spot_img
Home Blog Page 1564

ମାଆ ବିରଜାଙ୍କ ନବରାତ୍ର ଦର୍ଶନ ଆରମ୍ଭ, ଆଜି ସନ୍ଧ୍ୟାରୁ ରଥ ପରିକ୍ରମା

ଯାଜପୁର: ଯାଜପୁରରେ ମାଆ ବିରଜାଙ୍କ କ୍ଷେତ୍ରରେ ଆରମ୍ଭ ହୋଇଛି ନବରାତ୍ର ଦର୍ଶନ । ସେହିପରି ଆଜି ସନ୍ଧ୍ୟାରେ ରଥ ପ୍ରତିଷ୍ଠା ପରେ ସିହଂଦ୍ବାରରୁ ଗଡିବ ସିଂହଧ୍ବଜ ରଥ । ନବରାତ୍ର ସମୟରେ ମାଆ ଶ୍ରଦ୍ଧାଳୁଙ୍କୁ ଚରଣ ସ୍ପର୍ଶ ପାଇଁ ସୁଯୋଗ ଦେଇଥାନ୍ତି । ମାଆଙ୍କ ପାଦ ଓ ମୁଖ ଦର୍ଶନ ଲାଗି ଲମ୍ବା ଲାଇନ ଲାଗିଛି । ବର୍ଷକରେ ଥରେ ଏହି ଦୁର୍ଲଭ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥିବା କହିଛନ୍ତି ଶ୍ରଦ୍ଧାଳୁ ।

ସେହିପରି ସାରା ଦେଶରେ ଶାରଦୀୟ ପୂଜା ସମୟରେ ଦେବୀ ଦୁର୍ଗତିନାଶିନୀ ଭାବେ ରଥାଋଢ ହୋଇ ବେଢା ପରିକ୍ରମା କରି ମହିଷାସୁରକୁ ନିଧନ କରିବା ପରମ୍ପରା ଅନ୍ୟ କୌଣସି ଶକ୍ତିକ୍ଷେତ୍ରରେ ଦେଖାଯାଏନି । ସେଥିଲାଗି ବିରଜା ପୀଠର ପୂଜା ଭିନ୍ନ ବୋଲି ସେବାୟତ କହିଛନ୍ତି । ଆଜି ସନ୍ଧ୍ୟାରେ ରଥ ପ୍ରତିଷ୍ଠା ପରେ ମାଆଙ୍କ ବିଜେ ପ୍ରତିମା ରଥରେ ବିରାଜମାନ କରିବେ । ଆଜି ଠାରୁ ନବମୀ ଯାଏଁ ଅପରାହ୍ନରେ ରଥରେ ବସି ଶ୍ରଦ୍ଧାଳୁଙ୍କ ଗହଣରେ ବେଢା ପରିକ୍ରମା କରିବେ ମାଆ ।

ନୟାଗଡ଼ ସିରିଜ ଚୋରି: ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଜବତ, ୩ ଗିରଫ

ନୟାଗଡ଼: ଦେବୋତ୍ତର କଲୋନୀରେ ଘଟିଥିବା ସିରିଜ ଚୋରି ମାମଲାର ପର୍ଦ୍ଦାଫାଶ । ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ସମେତ ଦାମୀ ଗାଡ଼ି, ସ୍କୁଟି ଓ ବାଇକ ଜବତ । ଚୋରିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କଲା ନୟାଗଡ଼ ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରାହୁଲ ଜୈନ ।

ଗିରଫ ଅଭିଯୁକ୍ତ ହେଲେ କଟକ ବୋଇଦେଶ୍ଵର ଥାନା ଖଜୁରିଆପଡ଼ା ଗାଁର ମନୋଜ କୁମାର ସିଂ, ଜୟନ୍ତ କୁମାର ପାଣିଗ୍ରାହୀ ଏବଂ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡୋଲପାଟଣାର ସଦାଶିବ ସିରକି । ସେମାନଙ୍କ ନିକଟରୁ ୨୮୦ ଗ୍ରାମ ସୁନା, ୧୬୦ ଗ୍ରାମ୍ ରୁପା, ଗୋଟିଏ ଟାବଲେଟ୍‌, ଲାପଟପ୍, ତିନିଟି ହାର୍ଡଡିସ୍କ ସମେତ ଗୋଟିଏ ଦାମୀ ବ୍ରିଜା କାର୍, ଦୁଇଟି ବାଇକ୍ ଓ ଅନ୍ୟାନ୍ୟ ଚୋରି ଜିନିଷ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ କଟକ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଛି ।

ସୂଚନାଯୋଗ୍ୟ, ନୟାଗଡ଼ ଦେବୋତ୍ତର କଲୋନୀ ଲେନ୍‌-୫ରେ ରହୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଘରୁ ହୋଇଥିଲା ଚୋରି । ଅଭିଯୋଗ ପରେ ଏସପିଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଡକାୟତମାନଙ୍କୁ ଖୋଜା ଯାଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ଏହି ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଲେନ୍-୪ରେ ରହୁଥିବା ଶିବ ପ୍ରସାଦ ସାହୁଙ୍କ ଘରୁ ହୋଇଥିବା ଡାକୟତି ମାମଲାରେ ସେମାନଙ୍କର ସମ୍ପୃକ୍ତି ଥିବା ସ୍ଵୀକାର କରିଛନ୍ତି ।

ସ୍ବର୍ଗତ ନବକିଶୋର ଦାସଙ୍କ ପୂର୍ବତନ ପିଏସଓ ଚାକିରିରୁ ବହିଷ୍କୃତ

ଝାରସୁଗୁଡ଼ା: ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ପୂର୍ବତନ ପିଏସଓ ମିତ୍ରଭାନୁ ଦେଓଙ୍କୁ ଚାକିରିରୁ ବହିଷ୍କୃତ । ଆଗରୁ ସେ ନିଲମ୍ଵିତ ବି ହୋଇଥିଲେ । ନିଜର ଦାୟିତ୍ୱ ତଥା କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ । ଏବେ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଝାରସୁଗୁଡ଼ା ଏସପି ।

୨୦୨୩ ଜାନୁୟାରୀ ୩୦ ତାରିଖରେ ନବ ଦାସଙ୍କୁ ବ୍ରଜରାଜନଗର ଥାନା ଗାନ୍ଧୀ ଛକରେ ଗୁଳି କରି ହତ୍ୟା କରାଯାଇଥିଲା । ଗାନ୍ଧୀ ଛକ ଫାଣ୍ଡିର ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରିଥିବାର ଅଭିଯୋଗ ହୋଇଥିଲା । ହତ୍ୟାକାଣ୍ଡ ପରେ ଝାରସୁଗୁଡ଼ାର ତତ୍କାଳୀନ ଏସପି ରାହୁଳ ଜୈନ, ବ୍ରଜରାଜନଗରର ତତ୍କାଳୀନ ଏସଡିପିଓ ଗୁପ୍ତେଶ୍ଵର ଭୋଇ ଏବଂ ବ୍ରଜରାଜନଗର ଥାନା ଇନ୍ସପେକ୍ଟର ପ୍ରଦ୍ୟୁମ୍ନ ସ୍ବାଇଁଙ୍କୁ ବଦଳି କରାଯାଇଥିଲା । ଏହି ଘଟଣାରେ ନବ ଦାସଙ୍କ ସହିତ ଥିବା ତାଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଥିଲା ।

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି: ଆସନ୍ତାକାଲି ଅବିଭକ୍ତ କୋରାପୁଟ ବନ୍ଦ

ଜୟପୁର:  ଜୋର ଧରିଲା ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । ଏନେଇ ନବରଙ୍ଗପୁରରେ ସାମ୍ବାଦିକ ସମ୍ମିଳନୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସୂଚନା ଦିଆଯାଇଛି ।

ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ନିଯୁକ୍ତି ନପାଇ ନବରଙ୍ଗପୁର ଜିଲ୍ଲାର ପିଲା ବାହାର ଜିଲ୍ଲାକୁ ଦାଦନ ଖଟିବାକୁ ଯାଉଥିବା କହିଛି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ଏଥିପାଇଁ କନିଷ୍ଠ ଶିକ୍ଷକ ପଦବୀ ଜିଲ୍ଲା ଭିତ୍ତିକ କରିବା, ପେଶା ଆଇନ ଲାଗୁ କରିବା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀକୁ ଜିଲ୍ଲା ଭିତ୍ତିକ କରିବା ପାଇଁ ଦାବି କରିଛନ୍ତି । ଗତ ଦିନରେ କନିଷ୍ଠ ଶିକ୍ଷକ ନିଯୁକ୍ତ ପାଇଁ ୮୬୦ଟି ପଦବୀ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ୧୩୪ ଜଣ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି । ବଳକା ୭୨୬ ଜଣ ଅନ୍ୟ ଜିଲ୍ଲାର ପ୍ରାର୍ଥୀ ରହିଥିବା କହିଛି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ଏହାକୁ ଦୃଷ୍ଟିରେ ରଖି ୩ଟି ଦାବି ରଖିଛି ମିଳିତ କ୍ରିୟାନୁଷ୍ଠାନ କମିଟି ।

ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ଦାବି ପୂରଣ ନ ହେଲେ ୫ ତାରିଖରେ ଜିଲ୍ଲାରେ କଳାଦିବସ ପାଳନ କରାଯିବ । ଏହାସହ ୫, ୬ ଓ ୭ ତାରିଖ ତିନି ଦିନ ଧରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯିବ । ଏହି ୩ଟି ଦାବି ନେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସି ମୁହଁରେ କଳା ପଟି ବାନ୍ଧି ନିରବ ପ୍ରତିବାଦ କରିଥିଲେ ନବରଙ୍ଗପୁର ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ।

ସାମ୍ବାଦିକ ସମ୍ମିଳନୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ, କଂଗ୍ରେସର ପୂର୍ବତନ ବିଧାୟକ ଭୁଜବଳ ମାଝୀ, ନବରଙ୍ଗପୁର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ସହ ୪୫ ସଙ୍ଗଠନର ସଦସ୍ୟ ସାମିଲ ଥିଲେ ।

ନିଜ ସଦସ୍ୟତା ରିନ୍ୟୁ କରିବା ସହ ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିବେ ନବୀନ

ଭୁବନେଶ୍ବର: ଅକ୍ଟୋବର ୯ ତାରିଖରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଏହି ଦିନଠାରୁ ଦୁଇ ମାସ ବ୍ୟାପୀ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିବ । ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ । ନବୀନ ପ୍ରଥମ ସଦସ୍ୟ ଭାବେ ତାଙ୍କ ସଦସ୍ୟତା ରିନ୍ୟୁ କରିବେ । ତା’ପରେ ଅନ୍ୟମାନେ ରିନ୍ୟୁ କରିବେ ଓ ନୂଆ ସଦସ୍ୟ ଯୋଡି ହେବେ ।

ଶଙ୍ଖ ଭବନ ପରେ ସାଙ୍ଗଠନିକ ମହକୁମାରେ ସଦସ୍ୟତା ସଂଗ୍ରହ କରାଯିବ । ପ୍ରତି ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ରହିବେ । ଅନଲାଇନ ଯୋଗାଯୋଗରେ ରହିବେ । ଅନଲାଇନର ଡିଜିଟାଲ ଫର୍ମାଟର ରୂପରେଖ ୯ ତାରିଖରେ ଉନ୍ମୋଚନ ହେବ । ଏଥିରେ ଯୁବ ଓ ଛାତ୍ରଙ୍କୁ ଅଗ୍ରାଧିକାର ଦିଆଯିବ । ଏହାପରେ ପ୍ରତି ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ ।

ପ୍ରତି ୩ ବର୍ଷରେ ଥରେ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ହୁଏ । ଘରକୁ ଘର ଯାଇ ଆମେ ସଦସ୍ୟ କରିବୁ ବୋଲି କହିଛନ୍ତି ବିଜେଡି ନେତା ମୁନା ଖାଁ । ଆମ ଦଳ ମଜବୁତ ଅଛି । ଆଗକୁ ବହୁତ ମଜଭୁତ ଓ ସୁଦୃଢ ହେବ ଦଳ । ବିଜେଡି ଏକ ନମ୍ବର ଦଳ ଥିଲା ଅଛି ଓ ରହିବ । ଏଥର ଟାର୍ଗେଟ ନୁହେଁ, ଯେତେ ପାରିବୁ ସଦସ୍ୟ ବଢ଼ାଇବୁ ବୋଲି ସେ କହିଛନ୍ତି ।

ଯାଜପୁରରେ ଉପନିର୍ବାଚନ ହେବାର କୌଣସି ସମ୍ଭାବନା ନାହିଁ: ଜିଲ୍ଲା ବିଜେଡି ସଭାପତି

ଯାଜପୁର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଷଣକୁ ନେଇ ବିରୋଧୀ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଅପପ୍ରଚାର ପ୍ରସଙ୍ଗ । ବିରୋଧୀ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର । କହିଲେ- ଯାଜପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବାର କୌଣସି ସମ୍ଭାବନା ନାହିଁ । ବିରୋଧୀ ଓ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଏ ନେଇ ଅପପ୍ରଚାର କରୁଛନ୍ତି । ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ବିଧାୟକ ହେବାର ଆବଶ୍ୟକତା ନାହିଁ । ନିଜେ ଏକା ଶାସକ ଦଳକୁ ମୁକାବିଲା କରିବାକୁ ସେ ସମର୍ଥ ।

ଗତକାଲି ପ୍ରଣବଙ୍କ ଭାଷଣକୁ ଭୁଲ ଭାବେ ଉପସ୍ଥାପିତ କରିଛନ୍ତି ବିରୋଧୀଙ୍କ ସମେତ କେତେକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ । ଗତକାଲି ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ଦରକାର ପଢିଲେ ଯାଜପୁରବାସୀଙ୍କ ପାଇଁ ଯାଜପୁରର ବିକାଶ ପାଇଁ ଲଢିବି । ପ୍ରଣବଙ୍କ ଏହି ଭାଷଣକୁ ନେଇ ବିରୋଧୀ ପ୍ରସଙ୍ଗ କରିଥିବାରୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟିକା ସୁଜାତା ସାହୁ । ଗଣେଶ୍ଵର ମଧ୍ୟ କହିଛନ୍ତି, ପ୍ରଣବ ପ୍ରକାଶ ଦାସ ଲୋକଙ୍କ ପାଇଁ ଲଢ଼ିବା କଥା କହିଛନ୍ତି । ନିର୍ବାଚନ ଲଢ଼ିବା କଥା କହି ନାହାନ୍ତି ।

ଭାରତ ସହ ବଢ଼ିଲା ତିକ୍ତାତା, ୫ କୂଟନୀତିଜ୍ଞଙ୍କୁ ପ୍ରତ୍ଯାହାର କଲା ବାଂଲାଦେଶ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ଯରେ କୂଟନୈତିକ ତିକ୍ତତା ବଢ଼ିବାରେ ଲାଗିଛି ।  ଭାରତ ଲାଗି ନିଯୁକ୍ତ ହାଇକମିଶନର ମୁସ୍ତାଫିଜୁର ରହମାନଙ୍କ ସମେତ ୫ କୂଟନୀତିଜ୍ଞଙ୍କୁ ପ୍ରତ୍ଯାହାର କରିଛି ବାଂଲାଦେଶ । କେବଳ ଭାରତ ନୁହେଁ, ବ୍ରସେଲ୍ସ, କାନବେରା, ଲିସବନରୁ ବି କୂଟନୀତିଜ୍ଞଙ୍କୁ ପ୍ରତ୍ଯାହାର କରାଯାଇଛି । ସେହିପରି ନ୍ୟୁୟର୍କସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ନିୟୋଜିତ ଦୂତଙ୍କୁ ତୁରନ୍ତ ଢାକା ଫେରିବା ଲାଗି ନିର୍ଦ୍ଦେଶ ଦେଇଛି ବୈଦେଶିକ ମନ୍ତ୍ରାଳୟ ।

ବାଂଲାଦେଶରେ ଜାତୀୟ ନିର୍ବାଚନ ହେବା ପୂର୍ବରୁ ଏହି କୂଟନୈତିକ ପଦକ୍ଷେପ ନେଇଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର । ଗତ ୨୦୨୦ରୁ ନୂଆଦିଲ୍ଲୀରେ ଉଚ୍ଚାୟୁକ୍ତ ଭାବେ କାର୍ଯ୍ୟ କରୁଥିଲେ ରହମାନ । ଗତ ଅଗଷ୍ଟରେ ହୋଇଥିବା ବାଂଲାଦେଶ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ ହସିନା ଭାରତ ଆସିବା ପରେ ଦୁଇ ଦେଶ ମଧ୍ଯରେ ବଢିଥିଲା ଶୀତଳ ବିବାଦ । ହିଂସାରେ ପ୍ରାୟ ୭୦୦ ଲୋକଙ୍କ ମୃତ୍ଯୁ ଘଟିଥିବାବେଳେ ଅନ୍ତରୀଣ ସରକାରର ଦାୟିତ୍ବ ନେଇଥିଲେ ପ୍ରଫେସର ମହମ୍ମଦ ୟୁନୁସ ।

ରାଜଭବନ ପାଲଟିଛି ରାଜନୈତିକ ଆଡ୍ଡାସ୍ଥଳୀ : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ । ରାଜ୍ୟପାଳଙ୍କ ପୁଅ ଏସଏଓଙ୍କୁ ମାଡ଼ ମାଡ଼ିବା ଘଟଣା ଏତେଦିନ ବିତି ଯାଇଥିବାବେଳେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହାସହ ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ରାଜ୍ୟପାଳ ରଘୁବର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ବାହାର ନେତାମାନେ ବ୍ୟକ୍ତିଗତ କାମରେ ଆସି ରାଜଭବନରେ ରହୁଛନ୍ତି । ରାଜନୀତିରୁ ବହୁ ଉର୍ଦ୍ଧ୍ଵରେ ରାଜ୍ୟପାଳ ଓ ରାଜଭବନ । ରାଜଭବନ ଏବେ ରାଜନୈତିକ ଆଡ୍ଡାସ୍ଥଳୀ ପାଲଟିଛି ।

ଏହାସହ ମନମୋହନ ସାମଲ ଦେଇଥିବା ଏକ ପ୍ରତିକ୍ରିୟାକୁ ନେଇ ମଧ୍ୟ ବର୍ଷିଛି ବିଜେଡି । ବିଜେଡିର ବହୁ ନେତା ଲିଙ୍କରେ ଥିବା ନେଇ ଦେଇଥିବା ପ୍ରତିକ୍ରିୟାକୁ ନେଇ ବିଜେଡି କଡ଼ା ସମାଲୋଚନା କରିଛି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି କି, ଜଣେ କି ଦୁଇଜଣ ସାଂସଦଙ୍କୁ ପ୍ରଲୋଭନ ଦେଖାଇ ଦଳରେ ମିଶାଇ ଦେଇଛ । ଗଣତନ୍ତ୍ରରେ କଣ କିଣାବିକା ଶସ୍ତା ହୋଇ ଗଲାଣି କି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ଏହାସହ ମନମୋହନଙ୍କୁ କହିଛନ୍ତି କି, ସେ ଝାମ୍ପିବାକୁ ଭଲ ପାଆନ୍ତି । ଏଥିପାଇଁ ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ମିଶାଉଛନ୍ତି ।

 

ସୁପ୍ରିମକୋର୍ଟରେ ଘଣ୍ଟା ବିବାଦ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିବାଦ। ଏନସିପି ଚିହ୍ନ ଘଣ୍ଟାକୁ ନେଇ ମାମଲା ପହଞ୍ଚିଲା ସୁପ୍ରିମକୋର୍ଟରେ। ବିଧାନସଭା ନିର୍ବାଚନରେ ଘଣ୍ଟା ଚିହ୍ନର ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଶରଦ ପାଓ୍ବାର । ଏନସିପିର ବିଭାଜନ ପରେ ମୂଳ ଏନସିପି ଭାବେ ଅଜିତ ପାଓ୍ବାର ଗୋଷ୍ଠୀକୁ ମାନ୍ୟତା ମିଳିବା ସହ ଘଣ୍ଟା ଚିହ୍ନ ମିଳିଥିଲା । ଏନସିପିର ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କୁ ଲାଗିଥିଲା ଧକ୍କା । ତାଙ୍କ ଗୋଷ୍ଠୀର ନାମ ହୋଇଥିଲା ଏନସିପି(ଶରଦ ପାଓ୍ବାର) ଓ ଦଳକୁ ତୂରୀ ଚିହ୍ନ ମିଳିଥିଲା । ଶରଦ ନିଜ ପିଟିସନରେ ଦର୍ଶାଇଛନ୍ତି- ଅଜିତ ପାଓ୍ବାର ନେତୃତ୍ବାଧୀନ ଏନସିପିକୁ ଘଣ୍ଟା ବଦଳରେ ଅନ୍ଯ କିଛି ଚିହ୍ନ ଦିଆଯାଉ । ଘଣ୍ଟା ଚିହ୍ନ ମିଳିବା ଦ୍ବାରା ଭୋଟର ଦ୍ବନ୍ଦ୍ବରେ ପଡୁଛନ୍ତି । ଆସନ୍ତା ଅକ୍ଟୋବର ୧୫ରେ ମାମଲାର ଶୁଣାଣି ହେବ । ଗତ ୨୦୨୩ ଜୁଲାଇ ୨ରେ ଏନସିପିର ବିଭାଜନ ହୋଇଥିଲା । ମାମଲାର ବିଚାର କରି ଗତ ୨୦୨୪ ଫେବ୍ରୁଆରୀ 6ରେ ଭାରତର ନିର୍ବାଚନ କମିସନ ଅଜିତ ପାଓ୍ବାର ନେତୃତ୍ବାଧୀନ ଗୋଷ୍ଠୀକୁ ପ୍ରକୃତ ଏନସିପି ମାନ୍ଯତା ଦେବା ସହ ବହୁଚର୍ଚ୍ଚିତ ଘଣ୍ଟା ଚିହ୍ନ ପ୍ରଦାନ କରିଥିଲେ । ଏହା ସହ ଶରଦ ପାଓ୍ବାର ଗୋଷ୍ଠୀକୁ ଏନସିପି ଶରଦଚନ୍ଦ୍ର ପାଓ୍ବାର ମାନ୍ଯତା ଦେବା ସହ ତୂରୀ ଚିହ୍ନ ପ୍ରଦାନ କରିଥିଲେ । ସେହିପରି ଗତ ୨୦୨୪ ମାର୍ଚ୍ଚ ୫ରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି ମାନ୍ଯତା ପ୍ରଦାନ କରିଥିଲେ ।

 

ଧର୍ମଶାଳା ବିଜେପିରେ ତେଜିଲା ରାଜନୈତିକ ଉଷ୍ମତା, ପାର୍ଟି ଅଫିସରେ ଭଙ୍ଗାରୁଜା

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଧର୍ମଶାଳା ବିଜେପିରେ ତେଜିଲା ରାଜନୈତିକ ଉଷ୍ମତା। ଜାରକା ଠାରେ ଥିବା ଧର୍ମଶାଳା ବିଜେପି ପାର୍ଟି କାର୍ଯ୍ୟାଳୟର ହୋର୍ଡିଂ ଚିରିବା ସହ ପାର୍ଟି ଅଫିସ ଭଙ୍ଗାରୁଜା ହୋଇଛି। କିଛି ଦୁର୍ବୁତ୍ତ ପାର୍ଟି କାର୍ଯ୍ୟାଳୟରେ ପଶି ଗେଟ ସମୁଖରେ ଥିବା ହୋର୍ଡିଂ ଚିରିବା ସହ ପାର୍ଟି କାର୍ଯ୍ୟଳୟକୁ ଟେକା ପଥର ମାଡ଼ କରି କାଚ ଭାଂଗି ଦେଇଥିଲେ। ବିଜେପି ନେତ୍ରୀ ସ୍ମୃତିରେଖା ପହିଙ୍କ ଦଳୀୟ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗତକାଲି ବାରକଣା ଠାରେ ଏକ କାର୍ଯ୍ୟକ୍ରମକୁ ନେଇ ଧର୍ମଶାଳା ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ସେଠାରେ ଚାପା ଉତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଂଚିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଆଜି ମଧ୍ୟ ବିଜେପି ପାର୍ଟି କାର୍ଯ୍ୟାଳୟରେ ଉତ୍ତେଜନା ଲାଗି ରହିଛି। ହୋଇଥିବା ଭଙ୍ଗାରୁଜା ଘଟଣାରେ କାହାର ସମ୍ପୃକ୍ତି ରହିଛି। କେଉଁମାନେ ଏ କାଣ୍ଡ ଘଟାଇଛନ୍ତି ସେ ନେଇ ତଦନ୍ତ  ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଧର୍ମଶାଳା ବିଜେପି ପକ୍ଷରୁ ଦାବି କରାଯାଇଛି।