spot_img
Home Blog Page 1593

କାଟ ଖାଇଲା ନିମାପଡ଼ା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ

ପୁରୀ: ନିମାପଡ଼ା ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ଅନାସ୍ଥା ସପକ୍ଷରେ ୮ଟି ଭୋଟ ଆବଶ୍ୟକ ଥିବା ବେଳେ ମୋଟ ୮ଟି ଭୋଟ ପଡ଼ିଥିଲା । ୭ଟି ଭୋଟ ଅନାସ୍ଥା ସପକ୍ଷରେ ଯାଇଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଯାଇଥିଲା । ଫଳରେ ଅନାସ୍ଥା ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ଭୋଟ ଅର୍ଥାତ ୮ ହୋଇ ନଥିଲା । ତେଣୁ ଅନାସ୍ଥା ପ୍ରସ୍ତାବଟି ଖାରଜ ହୋଇଯାଇଛି ।

ସୂଚନାଯୋଗ୍ୟ, ନିମାପଡ଼ା ଏନଏସିରେ ମୋଟ କାଉନସିଲରଙ୍କ ସଂଖ୍ୟା ୧୧ ହୋଇଥିବା ବେଳେ ନିୟମ ଦୃଷ୍ଟିରୁ ଅଧ୍ୟକ୍ଷାଙ୍କୁ ଗାଦିଚ୍ୟୁତ କରିବାକୁ ୮ଟି ଭୋଟର ଆବଶ୍ୟକତା ଥିଲା । ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ବିଜେଡି ଶିବିରରେ ଖୁସିର ଲହରୀ ଖେଳିଯାଇଛି । ଦଳୀୟ ପତାକା ଧରି ଏନଏସି ଅଫିସ ମଧ୍ୟରୁ ଶତାଧିକ ବିଜେଡି କର୍ମୀ ରାଲି ମାଧ୍ୟମରେ ସ୍ଲୋଗାନ ଦେଇ ଅଧ୍ୟକ୍ଷାଙ୍କୁ ପାଛୋଟି ନେଇଛନ୍ତି । ସତ୍ଯର ଜୟ ହୋଇଛି । ନିମାପଡ଼ାବାସୀଙ୍କ ଆଶୀର୍ବାଦ ରହିଛି । ଯାହା ଅଧୁରା କାମ ଅଛି ତାକୁ ପୂରଣ କରିବି ବୋଲି କହିଛନ୍ତି ଅଧ୍ଯକ୍ଷା ସସ୍ମିତା ସାହୁ ।

ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ପ୍ୟାରିସ ଅଲିମ୍ପିକ୍ସର ହକି ହିରୋଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ହକି ଖେଳାଳି ଆସନ୍ତାକାଲି ଆସୁଛନ୍ତି ଓଡ଼ିଶା । କଳିଙ୍ଗ ଷ୍ଟାଡିୟମରେ ହକି ହିରୋଙ୍କୁ ଦିଆଯିବ ସମ୍ବର୍ଦ୍ଧନା ।

ଆସନ୍ତାକାଲି ଅପରାହ୍ନ ୧୨ଟା ୩୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ପହଞ୍ଚିବେ ପ୍ୟାରିସ ଅଲିମ୍ପିକ୍ସର ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଟିମ୍ । ଏମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ କଳିଙ୍ଗ ଷ୍ଟାଡିୟମରେ କରାଯାଇଛି ଆୟୋଜନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବେ । ଏ ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ ।

ହକି ଖେଳାଳିମାନେ ଏକ ଶୋଭାଯାତ୍ରାରେ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ଯନ୍ତ ଆସିବେ । ଆଗାମୀ ଦିନରେ ହକି ଟିମରେ ଯେମିତି ଅଧିକରୁ ଅଧିକ ଓଡ଼ିଆ ଖେଳାଳି ସାମିଲ ହେବେ, ସେଥିପାଇଁ ରାଜ୍ଯ ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ । ୨୦୩୬ ଅଲମ୍ପିକ୍ସ ଆୟୋଜନ କରିବାକୁ ଭାରତ ସରକାର ବିଚାର କରୁଥିବା କହିଛନ୍ତି ସୂର୍ଯ୍ଯବଂଶୀ ସୂରଜ ।

