spot_img
Home Blog Page 1594

ଯୁବରାଜଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହେବ ଫିଲ୍ମ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହେବ ଫିଲ୍ମ । ପରଦାରେ ଦେଖିବାକୁ ମିଳିବ ୬ ଛକା ମାରିଥିବା ଭେଟେରାନ କ୍ରିକେଟରଙ୍କ କାହାଣୀ । ଭୂଷଣ କୁମାର ଏବଂ ରବି ଭାଗଚନ୍ଦ୍ରଙ୍କ ଦ୍ବାରା ଏହି ଫିଲ୍ମ ନିର୍ମାଣ ହେବ ବୋଲି କୁହାଯାଉଛି । ଟ୍ବିଟରରେ ଏଭଳି ଏକ ଫଟୋ ସହ କ୍ୟାପସନ ପୋଷ୍ଟ ହୋଇଥିବାବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଫିଲ୍ମରେ କେଉଁ ଅଭିନେତା ଅଭିନୟ କରିବେ ତାହା ସ୍ପଷ୍ଠ ହୋଇନାହିଁ । କିନ୍ତୁ ସିଦ୍ଧାର୍ଥ ଚତୁର୍ବେଦୀ ୟୁଭିଙ୍କ ଭୂମିକା ନିଭାଇବାକୁ ମନ ବଳାଇଥିବା କୁହାଯାଉଛି । ସେପଟେ ଆଉ କେହିତ କେହି ରଣବୀରଙ୍କ ନାମକୁ ମଧ୍ୟ କହୁଛନ୍ତି । ପୂର୍ବରୁ ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ଫିଲ୍ମରେ ନିଜର ଜଲଓ୍ବା ଦେଖାଇଛନ୍ତି ରଣବୀର । କିନ୍ତୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏଯାବତ କିଛି ସ୍ପଷ୍ଠ ହୋଇନାହିଁ ।

କହି ରଖୁଛୁ କି, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡ ଯୁବରାଜ ସିଂ ୨୦୦୭ ଟି-୨୦ ବିଶ୍ବକପ ଏବଂ ୨୦୧୧ ଦିନିକିଆ ବିଶ୍ବକପ ବିଜୟୀ ଦଳର ସଦସ୍ୟ ରହିଥିଲେ । ଦଳର ବିଜୟରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୨୦୦୭ ବିଶ୍ବକପରେ ୬ ବଲରେ ୬ ଛକା ମାରିବାର ରେକର୍ଡ ତାଙ୍କ ନାମ ନାମରେ ରହିଛି । ଯୁବରାଜ ବ୍ୟାଟିଂ, ବୋଲିଂ ସାଙ୍ଗକୁ ଫିଲ୍ଡିଂରେ ଦମଦାର ପ୍ରଦର୍ଶନ କରିଥାନ୍ତି । ଆଜି ମଧ୍ୟ ତାଙ୍କ ଷ୍ଟାଇଲକୁ ଯୁବ ଖେଳାଳିମାନେ ଅନୁସରଣ କରିଥାନ୍ତି । ସେପଟେ ପୂର୍ବରୁ ଧୋନୀଙ୍କ ବାୟୋପିକ ନିର୍ମାଣ ହୋଇ ବେଶ ପ୍ରଠଶସା ସାଉଁଟିଛି । ସୁଶାନ୍ତ ସିଂ ରାଜପୁତଙ୍କ ଜ୍ବଳନ୍ତ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଏହାସହ କ୍ରିକେଟରଙ୍କ ଫଲୋର୍ସ ଅଧିକ ରହିଥିବାବେଳେ ପୂର୍ବରୁ ଯେଉଁସବୁ ଚଳଚ୍ଚିତ୍ର ନିର୍ମାଣ ହୋଇ ଭଲ ସଫଳତା ପାଇଛି । ଏଣୁ ଯୁବରାଜଙ୍କ କାହାଣୀ ଯଦି ପରଦାରେ ପ୍ରଦର୍ଶନ ହୁଏ ତାହେଲେ ଏହା ମଧ୍ୟ ସଫଳତା ହାସଲ କରିବ ବୋଲି ଆଶା ରଖାଯାଇଛି ।

ଛାତ୍ରଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ: ଆଶ୍ରମ ବିଦ୍ୟାଳୟର ଜଣେ ଛାତ୍ର ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା। ଏହାକୁ ନେଇ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ଧରମପାଲ୍ଲି ଆଶ୍ରମ ବିଦ୍ୟାଳୟରେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ପୋଇବା ଓ ଗ୍ରାମବାସୀ ମଧ୍ୟରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଛି। ମୃତଛାତ୍ର ହେଉଛନ୍ତି ନିନ୍ଦିୱାଦା ଗ୍ରାମର ସୁକାନ୍ତ ମାଢ଼ୀ । ସୁକାନ୍ତ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ କିଛି ଦିନ ଧରି ରୋଗରେ ପୀଡିତ ଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଗତ ୮ ତାରିଖ ଦିନ ସ୍ଥାନୀୟ ମେଡିକାଲରେ ତାଙ୍କର ଚିକିତ୍ସା କରିଥିଲେ । ସୁକାନ୍ତଙ୍କ ଦେହ ଅଧିକ ଖରାପ ହେବା ପରେ ପରିବାର ଲୋକଙ୍କୁ ନଜଣାଇ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଟିକୁ ଘରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି I ଚାଲି ଚାଲି ଗାଁକୁ ଯାଇଥିବା ବେଳେ ଗତକାଲି ସୁକାନ୍ତଙ୍କ ମୃତ୍ୟୁ ହୋଇଛି । ପରିବାର ଓ ଗାଁ ଲୋକେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।ଘଟଣାସ୍ଥଳରେ ପଡିଆ ବିଡ଼ିଓ, ଥାନା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରିବା ସହ  ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

ରାଜ୍ୟରେ ପୁଣି ଦେଖାଦେବ ଆଳୁ ସଙ୍କଟ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପୁଣି ଦେଖାଦେବ ଆଳୁ ସଙ୍କଟ। ପଶ୍ଚିମ ବଙ୍ଗ ବେପାରୀ ଓଡ଼ିଶାକୁ ଆଳୁ ଦେବେ ନାହିଁ ବୋଲି ମନା କରିବା ପରେ ଆଜି ଓଡ଼ିଶା ମାର୍କେଟ ରେ ଆଳୁ ସଙ୍କଟ ପରିଲକ୍ଷିତ ହୋଇଛି। ଭୁବନେଶ୍ୱର ଏକ ନମ୍ବର ପରିବା ହାଟରେ ମହଜୁଦ ନାହିଁ ଆଳୁ ବୋଲି ବେପାରୀ କହୁଛନ୍ତି। ଆଳୁ ଦର ପୁଣି ବଢ଼ି ପାରେ ବୋଲି କହିଛନ୍ତି ବେପାରୀ। ଏବେ ଆଳୁ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ପଶ୍ଚିମବଂଗରୁ ଆଳୁ ଆସୁନଥିବାବେଳେ ଉତ୍ତରପ୍ରଦେଶରୁ ଆସୁଛି ଆଳୁ। ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ପଚି ଯାଉଥିବାରୁ ଖାଉଟି ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ହଟ୍ଟଗୋଳ କାରଣରୁ ୧୧.୪୧ ଯାଏଁ ଗୃହ ମୁଲତବୀ

ନନ୍ଦିଘୋଷ ବ୍ୟୁରୋ: ଗୃହ ଆରମ୍ଭରୁ ହଟ୍ଟଗୋଳ । ୧୧ଟା ୪୧ ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା ଉଠାଇଲା ବିଜେଡି । ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ । ତେବେ ଗୃହରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଯଶିପୁରର ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତାଙ୍କ ପକ୍ଷରୁ ସମର୍ଥନ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବାଚସ୍ପତି ଶୋକ ପ୍ରସ୍ତାବ ପାରିତ କରିଥିବାବେଳେ ୧ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା ।

ରାସ୍ତାରେ ଧାନ ରୋଇଲେ ଲୋକେ

ନନ୍ଦିଘୋଷ ବ୍ୟୁରୋ: ରାସ୍ତାର ଅବସ୍ଥା ଶୋଚନୀୟ। ମାଟି କାଦୁଅରେ ହାଲ୍ ବେହାଲ୍।  ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ | ଯାହାକୁ ପ୍ରତିବାଦ କରି ରାସ୍ତା ଉପରେ ଧାନ ରୋଇଛନ୍ତି ଗ୍ରାମବାସୀ | ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଉତ୍ତଙ୍ଗରା ପଞ୍ଚାୟତ  ରଘୁନାଥପୁର ଗାଁରେ ଦେଖୁବାକୁ ମିଳିଛି ଏଭଳି ଘଟଣା।  ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ଧରି ଏଠାରେ ଏପରି ମାଟି ରାସ୍ତା ରହିଥିବାରୁ ଯାତାୟାତ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। କେହି କେହି ପଡି ଆହତ ମଧ୍ୟ୍ୟ ହୋଇସାରିଲେଣି । ତେଣୁ ପ୍ରତିବାଦରେ ରାସ୍ତାରେ ଧାନ ରୋଇଛନ୍ତି ଗ୍ରାମବାସୀ । ଏହାସହ ଯଥାଶୀଘ୍ର ମରାମତି କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ହରିୟାଣା ଏବଂ ଜମ୍ମୁ-କାଶ୍ମୀର ନିର୍ବାଚନ ପୂର୍ବରୁ ରାହୁଲଙ୍କ ପ୍ଲାନ, କହିଲେ ଏହି ସର୍ତ୍ତରେ ମିଳିବ ଟିକେଟ

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ଏବଂ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ରଣକୌଶଳ ପ୍ରସ୍ତୁତ କରିଛି କଂଗ୍ରେସ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି, ବଡ଼ ବଡ଼ ନେତାଙ୍କୁ ମଧ୍ୟ ଟିକେକ ମିଳିବନି । କେବଳ ବଡ଼ ନେତା ହେଲେ ଟିକେଟ ମିଳିବ ଏହାର କୌଣସି ଯଥାର୍ଥ ନାହିଁ । ଯେଉଁ ନେତାଙ୍କୁ ଲୋକେ ପସନ୍ଦ କରୁଥିବେ ଏବଂ ବାହାରୁ ତାଙ୍କ ନାମ ଶୁଣିବାକୁ ମିଳୁଥିବା ତାଙ୍କ ଟିକେଟ ମିଳିବ । ମାତ୍ର ଯେଉଁ ନେତାଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ଥିବ ସେମାନଙ୍କୁ ଟିକେଟ ଦିଆଯିବ ନାହିଁ । ଏକ ସର୍ଭେ କରାଯାଉଥିବାବେଳେ ଏହି ଆଧାରରରେ ଟିକେଟ ବଣ୍ଟାଯିବ । ସୋମବାର କଂଗ୍ରେସର ସ୍ମ୍ରିନିଂ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଭଳି କହିଛନ୍ତି ରାହୁଲ ଗାନ୍ଧୀ ।

କହି ରଖୁଛୁ କି, ବିଧାନସଭା ନିର୍ବାଚନରେ ଟିକେଟ ପାଇବା ପାଇଁ ବହୁ ବଡ଼ ନେତା ରେସରେ ରହିଛନ୍ତି । ମାତ୍ର ନୂଆ ନେତାଙ୍କ ଲୋକପ୍ରିୟତା ରହିଥିବାବେଳେ ସେମାନେ ମଧ୍ୟ ଟିକେଟ ପାଇବା ରେସରେ ରହିଛନ୍ତି । ଲୋକସଭା ନିର୍ବାଚନରେ ଯେଭଳି କଂଗ୍ରେସର ଭଲ ପ୍ରଦର୍ଶନ ରହିଥିଲା ସେଭଳି ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ନିଜର ଦବଦବା ହାଜିର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ସରକାରକୁ ଆସିବା ପାଇଁ ଦଳ ପକ୍ଷରୁ ପ୍ଲାନମାନ କରାଯାଉଛି ।

ଦିଲ୍ଲୀ ଏନସିଆରରେ ବର୍ଷା ବିତ୍ପାତ

ନନ୍ଦିଘୋଷ ବ୍ୟୁରୋ: ୩ ଦିନର ଅଫିସ ଛୁଟି ପରେ ମଙ୍ଗଳବାର ଡ୍ୟୁଟି ବାହାରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମଙ୍ଗଳବାର ସକାଳୁ ଦିଲ୍ଲୀ ଏନସିଆରରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ମାତ୍ର ୧୫ ମିନିଟର ବର୍ଷାରେ ବେହାଲ ହୋଇ ପଡ଼ିଛି ସ୍ଥିତି । ରାସ୍ତାରେ ପାଣି ଜମା ହୋଇଥିବାବେଳେ ଟ୍ରାଫିକ ଜାମ ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ସେପଟେ ପୋଲିସ ବ୍ୟାରିକେଡ ପାଣିରେ ଭାସୁଛି, ଲୋକେ ଗାଡ଼ି ଚଲେଇବାରେ ଅସୁବିଧା ଭୋଗୁଛନ୍ତି । ଏପରିକି କିଛି ସ୍ଥାନରେ ଗାଡ଼ି ଚଳାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି ।

ଭାରତୀୟ ମସଲାକୁ ନେଇ ଆନ୍ତର୍ଜାତୀୟ ବଜାରରେ ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ସାରା ବିଶ୍ବରେ ମସଲା ପ୍ରସ୍ତୁତି କ୍ଷେତ୍ରରେ ଭାରତର ସ୍ଥାନ ସ୍ବତନ୍ତ୍ର। ଭାରତରେ ବିଭିନ୍ନ କିସମର ମସଲାଜାତୀୟ ଦ୍ରବ୍ୟ ଉତ୍ପାଦନ ହେଉଥିବା ବେଳେ ଏଠାରୁ ବିଶ୍ବର ବିଭିନ୍ନ ଭାଗକୁ ସ୍ବାଦିଷ୍ଟ ମସଲା ରପ୍ତାନି ହୋଇଥାଏ। ଅନ୍ୟ ଯେକୌଣସି ରାଷ୍ଟ୍ର ତୁଳନାରେ ଭାରତ ମସଲା ରପ୍ତାନି କ୍ଷେତ୍ରରୁ ମଧ୍ୟ ସର୍ବାଧିକ ଆୟ କରିଥାଏ । କିନ୍ତୁ ବିଗତ କିଛି ମାସ ହେଲା ଭାରତୀୟ ମସଲାକୁ ନେଇ ଆନ୍ତର୍ଜାତିକ ବଜାରରେ ପ୍ରଶ୍ନ ଉଠିଛି। ବିଶେଷକରି ଖାଦ୍ୟ ସୁରକ୍ଷା ଏବଂ ମାନ ଦୃଷ୍ଟିରୁ ଭାରତର ପ୍ରମୁଖ କେତେକ ମସଲା ବ୍ରାଣ୍ଡ ନିର୍ଦ୍ଧାରିତ ମାନ ଠାରୁ ନିମ୍ନ ସ୍ତରରେ ରହୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କେତେକ ରାଷ୍ଟ୍ର ଭାରତୀୟ ମସଲା ଆମଦାନୀ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହିକ୍ରମରେ ଏବେ କେତେକ ପ୍ରମୁଖ ବ୍ରାଣ୍ଡର ମସଲା ନମୁନା ପରୀକ୍ଷଣ କରାଯାଇଥିଲା ବେଳେ ସେଥିମଧ୍ୟରୁ ୧୨ ପ୍ରତିଶତ ମସଲାର ମାନ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ନିମ୍ନ ସ୍ତରରେ ରହିଥିବା ଜଣାପଡ଼ିଛି।

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନ ନିର୍ଦ୍ଦାରଣକାରୀ ପ୍ରାଧିକରଣ ବା ଫସାଇ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା ବେଳେ ଏହାର ତଥ୍ୟ ରଖିଛି ରଏଟର। ରଏଟର ପ୍ରକାଶ କରିଥିବା ତଥ୍ୟ ଅନୁସାରେ ପରୀକ୍ଷଣ ବେଳେ ଦୁଇ ପ୍ରମୁଖ ବ୍ରାଣ୍ଡ ମସଲାକୁ ମିଶାଯାଇ ଏହି ମିଶ୍ରିତ ମସଲାର ମାନ କ’ଣ ରହିଛି ତାହା ତର୍ଜମା କରାଯାଇଥିଲା । କିନ୍ତୁ ପରୀକ୍ଷଣ ବେଳେ ଏହି ମସଲାର ମାନ ନିର୍ଦ୍ଧାରିତ ମାନ ଠାରୁ ନିମ୍ନ ସ୍ତରରେ ରହିଥିବା ଜଣାପଡ଼ିଛି। ରଏଟର ପକ୍ଷରୁ ସୂଚନା ଅଧିକାର ଆଇନ ଆଧାରରେ ଗତ ମେ ’ ମାସରୁ ଜୁଲାଇ ମଧ୍ୟରେ ପ୍ରାୟ ୪୦୫୪ଟି ମସଲାର ମାନ ପରୀକ୍ଷଣ କରାଯାଇଥିଲା। କିନ୍ତୁ ଏଥିମଧ୍ୟରୁ ୪୭୪ଟି ମସଲା ଦ୍ରବ୍ୟର ମାନ ଖାଦ୍ୟ ଉପଯୋଗୀ ମାନ ଠାରୁ ନିମ୍ନ ରହିଥିଲା। ଏହି ବିଷୟ ଜଣାପଡ଼ିବା ପରେ ଫସାଇ ପକ୍ଷରୁ ସଂପୃକ୍ତ ବ୍ରାଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା ବୋଲି ରଏଟର ପକ୍ଷରୁ କୁହାଯାଇଛି।

ଗତ ଏପ୍ରିଲରେ ହଂକଂରେ ଦୁଇଟି ବ୍ରାଣ୍ଡର ମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏଥିରେ ଅଧିକ ହାରରେ କୀଟନାଶକ ଅଂଶ ରହିଥିବାରୁ ଏହା ରୋଗ ସଂକ୍ରମଣ ପାଇଁ ବିପଦ ବଢାଇବ ବୋଲି ଆଶଙ୍କା କରି ହଂକଂ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିଲେ। ହଂକଂ ପରେ ଭାରତରୁ ମସଲା ଆମଦାନୀ କରିବା କ୍ଷେତ୍ରରେ ବ୍ରିଟେନ ମଧ୍ୟ ଅଙ୍କୁଶ ଲଗାଇଥିଲା ବେଳେ ପରବର୍ତ୍ତୀ ସମୟରେ ଆମେରିକା, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏଭେରେଷ୍ଟ ଏବଂ ଏମଡିଏଚ୍ ଭଳି କେତେକ ମସଲା ବ୍ରାଣ୍ଡ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରସ୍ତୁତ ଏବଂ ବିଶେଷକରି ବିଦେଶକୁ ରପ୍ତାନି ହେଉଥିବା ମସଲାଗୁଡିକ ଉପରେ କଡ଼ା ପଦକ୍ଷେପ ନେବାକୁ ଫସାଇ ନିଷ୍ପତ୍ତି ନେଇଛି। କିନ୍ତୁ ଏହି ଘଟଣା ପରେ ଏମଡିଏଚ୍ ଏବଂ ଏଭେରେଷ୍ଟ କମ୍ପାନୀ କହିଛନ୍ତି ଯେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାନକୁ ନେଇ ପ୍ରଶ୍ନ ଉଠିବା ଉଚିତ ନୁହେଁ।

ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ସେମାନଙ୍କ ମସଲା ଉପଯୋଗୀ। ଭାରତରେ ଦୁଇଟି ବ୍ରାଣ୍ଡର ମସଲା ଗ୍ରାହକ ମହଲରେ ବେଶ ଆଦୃତ ହୋଇପାରିଥିଲା ବେଳେ ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାର ବିଭିନ୍ନ ରାଷ୍ଟ୍ରରେ ଏହି ଦୁଇଟି ବ୍ରାଣ୍ଡର ଚାହିଦା ମଧ୍ୟ ଯଥେଷ୍ଟ ଅଧିକ ରହିଛି। ତେବେ ମସଲାର ଯେଉଁ ଦିଗକୁ ନେଇ ପ୍ରଶ୍ନ ଉଠିଛି ତାହା ଉପରେ ପୁନଃ ଦୃଷ୍ଟି ଦେବାକୁ ଏବେ ଗୁରୁତ୍ବ ଦିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ବର ଅନ୍ୟ ଯେକୌଣସି ରାଷ୍ଟ୍ର ତୁଳନାରେ ଭାରତରେ ଖାଦ୍ୟପଦାର୍ଥରେ ମସଲାର ବ୍ୟବହାର ସବୁଠୁ ଅଧିକ। ସେହି ଅନୁସାରେ ଏଠାରେ ବାର୍ଷିକ ସ୍ତରରେ ମସଲା କାରବାର ପରିମାଣ ମଧ୍ୟ ଅଧିକ। ଜିଅନ ମାର୍କେଟ୍ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ୨୦୨୨ରେ ଭାରତରେ ମସଲା ବିକ୍ରି ପରିମାଣ ୧୦.୪୪ ବିଲିୟନ ଡଲାର ରହିଥିଲା। ସେହିପରି ଏହି ବର୍ଷରେ ମସଲା ରପ୍ତାନି ପରିମାଣ ମଧ୍ୟ ୪.୪୬ ବିଲିୟନ ଡଲାର ରହିଥିଲା।

ଭାରତୀୟ ଖାଦ୍ୟ ସାମଗ୍ରୀରେ ବଢୁଛି ମାଇକ୍ରୋପ୍ଲାଷ୍ଟିକ୍ ଉପାଦାନ

ଭାରତରେ ବିଭିନ୍ନ କିସମର ଖାଦ୍ୟ ସାମଗ୍ରୀରେ ମାଇକ୍ରୋପ୍ଲାଷ୍ଟିକ୍ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହା ଦୀର୍ଘସୂତ୍ରରେ ରୋଗ ସୃଷ୍ଟିର କାରଣ ହେବାର ଆଶଙ୍କା ବଢାଉଛି। ଖାଦ୍ୟ ସାମଗ୍ରୀରେ ମାଇକ୍ରୋପ୍ଲାଷ୍ଟିକ୍ର ଉପସ୍ଥିତି ଏବଂ ମିଶ୍ରଣ ଆଗକୁ ଏକ ବଡ଼ ସମସ୍ୟା ହେବାକୁ ଯାଉଥିବାରୁ ଫସାଇ ପକ୍ଷରୁ ଏହାର ନିରାକରଣ ଦିଗରେ ବିହିତ ପଦକ୍ଷେପ ନେବାକୁ ଚିନ୍ତା କରାଯାଉଛି। ଏହିକ୍ରମରେ ଫାସାଇ ପକ୍ଷରୁ ‘ ମାଇକ୍ରୋ ଆଣ୍ଡ ନାନୋ ପ୍ଲାଷ୍ଟିକ୍ ଆଜ୍ ଇମର୍ଜିଂ ଫୁଡ୍ କଣ୍ଟାମିନାଣ୍ଟସ୍’ ନାମକ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ଏହାକୁ ରୋକିବା ଦିଗରେ ପ୍ରୟାସ ଆରମ୍ଭ କରାଯାଇଥିବା କୁହାଯାଇଛି। କୋଚିସ୍ଥିତ ଆଇସିଏଆର- ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫିସରିଜ୍ ଟେକନୋଲୋଜି, ପିଲାନିସ୍ଥିତ ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି ଆଣ୍ଡ ସାଇନ୍ସ ଏବଂ ଲକ୍ଷ୍ନୌସ୍ଥିତ ସିଏସଆଇଆର୍-ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିଲୋଜି ରିସର୍ଚ୍ଚ ପକ୍ଷରୁ ଏନେଇ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରାଯାଇଛି।

ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର

ନନ୍ଦିଘୋଷ ବ୍ୟୁରୋ: ଆସୁଛି ଗଣେଶ ପୂଜା । କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଗଜାନନଙ୍କ ଭଳିକି ଭଳି ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର । କିଏ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି ତ, କିଏ ମାଟିର ପ୍ରଲେପ ଦେଉଛନ୍ତି । ତେବେ ପ୍ରମୁଖ ଆକର୍ଷଣ ସାଜିଛି ଶଗଡ ଉପରେ ବସିଥିବା ଗଣେଶ ବା ଚଷା ଗଣେଶ । ବୌଦ୍ଧ ଜିଲ୍ଲା କଣ୍ଟାମାଳର ବିଭିନ୍ନ ଅଞ୍ଚଳରେ ମଧ୍ଯ ଜୋରଦାର ଚାଲିଛି ମୂର୍ତ୍ତି ନିର୍ମାଣ ।

ଶ୍ରାବଣରେ ପାର୍ବଣ ଋତୁର ମହକ । ଆସୁଛି ଗଣେଶ ପୂଜା । ଚଳଚଞ୍ଚଳ ମୂର୍ତ୍ତି କାରିଗର । କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଗଜାନନଙ୍କ ଭଳିକି ଭଳି ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର । କିଏ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି ତ, କିଏ ମାଟିର ପ୍ରଲେପ ଦେଉଛନ୍ତି । ଗ୍ରାହକଙ୍କ ଇଚ୍ଛା ଅନୁସାରେ ଚାଲିଛି ମୂର୍ତ୍ତି ତିଆରି । ସିଂହ ଉପରେ ଗଣେଶ, ମୟୂର ଉପରେ ଗଣେଶ, ବୃକ୍ଷ ତଳେ ଗଣେଶ, ଶଙ୍ଖ ଉପରେ ଗଣେଶ ଭଳି ୫୦ରୁ ଅଧିକ ପ୍ରକାର ମୂର୍ତ୍ତି ତିଆରି କରି ଗ୍ରାହକଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି କାରିଗର । ସବୁଠାରୁ ମୁଖ୍ଯ ଆକର୍ଷଣ ସାଜିଛି ଶଗଡ ଉପରେ ବସିଥିବା ଗଣେଶ ବା ଚଷା ଗଣେଶ । ଦୁଇ ଶହ ଟଙ୍କାରୁ ଆରମ୍ଭ କରି ୨୦ ହଜାର ଟଙ୍କା ପର୍ଯ୍ଯନ୍ତ ରହିଛି ମୂର୍ତ୍ତିର ଦାମ । ତେବେ ଚଳିତ ବର୍ଷ ଭଲ ବ୍ଯବସାୟ ନେଇ ଆଶା ରଖିଛନ୍ତି କାରିଗର ।

ସେପଟେ ବୌଦ୍ଧ ଜିଲ୍ଲା କଣ୍ଟାମାଳର ବିଭିନ୍ନ ଅଞ୍ଚଳରେ ଜୋରଦାର ଚାଲିଛି ମୂର୍ତ୍ତି ନିର୍ମାଣ । ଗ୍ରାହକଙ୍କ ଚାହିଦା ଅନୁସାରେ ତିଆରି ହେଉଛି ବିଭିନ୍ନ ମୂର୍ତ୍ତି । କାରିଗର ମାନେ ଦିନରାତି ଲାଗିପଡିଛନ୍ତି ମୂର୍ତ୍ତି ତିଆରିରେ । କିଏ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି ତ, କିଏ ମୂର୍ତ୍ତିରେ ମାଟିର ପ୍ରଲେପ ଦେଉଛନ୍ତି । ଏଠାକାର କାରିଗରଙ୍କ ମୂର୍ତ୍ତିର ଚାହିଦା ଭଲ ଥିବାରୁ ପୂଜା କମିଟିର ସଦସ୍ଯ ମାନେ କାରିଗରଙ୍କୁ ମୂର୍ତ୍ତିପାଇଁ ଆଗୁଆ ବଇନା ଦେଇ ଯାଉଥିବା ନେଇ କହିଛନ୍ତି । ଶିଳ୍ପ ଓ ଶିଳ୍ପୀ ଆର୍ଥିକ ଅଭିବୃଦ୍ଧିର ମୂଳଦୁଆ ହୋଇଥିବା ବେଳେ ଆଜି ବି ଓଡ଼ିଶାର ବିଭିନ୍ନ କଳା କୃତିର ମୂର୍ତ୍ତି ଜିଲ୍ଲା ତଥା ଜିଲ୍ଲା ବାହାରେ ପଡୋଶୀ ଛତିଶଗଡ଼ରେ ସୁନାମ ଆଣିଛି l

ଜାମ୍ମୁ କାଶ୍ମୀର ବାରାମୂଲ୍ଲାରେ ୨ ଥର ଭୂମିକମ୍ପ ଝଟକା ଅନୁଭୂତ

ନନ୍ଦିଘୋଷ ବ୍ୟୁରୋ: ଥରିଲା ଜାମ୍ମୁ କାଶ୍ମୀର। ବ୍ୟାକ୍ ଟୁ ବ୍ୟାକ୍‌ ଅନୁଭୂତ ହେଲା ଭୂମିକମ୍ପ ଝଟ୍‌କା। ଆଜି ସକାଳୁ ଜମ୍ମୁ କଶ୍ମୀରର ବାରାମୁଲା ଅଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ପ୍ରଥମ ଭୂକମ୍ପ ଝଟକା ସକାଳ ୬.୪୫ମିନିଟ୍‌ରେ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ରେକର୍ଡ କରାଯାଇଛି। ପରେ ଦ୍ୱିତୀୟ ଭୂକମ୍ପ ୬.୫୨ ମିନିଟରେ ହୋଇଥିଲା। ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଦୁଇ ଦୁଇ ଥର ଭୂମିକମ୍ପ ଝଟ୍‌କା ଅନୁଭୂତ କରିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି।  ଏହି କାରଣରୁ ଅନେକ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ସୂଚନା ମୁତାବକ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।