spot_img
Home Blog Page 158

ମୁଣ୍ଡ ବିହୀନ ଶବକୁ ନେଇ ଜଳୁଛି ମାଲକାନଗିରି..

ମାଲକାନଗିରି : ଜଳୁଛି ମାଲକାନଗିରି। ନିଆଁରେ ଦଗ୍ଧ ହେଉଛି ଘର ଓ ଗାଡ଼ି। ଦୁଇଦିନ ହେଲାଣି  ଦୁଇଗୋଷ୍ଠୀ ମୁହାଁମୁହିଁ। ମୁଣ୍ଡ ବିହୀନ ଶବକୁ ନେଇ ମହାଭାରତ । ନିୟନ୍ତ୍ରଣକୁ ଆସୁନି ରାଖାଲଗୁଡା ଓ ଏମଭି ୨୬ ଗାଁ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା। ପ୍ରାଣ ହରାଇଥିବା ମହିଳା ଲାକେ ପଡ଼ିଆମିଙ୍କ କଟାମୁଣ୍ଡ କୁଆଡ଼େ ଗଲା? ଧନୁତୀର, ଫାର୍ସା ଓ ପାରମ୍ପରିକ ଅସ୍ତ୍ରସନ୍ତ୍ର ଧରି ରକ୍ତମୁଖା ଆଦିବାସୀ। ମୁହାଁମୁହିଁ ସ୍ଥିତିରେ ଉଭୟ ଗାଁ ଲୋକେ। ସୋମବାର ଦେଖିବାକୁ ମିଳିଲା ହିଂସାକାଣ୍ଡର ଜଘନ୍ଯ ଦୃଶ୍ଯ। ପୋଲିସ ଉପସ୍ଥିତିରେ ଜଳିଲା ଘର, ଗାଡ଼ି ସମେତ ଦୋକାନ ବଜାର। ଘଟଣାକୁ ୪ ଦିନ ବିତିଥିଲେ ମଧ୍ଯ ପରିସ୍ଥିତିରେ ଆସୁନି ସୁଧାର । ନାକେଦମ ହେଲେଣି ସ୍ଥାନୀୟ ପ୍ରଶାସନ ଓ ପୋଲିସ । ଉତ୍ତ୍ୟକ୍ତ ଲୋକଙ୍କୁ ହଟାଇବା ପାଇଁ ଟିଅର ଗ୍ୟାସ ପ୍ରୟୋଗ କରାଯାଇଛି । ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ । ଲୋକଙ୍କ ଗତିବିଧି ଉପରେ ନଜର ରଖିବା ସହ ଗାଡ଼ି ମୋଟର ଯାଞ୍ଚ କରାଯାଉଛି। ଘଟଣାର ସମୀକ୍ଷ କରିଛନ୍ତି କୋରାପୁଟ ଆଇଜି। ପୋଟେରୁ ନଦୀର ଜଳ ନିଷ୍କାସନ ବନ୍ଦ କରି ମୃତ ମହିଳାଙ୍କ ମୁଣ୍ଡ ଖୋଜୁଛି ଓଡ୍ରାଫ ଟିମ। ଆଜି ଏମଭି ୨୬ ଗ୍ରାମରେ ଶତାଧିକ ଲୋକ ପହଁଚି ପୁଣି ଭଙ୍ଗା ରୁଜା କରିଛନ୍ତି । କେତେକଙ୍କ ଘର ପୋଡ଼ି ଦେଇଥିଲେ ଦୁର୍ବୃତ୍ତ। ଏହାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହୋଇଛନ୍ତି । ଖାଲିସେତିକି ନୁହେଁ ୬ରୁ ୭ ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ର ଧରି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବାକୁ ବି ପଛାଇନାହାନ୍ତି।

ଘଟଣାକୁ ବିତିଲାଣି ୪ ଦିନ । ହେଲେ ରାଜ୍ୟ ସରକାରଙ୍କ ପାଖରେ ଏନେଇ ଖବର ନାହିଁ । ଏଭଳି ଅଭିଯୋଗ ଆଣି ବିଧାନସଭା ଶୂନ୍ଯକାଳରେ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସର ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଗୃହରେ ସେ ଅଭିଯୋଗ କରିଛନ୍ତି। ବଙ୍ଗାଳୀ ଓ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଜାରି ରହିଛି । ତାକୁ କାହିଁକି ହାଲୁକା ଭାବରେ ପୋଲିସ ନେଉଛି ? ଘଟଣା ପୂର୍ବରୁ କାହିଁକି ଚୁପ୍ ବସିଥିଲା ପୋଲିସ ? ମାଲକାନଗିରିର ଆଇନଶୃଙ୍ଖଳା ପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ଦାବି କରିଛନ୍ତି । ସେପଟେ କଂଗ୍ରେସ ବିଧାୟକଙ୍କୁ ସମର୍ଥନ କରି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ମାଲକାନଗିରି ଅଘଟଣ ବିଷୟରେ ଗୃହ ବିଭାଗ ଜାଣି ନପାରିବା ଦୁର୍ଭାଗ୍ୟଜନକ  ବୋଲି ପ୍ରତାପ ଦେବ ଅଭିଯୋଗ କରିଥିଲେ। ସେପଟେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଘଟଣାସ୍ଥଳରେ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାର ଓ ପ୍ରଶାସନ ଅପାରଗତା ଦାୟୀ କରିଛନ୍ତି। ୪ ଦିନ ଆଗରୁ ଗାଁର ଜଣେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିଲା ଲଙ୍କାକାଣ୍ଡ। ଏଯାଏ ମୁଣ୍ଡ ମିଳିନି। ମୃତକ ଜଣକ ହେଲେ ରାଖାଲଗୁଡ଼ା ଗାଁର ଲାକେ ପଡ଼ିଆମି । ଘଟଣାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହୋଇଛନ୍ତି ।

ରାଜ୍ୟର ବିଭିନ୍ନ ଅଦାଲତରେ ପଡ଼ିଛି ଲକ୍ଷାଧିକ ମାମଲା, ଏଥିରୁ ଅଧା ମାମଲା ସରକାରଙ୍କ ବିରୋଧରେ..

