spot_img
Home Blog Page 1516

କାଲିଠୁ ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନ, ଶୁଭାରମ୍ଭ କରିବେ ନବୀନ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏହାକୁ ଶଂଖ ଭବନରେ ଶୁଭାରମ୍ଭ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏଥିରେ ପୁରୁଣା ସଦସ୍ୟଙ୍କ ସଦସ୍ୟତା ନବୀକରଣ ହେବା ସହ ନୂତନ ସଦସ୍ୟଙ୍କୁ ଯୋଡ଼ାଯିବ । ଯାହା ଉଭୟ ମାନୁଆଲି ଓ ଡିଜିଟାଲି କରାଯିବ । ଶଂଖ ଭବନରେ ଶୁଭାରମ୍ଭ ସହ ସାରା ଓଡ଼ିଶାରେ ଥିବା ବିଜେଡିର ସାଂଗଠନିକ ଜିଲ୍ଲାରେ ଏହା ଭର୍ଚୁଆଲ ମାଧ୍ୟମରେ କରାଯିବ । ପ୍ରଥମ ସଦସ୍ୟ ଭାବେ ସଦସ୍ୟତା ନବୀକରଣ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।

କାଲି ଗୋପବନ୍ଧୁ ଜୟନ୍ତୀରୁ ଦଳ ଆରମ୍ଭ କରିବାକୁ ଯାଉଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ । ସକାଳ ୧୧ଟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ । ଯେଉଁଥିରେ ଦଳର ଅନେକ କର୍ମୀ ଓ ନେତା ଉପସ୍ଥିତ ରହିବେ । ଠିକ୍ ସେହି ସମୟରେ ସଦର ମହକୁମା ଓ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଯେଉଁଥି ପାଇଁ ସମସ୍ତ ସାଂଗଠନିକ ଜିଲ୍ଲାରେ ଅନଲାଇନ୍ ବ୍ୟବସ୍ଥା କରାଯାଇଛି । ପରବର୍ତ୍ତୀ ସମୟରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଆଗେଇବ । ଉଭୟ ଫିଜିକାଲି ଓ ଡିଜିଟାଲ ମାଧ୍ୟମରେ ସଦସ୍ୟଙ୍କୁ ଯୋଡ଼ା ଯିବ । ଡିଜିଟାଲରେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟଙ୍କ ଘରକୁ ଘର ଯାଇ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଥର ଏକ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ । ଏଥର ମଧ୍ୟ ଏକ କୋଟି ସଦସ୍ୟତା ଲକ୍ଷ୍ୟ ଛୁଇଁବାକୁ ବିଜେଡି ଟାର୍ଗେଟ ରଖିଛି । ତେବେ ଏଥର ନୂଆ ସଦସ୍ୟ ସହ ଗତ ଥରର ସଦସ୍ୟଙ୍କ ସଦସ୍ୟତା ନବୀକରଣ କରାଯିବ । ନବୀନ ପ୍ରଥମ ସଦସ୍ୟ ଭାବେ ନିଜ ସଦସ୍ୟତା ନବୀକରଣ କରିବା ସହ ସାରା ରାଜ୍ୟରେ ବିଜେଡି ଆରମ୍ଭ କରିବ ସଦସ୍ୟ ସଂଗ୍ରହର ମେଗା ଅଭିଯାନ । ଯାହା ଆସନ୍ତା ଦୁଇ ମାସ ଯାଏଁ ଏହା ଚାଲିବ ।

ଗତ ଅକ୍ଟୋବର ୬ ତାରିଖରେ ବିଜେଡିର ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ୨୨ଟି ଜିଲ୍ଲାରେ ସଫଳତା ସହ ସରିଛି । ଅକ୍ଟୋବର ୨୧ରୁ ୩୦ ଯାଏଁ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରାଯିବ । ଯାହା ଅଧିକରୁ ଅଧିକ ଗ୍ରାମୀଣ ଓଡ଼ିଶାରେ କରିବାକୁ ନିଷ୍ପତ୍ତି ନେଇଛି ବିଜେଡି । ଏଥର ପଦଯାତ୍ରାରେ ନବୀନ ପଟ୍ଟନାୟକ ସରକାର ସମୟର ବିକାଶ କାର୍ଯ୍ୟକ୍ରମ ଓ ବର୍ତ୍ତମାନ ସରକାରଙ୍କ ବିଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଦସ୍ୟ ସଂଗ୍ରହକୁ ବି ଫୋକସ କରାଯିବ ।

ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ବାର୍ଥ ଦିଗରେ କାମ କରିବା ହିଁ ଲୋକଙ୍କୁ ଅଧିକରୁ ଅଧିକ ଯୋଡ଼ିବାର ଏକ ମାତ୍ର ମାଧ୍ୟମ । ଆଜି ବି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିଛି । କାରଣ ଗତ ୨୪ ବର୍ଷରେ ନବୀନ ବୁଣିଥିଲେ ବିକାଶର ମଞ୍ଜି । ହେଲେ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ଡବଲ ଇଞ୍ଜିନ ସରକାର, ତାହାର ବିପରୀତ ଦିଗରେ କାମ କରୁଥିବା ଲୋକେ ଅନୁଭବ କଲେଣି । ଯାହା ବିଜେଡି ସହ ପୁଣି ଥରେ ଅଧିକରୁ ଅଧିକ ଲୋକ ଯୋଡ଼ିବାର ବଡ଼ ସାଧନ ସାଜିବାର ଆଶା ରଖାଯାଇଛି ।

ହରିୟାଣାରେ ଇଭିଏମ ଟାମ୍ପରିଂ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ହରିୟାଣାରେ ଇଭିଏମ ଟାମ୍ପରିଂ ହୋଇଥିବା ଅଭିଯୋଗ ଆଣିଲା କଂଗ୍ରେସ । ପ୍ରେସମିଟ୍ କରି ବର୍ଷିବା ସହ ତ୍ରୁଟିକୁ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେବ ବୋଲି କହିଛି ଦଳ । ହରିୟାଣାର ୩ ଜିଲ୍ଲାରେ ଇଭିଏମର ତଥ୍ୟ ସହ ବ୍ଯାପକ ହେରଫେର କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ ।

ହରିୟାଣା ରେଜଲ୍ଟ ଅପ୍ରତ୍ଯାଶିତ ବୋଲି କହିଛି ଦଳ। ବିଧାନସଭା ନିର୍ବାଚନରେ ବ୍ୟବସ୍ଥାରେ ବ୍ଯାପକ ତ୍ରୁଟି ଅଭିଯୋଗ କରିଛି କଂଗ୍ରେସ । ଏହା ସିଷ୍ଟମର ବିଜୟ ଓ ଗଣତନ୍ତ୍ରର ପରାଜୟ ବୋଲି ଦଳ କହିଛି ।

ହରିୟାଣାରେ କଂଗ୍ରେସର ଏଭଳି ପରାଜୟ ଘଟିବ ବୋଲି ଦଳର କୌଣସି ନେତା ବିଶ୍ଵାସ କରିପାରୁନାହାନ୍ତି । ଦଳ ପକ୍ଷରୁ କୁହାଯାଇଛି. ଭୋଟ ଗଣତିକୁ ନେଇ ଅଭିଯୋଗଗୁଡ଼ିକୁ ସଂଗ୍ରହ କରାଯାଉଛି । କଂଗ୍ରେସର ପ୍ରତିନିଧି ରିଟର୍ଣ୍ଣିଂ ଅଧିକାରୀଙ୍କୁ ଏ ନେଇ ଅଭିଯୋଗ ଦେଇଛନ୍ତି । ଆଗାମୀ ଦିନରେ ଏ ସମସ୍ତ ଅଭିଯୋଗକୁ ନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ । ଏଭଳି ପରିଣାମ ଦେଶରେ କୌଣସି ସ୍ଥାନରେ ଦେଖାଯାଇନାହିଁ ବୋଲି କହିଛି କଂଗ୍ରେସ । ହରିୟାଣା ରେଜଲ୍ଟକୁ ନେଇ ଦଳର ନେତା ଓ କର୍ମୀ ସ୍ତମ୍ଭୀଭୂତ ହୋଇଯାଇଛନ୍ତି ।

ବିଧାନସଭା ରେଜଲ୍ଟ: ଘାଟିରେ ଏନସି ଓ ହରିୟାଣାରେ ବିଜେପି

ଭୁବନେଶ୍ବର: ଜମ୍ମୁ କାଶ୍ମୀରରେ କ୍ଷମତାକୁ ଫେରିଲା ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ । ନ୍ୟାସନାଲ କନଫରେନ୍ସକୁ ୪୨ ଓ କଂଗ୍ରେସକୁ ୬ଟି ଆସନ ମିଳିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୨୯ଟି ଆସ ନ। ପିଡିପି ପାଇଛି ୩ ଆସନ । ଡୋଡା ଆସନ ହାତେଇ ସମସ୍ତଙ୍କୁ ଚମକାଇ ଦେଇଛି ଆମ୍ ଆଦମୀ ପାର୍ଟି । ବିଜେପିକୁ ଧାରା ୩୭୦ ଝଟକା ଲାଗିଥିବା ବେଳେ ହରିୟାଣାରେ କିନ୍ତୁ ହ୍ୟାଟ୍ରିକ କରିଛି ଦଳ । ୪୧ ଆସନରେ ବିଜୟ ସହିତ ଆଉ ୭ଟି ଆସନରେ ଆଗୁଆ ଅଛି । କଂଗ୍ରେସ ୩୭ଟି ଆସନରେ ସୀମିତ ରହିଛି । ପ୍ରାଣମୂର୍ଚ୍ଛା ଉଦ୍ୟମ ସତ୍ତ୍ଵେ ଜାମ୍ମୁ କାଶ୍ମୀରରେ ବିଜେପି ଫେଲ୍ ମାରିଥିବା ବେଳେ ହରିୟାଣାରେ କଂଗ୍ରେସର ପରାଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜାତୀୟ ରାଜନୀତି ସହିତ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଛି ।

ଜାମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସକୁ ବିପୁଳ ବିଜୟ ମିଳିଛି । ଏହି ଦୁଇ ଦଳର ମେଣ୍ଟ ସରକାର ହେବାକୁ ଯାଉଛି । ୯୦ ଆସନ ବିଶିଷ୍ଟ ବିଧାନସଭାରେ ସ୍ପଷ୍ଟ ବହୁମତ ପାଇଛନ୍ତି ଏନସି ଓ କଂଗ୍ରେସ ମେଣ୍ଟ । ବିଜୟ ପକ୍କା ହେବା ପରେ ନ୍ୟାସନାଲ କନଫରେନ୍ସର ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି ତାଙ୍କ ବାପା ଫାରୁକ ଅବଦୁଲ୍ଲା । ବିଜୟ ପାଇଁ ସେ ଜାମ୍ମୁ କାଶ୍ମୀରବାସୀଙ୍କୁ ସବୁ ଶ୍ରେୟ ଦେଇଛନ୍ତି । ବିଜେପି ଦ୍ଵିତୀୟ ସ୍ଥାନରେ ରହିଛି । ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ଏକାକୀ ସରକାର ଗଠନ କରିବାକୁ ବିଜେପି ଯେଉଁ ସ୍ଵପ୍ନ ଦେଖିଥିଲା, ତାହା ଧୂଳିସାତ ହୋଇଛି । ଧାରା ୩୭୦ ହିଁ ଦେଇଛି ବଡ଼ ଝଟକା । ଗୋଟିଏ ବଡ଼ ଟ୍ରେଣ୍ଡ ଦେଖିବାକୁ ମିଳିଛି ଏହି ବିଧାନସଭା ନିର୍ବାଚନରେ । କାଶ୍ମୀର ଅଞ୍ଚଳରେ ନ୍ୟାସନାଲ କନଫରେନ୍ସ ବାଜି ମାରିଥିବା ବେଳେ ଜମ୍ମୁ ଅଞ୍ଚଳରେ ପୋଛି ନେଇଛି ବିଜେପି । ପିଡିପିକୁ ଲାଗିଛି ବଡ଼ ଝଟକା । ଏପରିକି ମେହବୁବା ମୁଫତିଙ୍କ ଝିଅ ମଧ୍ୟ ହାରି ଯାଇଛନ୍ତି । କିନ୍ତୁ ଲୋକେ ଉତ୍ସାହର ସହିତ ଭୋଟରେ ଭାଗ ନେଇଥିବାରୁ ଓ ସ୍ପଷ୍ଟ ମତ ଦେଇଥିବାରୁ ମେହବୁବା ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ହରିୟାଣାରେ ବାଜି ମାରିଛି ବିଜେପି । ଏହି ରାଜ୍ୟରେ ପଦ୍ମ ହ୍ୟାଟ୍ରିକ କରିଛି । ସରକାର ବିରୋଧୀ ହାୱାକୁ ଓ ଏକଜିଟ୍ ପୋଲକୁ ମାତ୍ ଦେଇ ପୁଣି ଥରେ କ୍ଷମତାକୁ ଫେରିଛି ବିଜେପି । ଦଳକୁ ମିଳିଛି ସ୍ପଷ୍ଟ ବହୁମତ । ଆଗରୁ କୁହାଯାଉଥିଲା, ହରିୟାଣାରେ କଂଗ୍ରେସ କ୍ଲିନ୍ ସୁଇପ୍ କରିବ । କିନ୍ତୁ ଦଳ ଫେଲ ମାରିଛି । ଆଶାତୀତ ସଫଳତା ହାସଲ କରି ଲଗାତର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି ।  ଦୁଷ୍ୟନ୍ତ ସିଂହଙ୍କ ଜେଜେପି ଓ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ବି କିଛି କରିସ୍ମା ଦେଖାଇପାରିନାହିଁ । ଇଣ୍ଡିଆନ ନ୍ୟାସନାଲ ଲୋକ ଦଳର ପ୍ରଦର୍ଶନ ବି ସେତେଟା ଭଲ ହୋଇନି । ହରିୟାଣାରେ ଖାତା ଖୋଲି ପାରି ନାହିଁ ଆମ୍ ଆଦମୀ ପାର୍ଟି । କୁହାଯାଉଛି ଏହି ସବୁ ଛୋଟ ଛୋଟ ଦଳ କଂଗ୍ରେସକୁ ଘାଟାରେ ପକାଇଲେ ।

୧୦ ବର୍ଷ ପରେ ଜାମ୍ମୁ କାଶ୍ମୀରରେ ହୋଇଥିଲା ନିର୍ବାଚନ । ଆତଙ୍କବାଦୀଙ୍କ ବିନା ଭୟରେ ଏଥର ନିର୍ବାଚନ ହେବା ନିଶ୍ଚିତ ଭାବେ ଐତିହାସିକ । ହରିୟାଣା ଓ ଜାମ୍ମୁ କାଶ୍ମୀର ନିର୍ବାଚନର ଫଳାଫଳ ଜାତୀୟ ରାଜନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଉଥିଲା । ଯଦି ବିଜେପି ହାରିଥାନ୍ତା, କେନ୍ଦ୍ର ସରକାର ଅସ୍ଥିର ହେବାର ସମ୍ଭାବନା ଥିଲା । ଧାରା ୩୭୦ ଜାମ୍ମୁ କାଶ୍ମୀରରେ ବିଜେପିକୁ ପରାଜିତ କରିଥିବା କୁହାଯାଉଥିବା ବେଳେ ହରିୟାଣାରେ କଂଗ୍ରେସର ଅନ୍ତଃକନ୍ଦଳ ଓ ଅତ୍ୟଧିକ ଆତ୍ମବିଶ୍ଵାସ ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହି ଦୁଇ ରାଜ୍ୟର ଫଳାଫଳ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମଧ୍ୟ ପଡ଼ିପାରେ ।

ଶ୍ରମିକ ବୀମା କାର୍ଡ ନାଁରେ ଆଦିବାସୀଙ୍କଠାରୁ ଦଲାଲ ଆଦାୟ କରୁଛନ୍ତି ଟଙ୍କା

ମାଲକାନଗିରି: ଶ୍ରମିକ ବୀମା କାର୍ଡ ନାଁରେ ଠକେଇ । ନୀରିହ ଆଦିବାସୀଙ୍କଠାରୁ ମୁଣ୍ଡପିଛା ୧ ହଜାର ଟଙ୍କା ଆଦାୟ କରୁଛନ୍ତି ଦଲାଲ । ମାଲକାନଗିରି ଜିଲା ମାଥିଲି ସଦରରୁ ମାତ୍ର ୧ କିଲୋମିଟର ଦୂରରେ ଥିବା କୋଷାବାହାଲରେ ବେଧଡକ ଭାବେ ଚାଲିଛି ଅର୍ଥ ଆଦାୟ । ମୁଣ୍ତ ପିଛା ୧ ହଜାର ଟଙ୍କା ଆଦାୟ କରି ନିରୀହ ଆଦିବାସୀଙ୍କୁ ଠକୁଛନ୍ତି କିଛି ଦଲାଲ ।

ବୀମା କାର୍ଡ ମିଳିବା ଆଶାରେ ଆଦିବାସୀ ପଡା ଗାଁରେ ଲୋକମାନେ ଟଙ୍କା ଦେଉଥିବା ଦେଖିବାକୁ ମିଳିଛି । ଦଲାଲମାନେ ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟର ନାଁ କହି ଗାଁକୁ ଯାଇ ଟଙ୍କା ଆଦାୟ କରୁଛନ୍ତି । ସେପଟେ କୌଣସି ଶ୍ରମିକ କାର୍ଡ ପାଇଁ ଅର୍ଥ ଦେବାକୁ ପଡେ ନାହିଁ ବୋଲି କହିଛନ୍ତି ଜିଲ୍ଲା ଶ୍ରମିକ ୱେଲଫେୟାର କୋର୍ଡିନେଟର । ଏଥିପ୍ରତି ସଚେତନ ରହିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।

୪୫୬ ଥାନାରେ ଠିକ ଭାବେ କାମ କରୁନି ସିସିଟିଭି

କଟକ: ରାଜ୍ଯର ୪୫୬ଟି ଥାନାରେ ସଠିକ ଭାବେ କାମ କରୁନି ସିସିଟିଭି । ଭରତପୁର ଥାନାରେ ସିସିଟିଭି ନଥିବା ନେଇ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଏହି ତଥ୍ଯ ଦାଖଲ କରିଛନ୍ତି ରାଜ୍ଯ ସରକାର ।

ରାଜ୍ୟରେ ୫୯୩ଟି ଥାନା ମଧ୍ୟରୁ ୪୫୬ଟି ଥାନାରେ ସଠିକ୍ ଭାବରେ କାମ କରୁନି ସିସିଟିଭି କ୍ୟାମେରା । ଆସନ୍ତା ୧୫ ଦିନ ମଧ୍ୟରେ ବାକି ୧୩ଟି ଥାନାରେ ସିସିଟିଭି କ୍ୟାମେରା ଲଗାଯିବ । ସବୁ ସିସିଟିଭି କ୍ୟାମେରାର ନିୟନ୍ତ୍ରଣ ଜିଲ୍ଲା ଏସପି ଅଫିସ ଓ ଡିଜି ଅଫିସ କରିବା ନେଇ ଯୋଜନା ଚାଲିଥିବା ସରକାର ଦାଖଲ କରିଥିବା ସତ୍ଯପାଠରେ ଉଲ୍ଲେଖ କରିଛନ୍ତି । ନଭେମ୍ବର ୧୨ ରେ ମାମଲାର ପରବର୍ତ୍ତୀ ଶୁଣାଣି ।

ସୂଚନାଯୋଗ୍ୟ, ଭରତପୁର ଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯାଇଥିଲା । ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ସମୟରେ ଆଦର୍ଶ ଥାନା କୁହାଯାଉଥିବା ଭରତପୁର ଥାନାରେ ସିସିଟିଭି ନଥିବା ଜଣାପଡ଼ିଥିଲା ।

ରଙ୍ଗ ବଦଳାଇଲେ ଲୋକଙ୍କୁ ସୁଶାସନ ମିଳେନି: ବିଜେଡି

ଭୁବନେଶ୍ବର: ସରକାରୀ କୋଠାର ରଙ୍ଗ ବଦଳାଇବାକୁ ରାଜ୍ୟ ବିଜେପି ସରକାର ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ରଙ୍ଗ ବଦଳାଇଲେ ସରକାରଙ୍କ ଚରିତ୍ର ବଦଳେନି । ସୁଶାସନ ଦେଲେ ଲୋକେ ଭଲ ପାଇବେ, ରଙ୍ଗ ବଦଳାଇଲେ ନୁହେଁ । ଅଯଥା ଖର୍ଚ୍ଚ କରାଯାଉଛି ।

ବିଜେଡି ପକ୍ଷରୁ କୁହାଯାଇଛି, ବିଜେପି ବାର୍ତ୍ତା ଦେବାକୁ ଚାହୁଁଛି, ସରକାର ବଦଳିଲେ, ରଙ୍ଗ ବଦଳିବ । କାହିଁକି ରଙ୍ଗ ବଦଳାଯାଉଛି, ତାର ଉତ୍ତର ସରକାର ରଖିବା ଉଚିତ । କାମ ଭଲ ହେବା ଉଚିତ ନାଁ ରଙ୍ଗ ବଦଳାଇବା ଉଚିତ, ତା’ର ଉତ୍ତର ବିଜେପି ଦେଉ ।

ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ନାଁ ବଦଳାଇବା ଓ ରଙ୍ଗ ବଦଳାଇବା ବିଜେପି ସରକାରର ମୁଖ୍ୟ ଏଜେଣ୍ଡା । କିନ୍ତୁ ନବୀନ ପଟ୍ଟନାୟକ କହିଛନ୍ତି ରଙ୍ଗ ବଦଳିଲେ, ବିକାଶର ଇତିହାସ ବଦଳି ପାରିବେନି । ନବୀନଙ୍କ ସଫଳତା ଯାହା ଗତ ୨୪ ବର୍ଷରେ ହୋଇଛି, ତାହା ସେମାନେ ବଦଳାଇ ପାରିବେନି । ବିଜେପି ଯେଉଁ ୨୪ ବର୍ଷ ୨୪ ବର୍ଷ କହୁଛି, ସେମାନେ ବୋଧହୁଏ ଭୁଲି ଯାଇଛନ୍ତି, ୯ ବର୍ଷ ଆମ ସହ ବିଜେପି ଥିଲା ।

ସେପଟେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ପ୍ରତି ବର୍ଷ ବର୍ଷା ଦିନ ପରେ ସରକାରୀ ବିଲ୍ଡିଂର ମରାମତି ଓ ରକ୍ଷଣାବେକ୍ଷଣ ହୁଏ । ରଙ୍ଗ କରିବାକୁ ପଡେ । ପୂର୍ବରୁ ସରକାରୀ କୋଠାର ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ କରିବାକୁ ନିଷ୍ପତ୍ତି ହୋଇଛି ।

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ୫୦ ବରିଷ୍ଠ ଡାକ୍ତରଙ୍କ ଇସ୍ତଫା

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ୫୦ ବରିଷ୍ଠ ଡାକ୍ତରଙ୍କ ଇସ୍ତଫା । ଜୁନିଅର ଡାକ୍ତରଙ୍କୁ ସମର୍ଥନ କରି ବରିଷ୍ଠ ଡାକ୍ତରମାନେ ଇସ୍ତଫା ଦେଇଛନ୍ତି ।

ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ଜୁନିଅର ଡାକ୍ତରମାନେ ବିରାଟ ଆନ୍ଦୋଳନ କରିଥିଲେ । ସୁରକ୍ଷା ଓ ନ୍ୟାୟ ପାଇଁ ପ୍ରତିଶ୍ରୁତି ପାଇବା ପରେ ୪୨ ଦିନ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ରାଜ୍ୟ ସରକାର ପ୍ରତିଶ୍ରୁତି ପୂରଣ ନ କରିବା ଅଭିଯୋଗରେ ୫ ଦିନ ହେଲାଣି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୁନିଅର ଡାକ୍ତର । ଗତ ଶନିବାରରୁ ସେମାନେ ଅନଶନ କରୁଛନ୍ତି । ଡାକ୍ତରଙ୍କୁ ସୁରକ୍ଷା ଓ ଦୁର୍ନୀତିମୁକ୍ତ ପରିଚାଳନା ଦାବି କରି ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜୁନିଅର ଡାକ୍ତରଙ୍କୁ ସମର୍ଥନ କରି ୫୦ ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେଇଛନ୍ତି ।

ସେପଟେ ଗତକାଲି ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ପ୍ରତିଶ୍ରୁତି ଦେଇଥିଲେ । ମେଡିକାଲ କଲେଜଗୁଡ଼ିକରେ ଚାଲିଥିବା ସବୁ କାମର ୯୦ ପ୍ରତିଶତ ଆସନ୍ତା ମାସରେ ଶେଷ ହେବ । ତେଣୁ ଆନ୍ଦୋଳନ ପ୍ରତ୍ୟାହାର କରି କାମରେ ଯୋଗ ଦେବାକୁ ଡାକ୍ତରମାନଙ୍କୁ ସେ ଆହ୍ଵାନ ଦେଇଥିଲେ । ସେପଟେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗତକାଲି ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଅଭିଯୁକ୍ତ ସଂଜୟ ରାୟ ହିଁ ଏକାକୀ ସବୁ କାଣ୍ଡ ଘଟାଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ କରିଛି ସିବିଆଇ । ଅଗଷ୍ଟ ୯ରେ ରାତିରେ ଡ୍ୟୁଟି କରୁଥିବା ବେଳେ ସେମିନାର ହଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।

ଜମ୍ମୁ ଓ କାଶ୍ମୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲାଙ୍କ ନାଁ ଘୋଷଣା

କାଶ୍ମୀର: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନସ ନେତୃତ୍ଵାଧୀନ ମେଣ୍ଟର ବଡ଼ ବିଜୟ । ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ସରକାର କରିବାକୁ ଯାଉଛନ୍ତି । ସେମାନେ ୪୮ ଟି ସିଟରେ ଆଗୁଆ ରହିଛି ମେଣ୍ଟ । ନ୍ୟାସନାଲ କନଫରେନ୍ସ ୪୨ଟି ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି । ବିଜୟ ପକ୍କା ଜଣାପଡ଼ିବା ପରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହୋଇଛି । ଏହି ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମାରଙ୍କ ବାପା ଫାରୁକ ଅବଦୁଲ୍ଲା ।

କାଶ୍ମୀର ଉପତ୍ୟକାରେ ପୂରା ପୋଛି ନେଇଛି ନ୍ୟାସନାଲ କନଫରେନ୍ସ । କଂଗ୍ରେସର ପ୍ରଦର୍ଶନ କିନ୍ତୁ ସେତେଟା ଭଲ ନୁହେଁ । ସେପଟେ ଜମ୍ମୁ ଅଞ୍ଚଳରେ ବିଜେପି ଭଲ କରିଛି । ୨୯ଟି ଆସନରେ ଆଗୁଆ ରହିଛି ଏହି ଦଳ । ପିଡିପିର ପ୍ରଦର୍ଶନ ମଧ୍ୟ ଭଲ ହୋଇନି । ମେହବୁବା ମୁଫତିଙ୍କ ଦଳ ମାତ୍ର ୪ଟି ଆସନରେ ଆଗୁଆ ରହିଛନ୍ତି । ଏପରିକି ମେହବୁବାଙ୍କ ଝିଅ ମଧ୍ୟ ହାରି ଯାଇଛନ୍ତି । କୁହାଯାଉଛି ଧାରା ୩୭୦ ବିଜେପିକୁ ଦେଇଛି ବଡ଼ ଝଟକା । ଏହାର ଫାଇଦା ନେଇଛନ୍ତି ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ । ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ସରକାର ଗଠନ ପାଇଁ ବିଜେପି ଯେଉଁ ଆଶା ରଖିଥିଲା ତାହା ଫସର ଫାଟି ଯାଇଛି । ୧୦ ବର୍ଷ ପରେ ଏଥର ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ଲୋକେ ବଡ଼ ଉତ୍ସାହର ସହିତ ଭାଗ ନେଇଥିଲେ ।

ହରିୟାଣା ପରାଜୟ ପାଇଁ କାହିଁକି ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଉଛି କଂଗ୍ରେସ ?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଜୋରଦାର ଝଟକା ଦେଇଛି । ଆଜି ଭୋଟ ଗଣତି ଆରମ୍ଭ ହେବା ପରେ କଂଗ୍ରେସ ଆଗୁଆ ଚାଲିଥିଲା । ହେଲେ କିଛି ଘଣ୍ଟା ପରେ ଏକ ବଡ଼ ଧରଣର ଏପାଖ ସେପାଖ ହୋଇଥିଲା ଓ ବିଜେପି ଆଗୁଆ ହୋଇଯାଇଥିଲା । ଏବେ ବିଜେପି ହରିୟାଣାରେ ହ୍ୟାଟ୍ରିକ ସରକାର ଗଢ଼ିବା ଦିଗରେ ଅଗ୍ରସର ହେଉଛି । ହେଲେ ଏପରି ପରାଜୟକୁ କଂଗ୍ରେସ ଗ୍ରହଣ କରିପାରୁନି । ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ହରିୟାଣା ବିଧାନସଭା ନିର୍ବାଚନ ଫଳଫଳ ଓ ଲିଡସ୍ ପ୍ରକାଶ କରିବାରେ ଡେରିକୁ ନେଇ ନିର୍ବାଚନ କମିଶନଙ୍କ ପାଖରେ ଆପତ୍ତି ରଖାଯାଇଛି । ଜମ୍ମୁ ଓ କାଶ୍ମୀର ପରି ହରିୟାଣାରେ ରେଜଲ୍ଟ ଓ ଟ୍ରେଣ୍ଡସ୍ ଶୀଘ୍ର ଅପଲୋଡ କରାଯାଉ ନଥିବା ଆମେ ଅଭିଯୋଗ କରିଛୁ ।

କ’ଣ ରହିଛି କଂଗ୍ରେସ ଅଭିଯୋଗ ?

ଜୟରାମ ରମେଶ କହିଛନ୍ତି ୧୦ ଓ ୧୧ ରାଉଣ୍ଡ ଫଳଫଳ ଅସି ସାରିଛି, ହେଲେ ଇସିଆଇଙ୍କ ସାଇଟରେ ୪ରୁ ୫ ରାଉଣ୍ଡ ଫଳାଫଳ ଅପଡେଟ ହୋଇଛି । ହରିୟାଣା ବିଧାନସଭା ନିର୍ବାଚନ ଫଳଫଳରେ ଅତ୍ୟଧିକ ଡେରି ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖାଯାଇଛି । ଜୟରାମ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛି, ଲୋକସଭା ପରି ହରିୟାଣା ବିଧାନସଭା ଫଳଫଳର ତାଜା ଅପଡେଟ୍ ଅପଲୋଡ କରିବାରେ ଇସିଆଇ ଡେରି କରୁଛି । କ’ଣ ବିଜେପି ପୁରୁଣା ଓ ବିଭ୍ରାନ୍ତିକର ଫଳାଫଳ ପ୍ରକାଶ କରିବାକୁ ପ୍ରଶାସନ ଉପରେ ଚାପ ପକାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି କଂଗ୍ରେସ ନେତା ପବନ ଖଡା ଦାବି କରିଛନ୍ତି, ଗଣତି ହୋଇଥିବା ରାଉଣ୍ଡ ଓ ଟିଭିରେ ଇସିଆଇ ମାଧ୍ୟମରେ ଦେଖାଯାଉଥିବା ରାଉଣ୍ଡର ସଂଖ୍ୟାରେ ଗୋଳମାଳ ରହିଛି । ଖଡା କହିଛନ୍ତି, ନିର୍ବାଚନ ଆୟୋଗଙ୍କ ଡାଟା ପଛରେ ଚାଲିଛି । ଏବେ ବି ସେଥିରେ ୪ କିମ୍ବା ୫ ରାଉଣ୍ଡ ଡାଟା ଦେଖାଉଛି । ହେଲେ ୧୧ ରାଉଣ୍ଡ ଗଣତି ସରିଲାଣି । ଆମ ମହାସଚିବ ଟ୍ବିଟ କରି ଆୟୋଗଙ୍କୁ ପଚାରିଛନ୍ତି, କ’ଣ ଡାଟା ଅପଲୋଡରେ ଡେରି କରି ସ୍ଥାନୀୟ ପ୍ରଶାସନ ଉପରେ ଚାପ ପକାଯାଉଛି ? ଜମ୍ମୁ ଓ କାଶ୍ମୀରରେ ପ୍ରତି ରାଉଣ୍ଡ ଗଣତି ପରେ ଲାଇଭ୍ ଡାଟାର ଅପଡେଟ ମିଳୁଥିବା ବେଳେ ହରିୟାଣାର କାହିଁକି ଦିଆଯାଉନାହିଁ ?

କଂଗ୍ରେସର ଅଭିଯୋଗର କ’ଣ ଉତ୍ତର ଦେଲା ବିଜେପି ?

ବିଜେପି ଆଇଟି ସେଲ ପ୍ରମୁଖ ଅମିତ ମାଲବିୟ କହିଛନ୍ତି, ‘ପ୍ରତିଥର ହାରିବା ପରେ କାନ୍ଦିବା କଂଗ୍ରେସର ଅଭ୍ୟାସ ହୋଇଗଲାଣି । ପୂର୍ବରୁ ସେ ଇଭିଏମକୁ ଦୋଷ ଦେଉଥିଲେ । ଏବେ ସେ ନିର୍ବାଚନ ଆୟୋଗଙ୍କ ଓ୍ବେବସାଇଟକୁ ଦୋଷ ଦେଉଛନ୍ତି । ସେମାନେ ନିଜ ଦଳର ସ୍ଥିତିକୁ କାହିଁକି ଦେଖୁନାହାନ୍ତି ।’ ଆଗକୁ ସେ କହିଛନ୍ତି, କଂଗ୍ରେସକୁ ଏହା ସ୍ବୀକାର କରିବାକୁ ପଡ଼ିବ ଯେ, ହରିୟାଣାବାସୀ ତୃତୀୟ ଥର ବିଜେପିକୁ ଭୋଟ ଦେଇଛନ୍ତି ।

ଏବେ କିଏ କେତେ ସିଟରେ ଆଗରେ ?

ଇସିଆଇ ଅନୁସାରେ ୯୦ ସିଟରୁ ବିଜେପି ୪୯ ସିଟରେ ଆଗରେ ଚାଲିଛି ଓ ଗୋଟିଏ ସିଟ ଜିତି ସାରିଛି । କଂଗ୍ରେସ ୩୪ ଆସନରେ ଆଗରେ ଚାଲିଥିବା ବେଳେ ଗୋଟିଏ ଜିତି ସାରିଛି । ସୂଚନାଯୋଗ୍ୟ ହରିୟାଣାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ୪୬ ଦରକାର ।

ଭାରତ ସହ ସମ୍ପର୍କ ଏବଂ କଥାବାର୍ତ୍ତା ଉପରେ କହିଲା ପାକିସ୍ତାନ, ଜୟଶଙ୍କରଙ୍କ ମନ୍ତବ୍ୟରେ ହିଁ ଉତ୍ତର…

ନନ୍ଦିଘୋଷ ବ୍ୟୁରୋ : ଆଗାମୀ ସଙ୍ଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ପାକିସ୍ତାନ ଭାରତ ସହ ଦ୍ବାପାକ୍ଷିକ ଆଲୋଚନା କରିବାର ସମ୍ଭାବନାକୁ ଏଡାଇ ଦେଇଛି । ଏହି ଶିଖର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବାକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ। ତାଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଏକ ପ୍ରତିନିଧୀ ଦଳ ଇସଲାମାବାଦ ଯିବେ। ବୈଦେଶିକ ମନ୍ତ୍ରୀ ଜୟଶଙ୍କର କିଛି ଦିନ ପୂର୍ବରୁ କହିଥିଲେ ଯେ ତାଙ୍କର ପାକିସ୍ତାନ ଗସ୍ତ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନୁହେଁ ବରଂ ବହୁପକ୍ଷୀୟ କାର୍ଯ୍ୟକ୍ରମ ପାଇଁ ହେବ।

ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ନଅ ବର୍ଷ ମଧ୍ୟରେ ଜଣେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ହେବ, ଶେଷ ଥର ପାଇଁ ସୁଷମା ସ୍ୱରାଜ ୨୦୧୫ ମସିହାରେ ବୈଦେଶିକ ମନ୍ତ୍ରୀ ଭାବରେ ଇସଲାମାବାଦ ଗସ୍ତ କରିଥିଲେ। ଯେତେବେଳେ ଜୟଶଙ୍କରଙ୍କ ଗସ୍ତ ବିଷୟରେ ପଚରାଗଲା, ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମମତାଜ ଜାହରା ବଲୁଚ କହିଛନ୍ତି, ମୁଁ ଅକ୍ଟୋବର ୫ ରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଧ୍ୟାନ ଦେବାକୁ ଚାହୁଁଛି  । ଯେଉଁଥିରେ ସେ କହିଥିଲେ ଯେ, ତାଙ୍କର ଆଗାମୀ ଇସଲାମାବାଦ ଗସ୍ତ ଏକ ବହୁପକ୍ଷୀୟ କାର୍ଯ୍ୟକ୍ରମକୁ ନେଇ ହେଉଛି । ପାକିସ୍ତାନ-ଭାରତ ସମ୍ପର୍କ ବିଷୟରେ ଆଲୋଚନା ପାଇଁ ନୂହେଁ । ତାଙ୍କର ଏହି ମନ୍ତବ୍ୟଗୁଡିକ ଏମିତି କିଛି ସୂଚନା ଦେଉଛି ।

ଗତ ସପ୍ତାହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବରେ କହିଥିଲେ ଯେ ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦ ଗସ୍ତ ସମୟରେ ଭାରତ-ପାକିସ୍ତାନ ପ୍ରସଙ୍ଗରେ ଆଲୋଚନା ଏଜେଣ୍ଡା ଉପରେ ନାହିଁ । ଏକ ସମାବେଶକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ‘ମୁଁ ଚଳିତ ମାସ ମଧ୍ୟ ଭାଗରେ ଏସସିଓ ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବାକୁ ଯୋଜନା କରିଛି । ଏହା ହେଉଛି ସରକାରଙ୍କ ମୁଖ୍ୟମାନଙ୍କର ଏକ ଶିଖର ସମ୍ମିଳନୀ  । ମୁଁ ସେଠାକୁ ଭାରତ-ପାକିସ୍ତାନ ସମ୍ପର୍କ ବିଷୟରେ ଆଲୋଚନା କରିବାକୁ ଯାଉନାହିଁ । ମୁଁ ଏସସିଓର ଜଣେ ଭଲ ସଦସ୍ୟ ଭାବରେ ସେଠାକୁ ଯାଉଛି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ରହିଛି । ୨୦୧୯ରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ଇସଲାମାବାଦ ନୂଆଦିଲ୍ଲୀ ସହିତ କୂଟନୈତିକ ସମ୍ପର୍କ ହ୍ରାସ କରିଛି । ଫେବୃଆରୀ ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ତାଲିମ ଶିବିରକୁ ଧକ୍କା ଦେବା ପରେ ସମ୍ପର୍କ ତିକ୍ତ ହୋଇ ରହିଥିଲା । ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ ।