spot_img
Home Blog Page 1591

ଦିନେ ମୋତେ ପ୍ରଧାନମନ୍ତ୍ରୀ ପଦ ଯଚାଯାଇଥିଲା, ପ୍ରଧାନମନ୍ତ୍ରୀ ହେବା ଜୀବନର ଲକ୍ଷ୍ୟ ନୁହେଁ: ନୀତୀନ ଗଡ଼କରୀ

ନୂଆଦିଲ୍ଲୀ: ଦିନେ ମୋତେ ପ୍ରଧାନମନ୍ତ୍ରୀ ପଦ ଯଚାଯାଇଥିଲା। ମାତ୍ର ଏହି ପ୍ରସ୍ତାବକୁ ମୁଁ ଅଗ୍ରାହ୍ଯ କରିଥିଲି। ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ବିଭିନ୍ନ ପ୍ରସଙ୍ଗରେ ହାଲୁକା ଟିପ୍ପଣୀ ଦେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଗଡକରୀଙ୍କ ଏହି ବୟାନ ରାଜନୈତିକ ସ୍ତରରେ ଚର୍ଚ୍ଚାର କାରଣ ସାଜିଛି। ନାଗପୁରରେ ଆୟୋଜିତ ଏକ ସଭାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଗଡ଼କରୀ କହିଛନ୍ତି- ତାଙ୍କର ଏବେ ଗୋଟିଏ କଥା ସ୍ମରଣକୁ ଆସୁଛି। ସେ କାହାର ନାମ ନେବାକୁ ଚାହାଁନ୍ତି ନାହିଁ। ସେ ଯଦି ପ୍ରଧାନମନ୍ତ୍ରୀ ହେବାକୁ ଚାହିଁବେ ତେବେ ତାଙ୍କୁ ସମର୍ଥନ ଦିଆଯିବ ବୋଲି ଜଣେ ନେତା କହିଥିଲେ। ତେବେ ତାଙ୍କ ଜୀବନର ଲକ୍ଷ୍ଯ ଜଣେ ପ୍ରଧାନମନ୍ତ୍ରୀ ହେବା ନୁହେଁ ବୋଲି କହିଥିଲେ ଗଡକରୀ।

ସେ ଆହୁରି କହିଛନ୍ତି, ସେହି ନେତାଜଣକ ତାଙ୍କୁ ଏହି ପ୍ରସ୍ତାବ ଦେବା ପରେ ସେ କହିଥିଲେ ଯେ,କାହିଁକି ମୋତେ ଆପଣମାନେ ସମର୍ଥନ କରିବେ ଏବଂ କାହିଁକି ମୁଁ ଆପଣଙ୍କ ପ୍ରସ୍ତାବ ଗ୍ରହଣ କରିବି। ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ଯ ନୁହେଁ। ମୋର ସଂଗଠନ ଓ ମୋର ତ୍ୟାଗ ପ୍ରତି ମୁଁ ଅଙ୍ଗୀକୃତ। ଉଭୟ ୨୦୧୯ ଓ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀତ୍ବ କ୍ଷେତ୍ରରେ ନୀତୀନ ଗଡ଼କରୀଙ୍କ ନାମ ଚର୍ଚ୍ଚାରେ ଥିଲା। ଗତ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ପରେ ଯେଉଁମାନଙ୍କ ନାମ ପିଏମ ଦୌଡ଼ରେ ଥିଲା ସେମାନେ ହେଲେ ଅମିତ ଶାହ, ଯୋଗୀ ଆଦିତ୍ଯନାଥ ଓ ନୀତୀନ ଗଡ଼କରୀ।

ମହାରାଷ୍ଟ୍ର ନାଗପୁରରୁ ଗଡକରୀ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଭାବେ ସେ ସର୍ବାଧିକ କାଳ ଦାୟିତ୍ବରେ ରହିଛନ୍ତି। ୨୦୦୯ରୁ ୨୦୧୩ ଯାଏ ସେ ଥିଲେ ବିଜେପିର ଜାତୀୟ ସଭାପତି।

‘ସୁଭଦ୍ରା ଯୋଜନାକୁ ନେଇ ଦ୍ୱନ୍ଦ୍ୱରେ ମହିଳା, ସରକାର ଏହାକୁ ସ୍ପଷ୍ଟ କରନ୍ତୁ’

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଏବେ ବି ଲୋକଙ୍କ ମନରେ ପ୍ରଶ୍ନ। ସରକାରଙ୍କ ପକ୍ଷରୁ ଅଧିକ ସ୍ପଷ୍ଟ କରାଯାଉ। ଏହା ସହ ଅଧିକ ସଚେତନତା କରାଯାଉ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ। ସୁଭଦ୍ରା ସଚେତନତା ପଦଯାତ୍ରା ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସଚେତନତା ପଦଯାତ୍ରା ବିଏମସି ପକ୍ଷରୁ ଆୟୋଜନ କରାଯାଇଛି । ସୁଭଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ସାମିଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ୫୦ ଲକ୍ଷ ମହିଳା ବି ଆବେଦନ କରି ନାହାଁନ୍ତି । ଏଥିରୁ ଜଣା ପଡ଼ୁଛି ମହିଳାଙ୍କ ମନରେ ଭୟ ରହୁଛି ।

ପୂର୍ବ ସରକାର କଷ୍ଟ ସ୍ବୀକାର କରି ଏସଏଚଜି ମହିଳାଙ୍କୁ ସଶକ୍ତ କରିଥିଲେ । ୭୦ ଲକ୍ଷ ମହିଳା ଓ ତାଙ୍କ ପରିବାର ଉପକୃତ ହୋଇଥିଲେ । ଏବେ ତାଙ୍କ ଭବିଷ୍ୟତ କଣ ହେବ ବୋଲି ମନରେ ଦ୍ବନ୍ଦ୍ବ ରହିଛି । ଏବେ ଯେଉଁ ମାନେ ଟଙ୍କା ପାଇବେ ସେମାନେ ଏ ଟଙ୍କା କେମିତି ଖର୍ଚ୍ଚ କରିବେ ସେଥିପାଇଁ ଟ୍ରେନିଂ ପାଇନାହାନ୍ତି । ତେଣୁ ମହିଳାଙ୍କ ଭିତରେ ଭୟ ଓ ଆଶଙ୍କା ରହିଛି । ୫ ହଜାର ଟଙ୍କାରେ କଣ କରିବେ ଓ ସ୍ବାବଲମ୍ବୀ ହୋଇ ପାରିବେ କି ମହିଳା । ରାଜ୍ୟ ସରକାର ୫ ହଜାର ଟଙ୍କା ଦେଇ ଜଣେଇବା ଦରକାର କିମିତି ଖର୍ଚ୍ଚ କରି ସ୍ବାବଲମ୍ବୀ ହେବେ ମହିଳା। ପୂର୍ବ ସରକାର ମିଶନ ଶକ୍ତି ଯୋଜନା ଭଳି ଅନେକ ଯୋଜନା କରୁଥିଲେ । ୧୫ ଲକ୍ଷ ଋଣ ଦେଉଥିଲେ। ସେଥିରେ ମହିଳା ଲାଭ ପାଉଥିଲେ। ପୂର୍ବ ସରକାରରେ ଏସଏଚଜି ମହିଳା ମାନେ ପାଉଥିବା ଟଙ୍କା ଏବେ ଆଉ ପାଇବେ କି ନାହିଁ ବୋଲି ମଧ୍ୟ ମହିଳାଙ୍କ ମନରେ ପ୍ରଶ୍ନ ରହିଛି । ରାଜ୍ୟ ସରକାରଙ୍କ ଯୋଜନାକୁ ନାପସନ୍ଦ କରିବା ପ୍ରଶ୍ନ ଉଠୁନାହିଁ। ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରୁଛୁ । କିନ୍ତୁ ଯୋଜନାରେ ଥିବା ଅସୁବିଧାକୁ ସୁଧାରିବା ସରକାରଙ୍କ ଦାୟିତ୍ଵ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।

ନୟାଗଡ଼ ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ; ଆସନ୍ତା ୧୭ ତାରିଖରେ ହେବ ଭୋଟ

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ସେପ୍ଟେମ୍ବର ୧୭ ତାରିଖରେ ମଙ୍ଗଳବାର ଦିନ ଭୋଟ ଗ୍ରହଣ କରାଯିବ। ୧୧ଟାରେ ସମୟ ଧାର୍ଯ୍ୟ କରାଯାଇଥିବା ଏନଏସି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଏହି ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ମଧ୍ୟ ସରଗରମ। ଅନାସ୍ଥା ସପକ୍ଷରେ ଓ ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟ ଦେବାକୁ ବିଜେଡି ପକ୍ଷରୁ ଦଳୀୟ ହ୍ଵିପ ଜାରି କରାଯାଇଛି। ଏଥିପାଇଁ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଖଣ୍ଡପଡ଼ା ଏନଏସିର ମୋଟ ୧୩ ଜଣ କାଉନସିଲର ଅଛନ୍ତି। ବିଜେଡିର ୮, ବିଜେପିରୁ ଜଣେ ଏବଂ ୪ ଜଣ ସ୍ବାଧୀନ କାଉନସିଲର ଅଛନ୍ତି। ଏନ୍ଏସି ଅଧ୍ୟକ୍ଷା କାଉନସିଲରମାନଙ୍କୁ ଅଣଦେଖା କରିବା ସହ ବିଭିନ୍ନ ଅନିୟମିତତା କରୁଥିବା ଅଭିଯୋଗରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲରମାନେ।

ଗତ ଅଗଷ୍ଟ ୧ ତାରିଖରେ ନୟାଗଡ଼ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ୮ ଜଣ କାଉନସିଲର। ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ କାଉନସିଲର୍ ସରୋଜ ପ୍ରଧାନ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କୋର୍ଟ ନୟାଗଡ଼ ଜିଲ୍ଲାପାଳଙ୍କୁ ସ୍ଥିତି ବାବଦରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସେପ୍ଟେମ୍ବର ୧୭ରେ ଏନ୍ଏସିରେ ଅନାସ୍ଥା ଭୋଟ୍ କରାଯିବ ବୋଲି ସତ୍ୟପାଠ ଦାଖଲ କରିଥିଲା ନୟାଗଡ଼ ଜିଲ୍ଲାପ୍ରଶାସନ।

ସୁଭଦ୍ରା ସଚେତନତା ରାଲିରେ ଆସି ନବୀନଙ୍କୁ ଝୁରିଲେ ମାଆ

ଭୁବନେଶ୍ୱର: ସୁଭଦ୍ରା ସଚେତନତା ରାଲିରେ ଆସି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଝୁରିଲେ ମାଆ । ନବୀନଙ୍କ ଯୋଜନା ଭଲ ଥିଲା ବୋଲି କହି ପୂର୍ବ ସରକାରଙ୍କୁ ମନେ ପକାଇଲେ ମହିଳା। ୧୭ ତାରିଖରେ ୫ ହଜାର ଟଙ୍କା ମିଳିବ। ଏନେଇ ମାଆମାନେ କହିଛନ୍ତି, ମୋତେ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ନାହିଁ। ମୋର ସ୍କୁଟି ଅଛି, ମୋର କଟିଯିବ। ବିଜେପି ସରକାର ଭୋଟ ପୂର୍ବରୁ ଗୋଟେ କଥା କହିଥିଲା, ଭୋଟ ସରିବା ପରେ ଆଉ ଗୋଟେ କଥା । ୫୦ ହଜାର ୨ ବର୍ଷରେ ଦେବି ବୋଲି କହିଥିଲେ। ଏବେ ୫ ବର୍ଷରେ ୧୦ ହଜାର ଦେବ। ଏକାଥରକେ ୫୦ ହଜାର ମିଳିଥିଲେ ଭଲ ହୁଅନ୍ତା। ବର୍ଷକୁ 10 ହଜାର ଦେଲେ ଖର୍ଚ୍ଚ ହୋଇଯିବ । ଆମେ ସେହି ଟଙ୍କା ନେଇ କଣ କରିବୁ ବୋଲି ପ୍ରଶ୍ନ କରିଛନ୍ତି ମହିଳା ।