ଭୁବନେଶ୍ବର : ସବୁ ବିଭାଗରେ ବର୍ଷ ବର୍ଷ ଧରି ପଡ଼ିରହିଛି ଶହ ଶହ ମାମଲା। ନିୟମିତ କାର୍ଯ୍ୟବ୍ୟସ୍ତତା ଯୋଗୁଁ ବିଭାଗ ଗୁଡ଼ିକ ମାମଲା ଉପରେ ଧ୍ୟାନ ଦେଇପାରୁନାହାନ୍ତି । ଏଥିପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଆଇନ ସହକାରୀ ନିର୍ଦ୍ଦେଶକ । ପୂର୍ବରୁ ଗୃହ ବିଭାଗ ଅଧୀନରେ ଥିବା ବେଳେ ଏବେ ଆଇନ ବିଭାଗ ଅଧୀନକୁ ଆସିଛନ୍ତି । ଏମାନଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମାମଲାଗୁଡ଼ିକୁ ଶୀଘ୍ର ତୁଟାଇବାକୁ ବିଭାଗକୁ ଆଇନଗତ ସହାୟତା ପ୍ରଦାନ କରିବେ ସହକାରୀ ନିର୍ଦ୍ଦେଶକମାନେ। ସେହିପରି ରାଜ୍ୟରେ ଥିବା ନୋଟାରୀମାନଙ୍କ କାର୍ଯ୍ୟଧାରା ଉପରେ ନଜର ରଖିବାକୁ ଆରମ୍ଭ ହୋଇଛି ନୋଟାରୀ ମ୍ୟାନେଜମେଣ୍ଟ ସିଷ୍ଟମ। ଆଇନ ମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ନୋଟାରୀମାନଙ୍କ ନିଯୁକ୍ତି, ସେମାନଙ୍କ ଦୈନନ୍ଦିନ କାର୍ଯ୍ୟଧାରା ଉପରେ ସିଷ୍ଟମ କାମ କରିବ। ସରକାରଙ୍କ ବିଭିନ୍ନ ବିଭାଗରେ ପଡ଼ିରହିଥିବା ମାମଲା ତ୍ବରାନ୍ବିତ କରିବାକୁ ସହକାରୀ ନିର୍ଦ୍ଦେଶକ ମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବେ।

ରାଜ୍ୟରେ ଏବେ ୨୦ଲକ୍ଷ ୬୩ ହଜାର ମାମଲା ବିଚରାଧୀନ ରହିଛି । ଏଥିରୁ ୫୦ ପ୍ରତିଶତ ସରକାରଙ୍କ ବିରୋଧରେ ମାମଲା ରହିଛି । ସବୁଠାରୁ ଅଧିକ ମାମଲା ରାଜସ୍ବ ବିଭାଗରେ । ଶିକ୍ଷା ବିଭାଗ, ପଞ୍ଚାୟତିରାଜ ବିଭାଗରେ ବି ଅନେକ ମାମଲା ବିଚରାଧୀନ ରହିଛି । କେଉଁଠି ଅଦାଲତ ଅବମାନନା ମାମଲା ତ ପୁଣି କେଉଁଠି ଜମିଜମା ସେଟଲ୍ ମାମଲା ବର୍ଷ ବର୍ଷ ଧରି ଗଡିଚାଲିଛି । ଏସବୁ ମାମଲାକୁ ତୁରନ୍ତ ସାରିବାକୁ ଆଇନ ସହକାରୀ ନିର୍ଦ୍ଦେଶକମାନେ କାମ କରିବେ। ମାମଲା ଏତେ ରହିଛି ଯେ, କେଉଁ ମାମଲାର କେବେ ତାରିଖ ଅଛି, ତାହା ବିଭାଗୀୟ ଅଧିକାରୀମାନେ ଜାଣିପାରୁନାହାନ୍ତି । ଏଥିପାଇଁ କେତେବେଳେ ବିଭାଗୀୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ଦେବାକୁ ପଡୁଛି ତ କେଉଁଠି ଜରିମାନା ଦେବାକୁ ପଡୁଛି। ଲକ୍ଷାଧିକ ମାମଲା ତଳ କୋର୍ଟରୁ ହାଇକୋର୍ଟ ଯାଏଁ ପଡ଼ିରହିଥିବା ବେଳେ ଏହାର ତୁରନ୍ତ ଫଇସଲା ପାଇଁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଜମିଜମା ବନ୍ଦୋବସ୍ତ ମାମଲା ବିଚାର ପାଇଁ ତହସିଲଦାରଙ୍କୁ କ୍ଷମତା ଦିଆଯାଇଛି। କ୍ରିମିନାଲ ମାମଲାର ବିଚାର ପାଇଁ ନୂଆ ଏସଓପି ଆଣିଛନ୍ତି । ଇଣ୍ଟିଗ୍ରେଟେଡ ଲିଗାଲ ମନିଟରିଂ ସିଷ୍ଟମ ସହ ରାଜସ୍ବ ବିଭାଗରେ କୋର୍ଟ କେସ୍ ମନିଟରିଂ ସିଷ୍ଟମ ଆରମ୍ଭ କରାଯାଇଛି।.

ସରକାରଙ୍କ ବିଫଳତା ବଖାଣିଲେ ଅରୁଣ ସାହୁ

ଭୁବନେଶ୍ଵର : ୧୮ ମାସର ବିଜେପି ସରକାର। ଲୋକଙ୍କ ସରକାର ସବୁଥିରେ ବିଫଳ। କାହିଁକି କଣ ପାଇଁ ? ଇତିହାସ ପାଲଟିଥିବା ଭୋକର ଭୂଗୋଳ ଆଜି ପୁଣି କାହିଁକି ଚେଇଁ ଉଠିଲାଣି ? କ୍ଷମତାକୁ ଆସିବା ପୂର୍ବରୁ ଏକ ବିକଶିତ ଓ ବଳକା ରାଜସ୍ବ ରାଜ୍ଯ ଥିଲା ଓଡ଼ିଶା। ଯାହା ଉପରେ ଆଜି ବିଜେପି ସରକାର ଗର୍ବ କରୁଛନ୍ତି। ସେଥିପାଇଁ ପୂର୍ବ ସରକାରଙ୍କ ଭିଜନ ଥିଲା। ଏବେ ସବୁକିଛି ଦିଶାହୀନ। ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ଓଡ଼ିଶା ବିନିଯୋଗ ବିଲ ୨୦୨୫ ଆଲୋଚନାରେ ସରକାରଙ୍କୁ ଏପରି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ। ବିଜେଡି ବିଧାୟକ ଅରୁଣ ସାହୁ ଗୋଟି ଗୋଟି କରି ସରକାରଙ୍କ ବିଫଳତାକୁ ଦର୍ଶାଇଥିଲେ। କହିଥିଲେ, ବିଜେପି ସରକାରଙ୍କୁ ଜଣାନାହିଁ ଆର୍ଥିକ ପରିଚାଳନା। ଋଣ କରି ବଜେଟ ଆକାର ବଢ଼ାଉଛନ୍ତି। ହେଲେ ଅର୍ଥ ଖର୍ଚ୍ଚ ହୋଇପାରୁନି। ମହିଳାଙ୍କୁ ଅସଦାଚରଣରେ ଓଡ଼ିଶା ଦେଶରେ ଏକ ନମ୍ବରରେ ପହଞ୍ଚିଲାଣି। ଏବେ ରାଜ୍ଯରେ ଦିନକୁ ୧୫ ଜଣ ମହିଳାଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ଘରୁ ଗୋଡ଼ କାଢ଼ିବାକୁ ଡରିଲେଣି ମହିଳା ଓ ନାବାଳିକା । ସୌମ୍ୟାଶ୍ରୀ ଆତ୍ମହତ୍ୟା, ଗୋପାଳପୁର ଗଣଦୁଷ୍କର୍ମ, ବଳଙ୍ଗା, ମାଲକାନଗିରିରେ ୩ ଶିଶୁଙ୍କୁ ନିର୍ଯାତନା ଉଦାହରଣ ଦର୍ଶାଇ ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲେ ବିଧାୟକ ଅରୁଣ ସାହୁ। ପୂର୍ବତନ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିଲେ। ହେଲେ ସରକାର ଏ ପର୍ଯ୍ଯନ୍ତ ଚୁପ। ବଡ଼ ଠାକୁର ପଡ଼ିଯିବା ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଲାନି। ଆୟୁଷ୍ମାନ ଯୋଜନା ଆୟୁକ୍ଷୟ ଯୋଜନାରେ ପରିଣତ ହେଲାଣି। ବେକାରୀ ବଢ଼ିଚାଲିଛି, ଧାନ କିଣାରେ ଅବ୍ୟବସ୍ଥା, ଦରଦାମ ବୃଦ୍ଧି, ଚାଷୀଙ୍କୁ ଏମଏସପି ବାବଦରେ କେନ୍ଦ୍ର ବଢାଇଛି ମାତ୍ର ୬୯ ଟଙ୍କା, କିଶୋରୀଙ୍କ ପାଇଁ ହୋଇଥିବା ଖୁସି ଯୋଜନା ବନ୍ଦ, ଲୋକାୟୁକ୍ତ ଅଚଳ, ଖାଲି ପଡ଼ିଛି ବୋର୍ଡ ଓ ନିଗମ ଅଧ୍ଯକ୍ଷ ପଦ । କେନ୍ଦ୍ର ଓ ରାଜ୍ଯରେ ବିଜେପି ସରକାର ଥାଇ ବି ମହାନଦୀ ସମସ୍ୟାର ସମାଧାନ ହୋଇପାରୁନି। ଦାରିଦ୍ର୍ୟର ପୁରୁଣା ଚିତ୍ର ଦେଖାଦେଲାଣି। ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ଗରିବଙ୍କ ମୃତ୍ୟୁ ହେଉଛି। ଆଦିବାସୀ ଜୁଆଙ୍ଗ ପିଲାଙ୍କ ଦୁଃଖ କଥା କହିଲେ ନ ସରେ ବୋଲି ସରକାରଙ୍କୁ କଟାକ୍ଷ କରିଥିଲେ ଅରୁଣ। ସେପଟେ ସରକାରଙ୍କ ବିଫଳତା ଉପରେ କାହିଁକି ଶବ୍ଦ ବାରମ୍ବାର ବ୍ଯବହାର କରିବାରୁ ଅରୁଣଙ୍କୁ ଜବାବ ଦେଇଥିଲେ ଶାସକ ଦଳ ବିଧାୟକ ଟଙ୍କଧର ତ୍ରିପାଠୀ ।

ବିନିଯୋଗ ବିଲ ଆଲୋଚନାରେ କଂଗ୍ରେସ ମଧ୍ୟ ସରକାରଙ୍କ ବିଫଳତାକୁ ଟାର୍ଗେଟ କରିଥିଲା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଅଭିଯୋଗ କରିଥିଲେ ଯେ, ବାର୍ଷିକ ବଜେଟ ଅର୍ଥ ସରକାର ଖର୍ଚ୍ଚ କରିପାରି ନାହାନ୍ତି। ପୁଣି ଆଣିଥିବା ଅତିରିକ୍ତ ବଜେଟ କିଭଳି ଖର୍ଚ୍ଚ କରିବ, ତାକୁ ନେଇ ଉପୁଜିଲାଣି ସନ୍ଦେହ। ବଜେଟ ଅର୍ଥ କମ, ଖର୍ଚ୍ଚ ବିକାଶରେ ପ୍ରତିବନ୍ଧକ।  ରାଜ୍ୟରେ ଡାକ୍ତର ଅଭାବ, ଶିକ୍ଷକ ଅଭାବ । ଆଦିବାସୀଙ୍କୁ ମିଳୁନି ସେମାନଙ୍କ ହକ। କିନ୍ତୁ ଆଗାମୀ ୫୦ ବର୍ଷ ପାଇଁ ବିଜେପି ସରକାର ଓଡ଼ିଶାବାସୀଙ୍କ ସେବା କରିବ ବୋଲି ଦାବି କରୁଛି । ଅନ୍ରପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଜବାବ ରଖିଛି ଶାସକ ଦଳ। ୧୮ ମାସର ବିଜେପି ସରକାରର ବିଫଳତାର ବିଭାଗ ୱାରି ଉଦାହରଣ ଦେଇ ମନ୍ତ୍ରୀ ଓ ଶାସକ ଦଳକୁ ଟାର୍ଗେଟ କରିଥିଲେ ବିଜେଡିର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର। ସେପଟେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଦ୍ବିତୀୟ ବ୍ଯୟ ମଞ୍ଜୁରୀ ବିଲର ପରିମାଣ ୧୭ ହଜାର ୪୪୦ କୋଟି ୨୧ ହଜାର ଟଙ୍କା।

୯୪ ପ୍ରତିଶତ ପଛୁଆବର୍ଗଙ୍କ ପାଇଁ ବାଚସ୍ପତିଙ୍କୁ ସ୍ମାରକପତ୍ର

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ପଛୁଆବର୍ଗଙ୍କ ସଂରକ୍ଷଣକୁ ନେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ବିଧାନସଭା ବାଚସ୍ପତି ମାନନୀୟା ଶ୍ରୀମତୀ ସୁରମା ପାଢ଼ୀଙ୍କୁ ବିଧାନସଭାରେ ତାଙ୍କ କକ୍ଷରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଓଡ଼ିଶାର ସମୁଦାୟ ଜନସଂଖ୍ୟାର ପ୍ରାୟ ୯୪ ପ୍ରତିଶତ ପଛୁଆବର୍ଗ (ଓବିସି ଓ ଏସ୍‌ଇବିସି ୫୪ ପ୍ରତିଶତ, ଅନୁସୂଚିତ ଜାତି ଓ ଜନଜାତି ୪୦ ପ୍ରତିଶତ) ଅଟନ୍ତି। ସମ୍ବିଧାନର 164(୧) ଧାରା ଅନୁଯାୟୀ ଓଡ଼ିଶାର ଉକ୍ତ ବର୍ଗଙ୍କୁ ବିଶେଷ ସଂରକ୍ଷଣ ସୁବିଧା ଦେବାପାଇଁ ବ୍ୟବସ୍ଥା ଥିବା ସତ୍ତ୍ବେ ଏହି ବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇ ଆସିଛନ୍ତି । ଏ ବିଷୟକୁ ଅତ୍ୟନ୍ତ ଗୁରୁତ୍ବର ସହ ବିଚାରକୁ ନେଇ ଓଡ଼ିଶା ବିଧାନସଭା, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତ୍ବରିତ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଗ୍ରହଣ କରିବାକୁ ସ୍ମାରକପତ୍ରରେ ଅନୁରୋଧ କରିଛନ୍ତି ।
ଗତ ୬ ଡିସେମ୍ବର ବାବା ସାହେବ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ “ସାମାଜିକ ନ୍ୟାୟ ଓ ଓଡ଼ିଶା” ସମାବେଶରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଯେ “ଓଡ଼ିଶା ବିଧାନସଭା ରାଜ୍ୟ ସରକାରଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୫ (୪) ଓ ୧୬ (୪) ଅନୁଯାୟୀ ସୁପାରିଶ କରୁଛି ଯେ ରାଜ୍ୟର ଓବିସି/ଏସଇବିସି ଏବଂ ଅନୁସୂଚିତ ଜାତି – ଅନୁସୁଚିତ ଜାତି ବର୍ଗର ସଂଖ୍ୟାନୁପାତିକ ଆଧାରରେ ସମସ୍ତ ପ୍ରକାର ଉଚ୍ଚଶିକ୍ଷା (ବୈଷୟିକ/ ମେଡିକାଲ / ବୃତ୍ତିଗତ) ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ତୁରନ୍ତ ଲାଗୁ କରିବା ସଂଗେ ସଂଗେ ଏହି “ସଂଖ୍ୟାନୁପାତିକ ସଂରକ୍ଷଣ ବ୍ୟବସ୍ଥା”କୁ “ସମ୍ବିଧାନର ନବମ ସୂଚୀ” ରେ ସାମିଲ କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ଗ୍ରହଣ କରନ୍ତୁ ” ।
ଏଥିନିମନ୍ତେ ରାଜ୍ୟ ସରକାର ବିଧାନସଭାରେ ଏକ ସରକାରୀ ପ୍ରସ୍ତାବ ଆଗତ କରିବା ସହ ତାକୁ ସର୍ବଦଳୀୟ ସମର୍ଥନରେ ଗୃହୀତ କରି କେନ୍ଦ୍ର ସରକାରଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାର ଚଳିତ ଅଧିବେଶନରେ ଗୃହୀତ କରାଇବାକୁ ସ୍ମାରକପତ୍ରରେ ଅନୁରୋଧ କରାଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବିଧାୟକ ଅଶୋକ ଦାସ, ବିଧାୟକ ସିଏସ ରାଜନ ଏକ୍କା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ପିସିସି ଉପସଭାପତି ଡ. ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ପିସିସି ଗଣମାଧ୍ୟମ ଅଧ୍ୟକ୍ଷ  ଅରବିନ୍ଦ ଦାସ ସାମିଲ ହୋଇ ବାଚସ୍ପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ରାଜଧାନୀ ମୁହାଁ ବିଭିନ୍ନ ସଂଗଠନ, ଲୋୟର ପିଏମଜିରେ ବିଶାଳ ଗଣଧାରଣା

ଭୁବନେଶ୍ବର : କମ୍ପୁଛି ରାଜଧାନୀର ଲୋୟର ପିଏମଜି । ଦାବି ପୂରଣ ପାଇଁ ଆନ୍ଦୋଳକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ । ବିଧାନସଭା ମୁହାଁ ଦେଖି ବ୍ଯାରିକେଡ ଲଗାଇ ସଜାଗ ପୋଲିସ । ମାଷ୍ଟର କ୍ୟାଣ୍ଟିନ୍ ଛକରୁ ବିଶାଳ ରାଲି କରି ଆନ୍ଦୋଳସ୍ଥଳରେ ପହଞ୍ଚିଛନ୍ତି  ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକାପାଚିକା ମହାସଂଘର କର୍ମଚାରୀ । ୭ ଦଫା ଦାବି ନେଇ ଆରମ୍ଭ କରିଛନ୍ତି ଆନ୍ଦୋଳନ । ୩୦ ବର୍ଷ ଧରି ଉତ୍ସର୍ଗୀକୃତ ଭାବେ ସେବା ଯୋଗାଇ ଆସୁଥିଲେ ସୁଦ୍ଧା ସରକାର ସେମାନଙ୍କ ପ୍ରତି ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି । ପାରିଶ୍ରମିକ ଦୈନିକ ଏକଶହ ଟଙ୍କା ବଦଳରେ ୪୬୨ ଟଙ୍କା ବୃଦ୍ଧି ହିସାବରେ ମାସିକ ୧୩ ହଜାର ୮୬୦ ଟଙ୍କା ଦାବି କରିଛନ୍ତି ପାଚକ ପାଚିକା ।

୧୧ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣାରେ ବସିଛନ୍ତି ଶତାଧିକ ୧୦୮ ଆମ୍ବୁଲାନ୍ସ କର୍ମଚାରୀ  I ଦାବି ପୂରଣ ନହେଲେ ରାଜ୍ୟର ସମସ୍ତ କର୍ମଚାରୀ ସେବାରୁ ନିବୃତ୍ତ ହୋଇ ଧାରଣାରେ ବସିବେ ବୋଲି ଦେଇଛନ୍ତି ଚେତାବନୀ I ଦୀର୍ଘବର୍ଷ ଧରି ରୋଗୀ ସେବା ଯୋଗାଇ ଆସୁଥିଲେ ବି ସେମାନଙ୍କୁ ଧୋକ୍କା ଦିଆଯାଇଥିବା ଅଭିଯୋଗ କରିଛି ସଂଘ । ୧୨ ଘଣ୍ଟା ଡିଉଟି କରି ୮ ଘଣ୍ଟାର ଦରମା ମିଲୁଛି । ସଂସ୍ଥା ବଦଳିଲେ ଷ୍ଟାଫଙ୍କୁ ବି ଚାକିରିରୁ ବାହାର କରାଯାଉଛି । ସେପଟେ ଆଦର୍ଶ ବିଦ୍ୟାଳୟ ଶିକ୍ଷକମାନେ ବି ଅଭିନବ ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି I ସମାନ କାମକୁ ସମାନ ଦରମା ଦାବିରେ ହାତରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ୧୩ଦଫା ଦାବି ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଲୟ ଶିକ୍ଷକ ସଂଘର ୫ ହଜାରରୁ ଅଧିକ ଶିକ୍ଷକ ଲୋୟର ପିଏମଜି ଧାରଣା ଦେଇଛନ୍ତି । ସେପଟେ ଆଦର୍ଶ ବିଦ୍ୟାଲୟ ଶିକ୍ଷକ ସଂଘର ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ଯାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ତେବେ ସରକାରଙ୍କ ସହ ଆଲୋଚନା କରି ଯାହା ସମ୍ଭବ ହେବ ତାହା ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ନିଜ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସରକାର ସେମାନଙ୍କ ସମସ୍ଯା ନେଇ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ନଜର I

ଆକ୍ସନ ମୋଡରେ ଓଡ଼ିଶା ଅଗ୍ନିଶମ ବିଭାଗ, ୧୫୫ ବାର ଓ ପବରେ ହେବ ସର୍ପରାଇଜ ଚେକିଂ

ଭୁବନେଶ୍ୱର : ୧୦ ଦିନ ଭିତରେ ହେବ ଫାୟାର ସେଫ୍ଟି ଯାଞ୍ଚ । ଥାର୍ଡ ପାର୍ଟି ଜରିଆରେ ହେବ ସରପ୍ରାଇଜ ଚେକିଂ । ଗୋଆ ରିଆକ୍ସନ ପରେ ଓଡ଼ିଶାରେ ଆକ୍ସନ । ଗଳାବାଟରେ ଖସିପାରିବେନି ଖିଲାପକାରୀ । ଏହି ଅଗ୍ନିକାଣ୍ଡ ଯେତିକି ଭୟଙ୍କର ସେତିକି ଚିନ୍ତାଜନକ । ନର୍ଥ ଗୋଆରେ ଥିବା ଏକ ଡ୍ୟାନ୍ସ ପବ୍ ରେ ଗତ ୭ ତାରିଖରେ ଘଟିଥିବା ଅଘଟଣରେ ଚାଲିଯାଇଛି ୨୫ ଜଣଙ୍କ ଜୀବନ । ୬ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏହି ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଓଡିଶା ଅଗ୍ନିଶମ ବିଭାଗ ଦେଖାଇଛି ତତ୍ପରତା । ସମସ୍ତ କ୍ଲବ, ବାର ଓ ଡ୍ୟାନ୍ସ ପବ୍ ରେ ହେବ ଚେକିଂ । ଶହେ ସିଟ୍ କାପାସିଟି ଥିବା ରେଷ୍ଟୁରାଣ୍ଟ କୁ ମଧ୍ୟ ଚେକିଂ ପରିସରଭୁକ୍ତ କରାଯିବ । ୧୦ ଦିନ ମଧ୍ୟରେ ଅଗ୍ନିଶମ ନିରାପତ୍ତା ରିପୋର୍ଟ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନିରାପତ୍ତା ସମ୍ବନ୍ଧିତ ସରଞ୍ଜାମ ରହିଛି କି ନାହିଁ ସେ ନେଇ ମଧ୍ୟ ଯାଞ୍ଚ କରାଯିବ ।

ରାଜ୍ୟରେ ଥିବା ବଡ଼ବଡ଼ କୋଠା ଯେପରିକି ଡାକ୍ତରଖାନା ଏବଂ ସପିଂ ମଲ୍ , ବାର , ପବ୍ ଆଦି ସ୍ଥାନରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଯାଞ୍ଚ କରିବ ଥାର୍ଡ ପାର୍ଟି ।  ବିଲ୍ଡିଂ ଆପୃଭାଲ ହୋଇଥିଲେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଅଛି କି ନାହିଁ ତାହା ଯାଞ୍ଚ କରିବ ଥାର୍ଡ ପାର୍ଟି । ପ୍ରତି ୬ ମାସରେ ଥରେ ଏହାକୁ ଅପଡେଟ୍ କରିବ ସଂସ୍ଥା । ପରିଶେଷରେ ଅଗ୍ନିଶମ ବିଭାଗ ଏହାକୁ ସ୍କୁଟିନି କରିବ । ସେପଟେ ଭୁବନେଶ୍ୱରରେ ୧୫୫ ଟି ବାର ଓ ଡ୍ୟାନ୍ସ ପବ ରହିଛି । ଯଦି ବିନା ଅଗ୍ନିଶମ ନିରାପତ୍ତାରେ କେହି କେହି ବାର ଓ ପବ ଚଳାଉଥାନ୍ତି ତେବେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅବକାରୀ ସୁପରିନଟେଣ୍ଡେଣ୍ଟ । ଆଗକୁ ବଡ଼ଦିନ ଓ ନୂଆବର୍ଷ । ରାଜଧାନୀରେ ରାତିକୁ ରଙ୍ଗୀନ କରିବା ପାଇଁ ଚାହିଁ ବସିଛନ୍ତି ଯୁବପିଢି । ଅଗ୍ନିଶମ ଓ ଅବକାରୀ ବିଭାଗର ଚେତାବନୀ ଅମାନିଆ ବାର ମାଲିକଙ୍କୁ ପଡିପାରେ ମହଙ୍ଗା ।

ଓଡ଼ିଶା ଓ କୋରାପୁଟ ଜିଲ୍ଲା ପାଇଁ ଗର୍ବ ଆଣିଲେ ଡକ୍ଟର ଶତାଦ୍ଦୀ ମିଶ୍ର

ଜୟପୁର : ଦାରିଦ୍ର୍ୟ ହ୍ରାସ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ । ତୁର୍କୀରେ ଏକାଠି ହେଲେ ୭୦ ଦେଶର ପ୍ରତିନିଧି । ମିଳିତ ଜାତିସଂଘର ଅନ୍ତର୍ଜାତୀୟ ସମ୍ମିଳନୀରେ ସାମିଲ ହେଲେ ଜୟପୁର ଝିଅ । ୭ ମହତ୍ତ୍ବପୂର୍ଣ୍ଣ ପରାମର୍ଶ ରଖି ପ୍ରଶଂସା ସାଉଁଟିଲେ ଶତାବ୍ଦୀ ମିଶ୍ର । କୋରାପୁଟ ଜିଲ୍ଲା ଜୟପୁରର ଝିଅ ଡାକ୍ତର ଶତାବ୍ଦୀ ମିଶ୍ର । ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଭାଗ ଅଧିକାରୀ ଭାବେ କାର୍ଯ୍ୟରତ । ତୁର୍କୀର ଇସ୍ତାନବୁଲରେ ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତ ପାଇଁ ପ୍ରତିନିଧିତ୍ବ କରିଛନ୍ତି । ୨୦ରୁ ଅଧିକ ଆଶାୟୀଙ୍କ ମଧ୍ଯରୁ ଶତାବ୍ଦୀଙ୍କୁ ମନୋନିତ କରିଥିଲା  ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ୩ ଦିନିଆ ସମ୍ମିଳନୀରେ ଭାଗ ନେଇ ଜଳବାୟୁ ପରିବର୍ତ୍ତନର ପ୍ରଭାବ ରୋକିବାକୁ କଣ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଦେଇଥି ୭ ପରାମର୍ଶ । ସମ୍ମିଳନୀରେ ବିଶ୍ବର ୭୦ଟି ଦେଶ ଅଂଶଗ୍ରହଣ କରିଥିବା ବେଳେ ୭ଟି ଲେଖାଁଏ ଦେଶକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଥିଲା । ସମ୍ମିଳନୀ ପରେ ଆହୁରି ୧୨ ଦିନ ଧରି ଶତାବ୍ଦୀ ତୁର୍କୀରେ ରହି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ଏହାର ନିରାକରଣ ଦିଗରେ ଅନ୍ୟ ଦେଶ ଗୁଡ଼ିକ କେଉଁ ପଦକ୍ଷେପ ନେଇଛନ୍ତି ସେ ନେଇ ଅନୁଧ୍ୟାନ କରିଥିଲେ ।

ଭାରତର ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଗୁଡ଼ିକରେ ପ୍ରାକୃତିକ ବିପର୍ଯ୍ଯୟ ଅର୍ଥନୈତିକ ସ୍ଥିତି ଉପରେ ପକାଉଛି ଗଭୀର ପ୍ରଭାବ । ଏହାର ମୁକାବିଲା ପାଇଁ ଭାରତ ୭ଟି ପ୍ରମୁଖ ପଦକ୍ଷେପ ମାଧ୍ୟମରେ ଦାରିଦ୍ର୍ୟ ହ୍ରାସ ସହ ଜଳବାୟୁ ସ୍ଥିରତା କ୍ଷେତ୍ରରେ ପ୍ରୟାସ ଆରମ୍ଭ କରିଛି । ଏହି ସନ୍ଦର୍ଭରେ ୭ଟି ମହତ୍ବପୂର୍ଣ୍ଣ ପରାମର୍ଶ ଦେଇ ସାଉଁଟିଛନ୍ତି ଶତାବ୍ଦୀ । ପ୍ରସ୍ତୁତି ସମୟରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀନାଥ ମିଶ୍ର ଓ ଅବସରପ୍ରାପ୍ତ କୃଷି ଅଧିକାରୀ ଜି. ଭେଙ୍କଟ ରେଡ୍ଡୀ ତାଙ୍କୁ ସହାୟତା କରିଥିଲେ । ଆଲୋଚନାଚକ୍ରରେ ଭାରତ, ଚାଇନା, କାତାର, ଦକ୍ଷିଣ ଆଫ୍ରିକା, ଫିଲଫାଇନ୍ସ, ଭିଏତନାମା, ଶ୍ରୀଲଙ୍କାଙ୍କୁ ନେଇ ଗଠିତ ଟିମର ନେତୃତ୍ବ ନେଇଥିଲେ ଶତାବ୍ଦୀ ।

ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ । ସନ୍ଧ୍ୟା ୬ଟାରୁ ବନ୍ଦ ହେବ ଇଣ୍ଟରନେଟ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା
ଏମଭି ୨୬ ଗ୍ରାମରେ ପୁଣି ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଛି। ଗ୍ରାମରେ ଶତାଧିକ ଲୋକ ପହଁଚି ପୁଣି ଭଙ୍ଗା ରୁଜା କରୁଥିବା ସୂଚନା । ପୋଲିସ ପକ୍ଷରୁ ଉତ୍ତ୍ୟକ୍ତ ଲୋକଙ୍କୁ ହଟାଇବା ପାଇଁ ଟିଅର ଗ୍ୟାସ ପ୍ରୟୋଗ କରାଯାଉଥିବା ସୂଚନା। ଏମଭି ୨୬ ଓ ରାଖାଲଗୁଡ଼ା ଗାଁରେ ୧୬୩ ଧାରା ଜାରି କରାଯାଇଛି । ୪ ଦିନ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି । ଲୋକଙ୍କ ଗତିବିଧି ଉପରେ ନଜର ରଖିବା ସହ ଗାଡି ମୋଟର ଯାଞ୍ଚ କରାଯାଉଛି। ତୁମୁଳ କାଣ୍ଡ ପରେ ଆଜି ସ୍ଥିତିରେ ସାମାନ୍ଯ ସୁଧାର ଆସିଥିଲେ ମଧ୍ୟ ପୁଣି ଉତ୍ତେଜନା ଲାଗି ରହିଛି । ୪ ଦିନ ଆଗରୁ ଗାଁର ଜଣେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିଲା ଲଙ୍କାକାଣ୍ଡ। ଏଯାଏ ମୁଣ୍ଡ ମିଳିନି। ମୃତକ ଜଣକ ହେଲେ ରାଖାଲଗୁଡ଼ା ଗାଁର ଲାକେ ପଡ଼ିଆମି। ଏହାକୁ ନେଇ ଏମଭି ୨୬ ଗାଁରେ ଭଙ୍ଗାରୁଜା ହୋଇଥିଲା। କେତେକଙ୍କ ଘର ପୋଡ଼ି ଦେଇଥିଲେ ଦୁର୍ବୃତ୍ତ। ଏହାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହୋଇଥିଲେ। ରାଖାଲଗୁଡା ଓ ଏମଭି ୨୬ ଗାଁ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଘଟଣାସ୍ଥଳରେ ମାଲକାନଗିରି ଏସଡିପିଓ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅନ୍ୟପଟେ କୋରାପୁଟ ଆଇଜି ଘଟଣାର ସମୀକ୍ଷା କରିଛନ୍ତି । ଏଥିସହ ପୋଟରୁ ନଦୀର ଜଳ ନିଷ୍କାସନ ବନ୍ଦ କରି ମୃତ ମହିଳାଙ୍କ ମୁଣ୍ଡ ଖୋଜୁଛି ପୋଲିସ।

ଖୁବ ଶୀଘ୍ର ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି…

କୋଣାର୍କ : ଖୁବ ଶୀଘ୍ର ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି । ଏନେଇ ଏଏସଆଇ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସଆଇର ପୂର୍ବତନ ଡାଇରେକ୍ଟର ଜେନେରାଲ ଅଫ କଞ୍ଜରଭେସନ ଏକେ.ବାସାଙ୍କ ସମେତ ଏକ ୧୦ ଜଣିଆ ଟେକ୍ନିକାଲ କମିଟି ସ୍ଥିତି ସମୀକ୍ଷା କରିଛନ୍ତି । ଏଏସଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡିବି ଗଡନାୟକଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ । ଗର୍ଭ ଗୃହରୁ ବାଲି କାଢ଼ିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଟ୍ରେସ ମ୍ୟାପକୁ ଟିକିନିଖି ଦେଖିଥିଲେ । ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିରର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରିଥିଲେ । ମନ୍ଦିରର ପ୍ରାୟ ୮୦ ଫୁଟ ଉଚ୍ଚତାରେ ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟରର ଟନେଲ ନିର୍ମାଣ କରାଯିବା ପାଇଁ ଆଜି ସ୍ୱତନ୍ତ୍ର ଡ୍ରିଲ ମାଧ୍ୟମରେ ମନ୍ଦିରର କାନ୍ଥରେ ଟନେଲ ଖୋଳା କାର୍ଯ୍ୟ ଆରମ୍ଭ କରାଯିବ ।..

ଦୁର୍ଲଭ ମାଆଙ୍କ ଚାଟଶାଳୀ : ବୟସ ଛୁଇଁଲାଣି ୮୨, ହେଲେ ପାଠପଢାରୁ ନେଇନାହାନ୍ତି ଅବସର

ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଲଣ୍ଡା ପଞ୍ଚାୟତ ମଣିଜଙ୍ଘ ପାଟଣାର ଦୁର୍ଲଭ ଓଝା । ଯିଏକି ସମଗ୍ର ଅଞ୍ଚଳରେ ମାଆ ମାଷ୍ଟରାଣୀ ଭାବେ ପରିଚିତ । ବୟସ ଆସି ୮୨ ଛୁଇଁଲାଣି । ହେଲେ ଏବେ ବି ପିଢ଼ି ପରେ ପିଢ଼ି ଧରି ଗାଁ ଚାଟଶାଳୀରେ କୁନି ପିଲାଙ୍କୁ ପାଠ ପଢାଉଛନ୍ତି । ଗାଁର କୁନି କୁନି ପିଲା ତାଙ୍କ ପାଖକୁ ଆସି ପାଠ ପଢ଼ିବା ସହ ଅକ୍ଷର ଶିଖୁଛନ୍ତି। ଅଙ୍ଗନବାଡ଼ିରେ ଯେତିକି ଭିଡ଼ ହୁଏ ନାହିଁ ତାଠାରୁ ଅଧିକ ଭିଡ଼ ଦୁର୍ଲଭ ମାଙ୍କ ଚାଟଶାଳୀରେ ଦେଖିବାକୁ ମିଳେ।  ସ୍ବାମୀ ମାଧବ ଓଝା ୧୯୮୨ ମସିହା ବନ୍ୟାରେ ଭାସିଯାଇ ମୃତ୍ୟୁ ବରଣ କରିବା ପରେ ଭାଙ୍ଗିପଡିନଥିଲେ ଦୁର୍ଲଭ । ଆଜକୁ ୪୦ବର୍ଷରୁ ଉର୍ଦ୍ଧ୍ବ ହେବ ଛୋଟ ଛୋଟ ପିଲାଙ୍କୁ ନେଇ ଚାଲିଛି ମା ମାଷ୍ଟ୍ରାଣି ଚାଟଶାଳୀ।

ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଥିଲେ ମଧ୍ୟ ମଣିଜଙ୍ଘ ପାଟଣା ସହିତ ଆଖ ପାଖ ଅଞ୍ଚଳର ଛୋଟ ଛୋଟ ପିଲା ମାନେ ଅଙ୍ଗନବାଡ଼ି କମ୍ ଆଉ ମା ମାଷ୍ଟରାଣୀଙ୍କ ପାଖକୁ ବେଶୀ ଆସନ୍ତି । ଯଦି କେହି କୌଣସି କାରଣବଶତଃ ଆସିନପାରିଲା ନିଜେ ଦୁର୍ଲଭ ମାଆ ଘରକୁ ଯାଇ ଭଲମନ୍ଦ ପଚାରିଆସନ୍ତି। ଯାହାର ବାପା ଏଠି ପଢ଼ୁଥିଲେ, ତାଙ୍କ ପୁଅ ମଧ୍ୟ ଏଠି ପଢୁଛି। ପ୍ରତିଦିନ ୩୦ରୁ ୪୦ ପିଲା ଏହି ଚାଟଶାଳୀକୁ ଆସିଥାନ୍ତି। କିଏ ପଇସା ଦେଉ କି ନଦେଉ ସେଥିରେ ତାଙ୍କର ଦୁଃଖ ନାହିଁ ।  କିନ୍ତୁ ସମସ୍ତଙ୍କ ପାଇଁ ଏହି ଚାଟଶାଳୀ ସବୁବେଳେ ଖୋଲା । ପିଢ଼ି ପରେ ପିଢ଼ି ଏମିତି ଅନେକ ପିଲାଙ୍କ ଭବିଷ୍ୟତ ତାଙ୍କରି ହାତରେ ଗଢା ଚାଲିଛି।