spot_img
Home Blog Page 1550

ନେତାଙ୍କ ପାଖ ଲୋକଙ୍କୁ ସାବଧାନ ! ସବୁ ଲୁଟିନେବେ

ଭୁବନେଶ୍ବର: ନେତାଙ୍କ ପାଖ ଲୋକ କହି ଲକ୍ଷାଧିକ ଟଙ୍କାର ଠକେଇ । ଚାକିରି ଓ ବଦଳି ନାଁରେ ଲୋକଙ୍କୁ ଚୂନ ଲଗାଇବା ଅଭିଯୋଗରେ ରାହୁଲଙ୍କୁ ବାନ୍ଧିଲା ପୋଲିସ । କାହାକୁ ପେଟ୍ରୋଲ ପମ୍ପ ତ ଆଉ କାହାକୁ ପ୍ଲାଣ୍ଟରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଚୂନ ମାରିଥିଲା । ଟଙ୍କା ଧରି ଫେରାର ହେଉଥିବା ବେଳେ ଠକକୁ ଧରି ପୋଲିସ ଜିମା ଦେଲେ ଲୋକେ । ଅଭିଯୁକ୍ତକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

ଅଭିଯୁକ୍ତର ଘର ଅନୁଗୁଳ ବୋଲି ଜାଣିବାକୁ ପାଇଛି କ୍ଯାପିଟାଲ ଥାନା ପୋଲିସ୍ । ଅଧିକ ପଚରାଉଚରା ପରେ ଅଭିଯୁକ୍ତ ତା’ର ଦୋଷ ସ୍ବୀକାର କରିଛି । ନେତାଙ୍କ ପାଖ ଲୋକ କହି ସେ ନେତାଙ୍କ ସହ ଥିବା ଫଟୋ ସାଧାରଣ ଲୋକଙ୍କୁ ଦେଖାଉଥିଲା । କୌଣସି ମିଟିଂ ବା ସଭାସ୍ଥଳରେ ନେତାଙ୍କ ସହ ଫଟୋ ଉଠାଇ ତାକୁ ସୋସିଆଲ ମିଡିଆରେ ପକାଉଥିଲା । ସବୁବେଳେ ଲୋକସେବା ଭବନ ଓ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟରେ ବୁଲିବା ସହ ନେତାଙ୍କ ଖାସ କହି ସବୁ କାମ କରାଇ ଦେବାର ପ୍ରଲୋଭନ ଦେଖାଉଥିଲା । ଆଉ ଏହି ପ୍ରଲୋଭନରେ ଫସିଯିବା ପରେ ସାଧାରଣ ଲୋକଙ୍କୁ ଚୂନ ଲଗାଇବାକୁ ପଛାଉ ନଥିଲା ।

ପ୍ରତି ପଞ୍ଚାୟତରେ ହେବ ମଡେଲ ସ୍କୁଲ, ଗୋଦାବରୀଶ ମିଶ୍ରଙ୍କ ନାମରେ ହେବ ନାମିତ

ଭୁବନେଶ୍ବର: ବଢ଼ିବ ଶିକ୍ଷାର ଗୁଣାତ୍ମକ ମାନ । ଏଥିପାଇଁ ପ୍ରତି ପଞ୍ଚାୟତରେ ହେବ ମଡେଲ ସ୍କୁଲ । ପଞ୍ଚାୟତରେ ଥିବା ସମସ୍ତ ସ୍କୁଲ ମଧ୍ୟରୁ ଗୋଟିଏ ସ୍କୁଲ ହେବ ମଡେଲ । ଏହି ବିଦ୍ଯାଳୟ ଗୋଦାବରୀଶ ମିଶ୍ରଙ୍କ ନାଁରେ ହେବ ନାମିତ । ଭିତ୍ତିଭୂମି ଉନ୍ନତି ସହ ଶିକ୍ଷକ ନିଯୁକ୍ତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ହେବ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ରାଜ୍ୟରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକ ଓ ଚଳିତଶିକ୍ଷା ବର୍ଷରେ ୨୭ ହଜାର ୧୯୭ ଶିକ୍ଷକ ନିଯୁକ୍ତି ହେବେ । ସେହିପରି ଡ୍ରପ ଆଉଟ ସମସ୍ଯା ରୋକିବା ଲାଗି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି ।

ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ ରୋକିବାକୁ ସରକାର ଏହି ଯୋଜନା କରିଛନ୍ତି । ଏଥିରେ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଯାଇଥିବା ଛାତ୍ରଛାତ୍ରୀ ଓ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବା ପିଲାମାନଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ୱେବ ସାଇଟ ସହ ବିଭିନ୍ନ ପୋର୍ଟାଲ ଓ ପୁସ୍ତକର ହୋଇଛି ଉନ୍ମୋଚନ । ‘ନିପୁଣ ଓଡିଶା’ ଲୋଗୋ ସହ ଥିମ ଗୀତ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା ଜ୍ୟୋତି ପୋର୍ଟାଲ, କ୍ୟାରିୟର କାଉନସେଲିଂ ୱେବ ସାଇଟ, ପ୍ରାଇଭେଟ ସ୍କୁଲ ମ୍ୟାନେଜମେଣ୍ଟ ପୋର୍ଟାଲ ମଧ୍ୟ ଉନ୍ମୋଚିତ ହୋଇଛି ।

୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍କୁଲ କିଟ୍ ପ୍ରଦାନ

ଝାରସୁଗୁଡ଼ା: ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବେଦାନ୍ତ ଆଲୁମିନିୟମ ଓଡ଼ିଶା ପକ୍ଷରୁ ୫୦ରୁ ଅଧିକ ସ୍କୁଲରେ ୪ ହଜାରରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ କିଟ୍ ବଣ୍ଟନ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲା କୁରାଲୋଇ ଏବଂ ସିଜିମାଲି ଖଣି ଅଞ୍ଚଳର ବିଦ୍ୟାଳୟଗୁଡିକରେ ଏହି କିଟ୍ କମ୍ପାନୀ ତରଫରୁ ବଣ୍ଟନ କରାଯାଇଛି । ପ୍ରତି କିଟରେ ଗୋଟିଏ ସ୍କୁଲ ବ୍ୟାଗ୍, ଗୋଟିଏ ପାଣି ବୋତଲ, ଏକ ନୋଟବୁକ୍, ଜ୍ୟୋମେଟ୍ରି ବକ୍ସ ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ ରହିଛି ।

ବେଦାନ୍ତର ଏଭଳି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ବିଦ୍ୟାଳୟଗୁଡିକର ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଏଥିପାଇଁ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି ।

କୁରାଲୋଇ ଓ ସିଜିମାଲି ଆଖପାଖ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ପାଠ୍ୟ ଉପକରଣ ଅଭାବରୁ ସମସ୍ୟାରେ ପଡୁଛନ୍ତି । କମ୍ପାନୀର ଏହି ପ୍ରୟାସ ସେମାନଙ୍କ ସମସ୍ୟାର ସମାଧାନ କରିବା ସହ ପାଠ ପତ୍ରି ସେମାନଙ୍କ ଆଗ୍ରହ ବଢ଼ାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଙ୍ଗଠନ ଓ ସମୁଦାୟ ସଦସ୍ୟଙ୍କ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ, ଅର୍ଥନୈତିକ ପରିବର୍ତ୍ତନରେ ଉଲ୍ଲେଖନୀୟ ଅବଦାନ ଦେଉଛି ।

ପୁରୀ ସମୁଦ୍ରରେ ଭାସୁଛି ଆଉ ଏକ କଣ୍ଟେନର

ପୁରୀ/ରାଜନଗର: ରାଜନଗର ସମୁଦ୍ର କୂଳରେ ଲାଗିଥିବା ଦୁଇଟି କଣ୍ଟେନରରୁ ଲୋକେ କେମିତି ଜିନିଷ ବୋହି ନେଉଥିଲେ ଦୁଇଦିନ ପୂର୍ବରୁ ଦେଖିଥିଲେ । ଏବେ ଆଉ ଏକ କଣ୍ଟେନର ସମୁଦ୍ରରେ ଭାସୁଛି । ପୁରୀ ସମୁଦ୍ରରେ କଣ୍ଟେନରଟି ଭାସୁଥିବା ଦେଖିବାକୁ ମିଳିଛି ।

ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ସମୁଦ୍ରରେ କଣ୍ଟେନରଟିକୁ ଦେଖିଛନ୍ତି । ପୁରୀ ପେଣ୍ଠକଟା ଅଞ୍ଚଳରେ ଏହି କଣ୍ଟେନରଟିକୁ ଠାବ କରାଯାଇଛି । ମତ୍ସ୍ୟଜୀବୀମାନେ କଣ୍ଟେନରଟିକୁ କୂଳକୁ ଆଣିବାକୁ ଉଦ୍ୟମ ଚଲାଇଛନ୍ତି ।

ଅନ୍ୟପକ୍ଷରେ ରାଜନଗର ସାତଭାୟା ସମୁଦ୍ର କୂଳରେ ୩ଟି କଣ୍ଟେନର ଲାଗିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । କୋଲକାତା ଓ ପାରାଦୀପ ପୋର୍ଟର ୭ ଜଣିଆ ଟିମ୍ ସାତଭାୟାରେ କଣ୍ଟେନର ପାଖରେ ପହଁଞ୍ଚି ତଦନ୍ତ କରୁଛନ୍ତି ।

କୋଲକାତା ବନ୍ଦରରୁ ଜାହାଜ ଯୋଗେ ୧୨ଟି କଣ୍ଟେନର ଇଣ୍ଡୋନେସିଆ ଯାଉଥିବା ବେଳେ ଦୁର୍ଘଟଣା ଘଟି ସବୁ ଗୁଡିକ ଭାସି ଯାଇଥିଲା । ସେଥିରୁ ୩ଟି ସାତଭାୟା ସମୁଦ୍ର କୂଳରେ ଲାଗିଛି । ଲୋକେ କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଇଥିଲେ ।

ଅବ୍ୟବସ୍ଥିତ ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଙ୍କୁ ଆକ୍ରମଣ, ୧୦ ଅଟକ

ନନ୍ଦପୁର: ଅବ୍ୟବସ୍ଥିତ ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଙ୍କ ଉପରେ ଆକ୍ରମଣ । ଘଟଣାରେ ଥାନାରେ ୧୦ ଜଣ ଅଟକ । କୋରାପୁଟ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଘଟଣା । ଡାକ୍ତର ସନ୍ଦୀପ ପଣ୍ଡାଙ୍କୁ ଆକ୍ରମଣ ଘଟଣା ପରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବନ୍ଦ ।

ଗତକାଲି ଲମତାପୁଟ ବ୍ଲକ ଟିକରପଡା ପଞ୍ଚାୟତ ପାଞ୍ଜେଲ ଗ୍ରାମର କବିତା ଖିଲ ଘରେ ଆଚେତ ହୋଇ ପଡିଯାଇଥିଲେ । ସେ ଗର୍ଭବତୀ ରହିଥିଲେ । ତାଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ସମ୍ପର୍କୀୟ l ସେଠାରେ ଡାକ୍ତର କବିତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ ଡାକ୍ତର ।

ଗର୍ଭବତୀଙ୍କ ମୃତ୍ଯୁ ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲା । ମୃତ ମହିଳାଙ୍କ ସମ୍ପର୍କୀୟ ଶବ ବ୍ୟବଚ୍ଛେଦ ଗୃହ ଅବ୍ୟବସ୍ଥିତାକୁ ନେଇ ଡାକ୍ତରଙ୍କ ଉପରେ ରାଗି ଯାଇଥିଲେ । ପରେ ବ୍ୟକ୍ତି ଜଣକ ଆକ୍ରମଣ କରିଥିବା ନେଇ ନନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ମୃତ୍ୟୁ ମହିଳାଙ୍କ ୧୦ ଜଣ ସମ୍ପର୍କୀୟଙ୍କୁ ଅଟକ ରଖିଛି ।

ଯେଉଁମାନେ ଭାଇଚାରା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ଏପରି କରିବାକୁ ଦିଆଯିବ ନାହିଁ: ମୁନ୍ନା ଖାଁ

ଭୁବନେଶ୍ବର: ଓଡ଼ିଶାରେ ଦଙ୍ଗା ନଥିଲା, ଏବେ ବାରମ୍ବାର ଘଟୁଛି । ଏହାକୁ ବିଜେଡି ପ୍ରତିହତ କରିବ । ସଂଖ୍ୟାଲଘୁ ସେଲର ସାଙ୍ଗଠନିକ କର୍ମକର୍ତ୍ତା ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛି ବିଜେଡି । ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି, ବିଜେପି ମିଛ କଥା କହି ସରକାରକୁ ଆସିଛି । ଲୋକଙ୍କ ବିଶ୍ୱାସ ରଖିଲାନି । ହେଲେ ବିଜେଡି ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଆସିଛି । ସେଥିପାଇଁ ଜାତୀୟସ୍ତରରେ ନା ଇଣ୍ଡିଆ ନା ଏନଡିଏ ସହ ଥିଲା ବିଜେଡି ।

ସେ ଆଗକୁ କହିଛନ୍ତି, ଭାରତରେ ସବୁ ଧର୍ମ ଓ ବର୍ଗର ବସବାସ କରିବାର ଅଧିକାର ରହିଛି । ନିଜ ଘରେ ପ୍ରାର୍ଥନା କରିବାକୁ କାହାକୁ ମନା ନାହିଁ । ହେଲେ ଏବେ ଏସବୁ ବେଳେ ଦୁର୍ବ୍ୟବହାର କରାଯାଉଛି, ଭଙ୍ଗାରୁଜା ହେଉଛି । ନମାଜ ପଢିବାକୁ ଦିଆଯାଉ ନାହିଁ । ବିଜେଡି ଏକ ଧର୍ମ ନିରପେକ୍ଷ ଦଳ । ସବୁ ବର୍ଗଙ୍କୁ ନେଇ ଦଳ ଚାଲିବ । ଯେଉଁମାନେ ଭାଇଚାରା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ଏହା କରିବାକୁ ଦିଆଯିବ ନାହିଁ ।

ୱାକଫ ବିଲକୁ ନେଇ ମୁନା କହିଛନ୍ତି, ଓ୍ବାକଫ ବିଲ୍ ସଂସଦରେ ଆଣିବାକୁ ବିଜେପି ଉଦ୍ୟମ କରୁଛି । ଯେଉଁଥିପାଇଁ ଜେପିସି ଗଠନ ହୋଇଛି । ଜେପିସି ନିଷ୍ପତ୍ତିକୁ ବିଜେଡି ଅପେକ୍ଷା କରିଛି, ନହେଲେ ଦଳ ଏହାକୁ ବିରୋଧ କରିବ ।

ବୈଠକରେ ବିଭିନ୍ନ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାମାନେ ସେମାନଙ୍କ କଥା କହିଲେ । ସଂଖ୍ୟାଲଘୁ ସେଲର ଭାଇମାନେ ଭାଇଚାରା ରକ୍ଷା କରିବାକୁ ବୈଠକରେ ପ୍ରସ୍ତାବ ପାସ ହୋଇଛି ବୋଲି ମୁନ୍ନା ଖାଁ କହିଛନ୍ତି । ବୈଠକରେ ବିଜେଡି ସୁପ୍ରିମୋ ଯୋଗଦେଇ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

ସେଲଫୋନ ବ୍ୟବହାର କରୁଥିଲେ ସାବଧାନ !

ନୂଆଦିଲ୍ଲୀ: ସେଲଫୋନ ବ୍ଯବହାର କରୁଥିଲେ ସାବଧାନ । ସେଲଫୋନ ବ୍ଯବହାର ସହ ହୃଦରୋଗର ରହିଛି ସମ୍ପର୍କ । ବିଶେଷ କରି ଧୂମପାନ କରୁଥିବା ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ବୋଲି ଗବେଷଣାରୁ ଜଣାଯାଇଛି ।

ସେଲଫୋନ ବ୍ଯବହାର କମ୍ ନିଦ୍ରା, ମନସ୍ତାତ୍ତ୍ବିକ ଚାପ, ନକାରାତ୍ମକ ଭାବାବେଗ ଆଦିର କାରଣ ହୋଇଥାଏ ବୋଲି କୁହାଯାଇଛି । କମ୍ ନିଦ୍ରା ଓ ଦୁର୍ବଳ ମାନସିକ ସ୍ବାସ୍ଥ୍ୟ ସାଧାରଣତଃ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଯାହା ହୃଦସ୍ପନ୍ଦନ, ଅନ୍ତଃସ୍ରାବୀ ବା ଏଣ୍ଡୋକ୍ରାଇନ ଓ ମେଟାବୋଲିକ କ୍ଷେତ୍ରରେ ବାଧା ହେତୁ ହୃଦରୋଗ ପରି ସମସ୍ଯା ସୃଷ୍ଟି ହୋଇଥାଏ ।

ଏହା ସ୍ପଷ୍ଟ କରିଛନ୍ତି ଚୀନର ଗବେଷକ ଡାକ୍ତର ଜିଆନହୁଇ କିନ୍ । ବଡକଥା ହେଉଛି ପ୍ରାୟ ଦୁଇ ଦଶନ୍ଧି ତଳର ସଂଗୃହୀତ ତଥ୍ଯକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି । କାନାଡିଆନ ଜର୍ଣ୍ଣାଲ ଅଫ କାର୍ଡିଓଲୋଜିରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୦୬ରୁ ୨୦୧୦ ମଧ୍ଯରେ ସଂଗୃହୀତ ତଥ୍ଯରୁ ଏହି ତଥ୍ଯ ପ୍ରକାଶ କରାଯାଇଛି ।

ଗବେଷକମାନେ ୪ ଲକ୍ଷ ୪୪ ହଜାର ମଧ୍ଯବୟସ୍କ ଲୋକଙ୍କ କ୍ଷେତ୍ରରେ ଏହି ପରୀକ୍ଷା କରିଥିଲେ । ଯେଉଁମାନେ ସପ୍ତାହକୁ ଥରେ କଲ୍ କରନ୍ତି କିମ୍ବା ରିସିଭ କରନ୍ତି । ଏହାବାଦ ଯେଉଁମାନେ ପ୍ରତି ସପ୍ତାହରେ ଘଣ୍ଟାଏ କିମ୍ବା ଅଧିକ ବ୍ଯବହାର କରିଥାନ୍ତି ସେମାନଙ୍କୁ ନେଇ ଗବେଷଣା କରାଯାଇଥିଲା ।

ଯେଉଁମାନଙ୍କୁ ନେଇ ଏହି ଗବେଷଣା ଚାଲିଥିଲା ସେମାନଙ୍କୁ ପ୍ରାୟ ୧୨ ବର୍ଷ ଲାଗି ମନିଟରିଂ କରାଯାଇଥିଲା । ସେମାନଙ୍କ ହସ୍ପିଟାଲ ଯିବା ଓ ଷ୍ଟ୍ରୋକ, କରୋନାରୀ ହାର୍ଟ ଡିଜିଜ, ଆର୍ଟିଆଲ ଫିବ୍ରିଲେସନ ଓ ହାର୍ଟ ଫେଲୁଅର ସମ୍ପର୍କରେ ଜାଣିବା ଲାଗି ସେମାନଙ୍କ ମୃତ୍ଯୁର ରେକର୍ଡ ବି ରଖାଯାଉଥିଲା । ସେମାନଙ୍କ ମଧ୍ଯରୁ ୫୬ ହଜାର ଲୋକଙ୍କ କ୍ଷେତ୍ରରେ ହୃଦରୋଗ ଦେଖାଯାଇଥିଲା । ବିଶେଷ କରି ଧୂମପାନ କରୁଥିବା ଓ ମଧୁମେହରେ ପୀଡିତ ଥାଇ ଅଧିକ ମୋବାଇଲ ବ୍ଯବହାର କରୁଥିବା ବ୍ଯକ୍ତିଙ୍କ କ୍ଷେତ୍ରରେ ଏହି ରିସ୍କ ଅଧିକ ଥିଲା । ୧୧.୫ ପ୍ରତିଶତ ବ୍ଯକ୍ତି ମନସ୍ତାତ୍ତ୍ବିକ ଚାପ, ୫.୧ ପ୍ରତିଶତ ବ୍ଯକ୍ତି କମ୍ ନିଦ୍ରା ଓ ୨.୨୫ ପ୍ରତିଶତ ବ୍ଯକ୍ତି ନକରାତ୍ମକ ଭାବାବେଗର ଶିକାର ହୋଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।

ଏନକାଉଣ୍ଟରରେ ୬ ନକ୍ସଲ ନିପାତ, ଦୁଇ ଯବାନ ଆହତ

ଭାଦ୍ରିଦ୍ରି: ତେଲେଙ୍ଗାନାରେ ଯବାନଙ୍କୁ ବଡ଼ ସଫଳତା । ଯବାନଙ୍କ ଏନକାଉଣ୍ଟରରେ ୬ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଏନକାଉଣ୍ଟରରେ ଦୁଇ ଯବାନ ଆହତ ହୋଇଥିବା ଜଣାପଡିଛି ।

ତେଲଙ୍ଗାନାର ଭଦ୍ରାଦ୍ରି କୋଠାଗୁଡ଼ି ଜିଲ୍ଲାରେ ଏହି ଏନକାଉଣ୍ଟର ଘଟିଛି । ଦୁଇ ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଆଜି ସକାଳୁ କମ୍ଵିଂ ବେଳେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଗତ ବୁଧବାର ମଧ୍ୟ ତେଲେଙ୍ଗାନା ସୀମାନ୍ତ ଦାନ୍ତେୱାଡ଼ାରେ ଏକ ଏନକାଉଣ୍ଟରରେ ୯ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା । ସେଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ

ଜମ୍ମୁ ଓ କାଶ୍ମୀର: ବିଧାନସଭା ନିର୍ବାଚନ ପାଇଁ ଜାମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । କଂଗ୍ରେସ, ବିଜେପି ଓ ଅନ୍ଯାନ୍ଯ ଦଳ ପକ୍ଷରୁ ଚାଲିଛି ପ୍ରାର୍ଥୀ ପତ୍ର ଦାଖଲ । ଶହ ଶହ କର୍ମୀଙ୍କ ଗହଣରେ ନେତାମାନେ ଯାଇ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ।

ସାଲେଙ୍ଗ ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଜାମ୍ମୁ ଓ କାଶ୍ମୀର କଂଗ୍ରେସ ସଭାପତି ତାରିକ ହମିଦ । ଶତାଧିକ କର୍ମୀଙ୍କ ଗହଣରେ ଯାଇ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ବୁଦୁଗାଓଁ ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ନ୍ଯାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା । ତେଣେ ମେନ୍ଧାର ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପିର ମୁର୍ତାଜା ଖାଁ । ଗତକାଲି ରାମବନ ଓ ଅନନ୍ତନାଗରେ ନିର୍ବାଚନୀ ପ୍ରଚାର କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ବିଜେପି ଛାଡ଼ି ପୁଣି ସମାଜବାଦୀ ପାର୍ଟିକୁ ଫେରି ପାରନ୍ତି ଅପର୍ଣ୍ଣା

ୟୁପି: ଅପର୍ଣ୍ଣା ଯାଦବଙ୍କ ହୋଇପାରେ ଘର ବାହୁଡ଼ା । ଦାଦା ଶିବପାଲ ଯାଦବଙ୍କ ସହିତ ଯୋଗାଯୋଗ କରି ସମାଜବାଦୀ ପାର୍ଟିକୁ ଫେରିବା ପାଇଁ ଚେଷ୍ଟା କରୁଥିବା ସୂଚନା ମିଳିଛି । ଅପର୍ଣ୍ଣା ହେଉଛନ୍ତି ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ । ଏବର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ଯାଦବଙ୍କ ଭାଇ ବୋହୂ ।

୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ମିଶିଥିଲେ । ତାଙ୍କୁ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷା ପଦ ମିଳିଛି । ହେଲେ ସେ ଏଥିରେ ଖୁସି ନ ଥିବା ଜଣାପଡ଼ିଛି । କୌଣସି ଏକ ବଡ଼ ପଦବୀ ସେ ଚାହୁଁଛନ୍ତି ।

ଅପର୍ଣ୍ଣା ଦଳର ବଡ଼ ପଦ ପଦବୀରେ ରହିଲେ, ନିଜ ପରିବାର ଲୋକଙ୍କ ବିପକ୍ଷରେ କିଛି କହିବେ ନାହିଁ ବୋଲି ବିଜେପି ତାଙ୍କୁ କିଛି ଦାୟିତ୍ବ ଦେଉ ନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ସେ ଅସନ୍ତୁଷ୍ଠ ଥିବା ଜଣାପଡିଛି । ଏହି କାରଣରୁ ସେ ସମାଜବାଦୀ ପାର୍ଟିକୁ ଫେରିବାକୁ ଚାହୁଁଥିବା ଶିଣିବାକୁ ମିଳୁଛି ।

ତେବେ ଏହି ଖବରକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି । ଅପର୍ଣ୍ଣାଙ୍କୁ ମନେଇବାକୁ ବିଜେପି ତରଫରୁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି