spot_img
Home Blog Page 1481

ରାଉରକେଲା ଗଣ ଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତ କୋର୍ଟରେ ହାଜର

ରାଉରକେଲା: ରାଉରକେଲା ଗଣ ଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କଲା ରଘୁନାଥପାଲି ପୋଲିସ । ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଗଣ ଦୁଷ୍କର୍ମ ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସଫଳ ହୋଇଥିବା ବେଳେ ଜଣେ ଏବେ ବି ଫେରାର ଅଛି ।

ଗତ ୨୨ ତାରିଖ ରାତି ପ୍ରାୟ ୧୧ଟା ବେଳେ ଦୁଇ ପୁରୁଷ ବନ୍ଧୁଙ୍କ ସହ ସିଭିଲ ଟାଉନସିପରେ ଥିବା ହୋଟେଲ ହୃଦଙ୍ଗକୁ ଯାଇଥିଲେ ନାବାଳିକା । ସେଠାରେ ନାବାଳିକାଙ୍କୁ ଜୋରଜବରଦସ୍ତି ମଦ୍ୟ ପାନ କରାଇ ସେଠାରୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ରଘୁନାଥପାଲି ଥାନାରେ ଅଭିଯୋଗ ହେବାପରେ ହୋଟେଲ ହୃଦଙ୍ଗକୁ ପୋଲିସ ସହ ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରି ସିଲ କରିଥିଲେ । ଗିରଫ ୬ ଜଣ ହେଲେ ଏମଡି ସୋହେଲ କୁରେସି ଓରଫ ବାଦସାହା, ଏମଡି ଜାରାଏତ, ବିନୋଦ କୁମାର ରାମ, ଦୀପକ ସୋନକର, ମହମ୍ମଦ ଦାନିସ, ଆଫତାବ ଖାଁ । ସମସ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି ପୋଲିସ ।

ତଥ୍ୟ ନଦେବାରୁ ହ୍ବାଟ୍ସଆପ ବିରୋଧରେ ଏତଲା ଦେଲା ଗୁରୁଗ୍ରାମ ପୋଲିସ

ଗୁରୁଗ୍ରାମ: ହ୍ବାଟ୍ସଆପ୍ ବିରୋଧରେ ଗୁରୁଗ୍ରାମ ପୋଲିସର ଏତଲା ଦାୟର । ମାମଲାର ସୂଚନା ନ ଦେବାରୁ ହ୍ବାଟ୍ସଆପ୍ ବିରୋଧରେ ଏହି ପଦକ୍ଷେପ ନେଇଛି ପୋଲିସ । ସରକାରୀ କର୍ମଚାରୀଙ୍କ ଆଦେଶ ନ ମାନିବା, ଅଭିଯୁକ୍ତକୁ ସୁରକ୍ଷା ଦେବା, ପ୍ରମାଣ ନଷ୍ଟ କରିବା ଭଳି ଦଫା ଲାଗିଛି ହ୍ଵାଟ୍ସଆପ୍ ନିର୍ଦ୍ଦେଶକ ଓ ଏହାର ନୋଡାଲ ଅଫିସରଙ୍କ ବିରୋଧରେ ।

ମେ’ ୧୭ ତାରିଖରେ ଗୁରୁଗ୍ରାମର ସାଇବର ଥାନାରେ ଏକ ଠକେଇ ଓ ଅପରାଧ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତର ୪ଟି ହ୍ବାଟ୍ସଆପ୍ ଆକାଉଣ୍ଟ ରହିଛି । ସେସବୁର ତଥ୍ୟ ମାଗିଥିଲା ପୋଲିସ । ହେଲେ ତଥ୍ୟ ଦେବା ବଦଳରେ ହ୍ବାଟ୍ସଆପ୍ ସ୍ପଷ୍ଟୀକରଣ ମାଗିଥିଲା ।

କାହିଁକି ସୂଚନା ଦରକାର, ତାହା ଦର୍ଶାଇ ଦ୍ଵିତୀୟ ଥର ନୋଟିସ୍ କରିଥିଲା ଗୁରୁଗ୍ରାମ ପୋଲିସ । ଏହା ସତ୍ତ୍ଵେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ଓ ପ୍ରାଇଭେସି ପଲିସି ଦର୍ଶାଇ ତଥ୍ୟ ଦେଇ ନଥିଲା ହ୍ବାଟ୍ପଆପ୍ । ଏହା ପରେ ଗୁରୁଗ୍ରାମ ପୋଲିସ ହ୍ବାଟ୍ସଆପ୍ ବିରୋଧରେ ଏତଲା ରୁଜୁ କରିଛି ।

ସଉଦା ପାଇଁ ଯାଇଥିବା ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଅଟକ

ଖୋର୍ଦ୍ଧା: ରାଉରକେଲାରେ ଗୋଟିଏ ପରେ ଗୋଟିଏ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଖୋର୍ଦ୍ଧାରୁ ଆସିଛି ସମାନ ଅଭିଯୋଗ । ସଉଦା ପାଇଁ ଯାଇଥିବା ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଜଟଣୀ ଅଞ୍ଚଳରେ । ଅଭିଯୁକ୍ତକୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ପୀଡ଼ିତା ଦୋକାନକୁ ସଉଦା ପାଇଁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ଏକ ପଥର ଖଣି ପାଖରୁ ଗୁରୁତର ଅବସ୍ଥା ପାଇଥିଲେ ।

ଝିଅକୁ କୁଦିଆରି ଅଞ୍ଚଳର ଶଙ୍କର ବେହେରା ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଶଙ୍କରଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ଭୁବନେଶ୍ୱର ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଟଣୀ ପୋଲିସ କହିଛି ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ କଠୋର ଦଣ୍ଡ ନେଇ ବିଭିନ୍ନ ସଂଗଠନ ସହ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଦିଲ୍ଲୀ କନଷ୍ଟେବଲଙ୍କ ଉପରେ କାର ଚଢ଼ାଇ ୧୦ ମିଟର ଘୋଷାଡ଼ି ନେଲା ମଦ ବେପାରୀଙ୍କ ଡ୍ରାଇଭର

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କନଷ୍ଟେବଲଙ୍କୁ ହତ୍ଯା । କାରକୁ ଅଟକାଇବାକୁ କହିବାରୁ ମଡ଼ାଇ ଦେଇ ଚାଲିଗଲା ମଦ ବେପାରୀର କାର ଡ୍ରାଇଭର । ଦିଲ୍ଲୀ ନାଗଲୋଇ ଅଞ୍ଚଳରେ ଘଟିଛି ଘଟଣା ।

ଗତକାଲି ରାତି ପ୍ରାୟ ୩ଟା ସମୟରେ କାରକୁ ଅଟକାଇବାକୁ କହିଥିଲେ ଡ୍ଯୁଟିରେ ଥିବା କନଷ୍ଟେବଲ ସନ୍ଦୀପ । ତେବେ କାର ଅଟକି ନଥିଲା । ଏହାପରେ ବାଇକରେ ପିଛା କରି ଗାଡିକୁ ସାଇଡ କରିବାକୁ ସିଗନାଲ ଦେଇଥିଲେ ସନ୍ଦୀପ । ହେଲେ ଡ୍ରାଇଭର କାର ନ ଅଟକାଇ ବାଇକକୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ବାଇକ ସହ ସନ୍ଦୀପଙ୍କୁ ପ୍ରାୟ ୧୦ ମିଟର ଘୋଷାଡ଼ି ନେଇ ଆଉ ଏକ କାରକୁ ଧକ୍କା ଦେଇଥିଲା ମଦ ବେପାପୀଙ୍କ ଡ୍ରାଇଭର । ଏଥିରେ କନଷ୍ଟେବଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ଘଟଣାସ୍ଥଳରୁ ଉଦ୍ଧାର କରି କନଷ୍ଟେବଲ ସନ୍ଦୀପଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲଙ୍କ ମୃତ୍ଯୁ ଘଟିଛି । ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ତନାଘନା ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ପ୍ରକୃତରେ ଏହା ଦୁର୍ଘଟଣା ନା ଜାଣିଶୁଣି ଡ୍ରାଇଭର ଜଣକ ମଡ଼ାଇ ଘୋଷାଡ଼ି ନେଇ ହତ୍ଯା କରିଛି ଖୋଳତାଡ଼ କରୁଛି ପୋଲିସ ।

ଇରାନର ପ୍ରତିଟି ଇଞ୍ଚ, ଆମ କ୍ଷେପଣାସ୍ତ୍ର ଟାର୍ଗେଟରେ: ଇସ୍ରାଏଲ

ନୂଆଦିଲ୍ଲୀ: ଲେବାନନ ଭିତରେ ପଶି ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାକୁ ହତ୍ଯା କରିବା ପରେ ଏବେ ଇସ୍ରାଏଲ ଟାର୍ଗେଟରେ ଇରାନ । ଖୋଲାଖୋଲି ଇରାନକୁ ଧମକ ଦେଇଛି ଇସ୍ରାଏଲ । କହିଛି, ଇରାନର ଏମିତି କୌଣସି ଜାଗା ନାହିଁ, ଯେଉଁଠି ପହଞ୍ଚି ପାରିବନି ଇସ୍ରାଏଲର କ୍ଷେପଣାସ୍ତ୍ର, ବୋମା । ତେଣୁ ଇରାନ ସତର୍କ ଓ ନିଜ ସୀମା ଭିତରେ ରହିବା ଉଚିତ । ଏମିତି କଡ଼ା ଚେତାବନୀ ଶୁଣାଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ।

ଏପରିକି ମଧ୍ୟପ୍ରାଚ୍ୟର ଏମିତି କୌଣସି ଅଞ୍ଚଳ ନାହିଁ, ଯେଉଁଠି ଆମର ହାତ ପହଞ୍ଚି ପାରିବନି ବୋଲି ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି ନେତାନ୍ୟାହୁ । ନସରଲ୍ଲାର ହତ୍ୟା ଇସ୍ରାଏଲ ଇତିହାସରେ ଏକ ମାଇଲ ଖୁଣ୍ଟ ବୋଲି ସେ କହିଛନ୍ତି । ଶତ୍ରୁଙ୍କ ଉପରେ ଆକ୍ରମଣ ଜାରି ରହିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।

ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ ସଫିଦ୍ଦିନ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ୍ ସଫିଦ୍ଦିନ । ନସରଲ୍ଲାକୁ ଇସ୍ରାଏଲ ହତ୍ୟା କରିବା ପରେ ସଫିଦ୍ଦିନକୁ ହିଜବୁଲ୍ଲାର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି । ସଫିଦ୍ଦିନ ହେଉଛି ନସରଲ୍ଲାର ସଂପର୍କୀୟ । ଗତକାଲି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନସରଲ୍ଲାର ମୃତ୍ୟୁ ହୋଇଥିଲା ।

ଲେବାନନର ରାଜଧାନୀ ବେରୁତରେ ଲୁଚି ଥିଲା ନସରଲ୍ଲା । ଯେଉଁ ବିଲଡିଂରେ ସେ ରହୁଥିଲା, ସେଠାରେ ଘନ ଘନ ଆକ୍ରମଣ କରି ୮୦ରୁ ଅଧିକ ବୋମା ମାଡ଼ କରିଥିଲା ଇସ୍ରାଏଲ । ଏଥିରେ ହିଜବୁଲ୍ଲାର ମୁଖିଆ ସହିତ ତାର ଅନେକ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ପରେ ସଫିଦ୍ଦିନକୁ ଏହି ଆତଙ୍କବାଦୀ ସଂଗଠନର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି ।

୨୦୧୭ରେ ସଫିଦ୍ଦିନକୁ ଆତଙ୍କବାଦୀ ଘୋଷଣା କରିଥିଲା ଆମେରିକା । ଗତକାଲିର ବୋମା ମାଡ଼ରେ ସଫିଦ୍ଦିନର ମଧ୍ୟ ମୃତ୍ଯୁ ହୋଇଥିବା ପ୍ରଥମେ କୁହାଯାଇଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ସେ ଜୀବୀତ ଅଛି । ହିଜବୁଲ୍ଲାର ରାଜନୈତିକ ବ୍ୟାପାର ବୁଝାବୁଝି କରେ ସଫିଦ୍ଦିନ । ତା’ସହିତ ସଂଗଠନର ଜିହାଦ କାଉନସିଲର ମଧ୍ୟ ସେ ସଭ୍ୟ ଅଛି । ଇରାନ ସହିତ ତାର ରହିଛି ଘନିଷ୍ଠ ସଂପର୍କ । କିଛି ଦିନ ତଳେ ଇସ୍ରାଏଲର ଆକ୍ରମଣରେ ନିହତ ହୋଇଥିବା ଜୈନାବ ସୋଲେମାନଙ୍କ ଜ୍ଵାଇଁ ହେଉଛି ସଫିଦ୍ଦିନ । ସେ ମଧ୍ୟ ବହୁ ଦିନରୁ ହିଜବୁଲ୍ଲାରେ ଯୋଗ ଦେଇଥିଲା । ନବେ ଦଶକରୁ ହିଁ ନସରଲ୍ଲାର ଉତ୍ତରାଧିକାରୀ ଭାବେ ସେ ପରିଚିତ ଥିଲା ବୋଲି କୁହାଯାଏ । ହିଜବୁଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ଅର୍ଥ ବ୍ୟାପାରର ମୁଖ୍ୟ ହେଉଛି ସଫିଦ୍ଦିନ । ନସରଲ୍ଲା କେବଳ ମିଲିଟାରି ଦାୟିତ୍ଵ ସମ୍ଭାଳୁଥିଲା ।

ଅକ୍ଟୋବର ୯ ତାରିଖ ଦଶହରାରେ ମିଳିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ବର: ଗତ ୧୭ ତାରିଖରେ ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଥିଲା । ଉକ୍ତ ଦିନ ୨୫ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଲେଖାଏଁ ଟଙ୍କା ଯାଇଥିଲା । ଦଶହରା ସମୟରେ ଆସନ୍ତା ୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ଏନେଇ ଉପ ମୁଖମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟିଏଲ୍ ମାଧ୍ୟମରେ ଟଙ୍କା ଯିବ ।

ସୂଚନାଯୋଗ୍ୟ,  ଗତ ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଶୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତାରେ ଆସି ଯୋଜନାର ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀ ୫ ହଜାର ଲେଖାଏଁ ଟଙ୍କା ପାଇଥିଲେ । ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ୫ ବର୍ଷରେ ୧୦ଟି କିସ୍ତିରେ ମିଳିବ ମୋଟ ୫୦ ହଜାର ଟଙ୍କା ।

ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ନାବାଳକ ପୁଅକୁ ଟାଣି ଟାଣି ମେଡିକାଲ ନେଲେ ବାପା

ଅନୁଗୁଳ: ଟ୍ରଲିରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ । ଅନୁଗୁଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ଯସେବାର ଏଭଳି ବିପର୍ଯ୍ୟସ୍ତ ଚିତ୍ର । ଆମ୍ବୁଲାନ୍ସ ନଆସିବାରୁ ଟ୍ରଲିରେ ୧୨ ବର୍ଷୀୟ ପୁଅକୁ ଟାଣିଟାଣି ଡାକ୍ତରଖାନା ନେଲେ ପରିବାର ଲୋକ ।

ଅଭିଯୋଗ ଅନୁସାରେ ବନାରସ ଅଞ୍ଚଳର ଜଗଦୀଶ କୁମାର ପରିବାର ସହ ଅନୁଗୁଳ  ହେମସୁରପଡା ଅଞ୍ଚଳରେ ରହୁଥିଲେ । ଗତକାଲି ସନ୍ଧ୍ଯାରେ ତାଙ୍କ ପୁଅ ବୀର କୁମାର ଅସୁସ୍ଥ ହୋଇପଡ଼ିଥିଲା । ଫୋନ କରିବାର ଦୀର୍ଘ ସମୟ ଯାଏଁ ଆମ୍ବୁଲାନ୍ସ ଆସି ନଥିଲା । ଫଳରେ ବାଧ୍ଯ ହୋଇ ଟ୍ରଲିରେ ପୁଅକୁ ଟାଣଟାଣି ଡାକ୍ତରଖାନା ନେଇଥିଲେ ବାପା । ଏଭଳି ଘଟଣାକୁ ନେଇ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ସବୁଠି ନିନ୍ଦା କରାଯାଇଛି ।

ନେପାଳରେ ବନ୍ୟା ବିଭୀଷିକା, ୧୧୨ ମୃତ

କାଠମାଣ୍ଡୁ: ନେପାଳରେ ବନ୍ଯା ବିଭୀଷିକା । ଲଗାଣ ବର୍ଷାରେ ବେହାଲ ବିଭିନ୍ନ ଅଞ୍ଚଳ । ଭୟଙ୍କର ବନ୍ଯାରେ ଏଯାଏଁ ୧୧୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । କେବଳ କାଠମାଣ୍ଡୁରେ ୩୪ ଜଣଙ୍କର ମୃତ୍ଯୁ ଘଟିଛି ।

ବନ୍ୟା ଘେରରୁ ପ୍ରାୟ ୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮୦ ଜଣ ନିଖୋଜ ଅଛନ୍ତି । ୬୩ଟି ସ୍ଥାନରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ବିଦ୍ଯୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ଯସ୍ତ ହୋଇପଡ଼ିଥିବା ବେଳେ ଘରଦ୍ବାର ଭାଙ୍ଗିଯାଇଛି ।

ଏବେ ବି ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି । କାଠମାଣ୍ଡୁ, ଲଲିତପୁର, ଓ ଭକ୍ତପୁର, ପଞ୍ଚଥର, ଢାଙ୍କୁଟା, ଝାପା ଆଦି ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି ।

ବିପନ୍ନଙ୍କୁ ଉଦ୍ଧାର କରିବା କାର୍ଯ୍ଯରେ ୨୦ ହଜାର ଯବାନ ନିୟୋଜିତ ହୋଇଛନ୍ତି । ସ୍ଥିତିକୁ ଦେଖି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର । ମନ୍ତ୍ରୀମାନଙ୍କର ଜରୁରୀ ବୈଠକରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି ।

ହସନ ମୃତ୍ୟୁ ପରେ କିଏ ନେବ ହେଜବୁଲ୍ଲାର ନେତୃତ୍ବ ?

ନୂଆଦିଲ୍ଲୀ: ଇସ୍ରାଏଲର ଘନ ଘନ ଆକ୍ରମଣ ଭାଙ୍ଗି ଦେଇଛି ହେଜବୁଲ୍ଲାର ମେରୁଦଣ୍ଡ । ହେଜବୁଲ୍ଲାକୁ ମୂଳପୋଛ କରିବାକୁ ଏବେ ଇସ୍ରାଏଲ ନିର୍ଣ୍ଣାୟକ ଯୁଦ୍ଧ ଲଢୁଛି । ଅପରେସନ ନ୍ୟୁ ଅର୍ଡରରେ ଆତଙ୍କବାଦୀ ସଂଗଠନର ମୁଖ୍ୟ ହସନ ନସରଲ୍ଲାକୁ ନିପାତ କରିଛି ଆଇଡିଏଫ । ନସରଲ୍ଲା ସମେତ ପ୍ରମୁଖ କମାଣ୍ଡରମାନଙ୍କ ମୃତ୍ୟୁ ଇରାନକୁ ସ୍ତବ୍ଧ କରିଦେଇଛି । ଇସଲାମିକ ଦେଶ ଏକଜୁଟ ହୋଇ ଇସ୍ରାଏଲକୁ ରୋକିବାକୁ ଆହ୍ବାନ ଦେଇ ନିଜେ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି ଇରାନର ସର୍ବୋଚ୍ଚ ନେତା ଅଲି ଖେମିନି ।

ଇସ୍ରାଏଲର ଘନଘନ ଆକ୍ରମଣ ଇରାନ, ସିରିୟା, ଇରାକ୍ ଓ ୟେମେନରେ ଆତଙ୍କ ସୃଷ୍ଟି କରିଛି । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଇରାନର ପୂର୍ଣ୍ଣ ସମର୍ଥନରେ ହେଜବୁଲ୍ଲାର ନେତୃତ୍ୱ ନେଉଥିଲା ହସନ ନସରଲ୍ଲା । ଲଗାତାର ଘୃଣା  ପ୍ରସାର କରି ବିଶାଳ ସାମରିକ ସଂଗଠନ ଛିଡ଼ା କରିଥିଲା । ସାଧାରଣ ମିଲିସିଆରୁ ଆରମ୍ଭ ହୋଇ କାଳକ୍ରମେ ଲେବାନନ୍ ସେନାଠାରୁ ବି ଅଧିକ ଶକ୍ତିଶାଳୀ ବାହିନୀରେ ପରିଣତ ହୋଇଥିଲା ।

ନସରଲ୍ଲା ନିହତ ହେବା ପୂର୍ବରୁ ୧୨ ଶୀର୍ଷ କମାଣ୍ଡର ମଧ୍ୟ  ନିପାତ ହୋଇସାରିଛନ୍ତି । ଏବେ ହେଜବୁଲ୍ଲାର ନେତୃତ୍ବ କିଏ ନେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ନସରଲ୍ଲାର ଉତ୍ତରାଧିକାରୀ ଖୋଜା ଚାଲିଛି । ଏପଟେ ଘନଘନ ଆକ୍ରମଣକୁ ଦେଖି ଲେବାନନ ରାଜଧାନୀ ବେରୁତର ରଫିକ ହରାରୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି ।