୋଏଲଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଯାଚି ଗିରଫ ହୋଇଛନ୍ତି ଅମ୍ବୁଜା ସିମେଣ୍ଟର ବରିଷ୍ଠ ଅଧିକାରୀ । ଗିରଫ ଅଧିକାରୀ ହେଲେ ଛତିଶଗଡ଼ ଅମ୍ବୁଜା ସିମେଣ୍ଟର ଚିଫ୍ ମ୍ଯାନୁଫ୍ଯାକ୍ଚରିଂ ଅଫିସର ରମ୍ଭବ ଗାଟୁ । ଅଭିଯୋଗ ଅନୁସାରେ ରମ୍ଭବ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ । ଏହି ସମୟରେ ଏକ ବୁକେ ସହ ମିଠା ପ୍ଯାକେଟ ଦେଇଥିଲେ । ମିଠା ପ୍ଯାକେଟରେ ଜିଲ୍ଲାପାଳଙ୍କ ସନ୍ଦେହ ହେବାକୁ ଏହାକୁ ଖୋଲିବାକୁ ପିଅନଙ୍କୁ କହିଥିଲେ । ପ୍ଯାକେଟ ଖୋଲିଲା ପରେ ସେଥିରେ ୪ଟି ୫୦୦ ଟଙ୍କିଆ ବଣ୍ଡଲ ରହିଥିବା ଜଣାପଡ଼ିଥିଲା । ଏନେଇ ସୂଚନା ଦେବାପରେ ଭିଜିଲାନ୍ସ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ୨ ଲକ୍ଷ ଟଙ୍କା ଜବତ କରିବା ସହ ସଂପୃକ୍ତ ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ଗିରଫ କରିଛି ।  ରମ୍ଭବଭଙ୍କୁ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି । ତେବେ ସେ କେଉଁଥିପାଇଁ ଏହି ଟଙ୍କା ଦେଉଥିଲେ ସେନେଇ ଜଣାପଡ଼ିନଥିବାବେଳେ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି ।

ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ବିରୋଧ

ନନ୍ଦିଘୋଷ ବ୍ୟୁରୋ: ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ବିରୋଧ। ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ସଦସ୍ୟ। ୩ ବିଧାୟକ ଧୃବ ସାହୁ, ତାରାପ୍ରସାଦ ବାହିନୀପତି, ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଛି ନିନ୍ଦା ପ୍ରସ୍ତାବ। ଏହାକୁ ବିରୋଧ କରି ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ କରିଛନ୍ତି ବିରୋଧୀ ସଦସ୍ୟ। ଧାରଣାରେ ବସିଲେ ବିଜେଡି ବିଧାୟକ ଧୃବ ସାହୁ। ବିଜେପି ସରକାର ଗଣତନ୍ତ୍ର ହତ୍ୟାକାରୀ ବୋଲି କହିଛନ୍ତି ବିରୋଧୀ। ନିନ୍ଦା ପ୍ରସ୍ତାବ ଆଣିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ।

ନିଯୁକ୍ତି ସୃଷ୍ଟି ପାଲଟିଛି ଧୂଆଁବାଣ

ନନ୍ଦିଘୋଷ ବ୍ୟୁରୋ: ନିଯୁକ୍ତି ସୃଷ୍ଟି ନେଇ ବିଜେପି ସରକାରର ପ୍ରତିଶୃତି ଏକ ଧୂଆଁବାଣ ପାଲଟିଛି । ଯାହାକୁ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି l ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଖାଲିଥିବା ଶହ ଶହ ସରକାରୀ ପଦବୀ ପୂରଣ ହେଉନି । ନୂଆ  ପଦବୀ ସୃଷ୍ଟି ନକରିବା ଓ ଚୁକ୍ତି ଭିତ୍ତିକ ତଥା ଅସ୍ଥାୟୀ କର୍ମଚାରୀଙ୍କୁ  ସ୍ଥାୟୀ ନକରିବା ସରକାରଙ୍କର ଏକ ଅମାନବୀୟ ଓ ସମ୍ବେଦନହୀନ କାର୍ଯ୍ୟ ବୋଲି ମୁଲତବୀ ପ୍ରସ୍ତାବ ଆଲୋଚନାରେ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି l ଅନ୍ୟପଟେ ଜୁଲାଇ ମାସ ପରେ ରାଜ୍ୟରେ ବେକାରୀ ବୃଦ୍ଧି ସତ୍ୟ ଆଧାରିତ ନୁହେଁ ବୋଲି କହି ଦୁଇ ବିରୋଧୀଙ୍କୁ ଜବାବ ଦେଇଛି ଶାସକ ଦଳ l

୨୦୧୪ ନିର୍ବାଚନ ପୂର୍ବରୁ ବିଜେପି କହିଥିଲା ନିଯୁକ୍ତି ସୃଷ୍ଟି କରିବ । ହେଲେ ଆଜି ଆସି ୨୪ ହେଲାଣି ନିଯୁକ୍ତି ନାହିଁ। ଦେଶରେ ବର୍ଷକୁ ୨କୋଟି ନିଯୁକ୍ତି ଦେବ କହି ଭଣ୍ଡେଇ ଚାଲିଛି ବିଜେପି ସରକାର l ବେକାରୀ ସମସ୍ଯାକୁ ନେଇ ମୁଲତବୀ ଆଲୋଚନାବେଳେ ଏପରି ବର୍ଷିଛନ୍ତି ବିରୋଧୀ । ଶାସକ ବିଜେପି ଦଳକୁ ପଚାରଛନ୍ତି  ଆଜିର ଦିନରେ କିଏ କେଉଁଠି ନିଯୁକ୍ତି ପାଇଛନ୍ତି ? ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ .୯ପ୍ରତିଶତ ବେକାରୀ ରହିଛନ୍ତି । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାରକୁ ତିନି ମାସ ହେବ ? ଆଜି OSSSC ଆଗରେ ବି ପରୀକ୍ଷାର୍ଥୀ ଆନ୍ଦୋଳନ କରୁଛନ୍ତି l ନୂଆ ସରକାର ପ୍ରତିଶୃତି ଅନୁସାରେ ବେକାରୀ ସମସ୍ୟା ଦୂର କରିବା ପାଇଁ ନୂଆ ପଦକ୍ଷେପ ନିଅନ୍ତୁ ବୋଲି  କଂଗ୍ରେସ ଦାବି କରିଛି l ସେହିପରି ମୁଲତବୀ ଆଲୋଚନାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଗ ନେଇ ବେକାରୀ ଦୂର କରିବା ନେଇ ବିଜେପି ସରକାରଙ୍କ ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି l ଗୃହରେ ପ୍ରଥମ ଥର ପାଇଁ ମନ୍ତ୍ରୀ ବେକାରୀକୁ ନେଇ ସ୍ଵୀକାର କରିବା ସ୍ବାଗତଯୋଗ୍ୟ। କିନ୍ତୁ ଏହା ଶତପ୍ରତିଶତ ସତ୍ୟ ନୁହେଁ। ବେକାରୀ କ୍ଷେତ୍ରରେ ସରକାର ନେବାକୁ ଯାଉଥିବା ପଦକ୍ଷେପ ସମୁଦ୍ରକୁ ଶଙ୍ଖେ। ନୂଆ ସରକାର ନିଜକୁ ଶିଶୁ କହି ଉତ୍ତର ଦାୟିତ୍ଵରୁ ମୁହଁ ନଫେରାଇ ଦେଇଥିବା ନିର୍ବାଚନୀ ପ୍ରତିଶୃତି ପାଳନ କରନ୍ତୁ ବୋଲି ବିଜେଡି ଗୃହରେ ଦାବି କରିଛି l

ବେକାରୀ ସମସ୍ୟା ନେଇ ବିରୋଧୀ ମୂଲତବୀ ପ୍ରସ୍ତାବରେ ବିଜେପିକୁ କଡା ଟାର୍ଗେଟ କରିବା ପରେ ଶାସକ ଦଳ ପାଲଟା ଯୁକ୍ତି ବାଢ଼ିଛି l  ସଂସଦୀୟ  ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଜୁଲାଇ ପରେ ବେକାରୀ ବୃଦ୍ଧି ପାଇଛି ବୋଲି ଯାହା କୁହାଯାଉଛି ତାହା ସତ୍ୟ ଆଧାରିତ ନୁହେଁ। ନୂଆ ସରକାର ନିଯୁକ୍ତି ଉପରେ ଗୁରୁତ୍ବ ଦେଉଛନ୍ତି । ୫ ବର୍ଷ ଭିତରେ ଦେଢ ଲକ୍ଷ ପଦବୀ ପୂରଣ ପାଇଁ ସରକାର ପ୍ରତିଶୃତି ଦେଇଛନ୍ତି । ଆଗାମୀ ୨ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ମୁକେଶ ।

ଭାରତ ବର୍ଷରେ ବେକାରୀ କ୍ଷେତ୍ରରେ ଓଡିଶା ୨୧ନମ୍ବର ସ୍ଥାନରେ ରହିଛି। ପୂର୍ବ ସରକାର ବେକାରୀ ହ୍ରାସ ଦିଗରେ ବଡ ପଦକ୍ଷେପ ନେଇଥିଲେ । ତେଣୁ ବିଜେପି ନିଯୁକ୍ତି ନେଇ ଯେଉଁ ପ୍ରତିଶୃତି ଦେଇଛି ତାହାକୁ ପାଳନ କରିବାକୁ ଦାବି ଜୋରଦାର ହୋଇଛି  ।

ବ୍ରେନ୍ ଷ୍ଟୋକ୍ : ଦେଶରେ ଆଗରେ ରହିଛି ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବଢ଼ୁଛି ବ୍ରେନ ଷ୍ଟୋକ ସଂଖ୍ୟା । ସାରା ଦେଶରେ ଦୈନିକ ପ୍ରାୟ ୨ହଜାର ବ୍ରେନ୍ ଷ୍ଟ୍ରୋକ୍ ଘଟଣା ସାମ୍ନାକୁ ଆସୁଥିବା ବେଳେ ଭାରତରେ ଏହା ଚିନ୍ତାଜନକ ହୋଇପଡିଛି । ନିକଟରେ ଲାନସେଟରେ ପ୍ରକାଶିତ ଏକ ଗବେଷଣାରୁ ଜଣାପଡିଛି ଯେ ଓଡ଼ିଶାରେ ବ୍ରେନ ଷ୍ଟ୍ରୋକ୍ ର ପ୍ରକୋପ ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ପ୍ରତି ସାତଜଣ ବାସିନ୍ଦାଙ୍କ ମଧ୍ୟରୁ ଜଣେ ବିପଦରେ ଅଛନ୍ତି ।

ଏହି ବଢୁଥିବା ସ୍ୱାସ୍ଥ୍ୟ ସମସ୍ୟା, ଯାହା ପୂର୍ବରୁ ଅଧିକାଂଶ ବୟସ୍କ ବୟସ୍କଙ୍କ ଠାରେ ଦେଖାଯାଉଥିଲା, ବର୍ତ୍ତମାନ ଅଚଳ ଜୀବନଶୈଳୀ, ଖରାପ ଖାଦ୍ୟଅଭ୍ୟାସ, ମାନସିକ ଚାପ ସ୍ତର ବୃଦ୍ଧି ଏବଂ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି କାରଣରୁ ଯୁବ ଜନସଂଖ୍ୟାକୁ ପ୍ରଭାବିତ କରୁଛି ।

ଭୁବନେଶ୍ୱର ଏମ୍ସର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ନ୍ୟୁରୋଲୋଜି (ଆଇଏଏନ୍) ଷ୍ଟ୍ରୋକ୍ ସବ୍ ସେକ୍ସନ୍ ମିଡ୍ ଟର୍ମ ସମ୍ମିଳନୀରେ ଏହି ସବୁ ଚିନ୍ତା ପ୍ରକଟ କରାଯାଇଛି। ‘କୋଡ୍ ଷ୍ଟ୍ରୋକ୍ ଟୁ ଷ୍ଟ୍ରୋକ୍ ଇଣ୍ଟରଭେନ୍ସନ୍’ ଶୀର୍ଷକ ଏହି ସମ୍ମିଳନୀରେ ପ୍ରାରମ୍ଭିକ ଷ୍ଟ୍ରୋକ୍ ଚିହ୍ନଟ, ଚିକିତ୍ସା ର ଅଗ୍ରଗତି ଏବଂ ଷ୍ଟ୍ରୋକ୍ ପ୍ରତିରୋଧର ଗୁରୁତ୍ୱ ଉପରେ ଗଭୀର ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟମାନେ ଅଂଶଗ୍ରହଣ କରିଥିଲେ।

ଏମ୍ସ ଭୁବନେଶ୍ୱର ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ଏମ୍ସ ଭୁବନେଶ୍ୱରର ନ୍ୟୁରୋଲୋଜି ବିଭାଗ ପ୍ରତି ମାସରେ ୫୦୦ରୁ ଅଧିକ ଷ୍ଟ୍ରୋକ୍ ରୋଗୀଙ୍କୁ ଚିକିତ୍ସା କରିଥାଏ, ଯେଉଁଥିରେ ଇଣ୍ଟରଭେନସ୍ ଥ୍ରୋମ୍ବୋଲାଇସିସ୍, ମେକାନିକାଲ ଥ୍ରୋମ୍ବୋକ୍ଟୋମି, ଷ୍ଟ୍ରୋକ୍ ନ୍ୟୁରୋସର୍ଜରୀ, ନ୍ୟୁରୋକ୍ରିଟିକାଲ କେୟାର ଏବଂ ଉନ୍ନତ ନ୍ୟୁରୋ-ରିହାବିଲିଟେସନ୍ ସେବା ଅନ୍ତର୍ଭୁକ୍ତ ।

ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱରର ଡିନ୍ (ଏକାଡେମିକ୍ସ) ଡାକ୍ତର ପିଆର ମହାପାତ୍ର ଓ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଡିକେ ପରିଡ଼ା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଏଏନ୍ ଷ୍ଟ୍ରୋକ୍ ସବ୍ସେକ୍ସନ୍ ର ଅଧ୍ୟକ୍ଷ ଡ. ସୁନୀଲ କେ ନାରାୟଣ, ଇଣ୍ଡିଆନ୍ ଷ୍ଟ୍ରୋକ୍ ଆସୋସିଏସନ୍ ର ସଭାପତି ଡ. ନିର୍ମଳ ସୂର୍ଯ୍ୟ, ଡ. କାମେଶ୍ୱର ପ୍ରସାଦ, ଡ. ପି ବିଜୟା ଏବଂ ଡ. ଏସ୍ ପି ଗୋର୍ଥି ପ୍ରମୁଖ ଯୋଗଦେଇ ଷ୍ଟ୍ରୋକ୍ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଆବାସିକ ଡାକ୍ତର ଓ ଅଧ୍ୟାପକମାନଙ୍କ ପାଇଁ ଷ୍ଟ୍ରୋକ୍ ଉପରେ ଏକ ପୋଷ୍ଟର ଅଧିବେଶନର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନବ ଜାତି ପ୍ରତି ଉତ୍ସର୍ଗୀକୃତ ସେବା ପାଇଁ ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡ. ଆର୍ ଏନ୍ ସାହୁଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା। ଭୁବନେଶ୍ୱର ଏମ୍ସର ନ୍ୟୁରୋଲୋଜି ମୁଖ୍ୟ ଡାକ୍ତର ସଞ୍ଜୀବ କୁମାର ଭୋଇ, ଡାକ୍ତର ମେନକା ଝା ଓ ଡାକ୍ତର ପ୍ରିୟଙ୍କା ସାମଲ ଏହି ସମ୍ମିଳନୀକୁ ସଂଯୋଜନା କରିଥିଲେ।

 

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଅନୁକୁଳ

0

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ମାଟି ଅନୁକୁଳ କରାଯାଇଛି । ଆଜି ପବିତ୍ର ରାଧାଷ୍ଟମୀ ତିଥିରେ ପରମ୍ପରା ଅନୁଯାୟୀ ମଉଡମଣୀ ବଜାର, ମୀନାବଜାର, ଗଣେଶ ବଜାର ମାଟି ଉଠାଇଛନ୍ତି ।  ବିରାଟ ପଟୁଆରରେ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ବ୍ରାହ୍ମଣୀ ନଦୀ ପଠାରେ ପହଞ୍ଚିଥିଲେ । ସେଠାରେ ବ୍ରାହ୍ମଣଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା କରାଯାଇ ମୃତ୍ତିକା ପୂଜନ କରାଯାଇଥିଲା । ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ବ୍ରାହ୍ମଣୀ ନଦୀ ପଠା । ଏହି ଅନୁକୁଳ ମାଟି ନେଇ ମୃଣ୍ମୟୀ ମୂର୍ତ୍ତି କାମ ଆରମ୍ଭ ହେବ । ଆସନ୍ତା ମାସ ୧୬ ତାରିଖ ଠାରୁ ୧୧ ଦିନ ଧରି ଗଜଲକ୍ଷ୍ମୀ ପୂଜା ଚାଲିବ । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତା ଯୋଜନା ପ୍ରସ୍ତୁତ କରିଛନ୍ତି ।