spot_img
Home Blog Page 1491

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା, ଓଡିଶା ଲିଙ୍କ୍ !, ସନ୍ଦେହ ଘେରରେ ଥିବା ଯୁବକଙ୍କ ଆତ୍ମହତ୍ୟା

ଆରଡି : ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା କରି ଫ୍ରିଜରେ ଲୁଚାଇ ରଖିବା ଘଟଣା । ପୋଲିସର ସନ୍ଦେହ ଘେରରେ ଥିବା ଯୁବକ ଗାଁକୁ ଆସି  ରଶି ଲଗାଇ କରିଛନ୍ତି ଆତ୍ମହତ୍ୟା । ଭଦ୍ରକ ଧୁଷୁରୀ ଥାନା ଭୂଇଁପୁର ଗାଁର ମୁକ୍ତିରଞନ ରାୟ ଦୀର୍ଘ ବର୍ଷ ହେବ ବେଙ୍ଗାଲୁରୁରେ ରହି ଆସୁଥିଲେ। ହେଲେ ଗତକାଲି ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ରାତିରେ ଘରୁ ପଳାଇଥିଲେ । ଆଜି କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ମୁକ୍ତିରଂଜନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୁକ୍ତିରଂଜନ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚିଥିଲେ । ରାତି ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ବାହାରି ଯାଇଥିଲେ । ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ବେଳେ ଆରଡି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏ ସଂକ୍ରାନ୍ତରେ ଧୁଷୁରୀ ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ବ୍ଯାଗରୁ ଲ୍ଯାପଟପ ଓ ଡାଇରୀ ଭଳି ଅନେକ ସାମଗ୍ରୀ ପାଇ ତଦନ୍ତ ଚଳାଇଛି । ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା କରି ଦୀର୍ଘ ଦିନ ଧରି ଫ୍ରିଜରେ ରଖିବା ଘଟଣାରେ ମୁକ୍ତିରଂଜନକୁ ସନ୍ଦେହ ଘେରକୁ ଆସିଥିଲେ । ଘଟଣା ପରଠାରୁ ସେ ଫେରାର ହୋଇ ବୁଲୁଥିଲେ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଦୁଇ ଗୁରୁତର

ନିମାପଡା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଦୁଇ ଜଣ ଛାତ୍ରଛାତ୍ରୀ ଗୁରୁତର । ଆଜି ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋପ ଅଞ୍ଚଳ ଗସ୍ତ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗାଡି ଧକ୍କାରେ ଜଣେ ଛାତ୍ରୀ ସହିତ ଜଣେ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ଗୋପ ମହାଜନ ସାହି ନିକଟରେ ଘଟିଥିବା ଜଣା ପଡ଼ିଛି। ଦୁଇଜଣ ଛାତ୍ର ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ୫ମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ନାମ ତସଲିମ ଆରଜୁ ଓ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଜଣଙ୍କ ହେଉଛନ୍ତି ମହମ୍ମଦ ସହଜାଦ ଆଲାମ । ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ଗୋପରୁ ଭୁବନେଶ୍ୱର ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଉପମୁଖ୍ଯମନ୍ତ୍ରୀ ସବୁ ଜାଣି ମଧ୍ଯ ଛାତ୍ରଛାତ୍ରୀଙ୍କ କଥା ନବୁଝି ଅନ୍ଯ ମିଟିଂ ଚାଲିଯିବାକୁ ନେଇ ବିଭିନ୍ନ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି । ସମସ୍ତ କାମଦାମ ସାରି ଗୁରୁତର ଛାତ୍ର ଓ ଛାତ୍ରୀଙ୍କୁ ବିଳମ୍ବରେ ଉପମୁଖ୍ୟମନ୍ତ୍ରୀ ଭେଟିବାକୁ ଯାଇଥିବା ଯାଇଥିବାବେଳେ  ସ୍ଥାନୀୟ ଅଂଚଳର ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇପାରି କିଂକର୍ତ୍ତବ୍ଯବିମୁଢ ହୋଇଯାଇଥିଲେ । ଛୋଟଛୋଟ ପିଲାମାନଙ୍କ ଅବସ୍ଥା ଦିଶିଲାନି ଯେ ଆପଣ ମିଟିଂକୁ କେମିତି ପଳାଇଲେ ବୋଲି ପ୍ରଶ୍ନ କରିଥିଲେ ଲୋକେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆନ୍ଧ୍ରକୁ ଘାରିଛି କୋଟିଆ ନିଶା, ପ୍ରତିବାଦ ସତ୍ତ୍ବେ ବି ବଢୁଛି ଅନୁପ୍ରବେଶ

କୋଟିଆରେ ବଢୁଛି ଆନ୍ଧ୍ରର ଦାଦାଗିରି। ପ୍ରତିବାଦ ସତ୍ତ୍ବେ ବି ବଢୁଛି ଅନୁପ୍ରବେଶ। ଜାରି ରହିଛି ସରକାରୀ କାର୍ଯ୍ୟକ୍ରମ। ମୋବାଇଲ ଟାୱାରଠୁ ନେଇ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ପ୍ରଲୋଭିତ କରୁଛି ଆନ୍ଧ୍ର। ଘରେ ଘରେ ଲଗାଯାଉଛି ତେଲୁଗୁ ଷ୍ଟିକର। ମନମୁଖୀ କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ। ଆନ୍ଧ୍ରର ଦାଦାଗିରିକୁ ନେଇ ବର୍ଷିଛି ଉତ୍କଳ ସମ୍ମିଳନୀ। କହିଛି କୋଟିଆର ପ୍ରାକୃତିକ ସମ୍ପଦ ଉପରେ ରହିଛି ପଡୋଶୀ ରାଜ୍ୟର ନଜର। ସଂଘୀୟ ବ୍ୟବସ୍ଥାର କରାଯାଉଛି ଉଲ୍ଲଙ୍ଘନ। ନିଜ ଦେଶ ଭିତରେ କିପରି ଦୁଇଟି ପରିଚୟ ପତ୍ର ଜାରି ହୋଇପାରିବ ସେନେଇ ଉଠିଛି ପ୍ରଶ୍ନ। କୋଟିଆରେ ବ୍ୟାପକ ବିକାଶ କରିଛନ୍ତି ପୂର୍ବର ବିଜେଡି ସରକାର। ଏବେ ଚାଲିଛି ଟ୍ରିପଲ ଇଞ୍ଜିନ ସରକାର। ତେଣୁ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ବିଭାଗର ହସ୍ତକ୍ଷେପ ଲୋଡିଛି ଉତ୍କଳ ସମ୍ମିଳନୀ। ଏହାସହ ବିବାଦର ଅନ୍ତ ଘଟାଇବା ପାଇଁ ବିଜେପି ସରକାରକୁ ୫ଟି ପ୍ରସ୍ତାବ ଦେଇଛି ଉତ୍କଳ ସମ୍ମିଳନୀ।

ପୋଲାଭରମ ପ୍ରକଳ୍ପ ଓ କୋଟିଆ ଉଭୟ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ଓଡ଼ିଶା ପ୍ରତି ଅନ୍ୟାୟ କରିଚାଲିଛି। କିନ୍ତୁ ସବୁ ଜାଣି ଚୁପ୍ ବସିଛନ୍ତି ମୋହନ ସରକାର। ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ସାମାଜିକ ସଂଗଠନ। ପୋଲାଭରମରେ ପାଣି ଓ କୋଟିଆର ଖଣି ଉପରେ ଆଖି ରଖି ଆନ୍ଧ୍ର ଲାଭବାନ ହେବାକୁ ବସିଛି। ତେଣୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ଆମ୍ ଜନତା ଅଧିକାର। ସେପଟେ ସିଟିଜେନସ ଫୋରମ କହିଛି କେନ୍ଦ୍ର ନିକଟରେ ଦାବି ରଖନ୍ତୁ ରାଜ୍ୟ ସରକାର।

କୋଟିଆ ଜୟପୁର ରାଜାଙ୍କ ରାଜ୍ୟ ଥିଲା। ପାରଳା ମହାରାଜା ଓ ଜୟପୁର ରାଜା ୧୯୩୬ରେ ଓଡ଼ିଶାରେ ଏହାକୁ ମିଶ୍ରଣ କଲେ। ତେଣୁ କୋଟିଆର ୨୧ଟି ଗାଁ ଓଡ଼ିଶାର ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ କୁହାଯାଇଛି। ଅଞ୍ଚଳର ସୁରକ୍ଷା ପାଇଁ ଖୁବଶୀଘ୍ର ଗ୍ରାଉଣ୍ଡକୁ ଯିବ ଉତ୍କଳ ସମ୍ମିଳନୀ। ଏଥିସହ ଅନଧିକାର ପ୍ରବେଶକୁ ରୋକିବା ପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ସୀମାନ୍ତ ସୁରକ୍ଷା ବାହିନୀ ସୃଷ୍ଟି କରାଯିବ ବୋଲି କୁହାଯାଇଛି।

ଦୀର୍ଘ ୪୮ ଘଣ୍ଟା ପରେ କାବୁ ହେଲା ଆତଙ୍କ ରଚାଇଥିବା ଯୁବକ

ରାଉରକେଲା : ଦୀର୍ଘ ୪୮ ଘଣ୍ଟା ପରେ କାବୁ ହେଲା ବଣାଇଁ ବଡଜଲ ଉଚ୍ଚ ବିଦ୍ୟାଳୟରେ ଆତଙ୍କ ରଚାଇଥିବା ଯୁବକ । ବହୁ ପରିଶ୍ରମ ପରେ ଯୁବକକୁ କାବୁ କରିଛି ରାଉରକେଲାର ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF  ଟିମ । ଯୁବକକୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି ।  ଗତ ଶନିବାର ଠାରୁ ସୁଦନ ମୁଣ୍ଡା ଓରଫ ଧନୀ ଉଚ୍ଚ ବିଦ୍ୟାଳୟକୁ ଅକ୍ତିଆର କରି ରଖିଥିଲା  ।  ସୁଦନକୁ କାବୁ କରିବା ପାଇଁ ପୋଲିସର ଶତ ଚେଷ୍ଟା ବିଫଳ ହୋଇଥିଲା । ଧରିବାକୁ ଯାଉଥିବା ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଉପରକୁ  ତୀର, ବାଟୁଳି  ଓ ବିଭିନ୍ନ ମାରଣାସ୍ତ୍ର ମାରୁଥିଲା ସୁଦନ । ତାର ତୀର ମାଡ଼ରେ ଗୁରୁତର ଭାବେ ଆହତ ହୋଇଛନ୍ତି ମହୁଲପଦା ଆଇଆଇସି । ଆଜି ସକାଳୁ ମଧ୍ୟ ଯୁବକର ତୀର ମାଡରେ ଅନ୍ୟ ଜଣେ ପୋଲିସ  କର୍ମଚାରୀ ଗୁରୁତର ହୋଇଛନ୍ତି । ଶେଷରେ ଯୁବକଙ୍କୁ ଧରିବା ପାଇଁ ରାଉରକେଲାରୁ ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF  ଟିମ ଗତକାଲି ରାତିରୁ ମୁତୟନ କରାଯାଇଥିଲା  । ଅଭିଯୁକ୍ତର ଆକ୍ରମଣରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମଧ୍ୟ ମୁଣ୍ଡ ଫାଟିଥିବା ସୂଚନା ରହିଛି । ସୁଦନ  ୧୦ ପୃଷ୍ଠା ବିଶିଷ୍ଟ ଏକ ଦାବି ପତ୍ର ଛାତ ଉପରୁ ତଳକୁ ପକାଇଥିଲା  । ଏଥିରେ ସେ ବିଭିନ୍ନ ଦାବି ସହ ୧୦୦ କୋଟି ଟଙ୍କା ଦାବି କରିଥିବା ସୂଚନା ରହିଛି ।

ଭରତରପୁର ଥାନା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ବର : ମିଛ କହୁଛନ୍ତି କି ଭରତପୁର ଥାନା ନିଲମ୍ବିତ ଆଇଆଇସି ? ତତ୍କାଳୀନ ଥାନାଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ଦୀନକୃଷ୍ଣ ମିଶ୍ର ଦେବେ ସତମିଛର ପରୀକ୍ଷା । ଥାନା ଭିତରେ ଯୁବତୀଙ୍କୁ ଯୌନନିର୍ଯାତନା ଭଳି ସଂଗୀନ ଅଭିଯୋଗର ସତ ଜାଣିବାକୁ ନିଲମ୍ବିତ ଆଇଆଇସିଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଯାହାକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ । ଏଥିପାଇଁ ଖୁବଶୀଘ୍ର ଏକ ସ୍ବତନ୍ତ୍ର ଟିମ୍ ଦୀନକୃଷ୍ଣକୁ ନେଇ ଗୁଜୁରାଟ ଗାନ୍ଧୀନଗର ଗସ୍ତ କରିବ । ଏହାଛଡ଼ା ଆବଶ୍ଯକସ୍ଥଳେ ଅନ୍ଯ ଦୁଇଟି ପରୀକ୍ଷା କରିବାକୁ ଅନୁମତି ମିଳିଛି । ସକାଳେ କୋର୍ଟରେ ହାଜର ହୋଇ ଯେକୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ଦୀନକୃଷ୍ଣ । ପଲିଗ୍ରାଫ ସହ ନାର୍କୋ ଆନାଲିସିସ ଓ ବ୍ରେନ ମ୍ଯାପିଂ ପାଇଁ ବି ସମ୍ମତ ପ୍ରକାଶ କରିଥିଲେ ।
ସକାଳ ୮ ଟା.. ଭୁବନେଶ୍ୱର ଭରତପୁର ଥାନାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ । ସକାଳ ୯ଟାରେ ପହଞ୍ଚିଥିଲେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ । ବଡ଼ିଭୋରରୁ ଉପସ୍ଥିତ ଥିଲେ ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ନିଲମ୍ବିତ ପୋଲିସ । ଦୁଇ ପକ୍ଷକୁ ସମ୍ନାସାମ୍ନି ବସାଇ ସତ ଓଗାରିଥିଲା ତଦନ୍ତକାରୀ ଟିମ । ଫାରୋ କ୍ୟାମେରା ସାହାଯ୍ୟରେ ହୋଇଥିଲା 360 ଡିଗ୍ରୀ ତଦନ୍ତ । ନାଟକୀୟ ଢଙ୍ଗରେ ସେଦିନ ଘଟିଥିବା ଟିକିନିଖି ଘଟଣା କହିଥିଲେ ପୀଡିତା । ରିସେପ୍ସନରେ ପହଁଚିବାଠାରୁ ଲକଅଫ ଭିତରେ ଯୌନନିର୍ଯାତନା ପର୍ଯ୍ୟନ୍ତ…ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ ରଖିଥିଲେ ଛାତିଥରା ବୟାନ । ପରେ ସେନା ଅଧିକାରୀଙ୍କ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ଯାଇଥିଲା ପଥରଗାଡ଼ିଆ ସ୍ଥିତ ସୁନ୍ଦରପୁରକୁ । ଯେଉଁଠି ରାତି ଅଧରେ ଉତ୍ପାତ ରଚିଥିଲେ ରୋଡ୍ ରୋମିଓ । ସେଠାରେ ସେଦିନର ଘଟଣାକୁ ନେଇ କରାଯାଇଥିଲା ସିନ ରିକ୍ରିଏସନ । ଏବେ ମାମଲାରେ ସାମ୍ନାକୁ ଆସିଛି ରୋଚକ ତଥ୍ଯ । ସିସିଟିଭି ନଥିବା ବେଳେ ଥାନାରେ ପୂଜା ନାଁରେ ହୋମଯଜ୍ଞ କରି ବଳିଷ୍ଠ ପ୍ରମାଣକୁ ପୋଡି ଦିଆଯାଇଛି । ନିଜ ନାଁ ଗୋପନ ରଖି ଜଣେ ପୋଲିସ କର୍ମଚାରୀ ଏଭଳି ବୟାନ ଦେଇଛନ୍ତି । ଯାହାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ଯ ଖେଳିଯାଇଛି ।

ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ

ଭୁବନେଶ୍ବର : କେଉଁଠି ରହିଲା ଭୁଲ ? କଣ କଲେ ଆଉ ଝୁଣ୍ଟିବନି ବିଜେଡି ? ଗତ ନିର୍ବାଚନୀ ପରାଜୟକୁ ପ୍ରେରଣା ଭାବେ ଗ୍ରହଣ କରି ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛି ବିଜୁ ଜନତା ଦଳ । କାରଣ ପ୍ରଥମଥର ଶାସନ କ୍ଷମତାରେ ବିଜେଡି ନାହିଁ ସିନା ହେଲେ ଗତ ଭୋଟ ମାର୍ଜିନରେ ଦଳ ଏକ ନମ୍ବରରେ ରହିଛି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ସଂଗଠନକୁ ଆହୁରି ମଜଭୁତ କରି ଆଗେଇବାକୁ ଅଣ୍ଟା ଭିଡିଛି ଦଳ । ରୋଡ ମ୍ଯାପ ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଦେବେ ଦିଗଦର୍ଶନ । ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ।
ସେପଟେ ନିର୍ବାଚନ ପରଠାରୁ ଦୈନିକ ସାଂଗଠନିକ ସମୀକ୍ଷା କରି ଚାଲିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏ ଯାଏ ପାଖାପାଖି ୨୦ ଜିଲ୍ଲାର ସମୀକ୍ଷା ସରିଲାଣି । ଜିଲ୍ଲା ନେତାଙ୍କ ସହ ଗତ ନିର୍ବାଚନର ପରାଜୟର କାରଣ ନେଇ ନବୀନ ସିଧା ଆଲୋଚନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନୂଆପଡ଼ା ଜିଲ୍ଲା ସମୀକ୍ଷା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ଆଜି ବି ରାଜ୍ୟବାସୀଙ୍କ ହୃଦୟରେ ନବୀନ ପଟ୍ଟନାୟକ ପାଇଁ ଯଥେଷ୍ଟ ସମ୍ମାନ ରହିଛି । ଯେଉଁ ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି ସରକାର କରିଥିଲା, ତାହାର ଫମ୍ପା ଆୱାଜ ଲୋକଙ୍କୁ ଶୁଭିଲାଣି । ଯାହା ନବୀନଙ୍କ ଲୋକପ୍ରିୟତାକୁ ଆହୁରି ବଢାଉଛି । ଏପରି ସ୍ଥିତିରେ ରାଜ୍ୟବାସୀଙ୍କ ଆସ୍ଥାକୁ ଆହୁରି ସୁଦୃଢ କରିବାକୁ ୨୭ ତାରିଖ ବୈଠକରେ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବ ବିଜୁ ଜନତା ଦଳ ।

ଦଳ ଡିଆଁକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ,ବିଜେଡି-ବିଜେପି ବାକଯୁଦ୍ଧ

ଭୁବନେଶ୍ବର : ରାଜ୍ୟ ରାଜନୀତିରେ ହେବ ହଲଚଲ। କେଉଁ ଦଳର ନେତା କେଉଁ ଦଳକୁ ଡ଼ିଆଁ ମାରିବେ। କେଉଁ ଦଳରେ ହେବ ବିସ୍ଫୋରଣ। ବିଜେପି ନା ବିଜେଡି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ବୟାନବାଜି। ଉଭୟ ବିଜେଡି ଓ ବିଜେପି ପରସ୍ପରକୁ କହୁଛନ୍ତି, ତମର ନେତା ଆମ ସହିତ ମିଶିବେ। ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ପ୍ରଥମେ କହିଥିଲେ, ବିଜେଡିର ନେତାମାନେ ବିଜେପି ଯୋଗାଯୋଗରେ ଅଛନ୍ତି। ଦେଢ଼ ମାସରେ ସେମାନେ ଇସ୍ତଫା ଦେଇ ପଦ୍ମ ଧରିବେ। ଏହାର ଜବାବରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିଜେପିର ଅନେକ ନେତା ବିଜେଡି ସହିତ ସଂପର୍କରେ ଅଛନ୍ତି। ବିକାଶ ପାଇଁ ଆଗକୁ ହଲଚଲ୍ ହେବ।
୨୦୨୪ ନିର୍ବାଚନ ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କ୍ରେଜ ବୃଦ୍ଧି ପାଇବାରେ ଲାଗିଛି। ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ନବୀନଙ୍କ ଏହି କ୍ରେଜ୍ କୁ ସହିପାରୁନି ବିଜେପି। ତେଣୁ ଏହି ଦଳର ନେତା ମଝିରେ ମଝିରେ ପ୍ରଳାପ କରୁଛନ୍ତି। ଆଗକୁ ଅନେକ ନେତା ପଦ୍ମ ପୋଖରୀ ଛାଡ଼ି ଶଙ୍ଖ ଶିବିରକୁ ଡିଆଁ ମାରିବେ। ତେଣୁ ବିଜେପି ଛାନିଆ ହୋଇ ପଡ଼ିଛି। ରାଜନୈତିକ ସମୀକ୍ଷକ ବି କହିଛନ୍ତି, ଓଡ଼ିଶା ରାଜନୀତିରେ ନବୀନଙ୍କ କ୍ରେଜ୍ ଅତୁଟ ରହିଛି ।  ରାଜନୀତିରେ ଦଳ ବଦଳ ଏକ ସାଧାରଣ କଥା। ନିର୍ବାଚନ ବେଳେ ଏପରି ଦଳ ଡିଆଁ ବହୁତ ଦେଖିବାକୁ ମିଳେ। ଆସନ୍ତା ନଭେମ୍ବରରେ ନବୀନ ପଟ୍ଟନାୟକ ସାରା ଓଡ଼ିଶା ବୁଲିବାର ଥିବା ବେଳେ ଦଳ ବଦଳକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆଟାକ କାଉଣ୍ଟର ଆଟାକ ରାଜ୍ୟ ରାଜନୀତିକୁ ରୋଚକ କରିଛି।

ମୋହନ ସରକାରଙ୍କ ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ?

ଭୁବନେଶ୍ବର : ପ୍ରତିଶ୍ରୃତି ପାଳନ କଲନି, କିନ୍ତୁ ଭତ୍ତା ପାଇଁ କଲବଲ କଲ । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାରୁ ଆସିଲା ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର । ମୋହନ ସରକାରଙ୍କ ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ? ଜଳଜଳ କରି ସାରା ଦେଶ ଦେଖିଲା କିପରି ବିପର୍ଯ୍ୟସ୍ତ ହୋଇଛି ଓଡ଼ିଶାର ସାମାଜିକ ସୁରକ୍ଷା। କାରଣ ଏ ଦୃଶ୍ୟ ଦେଖିଲେ ଆପଣଙ୍କୁ ବିଚଳିତ କରିବ ନିଶ୍ଚୟ। କେନ୍ଦୁଝର ରାଇସୁଆଣ ଗ୍ରାମର ୮୦ ବର୍ଷୀୟ ବୃଦ୍ଧ ପଥୁରୀ ଦେହୁରୀ। ଭତ୍ତା ଟଙ୍କା ଗଲେ ଗୁରୁଣ୍ଡି ଗୁରୁଣ୍ଡି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମୋହନ ସରକାର ଉପରେ ବର୍ଷିଛି କଂଗ୍ରେସ। ନିର୍ବାଚନ ପୂର୍ବରୁ ବିଜେପି ସମସ୍ତଙ୍କୁ ୩୫ଶହ ଟଙ୍କା ଲେଖାଏ ଭତ୍ତା ଦେବାକୁ କହି ସରକାରକୁ ଆସିଲା। ଆଉ କ୍ଷମତାକୁ ଆସିବା ପରେ ଲୋକଙ୍କୁ ଠକିଦେଲା। ୮୦ ବର୍ଷ ହୋଇଥିବା ଲୋକ କେବଳ ୩୫ଶହ ଟଙ୍କା ଭତ୍ତା ପାଇବେ ବୋଲି ନିୟମ କରିଥିଲେ ସରକାର। ଏବେ ମୋହନ ସରକାରଙ୍କ ଏପରି ନିଷ୍ପତ୍ତି ପ୍ରମାଣିତ କରିଛି ଯେ, ବିଜେପି ସରକାର ଭତ୍ତା ବ୍ୟବସ୍ଥାକୁ ବନ୍ଦ କରିବାକୁ ଚାହୁଁଛି। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୂଷିତ ପାଣି ପିଇ ମାସେ ଭିତରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହେଲାଣି। ଯାହାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ଅନ୍ୟପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି। ୩୫ ଶହ ଟଙ୍କା ଭତ୍ତା ଦେବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ।

ଭତ୍ତାକୁ ନେଇ କଂଗ୍ରେସ ଓ ବିଜେପି ମୁହାମୁହିଁ ହେବା ପରେ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ମୁଖ୍ୟ ବିରୋଧୀ ବିଜେଡି। ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ନିର୍ବାଚନ ସମୟରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପ୍ରଥମେ ପୂରଣ କରୁ। ସାମାନ୍ୟ ଟଙ୍କା କେଇଟା ପାଇଁ ବୃଦ୍ଧା ଜଣକ ଗୁରୁଣ୍ଡି ଗୁରୁଣ୍ଡି ଯିବା ସାରା ଦେଶରେ ଓଡ଼ିଶାବାସୀଙ୍କୁ ନିନ୍ଦିତ କରିଛି ବୋଲି କହିଛି ବିଜେଡି। ରାଜ୍ୟରେ ଭତ୍ତା ଅବ୍ୟବସ୍ଥା ସହ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ନିଶାନା କରିଛି କଂଗ୍ରେସ । ଆଉ ଏ ସବୁ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଚନ୍ତି କଂଗ୍ରେସ ଓ ବିଜେପି।

ବିଜେପି ସରକାର ଆଦିବାସୀ ବିରୋଧୀ : ବିଜେଡି

ଭୁବନେଶ୍ବର : ନବୀନ ପଟ୍ଟନାୟକଙ୍କ ସମୟରେ ଆଦିବାସୀ ବିକାଶ ହୋଇଛି। ହେଲେ ଏବେର ସରକାର ଯୋଗୁଁ ଭୟ ଓ ଆଶଙ୍କାରେ ରହିଛନ୍ତି ଆଦିବାସୀ। ନବୀନ ସରକାରଙ୍କ ଅନେକ ଯୋଜନା ବନ୍ଦ କରାଯାଇଛି। ତେଣୁ ବିକାଶ ଏବେ ସ୍ୱପ୍ନ ହୋଇଛି ବୋଲି ଅଭିଯୋଗ କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି- ସବୁ ଜିଲ୍ଲାରେ ଆଦିବାସୀ ଆନ୍ଦୋଳନ କରୁଛନ୍ତି ଜଙ୍ଗଲ ଜମି ଆଇନ ପାଇଁ। ହେଲେ ସରକାର ଶୁଣୁନାହାନ୍ତି। ପଶ୍ଚିମ ଓଡ଼ିଶାରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ରହିଛନ୍ତି। ହେଲେ ୧୮ ପ୍ରତିଶତ ଜିଏସଟି ଛାଡ ହେଲାନି। SDC ଜରିଆରେ ଅନୁଦାନ ଦେଇ କଳା ସଂସ୍କୃତି ବିକାଶ କରାଯାଉଥିଲା। ମାତ୍ର ତାହା ବନ୍ଦ ହୋଇଛି। ରାଜ୍ଯ ସରକାର ଆଦିବାସୀଙ୍କ ବିକାଶ ଚାହୁଁନାହାନ୍ତି। ୧୩୫ ବର୍ଗ ଏବେ ବି ଆଦିବାସୀ ମାନ୍ୟତା ଅପେକ୍ଷାରେ ଅଛନ୍ତି। କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବି ଆଦିବାସୀଙ୍କୁ ପାତର ଅନ୍ତର କରାଯାଇଛଇ। ଏ ଯାଏଁ ଆଦିବାସୀ ଜନଗଣନା ହୋଇନାହିଁ। ୧୦୦ ଦିନରେ କେବଳ ରଙ୍ଗ ବଦଳାଯାଇଛି ବୋଲି ଅଭିଯୋଗ କରିଛି ବିଜେଡି। ଓଡ଼ିଆ ଅସ୍ମିତା ନଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି। ସରକାର ମାଗଣା ବିଜୁଳି ଦେଲେନି। ସୁଭଦ୍ରା ଯୋଜନାରେ ବି ଟଙ୍କା ଠିକ ଭାବେ ମହିଳାଙ୍କୁ ମିଳୁନାହିଁ।

ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ : କଟକ ସଦର ଥାନା ପୋଲିସ କର୍ମଚାରୀ ନିଲମ୍ବିତ

କଟକ : କଟକ ସଦର ଥାନା ଓ.ଏ.ପି.ଫ କର୍ମଚାରୀ ନିଲମ୍ବିତ ।  ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନରେ ଗ୍ରହଣ କରିଛନ୍ତି କଟକ ଡିସିପି । ଗତ 22 ତାରିଖ ରାତିରେ କଟକ ଶଙ୍ଖତରାସ ଗାଁରେ ଏକ ପାରିବାରିକ ଗଣ୍ଡଗୋଳ  ଖବର ପାଇ ପିସିଆର ଘଟଣା ସ୍ଥଳକୁ ଯାଇଥିଲା । ତେବେ ପିସିଆରରେ ଥିବା ଓ.ଏ.ପି.ଫ କର୍ମଚାରୀ ଜଣକ ନିଶାଶକ୍ତ ଅବସ୍ଥାରେ  ସେଠାରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ।  ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିବା ସହ ରିଜର୍ଭ ପୋଲିସକୁ ସ୍ଥାନାନ୍ତର କରାଯାଇଛି ।