ଅନୁଗୁଳ : ଲକ୍ଷାଧିକ ଟଙ୍କା ଠକିନେଲେ ସାଇବର ଲୁଟେରା । ଥାନାରେ ଅଭିଯୋଗ ହେବା ପରେ ୪୮ ଘଣ୍ଟା ମଧ୍ୟରେ ୪ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଅନୁଗୁଳ ପୁଲିସ । ଟ୍ରେଡିଂ ଆପ ଜରିଆରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୫୬ ହଜାର ଟଙ୍କା ଠକେଇ ହୋଇଥିଲା । ଏନେଇ ଗତ ଡିସେମ୍ବର ୮ ତାରିଖରେ ଜଣେ ଅଭିଯୋଗକାରୀ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ତୁରନ୍ତ ତତ୍ପରତା ଦେଖାଇଥିଲା । ମୋବାଇଲ ନମ୍ବର ଟ୍ରାକ କରି ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଠାବ କରିବା ସହ ନୟାଗଡରେ ଚଢ଼ାଉ କରି ୪୮ ଘଣ୍ଟା ମଧ୍ୟରେ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ଜ୍ୟୋତି ନାଏକ , ପ୍ରତାପ ନାଏକ , ରାମଚନ୍ଦ୍ର ମୁଦୁଲି ଏବଂ ଦିବ୍ୟ ରଞ୍ଜନ ଜେନା । ଏମାନେ ସରଣକୁଳ ଥାନା ଅଞ୍ଚଳର ବାସିନ୍ଦା । ସେମାନଙ୍କ ନିକଟରୁ ୬୯ ହଜାର ନଗଦ ଟଙ୍କା ସହ ଅନେକ ଏ ଟି ଏମ୍ କାର୍ଡ଼ , ମୋବାଇଲ ଆଦି ଜବତ କରାଯାଇଛି । ଏହି ଅଭିଯୁକ୍ତ ମାନେ ପୂର୍ବରୁ ଅନେକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଏମାନେ ଟେଲିଗ୍ରାମ ଜରିଆରେ ପ୍ରଲୋଭନ ଦେଖାଇ ଠକେଇ କରିଥିଲେ ବୋଲି ଅଭିଯୋଗ ହୋଇଛି ।
୨୦୨୬ ଦଶମ ବୋର୍ଡ ପରୀକ୍ଷାରେ ବଡ଼ ପରିବର୍ତ୍ତନ ଆଣିଛି ସିବିଏସଇ
ନନ୍ଦିଘୋଷ ବ୍ୟୁରୋ : ୨୦୨୬ ଦଶମ ବୋର୍ଡ ପରୀକ୍ଷା ପାଇଁ ବଡ଼ ପରିବର୍ତ୍ତନ ଆଣିଛି ସିବିଏସଇ । ପରୀକ୍ଷା ଏଣିକି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭାଗ A, ଭାଗ B, ଏବଂ ଭାଗ Cରେ ପ୍ରଶ୍ନପତ୍ର ବିଭକ୍ତ କରାଯିବ । ସେହିପରି, ଉତ୍ତର ପତ୍ରକୁ ତିନୋଟି ଭାଗରେ ବିଭକ୍ତ କରାଯିବ । ଯାହା ଦ୍ଵାରା ଛାତ୍ରଛାତ୍ରୀମାନେ ଯେଉଁଠାରେ ପ୍ରଶ୍ନ ପଚରାଯାଉଛି କେବଳ ସେହି ଭାଗରେ ଉତ୍ତର ଲେଖିବେ।ଭୁଲ ବିଭାଗରେ ଲେଖାଯାଇଥିବା ଉତ୍ତରଗୁଡ଼ିକର ମୂଲ୍ୟାଙ୍କନ କରାଯିବ ନାହିଁ ଏବଂ ସେମାନେ ମାର୍କ ପାଇବେ ନାହିଁ। ବୈଠକ ସମୟରେ, ଆଞ୍ଚଳିକ ନିର୍ଦ୍ଦେଶକ ସ୍କୁଲଗୁଡ଼ିକରେ ପ୍ରଶ୍ନର ସଠିକ୍ ବିଭାଗରେ ଛାତ୍ରଛାତ୍ରୀମାନଙ୍କୁ ଅଭ୍ୟାସ ଉତ୍ତର ଲେଖିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଯଦି ଭାଗ A ପାଇଁ ଏକ ଉତ୍ତର ଭାଗ B ରେ ଲେଖାଯାଏ, ତେବେ ଏହାକୁ ଭୁଲ ବୋଲି ବିବେଚନା କରାଯିବ। ନୂତନ ଢାଞ୍ଚାରେ ପ୍ରାର୍ଥୀମାନଙ୍କୁ ଅଭ୍ୟସ୍ତ କରିବା ପାଇଁ ସ୍କୁଲଗୁଡ଼ିକ ଦାୟୀ ରହିବେ। ଏଥର ବୋର୍ଡ ଅତିରିକ୍ତ ଉତ୍ତର ପତ୍ର ପ୍ରଦାନ କରିବ ନାହିଁ। ଛାତ୍ରଛାତ୍ରୀମାନଙ୍କୁ ଉତ୍ତର ପତ୍ରର ଅଂଶ C ଅତିରିକ୍ତ ପୃଷ୍ଠା ଭାବରେ ବ୍ୟବହାର କରିବାକୁ ପଡିବ। ତେଣୁ, ସ୍କୁଲଗୁଡ଼ିକ ଏହି ନିର୍ଦ୍ଦେଶାବଳୀଗୁଡ଼ିକୁ ଛାତ୍ରଛାତ୍ରୀମାନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। CBSE ଖୁବ୍ ଶୀଘ୍ର ମଡେଲ ପେପରଗୁଡ଼ିକୁ ଏହାର ସରକାରୀ ୱେବସାଇଟରେ ଅପଲୋଡ୍ କରିବ। ଏହି ମଡେଲ ପେପରଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଫର୍ମାଟରେ ଉତ୍ତର ଅଭ୍ୟାସ କରିବାକୁ ଅନୁମତି ଦେବ। ଏହା ପରୀକ୍ଷା ସମୟରେ ଭୁଲ ହେବାର ସମ୍ଭାବନାକୁ ହ୍ରାସ କରିବ ଏବଂ ଏକ ସ୍ୱଚ୍ଛ ମାର୍କିଂ ପ୍ରକ୍ରିୟାକୁ ସୁନିଶ୍ଚିତ କରିବ।
ଋଣ ଚାପରେ ଜୁଝି ହେଉଛି ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ : ଆର୍ଥିକ ସଙ୍କଟରେ ଗତି କରୁଛି ପାକିସ୍ତାନ। ଜନତାଙ୍କ ଦୁର୍ଦିନରେ କଟୁଛି ଜୀବନ । ଋଣ ଚାପରେ ଜୁଝି ହେଉଛି ଦେଶ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି IMF ପାକିସ୍ତାନକୁ ପ୍ରାୟ ୧.୨ ବିଲିୟନ ଡଲାର ଋଣ ଦେବାକୁ ଘୋଷଣା କରିବା ପରେ ସତ ପଦାକୁ ଆସିଛି । ଅତ୍ୟଧିକ ଋଣ ଚାପ, ଦୁର୍ବଳ ନିବେଶ ପରିବେଶ ଏବଂ ମନ୍ଥର ନିଯୁକ୍ତି ଅଭିବୃଦ୍ଧି ଭଳି କାରଣଗୁଡ଼ିକ ଦ୍ୱାରା ଏହାର ଅର୍ଥନୀତି ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଦେଶବାସୀଙ୍କ ମୁଣ୍ଡପିଛା ଆୟ ୧୫୦ ଟଙ୍କା ଥିବା ରିପୋର୍ଟରୁ ଜଣାପଡିଛି । ୨୦୨୩-୨୪ରେ ୨୩.୪ ପ୍ରତିଶତର ମୁଦ୍ରାସ୍ଫୀତି ୨୦୨୪-୨୫ରେ ୪.୫ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ IMF ଆକଳନ କରିଛି ଯେ ଏହା ୨୦୨୫-୨୬ରେ ୬.୩ ପ୍ରତିଶତକୁ ବୃଦ୍ଧି ପାଇପାରେ। ଦ୍ରୁତ ଗତିରେ ବଢ଼ୁଥିବା ଜନସଂଖ୍ୟା, ସୀମିତ ସମ୍ବଳ ଏବଂ ରାଜନୈତିକ ଅସ୍ଥିରତା ପାକିସ୍ତାନର ଆର୍ଥିକ ସଙ୍କଟକୁ ଅଧିକ ଜଟିଳ କରୁଥିବା ଅର୍ଥନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।
ମହଙ୍ଗା ପଡ଼ିଲା ରସିକିଆ ଅଧ୍ୟକ୍ଷଙ୍କ ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ ; ଅଧ୍ୟକ୍ଷଙ୍କୁ ବାନ୍ଧିଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ : ମହଙ୍ଗା ପଡ଼ିଲା ରସିକିଆ ଅଧ୍ୟକ୍ଷଙ୍କ ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ । ଖୋର୍ଦ୍ଧା ବୋଲଗଡ଼ ପି ଏନ କଲେଜ ଅଧ୍ୟକ୍ଷଙ୍କୁ ବାନ୍ଧିଲା ପୋଲିସ । ଅଧ୍ୟାପିକାଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ବୋଲଗଡ଼ ପୋଲିସ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ ଦଫା। ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୭୫, ୭୮(୨), ୩୫୧(୨) ଲାଗୁ କରାଯାଇଛି । କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଅଧ୍ୟାପିକାଙ୍କ ଫୋନକୁ ଅଧ୍ୟକ୍ଷ ଭଏସ ମେସେଜ ଜରିଆରେ ପ୍ରେମ ନିବେଦନ କରିବା ସହିତ ଅଶ୍ଳୀଳ ବାର୍ତ୍ତା ଦେଇଥିଲେ । ଏଥିରେ ଅଧ୍ୟାପିକା ଜଣକ ମାନସିକ ଆଘାତ ପାଇ ବାପାଙ୍କୁ ଜଣାଇଥିଲେ । ଏହାପରେ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଏତଲା ଦେଇଥିଲେ । ଗତକାଲି ରାତିରେ ଅଧ୍ୟକ୍ଷଙ୍କୁ ଲୁଚିଥିବା ସ୍ଥାନରୁ ଉଠାଇ ଅଟକ ରଖିଥିଲା । ଆଜି ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ତିନୋଟି ଫର୍ମାଟରେ ଶତକ କରି ଇତିହାସ ରଚିଲେ ବୁମରା
ନନ୍ଦିଘୋଷ ବ୍ୟୁରୋ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଗତକାଲି କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୧୦୧ ରନ୍ରେ ପରାସ୍ତ କରି ସିରିଜ୍ରେ ୧-୦ରେ ଆଗରେ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଦଳ ପାଇଁ ୧୭୬ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ କ୍ରମ ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନ ଥିଲା ଏବଂ ମାତ୍ର ୭୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହା ଦକ୍ଷିଣ ଆଫ୍ରିକାର ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ସବୁଠାରୁ କମ୍ ସ୍କୋର। ଏହି ମ୍ୟାଚ୍ରେ ପ୍ରଥମ ୱିକେଟ୍ ନେଇ ବୁମରା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଶତକ ହାସଲ କରିଥିଲେ ଏବଂ ଏକ ଐତିହାସିକ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ ଯାହା ଭାରତୀୟ କ୍ରିକେଟ୍ ଇତିହାସରେ କୌଣସି ବୋଲର ହାସଲ କରି ନଥିଲେ।
କଟକରେ ପ୍ରଥମ ଟି-୨୦ରେ ଡେୱାଲ୍ଡ ବ୍ରେଭିସଙ୍କ ୱିକେଟ ନେଇ ବୁମରା ଟି-୨୦ରେ ତାଙ୍କର ଶତକ ପୂରଣ କରିଥିଲେ। ଅର୍ଶଦୀପ ସିଂହଙ୍କ ପରେ ବୁମରା ଏହି ଫର୍ମାଟରେ ୧୦୦ ୱିକେଟ ହାସଲ କରିବାରେ ଦ୍ୱିତୀୟ ଭାରତୀୟ ବୋଲର ହୋଇଥିଲେ। ବର୍ତ୍ତମାନ, ଅର୍ଶଦୀପ ଟି-୨୦ରେ ୧୦୭ ୱିକେଟ ନେଇ ପ୍ରଥମ ସ୍ଥାନରେ ଅଛନ୍ତି । ବୁମରା ୧୦୧ ୱିକେଟ ସହିତ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୧୦୦ ୱିକେଟ୍ ପୂରଣ କରି ବୁମରାହ ଏବେ ତିନୋଟି ଫର୍ମାଟରେ ୧୦୦ ୱିକେଟ୍ ପୂରଣ କରିଛନ୍ତି। ସେ ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ବୋଲର। ବୁମରା ଟେଷ୍ଟରେ ୨୩୪ ଏବଂ ଦିନିକିଆରେ ୧୪୯ ୱିକେଟ୍ ହାସଲ କରିଛନ୍ତି।
ଜସପ୍ରିତ ବୁମରା ବିଶ୍ୱର କେବଳ ଚାରି ଜଣ ବୋଲରଙ୍କ ଏକ ସ୍ୱତନ୍ତ୍ର ତାଲିକାରେ ସାମିଲ ହୋଇଛନ୍ତି। ବୁମରା କ୍ରିକେଟର ତିନୋଟି ଫର୍ମାଟରେ ୧୦୦ ୱିକେଟ ନେବାର ସଫଳତା ହାସଲ କରିବାରେ ବିଶ୍ୱର ପଞ୍ଚମ ବୋଲର। ଏହି ରେକର୍ଡ ପୂର୍ବରୁ ଲସିଥ ମାଲିଙ୍ଗାଙ୍କ ନାମରେ ଥିଲା। ସେ ଟିମ୍ ସାଉଦି, ସାକିବ ଅଲ୍ ହାସନ ଏବଂ ଶାହିନ ଆଫ୍ରିଦିଙ୍କ ସହିତ ମଧ୍ୟ ଯୋଗ ଦେଇଛନ୍ତି।
ଭାରତରେ ବଡ଼ ଧରଣର ନିବେଶ କରିବ ଆମାଜନ ; ୨୦୩୦ ସୁଦ୍ଧା ଆମାଜନ ନିବେଶ କରିବ ୩୫ ବିଲିୟନ ଡଲାର
ନନ୍ଦିଘୋଷ ବ୍ୟୁରୋ : ଭାରତରେ ବଡ଼ ଧରଣର ନିବେଶ କରିବ ଆମାଜନ। ଆସନ୍ତା ୨୦୩୦ ସୁଦ୍ଧା ଦେଶରେ ଆମାଜନ ପ୍ରାୟ ୩୫ ବିଲିୟନ ଡଲାର ନିବେଶ କରିବ। ପ୍ରାୟ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଡିଜିଟାଲ ଇକୋନୋମି, ଆର୍ଟିଫିସିଆଲ ଇଣ୍ଟେଲିଜେନସଭିତ୍ତିକ ରୂପାନ୍ତରଣ ଓ ନିଯୁକ୍ତି ସୃଷ୍ଟି ଦିଗରେ ଏହି ନିବେଶ ଉଦ୍ଦିଷ୍ଟ। ଗତ ୧୫ ବର୍ଷ ଭିତରେ ଭାରତରେ ଆମାଜନ ୪୦ ବିଲିୟନ ଡଲାର ନିବେଶ କରିସାରିଲାଣି। ଆସନ୍ତା ୨୦୩୦ ସୁଦ୍ଧା ବଡ଼ ନିବେଶ ନେଇ ଦିଲ୍ଲୀରେ ଆୟୋଜିତ ଆମାଜନ ସମ୍ଭବ ସମ୍ମିଳନୀରେ ଘୋଷଣା କରାଯାଇଛି। ଦେଶରେ ଭିତ୍ତିଭୂମିରେ ବିକାଶ, ନିଯୁକ୍ତି ସୃଷ୍ଟି ଦିଗରେ ଏହି ନିବେଶ ସହାୟକ ହେବ। ଏହା ସହ ଏହି ନିବେଶ ହେବ ଭାରତର ସର୍ବବୃହତ ବିଦେଶୀ ନିବେଶ। ଡିଜିଟାଇଜେସନ, ରପ୍ତାନିଭିତ୍ତିକ ଅଭିବୃଦ୍ଧି, ଇ-କମର୍ସ ଏକ୍ସପୋର୍ଟ ଦିଗରେ ବି ଏହି ନିବେଶ ସହାୟକ ହେବ। ଭାରତରେ ଫିଜିକାଲ ଓ ଡିଜିଟାଲ ଭିତ୍ତିଭୂମି, ଫୁଲଫିଲମେଣ୍ଟ ସେଣ୍ଟର, ଟ୍ରାନ୍ସପୋର୍ଟେସନ ନେଟୱର୍କ, ଡାଟା ସେଣ୍ଟର, ଡିଜିଟାଲ ପେମେଣ୍ଟସ୍ ଇନଫ୍ରାଷ୍ଟ୍ରକଚର, ଟେକନୋଲୋଜି ପ୍ଲାଟଫର୍ମରେ ନିଜ ପ୍ରାଧାନ୍ୟ ବିସ୍ତାର କରିସାରିଛି ଆମାଜନ। ଆମାଜନ ୧୨ ନିୟୁତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଡିଜିଟାଇଜଟଡ କରାଯାଇଥିବାବେଳେ ୨୦ ବିଲିୟନ ଡଲାରର ଇ-କମର୍ସ ଏକ୍ସପୋର୍ଟ କରୁଛି।
PNB ବ୍ୟାଙ୍କ ଋଣ ଠକେଇ ମାମଲା ; ପଳାତକ ବ୍ୟବସାୟୀ ମେହୁଲ ଚୋକସିର ବଢ଼ିଲା ଅଡୁଆ
ନନ୍ଦିଘୋଷ ବ୍ୟୁରୋ : ପିଏନବି ବ୍ୟାଙ୍କ ଋଣ ଠକେଇ ମାମଲା। ପଳାତକ ବ୍ୟବସାୟୀ ମେହୁଲ ଚୋକସିର ଆବେଦନ ବେଲଜିୟମ ସୁପ୍ରିମକୋର୍ଟରେ ଖାରଜ। ଭାରତର ପ୍ରତ୍ୟର୍ପଣ ମାମଲାକୁ ନେଇ ବେଲଜିୟମ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ମେହୁଲ ଚୋକସି। ତେବେ ବେଲଜିୟମର ସୁପ୍ରିମକୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଆବେଦନକୁ ଖାରଜ କରି ଭାରତକୁ ପ୍ରତ୍ୟର୍ପଣ ପାଇଁ ପଥ ପ୍ରଶସ୍ତ କରୁଥିବା ପୂର୍ବ ନିର୍ଦ୍ଦେଶକୁ ବଜାୟ ରଖିଛନ୍ତି। ଗତ ୧୭ ଅକ୍ଟୋବରରେ ଭାରତର ପ୍ରତ୍ୟର୍ପଣ ଅନୁରୋଧକୁ ସମର୍ଥନ କରିବା ଏବଂ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ରାୟ ଦେବା ପରେ କୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲା ମେହୁଲ ଚୋକସି। ଭାରତର ଅନୁରୋଧ କ୍ରମେ ଚୋକସିଙ୍କୁ ଗତ ଏପ୍ରିଲରେ ବେଲଜିୟମ କର୍ତ୍ତୃପକ୍ଷ ଗିରଫ କରିଥିଲେ। ସେବେଠାରୁ ସେ ସେଠାରେ ଜେଲରେ ଅଛି। କୋଟି କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ଭାରତରେ ପଳାତକ ଘୋଷଣା ହୋଇଛନ୍ତି ମେହୁଲ ଚୋକସି। ୨୦୧୮ ମସିହାରୁ ବିଦେଶରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଲଢ଼ୁଛନ୍ତି ମେହୁଲ ଚୋକସି। ଚୋକସି ଏବଂ ତାଙ୍କ ଭଣଜା ନୀରବ ମୋଦି ବିରୋଧରେ ଥିବା ଏହି ମାମଲାର ତଦନ୍ତ କରୁଛି ସିବିଆଇ। PNBରୁ ୧୩ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରିବାର ଅଭିଯୋଗ ରହିଛି। ମୋଦି ବର୍ତ୍ତମାନ ଲଣ୍ଡନର ଏକ ଜେଲରେ ବନ୍ଦୀ ଅଛନ୍ତି ଏବଂ ପ୍ରତ୍ୟର୍ପଣରୁ ରକ୍ଷା ପାଇବା ପାଇଁ ଆଇନଗତ ଆଶ୍ରୟ ନେଇଛନ୍ତି।
ପ୍ରବାସୀଙ୍କ ବିରୋଧରେ ଆମେରିକାର କଡ଼ା ପଦକ୍ଷେପ ; ବାତିଲ ହେଲାଣି ୮୫ ହଜାର ଭିସା
ନନ୍ଦିଘୋଷ ବ୍ୟୁରୋ : ପ୍ରବାସୀଙ୍କ ବିରୋଧରେ ଆମେରିକାର କଡ଼ା ପଦକ୍ଷେପ। ବର୍ତ୍ତମାନ ସୁଦ୍ଧା ବାତିଲ ହେଲାଣି ୮୫ ହଜାର ଭିସା। ଗତ ଜାନୁଆରୀରୁ ବର୍ତ୍ତମାନ ଯାଏ ୮୫ ହଜାର ଭିସା ବାତିଲେ ହୋଇଥିବାବେଳେ ଆହୁରି ଅନେକ ଭିସାକୁ ରଦ୍ଦ କରାଯିବ ବୋଲି ସୂଚନା ମିଳିଛି। ଜାତୀୟ ନିରାପତ୍ତାକୁ ଅଧିକ କଡ଼ାକଡ଼ି କରାଯିବା ଲାଗି ଏହି ପଦେକ୍ଷେପ ନିଆଯାଇଛି। ମେକ୍ ଆମେରିକା ସେଫ ଏଗେନ ସ୍ଲୋଗାନ ଅନୁସାରେ ଆମେରିକାରେ ଏହି ଅଭିଯାନ ବଳବତ୍ତର ରହିଛି। ନିକଟ ଭବିଷ୍ୟତରେ ଏହି ପ୍ରକ୍ରିୟାରେ ଅନ୍ତ ଘଟିବ ନାହିଁ ବୋଲି ସୂଚନା ମିଳିଛି। ଟ୍ରମ୍ପ ପ୍ରଶାସନର ନିରାପତ୍ତା ଆଭିମୁଖ୍ୟ ଅନୁସାରେ ଏହି ପଦକ୍ଷେପ ନିଆଯାଉଛି। ବାତିଲ ହୋଇଥିବା ଭିସା ମଧ୍ୟରୁ ୮ ହଜାର ଭିସା ଛାତ୍ରଛାତ୍ରୀଙ୍କର ବୋଲି ସୂଚନା ମିଳିଛି। ଆମେରିକା ସମ୍ପ୍ରଦାୟ ବିରୋଧରେ ଯେଉଁମାନେ ବିପଦ ଭାବେ ପରିଗଣିତ ହେଉଛନ୍ତି ସେମାନଙ୍କ ଭିସା ବାତିଲ କରାଯାଉଛି ବୋଲି କୁହାଯାଇଛି। ଭିସା ଅବଧିଠାରୁ ଅଧିକ ଦିନ ରହିବା, ଅପରାଧିକ ସମ୍ପୃକ୍ତି, ଆତଙ୍କବାଦକୁ ସମର୍ଥନ ଆଦି କାରଣରୁ ଭିସା ବାତିଲ କରାଯାଇଛି ବୋଲି କୁହାଯାଇଛି। ବର୍ତ୍ତମାନ ଦେଶରେ ବୈଧ ଭିସାଧାରୀ ପ୍ରବାସୀଙ୍କ ସଂଖ୍ୟା ୫୫ ନିୟୁତ ରହିଛି।
ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ଘଟଣା ; କ୍ଲବର ଆଉ ଜଣେ ପାର୍ଟନର ଅଜୟ ଗୁପ୍ତାଙ୍କୁ ଦିଲ୍ଲୀରୁ ଧରିଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ : ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ଘଟଣା। କ୍ଲବର ଆଉ ଜଣେ ପାର୍ଟନର ଅଜୟ ଗୁପ୍ତାଙ୍କୁ ଦିଲ୍ଲୀରୁ ଧରିଲା ପୋଲିସ। ପୂର୍ବରୁ ଏହି ଘଟଣାରେ ୪ ମାଲିକଙ୍କ ନାଁରେ ଲୁକଆଉଟ୍ ସର୍କୁଲାର ଜାରି କରିଥିଲା ଗୋଆ ପୋଲିସ। ବର୍ତ୍ତମାନ ସୁଦ୍ଧା ମାମଲାରେ ୬ ଜଣ ହେଲେଣି ଗିରଫ। ଆଜି ଗିରଫ ପରେ ଅଜୟଙ୍କୁ ଦିଲ୍ଲୀ ସନଲାଇଟ କଲୋନି କ୍ରାଇମ ବ୍ରାଞ୍ଚ ଅଫିସରେ ହାଜର କରାଯାଇଛି। ନାଇଟ କ୍ଲବ ସମ୍ପର୍କରେ ଅଜୟ କିଛି ଜାଣୁ ନଥିବା କୁହାଯାଉଛି। ନାଇଟ କ୍ଲବର ମାଲିକ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରା ସବୁ ବୁଝୁଥିବାବେଳେ ଅଜୟ କେବଳ ନାମକୁ ମାତ୍ର ପାର୍ଟନର ଥିଲେ ବୋଲି ଜଣାଯାଇଛି। ତେଣେ ବିର୍ଚ ବାଇ ରୋମିଓ ଲେନର ମାଲିକ ଲୁଥ୍ରା ବ୍ରଦର୍ସ ଦିଲ୍ଲୀରେ ଏକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ମିଳିଛି। ତେବେ ଅଜୟ କହିଛନ୍ତି ସେ କେବଳ ନାମକୁ ମାତ୍ର ଜଣେ ପାର୍ଟନର ଥିଲେ ଏବଂ ନାଇଟ କ୍ଲବ ଅଘଟଣ ସମ୍ପର୍କରେ ସେ ବିଶେଷ ଜାଣନ୍ତି ନାହିଁ। ଗତ ଶନିବାର ରାତିରେ ବିର୍ଚ ବାଇ ରୋମିଓ ଲେନରେ ଘଟିଥିବା ଅଘଟଣରେ ଯାଇଥିଲା ୨୫ଜଣଙ୍କ ଜୀବନ। ସେପଟେ ନାଇଟ କ୍ଲବ ଲାଗି ବୈଧ ଅନୁମତି ଓ ଲାଇସେନ୍ସ ନଥିଲା ବୋଲି ଜଣାଯାଇଛି। ଗତକାଲି ଭାଗାତରସ୍ଥିତ ରୋମିଓ ଲେନ କ୍ଲବ ଉପରେ ଚାଲିଥିଲା ବୁଲଡୋଜର। ବେଆଇନ ଭାବେ ରେଷ୍ଟୁରାଣ୍ଟ ତିଆରି ହୋଇଥିଲା ବୋଲି ଅଭିଯୋଗ ପରେ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ହୋଟେଲଟି ଦୁଇ ପଳାତକ ଲୁଥ୍ରା ବ୍ରଦର୍ସଙ୍କ ମାଲିକାନାରେ ଥିଲା। ସରକାରୀ ଜମିରେ ରୋମିଓ ଲେନ ପ୍ରତିଷ୍ଠା ହୋଇଥିବା ଜଣାଯାଇଥିଲା। ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରାଙ୍କ ନାମରେ ଥିବା ପ୍ରପର୍ଟି ମଧ୍ଯରୁ ଏହା ଥିଲା ତୃତୀୟ ପ୍ରପର୍ଟି।
କପ୍ତିପଦା ବନାଞ୍ଚଳରେ ବାଘ ମାରୁଛି ଗୋରୁ ; ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ
ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳରେ ମାତିଛି ବାଘ। ମାରୁଛି ଗୋରୁ। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ଗତକାଲି ହୁଡ଼ିସାହିରେ ଗୁହାଳରୁ ଗୋରୁ ଘୋଷାରି ନେଇ ମାରିଦେଇଥିବା ବେଳେ ଆଜି ପୁଣି ପଣ୍ଡେସାହି ଗାଁରେ ସମାନ ଢ଼ଙ୍ଗରେ ଗୁହାଳରୁ ଗୋରୁ ଘୋଷାରି ନେଇ ମାରିଛି ବାଘ। ଗାଁର ପ୍ରେମ କୁମାର ସାମଲଙ୍କ ଗୁହାଳରେ ବନ୍ଧା ଯାଇଥିବାବେଳେ ଗୋରୁ ରଡି ଶୁଣି ପରିବାର ଲୋକେ ପାଟି କରିବାରୁ ବାଘଟି ଗୋରୁକୁ ଛାଡି ଚାଲିଯାଇଥିଲା। କିନ୍ତୁ ଗୋରୁଟିର ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ପଡିଛି । ଦୁଇ ଦିନରେ ୨ଟି ଗୋରୁ ମାରିଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ ।