ଭତ୍ତା ଟଙ୍କା ବଢିବ ବୋଲି ବି କହିଥିଲା ବିଜେପି । ହେଲେ ଯେଉଁ ୧ ହଜାର ଟଙ୍କାକୁ ସେହି ୧ ହଜାର ଟଙ୍କା ଭତ୍ତା ମିଳୁଛି । ବିଜେପିର ସବୁ ବାହାସ୍ପଟ ଆମେ ଜାଣିସାରିଲୁଣି ବୋଲି କହିଛନ୍ତି ମହିଳା। ନବୀନ ବାବୁ ଏସଏଚଜି କରି ଋଣ ଦେଉଥିଲେ । ନବୀନ ସରକାର ଯାହା ସାହାଯ୍ୟ କରିଛନ୍ତି ,ତାହା ଆମେ ଜୀବନ ସାରା ଭୁଲି ପାରିବୁ ନାହିଁ ବୋଲି କହି ପୂର୍ବ ସରକାରଙ୍କୁ ମନେ ପକାଇଛନ୍ତି ।

କେଜରିୱାଲଙ୍କ ବଡ଼ ଘୋଷଣା; ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜରିୱାଲ

ନୂଆଦିଲ୍ଲୀ: ଆସନ୍ତା ଦୁଇ ଦିନ ପରେ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଏନେଇ ସେ ଘୋଷଣା କରିଛନ୍ତି। ଦିଲ୍ଲୀରେ ଆପ୍ କର୍ମୀ ସମ୍ମିଳନୀରେ ସେ କହିଛନ୍ତି- ଯେତେଦିନ ଯାଏ ଜନତା ନିଷ୍ପତ୍ତି ନନେଇଛନ୍ତି ସେତେଦିନ ଯାଏ ସେ ମୁଖ୍ଯମନ୍ତ୍ରୀ ପଦରେ ରହିବେ ନାହିଁ। ସେ କହିଛନ୍ତି- ବ୍ରିଟିଶ ଶାସନ ତୁଳନାରେ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ନୀତି ଅଧିକ। ଆମ ଆଦମୀ ପାର୍ଟିକୁ ଭାଙ୍ଗିବା ଲାଗି ଚାଲିଛି ଷଡ଼ଯନ୍ତ୍ର। ମିଛ ମାମଲାରେ ମୋତେ ଜେଲରେ ଫସାଇ ଦିଆଗଲା। ବିଭିନ୍ନ ରାଜ୍ଯରେ ବିଭିନ୍ନ ଦଳକୁ ଭାଙ୍ଗିବା ଲାଗି ଷଡ଼ଯନ୍ତ୍ର କରାଯାଉଛି। ଗଣତାନ୍ତ୍ରିକ ସରକାରଗୁଡିକୁ ଭଙ୍ଗାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ଦିଲ୍ଲୀ ମଦନୀତି ମାମଲାରେ ଜେଲରୁ ବାହାରିବା ପରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ କେଜରିୱାଲ କହିଛନ୍ତି- ସେ ଜେଲରେ ଥିବାବେଳେ ସହିଦ ଭଗତ ସିଂଙ୍କ ଜୀବନୀ ପଢିଥିଲେ। ଦେଶର ରାଜନୀତିକୁ ବଦଳାଇଛି ଆପ୍। ଲୋକତନ୍ତ୍ରକୁ ବଞ୍ଚାଇବା ଲାଗି ସେ ଇସ୍ତଫା ଦେଇ ନଥିଲେ। ଏହା ସହ ମିଛ କେସରେ ଜେଲ ଯାଇଥିବାରୁ ସେ ଇସ୍ତଫା ଦେବାକୁ ଚାହିଁ ନଥିଲେ। ଆପ୍ ଯୋଗୁ ସାରା ଦିଲ୍ଲୀବାସୀ ବିଜୁଳି କ୍ଷେତ୍ରରେ ଉପକୃତ ହୋଇଛନ୍ତି। କେନ୍ଦ୍ରର ଏକଛତ୍ରବାଦୀ ନୀତି ବିରୋଧରେ ଏକାଠି ହେବା ଲାଗି ସେ ବିରୋଧୀ ମୁଖ୍ଯମନ୍ତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ଆହୁରୀ ମଧ୍ୟ କହିଛନ୍ତି, ତିହାର ଜେଲରେ ଥିବାବେଳେ ସେ ସ୍ବାଧୀନତା ଦିବସ ଅବସରରେ ଏଲଜିଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ। ତାଙ୍କ ଅନୁପସ୍ଥିତିରେ ଆତିଶିଙ୍କୁ ପତାକା ଉତ୍ତୋଳନ ଲାଗି ଅନୁମତି ଦିଆଯାଉ ବୋଲି ସେ କହିଥିଲେ। ମାତ୍ର ସେହି ଚିଠିକୁ ଫେରାଇଦିଆଗଲା। ଏଥିଲାଗି ତାଙ୍କୁ ଧମକ ବି ମିଳିଲା। ଯଦି ପୁଣି ଥରେ ସେ ଚିଠି ଲେଖନ୍ତି ତେବେ ତାଙ୍କୁ ପରିବାର ସହ ସାକ୍ଷାତ ଲାଗି ଅନୁମତି ମିଳିବ ନାହିଁ ବୋଲି କହିଥିଲେ।

କାନ୍ଥ ଭୁଶୁଡି ଜଣେ ମୃତ, ଦୁଇ ଗୁରୁତର

ସୁବର୍ଣ୍ଣପୁର: କାନ୍ଥ ପଡି ଜଣେ ମୃତ, ଦୁଇ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ସହରାପାଲି ଗାଁରେ ଶନିବାର ରାତିରେ ଘଟିଛି ଅଘଟଣ । ଘରର କାନ୍ଥ ପଡି ଆଇମା ସୁରୁବାଲି ଦୀପଙ୍କ ମୃତ୍ୟୁ ଘଟିଥିବା ବେଳେ ବୋହୂ ବବି ଦୀପ ଓ ଦୁଇ ବର୍ଷର ଶିଶୁକନ୍ୟା ଦେବୀ ଦୀପ ଗୁରୁତର ହୋଇଛନ୍ତି । ପରିବାର ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଶିଶୁ କନ୍ୟାର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ମୃତଦେହକୁ ବଲାଙ୍ଗୀର ଭୀମଭୋଇ ମେଡିକାଳ କଲେଜ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଶନିବାର ରାତିରେ ଆଇ ସହ ବୋହୂ ଓ ନାତୁଣୀ ଶୋଇଥିବା ବେଳେ ଘଟିଥିଲା ଅଘଟଣ । ବର୍ଷାରେ କାନ୍ଥ ଓଦା ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା । ବିଳମ୍ବିତ ରାତିରେ କାନ୍ଥ ପଡିଯାଇଥିଲା। କାନ୍ଦ ବୋବାଳି ଶୁଣି ପଡ଼ିଶା ଲୋକେ ଆସି ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ଲଛିପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ବାଇକରେ ଆସି ସୁନା ଚେନ୍ ଝାମ୍ପିନେଲେ ଲୁଟେରା

ଭୁବନେଶ୍ବର: ବାଇକରେ ଆସି ସୁନା ଚେନ୍ ଝାମ୍ପିନେଲେ ଲୁଟେରା। ଆଜି ଭୁବନେଶ୍ବର କଳିଙ୍ଗ ବିହାର ଅଞ୍ଚଳରେ ଜଣେ ବୟସ୍କ ମହିଳାଙ୍କ ବେକରୁ ଚେନ୍ ଲୁଟ୍ ହୋଇଛି । ଲୁଟ ସମୟର ପୁରା ଘଟଣା ସିସିଟିଭି କଏଦ ହୋଇଛି ।

ସୂଚନା ମୁତାବକ, କେ-୪ ଅଞ୍ଚଳର ଜଣେ ମହିଳା ପ୍ରାତଃଭ୍ରମଣ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଏକ ପଲସର୍ ଗାଡ଼ିରେ ୨ଜଣ ଦୁର୍ବୃତ୍ତ ଗଳି ପାଖରେ ଛକି ରହିଥିଲେ। ବାଇକ୍ ଚଲାଉଥିବା ଯୁବକ ଜଣକ ଗାଡ଼ିକୁ ଷ୍ଟାର୍ଟରେ ରଖିଥିବା ବେଳେ ଅନ୍ୟ ଜଣେ ରାସ୍ତାରେ ଠିଆହୋଇ ରହିଥିଲା। ମହିଳା ଜଣକ ଗଳିରେ ବୁଲିବା ମାତ୍ରେ ରାସ୍ତାରେ ଛିଡ଼ା ହୋଇଥିବା ଯୁବକ ତାଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲା । ପରେ ଉଭୟ ବାଇକରେ ବସି ଫେରାର ହୋଇଯାଇଥିଲେ। ସିସିଟିଭି ଫୁଟେଜରେ ଚେନ୍ ଝାମ୍ପୁଥିବା ଦୁର୍ବୃତ୍ତର ମୁହଁ ସ୍ପଷ୍ଟ ଭାବେ ଦେଖାଯାଉଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ତମାଣ୍ଡୋ ଥାନା ପୋଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ମସ୍କୋ ଓ କିବ୍ ମଧ୍ଯରେ ବନ୍ଦୀ ବିନିମୟ; ଉଭୟ ପକ୍ଷର ୧୦୩ ଲେଖାଏଁ ବନ୍ଦୀଙ୍କୁ ଅଦଳବଦଳ

ନନ୍ଦିଘୋଷ ବ୍ୟୁରୋ: ମସ୍କୋ ଓ କିବ୍ ମଧ୍ଯରେ ହୋଇଛି ବନ୍ଦୀ ବିନିମୟ । ଉଭୟ ପକ୍ଷର ୧୦୩ ଲେଖାଏଁ ବନ୍ଦୀଙ୍କୁ କରାଯାଇଛି ଅଦଳବଦଳ । ସଂଯୁକ୍ତ ଆରବ ଏମିରେଟସର ମଧ୍ଯସ୍ଥତା କ୍ରମେ ଏହା ସଫଳ ହୋଇଛି । ସେପଟେ ପୂର୍ବ ୟୁକ୍ରେନ ଭିତରେ ନିଜର ଦବଦବା ଜାରି ରଖିଛି ରୁଷିଆ ।

ଗତ ମେ ୨୦୨୨ରେ ଆଜୋବସ୍ତାଲ ଷ୍ଟିଲ ପ୍ଲାଣ୍ଟକୁ ନିଜ କବଜାକୁ ନେବା ପରେ ୟୁକ୍ରେନୀୟଙ୍କୁ ବନ୍ଦୀ କରି ରଖିଥିଲା ରୁଷିଆ। ଘମାଘୋଟ ଯୁଦ୍ଧ ମଧ୍ଯରେ ଏହି ବନ୍ଦୀ ବିନିମୟ କାର୍ଯ୍ୟକ୍ରମ ଶାନ୍ତି ପ୍ରତିଷ୍ଠା ଦିଗରେ ଆଶାର ସଞ୍ଚାର ସୃଷ୍ଟି କରିଛି । ସେପଟେ ଦୂରଗାମୀ କ୍ଷେପଣାସ୍ତ୍ର ବ୍ଯବହାର ଲାଗି ୟୁକ୍ରେନକୁ ଅନୁମତି ନ ଦେବାକୁ ଚେତାବନୀ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯଦି ଅନୁମତି ଦିଆଯିବ ତେବେ ତାହା ଯୁଦ୍ଧରେ ନାଟୋର ଭାଗ ନେବା ସହ ସମାନ ବୋଲି କହିଛନ୍ତି ପୁଟିନ ।

ଭାଲୁ ଆକ୍ରମଣରେ ୨ ମହିଳା ଆହତ

ନୂଆପଡା: ଭାଲୁ ଆକ୍ରମଣରେ ୨ ମହିଳା ଆହତ। ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ କୋଟ୍ରିବାହାଲ ଗାଁରେ ଘଟିଛି ଏହି ଘଟଣା । ୨ଜଣ ମହିଳା ଆଜି ସକାଳୁ ଚାଷ ଜମି ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ମହିଳାଙ୍କୁ ଭାଲୁ ଆକ୍ରମଣ ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ । ପରେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଆଣିଥିଲେ । ୨ ମହିଳା ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଘଟଣା ସ୍ଥଳରେ କୋମନା ରେଞ୍ଜରର ଏକ ଟିମ୍ ପହଞ୍ଚିଛି ।

 

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ଭୁବନେଶ୍ଵରର ସମସ୍ତ ହୋଟେଲରେ କଡ଼ାକଡି ଯାଞ୍ଚ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ଭୁବନେଶ୍ଵରର ସମସ୍ତ ହୋଟେଲରେ କଡ଼ାକଡି ଯାଞ୍ଚ। କମିଶନରେଟ ପୁଲିସ ତରଫରୁ ଶନିବାର “ସେଫ ସିଟି ଡ୍ରାଇଭ“ ଅଧୀନରେ ଯାଞ୍ଚ କରାଯାଇଛି । କ୍ଯାପିଟାଲ ଥାନା ଅଧୀନରେ ଥିବା ୯ ଗୋଟି ହୋଟେଲ, ଖାରବେଳନଗର ଥାନା ଅଧୀନରେ ଥିବା ୧୦ ଟି, ଲକ୍ଷ୍ମିସାଗର ଥାନା ଅଧୀନରେ ଥିବା ୬ ଟି ହୋଟେଲରେ ଯାଞ୍ଚ କରାଯାଇଛି । ସେହିଭଳି ବଡଗଡ ଥାନା ଅଞ୍ଚଳରେ ଥିବା ୫ଟି ହୋଟେଲ, ଶହୀଦନଗର ଥାନା ଅଞ୍ଚଳରେ ଥିବା ୫ ଟି ହୋଟେଲ, ମୈତ୍ରିବିହାର ଥାନା ଅଞ୍ଚଳରେ ଥିବା ୧୦ଟି ହୋଟେଲ, ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ୪ଟି ହୋଟେଲ, ମଞ୍ଚେଶ୍ଵର ଥାନା ଅଞ୍ଚଳରେ ଥିବା ୬ ଟି ହୋଟେଲରେ ମଧ୍ୟ ଯାଞ୍ଚ ହୋଇଛି ।

ସେହିପରି ଭରତପୁର ଥାନା ଅଞ୍ଚଳରେ ଥିବା ୫ ଟି ହୋଟେଲ ଏବଂ ଖଣ୍ଡଗିରୀ ଥାନା ଅଞ୍ଚଳରେ ଥିବା ମୋଟ ୫ ଟି ହୋଟେଲ ଆଦି ଗୁଡିକରେ କଡାକଡି ଭାବେ ଯାଞ୍ଚ କରାଯାଇଛି । ଏହି ଯାଞ୍ଚ ସମୟରେ ହୋଟେଲ ମାଲିକ ମାନଙ୍କୁ “ସରାଇ ଆପ” ବ୍ୟବହାର କରିବା ସହିତ ଉକ୍ତ ଆପ ମାଧ୍ୟମରେ ହୋଟେଲରେ ରହୁଥିବା ସମସ୍ତ ବ୍ୟକ୍ତି ବିଶେଷ ମାନଙ୍କର ସବିଶେଷ ତଥ୍ୟ ପ୍ରତ୍ୟେକ ଦିନ ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ଏହି ଆପକୁ ସେମାନେ ଡାଉନଲୋଡ କରିବା ସହ ସେଥିରେ ଗ୍ରାହକ ମାନଙ୍କ ସମସ୍ତ ବିବରଣୀ ପଞ୍ଜୀକୃତ କରିବାଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । କେଉଁ ହୋଟେଲରେ କେତେ ଗ୍ରାହକ ଅଛନ୍ତି, କାହାର ଅପରାଧିକ ସମ୍ପର୍କ କାହା ସହ ଅଛିକି ନାହିଁ ଏହିସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା ।