spot_img
Home Blog Page 1567

ଜୟନାରାୟଣଙ୍କ ଅହଙ୍କାର ବିଜେପିର ପ୍ରକୃତ ଓଡ଼ିଆ ଅସ୍ମିତା

ସମ୍ବଲପୁର: ଓଡ଼ିଆ ଅସ୍ମିତାକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଫୁ । ଭରା ସଭାରେ ରାଜ୍ଯ ସଙ୍ଗୀତକୁ କଲେ ଅସମ୍ମାନିତ । ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ଚେୟାରରୁ ଉଠିଲେନି ସମ୍ବଲପୁର ବିଜେପି ବିଧାୟକ । ଓଲଟି କହିଲେ, କେବେ ଠିଆ ହେଉଥିଲି ଯେ ଆଜି ଉଠିଲିନି… । ଜୟନାରାୟଣଙ୍କ ଏଭଳି ଅହଙ୍କାରକୁ ସାରା ରାଜ୍ଯରେ ନିନ୍ଦା କରାଯାଇଥିବା ବେଳେ ଏହା କ’ଣ ବିଜେପିର ଓଡ଼ିଆ ଅସ୍ମିତା କି ବୋଲି ଉଠିଛି ପ୍ରଶ୍ନ ।

ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ଜୟନାରାୟଣଙ୍କ ଅପମାନ ଭିଡିଓ ପ୍ରତି ଓଡ଼ିଆଙ୍କ ପାଇଁ ଅପମାନ । ରାଜ୍ୟ ସଙ୍ଗୀତ ଗାନ ବେଳେ ଜୟନାରାୟଣ ଚେୟାରରେ ବସି ରହିଲେ । ଠିଆ ହେବାକୁ ଉପସ୍ଥିତ ଅତିଥି ଠାର ଦେଇଥିଲେ ବି ଖାତିର କଲେନି । ରାଜ୍ୟ ସଙ୍ଗୀତକୁ ଏଭଳି ଅସମ୍ମାନ ଓଡ଼ିଆ ଅସ୍ମିତାକୁ ଯେତିକି କୁଠାରଘାତ କରିଛି ତା’ଠାରୁ ଅଧିକ ପରିତାପର ବିଷୟ ହେଉଛି ଜୟନାରାୟଣଙ୍କ ପ୍ରତିକ୍ରିୟା । ଚାରିଆଡ଼ୁ ସମାଲୋଚନା ପରେ ଜୟନାରାୟଣ ଅହଙ୍କାର ପ୍ରଦର୍ଶନ କରି କହିଛନ୍ତି, ଆଗରୁ କେବେ ଛିଡ଼ା ହୋଇଥିଲି ଯେ ଆଜି ଠିଆ ହେବି ।

ସମ୍ବଲପୁର ମନ୍ଦଳିଆ ପଡ଼ିଆରେ ଆୟୋଜିତ ହୋଇଥିଲା ବିକାଶ ମେଳା । ସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ସହ ବିଧାୟକ, ଜିଲ୍ଲାପାଳ, ଆରଡିସି ଓ ଅନ୍ଯ ପଦାଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମ ଆରମ୍ଭରୁ ରାଜ୍ଯ ସଙ୍ଗୀତ ଗାନ କରାଯାଇଥିବା ବେଳେ କେବଳ ଜୟନାରାୟଣ ଛିଡ଼ା ନହୋଇ ବସି ରହିଥିଲେ । ଜଣେ ବିଧାୟକଙ୍କର ଏଭଳି ଆଚରଣ ଓ ପ୍ରତିକ୍ରିୟାକୁ ସବୁ ମହଲରେ ସମାଲୋଚନା କରାଯାଇଛି । ଏହା କ’ଣ ବିଜେପିର ଓଡ଼ିଆ ଅସ୍ମିତା କି ବୋଲି ପ୍ରଶ୍ନ ଉଠିଛି ।

ବନ୍ଦେ ଉତ୍କଳ ଜନନୀକୁ ରାଜ୍ଯ ସଙ୍ଗୀତ ମାନ୍ଯତା ପାଇଁ ୧୯୯୫ରୁ ଦାବି ହୋଇଆସୁଥିଲା । ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ୨୦୨୦ ଜୁନ ୭ ତାରିଖରେ ମାନ୍ଯତା ପ୍ରଦାନ କରାଯାଇଥିଲା । ରାଜ୍ଯ ସଙ୍ଗୀତ ପରିବେଷଣ ସମୟରେ ସାଧାରଣ ଜନତାଙ୍କଠାରୁ ରାଜ୍ଯପାଳ ସମସ୍ତେ ଠିଆ ହୋଇ ସମ୍ମାନ ଜଣାଇଥାନ୍ତି । ହେଲେ ଜୟନାରାୟଣ ଜଣେ ଜନପ୍ରତିନିଧି ହୋଇ ବି ବିଧି ବ୍ଯବସ୍ଥାକୁ ଫୁ କରିଦେଇଛନ୍ତି । ଉଭୟ ରାଜ୍ଯ ସଙ୍ଗୀତ ଓ ଓଡ଼ିଆ ଜାତି ପ୍ରତି ଅସମ୍ମାନ କରିଛନ୍ତି । ଓଡ଼ିଆ ଅସ୍ମିତାକୁ ଏଭଳି କୁଠାରଘାତକୁ ନେଇ ସାରା ରାଜ୍ଯରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଭରତପୁର ଥାନା ନିର୍ଯାତନା: ୭ ଦିନ ପରେ ବି ଗିରଫ ହେଲେନି ନିଲମ୍ବିତ ପୋଲିସ କର୍ମଚାରୀ

ଭୁବନେଶ୍ବର: ଭରତପୁର ମଡେଲ ପୋଲିସ ଥାନା ଲଜ୍ଜା ଘଟଣାକୁ ବିତିଲା ୭ ଦିନ । ହେଲେ ଏଯାଏଁ ଗିରଫ ହୋଇନାହାନ୍ତି ନିଲମ୍ବିତ ପୋଲିସ କର୍ମୀ । ମାମଲାରେ କ୍ଯାପଟେନ ଗୁରବଂଶ ସିଂହଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ନିଲମ୍ବିତ ପୋଲିସ କର୍ମୀଙ୍କୁ ଡାକି ମଧ୍ୟ ଖୋଳତାଡ଼ କରିଛି ତଦନ୍ତକାରୀ ଟିମ । ପଚରାଉଚରା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ । ପୀଡ଼ିତାଙ୍କ ଲାଏ ଡିଟେକସନ ଟେଷ୍ଟ କରିପାରେ କ୍ରାଇମବ୍ରାଞ୍ଚ । ତେବେ ଏ ନେଇ ସ୍ପଷ୍ଟ କରିନି ତଦନ୍ତକାରୀ ସଂସ୍ଥା । ସେପଟେ ଘଟଣାର ନିଲମ୍ବିତ ପୋଲିସ କର୍ମୀଙ୍କୁ ନିର୍ଦ୍ଦୋଷ କହି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଛନ୍ତି ସେମାନଙ୍କ ପରିବାର ଲୋକେ ।

କ୍ୟାପଟେନ ଗୁରୁବଂଶଙ୍କ ବାନ୍ଧବୀ କିଭଳି ଆହତ ହେଲେ ?

ଥାନାରେ ତାଙ୍କୁ କିଭଳି ବ୍ୟବହାର କରାଗଲା ?

ଆଇଆଇସି ଘଟଣାସ୍ଥଳରେ କିଭଳି ବ୍ୟବହାର କରିଥିଲେ ?

ପଥରଗାଡ଼ିଆ ରାସ୍ତାରେ ପ୍ରକୃତରେ କଣ’ ଘଟିଥିଲା ?

ଘଟଣାରେ ପୀଡ଼ିତାଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । କିନ୍ତୁ ଏନେଇ କ୍ରାଇମବ୍ରାଞ୍ଚ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ । ତଦନ୍ତକାରୀ ଟିମ୍ ଶୀଘ୍ର ଦାଖଲ କରିପାରେ ଚୂଡାନ୍ତ ରିପୋର୍ଟ । ଅନ୍ୟପଟେ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡ଼ିତାଙ୍କ ବାପା । କ୍ରାଇମବ୍ରାଞ୍ଚ ଠିକ୍ ତଦନ୍ତ ନକଲେ ବିଚାର ବିଭାଗୀୟ କିମ୍ବା ସିବିଆଇ ତଦନ୍ତ ଲାଗି ସେ ଦାବି କରିବେ ବୋଲି କହିଛନ୍ତି । ଘଟଣାକୁ ନେଇ ଆସୁଥିବା ଭିଡିଓ କିଏ ଭାଇରାଲ କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ଗୋଟିଏ ପକ୍ଷର ଭିଡିଓ ଛଡାଯାଉଥିବା ବେଳେ କ୍ଯାପଟେନ କିମ୍ବା ତାଙ୍କ ବାନ୍ଧବୀଙ୍କ ମୋବାଇଲ କୁଆଡ଼େ ଗଲା ? ସେଥିରେ ଥିବା ଭିଡିଓ କାହିଁକି ସାମ୍ନାକୁ ଆସୁନି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

ସେପଟେ ଭରତପୁର ଥାନା ମାମଲାରେ ନିଲମ୍ବିତ ପୋଲିସଙ୍କ ପରିବାର ଭୁବନେଶ୍ଵର ପୋଲିସ ସେବା ଭବନ ଆଗରେ ଧାରଣା ଦେବା ସହ ନ୍ୟାୟ ମାଗିଛନ୍ତି। ଅଯଥାରେ ପୋଲିସ କର୍ମଚାରୀଙ୍କୁ ନିଲମ୍ଵିତ କରାଯାଇଛି ବୋଲି ସେମାନେ କହିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନେଇ ପୋଲିସ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ନିଲମ୍ବିତ  ପୋଲିସ କର୍ମୀଙ୍କ ପରିବାର ଲୋକେ ।

ଭରତପୁର ଥାନା ନିର୍ଯାତନା: ୨୪ ତାରିଖରେ ରାଜଧାନୀରେ ୬ ଘଣ୍ଟା ଚକଅଖ ବନ୍ଦ କରିବ ବିଜେଡି

ଭୁବନେଶ୍ବର: ଭରତପୁର ଥାନା ନିର୍ଯାତନା ଘଟଣାରେ ଅଧିକ ଉଗ୍ର ହେବ ଆନ୍ଦୋଳନ । ଆସନ୍ତା ୨୪ରେ ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି । ୬ ଘଣ୍ଟା ଧରି ବନ୍ଦ ରହିବ ଚକଅଖ । ଘଟଣାକୁ ଚପାଇବାକୁ ରାଜ୍ୟ ସରକାରଙ୍କ ଅପଚେଷ୍ଟା ବିରୋଧରେ ବନ୍ଦ ଡାକରା ଦେଇଛି ବିଜେଡି । ସେପଟେ ପୀଡିତାଙ୍କ ଚରିତ୍ର ସଂହାର କରିବାକୁ ଏକପାଖିଆ ଭିଡିଓ ଭାଇରଲ କରାଯାଉଥିବା ନେଇ ରାଜ୍ୟ ସରକାରଙ୍କ ଚକ୍ରାନ୍ତକୁ ବିଜେଡି ନିନ୍ଦା କରିଛି ।

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଯୌନ ଅତ୍ୟାଚାର ବିରୋଧରେ ଆହୁରି ଦୁର୍ବାର ହେବ ଆନ୍ଦୋଳନ । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ବନ୍ଦ ପାଳନ କରିବ ବିଜେଡି । ଗତକାଲି ଏହି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲାଗି ରାଜଭବନ ଘେରାଉ କରିଥିଲା ମହିଳା ବିଜେଡି । ଭରତପୁର ଥାନାର ବର୍ବରତା ଓ ଅମାନୁଷିକ ଘଟଣା ସାରା ଦେଶରେ ଓଡ଼ିଶାର ମାନସମ୍ମାନ ନଷ୍ଟ କରିଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ବି ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୧୦୦ ଦିନର ସଫଳତା ସହ ପ୍ରଧାନମନ୍ତ୍ରୀଙ୍କ ଜୟନ୍ତୀ ପାଳିବାରେ ବ୍ଯସ୍ତ ବିଜେପି ସରକାର ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ଯମ କରିଥିବା ବିଜେଡି ଅଭିଯୋଗ କରିଛି ।

୧୦୦ ଦିନରେ ଜଣେ କର୍ତ୍ତବ୍ଯରତ ଏଏସଓଙ୍କୁ ରାଜ୍ଯପାଳଙ୍କ ପୁଅ ମାଡ଼ ମାରିଲେ । ୧୦୦ ଦିନ ଶେଷରେ ଭରତପୁର ଘଟଣା ରାଜ୍ଯ ସରକାରଙ୍କ ମୁଖା ଖୋଲିଛି ବୋଲି ବିଜେଡି କହିଛି । ନିର୍ଯାତିତ ବ୍ଯକ୍ତି ନ୍ୟାୟ ଲାଗି ଥାନାକୁ ଯାଇଥାଏ ମାତ୍ର ଭରତପୁରରେ ନିର୍ଯାତନା ପାଇଥିଲେ ପୀଡ଼ିତା । ୧୭ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଥିବାରୁ ଏହି ଘଟଣାକୁ ୨ ଦିନ ଧରି ଚପାଇ ରଖିବାକୁ ଷଡ଼ଯନ୍ତ୍ର ହୋଇଥିଲା ।  ଯଦି ଏହି ଘଟଣାର ସରକାରଙ୍କ ଗୋଚରରେ ନ ଥିଲା ତେବେ କାହିଁକି ୫ ପୋଲିସଙ୍କୁ ସସପେଣ୍ଡ କରାଗଲା ବୋଲି ପ୍ରଶ୍ନ କରିଛି ବିଜେଡି । ଏମ୍ସ ବି କହିଲା ମେଜରଙ୍କ ବାନ୍ଧବୀଙ୍କ ହାଡ଼ ଭାଙ୍ଗିଛି । ଉଚ୍ଚ ନ୍ୟାୟାଳୟ ଜାମିନ ଦେବା ଯାଏଁ ଏହି ଘଟଣା ଲୋକଲୋଚନକୁ ଆସି ନଥିଲା । ହେଲେ ଜାତୀୟ ଗଣମାଧ୍ୟମରେ ଜଣେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଭରତପୁର ଥାନାକୁ କ୍ଲିନ ଚିଟ  ଦେବାରୁ ରାଜ୍ୟ ସରକାରଙ୍କ ଷଡଯନ୍ତ୍ରର ବାସ୍ନା ହୋଇଥିଲା ।

ସେପଟେ ପୀଡ଼ିତାଙ୍କ ଭିଡିଓ କିପରି ଭାଇରାଲ ହେଲା ତାହାକୁ ନେଇ ପ୍ରଶ୍ନ କରିଛି ବିଜେଡି । ଏହା ଜରିଆରେ ସରକାରଙ୍କ ସହଯୋଗରେ ପୀଡ଼ିତାଙ୍କ ଚରିତ୍ର ସଂହାର କରାଯାଉଥିବାରୁ କ୍ଷୋଭ ପ୍ରକାଶ କରିଛି ବିଜେଡି । ବାର୍ ଭିତର ଭିଜୁଆଲ କେଉଁଠୁ ଆସିଲା ବୋଲି ବିଜେଡି ପ୍ରଶ୍ନ କରିଛି । ଥାନା ନିର୍ଯାତନା ଘଟଣାରେ ସରକାରଙ୍କ ମୁଖା ଖୋଲିଥିବାରୁ ଭିଡିଓ ଭାଇରାଲ କରାଯାଉଛି । ଏହାକୁ ନେଇ ବିଭିନ୍ନ ମହଲରୁ ଆପତ୍ତି ବି ଉଠିଲାଣି ।

ଭୁବନେଶ୍ୱର ବନ୍ଦରେ ଜରୁରୀକାଳୀନ ସେବାକୁ ବାଧା ଦିଆଯିବ ନାହିଁ । ବନ୍ଦକୁ ସମର୍ଥନ କରି ପୀଡିତାଙ୍କୁ ନ୍ୟାୟ ପାଇଁ ଲଢେଇରେ ସାମିଲ ହେବାକୁ ବିଜେଡି ଆହ୍ୱାନ ଦେଇଛି । ମହିଳା ସଶକ୍ତିକରଣର ରୋଲ ମଡେଲ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଘଟଣାରେ ସବୁବେଳେ ଆପଣାଇଥିଲେ ଜିରୋ ଟଲରାନ୍ସ ନୀତି । ମାତ୍ର ଏହି ନୀତି ଏବେ ଦିବାସ୍ବପ୍ନରେ ପରିଣତ ହୋଇଥିବା ବିଜେଡି କହିଛି ।

ଭରତପୁର ଥାନା ଘଟଣା ଓ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ମାମଲାରେ ରାଜ୍ଯ ସରକାର ସ୍ଥାଣୁ । ଯେଉଁ ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି ଶାସନକୁ ଆସିଛି ତାହାକୁ ତିଳ ତିଳ ନଷ୍ଟ କରିବାରେ ଲାଗିଛି । ସରକାର କିପରି ଚାଲେ, ସେ ଦିଗରେ ନୂଆ ମୁଖ୍ୟମନ୍ତ୍ରୀ ଅଜ୍ଞ ଥିବା ଚର୍ଚ୍ଚା ହେଉଛି ।

ମୋହନ ସରକାରଙ୍କୁ ଜନତାଙ୍କ ପ୍ରଶ୍ନ, ତୁମେ କ’ଣ କରିଛ ?

ସୋନପୁର: ୧୦୦ ଦିନ ପୂରଣ କରିବା ପରେ ରାଜ୍ର ବିଜେପି ସରକାର ଜିଲ୍ଲାସ୍ତରୀୟ ବିକାଶ ମେଳା ବା ବିଜେପି ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉତ୍ସବ ପାଳନ କରୁଛି । ପ୍ରତି ଜିଲ୍ଲାରେ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ୧୦୦ ଦିନର ବିଜେପି ସରକାର କ’ଣ କ’ଣ ବିକାଶ କରିଛନ୍ତି ବର୍ଣ୍ଣନା କରାଯାଉଛି । ହେଲେ ସ୍ଥାନୀୟ ଲୋକେ ବିଜେପିର ଏହି ବିକାଶକୁ ଗ୍ରହଣ କରୁ ନାହାନ୍ତି । ଏମିତି କିଛି ସୁବର୍ଣ୍ଣପୁରରେ ବିଜେପି ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉତ୍ସବରେ ଦେଖିବାକୁ ମିଳିଛି ।

କାର୍ଯ୍ୟକ୍ରମରେ ସାମିଲ ଲୋକେ ରାଜ୍ୟ ସରକାରଙ୍କ ଏହି ବିକାଶ ଚିତ୍ରକୁ ଗ୍ରହଣ କରିନାହାନ୍ତି । ବିଜେଡି ସରକାରଙ୍କ ବିକାଶ ମୂଳକ ଯୋଜନାରେ ରଙ୍ଗ ବୋଳି ମୋହନ ସରକାର ବାହାବା ନେବାରେ ଲାଗିଛନ୍ତି ବୋଲି କହିଛନ୍ତି ଜନତା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ , ରାସ୍ତା, ଜଳସେଚନ ଓ ମହିଳା ବିକାଶକୁ ନେଇ ଥିବା ଯୋଜନାରେ ଭିନ୍ନ ନାଁ ଦେଇ ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । ବିଜେପି ସରକାର ଖୁସିରେ ୧୦୦ ଦିନ ପାର କରି ବିକାଶ କରିଥିବା କହୁଥିବା ବେଳେ କେଉଁ ଯୋଜନା ବିଜେପିର ବୋଲି ପ୍ରଶ୍ନ କରିଛନ୍ତି ଜନସାଧାରଣ ।

ନିର୍ବାଚନ ପୂର୍ବରୁ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ଯେପରିକି ୩୦୦ ୟୁନିଟ ବିଜୁଳି ଫ୍ରି, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୩୦୦୦ ଟଙ୍କା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଦିଅନ୍ତୁ ବୋଲି ମନେ ପକାଇ ଦେଇଛନ୍ତି ଲୋକେ । ଅନ୍ଯପକ୍ଷେ ମାଆମାନଙ୍କ ସୁଭଦ୍ରା ଯନ୍ତ୍ରଣା କଥା ନ କହିବା ଭଲ ବୋଲି କହିଛନ୍ତି ସାଧାରଣ ଜନତା ।

ସୁଭଦ୍ରା ଯୋଜନା: ଯନ୍ତ୍ରଣାକୁ ବଳିଗଲା ହତାଶା, ବ୍ୟାଙ୍କ ଖାତାକୁ ଆସିଲାନି ଟଙ୍କା

କଳାହାଣ୍ଡି:  ହାତରୁ ଟଙ୍କା ଗଲା, ହେଲେ ଆସିଲାନି ସୁଭଦ୍ରା ଟଙ୍କା । କଳାହାଣ୍ଡିର ଉପାନ୍ତ ଅଞ୍ଚଳ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଯେମିତି ଯନ୍ତ୍ରଣା ଦେଇଛି, ଏବେ ସେମାନଙ୍କ ଖାତାକୁ ଟଙ୍କା ନଆସିବା ତାଠୁ ଅଧିକ ହତାଶ କରିଦେଇଛି । ଜିଲ୍ଲାର ଶହ ଶହ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଚନ୍ତି । ଆବେଦନ କଲେ ବି ଟଙ୍କା ମିଳିନି । ଜଙ୍ଗଳ ପାଦ ଦେଶରେ ଥିବା ଗାଁର ମହିଳା ଟଙ୍କା ଖର୍ଚ୍ଚ କରି ସହର ଯାଇ ଜନସେବା କେନ୍ଦ୍ରରେ ଆଧାର ସଂଶୋଧନ କରାଇଲେ । ଆଶା ଥିଲା ସୁଭଦ୍ରା ଟଙ୍କା ବ୍ଯାଙ୍କ ଖାତାକୁ ଆସିବ । ହେଲେ, ମହିଳାଙ୍କ ଏହି ଆଶା ଆଶାରେ ରହିଯାଇଛି ।

ମୋହନ ତଥା ଡବଲ ଇଞ୍ଜିନ ସରକାରରେ ମହିଳାଙ୍କ ପାଇଁ ହୋଇଥିବା ଯୋଜନା ଏବେ ଉପାନ୍ତବାସୀଙ୍କ ପାଇଁ ସାତ ସପନ । ଆବେଦନ କରିଥିଲେ ବି ମିଳିନି ସୁଭଦ୍ରା ଟଙ୍କା । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ ଶହ ଶହ ମହିଳାଙ୍କ ଖାତାକୁ ଏପର୍ଯ୍ୟନ୍ତ ଆସିନି ସୁଭଦ୍ରା ଟଙ୍କା । ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ହତାଶ ଭାବ ଦେଖା ଦେଇଛି । ଜଙ୍ଗଲ ପାଦ ଦେଶରେ ରହିଥିବା ଗୋତୋ ମୁଣ୍ଡା, କନକପୁର, ବିରିମାଣପୁର, ଧୋବେନ୍ ଚଞ୍ଚରା, ଦାବ୍ରିଗୁଡା, ଖଳିଗଡ ଭଳି ଅନେକ ଛୋଟ ବଡ଼ ଗାଁ ରହିଛି l ଏହି ଗାଁର ପ୍ରାୟ ମହିଳା ଥରେ କି ଦୁଇଥର ନୁହେଁ, ବାରମ୍ବାର ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିଥିଲେ ବି ମିଳିନି ଟଙ୍କା l

ଜଙ୍ଗଲ ଭିତରୁ ନିଜ ଛୋଟ ଛୋଟ ପିଲାଙ୍କୁ ଧରି ସହରକୁ ଆସି ଜନସେବା କେନ୍ଦ୍ରରେ ଆଧାର ଲିଙ୍କ କରିବା ଓ ଆବେଦନ କରିବାକୁ କଷ୍ଟ କରିଥିଲେ ମହିଳା । ଏବେ ସେ କଷ୍ଟର ମୂଲ୍ଯ ମଧ୍ଯ ରହିଲାନି । ଏପରିକି ଜଣେ ଜଣେ ମହିଳା ସୁଭଦ୍ରା ଟଙ୍କା ପାଇବା ପାଇଁ ଦୁଇରୁ ତିନି ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ପୂର୍ବ ସରକାରରେ ଏତେ ଅସୁବିଧା ହେଉ ନଥିଲା ବୋଲି କହିଛନ୍ତି l

ମହିଳାଙ୍କୁ ଉଲଗ୍ନ କରି ମାଡ଼ ଘଟଣାକୁ ୪ ଦିନ ବିତିଲା, ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

ବାଲେଶ୍ବର: ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିଲେ ଆଉ ଜଣେ ମହିଳା । ଘଟଣାକୁ ୪ ଦିନ ହୋଇଗଲାଣି । ମହିଳା ମାଡ଼ ଖାଉଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲିବା ସହ ଭାଇରାଲ ହେଉଛି । ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି । ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାହାନଗା ବଜାରରେ ।

ଅଭିଯୋଗ ଅନୁସାରେ, ବାହାନଗା ବଜାରରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ମହିଳା ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଥିଲେ । ପୀଡ଼ିତା ମହିଳା ସୋର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଗାଁର ଆଉ ଜଣେ ମହିଳା ୪ ଦିନ ପୂର୍ବେ ଉଲଗ୍ନ କରି ମାଡ଼ ମାରିଥିଲେ । ପୀଡ଼ିତା ମହିଳାଙ୍କର ତାଙ୍କ ସ୍ବାମୀଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ସମ୍ପୃକ୍ତ ମହିଳା ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡ଼ିତା ମହିଳା ସାଉଡ଼ ଫାଣ୍ଡିରେ ଅଭିଯୋଗ କରିବା ସହିତ ଫାଣ୍ଡି ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ । ହେଲେ ଘଟଣାକୁ ୪ ଦିନ ବିତିଯାଇଥିଲେ ବି ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଯାହାର ପ୍ରତିବାଦରେ ପୀଡ଼ିତା ମହିଳା ସୋର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।

ବିଜେପିର ଗୁଣ୍ଡାରାଜ: ନିଜ ଦଳର ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରାଇ ଦେଲେନି

ସୋନପୁର: ସୁବର୍ଣ୍ଣପୁର ଜିଳ୍ଲାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ଉଦଘାଟନୀ କାର୍ଡରେ ବିଜେପି ବିଧାୟକ ଓ ସାଂସଦଙ୍କ ନାଁ ନଥିବାରୁ ବିଜେପି ସମର୍ଥକଙ୍କ ହଙ୍ଗାମା । ନିଜ ଦଳର ମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲେ ବି କାର୍ଯ୍ୟକ୍ରମକୁ ଚଳାଇ ଦେଲେନି ବିଜେପି କର୍ମୀ । ଯାହା ବିଜେପିର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।

ଖବର ଅନୁସାରେ, ଗତକାଲି କଳାପଥରରେ ହେବାକୁ ଥିବା ଓମଫେଡ଼ର ଦୁଗ୍ଧ ଉତ୍ପାଦନ କାରଖାନା ଉଦଘାଟନ ସମାରୋହକୁ ବିଜେପି ସମର୍ଥକ ବନ୍ଦ କରିଥିଲେ । ଏହି ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ପଶୁ ସମ୍ପଦ ଓ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା । ହେଲେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଯୋଗୁଁ କାର୍ଯ୍ୟକ୍ରମକୁ ବାତିଲ କରିଥିଲା ଜିଲ୍ଲା ପ୍ରଶାସନ ।

କାରଣ ଉଦଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦଲା ଓ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓଙ୍କ ନାଁ ନଥିବାରୁ ବିଜେପି ସମର୍ଥକମାନେ କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଦାବି କରି ହଙ୍ଗାମା କରିଥିଲେ ।

ସୋନପୁରର ବିଜେଡ଼ି ବିଧାୟକ ନିରଞ୍ଜନ ପୂଜାରୀଙ୍କ ନାଁ ଥିବାବେଳେ ରଘୁନାଥଙ୍କ ନାଁ କାହିଁକି ରଖାଇଯାଇ ନାହିଁ ବୋଲି ବିଜେପି କର୍ମୀ ପ୍ରଶ୍ନ କରିଥିଲେ ସେମାନେ । ନେତାଙ୍କ ନାଁକୁ ନେଇ ଏକ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ବିଜେପି କର୍ମୀଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି ।

ଭାଇଗିରି ଦେଖାଇବାକୁ ରାଜଧାନୀରେ ଘରୋଇ କଲେଜରେ ହୋଇଥିଲା ବୋମାମାଡ଼

ଭୁବନେଶ୍ବର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକ ଘରୋଇ କଲେଜରେ ହୋଇଥିବା ବୋମାମାଡ଼ ଘଟଣାରେ ସାମ୍ନାକୁ ଆସିଛି ଭିଡିଓ । ଶତାଧିକ ଯୁବକ ଗଣ୍ଡଗୋଳ କରିବା ସହ ବୋମାମାଡ଼ କରିଛନ୍ତି । ରଣକ୍ଷେତ୍ର ପାଲଟିଥିଲା କଲେଜ କ୍ୟାମ୍ପସ । ଭାଇଗିରି ଦେଖାଇବା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ସହ ବୋମାମାଡ଼ ହୋଇଥିବା ଜଣାପଡିଛି ।

ରାତି ଅଧରେ ରଣକ୍ଷେତ୍ର ପାଲଟିଥିଲା କଲେଜ କ୍ୟାମ୍ପସ । ପୋଲିସ ଉପରେ ମଧ୍ୟ ହୋଇଛି ଆକ୍ରମଣ । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାରେ ଶତାଧିକ ଛାତ୍ର ସାମିଲ ଥିବା ଜଣାପଡିଛି । ଘଟଣା ପରେ କଲେଜ କର୍ତ୍ତୃପକ୍ଷ ଗାଏବ ହୋଇଯାଇଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲେଜକୁ ସାଇନ ଏ ଡାଏ ଘୋଷଣା କରାଯାଇଛି ।

୨ ନାବାଳିକାଙ୍କୁ ଗଣଦୁଷ୍କର୍ମ!

ନନ୍ଦିଘୋଷ ବ୍ୟୁରୋ: ପୁଣି ଲଜ୍ଜା। ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅଂଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ପ୍ଲାଣ୍ଟସାଇଟ ଥାନାରେ ଏ ନେଇ ହୋଇଛି ଅଭିଯୋଗ। ଗତକାଲି ରାତିରେ ଦୁଇ ନାବାଳିକାଙ୍କୁ ଏକ ଅଟୋରେ ଜୋରଜବରଦସ୍ତ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ଗତ ରାତିରେ ଦୁଇ ନାବାଳିକା କିଛି ସାମଗ୍ରୀ କିଣିବାକୁ ରାଉରକେଲା ବଜାରକୁ ଆସିଥିଲେ। ବଜାରରୁ ଘରକୁ  ଫେରୁଥିବାବେଳେ କିଛି ଯୁବକ ଘରେ ଛାଡିଦେବାକୁ କହି ଅଟୋରେ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପ୍ଲାଣ୍ଟସାଇଟ ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୭ ଜଣ ଅଭିଯୁକ୍ତ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ତିନି ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତିନି ଅଭିଯୁକ୍ତଙ୍କୁ ପ୍ଲାଣ୍ଟ ସାଇଟ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଟ୍ରେନ ବିସ୍ଫୋରଣ ଯୋଜନା ପଣ୍ଡ ! ରେଲୱେ ଟ୍ରାକରୁ ଗ୍ଯାସ ସିଲିଣ୍ଡର ଉଦ୍ଧାର

କାନପୁର  : ପୁଣି ଟ୍ରେନ ବିସ୍ଫୋରଣ ଯୋଜନା ପଣ୍ଡ। ରେଲୱେ ଟ୍ରାକରେ ପଡିଥିବା ଏକ ଗ୍ଯାସ ସିଲିଣ୍ଡର ଉଦ୍ଧାର। ଉତ୍ତରପ୍ରଦେଶ କାନପୁର ଅଂଚଳର ଏ ଘଟଣା। ମହାରାଜପୁର ଅଂଚଳର ପ୍ରେମପୁର ଷ୍ଟେସନ ନିକଟରେ ରେଲୱେ ଟ୍ରାକରେ ଏକ ଏଲପିଜି ସିଲିଣ୍ଡର ପଡ଼ିଥିବା ଦେଖିଥିଲେ ସେହି ଟ୍ରାକରେ ଯାଉଥିବା ଏକ ମାଲବାହୀ ଟ୍ରେନର ଲୋକେ ପାଇଲଟ। ଟ୍ରାକ ମଝିରେ ଗ୍ଯାସ ସିଲିଣ୍ଡର ପଡିଥିବା ଦୂରରୁ ଦେଖି ସେ ଟ୍ରେନକୁ ଧକ୍କା ଦେବାକୁ ଆଗରୁ ଅଟକାଇ ଦେଇଥିଲେ। ସକାଳ ୬ଟା ୯ ମିନିଟ ସମୟରେ ଲୋକା ପାଇଲଟ ଟ୍ରେନକୁ ଅଟକାଇଥିଲେ। ଟ୍ରେନ ଅଟକିବା ପରେ ବରିଷ୍ଠ ରେଲୱେ କର୍ତ୍ତୃପକ୍ଷଙ୍କୁ ଖବର ଦେବା ସହ ସ୍ଥାନୀୟ ପୋଲିସକୁ ମଧ୍ୟ ଖବର ଦେଇଥିଲେ।ଏହାପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ରେଲୱେ ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣାକୁ ଅଟକାଯାଇପାରିଛି। କାନପୁର ଅଂଚଳରେ ଏହା ତୃତୀୟ ଘଟଣା ବୋଲି ଜଣାପଡିଛି। ଘଟଣାସ୍ଥଳରୁ କିଛି ମଦ ବୋତଲ  ମଧ୍ୟ ମିଳିଛି। ସିଲିଣ୍ଡରରୁ ଗ୍ଯାସ ଖାଲି କରାଯାଇ ଫରେନସିକ୍ ଲାବକୁ ପରୀକ୍ଷା ଲାଗି ପଠାଯାଇଛି। ଟ୍ରାକ ଉପରେ ଗ୍ୟାସ ସିଲିଣ୍ଡର ରଖି ଟ୍ରେନକୁ ଓଲଟାଇବାକୁ ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି। ଏହା ପୂର୍ବରୁ କାନପୁର-କାସଗଂଜ ରୁଟରେ ମଧ୍ୟ ଟ୍ରାକରେ ଗ୍ଯାସ ସିଲିଣ୍ଡର ରଖି ଟ୍ରେନକୁ ଓଲଟାଇବାକୁ ଉଦ୍ୟମ କରାଯାଇଥିଲା। ଏହାର ମାସକ ପରେ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି ।