ନନ୍ଦିଘୋଷ ବ୍ୟୁରୋ: ପାରାଦୀପ CISF ହେପାଜତରେ ୩ ଘାନା ନାଗରିକ। ଏକ ଜାହାଜରେ ଲୁଚି ଆସିଥିବା ବେଳେ ଧରାପଡିଛନ୍ତି ୩ ଘାନା ନାଗରିକ। ପାରାଦୀପ ପୋର୍ଟ CQ-2 ବର୍ଥରେ ଜାହାଜ ଲାଗିବା ପରେ ତନାଘନା ଚାଲିଛି । MV ଗ୍ରେଟ୍ ସେଙ୍ଗ ୱେନ ଜାହାଜରେ ତିନି ଜଣଙ୍କୁ ଅଟକ ରଖାଯାଇଛି। ଜାହାଜଟି ହଂକଂର ହୋଇଥିବା ବେଳେ ଜଣାପଡିଛି। ଏହି ଜାହାଜରେ ୨୦ ଜଣ କ୍ରିୟୁ ମେମ୍ବର ଥିବା ବେଳେ, ଘାନା ୩ ନାଗରିକ କିପରି ଆସିଲେ, ସେନେଇ ତଦନ୍ତ ଜାରି ରହିଛି।
ବିଜେପିରେ ମିଶିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍
ରାଞ୍ଚି: ବିଜେପିରେ ମିଶିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ରାଞ୍ଚିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି । ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଚମ୍ପାଇଙ୍କ ସହ ବହୁ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି। ଗତ ୨୮ ତାରିଖରେ ଚମ୍ପାଇ ସୋରେନ ଜେଏମଏମ ସହ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।
ଦଳ ଯେଉଁ ଭଳି ଢଙ୍ଗରେ କାର୍ଯ୍ୟ କରୁଛି, ତାହା ତାଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଛି ବୋଲି ଚମ୍ପାଇ କହିଥିଲେ । ଏହା ସହିତ ଦଳ ଆପଣାଉଥିବା ନୀତିଗୁଡ଼ିକ ସହିତ ମଧ୍ୟ ସେ ସହମତ ନଥିବା ଉଲ୍ଲେଖ କରିଥିଲେ । ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ।
ତେବେ ହେମନ୍ତ ଜେଲରୁ ବାହାରିବା ପରେ ଚମ୍ପାଇଙ୍କୁ ପଦ ଛାଡିବାକୁ ପଡିଥିଲା । ଜେଏମଏମରେ ବିଦ୍ରୋହୀ ଭାବେ ଚମ୍ପାଇ ସୋରେନ ଗତ ୧୫ ଦିନ ହେବ ଚର୍ଚ୍ଚାରେ ରହିଥିଲେ । ଗତ ସୋମବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ । ଭବିଷ୍ୟତ ରଣନୀତିକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।
ଉତ୍ତର ନମିଳିବାରୁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ
କୋଲକତା: ଉତ୍ତର ନମିଳିବାରୁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଗତ ୨୨ ତାରିଖରେ ମମତା ଲେଖିଥିବା ଚିଠିର ଉତ୍ତର କେନ୍ଦ୍ର ମହିଳା ଓ ଶିଶୁ କଲ୍ଯାଣ ମନ୍ତ୍ରାଳୟ ଏକ ରିପ୍ଲାଇ ଦେଇଥିଲା। ଯେଉଁଥିରେ ସେ ଉଠାଇଥିବା ପ୍ରସଙ୍ଗକୁ ଗୁରୁତର ସହ ନିଆ ନଯାଇଥିବା ଅନୁଭବ କରିବାରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଦ୍ବିତୀୟ ଚିଠି ଲେଖିଛନ୍ତି ମମତା ।
ଦୁଷ୍କର୍ମ ଓ ମହିଳା ନିର୍ଯାତନା ନେଇ ସେ କଠୋର ଆଇନ ଆଣିବା ସହ ଉଦାହରଣୀୟ ଦଣ୍ଡ ଦେବା ଲାଗି ବ୍ଯବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖିଥିଲେ । ହେଲେ କୌଣସି ଉତ୍ତର ନପାଇବାରୁ ଆଜି ପୁଣି ଥରେ ମମତା ଚିଠି ଲେଖି ଧ୍ଯାନ ଆକର୍ଷଣ କରିଛନ୍ତି । କୋଲକାତାକାଣ୍ଡ ପରେ ମମତା ପୀଡିତାଙ୍କୁ ନ୍ଯାୟ ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି । ଅନ୍ଯପଟେ କୋଲକାତା ଦୁଷ୍କର୍ମ ଓ ହତ୍ଯାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ। ପ୍ରତିଦିନ ଆସୁଛି ନୂଆ ନୂଆ ମୋଡ଼।
ଏବେ ଏକ ରିପୋର୍ଟ ଆସିଛି ଯେ, ଡାକ୍ତରୀ ଛାତ୍ରଙ୍କ ମୃତ୍ଯୁ ପରେ ଯେଉଁଠି ତାଙ୍କର ଡେଡ୍ ବଡି ରଖାଯାଇଥିଲା, ସେଠାକୁ ୧୦ରୁ ୧୫ ଜଣ ଲୋକ ଯାଇଥିଲେ। ଏତେ ଲୋକ ସେଠାକୁ ଯିବାର କୌଣସି କାରଣ ନାହିଁ। କାରଣ ନା ସେମାନେ ପୋଲିସ ନା ସେମାନେ ପୋଷ୍ଟମର୍ଟମ ସହିତ ଜଡ଼ିତ ଥିଲେ। ସେଠାକୁ ଯିବାକୁ ସେମାନଙ୍କର କୌଣସି ଅଧିକାର ହିଁ ନାହିଁ। ଆଶଙ୍କା କରାଯାଉଛି, ଏତେ ଲୋକେ ସେଠାକୁ ଯିବା ଦ୍ଵାରା ପ୍ରମାଣ ନଷ୍ଟ ହୋଇଥାଇପାରେ।
ଏହାକୁ ନେଇ ନୂଆ ବିବାଦ ହେଲାଣି। ସେପଟେ ପୁରା ଘଟଣାରେ ପଶ୍ଚିମବଙ୍ଗ ମହିଳା କମିଶନର ନିଷ୍କ୍ରିୟତା ପ୍ରତିବାଦରେ ଆଜି ବିଜେପି ମହିଳା ମୋର୍ଚ୍ଚା ଜୋରଦାର ପ୍ରତିବାଦ କରିଛି। ମହିଳା କମିଶନ ଅଫିସରେ ତାଲା ପକାଇଥିଲେ ବିଜେପିର ମହିଳା କର୍ମୀ। ବାଟରେ ପୋଲିସର ଗୋଟିଏ ଗୋଷ୍ଠୀର ଧସ୍ତାଧସ୍ତି ମଧ୍ଯ ହୋଇଥିଲା।

