ନନ୍ଦିଘୋଷ ବ୍ୟୁରୋ : ଆଜି ରେଜଲ୍ଟ ଡେ। ହରିୟାଣା ଓ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ହେବ ଭୋଟ ଗଣତି। କାଉଣ୍ଟିଂ ଲାଗି ଦୁଇ ରାଜ୍ୟରେ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା କଡାକଡ଼ି କରାଯାଇଛି। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି। ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଗତ ଅକ୍ଟୋବର ପହିଲାରେ ଭୋଟଗ୍ରହଣ ଶେଷ ହୋଇଥିଲା । ହରିୟାଣା ବିଧାନସଭାର ମୋଟ ୯୦ ଆସନରେ ଭୋଟଗ୍ରହଣ ହୋଇଥିଲା। ସେହିପରି ଜାମ୍ମମୁ କାଶ୍ମୀର ବିଧାନସଭା ନିର୍ବାଚନ ଲାଗି ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ସେପ୍ଟେମ୍ବର ୧୮ରେ ପ୍ରଥମ, ସେପ୍ଟେମ୍ବର ୨୫ରେ ଦ୍ଵିତୀୟ ଏବଂ ଅକ୍ଟୋବର ୧ରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଜାମ୍ମୁ କାଶ୍ମୀରରେ ବିଧାନସଭାର ମୋଟ ୯୦ ଆସନରେ ଭୋଟଗ୍ରହଣ ଶେଷ ହୋଇଛି। ଜାମ୍ମୁ କାଶ୍ମୀରରେ ୨୦୧୪ରେ ଶେଷ ଥର ଲାଗି ନିର୍ବାଚନ ହୋଇଥିବାବେଳେ ୨୦୧୮ରେ ଲାଗୁ ହୋଇଥିଲା ରାଜ୍ଯପାଳ ଶାସନ। ୩୭୦ ଧାରା ଉଚ୍ଛେଦ ନେଇ ବେଶ ଚର୍ଚ୍ଚାର ଘେରକୁ ଆସିଥିଲା ଜାମ୍ମୁ କାଶ୍ମୀର। ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ଲାଗି ଜାମ୍ମୁ କାଶ୍ମୀରରେ ଭୋଟଗ୍ରହଣ ହୋଇଛି।
ଆସନ୍ତାକାଲି ହରିୟାଣା ଓ ଜମ୍ମୁ କାଶ୍ମୀର ଭୋଟ ଗଣତି
ଭୁବନେଶ୍ବର: ଆସନ୍ତାକାଲି ରେଜଲ୍ଟ ଡେ’ । ହରିୟାଣା ଓ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ହେବ ଭୋଟ ଗଣତି । ଦୁଇ ରାଜ୍ୟରେ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା କଡାକଡ଼ି କରାଯାଇଛି ।
ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଭୋର ୫ଟାରୁ ଆସି ଭୋଟ ଗଣତି କେନ୍ଦ୍ରରେ ପହଞ୍ଚିବେ ଟିମ୍ । ଏହାପରେ ଭୋଟ ଗଣତି ଆରମ୍ଭ ହେବ । ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଗତ ଅକ୍ଟୋବର ପହିଲାରେ ଭୋଟ ଗ୍ରହଣ ଶେଷ ହୋଇଛି । ହରିୟାଣା ବିଧାନସଭାର ମୋଟ ୯୦ ଆସନରେ ଭୋଟ ଗ୍ରହଣ ହୋଇଥିଲା ।
ସେହିପରି ଜାମ୍ମମୁ କାଶ୍ମୀର ବିଧାନସଭା ନିର୍ବାଚନରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ଜାମ୍ମୁ କାଶ୍ମୀରରେ ମଧ୍ୟ ମୋଟ ୯୦ ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି । ଜାମ୍ମୁ କାଶ୍ମୀରରେ ୨୦୧୪ରେ ଶେଷ ଥର ଲାଗି ନିର୍ବାଚନ ହୋଇଥିବାବେଳେ ୨୦୧୮ରେ ଲାଗୁ ହୋଇଥିଲା ରାଜ୍ଯପାଳ ଶାସନ ।
ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଅମିତ ଶାହଙ୍କ ଆହ୍ବାନ
ନୂଆଦିଲ୍ଲୀ: ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲାଲବାହିନୀକୁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ବିଶେଷ କରି ଯୁବ କ୍ୟାଡରଙ୍କୁ ସେ ଏହି ଅନୁରୋଧ କରିଛନ୍ତି । ନକ୍ସଲ ସମସ୍ୟାକୁ ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଅମିତ ଶାହା କହିଛନ୍ତି, ଯୁବ ପୀଢ଼ିଙ୍କୁ ବିଭ୍ରାନ୍ତ କରି ଲାଲବାହିନୀରେ ସାମିଲ କରାଯାଉଛି । ସେମାନେ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଉଚିତ । ଐହି ଅବସରରେ ନକ୍ସଲ ବିରୋଧୀ ଅପରେସନରେ ସଫଳତା ପାଇଁ ସୁରକ୍ଷାକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହା ।
ସେ କହିଛନ୍ତି, ନକ୍ସଲ ହିଂସା ସଂଖ୍ୟା ୧୬ ହଜାର ୪୬୩ରୁ ୭ ହଜାର ୭୭୦କୁ ଖସିଛି । ଆସନ୍ତା ବର୍ଷ ଆହୁରି କମିବ । ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟା ବି ୭୦ ପ୍ରତିଶତ କମିଛି । ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୯୬ରୁ ୪୨କୁ ହ୍ରାସ ପାଇଛି । ସେହିପରି ଏବେ ମାତ୍ର ୧୨୦ଟି ଥାନା ଅଞ୍ଚଳରେ ନକ୍ସଲ ହିଂସା ଦେଖା ଦେଇଛି । ଏହି ସବୁ ଅଞ୍ଚଳରେ ବିକାଶ କାମ ଜାରି ରଖିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଆଗକୁ ସେ କହିଛନ୍ତି, ସୁରକ୍ଷା ପାଇଁ ଗତ ୧୦ ବର୍ଷରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କେନ୍ଦ୍ରର ସ୍ଵତନ୍ତ୍ର ସହାୟତା ଯୋଜନାରେ ଖର୍ଚ୍ଚ ହୋଇଛି ପ୍ରାୟ ୪ ହଜାର କୋଟି । ୫୪୪ ଥାନାର ଆଧୁନିକୀକରଣ କରାଯାଇଥିବା ବେଳେ ନକ୍ସଲ ଅଞ୍ଚଳରେ ଗତ ୧୦ ବର୍ଷରେ ୧୧ ହଜାର ୫ ଶହ କିମି ରାସ୍ତା ତିଆରି ହୋଇଛି । ସେହିପରି ସ୍ଥାପନ କରାଯାଇଛି ୧୫ ହଜାର ୩୦୦ ମୋବାଇଲ ଟାୱାର । ୨୦୨୪ର ପ୍ରଥମ ୧୦ ମାସରେ ଛତିଶଗଡ଼ରେ ୧୯୪ ନକ୍ସଲ ନିହତ ହୋଇଥିବା ବେଳେ ୮ ଶହରୁ ଅଧିକ ଗିରଫ ହୋଇଛନ୍ତି । ସେହିପରି ୭୫୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି, ସେମାନଙ୍କ ଥଇଥାନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ପାସପୋର୍ଟ ଅଫିସ ଭିତରକୁ ପ୍ରବେଶ ଅନୁମତି ନାହିଁ, ଗ୍ରାହକ ହତାଦର
ଭୁବନେଶ୍ବର: ନୟାପଲ୍ଲୀ ପାସପୋର୍ଟ ସେବା କେନ୍ଦ୍ରରେ ଗ୍ରାହକଙ୍କୁ ହତାଦର । ପାସପୋର୍ଟ ସମ୍ପର୍କରେ ବୁଝିବାକୁ ଆସିଲେ ନା ମିଳୁଛି ସଠିକ ଉତ୍ତର ନା ଅଫିସ ଭିତରକୁ ପ୍ରବେଶ ଅନୁମତି । ସୁରକ୍ଷାକର୍ମୀଙ୍କ ଦାଦାଗିରି ଅତିଷ୍ଠ କରୁଛି ପାସପୋର୍ଟ ସେବା ପାଇଁ ଆସିଥିବା ଲୋକଙ୍କୁ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଶିଶୁ ଓ ମହିଳାଙ୍କୁ ଗେଟ ବାହାରେ ଖରାତରାରେ ଛିଡା ହେବାକୁ ପଡୁଛି । ୧୦ଟାରୁ ୨ଟା ଯାଏଁ ଇନକ୍ୟୁାରି ସମୟ ଥିଲେ ବି ଅଫିସ ପରିସରକୁ ଲୋକଙ୍କୁ ଛାଡୁ ନାହିଁ ସିକ୍ୟୁରିଟି । ଯେଉଁଥିପାଇଁ ଆଜି କାର୍ଯ୍ୟଳୟ ସାମ୍ନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ସମସ୍ତଙ୍କ ଅଭିଯୋଗ, ଏଠି କିଛି ବ୍ୟବସ୍ଥା ନାହିଁ । କେହି କାହା କଥା ଶୁଣୁନାହାଁନ୍ତି । ସୁରକ୍ଷାକର୍ମୀଙ୍କ ଭରସାରେ ଚାଲିଛି ପାସପୋର୍ଟ ସେବା କେନ୍ଦ୍ର । ଗେଟ କାହିଁକି ବନ୍ଦ ଅଛି ତାହାର ବି ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ । ବୟସ୍କ ଲୋକ ଖରା ତରାରେ ଠିଆ ହୋଇ ଫେରୁଛନ୍ତି, ହେଲେ କେହି କିଛି ଶୁଣିବାକୁ ନାରାଜ ।
ଲୋକଙ୍କ ଅଭିଯୋଗ ଶୁଣିବା ପରେ, ସୁରକ୍ଷା କର୍ମୀ ଏବଂ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ନନ୍ଦିଘୋଷ ଟିମ କଥା ହେବା ପରେ ନିଜର ତ୍ରୁଟି ସୁଧାରିଥିଲେ କର୍ମଚାରୀ । ବହୁ ବାଦବିବାଦ ପରେ ଦୂରଦୁରାନ୍ତରୁ ଆସିଥିବା ଲୋକଙ୍କୁ ଅଫିସ ଭିତରକୁ ଛଡ଼ାଯାଇଥିଲା । ସାମୟିକ ଭାବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ବି ଏହା ଏକ ନିତିଦିନିଆ ସମସ୍ୟା ହୋଇଥିବାରୁ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେବା କଥା । ପାସପୋର୍ଟ ସେବା ନାଁରେ କେତେବେଳେ ଦଲାଲ ଲୋକଙ୍କୁ ଠକୁଛନ୍ତି ତ’, ଆଉ କେତେବେଳେ କାର୍ଯ୍ୟାଳୟ କର୍ମଚାରୀମାନେ ଲୋକଙ୍କୁ ଦୁର୍ବ୍ୟବହାର କରିବାର ଅଭିଯୋଗ ଆସୁଛି ।
ପୁଣି ରଙ୍ଗ ବଦଳାଇଲା ମୋହନ ସରକାର, ଗେରୁଆ ହେବ ସରକାରୀ କୋଠା
ଭୁବନେଶ୍ବର: ସରକାର ଗଠନ ପରଠାରୁ ବିଜେପି କିଛି କରୁ ବା ନକରୁ ରଙ୍ଗ ବଦଳାଇବାରେ ଲାଗିଛି । ଏବେ ସରକାରୀ କୋଠାର ପାଳି । ଗେରୁଆ ହେବ ସରକାରୀ କୋଠା । ରାଜ୍ୟର ସବୁ ସରକାରୀ କୋଠାର ରଙ୍ଗ ବଦଳିବ । ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଏନେଇ ପୂର୍ତ୍ତ ବିଭାଗ ଅଧୀନରେ ଥିବା ସବୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ତଦନୁଯାୟୀ ସରକାରୀ ବିଲ୍ଡିଂର ବାହାର କାନ୍ଥ ହେବ ଗେରୁଆ ରଙ୍ଗ ଓ କାନ୍ଥର ଧଡିକୁ ଲାଲ ରଙ୍ଗ କରାଯିବ । କିଭଳି ରଙ୍ଗ ହେବ ତାର ନମୁନା ମଧ୍ୟ ବିଭାଗ ପକ୍ଷରୁ ଏହି ଚିଠିରେ ନମୂନା ଦିଆଯାଇଛି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ସବୁ ବିଭାଗ ସହ ଆଲୋଚନା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ବିଶ୍ବରେ ମଧ୍ୟମ ଆୟବର୍ଗ ଶ୍ରେଣୀରେ ଭାରତ: କିଛି ଧନୀ ଓ ମୁଷ୍ଟିମେୟଙ୍କ ହାତରେ ସମ୍ବଳ, ଦେଶର ସାମଗ୍ରିକ ବିକାଶ ହେଉନି
ଭୁବନେଶ୍ବର: ବିଶ୍ବରେ ମଧ୍ୟମ ଆୟବର୍ଗ ଶ୍ରେଣୀରେ ଭାରତ । ଅଭିବୃଦ୍ଧି ଓ ଉତ୍ପାଦନ ନେଇ କେନ୍ଦ୍ର ସରକାର ଯେତେ ଯାହା କହିଲେ ବି କିଛି ଧନୀ ଓ ମୁଷ୍ଟିମେୟ ଲୋକଙ୍କୁ ଛାଡ଼ି ଦେଲେ ଦେଶର ସାମଗ୍ରିକ ବିକାଶ ହୋଇନି । ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ମତରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ବିଶ୍ବର ବହୁ ପଛରେ ରହିଛି ଭାରତ । ଉତ୍ପାଦନ ଶିଳ୍ପ ହବ୍ ନେଇ ଘୋଷଣା ହେଉଥିଲେ ବି ମାନ୍ୟୁଫାକ୍ଚରିଂ ଶିଳ୍ପରୁ ଛଟେଇ ଯୋଗୁଁ ବେରୋଜଗାରୀ ବଢୁଛି । ଏହାସହ ରପ୍ତାନୀ ତୁଳନାରେ ଆମଦାନୀ ଅଧିକ ହେଉଥିବାରୁ ବୈଦେଶିକ ମୁଦ୍ରା ଓ ଋଣ ବୋଝ ବଢି ଚାଲିଛି । ଏଭଳି ସ୍ଥିତିରେ ବିକଶିତ ଭାରତର ଲକ୍ଷ୍ୟକୁ ନେଇ ଉଠିଛି ପ୍ରଶ୍ନ ।
ଦେଶ ଆଗଉଛି । ୨୦୩୨ ବେଳକୁ ଭାରତ ଅର୍ଥନୀତି ୧୦ ଟ୍ରିଲିୟନ୍ ହେବ । ଏପରି ସ୍ଲୋଗାନ୍ ଦେଉଛନ୍ତି କେନ୍ଦ୍ର ସରକାର । ହେଲେ ଦେଶର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ବିଶ୍ବର ବିକଶିତ ରାଷ୍ଟ୍ର ତୁଳନାରେ ମଧ୍ୟମ ଆୟକାରୀ ଶ୍ରେଣୀରେ ସୀମିତ ରହିଯିବ ଭାରତ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଅର୍ଥନୀତି ବିଶାରଦ ଏବେ ଭାରତ ସନ୍ଦର୍ଭରେ ଏପରି ଆକଳନ କରିଛନ୍ତି । ଦେଶର ଶିଳ୍ପ କ୍ଷେତ୍ରରେ କୁଶଳୀ କାରିଗର ଓ ହାଇଏଣ୍ଡ୍ ବୈଷୟିକ ଯନ୍ତ୍ରପାତି ବ୍ୟବହାର ପାଇଁ ଦକ୍ଷତା ବିକାଶ ଏବେ ବି ଅପହଞ୍ଚ ହୋଇଛି । ମାତ୍ର ୬ ପ୍ରତିଶତ ଲୋକ ଦକ୍ଷ ହୋଇପାରିଛନ୍ତି । ବାକି ୯୪ ପ୍ରତିଶତ ଅଣକୁଶଳୀ କେବଳ ଶ୍ରମଜୀବୀ ହିସାବରେ ଜୀବିକା ଅର୍ଜନ କରୁଛନ୍ତି । ଗୋଟିଏ ପଟେ କେନ୍ଦ୍ର ସରକାର କହୁଛନ୍ତି ଭାରତ ସେମିକଣ୍ଡକ୍ଟର ଓ ମାନ୍ୟୁଫାକ୍ଚରିଂ କ୍ଷେତ୍ରରେ ହବ୍ ହେବାକୁ ଯାଉଛି । କିନ୍ତୁ ମାନ୍ୟୁଫାକ୍ଚରିଂ ଶିଳ୍ପରେ ଭାରତରେ ଛଟେଇ ହୋଇ ଚାଲିଛି । ରପ୍ତାନୀ ତୁଳନାରେ ଆମଦାନୀ ଅଧିକ ରହୁଥିବାରୁ ବିକଶିତ ଭାରତ ଲକ୍ଷ୍ୟ କେମିତି ସାଧିତ ହେବ ତାକୁ ନେଇ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ପ୍ରଶ୍ନ ଉଠାଇଥିଲେ । ଏବେ ସମାନ ପ୍ରଶ୍ନ ଅର୍ଥନୀତିଜ୍ଞଙ୍କ ମନରେ ଉଙ୍କି ମାରୁଛି ।
ଯେତେ ନୀତି ନିୟମ ହେଲେ ବି ଦେଶରୁ ଏ ପର୍ଯ୍ୟନ୍ତ ପ୍ରିୟାପ୍ରିତି ଓ ତୋଷରପାତ ନୀତି ଯାଇନି । ନୀତି ପ୍ରଣୟନ ହେଉଛି କିନ୍ତୁ ତା’ର ସୁଫଳ ସବୁ ଲୋକଙ୍କ ପାଖରେ ପହଞ୍ଚୁନି । ସମ୍ବଳ ନଥିଲେ ଗୁଣାତ୍ମକ ଉଚ୍ଚତର ଶିକ୍ଷା ମିଳିପାରୁନି । ବିଶ୍ବ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସହିତ ଦକ୍ଷତା ବିକାଶକୁ ବାଧ୍ୟତାମୂଳକ କରିବାକୁ ପଡ଼ିବ । ନହେଲେ ଶିକ୍ଷାୟତନରୁ ବାହାରି ଦକ୍ଷତା ବିକାଶ ପାଇଁ ସମ୍ପୃକ୍ତ ଯୁବକଯୁବତୀଙ୍କୁ କମ୍ ବେତନରେ ଚାକିରି କରିବାକୁ ପଡ଼ୁଛି । ସମ୍ପୂର୍ଣ୍ଣ ଦକ୍ଷ ହେବାକୁ ହେଲେ ବହୁ ବର୍ଷ ଲାଗୁଛି । ବୟସ ଅତିକ୍ରାନ୍ତ ହେଉଥିବାରୁ ସମ୍ପୃକ୍ତ କର୍ମଚାରୀ ପରିବର୍ତ୍ତିତ ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ଚିନ୍ତାଧାରା ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ଆଉ ଆଗ୍ରହ ଦେଖାଇ ପାରୁନାହାନ୍ତି ।
ଦେଶ ଅଭିବୃଦ୍ଧି କରୁଛି । ହେଲେ ଧନୀ-ଗରିବ ତାରତମ୍ୟ ବଢି ଚାଲିଛି । ଦେଶର ଆର୍ଥିକ ଅଭିବୃଦ୍ଧି ସହିତ ସମତାଳ ଦେଇ ଯଦି ଲୋକଙ୍କ ଆୟ ନ ବଢେ ତା’ହେଲେ ଧନୀ ଅଧିକ ଧନୀ ହୋଇ ଚାଲିଥିବ ଆଉ ଗରିବ ଯେଉଁ ଗରିବକୁ ସେହି ଗରିବ ହୋଇ ରହିବ । ଏଭଳି ସ୍ଥିତିରେ ବିଶ୍ବର ଉଚ୍ଚ ଆୟକରୀ ବର୍ଗର ତାଲିକାରେ ଭାରତ ସାମିଲ ହେବାକୁ କେତେବର୍ଷ ଲାଗିବ ତାହା ସମୟ କହିବ ।

