ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଧର୍ମଶାଳା ବିଜେପିରେ ତେଜିଲା ରାଜନୈତିକ ଉଷ୍ମତା। ଜାରକା ଠାରେ ଥିବା ଧର୍ମଶାଳା ବିଜେପି ପାର୍ଟି କାର୍ଯ୍ୟାଳୟର ହୋର୍ଡିଂ ଚିରିବା ସହ ପାର୍ଟି ଅଫିସ ଭଙ୍ଗାରୁଜା ହୋଇଛି। କିଛି ଦୁର୍ବୁତ୍ତ ପାର୍ଟି କାର୍ଯ୍ୟାଳୟରେ ପଶି ଗେଟ ସମୁଖରେ ଥିବା ହୋର୍ଡିଂ ଚିରିବା ସହ ପାର୍ଟି କାର୍ଯ୍ୟଳୟକୁ ଟେକା ପଥର ମାଡ଼ କରି କାଚ ଭାଂଗି ଦେଇଥିଲେ। ବିଜେପି ନେତ୍ରୀ ସ୍ମୃତିରେଖା ପହିଙ୍କ ଦଳୀୟ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗତକାଲି ବାରକଣା ଠାରେ ଏକ କାର୍ଯ୍ୟକ୍ରମକୁ ନେଇ ଧର୍ମଶାଳା ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ସେଠାରେ ଚାପା ଉତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଂଚିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଆଜି ମଧ୍ୟ ବିଜେପି ପାର୍ଟି କାର୍ଯ୍ୟାଳୟରେ ଉତ୍ତେଜନା ଲାଗି ରହିଛି। ହୋଇଥିବା ଭଙ୍ଗାରୁଜା ଘଟଣାରେ କାହାର ସମ୍ପୃକ୍ତି ରହିଛି। କେଉଁମାନେ ଏ କାଣ୍ଡ ଘଟାଇଛନ୍ତି ସେ ନେଇ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଧର୍ମଶାଳା ବିଜେପି ପକ୍ଷରୁ ଦାବି କରାଯାଇଛି।
ହରିୟାଣା ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଚାରର ଶେଷ ଦିନ
ନନ୍ଦିଘୋଷ ବ୍ୟୁରୋ: ହରିୟାଣା ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଚାରର ଶେଷ ଦିନ । ହରିୟାଣା ବିଧାନସଭାର ୯୦ ଆସନ ଲାଗି ଅକ୍ଟୋବର ୫ ଗୋଟିଏ ଦିନରେ ହେବ ଭୋଟ । ଅକ୍ଟୋବର ୫ ସନ୍ଧ୍ଯା ସାଢେ ୬ଟା ଯାଏ ଏକଜିଟ ପୋଲ ଉପରେ ନିଷେଧାଦେଶ ଜାରି କରିଛନ୍ତି ନିର୍ବାଚନ କମିଶନ । ଏହି ନିର୍ବାଚନରେ ୬୭ ଜଣ ବିଧାୟକ ମଇଦାନରେ ଅଛନ୍ତି । ୯୦ ଆସନରେ ଭାଗ୍ଯ ପରୀକ୍ଷା କରୁଛନ୍ତି ୧ହଜାର ୨୮ ପ୍ରାର୍ଥୀ । ସେମାନଙ୍କ ମଧ୍ଯରୁ ୧୩୩ ଜଣଙ୍କ ନାମରେ ରହିଛି ଅପରାଧିକ ମାମଲା । ୫୩୮ ଜଣ ପ୍ରାର୍ଥୀ କୋଟିପତି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ସମସ୍ତ ଆସନରେ ଏକାକୀ ଲଢୁଛି ବିଜେପି।
ଇଣ୍ଡି ମେଣ୍ଟରେ ସାମିଲ କଂଗ୍ରେସ ଓ ସିପିଏମ। କଂଗ୍ରେସ ୮୯ ଓ ସିପିଏମ ଗୋଟିଏ ଆସନରେ ଲଢୁଛନ୍ତି। ଜନନାୟକ ଜନତା ପାର୍ଟି-JJP ଓ ଆଜାଦ ସମାଜ ପାର୍ଟି-ASP ମଧ୍ଯରେ ହୋଇଛି ମେଣ୍ଟ। ନିର୍ବାଚନରେ ଜେଜେପି ୬୬ ଓ ଏଏସପି ଲଢୁଛି ୧୨ ଆସନରେ। ସେହିପରି ଆଇଏନଏଲଡି ଓ ବିଏସପି ମଧ୍ଯରେ ମେଣ୍ଟ ହୋଇଛି। ଆଇଏନଏଲଡି ୫୧ ଓ ବିଏସପି ୩୫ ଆସନରେ ଲଢୁଛନ୍ତି। ଆମ୍ ଆଦମୀ ପାର୍ଟି ଏକାକୀ ଲଢୁଛି ୮୮ ଆସନରେ। ଏସୟୁସିଆଇ ୮, ସିପିଆଇ ୨, ଏନସିପି(ଏସପି) ଗୋଟିଏରେ ଲଢୁଛନ୍ତି। ସରକାର ଗଠନରେ ଜେଜେପି ହୋଇପାରେ କିଙ୍ଗମେକର।
୨୦୧୯ରେ ବିଜେପି ଓ ଜେଜେପି ମିଶି କରିଥିଲେ ସରକାର ଏବଂ ମନୋହର ଲାଲ ଖଟ୍ଟର ହୋଇଥିଲେ ମୁଖ୍ଯମନ୍ତ୍ରୀ। ଜେଜେପିର ଦୁଶ୍ଯନ୍ତ ଚୌଟାଲା ହୋଇଥିଲେ ଉପମୁଖ୍ଯମନ୍ତ୍ରୀ। ତେବେ ବିଜେପି ସହ ବିବାଦରୁ ଉପମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦୁଶ୍ଯନ୍ତ। ଗତ ଲୋକସଭା ନିର୍ବାଚନରେ ଭଲ କରିଛି କଂଗ୍ରେସ। ୧୦ ଆସନରୁ ବିଜେପିକୁ ୫ ଓ କଂଗ୍ରେସକୁ ୫ ଆସନ ମିଳିଥିଲା। ୨୦୧୯ରେ ବିଜେପି ୪୦, କଂଗ୍ରେସ ୩୧, ଜେଜେପି ୧୦, ଆଇଏନଏଲଡି ୧ ଆସନ ପାଇଥିଲେ।
ଆଇଏନଏଲଡିର ପ୍ରତିଷ୍ଠାତା ଦେବୀଲାଲଙ୍କ ପୁଅ ଓମ ପ୍ରକାଶ ଚୌଟାଲା ଏବଂ ଓମ ପ୍ରକାଶଙ୍କ ଦୁଇ ପୁଅ ଅଜୟ ଚୌଟାଲା ଓ ଅଭୟ ଚୌଟାଲା। ତେବେ ଅଜୟଙ୍କ ପୁଅ ଦୁଶ୍ଯନ୍ତ ଗଠନ କରିଥିଲେ ଜେଜେପି ଏବଂ ଅଭୟ ଚୌଟାଲା ନେଉଛନ୍ତି ଆଇଏନଏଲଡିର ନେତୃତ୍ବ। ରାଜ୍ଯରେ ଆଇଏନଏଲଡି ନିଜର ପ୍ରଭାବ ହରାଇ ବସିଛି। ରାଜ୍ଯରେ ବେକାରୀ ସମସ୍ଯା ମୁଖ୍ଯ ପ୍ରସଙ୍ଗ ହୋଇଛି। ଏହା ସହ ଚାଷୀଙ୍କ ସମସ୍ଯା ନେଇ ଅଡୁଆରେ ବିଜେପି ରହିଛି। ବିଜେପିରେ କନ୍ଦଳ ଥିବାରୁ ଖଟ୍ଟରଙ୍କୁ ହଟାଇ ନାଏବ ସିଂ ସଇନି ହୋଇଥିଲେ ସିଏମ। ୨୦୦୫ରୁ ୨୦୧୪ମୁଖ୍ଯମନ୍ତ୍ରୀ ଥିଲେ କଂଗ୍ରେସର ଭୂପିନ୍ଦର ସିଂ ହୁଡ୍ଡା। ୨୦୧୪ରୁ ମାର୍ଚ୍ଚ ୨୦୨୪ ଯାଏ ମୁଖ୍ଯମନ୍ତ୍ରୀ ଥିଲେ ବିଜେପିର ମନୋହରଲାଲ ଖଟ୍ଟର। ୨୦୨୪ ମାର୍ଚ୍ଚରୁ ବର୍ତ୍ତମାନ ଯାଏ ମୁଖ୍ଯମନ୍ତ୍ରୀ ଅଛନ୍ତି ନାଏବ ସିଂ ସଇନି।
ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ କ୍ୱାଟର ଘେରାଉ କଲେ ଆରଆଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ
ନନ୍ଦିଘୋଷ ବ୍ୟୁରୋ: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ କ୍ୱାଟର ଘେରାଉ କରିଛନ୍ତି ଆରଆଇ ପରୀକ୍ଷା ଦେଇଥିବା ପିଲାମାନେ। ପରୀକ୍ଷାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ସହ ଅନଲାଇନ୍ ପରୀକ୍ଷାକୁ ବିରୋଧ କରି ସେମାନେ ଘେରାଉ କରିଛନ୍ତି। ଅନଲାଇନ୍ ବଦଳରେ ଅଫଲାଇନ କରିବାକୁ ସେମାନେ ଦାବି ଜଣାଇଛନ୍ତି। ଏ ନେଇ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କୁ ଜଣାଇ ବି କିଛି ଫଳ ମିଳିନି। ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ଆସିଥିଲା। ବୌଦ୍ଧରେ କିଛି ଅଭିଯୁକ୍ତ ବି ଗିରଫ ହୋଇଛନ୍ତି। ଅନଲାଇନ ପରୀକ୍ଷାରେ ତ୍ରୁଟି ହୋଇଥିବାର ଆଗରୁ ଆଇଟି ମନ୍ତ୍ରୀ ମାନିଥିଲେ। ପୂର୍ବରୁ ଫରେଷ୍ଟର ଓ LI ପରୀକ୍ଷାରେ ମଧ୍ୟ ଅନିୟମିତତା ହୋଇଥିଲା। ରାଜ୍ୟ ସରକାର 15 ଲକ୍ଷ ଟଙ୍କାରେ ଚାକରି ବିକ୍ରି କରୁଥିବା ନେଇ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି।
ହରିୟାଣା ନିର୍ବାଚନ : ଏହି ଦଳ ପାଇଁ ପ୍ରଚାର କଲେ ସେହଓ୍ବାଗ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ହରିୟାଣା ନିର୍ବାଚନ । ୫ ତାରିଖରେ ୯୦ ଆସନରେ ୯୦ ଆସନରେ ନିର୍ବାଚନ ହେବାକୁ ଯାଉଛି । ସାରା ରାଜ୍ୟରେ ଏବେ ଜୋରଦାର ପ୍ରଚାର ଜାରି ରହିଛି । ନିର୍ବାଚନୀ ବୈତରଣୀ ପାର୍ ହେବାକୁ ନେତାମାନେ ପ୍ରସ୍ତୁତି ଜାରି ରଖିଛନ୍ତି । ଷ୍ଟାର ପ୍ରଚାରକମାନେ ପ୍ରଚାର କରୁଥିବାବେଳେ ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସେ ଏକ ନିର୍ବାଚନୀ ସଭାରେ ଯୋଗ ଦେବା ସହ କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହାକୁ ବେଶ ପସନ୍ଦ କରୁଥିବାବେଳେ ସେୟାର ମଧ୍ୟ କରୁଛନ୍ତି । ସେପଟେ ସେହଓ୍ବାଗଙ୍କ ଅଭିଭାଷଣ ଶୁଣି ଜନତା ମଧ୍ୟ ବେଶ ଖୁସି ହେଉଥିବା ଦେଖିବାକୁ ମିଳୁଛି । କଂଗ୍ରେସ ପ୍ରାର୍ଥୀ ଅନିରୁଦ୍ଧ ଚୌଧୁରୀଙ୍କ ପାଇଁ ପ୍ରଚାର କରିଛନ୍ତି ସେହଓ୍ବାଗ । ସେ କହିଛନ୍ତି କି, ଅନିରୁଦ୍ଧ ହେଉଛନ୍ତି ମୋ ବଡ଼ଭାଇ ।
ELECTION BREAKING 🚨
Former Cricketer Virender Sehwag bats for Congress: 'press Congress button on 5th October'.
CONGRESS 🔥 pic.twitter.com/h3AcVoCi49
— ISHA VERMA (@IshaVerma__) October 2, 2024
ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ମହମ୍ମଦ ଆଜାହରୁଦ୍ଦିନଙ୍କୁ ଇଡି ନୋଟିସ
ନନ୍ଦିଘୋଷ ବ୍ୟୁରୋ: ଆଜାହରୁଦ୍ଦିନଙ୍କୁ ଇଡି ନୋଟିସ। ଟିମ ଇଣ୍ଡିଆ କ୍ରିକେଟ ପୂର୍ବତନ ଅଧିନାୟକ ମହମ୍ମଦ ଆଜାହରୁଦ୍ଦିନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ । ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ନୋଟିସ ଜାରି କରିଛି ଇଡି। ତାଙ୍କୁ ପଚରାଉଚରା ଲାଗି ସମନ ଜାରି କରିଛି ଇଡି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଫଣ୍ଡ ଠିକ ଭାବେ ବ୍ୟବହାର କରାଯାଇନଥିବା ଅଭିଯୋଗ ଗକରିଛି।
୨୦ କୋଟି ଟଙ୍କାର ହେରଫେର ଅଭିଯୋଗର ଏହି ମାମଲା ରହିଛି। ବର୍ତ୍ତମାନ କଂଗ୍ରେସ ଦଳରେ ରହିଛନ୍ତି ପୂର୍ବତନ କ୍ରିକେଟ ଅଧିନାୟକ ମହମ୍ମଦ ଆଜାହରୁଦ୍ଦିନ। ୨୦୧୯ ସେପ୍ଟେମ୍ବରରେ ଆଜାହରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ୨୦୨୧ରେ ତାଙ୍କୁ ଏହି ପଦ ଛାଡିବାକୁ ପଡିଥିଲା। କ୍ରିକେଟ ସଂଘର ଆପେକ୍ସ କାଉନସିଲ ଫଣ୍ଡ ହେରଫେର ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା।
ହାଇଦ୍ରାବାଦ ଉପ୍ପଲରେ ଥିବା ରାଜୀବ ଗାନ୍ଧି କ୍ରିକେଟ ଷ୍ଟାଡିଯମ ଲାଗି ଡିଜେଲ ଜେନେରେଟେର ଏବଂ ଅଗ୍ନି ନିରାପତ୍ତା ସାମଗ୍ରୀ କ୍ରୟରେ ଅନିୟମିତତା ସହ ଏହି ମାମଲା ଜଡ଼ିତ। କଂଗ୍ରେସ ନେତା ଆଜାହରୁଦ୍ଦିନଙ୍କୁ ଇଡିର ଏହା ପ୍ରଥମ ସମନ। ତାଙ୍କୁ ଆଜିହିଁ ଇଡି ନିକଟରେ ହାଜର ହେବାକୁ ପଡିବ। ଏହା ପୂର୍ବରୁ ୨୦୨୩ରେ ଉପ୍ପଲ ପୋଲିସ କରିଥିବା ମାମଲାରେ କୋଟ୍ରରୁ ତାଙ୍କୁ ଜାମିନ ମିଳିଥିଲା।
ମନମୋହନଙ୍କୁ ବଦ୍ରି ପାତ୍ରଙ୍କ କଟାକ୍ଷ, କହିଲେ ତାକତ ଅଛି ତ ବିଜେଡି ଖାଲି କରିକି ଦେଖାଅ
ନନ୍ଦିଘୋଷ ବ୍ୟୁରୋ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ । ମନମୋହନଙ୍କୁ ସମାଲୋଚନା କରିବା ସହ କହିଛନ୍ତି କି, ଯଦି ତାକତ ଅଛି ତେବେ ବିଜେଡି ଖାଲି କରିକି ଦେଖାଅ। ବୟାନବାଜିର କିଛି ଲାଭ ନାହିଁ। କିଏ କଣ କହିଲେ କାହା ମୁହଁରେ ହାତ ଦେଇ ହେବକି ବୋଲି କହିଛନ୍ତି ବଦ୍ରି ପାତ୍ର। କେଉଁ ଆଧାରରେ ମନମୋହନ ସାମଲ କହିଲେ ଭାରତ ବର୍ଷର ଏକ ବଡ ଆଞ୍ଚଳିକ ଦଳ। ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ପଚାରିଛନ୍ତି ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର।
କଙ୍ଗନାଙ୍କ ପିଛା ଛାଡ଼ୁନି ବିବାଦ, ଏଥରକ..
ନନ୍ଦିଘୋଷ ବ୍ୟୁରୋ: କୃଷକଙ୍କ ସମ୍ପର୍କରେ କଟୁ ଟିପ୍ପଣୀ ଦେଇ ବିବାଦ ଘେରକୁ ଆସିଥିବା ବିଜେପି ସାଂସଦ କଙ୍ଗନା ରାଣାଓ୍ବତ ପୁଣି ଆଉ ଏକ ବିବାଦ ଠିଆ କରିଛନ୍ତି । ଏଥର ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । କେବଳ ମହାତ୍ମା ଗାନ୍ଧିଙ୍କୁ ନୁହେଁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସମ୍ପର୍କରେ ବି ଖରାପ ମନ୍ତବ୍ଯ ଦେଇଛନ୍ତି । କଙ୍ଗନା କହିଛନ୍ତି ଦେଶର କିଏ ପିତା ନାହାନ୍ତି, ଦେଶର ସନ୍ତାନମାନେ ହିଁ ଥାଆନ୍ତି । ଦେଶ ମାତୃକାର ସନ୍ତାନ ଭାବେ ସମସ୍ତେ ଗର୍ବିତ । ମହାତ୍ମା ଗାନ୍ଧିଙ୍କ ସମ୍ପର୍କରେ ହିମାଚଳ ପ୍ରଦେଶ ମଣ୍ଡିର ବିଜେପି ସାଂସଦଙ୍କ ଏହି ମନ୍ତବ୍ଯକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ । ସେ କହିଛନ୍ତି- ନାଥୁରାମ ଗଡସେଙ୍କୁ ଭକ୍ତି କରୁଥିବା ବ୍ଯକ୍ତିମାନେ ବାପୁ ଓ ଶାସ୍ତ୍ରୀଜୀଙ୍କ ମଧ୍ଯରେ ପାର୍ଥକ୍ଯ ଟାଣିଥାନ୍ତି । ଦେଶରେ ଜାତିର ପିତା, ଦେଶ ମାତୃକାର ସନ୍ତାନ ଓ ସହିଦମାନେ ରହିଥାନ୍ତି । ସମସ୍ତେ ସମ୍ମାନଯୋଗ୍ଯ । କଙ୍ଗନାଙ୍କ ମତକୁ ବିରୋଧ କରିଛନ୍ତି ପଞ୍ଜାବର ଖୋଦ୍ ବିଜେପି ନେତା ମନୋରଞ୍ଜନ କାଳିଆ । ସେ କହିଛନ୍ତି- ବିବାଦୀୟ ମନ୍ତବ୍ଯ ଦେବା କଙ୍ଗନାଙ୍କ ଅଭ୍ଯାସରେ ପରିଣତ ହୋଇଛି । କଙ୍ଗନାଙ୍କ ଏଭଳି ମନ୍ତବ୍ଯ ଯୋଗୁ ଦଳ ଅଡୁଆରେ ପଡୁଛି ବୋଲି ସେ କହିଛନ୍ତି। ୨୦୨୧ରେ ପ୍ରତ୍ୟାହୃତ ହୋଇଥିବା ତିନିଟି ଯାକ କଳା କୃଷକ ଆଇନକୁ କାର୍ଯ୍ୟକାରୀ କରାଯାଉ ବୋଲି କହି ଗତ ସେପ୍ଟେମ୍ବରେ ବିବାଦ ଘେରକୁ ଟାଣି ହୋଇଯାଇଥିଲେ ଅଭିନେତ୍ରୀ । ସେ କହିଥିଲେ କୃଷକଙ୍କ ଆନ୍ଦୋଳନ ଦେଶରେ ବାଂଲାଦେଶ ପରି ସମସ୍ଯା ସୃଷ୍ଟି କରିବାକୁ ଯାଉଛି । ଏହା ସହ ଚାଷୀ ଆନ୍ଦୋଳନ ବେଳେ ଶବ ଝୁଲିବା ଦେଖାଯିବା ସହ ଆନ୍ଦୋଳନ ସ୍ଥଳରେ ଦୁଷ୍କର୍ମ ଘଟୁଥିଲା ।
ପୂର୍ବତନ ବିଜେପି ସାଂସଦ ରୁପା ଗାଙ୍ଗୁଲି ଗିରଫ
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ବିଜେପି ଏମପି ରୁପା ଗାଙ୍ଗୁଲି ଗିରଫ। ତାଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି କୋଲକାତା ପୋଲିସ। ଲାଲବଜାରସ୍ଥିତ ପୋଲିସ ମୁଖ୍ଯାଳୟରେ ତାଙ୍କୁ ରଖାଯାଇଛି। ଗତ ବୁଧବାର ରାତିରୁ ସେ ବଂଶଦ୍ରୋଣୀ ପୋଲିସ ଷ୍ଟେସନରେ ଧାରଣାରେ ବସିଥିଲେ। ଗିରଫ ହୋଇଥିବା ଜଣେ ବିଜେପି ନେତାଙ୍କ ଖଲାସ ଦାବିରେ ସେ ଧାରଣାରେ ବସିଥିବାବେଳେ ତାଙ୍କୁ ପୋଲିସ ଗିରଫ କରିଥିଲା। ଗତ ଅକ୍ଟୋବର ୨ରେ ବଂଶଦ୍ରୋଣୀ ଅଞ୍ଚଳରେ ଏକ ଦୁର୍ଘଟଣାରେ ଜଣେ ନବମ ଶ୍ରେଣୀ ଛାତ୍ରର ମୃତ୍ଯୁକୁ ନେଇ ଆନ୍ଦୋଳନ ହୋଇଥିଲା। ସେହି ଅଞ୍ଚଳରେ ରାସ୍ତାର ଦୁରବସ୍ଥାକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ତେବେ ଆନ୍ଦୋଳନରେ ଜଣେ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିବାବେଳେ ତାଙ୍କୁ ଖଲାସ କରିବା ଦାବିରେ ରୁପା ଧାରଣାରେ ବସିଥିଲେ।
ଇରାନୀ କ୍ଷେପଣାସ୍ତ୍ର ମାଡ଼ରେ ମରିଥିବା ଏକ ମାତ୍ର ବ୍ୟକ୍ତି ଇସ୍ରାଏଲୀ ନୁହେଁ,ରାସ୍ତାରେ ଯାଉଥିବା ପାଲେଷ୍ଟାଇନ୍ ବ୍ୟକ୍ତିଙ୍କ ଉପରେ ପଡିଥିଲା କ୍ଷେପଣାସ୍ତ୍ର
ନନ୍ଦିଘୋଷ ବ୍ୟୁରୋ: ହଠାତ୍ ଇସ୍ରାଏଲ ଉପରେ ୧୮୦ରୁ ଅଧିକ ମିଶାଇଲ ଛାଡ଼ି ସାରା ବିଶ୍ବକୁ ଚମକାଇ ଦେଇଛି ଇରାନ । କିନ୍ତୁ ଇସ୍ରାଏଲ ଏଯାବତ ଏହାର ପ୍ରତିଶୋଧ ସ୍ବରୂପ କୌଣସି ପଦକ୍ଷେପ ନେଇନାହିଁ । କିମ୍ବା ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ସ୍ପଷ୍ଠ ହୋଇନାହିଁ । ସେପଟେ କ୍ଷେପଣାସ୍ତ୍ର ଛାଡ଼ିବା ଫଳରେ ଇସ୍ରାଏଲର କୌଣସି ବିଶେଷ କ୍ଷତି ହୋଇନାହିଁ । ଯଦିଓ ଜଣଙ୍କର ମୃତ୍ୟୁ ହୋଇଛି ତେବେ ସେହି ବ୍ୟକ୍ତି ଜଣକ ପାଲେଷ୍ଟାଇନର ବୋଲି ଜଣାପଡ଼ିଛି । ରାସ୍ତାରେ ଯାଉଥିବାବେଳେ ହଠାତ ତାଙ୍କ ଉପରେ ପଡ଼ି ଯିବାରୁ ମୃତ୍ୟୁ ହୋଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ୪ ଜଣ ପାଲେଷ୍ଟଇନ ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଇରାନ ଛାଡ଼ିଥିବା ମିଶାଇଲ ମଧ୍ୟରୁ ୯୦ ପ୍ରତିଶତ ଫେଲ ମାରିଛି । ଏହାର ମୁଖ୍ୟ କାରଣ ହେଉଛି ଇସ୍ରାଏଲର ସୁରକ୍ଷା ବଳୟ ।
ଡ୍ରେସିଂ ପାଇଁ ଆସିଲେ, ଡାକ୍ତରଙ୍କୁ ଗୁଳି କରିଦେଲେ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରୁ ଆସିଲା ଅଭାବନୀୟ ଖବର । ଡାକ୍ତରଙ୍କୁ ଗୁଳିକଲେ ଦୁର୍ବୁତ୍ତ। ଚିକିତ୍ସିତ ହେବାକୁ ମେଡିକାଲକୁ ଆସିଥିଲେ । ଡାକ୍ତରଙ୍କୁ ଗୁଳି କରିଦେଲେ । ଗୁଳିକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ତେବେ ଅଭିଯୁକ୍ତଦ୍ବୟ ନାବାଳକ ବୋଲି ଜଣାପଡ଼ିଛି । ସେପଟେ ମୃତ ଡାକ୍ତରଙ୍କ ନାମ ଜାଭେଦ ଅଖତର । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ନାବାଳକ ଜଣକ ମେଡିକାଲକୁ ଆସିଥିଲେ । ଆଙ୍ଗୁଠିରେ କ୍ଷତ ହୋଇଥିବାବେଳେ ସେ ଡ୍ରେସିଂ କରିଥିଲେ । ଆଉ ଡାକ୍ତର ଜାଭେଦଙ୍କ ପରାମର୍ଶ କରିବା ପାଇଁ ଯାଇଥିଲେ । ଆଉ କ୍ୟାବିନ୍ ଭିତରୁ ଗୁଳି ଶବ୍ଦ ଶୁଭିଥିଲା । ମେଡିକାଲ କର୍ମଚାରୀମାନେ ଭିତରକୁ ଯାଇ ଦେଖିବା ବେଳକୁ ଡାକ୍ତରଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଛି । ଚିକିତ୍ସିତ କରାଯାଇଥିଲା କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ସିସିଟିଭି ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାର୍ତ୍ତାବରଣ ସୃଷ୍ଟି ହୋଇଛି ।

