ଭୁବନେଶ୍ବର : ବିଭିନ୍ନ ରାଜ୍ଯକୁ ମିଳିବ ୩୫ ଲକ୍ଷ ମେଟ୍ରିକ ଟନ ଗହମ । ଏଥିପାଇଁ ଖାଦ୍ୟସୁରକ୍ଷା ଆଇନରେ ସଂଶୋଧନ କରାଯାଇଛି । ଗହମ ଚାଉଳ ଯୋଗାଣ ଅନୁପାତରେ ସଂଶୋଧନ କରି ରାଜ୍ଯକୁ ଗହମ ଯୋଗାଇବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶା ସମେତ ୯ ରାଜ୍ୟକୁ ଗହମ ଯୋଗାଣ ବୃଦ୍ଧି କରାଯାଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର,ତାମିଲନାଡୁ, ଉତ୍ତରପ୍ରଦେଶ, ଝାଡଖଣ୍ଡ,ବିହାର ଓ ମଧ୍ୟପ୍ରଦେଶକୁ ମିଳିବ ଗହମ । ଅକ୍ଟୋବର ୨୩ ତାରିଖ ଭିତରେ ରାଜ୍ୟ ଗୁଡିକ ଗହମ ଉଠାଇପାରିବେ ।
ଅନ୍ଧବିଶ୍ବାସର ଜଘନ୍ଯ ପରିଣତି , ଦୁଇ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିଲେ ଉତ୍ତ୍ଯକ୍ତ ଲୋକେ
ନୂଆପଡା : ଅନ୍ଧବିଶ୍ବାସର ଜଘନ୍ଯ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଦୁଇ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିଲେ ଉତ୍ତ୍ଯକ୍ତ ଲୋକେ । ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅଞ୍ଚଳରେ ଘଟିଛି ଏଭଳି ବର୍ବର କାଣ୍ଡ । ଗୁଣି ସନ୍ଦେହରେ ଡୁମେରପଦର ଗାଁର ଦୁଇ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିବା ସହ ମୁହଁରେ ଲଙ୍କାଗୁଣ୍ଡ ମାରିଥିଲେ ଦୁର୍ବୃତ୍ତ । ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି ଡୁମେରପଦର ଗାଁର ୬୫ ବର୍ଷୀୟ ଭୋଜରାମ ରଣା ଓ ୬୦ ବର୍ଷୀୟ ଗୋବର୍ଦ୍ଧନ ରଣା । ଅଭିଯୋଗ ଅନୁସାରେ ଡୋଟୋ ଗାଁର ଲଳିତ ରଣାଙ୍କ ଝିଅଙ୍କର ସ୍ବାସ୍ଥ୍ଯବସ୍ଥା ଖରାପ ଥିଲା । ଯେତେ ଚିକିତ୍ସା କରିଥିଲେ ବି ଝିଅଟି ସୁସ୍ଥ ହୋଇନଥିଲା । ଏଣୁ କେହି ଗୁଣି କରିଥିବା ପରିବାର ଲୋକ ସନ୍ଦେହ କରିଥିଲେ । ଦୁଇଦିନ ତଳେ ଗାଁରେ ବୈଠକ କରି ଭୋଜରାମ ଓ ଗୋବର୍ଦ୍ଧନଙ୍କୁ ଡକାଇଥିଲେ । କିନ୍ତୁ ଉଭୟ ବୈଠକକୁ ଆସି ନଥିଲେ । ଏହାକୁ ନେଇ ଲଳିତଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଥିଲେ । ବୁଧବାର ରାତିରେ କିଛି ଯୁବକ ଭୋଜରାମ ଓ ଗୋବର୍ଦ୍ଧନଙ୍କ ଘରେ ପଶି ନିସ୍ତୁକ ମାଡ଼ ମାରିଥିଲେ । ପରେ ମୁଣ୍ଡରେ ବିଷ୍ଠା ଢାଳିବା ସହ ମୁହଁରେ ଲଙ୍କାଗୁଣ୍ଡ ବୋଳିଦେଇଥିଲେ । ଘଟଣାକୁ ନେଇ ସାରା ରାଜ୍ଯରେ ଚାଞ୍ଚଲ୍ଯ ଖେଳିଯାଇଥିବାବେଳେ ଥାନାରେ ଅଭିଯୋଗ ହୋଇଛି । ପୋଲିସ ୯ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ।
ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ
ବାରିପଦା : ଟ୍ରାଙ୍କୁଲାଇଜ ହେଲା ନରହନ୍ତା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀରେ ମାତିଥିବା ଗୋଠଛଡ଼ା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରି କପିଳାଶ ଥଇଥାନ କେନ୍ଦ୍ରକୁ ଅଣାଯାଇଛି । ଏହି ଦନ୍ତା ଆକ୍ରମଣରେ ୩ ଦିନରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨୪ ତାରିଖ ରାତିରେ ଝାଡ଼ଖଣ୍ଡରୁ ଓଡ଼ିଶା ସୀମାରେ ପଶିଥିଲା ଏହି ଦନ୍ତା । ସୀମାନ୍ତବର୍ତ୍ତୀ ଶୁଳିଆପଦା ବ୍ଲକରେ ବ୍ୟାପକ ଫସଲ ଉଜାଡ଼ିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରିଥିଲା । ଗତକାଲି ରାତିରେ ଦନ୍ତାଟି ବାରିପଦା ବ୍ଲକ୍ ବିସିପୁର ପଞ୍ଚାୟତ ବାଦଲସାହି ନିକଟରେ ବୁଲୁଥିବାବେଳେ ବନବିଭାଗ ଟ୍ରାଙ୍କୁଲାଇଜ୍ କରିଥିଲା । ପରେ ହାତୀଟି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା । ପ୍ରାୟ ଘଣ୍ଟାଏ ପରେ ନିଶ୍ଚେତକ ପ୍ରଭାବରେ ହାତୀଟି ଅଚେତ ହୋଇଯାଇଥିଲା । ବନ ବିଭାଗ ଏକ ଗାଡ଼ିରେ ତାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା । ନିଶ୍ଚେତକ ପ୍ରଭାବ କମିବାପରେ ତାକୁ କାବୁ କରିବା ପାଇଁ ଆସାମରୁ ତାଲିମପ୍ରାପ୍ତ ମାହୁନ୍ତଙ୍କୁ ନିୟୋଜିତ କରାଯିବ ।
ପଞ୍ଜାବରେ ସୁନୀଲ ଜାଖରଙ୍କ ଇସ୍ତଫା ବିଜେପି ପାଇଁ ପଡିବ କି ଭାରି ?
ଚଣ୍ଡୀଗଡ : ପଞ୍ଜାବରେ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା । ବିଜେପିର ରାଜ୍ୟ ସଭାପତି ସୁନୀଲ ଜାଖର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ସୁନୀଲ ଜାଖରଙ୍କ ଇସ୍ତଫା ଗ୍ରହଣ କରିନାହାଁନ୍ତି ହାଇକମାଣ୍ଡ ।
ଗତ କିଛି ମାସ ମଧ୍ୟରେ , ଜାଖର ରାଜ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକଠାରୁ ନିଜକୁ ଦୂରେଇ ରଖୁଥିଲେ । ତେବେ ଏବେ ଇସ୍ତଫା ନେଇ ସୁନୀଲ ଜାଖର ନୀରବତା ବଜାୟ ରଖିଛନ୍ତି । କୁହାଯାଉଥିଲା ଯେ ଲୋକସଭା ନିର୍ବାଚନରେ ହାରିବା ସତ୍ତ୍ୱେ ରାବଣୀତ ସିଂ ବିଟୁଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯିବା ପାଇଁ ଜାଖର ରାଗିଛନ୍ତି । ବିଜେପି ବିଟୁକୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇଛି ।
ସୂଚନାନୁସାରେ , ୨୦୨୪ ଲୋକସଭା ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ପଞ୍ଜାବ ବିଜେପିରେ ଏକ ବଡ ପରିବର୍ତ୍ତନ ହୋଇଥିଲା । ତା’ପରେ ଦଳ ପଞ୍ଜାବ ୟୁନିଟର ଦାୟିତ୍ବ ପୂର୍ବତନ କଂଗ୍ରେସ ନେତା ସୁନୀଲ ଜାଖରଙ୍କୁ ଦେଇଥିଲା । ପଞ୍ଜାବ କଂଗ୍ରେସର ଅନ୍ୟତମ ପ୍ରମୁଖ ନେତା ଜାଖର ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ମେ ୨୦୨୨ ରେ ବିଜେପିରେ ଯୋଗ ଦେଇଥିଲେ । ସେ ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ । ଅତୀତରେ ଜାଖର ଦୁଇଥର ଆବୋହରରୁ ବିଧାୟକ ଏବଂ ଥରେ ଗୁରୁଦାସପୁର ନିର୍ବାଚନମଣ୍ଡଳୀରୁ ସାଂସଦ ରହିଛନ୍ତି । ଜାଖର ମଧ୍ୟ ୨୦୨୧ ପର୍ଯ୍ୟନ୍ତ ଚାରି ବର୍ଷ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ କରିଥିଲେ ।



