spot_img
Home Blog Page 160

ନେଟଓ୍ବର୍କ ପାଇଁ ନାକେଦମ, କିଏ ପାହାଡ଼ ଉପରେ ଚଢ଼ିଲାଣି ତ କିଏ ଜଙ୍ଗଲ ଭିତରେ ପଶିଲାଣି

ନନ୍ଦିଘୋଷ ବ୍ୟୁରୋ: ଅଙ୍ଗନବାଡ଼ିରୁ ଶିଶୁଙ୍କ ପୋଷଣ ସାମଗ୍ରୀ ନେବାକୁ ହେଲେ ଜଙ୍ଗଲ ଚାଲ। ଏଭଳି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। ପୋଷଣ ସାମଗ୍ରୀ ନେବା ପାଇଁ ନେଟଓ୍ବର୍କ ଆବଶ୍ୟକ। ଆଉ ସେହି ନେଟଓ୍ବର୍କ ପାଇଁ କୋମଳମତି ଶିଶୁକୁ ଧରି କିଏ ଜଙ୍ଗଲରେ ପଶିଲାଣି ତ କିଏ ପାହାଡ଼ ଚଢ଼ିଲାଣି। ନେଟଓ୍ବର୍କ ପାଇଁ ନାକେଦମ ଅଙ୍ଗନବାଡି କର୍ମୀ ଓ ହିତାଧିକାରୀ।

ନେଟଓ୍ବର୍କ ପାଇଁ ନାକେଦମ । କିଏ ପାହାଡ଼ ଉପରେ ଚଢ଼ିଲାଣି ତ କିଏ ଜଙ୍ଗଲ ଭିତରେ ପଶିଲାଣି । ନେଟଓ୍ବର୍କ ପାଇଁ ସଂଘର୍ଷ କରୁଛନ୍ତି ମହିଳା । କିଏ ୧୨ ଦିନର ଜନ୍ମ ହୋଇଥିବା ଶିଶୁକୁ କପଡାରେ ଘୋଡାଇ ଧରିଛି ତ ଆଉ କିଏ ମାସକର ଶିଶୁକୁ କୋଳରେ ଧରି ଜଙ୍ଗଲ ଭିତରକୁ ଯାଉଛନ୍ତି । ମୟୂରଭଞ୍ଜ କପ୍ତିପଦା ବ୍ଲକ ଜଡିଦା ପଂଚାୟତର ବାରବାଙ୍କ ଅଙ୍ଗନବାଡିରୁ ଆସିଛ ଏଭଳି ସାଙ୍ଘାତିକ ଚିତ୍ର। ଅଙ୍ଗନବାଡିରୁ ପୁଷ୍ଟିକର ଖାଦ୍ୟ ନେବାକୁ ଆସୁଥିବା ଗର୍ଭବତୀ ଏବଂ ପ୍ରସୂତି ଭୋଗୁଛନ୍ତି ସମସ୍ୟା।

ନେଟଓ୍ବର୍କ ପାଇଁ ଜଙ୍ଗଲରେ ଘଣ୍ଟା ଘଣ୍ଟା ଧରି କରୁଛନ୍ତି ଅପେକ୍ଷା। ଅଙ୍ଗନବାଡ଼ିରୁ ଶିଶୁଙ୍କ ପୋଷଣ ସାମଗ୍ରୀ  ନେବାକୁ ହେଲେ ପ୍ରତି ମାସ ହିତାଧିକାରୀଙ୍କ ଫେସ କ୍ୟାପଚର ଏବଂ କେୱାଇସି କରିବାକୁ ପଡେ। ହେଲେ ଅଙ୍ଗନବାଡିରେ ମୋବାଇଲ ନେଟୱର୍କ ଓ ଇଣ୍ଟରନେଟ ନ ଆସିବାରୁ ହିତାଧିକାରୀଙ୍କୁ ସାଙ୍ଗରେ ଧରି ମୋବାଇଲରେ ନେଟୱର୍କ ଖୋଜି ଖୋଜି ଜଙ୍ଗଲ ଏବଂ ପାହାଡ଼ ଚଢିଥାନ୍ତି ଉଭୟ ଅଙ୍ଗନବାଡି କର୍ମୀ ଓ ହିତାଧିକାରୀ। ସେଠାରେ ଫଟୋ ଉଠାଇବା କାମ ସରିବା ପରେ ଅଙ୍ଗନବାଡିରୁ ଆସି ହିତାଧିକାରୀ ନେଇଥାନ୍ତି ସାମଗ୍ରୀ। ଯାହା ଅତ୍ଯନ୍ତ ଯନ୍ତ୍ରଣାଦାୟକ।

କେବଳ ଏହି ଗୋଟିଏ ଅଙ୍ଗନବାଡି ତାହା ନୁହେଁ ସେହି ପଞ୍ଚାୟତରେ ଥିବା ଅନ୍ୟ ଅଙ୍ଗନବାଡିରେ ମଧ୍ୟ ସମାନ ଅବସ୍ଥା। ଯେଉଁଥିପାଇଁ ମୋବାଇଲ ନେଟୱାର୍କ ତାଡନାରେ ପେଷି ହେଉଛନ୍ତି ସମସ୍ତେ। ସରକାରୀ ଯୋଜନାକୁ ସଠିକ କାର୍ଯ୍ୟକାରୀ କରିବା ପାଇଁ ଅଙ୍ଗନବାଡି କର୍ମୀ ନାକେଦମ ହେବା ସହିତ ଗର୍ଭବତୀ ଓ ପ୍ରସୂତି ଏଭଳି ସମସ୍ୟା ଭୋଗିବା  ଯୋଜନାର ବାସ୍ତବତାକୁ ପରିହାସ କରୁଛି ନିଶ୍ଚିତ। ତେବେ ପ୍ରଶ୍ନ ଉଠୁଛି ଏହି ଯନ୍ତ୍ରଣାର ଅନ୍ତ ଅଛି ତ ?

 

ଅଦିନିଆ ଲଘୁଚାପ ବର୍ଷା ଉଜାଡି ଦେଲା ଜାତୀୟ ଫସଲ

ନନ୍ଦିଘୋଷ ବ୍ୟୁରୋ: ଅଦିନିଆ ଲଘୁଚାପ ବର୍ଷା ଉଜାଡି ଦେଲା ଜାତୀୟ ଫସଲ ମିଲେଟ । ଲଗାଣ ବର୍ଷା ଯୋଗୁଁ ଏକର ଏକର ଜମିରେ ମାଣ୍ଡିଆ, କୋଦୋ ଓ ବାଜରା ଚାଷ ନଷ୍ଟ ହୋଇଛି। ଯାହାକୁ ନେଇ ଚିନ୍ତାରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଚାଷୀ। ଏବେ କ୍ଷତିପୂରଣ ଦାବିରେ ଅଡିବସିଛନ୍ତି ଚାଷୀ।

ଅଦିନିଆ ଲଘୁଚାପ ବର୍ଷା ଉଜାଡିଦେଲା ମିଲେଟ ଚାଷ । ଅମଳ ପୂର୍ବରୁ ଚାଷ ନଷ୍ଟ। କଳା ପଡ଼ିଗଲା ଫୁଲ। ଚିନ୍ତାରେ ଚାଷୀ। ଏ ହେଉଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁର ଚାଷୀ ଅମଳ କରିଥିବା ଜାତୀୟ ଫସଲ ମିଲେଟ । ଧାନ ଚାଷ ପରେ ମିଲଟ ଜାତୀୟ ଫସଲ କରିବାକୁ  ଶ୍ରୀ-ଅନ୍ନ ଯୋଜନା କରିଥିଲେ ସରକାର। ଏହି ଯୋଜନାରେ ଅନେକ ଗାଁର ଚାଷୀମାନେ ଚଳିତ ବର୍ଷ ମାଣ୍ଡିଆ,କୋଦୋ,ବାଜରା ଚାଷ କରିଥିଲେ । ହେଲେ ଦୁର୍ଭାଗ୍ୟ, ଅଦିନିଆ ଲଘୁଚାପ ବର୍ଷା ସବୁକିଛି ନଷ୍ଟ କରିଦେଇଛି । ମାଣ୍ଡିଆ ଚାଷ ଫୁଲ ହୋଇଥିଲା, ତାହା କଳା ପଡ଼ି ଯାଇଛି ।

ଅମଳ ହୋଇ ସରକାରୀ ଦରରେ ବିକ୍ରି କରିଥିଲେ କିଛି ଟଙ୍କା ପାଇଥାନ୍ତେ। ପରିବାରର ଗୁଜରାଣ ମେଣ୍ଟାଇପାରିଥାନ୍ତେ। ହେଲେ ଏବେ ପଚିଯିବା ଫସଲ ମଣ୍ଡିରେ ବିକ୍ରି ହେବ ନାହିଁ। ସେପଟେ  ବ୍ଲକ କୃଷି ଅଧିକାରୀ କହିଛନ୍ତି,  ଅଭିଯୋଗ ଆସିଲା ପରେ ତଦନ୍ତ କରିବୁ । ଏକ ଟିମ ଗଠନ କରି ଚାଷ ଜମି ପରିଦର୍ଶନ କଲା ପରେ କ୍ଷତି ପୂରଣ  ଦିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି । ଚାଷୀଙ୍କ ଦୁଃଖ କେବେ ସରକାର ଶୁଣୁଛନ୍ତି ଓ କେବେ କ୍ଷତିପୂରଣ ମିଳୁଛି ତାକୁ ଦେଖିବାକୁ ବାକି ରହିଲା ।

 

ନୀତିଶ କୁମାର ନାଁ ଲାଲୁ ଯାଦବ, ଜାଣନ୍ତୁ କିଏ ଅଧିକ ପାଠ ପଢ଼ିଛନ୍ତି ?

ନନ୍ଦିଘୋଷ ବ୍ୟୁରୋ: ବିହାର ରାଜନୀତି କଥା ଯେତେବେଳେ ଆଲୋଚନା ହୁଏ ସୁବେବଳେ ଆଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଜନ ଏବଂ ଏବେର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାଁ ଆଗରେ ଆସିଥାଏ । ତେବେ ଏହି ଦୁଇ ନେତା ଜାତୀୟ ରାଜନୀତିରେ ମଧ୍ୟ ସବୁବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ତେବେ ଏହି ଦୁଇ ନେତାଙ୍କ ମଧ୍ୟରୁ କିଏ ଅଧିକ ଶିକ୍ଷିତ ଆସନ୍ତୁ ଜାଣିବା…

ନୀତିଶ କୁମାର : ବିହାରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନ୍ମ ୧ ମାର୍ଚ୍ଚ ୧୯୫୧ ମସିହାରେ ହୋଇଥିଲା । ସେ ଏକ ସାଧାରଣ ପରିବାରରୁ ଆସିଥିବାବେଳେ ଗାଁରେ ନିଜର ପ୍ରାଥମିକ ଶିକ୍ଷା ସାରିଥିଲେ । ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ବିଜ୍ଞାନ ପ୍ରତି ତାଙ୍କର ଆଗ୍ରହ ରହିଥିବାବେଳେ ସେ ବିହାର କଲେଜ ଅଫ୍ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ । ୧୯୭୨ ମସିହାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ ଡିଗ୍ରୀ ହାସଲ କରିଥିଲେ । ତେବେ ଛାତ୍ର ଜୀବନରୁ ରାଜନୀତି ପ୍ରତି ରୁଚି ରଖିଥିବାବେଳେ ୧୯୭୦ ସକ୍ରିୟ ରାଜନୀତିରେ କାମ କରିବା ଆରମ୍ଭ କରିଥିଲେ ।

ଲାଲୁ ପ୍ରସାଦ ଯାଦବ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସର୍ବଦା ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ କଥା କହିବାର ଶୈଳୀ ସମସ୍ତଙ୍କୁ ବେଶ ଆକର୍ଷିତ କରିଥାଏ । ୧୯୪୮ ଜୁନ ୧୧ ତାରିଖରେ ଫୁଲଓ୍ବାରିଆ ଗାଁରେ ଲାଲୁଙ୍କ ଜନ୍ମ । ସେ ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।  ସେ ନିଜ ଗାଁରେ ପ୍ରାରମ୍ଭିକ ଶିକ୍ଷା ସାରିବା ପରେ ପାଟନାର ବି.ଏନ କଲେଜରେ ବିଏ ଡିଗ୍ରୀ ହାସଲ କରିଥିଲଲେ । ତେବେ ଲାଲୁ ମଧ୍ୟ ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ଲୁମରାଇନା ଶତପଥୀ

ନନ୍ଦିଘୋଷ ବ୍ୟୁରୋ: ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ଲୁମରାଇନା ଶତପଥୀ । ଭୁବନେଶ୍ୱର ପଟିଆ ଛକରେ ତାଙ୍କ କାର ଦୁର୍ଘଟଣା ଘଟିଛି । ରାସ୍ତାରେ ବୁଲା ଗାଈ ଗୋରୁ ଯୋଗୁଁ ଦୁର୍ଘଟଣା ଘଟଣା ଘଟିଲା ବୋଲି କୁହାଯାଉଛି । ଅଭିନେତ୍ରୀ ଜଣଙ୍କ ଆହତ ହୋଇଥିବା ବେଳେ ଗାଈ ସୁରକ୍ଷିତ ଅଛନ୍ତି । ଦୃଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୂର୍ବରୁ ମଧ୍ୟ ରାସ୍ତାରେ ବୁଲା ଗାଈ ଗୋରୁ ବୁଲବା ନେଇ  ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାକୁ ରୋକିବା ନେଇ ପ୍ରଶାସନ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।  ବୁଲା ଗାଈ ଗୋରୁଙ୍କୁ ରାସ୍ତାରୁ  ଉଠାଇ କାଞ୍ଜିଆ ହୁଦାରେ ରଖିବାର ବ୍ୟବସ୍ଥା କରିଛି ବିଏମସି । ହେଲେ ଏବେ ରାସ୍ତାରେ ଗାଈ ଗୋରୁ ବୁଲୁଛନ୍ତି ।

ଗମ୍ଭୀରଙ୍କ ବିଳାସପୂର୍ଣ୍ଣ ଘରେ ପାର୍ଟି କରିବ ଟିମ ଇଣ୍ଡିଆ, ଘରର ଦାମ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟ । ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଦମଦାର ବିଜୟ ହାସଲ କରିଛି । ତେବେ ଦ୍ବିତୀୟ ଟେଷ୍ଟ ମ୍ୟାଚଟି ଦିଲ୍ଲୀରେ ଖେଳାଯିବାକୁ ଯାଉଛି । ଦିଲ୍ଲୀରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଘର ରହିଛି । ତେବେ ମ୍ୟାଚ ପୂର୍ବରୁ ଖେଳାଳିମାନେ ଗମ୍ଭୀରଙ୍କ ଘରେ ପାର୍ଟି କରିବେ ବୋଲି କୁହାଯାଉଛି । ଏଠାରେ ଦଳର ସମସ୍ତଙ୍କ ଖେଳାଳିଙ୍କ ଲାଗି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି ।

ତେବେ ଦିଲ୍ଲୀର ରାଜେନ୍ଦ୍ର ନଗରରେ ରହିଛି ଗମ୍ଭୀରଙ୍କ ଏହି ବିଳାସପୂର୍ଣ୍ଣ ବଙ୍ଗଳା । ଯାହାର ମୂଲ୍ୟ ୨୦ରୁ ୩୦ କୋଟି ଟଙ୍କା ହେବ । ତାଙ୍କ ଘରଟି ବେଶ ବିଶାଳପୂର୍ଣ୍ଣ ହୋଇଥିବାବେଳେ ଏହାକୁ ଦେଖିଲେ ଆଖି ଲାଖିଯିବ । ଅନେକ ଗୁଡ଼ିଏ ସ୍ବତନ୍ତ୍ର ରୁମ ରହିଥିବାବେଳେ ଜିମ୍ ଏବଂ ଯୋଗ କରିବା ପାଇଁ ମଧ୍ୟ କୋଠରୀ ରହିଛି । ସେପଟେ ଆଇପିଏଲଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ଟ୍ରଫି ଏବଂ ବିଭିନ୍ନ ପୁରସ୍କାର ପାଇଥିବା ସମ୍ମାନ ଏବଂ ଫଟୋ ପାଇଁ କେବଳ ଗୋଟିଏ ରୁମ ରହିଛି । ଗମ୍ଭୀରଙ୍କ ଦୁଇ ଝିଅଙ୍କ ଲାଗି ଦୁଇଟି ରୁମ ମଧ୍ୟ ରହିଛି ।

ପଦାର୍ଥ ବିଜ୍ଞାନରେ ନୋବେଲ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ପଦାର୍ଥ ବିଜ୍ଞାନ ପାଇଁ ଏ ବର୍ଷ ନୋବେଲ ପାଇବେ ଜନ କ୍ଲାର୍କ, ମିଶେଲ ଦେଭୋରେଟ୍ ଓ ଜନ ମାର୍ଟିନେସ୍। ମାକ୍ରୋସ୍କୋପିକ୍ କ୍ଵାଣ୍ଟମ୍ ମେକାନିକାଲ ଟନେଲିଂ ଓ ଇଲେକଟ୍ରିକ୍ ସର୍କିଟରେ ଏନର୍ଜି କ୍ଵାଣ୍ଟିଜେସନ କ୍ଷେତ୍ରରେ ଗବେଷଣା ପାଇଁ ସେମାନଙ୍କୁ ଏହି ପୁରସ୍କାର ମିଳିବ। ରୟାଲ ସ୍ଵେଡିସ୍ ଏକାଡେମି ଅଫ୍ ସାଇନ୍ସ  ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଏ। ପୁରସ୍କାର ବିଜେତାଙ୍କୁ ୧.୨ ମିଲିଅନ୍ ଡଲାର ପୁରସ୍କାର ରାଶି ମିଳିବ।

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ତିନି ଟପ୍ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ ଗରିଆବନ୍ଦ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ତିନି ଟପ୍ ମାଓବାଦୀ ।  ଗରିଆବନ୍ଦ,ଧମତାରି ଓ ନୂଆପଡା ଡିଭିଜନର ସକ୍ରିୟ ତିନି ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ରାଜ୍ୟର  ନକ୍ସଲ ନିପାତ ଅଭିଯାନ ଯୋଗୁ ଏବେ ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ନକ୍ସଲଙ୍କ ସଂଖ୍ୟା କମି କମି ପ୍ରାୟ ୩୦ରେ ପହଞ୍ଚିଛି। ବର୍ତ୍ତମାନ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ନାଗେଶ ଏକ ଦେଶୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହିତ ଦୁଇ ମହିଳା ନକ୍ସଲ ଜୈନି ଏବଂ ମାନିଲା ମଧ୍ୟ ଆତ୍ମ ସମର୍ପଣ କରିଥିବା ଗାରିଆବନ୍ଦ ଏସପି ନିଖିଲ ରାଖେଚା ସୂଚନା ଦେଇଛନ୍ତି । ଆତ୍ମ ସମର୍ପଣ କରିଥିବା ପ୍ରତ୍ୟେକ ନକ୍ସଲଙ୍କ ପାଇଁ  ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା । ଏହି ତିନି ନକ୍ସଲ ଗତ ୫ ରୁ ୮ ବର୍ଷ ଧରି ଛତିଶଗଡ଼  ଅଞ୍ଚଳରେ ସକ୍ରିୟ ଥିଲେ । ଅନେକ ବଡ଼ ବଡ଼ ମାଓ ଘଟଣାରେ ଜଡିତ ଥିବା ସହିତ ସେମାନେ ବରିଷ୍ଠ ନକ୍ସଲ ନେତାଙ୍କ ନିକଟତର ସହଯୋଗୀ ଭାବରେ କାର୍ଯ୍ୟ କରିଆସୁଥିଲେ। ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁଯାଇ ତିନି ନକ୍ସଲ ଆତ୍ମସମର୍ପଣ କରିବା ଘଟଣାକୁ ନକ୍ସଲ ନିପାତ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ପ୍ରଶାସନ ବର୍ଣ୍ଣନା କରିଛି।

ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ସଖୀ ୪,୬୦୦ରୁ ଅଧିକ ମହିଳାଙ୍କ ଜୀବନକୁ କରୁଛି ପରିବର୍ତ୍ତନ

ଭୁବନେଶ୍ବର: ମହିଳାଙ୍କୁ ସଶକ୍ତ କରିବା କେବଳ ବ୍ୟକ୍ତିତ୍ଵର ବିକାଶ ନୁହେଁ, ବରଂ ସମଗ୍ର ସମାଜକୁ ପରିବର୍ତ୍ତନ କରିବାକୁ ବୁଝାଏ। ଭାରତରେ, ଯେଉଁଠାରେ ଅର୍ଥନୀତିରେ ମହିଳାଙ୍କ ଅଂଶଗ୍ରହଣ, ଅଭିବୃଦ୍ଧିର ସବୁଠାରୁ ଶକ୍ତିଶାଳୀ ଲିଭର ମଧ୍ୟରୁ ଗୋଟିଏ,  ସେଠାରେ ସାମାଜିକ-ଅର୍ଥନୈତିକ ପରମ୍ପରା ପ୍ରତିବନ୍ଧକ ସାଜି ଠିଆ ହୁଏ। ଓଡ଼ିଶାର କଳାହାଣ୍ଡିର ଦୁର୍ଗମ ଜିଲ୍ଲାରେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ପ୍ରମୁଖ ମହିଳା ସଶକ୍ତିକରଣ ପଦକ୍ଷେପ, ପ୍ରୋଜେକ୍ଟ ସଖୀ ମାଧ୍ୟମରେ ଏହି ପ୍ରତିବନ୍ଧକଗୁଡ଼ିକୁ ଦୂର କରୁଛି। ୨୦୧୫ରେ ଏହାର ପ୍ରତିଷ୍ଠା ହେବା ପରଠାରୁ, ପ୍ରୋଜେକ୍ଟ ସଖୀ ଏକ ନୀରବ ବିପ୍ଳବ ସୃଷ୍ଟି କରିଛି। ୪୪୪ଟି ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ୪,୬୦୦ରୁ ଅଧିକ ମହିଳା ୫ କୋଟିରୁ ଅଧିକ ଆର୍ଥିକ ସହାୟତା ସଂଗ୍ରହ କରିଛନ୍ତି, ଯାହା ସେମାନଙ୍କୁ ତୃଣମୂଳ ସ୍ତରର ଉଦ୍ୟୋଗ ଆରମ୍ଭ ଏବଂ ବୃଦ୍ଧି କରିବାରେ ସକ୍ଷମ କରିଛି। ଯେଉଁ ମହିଳାମାନେ ଥରେ ଦାରିଦ୍ର୍ୟ ସହିତ ସଂଘର୍ଷ କରୁଥିଲେ – ଆର୍ଥିକ ବ୍ୟବସ୍ଥା ସହିତ କୌଣସି ସମ୍ପର୍କ ରଖିବା ତ ଦୂରର କଥା – ସେମାନେ ଏବେ ଜଣେ ଜଣେ ଉଦ୍ୟୋଗୀ, ନିଷ୍ପତ୍ତି ଗ୍ରହଣକାରୀ ଏବଂ ସମ୍ପ୍ରଦାୟର ନେତା। ପ୍ରୋଜେକ୍ଟ ସଖୀ ଏକ ଆନ୍ଦୋଳନ ପାଲଟିଛି ଯାହା ମହିଳାମାନଙ୍କୁ ସେମାନଙ୍କର ଭୂମିକା ପୁନଃକଳ୍ପନା କରିବାରେ ସାହାଯ୍ୟ କରେ, କେବଳ ପରିବାରର ଆୟରେ ଯୋଗଦାନକାରୀ ଭାବରେ ନୁହେଁ, ବରଂ ସେମାନଙ୍କ ନିଜ ଜୀବନର ସିଇଓ ଭାବରେ!

ଜୀବିକାଠାରୁ ନେତୃତ୍ୱ ପର୍ଯ୍ୟନ୍ତ ପ୍ରୋଜେକ୍ଟର ମୂଳରେ ଏକ ମୌଳିକ ଧାରଣା ରହିଛି: ସ୍ୱାଧୀନ ଭାବରେ ରୋଜଗାର କରିବା ପାଇଁ ମହିଳାମାନଙ୍କର କ୍ଷମତା ବିକାଶ କରନ୍ତୁ ଏବଂ ସେମାନଙ୍କୁ ଉଦ୍ୟୋଗୀତାକୁ ଉନ୍ମୁକ୍ତ କରିପାରୁଥିବା ସମ୍ବଳଗୁଡ଼ିକର ଚାବି ଦିଅନ୍ତୁ। ପ୍ରୋଜେକ୍ଟ ସଖୀ ଆର୍ଥିକ ସାକ୍ଷରତା, ଋଣର ସୁବିଧା, ବୃତ୍ତିଗତ ତାଲିମ ଏବଂ ସାମୂହିକ ନେତୃତ୍ୱକୁ ଏକତ୍ରିତ କରେ। ମହିଳାମାନଙ୍କୁ କୃଷି-ଭିତ୍ତିକ ଏବଂ ଅଣ-କୃଷି-ଭିତ୍ତିକ ଆୟ ସୁଯୋଗ ଅନୁସନ୍ଧାନ କରିବାକୁ ଉତ୍ସାହିତ କରାଯାଏ, ଛତୁ ଚାଷ ଏବଂ ଛେଳି ପାଳନଠାରୁ ଆରମ୍ଭ କରି କିରାଣା ଦୋକାନ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଏବଂ ପ୍ରିଣ୍ଟିଂଗ ଦୋକାନ ଭଳି ଛୋଟ ଉଦ୍ୟୋଗ ପର୍ଯ୍ୟନ୍ତ। ଆର୍ଥିକ ସହାୟତା ସହିତ ଦକ୍ଷତା ବିକାଶକୁ ଯୋଡ଼ି, ଏହି ପ୍ରକଳ୍ପ ନିଶ୍ଚିତ କରେ ଯେ ମହିଳାମାନେ କେବଳ ବ୍ୟବସାୟ ଆରମ୍ଭ କରିବେ ନାହିଁ ବରଂ ସେମାନଙ୍କୁ ବଜାୟ ରଖିବେ।

ଏହି ପ୍ରୟାସର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ ହୋଇଛି। କେବଳ ଗତ ବର୍ଷ, ଏହି ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରୁ ପ୍ରାୟ ୩.୮୪ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା, ଯାହା ହଜାରରୁ ଅଧିକ ମହିଳାଙ୍କୁ ଲାଭ ଦେଇଥିଲା। ଏହି କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ସ୍ଥିର ଆୟ ପ୍ରଦାନ କରୁଛନ୍ତି ଏବଂ ସ୍ଥାନୀୟ ଅର୍ଥନୀତିରେ ଏକ ବିଶାଳ ପ୍ରଭାବ ସୃଷ୍ଟି କରୁଛନ୍ତି, ସେମାନଙ୍କ ଚାରିପାଖରେ ନୂତନ ନିଯୁକ୍ତି, ବଜାର ଏବଂ ସୁଯୋଗ ସୃଷ୍ଟି ହେଉଛି। ସମୟ ସହିତ, ପ୍ରୋଜେକ୍ଟ ସଖୀ ୧୮୮୦ରୁ ଅଧିକ ମହିଳାଙ୍କୁ ୧୩୦୦ରୁ ଅଧିକ ଛୋଟ ଉଦ୍ୟୋଗ ଆରମ୍ଭ କରିବାକୁ ସକ୍ଷମ କରିଛି, ଏକ ଦଶନ୍ଧି ପୂର୍ବରୁ ଅକଳ୍ପନୀୟ ଉପାୟରେ ଜୀବିକାକୁ ପୁନଃଆକୃତି ଦେଇଛି।

ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ, ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ଏହି ପ୍ରୋଜେକ୍ଟର ସଫଳତା କେବଳ ସଂଖ୍ୟାରେ ନାହିଁ; ଏହା ଏକ କେନ୍ଦ୍ରିତ, ତୃଣମୂଳ ସ୍ତରରେ ଦୃଷ୍ଟିକୋଣର ପରିବର୍ତ୍ତନଶୀଳ ଶକ୍ତିର ପ୍ରମାଣ। ଆମେ ଆତ୍ମନିର୍ଭରଶୀଳତାର ଏକ ନୂତନ ଯୁଗର ଆରମ୍ଭ ଦେଖୁଛୁ, ଯେଉଁଠାରେ ମହିଳାମାନେ ସେମାନଙ୍କ ଜୀବନର ପ୍ରାଥମିକ ସ୍ଥପତି।”

ଏକ ଉଲ୍ଲେଖନୀୟ ଉଦାହରଣ ବଳଭଦ୍ରପୁର ଗ୍ରାମରୁ ଆସିଛି, ଯେଉଁଠାରେ ମା’ ଶିବାନୀ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟରେ ପ୍ରକଳ୍ପର ଆତ୍ମାକୁ ଦର୍ଶାଏ। କୁକୁଡ଼ା ପାଳନରେ ତାଲିମ ଗ୍ରହଣ କରିବା ପରେ, ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକ କୁକୁଡ଼ା ୟୁନିଟ୍ ସ୍ଥାପନ କରିଛନ୍ତି ଯାହା ୧.୨୭ ଲକ୍ଷରୁ ଅଧିକ ରାଜସ୍ୱ ସୃଷ୍ଟି କରିଛି। ଏହି ପଦକ୍ଷେପ କେବଳ ସେମାନଙ୍କର ପରିବାରର ଆୟ ବୃଦ୍ଧି କରିନାହିଁ ବରଂ ସମ୍ପ୍ରଦାୟରେ ସେମାନଙ୍କର ପ୍ରତିଷ୍ଠାକୁ ମଧ୍ୟ ଉଚ୍ଚ କରିଛି। ପରିବାର କିମ୍ବା ସମ୍ପ୍ରଦାୟ ନିଷ୍ପତ୍ତିରେ ସୀମିତ ପ୍ରଭାବ ଥିବା ମହିଳାମାନଙ୍କୁ ଏବେ ରୋଜଗାରକ୍ଷମ ଏବଂ ଆଦର୍ଶ ଭାବରେ ଦେଖାଯାଉଛି, ଯେଉଁମାନେ ଅନ୍ୟମାନଙ୍କୁ ସେମାନଙ୍କ ପଥ ଅନୁସରଣ କରିବାକୁ ପ୍ରେରଣା ଦେଉଛନ୍ତି।

ସାମାଜିକ ସୁରକ୍ଷା ଏହି କାର୍ଯ୍ୟକ୍ରମର ଆଉ ଏକ ସ୍ତମ୍ଭ ହୋଇଛି। ଜୀବନ ଏବଂ ଦୁର୍ଘଟଣା ବୀମା, ଶିଶୁ ସଞ୍ଚୟ କାର୍ଯ୍ୟକ୍ରମ ଏବଂ ଶ୍ରମ କଲ୍ୟାଣ ପଞ୍ଜିକରଣ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ସହିତ ୩,୦୦୦ରୁ ଅଧିକ ମହିଳାଙ୍କୁ ସଂଯୋଗ କରି, ପ୍ରୋଜେକ୍ଟ ସଖୀ ସୁରକ୍ଷା ଜାଲ ସୃଷ୍ଟି କରିଛି ଯାହା ପରିବାରକୁ ଅନିଶ୍ଚିତତା ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ। ସାମାଜିକ ସୁରକ୍ଷା ସହିତ ଆର୍ଥିକ ସ୍ୱାଧୀନତାର ଏହି ସମନ୍ୱୟ ନିଶ୍ଚିତ କରେ ଯେ ପ୍ରଗତି ସ୍ଥାୟୀ। ଏହି ଉତ୍ସବ ଋତୁରେ, ଯେତେବେଳେ ଦେଶ ଖରାପ ଉପରେ ଭଲର ବିଜୟ ପାଳନ କରୁଛି, ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ସଖୀ ଚୁପଚାପ ଏକ ଶକ୍ତିଶାଳୀ ବିଜୟ ଉତ୍ସବ ପାଳନ କରୁଛି, ପ୍ରତିବନ୍ଧକ ଉପରେ ସୁଯୋଗର ବିଜୟ, ନିର୍ଭରଶୀଳତା ଉପରେ ସ୍ୱାଧୀନତାର ବିଜୟ। କଳାହାଣ୍ଡିର ମହିଳାମାନେ, ଯେଉଁମାନେ ପୂର୍ବରୁ ମୁଖ୍ୟତଃ ସେମାନଙ୍କ ସଂଘର୍ଷ ଦ୍ୱାରା ପରିଭାଷିତ ହୋଇଥିଲେ, ଏବେ ସ୍ଥିରତା, ସଫଳତା ଏବଂ ନେତୃତ୍ୱର ନୂତନ କାହାଣୀ ଲେଖୁଛନ୍ତି ।

ସରିଲାଣି ଆସନ ଭାଗବଣ୍ଟା!, ଆଜି ସଂନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ

ନନ୍ଦିଘୋଷ ବ୍ୟୁରୋ: ବିହାର ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗମର ହେବାରେ ଲାଗିଛି ରାଜନୈତିକ ମାହୋଲ । ଏନଡିଏ ଏବଂ ମହାଗଠବନ୍ଧନ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । ତେବେ ଏଥର ମହାଗଠବନ୍ଧନ ବେଶ ଦମରେ ରହିଥିବାବେଳେ ବିହାରରେ କିଏ ସରକାର ଗଠନ କରିବ ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ମହାଗଠବନ୍ଧନର ଆସନ ଭାଗବଣ୍ଟା ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସଂନ୍ଧ୍ୟାରେ ଏକ ବଡ଼ ବୈଠକ ହେବ ବୋଲି କୁହାଯାଉଛି ।

ତେବେ ମିଳିଥିବା ତଥ୍ୟକୁ ଯଦି ବିଶ୍ବାସ କରିବା ତାହେଲେ ଆରଜେଡି ୧୩୦ରୁ ୧୩୫ ଆସନରେ ଲଢ଼ିବ । ସେହିପରି କଂଗ୍ରେସ ୫୫ରୁ ୫୮, ଭିଆଇପି- ୧୪ରୁ ୧୪ ଏବଂ ବାମଦଳ ଗୁଡ଼ିକ ୩୦ରୁ ୩୫ ଆସନରେ ଲଢ଼ିବେ । ତେବେ ଏହି ଗଣିତକୁ ନେଇ କିଛି ଅସୁବିଧା ରହିଥିବାବେଳେ ଆଜି ସଂନ୍ଧ୍ୟାରେ ତେଜସ୍ବୀ ଯାଦବଙ୍କ ବାସଭବନରେ ବୈଠକ ହେବାକୁ ଯାଉଛି । ସେପଟେ ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରାଯାଇପାରେ ।

ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ, ଗିରଫ ହେଲା ଅଭିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ: ବନ୍ଧାହେଲା ଗୁଜବକାରୀ । ସୋସିଆଲ ମିଡିଆରେ ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ । କଟକ ସହରରେ ହିଂସାକୁ ଉସୁକାଉଥିବା ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ପ୍ରଦୀପ ଚନ୍ଦ୍ର ସାହୁ । ଅଭିଯୁକ୍ତକୁ ଗିରଫ କରିଛି ଭରତପୁର ଥାନା ପୋଲିସ। ଅଭିଯୁକ୍ତର ଘର ବଡଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ବର ପାଟଣା । ଅଭିଯୁକ୍ତ ଜଣଙ୍କ ବାରମ୍ବାର ସୋସିଆଲ ମିଡ଼ିଆରେ ଜାତିଆଣ ଆକ୍ଷେପ ସହ କଟାକ୍ଷ କରୁଥିଲା । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲା । କମିଶନରେଟ ପୋଲିସ ପକ୍ଷରୁ ସୋସିଆଲ ମିଡ଼ିଆ ମନିଟରିଂ ବେଳେ ଧରାପଡିଥିଲା ଏହି ଅଭିଯୁକ୍ତ ପ୍ରଦୀପ ଚନ୍ଦ୍ର ସାହୁ ।