ଭୁବନେଶ୍ବର ଓ କଟକ ପରେ ଝାଡ଼ଖଣ୍ଡରୁ ମିଳିଲା ୫ ସିମବକ୍ସ

ଭୁବନେଶ୍ବର: ଟ୍ବିନସିଟି କଟକ ଓ ଭୁବନେଶ୍ବରରୁ ସିମବକ୍ସ ମିଳିବା ସାରେ ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଝାଡ଼ଖଣ୍ଡରୁ ୫ଟି ସିମବକ୍ସ ଜବତ କରାଯାଇଛି । ରାଞ୍ଚି ବିର୍ସାମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ମିଳିଛି ଏହିସବୁ ସିମବକ୍ସ ସହ ପୁଳା ପୁଳା ପ୍ରିଆକ୍ଟିଭେଟେଡ ସିମ୍ । ଅଭିଯୁକ୍ତ ଏଜେଣ୍ଟ ରାଜୁ ମଣ୍ଡଳକୁ ଧରି ରାଞ୍ଚି ଯାଇଛି କମିଶନରେଟ ପୋଲିସ । ପୋଲିସର ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସ ଏହି ଟିମରେ ସାମିଲ ଅଛନ୍ତି । ଆତଙ୍କବାଦୀ ଲିଙ୍କ ନେଇ ଚାଲିଛି ଖୋଳତାଡ଼ । ଭଡ଼ାଘରୁ ବହୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ସହ ବୈଦ୍ୟୁତିକ ଉପକରଣ ମଧ୍ୟ ଜବତ ହୋଇଛି ।

ଅଭିଯୁକ୍ତ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି ପୋଲିସ ଟିମ । ତୃତୀୟ ଦିନ ରିମାଣ୍ଡ ବେଳେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ପହଞ୍ଚିଛି ସ୍ପେଶାଲ ସ୍କ୍ୱାଡ଼ ଓ ଲକ୍ଷ୍ମୀସାଗର ଥାନା ପୋଲିସ । ପ୍ରଥମେ ମଙ୍ଗରାଜ ପଏଣ୍ଟ ଓ ପରେ ମଧୁପାଟଣା ଏବେ ପୁଣି ସୁଦୂର ରାଞ୍ଚିରୁ ମିଳିଛି ସିମବକ୍ସ ।

ସ୍ଲିପର ସେଲ ଭାବେ କାମ କରୁଥିବା ରାଜୁରର ମାଷ୍ଟରମାଇଣ୍ଡ ଆସାଦୁର ଜମାନ କଟକ ରୋଡରେ ରହୁଥିବା ଲିଙ୍ଗରାଜ ହୋଟେଲ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ । କାରଣ ଜଣେ ବିଦେଶୀ ଭାବେ ଆସାଦୁର ସେହି ହୋଟେଲରେ ରହୁଥିଲେ ସୁଦ୍ଧା ଫର୍ମ-C ପୂରଣ କରି ନଥିଲା ହୋଟେଲ । ଫଳରେ ପୂରା ସିଣ୍ଡିକେଟ ଜାଣିବାରେ ବିଫଳ ହୋଇଥିଲା ପୋଲିସ । ଟୁଇନ ସିଟି ଓ ରାଞ୍ଜିରୁ ଏପର୍ଯ୍ୟନ୍ତ ମୋଟ ୧୭ଟି ସିମବକ୍ସ ମିଳିଛି ।

ସିମବକ୍ସ ହଇଚଇ ଭିତରେ ପୂର୍ବରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ଯକର ତଥ୍ଯ । କଟକକୁ ଆସିଥିଲା ବଂଲାଦେଶର ଅସଦୁର ଜମାନ । ଅସଦୁର ହିଁ କଟକର ଭଡ଼ାଘରେ ଖଞ୍ଜିଥିଲା ସିମବକ୍ସ । ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ କଟକ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗରରେ ଏକ ଭଡା ଘର ନେଇଥିଲା । ଲୁଗା ବ୍ୟବସାୟ କରିବାକୁ କହି ଘର ଭଡ଼ା ନେଇଥିଲା ରାଜୁ । ମାସିକ ୮ ହଜାର ଟଙ୍କା ଫୋନ୍ ପେ’ରେ ଘର ଭଡ଼ା ଦେଉଥିଲା । ଡିସେମ୍ବରରେ ବାଂଲାଦେଶର ୩୦ ବର୍ଷୀୟ ଅସଦୁର ଜମାନ କଟକ ଆସିଥିଲା । ଏହି ଭଡ଼ା ଘରେ ସେ ସିମବକ୍ସ ଖଞ୍ଜିଥିବା ବେଳେ ରାଜୁ ଏହାର ରକ୍ଷଣାବେକ୍ଷଣ କରୁଥିଲା ।

ଅସଦୁର ଭାରତକୁ ଭିସା କରି ଓଡ଼ିଶା ଆସିଥିଲା । ଏହାର ବୈଧତା ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରହିଥିଲା । ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅଗରତାଲା ଦେଇ ଭାରତ ଆସି ଡିସେମ୍ବର ୨୪ ତାରିଖରେ ପୁଣି ବଂଲାଦେଶ ଫେରିଥିଲା । ରାଜେନ୍ଦ୍ର ନଗର ଘରୁ ୫ଟି ସିମବକ୍ସ ସହ ୪୦ଟି ସିମ କ୍ଯାରିୟର, ଗୋଟିଏ ମୋଡେମ ଓ ୨୩୬ଟି ଆକ୍ଟିଭ୍ ସିମ୍ ସମେତ ମୋଟ ୫୪୬ଟି ସିମ୍ ଜବତ ହୋଇଛି । କୋଡ଼ୱାର୍ଡରେ ଚାଲିଥିଲା ସିମବକ୍ସ କାରବାର । ରାଜୁ ମଣ୍ଡଳକୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେବା ପରେ ଏଭଳି ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ । ସାଇଣ୍ଟିଫିକ ଟିମ ମେସିନଗୁଡିକୁ ସିଜ କରିବା ସହ ଆରମ୍ଭ କରିଛି ଛାନଭିନ । ରାଜୁଠାରୁ ମିଳିଥିବା ଇନପୁଟ ମୁତାବକ ବାଂଲାଦେଶ, ପାକିସ୍ତାନ ସହ ଚାଇନାକୁ ଏହି ସିମବକ୍ସ ଦ୍ୱାରା କରାଯାଉଥିଲା କଲ । ଲିକ୍ କରାଯାଉଥିଲା ଗୁରୁତ୍ୱପୂର୍ଣ୍ଣ ଡାଟା ।

ବିଜ୍ଞାପନ ବାତିଲ ଲାଗି ୟୁପିଏସସିକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଚିଠି

ନନ୍ଦିଘୋଷ ବ୍ୟୁରୋ: ବ୍ଯୁରୋକ୍ରାସିରେ ଲାଟେରାଲ ଏଣ୍ଟ୍ରି ନେଇ ୟୁପିଏସସିର ବିଜ୍ଞାପନ ପ୍ରସଙ୍ଗ। ଏସଂକ୍ରାନ୍ତ ବିଜ୍ଞାପନ ବାତିଲ କରିବା ଲାଗି ୟୁପିଏସସିକୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ।  କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ବରିଷ୍ଠ ପଦବି ଲାଗି ଲାଟେରାଲ ଚୟନ ସକାଶେ ଟାଲେଣ୍ଡେଡ ଓ ମୋଟିଭେଟେଡ ଭାରତୀୟଙ୍କୁ ଚୟନ କରିବା ଲାଗି ୟୁପିଏସସି କିଛି ଦିନ ତଳେ ବିଜ୍ଞାପନ ପ୍ରକାଶ କରିଥିଲା। କେନ୍ଦ୍ର ସରକାରଙ୍କ ଅଧୀନରେ ୨୪ଟି ମନ୍ତ୍ରାଳୟରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଡେପୁଟି ସେକ୍ରେଟାରୀ ନିଯୁକ୍ତି ଲାଗି ଏହି ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଏହି ଯୋଜନାରେ ୪୫ଟି ପଦବି ଲାଗି ବ୍ଯବସ୍ଥା ହୋଇଥିଲା। ଲାଟେରାଲ ଏଣ୍ଟ୍ରିକୁ ନେଇ ଅମଲାତନ୍ତ୍ରରେ ବିବାଦ ଦେଖାଦେଇଥିଲା। ଏପରିକି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ଯ ଏହି ବ୍ଯବସ୍ଥାକୁ ସମାଲୋଚନା କରିଥିଲେ। ଏହି ଯୋଜନାରେ ପାରମ୍ପରିକ ସରକାରୀ ସେବା କ୍ଯାଡର ଯଥା ଆଇଏଏସ ବଦଳରେ ଅନ୍ଯାନ୍ଯ ବିଭାଗରୁ ବ୍ଯକ୍ତିବିଶେଷଙ୍କୁ ଚୟନ କରି ନିଯୁକ୍ତି ଦେବା ବ୍ଯବସ୍ଥା ରହିଥିଲା। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଏହି ବ୍ଯବସ୍ଥା ଆରମ୍ଭ ହୋଇଥିଲା।

ମହାରାଷ୍ଟ୍ର ଠାଣେରେ ୨ ଜଣ କନ୍ଯାଶିଶୁଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ବାଦଲପୁର ରେଳଷ୍ଟେସନରେ ହଜାର ହଜାର ଲୋକଙ୍କ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ଠାଣେର ଏକ ସ୍କୁଲରେ ୨ ଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ। ୪ ବର୍ଷର ୨ ଜଣ ଶିଶୁଙ୍କୁ ଜଣେ ସଫେଇ କର୍ମଚାରୀ ଯୌନ ନିର୍ଯାତନା ଦେବା ଅଭିଯୋଗକୁ ନେଇ ତୀବ୍ର ଉତ୍ତେଜନା ଦେଖା ଦେଇଛି। ହଜାର ହଜାର ଲୋକ ବଦଲାପୁର ରେଳଷ୍ଟେସନରେ ବିକ୍ଷୋଭ କରିବା ସହ ମୁମ୍ବାଇ ରେଳ ରୁଟକୁ ଅବରୋଧ କରିଛନ୍ତି। ଫଳରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଗତ ଅଗଷ୍ଟ ୧୬ ତାରିଖରେ ଜଣେ ୨୩ ବର୍ଷ ବୟସ୍କ ସଫେଇ କର୍ମଚାରୀ ୨ ଜଣ ବାଳିକାଙ୍କୁ ଟଏଲେଟ ଭିତରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ପ୍ରକାଶ ପାଇଥିଲା। ସେହି କର୍ମଚାରୀଙ୍କ ବିରୋଧରେ ଏଫଆଇଆର ଦାୟର ପରେ ତାକୁ ଗିରଫ କରାଯାଇଥିଲା। ଏହି ଘଟଣାରେ ସ୍କୁଲ ପ୍ରଶାସନ ପକ୍ଷରୁ ପ୍ରିନ୍ସିପାଲଙ୍କୁ ସସପେଣ୍ଡ କରାଯାଇଥିବାବେଳେ ଶ୍ରେଣୀ ଶିକ୍ଷକଙ୍କୁ ବାହାର କରିଦିଆଯାଇଛି। ସ୍କୁଲରେ ଶିଶୁମାନେ ଅସୁରକ୍ଷିତ ବୋଲି ଅଭିଯୋଗ କରିଛନ୍ତି ଅଭିଭାବଗ। ସ୍କୁଲରେ ଲାଗିଥିବା ସିସିଟିଭି ଅକାମି ଥିବା ଜଣାପଡିଛି। ଘଟଣାର ତଦନ୍ତ ଲାଗି ଏସଆଇଟି ଗଠିତ ହୋଇଛି। ସ୍ପେସାଲ ଆଇଜି ଭାରତୀ ସିଂଙ୍କ ନେତୃତ୍ବରେ ଏସଆଇଟି ଗଠିତ ହୋଇଛି।

ରାଞ୍ଚିରୁ ମିଳିଲା ଆଉ ଏକ ସିମବକ୍ସ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ଓ କଟକ ପରେ ଝାଡଖଣ୍ଡ ରାଞ୍ଚିରୁ ମିଳିଲା ଆଉ ଏକ ସିମବକ୍ସ।ରାଞ୍ଚି ବସ ଷ୍ଟାଣ୍ଡରେ ଚାଲିଛି ଛାନବିନ। ସକାଳେ ଅଭିଯୁକ୍ତ ଏଜେଣ୍ଟ ରାଜୁ ମଣ୍ଡଳକୁ ଧରି ରାଞ୍ଚି ଯାଇଥିଲା କମିଶନରେଟ।  ପୋଲିସର ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସ ଏହି ଟିମରେ ସାମିଲ ଅଛନ୍ତି।ଆତଙ୍କୀ ଲିଙ୍କ ନେଇ ଚାଲିଛି ଖୋଳତାଡ଼। ଅଭିଯୁକ୍ତ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି ପୋଲିସର ଟିମ। ତୃତୀୟ ଦିନ ରିମାଣ୍ଡ ବେଳେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚି ଯାଉଛି ସ୍ପେଶାଲ ସ୍କ୍ୱାଡ଼ ଓ ଲକ୍ଷ୍ମୀସାଗର ଥାନା ପୋଲିସ। ପ୍ରଥମେ ମଙ୍ଗରାଜ ପଏଣ୍ଟ ଓ ପରେ ମଧୁପାଟଣା ପରେ ଏବେ ପୁଣି ସୁଦୂର ରାଂଚିରୁ ମିଳିବାକୁ ଯାଉଛି ସିମ ବକ୍ସ ଅଡ୍ଡା ।

କେବଳ ସେତିକି ନୁହେଁ ସ୍ଲିପର ସେଲ ଭାବେ କାମ କରୁଥିବା ରାଜୁର ମାଷ୍ଟରମାଇଣ୍ଡ ଥିବା ଆସାଦୁର ଜମାନ କଟକ ରୋଡରେ ରହୁଥିବା ଲିଙ୍ଗରାଜ ହୋଟେଲ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ । କାରଣ ଜଣେ ବିଦେଶୀ ଭାବେ ଆସାଦୁର ସେହି ହୋଟେଲରେ ରହୁଥିଲେ ସୁଦ୍ଧା ଫର୍ମ-C ପୂରଣ କରିନଥିଲା ହୋଟେଲ। ଯାହାଫଳରେ ପୁରା ସିଣ୍ଡିକେଟ ଜାଣିବାରେ ବିଫଳ ହୋଇଥିଲା ପୋଲିସ। ଟୁଇନ ସିଟିରୁ ଏପର୍ଯ୍ୟନ୍ତ ମୋଟ ୧୨ ଟି ସିମବକ୍ସ ମିଳିଛି। ସିମବକ୍ସ ହଇଚଇ ଭିତରେ ପୂର୍ବରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ଯକର ତଥ୍ଯ । କଟକକୁ ଆସିଥିଲା ବଂଲାଦେଶର ଅସଦୁର ଜମାନ ।

ଅସଦୁର ହିଁ କଟକର ଭଡ଼ାଘରେ ଖଞ୍ଜିଥିଲା ସିମବକ୍ସ । ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ କଟକ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗରରେ ଏକ ଭଡା ଘର ନେଇଥିଲା । ଲୁଗା ବ୍ୟବସାୟ କରିବାକୁ କହି ଘର ଭଡ଼ା ନେଇଥିଲା ରାଜୁ । ମାସିକ ଆଠ ହଜାର ଟଙ୍କା ଫୋନ୍ ପେରେ ଘର ଭଡ଼ା ଦେଉଥିଲା । ଡିସେମ୍ବରରେ ବାଂଲାଦେଶର ୩୦ ବର୍ଷୀୟ ଅସଦୁର ଜମାନ କଟକ ଆସିଥିଲା । ଏହି ଭଡ଼ା ଘରେ ସେ ସିମବକ୍ସ ଖଞ୍ଜିଥିବା ବେଳେ ରାଜୁ ଏହାର ରକ୍ଷଣାବେକ୍ଷଣ କରୁଥିଲା । ଅସଦୁର ଭାରତକୁ ଭିସା କରି ଓଡ଼ିଶା ଆସିଥିଲା । ଏହାର ବୈଧତା ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରହିଥିଲା। ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅଗରତାଲା ଦେଇ ଭାରତ ଆସି ଡିସେମ୍ବର ୨୪ ତାରିଖରେ ପୁଣି ବଂଲାଦେଶ ଫେରିଥିଲା।

ରାଜେନ୍ଦ୍ର ନଗର ଘରୁ ୫ଟି ସିମବକ୍ସ ସହ ୪୦ଟି ସିମ କ୍ଯାରିୟର, ଗୋଟିଏ ମୋଡେମ ଏବଂ ୨୩୬ଟି ଆକ୍ଟିଭ୍ ସିମ୍ ସମେତ ମୋଟ ୫୪୬ଟି ସିମ୍ ଜବତ ହୋଇଛି । କୋଡ଼ୱାର୍ଡରେ ଚାଲିଥିଲା ସିମବକ୍ସ କାରବାର । ରାଜୁ ମଣ୍ଡଳକୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେବା ପରେ ଏଭଳି ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ। ସାଇଣ୍ଟିଫିକ ଟିମ ମେସିନ ଗୁଡିକୁ ସିଜ କରିବା ସହ ଆରମ୍ଭ କରିଛି ଛାନଭିନ। ରାଜୁଠାରୁ ମିଳିଥିବା ଇନପୁଟ ମୁତାବକ ବାଂଲାଦେଶ, ପାକିସ୍ତାନ ସହ ଚାଇନାକୁ ଏହି ସିମବକ୍ସ ଦ୍ୱାରା କରାଯାଉଥିଲା କଲ। ଲିକ୍ କରାଯାଉଥିଲା ଗୁରୁତ୍ୱପୂର୍ଣ୍ଣ ଡାଟା।

ଯୋଗାଣ ବିଭାଗର ରେଡ୍, ପଚା ଆଳୁ ରାସ୍ତା ଫିଙ୍ଗି ବେପାରୀଙ୍କ ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ: ଯୋଗାଣ ବିଭାଗ ରେଡ ବେଳେ ତାତିଲେ ଆଳୁ ବେପାରୀ। ଏକ ନମ୍ବର ହାଟରେ ଆଳୁ ବେପାରୀଙ୍କ ପ୍ରତିବାଦ। ପଚା ଆଳୁ ରାସ୍ତା ଉପରେ ଫୋପାଡି କରିଛନ୍ତି ପ୍ରତିବାଦ। କୋଲକାତାରୁ ଆଳୁ ଆସିବା ବନ୍ଦ ହୋଇଯାଇଛି। ସେପଟେ ଯେଁଉ ଆଳୁ ଷ୍ଟକ୍ ଅଛି କିଛି ବସ୍ତାରେ 5 କେଜିରୁ ଅଧିକ ପଚା ବାହାରୁଛି। ତେବେ ସରକାରୀ ଦରରେ ବିକ୍ରି କଲେ କ୍ଷତି ହେବ ବୋଲି ବେପାରୀ କହିଛନ୍ତି  ସେମାନଙ୍କ ଦୁଃଖ ନ ଶୁଣି ଜୁଲୁମ୍ କରୁଛି ଯୋଗାଣ ବିଭାଗ ବୋଲ ବେପାରୀ କରିଛନ୍ତି ଅଭିଯୋଗ।  ଯଦି ଏଭଳି ସେମାନଙ୍କୁ ହଇରାଣ କରାଯିବ ତେବେ ସେମାନେ ବେପାର ବନ୍ଦ କରିଦେବେ ବୋଲି ଧମକ ଦେଇଛନ୍ତି। ଯୋଗାଣ ବିଭାଗର ରାଜ୍ୟ ଫ୍ଲାଇଂ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଆଳୁ ଷ୍ଟକ ଓ ଦରଦାମ ନେଇ ଯାଞ୍ଚ କରିଥିଲା ବିଭାଗ।

ଆଜି ଅମିତ ଶାହଙ୍କୁ ଭେଟି ପାରନ୍ତି ଚମ୍ପାଇ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ଡେରା ପକାଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ସେ ରବିବାରଠାରୁ ଦିଲ୍ଲୀରେ ରହିଥିବାବେଳେ ବିଜେପିରେ ମିଶିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏଯାବତ ତାଙ୍କର ବିଜେପି ନେତାଙ୍କ ସହ ସାକ୍ଷାତ ହୋଇନାହିଁ । କୁହାଯାଉଛି କି, ଆଜି ଶାହଙ୍କ ସହ ସାକ୍ଷାତ କରିପାରନ୍ତି ଚମ୍ପାଇ ସୋରୋନ । କିନ୍ତୁ ଏଯାବତ ବିଜେପି ପକ୍ଷରୁ ଗ୍ରୀନ ସିଗନାଲ ମିଳିନଥିବା କୁହାଯାଉଛି । ଝାଡ଼ଖଣ୍ଡର ଆାଦିବାସୀ ନେତା ଚମ୍ପାଇ ସୋରେନ ୭ଥର ବିଧାୟକ ହୋଇଛନ୍ତି । ହେମନ୍ତ ସୋରେନ ଜେଲ ଯିବା ପରେ ସେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ହେମନ୍ତ ଜେଲରୁ ଫେରିବା ପରେ ଉଭୟଙ୍କ ମଧ୍ୟ ତିକ୍ତତା ଦେଖିବାକୁ ମିଳିଛି । ଯେଉଁ କାରଣରୁ ସେ ନିଜର ସୋସିଆଲ ମିଡିଆରୁ ଜେଏମଏମ ଲୋଗେ ମଧ୍ୟ ହଟାଇଛନ୍ତି । ଅନ୍ୟପଟେ ଘରେ ଲାଗିଥିବା ଦଳୀୟ ପତାକାକୁ ମଧ୍ୟ କାଢ଼ି ଦେଇଛନ୍ତି । ସେ ବିଜେପିରେ କିଛି ବିଧାୟକଙ୍କ ସହ ଯୋଗଦେବେ ବୋଲି ଦିଲ୍ଲୀରେ ଡେରା ପକାଇଛନ୍ତି । ୭ରୁ ଅଧିକ ବିଧାୟକ ତାଙ୍କ ସହ ଥିବା ନେଇ ସେ ଯୁକ୍ତି ବାଢ଼ୁଥିବାବେଳେ ଏବେ ଦିଲ୍ଲୀରେ ମାତ୍ର ୩ ଜଣ ବିଧାୟକ ସାଙ୍ଗରେ ରହିଛନ୍ତି ।

ରାଜେନୖତିକ ମହଲରେ ଚର୍ଚ୍ଚା ହେଉଛି କି, ଚମ୍ପାଇଙ୍କ ସହ କମ ବିଧାୟକ ରହିଥିବାରୁ ବିଜେପି ତାଙ୍କୁ ନେବାକୁ ଇଛା ପ୍ରକାଶ କରି ନାହିଁ । ଯେଉଁ କାରଣରୁ ତାଙ୍କ ସହ ଏଯାବତ କୌଣସି ନେତା ଭେଟି ନାହାନ୍ତି । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରହିଥିଲେ ସୁଦ୍ଧା ସେ ଭେଟିନାହାନ୍ତି । ଏହାସହ ଝାଡ଼ଖଣ୍ଡର ବିଜେପି ସଭାପତି ବାବୁଲାଲ ମାରାଣ୍ଡି କହିଛନ୍ତି କି, ଚମ୍ପାଇ ଜଣେ ଅଭିଜ୍ଞ ନେତା । ସେ ନିଜର ରାଜେନୖତିକ ପନ୍ଥା ଆପଣାଇବେ । ଆମ ସହ ତାଙ୍କର କୌଣସି ଆଲୋଚନା ହୋଇନାହିଁ । ଅନ୍ୟପଟେ କୁହାଯାଉଛି କି, ମାରାଣ୍ଡି ଚାହୁଁ ନାହାନ୍ତି କି, ସୋରେନ ବିଜେପିରେ ଯୋଗ ଦିଅନ୍ତୁ । ଆଉ ଏକ ସୂଚନା ମୁତାବକ ଚମ୍ପାଇ ସୋରେନ ଏକ ଛୋଟ ଦଳ ଗଠନ କରିବା ସହ ଏନଡିଏ ମେଣ୍ଟରେ ମିଶିପାରନ୍ତି ।

ଆରମ୍ଭରୁ ବିଧାନସଭାରେ ହଙ୍ଗାମା, ୪ଟା ଯାଏଁ ଗୃହକୁ ମୁଲବତୀ ଘୋଷଣା କଲେ ବାଚସ୍ପତି

ନନ୍ଦିଘୋଷ ବ୍ୟୁରୋ: ଚାଲି ପାରିନି ବିଧାନସଭା। ଦ୍ଵିତୀୟ ପର୍ଯ୍ଯାୟ ବଜେଟ ଅଧିବେଶନ ଆରମ୍ଭରୁ ହଙ୍ଗାମା। ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଗୃହରେ ଉଠାଇବା ପରେ ହଟ୍ଟଗୋଳ ହୋଇଛି। ସ୍ଥିତି ସ୍ବାଭାବିକ ହୋଇନପାରିବାରୁ ଗୃହକୁ ୪ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି। ଆଜି ଗୃହ କାର୍ଯ୍ଯ ଆରମ୍ଭ ହେବା ପରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଛାତ୍ର ସଂସଦ ନିର୍ବାଚନ କରାଇବାକୁ ଦାବି କରିଥିଲେ। ଗୃହର ମଧ୍ଯ ଭାଗରେ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ। ବିଜେଡି ମଧ୍ଯ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଛି। ଏହା ସହିତ ମୁଖ୍ଯ ବିରୋଧୀ ଦଳ ବିଜେଡି ରାଜ୍ଯପାଳଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗ ଉଠାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଥିଲା ବିଜେଡି। ତା ସହିତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିରୋଦରେ ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେେଶ ମହାଲିଙ୍ଗ ଯେଉଁ ଅରୁଚିକର ମନ୍ତବ୍ଯ ଦେଇଥିଲେ, ତାକୁ ଗୃହର ବିବରଣୀରୁ ବାଦ୍ ଦେବାକୁ ଦାବି କରିଥିଲେ ବିଜେଡି। ଏହି ସବୁ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ହୋଇଛି। ତା ପରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି।

ଡାକ୍ତରଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବ୍ୟବସ୍ଥା : ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ:କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ଯା ଘଟଣା। ମାମଲାକୁ ଅତି ଗମ୍ଭୀର ଦର୍ଶାଇଛନ୍ତି ପ୍ରଧାନବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ। ହସ୍ପିଟାଲରେ ଡାକ୍ତରଙ୍କ ନିରାପତ୍ତା ନେଇ ୧୦ ଜଣିଆ ନ୍ଯାସନାଲ ଟାସ୍କ ଫୋର୍ସ ଗଠନ କରିବେ ସୁପ୍ରିମକୋର୍ଟ। I ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଡାକ୍ତରଙ୍କ ନିରାପତ୍ତା ପ୍ରସଙ୍ଗରେ ଏହି ଟାସ୍କଫୋର୍ସ ସୁପାରିସ କରିବ ବୋଲି କହିଛନ୍ତି ଖଣ୍ଡପୀଠ। ମାମଲାର ଶୁଣାଣି କରି ୩ଜଣିଆ ଖଣ୍ଡପୀଠ କହିଛନ୍ତି- ସରକାରୀ ହସ୍ପିଟାଲରେ ଡାକ୍ତରମାନଙ୍କ ସୁରକ୍ଷା ଅତି ଦୁର୍ବଳ। ଘଟଣା ଘଟିବାର ଦୀର୍ଘ ସମୟ ପରେ କାହିଁକି ବିଳମ୍ବରେ ଏଫଆଇଆର ଦାୟର ହେଲା ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ। ପ୍ରାଥମିକ ସ୍ତରରେ ପିଜି ଛାତ୍ରୀଙ୍କ ହତ୍ଯା ଘଟଣାକୁ କାହିଁକି ପ୍ରିନସିପାଲ ଆତ୍ମହତ୍ଯା ଘଟଣା ଦର୍ଶାଇଲେ ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ। ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ନିଜ ଆଡୁ ଗ୍ରହଣ କରିଥିଲେ। ଦେଶବ୍ଯାପୀ ଡାକ୍ତରଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଘଟଣାର ତଦନ୍ତ ପରିସରକୁ ଅଧିକ ବ୍ଯାପ୍ତ କରିବା ସମ୍ଭାବନା ସୃଷ୍ଟି କରିଛି। ପୂର୍ବରୁ ଦେଶରେ ସ୍ବାସ୍ଥ୍ଯକର୍ମୀଙ୍କ ସୁରକ୍ଷା ନେଇ ସ୍ବତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲା ଫେଡେରେସନ ଅଫ ରେସିଡେଣ୍ଟସ ଅଫ ଡକ୍ଟରସ ଆସୋସିଏସନ ବା ଫୋର୍ଡା। କୋର୍ଟଙ୍କ ଉପରେ ଭରସା ରଖିବାକୁ ଡାକ୍ତରଙ୍କୁ ଅପିଲ କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଅଗଷ୍ଟ ୨୨ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି। ଏହା ସହ କାର୍ଯ୍ୟରେ ଯୋଗଦେବାକୁ ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି ସୁପ୍ରିମକୋର୍ଟ।