spot_img
Home Blog Page 1468

ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା, ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର: ପୁଣି ଭିଜିବ ଓଡ଼ିଶା । ଦକ୍ଷିଣପୂର୍ବ ବାଂଲାଦେଶ ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେବ । ଉତ୍ତର ବଙ୍ଗୋପସାଗର ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହାର ପ୍ରଭାବ ସେତେ ଅଧିକ ରହିବ ନାହିଁ । ସପ୍ତାହେ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ଯମଧରଣ ବର୍ଷା ହେବ ।

ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ ଯାଜପୁର , କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଯାଜପୁର, କନ୍ଧମାଳ,କଳାହାଣ୍ଡି ଓ ନବରଙ୍ଗପୁର ।

୭ ତାରିଖ ଯାଏ ବିଶେଷ ବର୍ଷା ନଥିବା ବେଳେ ୮ ତାରିଖ ବେଳକୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବା ସମ୍ଭାବନା ରହିଛି । ଏହାସହ ମୌସୁମୀ ଅପସାରଣ ବିଳମ୍ବ ହେଉଥିବାରୁ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ବଢ଼ିବାରେ ଲାଗିଛି । ଫଳରେ ପ୍ରବଳ ଗରମ ସହ ଗୁଳୁଗୁଳି ହେଉଛି । ସମ୍ପୂର୍ଣ୍ଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ହିଁ ରାଜ୍ୟରେ ଗୁଳୁଗୁଳି କମିବ ।

ବୈବାହିକ ଦୁଷ୍କର୍ମକୁ ଅପରାଧ କରିବାକୁ ଚାହୁଁଥିବା ଆବେଦନକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମକୁ ଅପରାଧ ବୋଲି ବିବେଚନା ଉଚିତ ନୁହେଁ । ଏପରି ନିଷ୍ପତ୍ତି ବୈବାହିକ ଜୀବନ ଉପରେ ଗୁରୁତର ପ୍ରଭାବ ପକାଇପାରେ। ବୈବାହିକ ଦୁଷ୍କର୍ମକୁ ଅପରାଧ କରିବାକୁ ଚାହୁଁଥିବା ଅନେକ ଆବେଦନକୁ ବିରୋଧ କରି ସୁପ୍ରିମକୋର୍ଟରେ ଏପରି ସତ୍ଯପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ସରକାର କହିଛନ୍ତି ବୈବାହିକ ଦୁଷ୍କର୍ମ ସହ ଜଡିତ ମାମଲା ଦେଶରେ ସାମାଜିକ ତଥା ଆଇନଗତ ପ୍ରଭାବ ପକାଇବ। କେବଳ ଆଇନଗତ ଦୃଷ୍ଟିକୋଣରୁ ଏହି ପ୍ରସଙ୍ଗକୁ ଦେଖିବା ପରିବର୍ତ୍ତେ ଏକ ବ୍ୟାପକ ଆଭିମୁଖ୍ୟର ଆବଶ୍ୟକତା ରହିଛି।

ଏହା କେବଳ ସାମ୍ବିଧାନିକ ନୁହେଁ ସାମାଜିକ ମଧ୍ଯ। ଯଦି ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ଏବଂ ତାଙ୍କୁ ଦୁଷ୍କର୍ମ ମାମଲା ଭଳି ଦଣ୍ଡିତ କରାଯାଏ, ତେବେ ଏହା ବୈବାହିକ ଜୀବନ ଉପରେ ଗୁରୁତର ପ୍ରଭାବ ପକାଇପାରେ।ସ୍ତ୍ରୀ ନାବାଳିକା ହୋଇନଥିଲେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାରୁ ସ୍ବାମୀଙ୍କୁ ଦଣ୍ଡ ଦିଆଯିବ କି ନାହିଁ ସେନେଇ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ନେବେ।

୨୦୧୩ରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୫ରେ ସଂଶୋଧନ କରାଯାଇଥିଲା । ସେତେବେଳେ ବୈବାହିକ ଦୁଷ୍କର୍ମ ପାଇଁ ବ୍ୟତିକ୍ରମ-୨ ଭଳି ଏକ ସ୍ୱତନ୍ତ୍ର ନିୟମ ରଖିବାକୁ ସଂସଦ ନିଷ୍ପତ୍ତି ନେଇଥିଲେ। ବ୍ୟତିକ୍ରମ ୨ ଅନୁଯାୟୀ, ଯଦି ସ୍ତ୍ରୀଙ୍କ ବିନା ଅନୁମତିରେ ସ୍ବାମୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ତେବେ ସ୍ୱାମୀ ଦଣ୍ଡ ପାଇବେ ନାହିଁ। ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ସହ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ମାତ୍ର ଏହାକୁ ଅପରାଧ ବୋଲି ମଣିଲେ ବୈବାହିକ ଜୀବନ ଉପରେ ଗୁରୁତର ପ୍ରଭାବ ପକାଇବା ସହ ସମ୍ପର୍କକୁ ଅସ୍ଥିର କରିପାରେ।

ଅନ୍ଯପଟେ ଅଭିଯୋଗ ସତ କି ନାହିଁ ପ୍ରମାଣ କରିବା ଜଣେ ବ୍ଯକ୍ତିଙ୍କ ପାଇଁ କଷ୍ଟକର ମଧ୍ଯ। ବିବାହରେ ମହିଳାଙ୍କ ସମ୍ମତି ଉଲ୍ଲଂଘନ କରିବା ବେଆଇନ ଏବଂ ଦଣ୍ଡନୀୟ। କିନ୍ତୁ ବିବାହ ମଧ୍ୟରେ ଏପରି ଉଲ୍ଲଂଘନର ପରିଣାମ ବାହ୍ୟ ସଂପର୍କଠାରୁ ଭିନ୍ନ ଅଟେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

ଆଜି ୪ ଜିଲ୍ଲାରେ ଚକଅଖ ଜାମ୍, ସକାଳ ୬ଟାରୁ ସନ୍ଧ୍ଯା ୬ଟା ଯାଏଁ ବନ୍ଦ ପାଳନ

କୋରାପୁଟ: ଆଜି ଅବିଭକ୍ତ କୋରାପୁଟ ବନ୍ଦ। ୪ ଜିଲ୍ଲାରେ ଚକଅଖ ଜାମ୍। କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ସକାଳ ୬ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ। ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ବହୁ ଯୁବକ ଯୁବତୀଙ୍କ ସହ ଗଣ ସଂଗଠନ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ସକାଳ ୬ ରୁ ସଂଧ୍ଯା ୬ ଟାପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ଏହି ସମୟରେ ଗାଡ଼ି ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିବ। ଜିଲ୍ଲା ସରପଞ୍ଚ ସଂଘ, ବଣିକ ସଂଘ , ସ୍ବାଭିମାନୀ ଜୟପୁର ସଂଘ , ଜିଲ୍ଲା ମିଲ୍ ମାଲିକ ସଂଘ , ସମେତ ବରିଷ୍ଠ ନାଗରିକ ସଂଘ ବନ୍ଦ ପାଳନରେ ସାମିଲ ହୋଇଛି। ରାଜ୍ୟ ସରକାର ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ଥାନୀୟ ନିଯୁକ୍ତି ନଦେଲା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ମିଳିତ କ୍ରିୟାନୁଷ୍ଠାନ କମିଟି।

ଆଜି ସକାଳୁ ସମ୍ବଲପୁର ମଣ୍ଡଳ ଜେଲରେ ପୋଲିସର ଅଚାନକ ଚଢାଉ

ସମ୍ବଲପୁର: ମଣ୍ଡଳ ଜେଲରେ ପୋଲିସର ଅଚାନକ ଚଢାଉ। ନିଶାଦ୍ରବ୍ୟ ବିଡି, ଗଂଜେଇ, ଖଇନି ତଥା ମାଦକ ଦ୍ରବ୍ଯ ଯାଂଚ ପାଇଁ ଏହି ଚଢାଉ ହୋଇଛି | ଚଢାଉରେ ସ୍ଥାନୀୟ ସମସ୍ତ ଥାନାର ଅଧିକାରୀ, ଉଚ୍ଚପଦସ୍ଥ ଅଧିକାରୀ ସମେତ ପୋଲିସ ଫୋର୍ସ ସାମିଲ ହୋଇଛନ୍ତି।ଚଢାଉରେ ବ୍ଯାପକ ପରିମାଣର ମାଦକ ଦ୍ରବ୍ଯ ଜବତ କରିଛି ପୋଲିସ। ଭୋର୍ ସକାଳୁ ଚାଲିଛି ଏହି ରେଡ୍ ।

ଏହା ପୂର୍ବରୁ ବଲାଙ୍ଗୀରରେ ଗ୍ଯାଙ୍ଗୱାର ଖବର ପ୍ରକାଶ ପରେ ସକାଳ ସାଢେ ୬ଟାରୁ  ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ ହୋଇଥିଲା । ରେଡରେ ୨ ପ୍ଲାଟୁନ ଫୋର୍ସ ଓ ୯ ଜଣ ଅଧିକାରୀ ସାମିଲ ହୋଇଥିଲେ । ଜେଲରୁ ବିପୁଳ ପରିମାଣର ନିଶାଦ୍ରବ୍ଯ ଜବତ ହୋଇଥିଲା । ଭାଙ୍ଗ, ବିଡି, ଗଞ୍ଜେଇ ଓ ଚିଲମ ସହ ବିଭିନ୍ନ ସମାଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି  I

ଏସପିଙ୍କ ସୂଚନା ଅନୁସାରେ, ଜେଲର ୧୨ଟି ୱାର୍ଡ ସମେତ ଡାଇନିଂ, କିଚେନ ଆଦି ସ୍ଥାନରେ ଯାଞ୍ଚ କରାଯାଇଥିଲା । ତେବେ ପ୍ରଶ୍ନ ଉଠୁଛି- ଜେଲକୁ ଏତେ ପରିମାଣର ନିଶାଦ୍ରବ୍ଯ ଚାଲାଣ ହେଉଥିଲା କେମିତି ? କଏଦୀଙ୍କୁ କିଏ ଯୋଗାଉଥିଲା ମାଦକଦ୍ରବ୍ଯ ? ଏଥିରେ ଜେଲ କର୍ତ୍ତୃପକ୍ଷଙ୍କର ସଂପୃକ୍ତି ନାହିଁ ତ ? ନିଶାକାରବାରରେ କିଛି ଜେଲ କର୍ମଚାରୀଙ୍କ ସଂପୃକ୍ତି ଥିବା ଜେଲର ସନ୍ଦେହ କରିଛନ୍ତି । ତେବେ କେମିତି ଜେଲ ଭିତରକୁ ନିଶାଦ୍ରବ୍ଯ ଯାଉଥିଲା ସେନେଇ ତଦନ୍ତ ପରେ ଜଣାପଡ଼ିବ ।

ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା

ନୂଆଦିଲ୍ଲୀ: ଦେଶର ଆଉ ପାଞ୍ଚଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା । ମରାଠୀ, ପାଲି, ପ୍ରାକୃତ, ଅହମିୟା ଏବଂ ବଙ୍ଗାଳୀକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।

ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ମହାରାଷ୍ଟ୍ରରେ ମରାଠୀ ଭାଷା ପ୍ରଚଳିତ ଥିବାବେଳେ ବିହାର, ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶରେ ପାଲି ଓ ପ୍ରାକୃତ ଭାଷା ବେଶ ପରିଚିତ । ପଶ୍ଚିମବଙ୍ଗରେ ବେଙ୍ଗଲି ଓ ଆସାମରେ ଅହମିୟା ଭାଷା ରହିଛି ।

ପୂର୍ବରୁ ଓଡ଼ିଆ ସମେତ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ଼, ମାଲାୟାଲାମକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଏହାକୁ ମିଶାଇ ଏବେ ଦେଶରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ସଂଖା ୧୧ରେ ପହଞ୍ଚିଛି । କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଶାସ୍ତ୍ରୀୟ ଭାଷାର ପ୍ରଚାର ଓ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।

ପ୍ରଣବଙ୍କ ଶକ୍ତି ପ୍ରଦର୍ଶନ ପରେ ବିଜେପିରେ କମ୍ପନ, ଉପନିର୍ବାଚନକୁ ନେଇ ଚାଲିଛି ଅପପ୍ରଚାର

ଯାଜପୁର: ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ହେଭିଓ୍ବେଟ ନେତା ପ୍ରଣବ ପ୍ରକାଶ ଦାସଙ୍କ ବୟାନକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ନିର୍ବାଚନ ଫଳାଫଳର ୩ ମାସ ପରେ ଯାଜପୁରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଣବ । ଏହାସହ ବିକାଶ ପାଇଁ ଲଢେଇ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି । ଖୋଲା ମଞ୍ଚରେ ପ୍ରଣବ କହିଛନ୍ତି ଯେ, ବିକାଶକୁ କେହି ରୋକିପାରିବେ ନାହିଁ । ବିକାଶ କରିବା ଯଦି ପାପ, ତେବେ ସେ ପାପ ମୁଁ ବାରମ୍ବାର କରିବି । ଜନତାଙ୍କ ପାଇଁ ଲଢେଇ କରି ଯଦି ଜେଲ ଯିବାକୁ ପଡ଼ିବ ସେଥିପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଣବ । ଅନ୍ୟପଟେ ବବିଙ୍କ ଲଢ଼େଇ କରିବା ବୟାନ ଏବେ ଓଡ଼ିଶା ରାଜନୀତି ପାଣିପାଗକୁ ହଲଚଲ କରିଛି ।

ଜନ ସମ୍ପର୍କ ପଦଯାତ୍ରାର ଖୋଲା ମଞ୍ଚରେ ପ୍ରଣବଙ୍କ ଜନସେବା ଓ ବିକାଶର ଦମ୍ଭୋକ୍ତି ରାଜନେୈତିକ ପାଣିପାଗକୁ ଉଷ୍ମ କରିଛି । ୩ ମାସ ଧରି ତାଙ୍କ ନାଁକୁ ନେଇ ହେଉଥିବା ଅପପ୍ରଚାରର ଦୃଢ ଜବାବ ଦେଇ ଶାସକ ଦଳ ଉପରେ ବର୍ଷିଛନ୍ତି ପ୍ରଣବ । କହିଛନ୍ତି, ଯଦି ଦୁର୍ନୀତି କରିଛି, ତେବେ ମୋତେ ଜେଲରେ ପୂରାଅ । ହେଲେ ବିକାଶରେ ବାଧା ଦିଅନି । ବିକାଶ କରି ଯଦି ମୁଁ ପାପ କରିଛି, ସେ ପାପ ମୁଁ ବାରମ୍ବାର କରିବି । ଯାଜପୁରବାସୀଙ୍କ ଭଲ ପାଇବାକୁ ନତମସ୍ତକ ହୋଇ ପ୍ରଣାମ କରି ଶାସକ ଦଳର ମିଛ ପ୍ରତିଶ୍ରୁର ଖୁଲାସ କରିଛନ୍ତି ପ୍ରଣବ । ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ଯାଜପୁର ମେଡିକାଲ କଲେଜରେ ୧୦୦ ସିଟ ବଦଳରେ ୫୦ ସିଟ କରାଯିବାକୁ ନେଇ ବର୍ଷିଛନ୍ତି । ସେହିପରି ୩୦୦ ୟୁନିଟ ମାଗଣା ବିଜୁଳି ପ୍ରସଙ୍ଗ ଉଠାଇଛନ୍ତି ପ୍ରଣବ । ଜନ ସମ୍ପର୍କ ପଦଯାତ୍ରାରେ ଶକ୍ତି ପ୍ରଦର୍ଶନ କରିବା ସହ ଆଗକୁ ବିକାଶ ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ବୁଧବାର ପ୍ରଣବଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି ଯେ, ପ୍ରଣବ ପ୍ରକାଶ ଜଣେ ଅନୁଭବି ଓ ସଫଳ ଯୋଦ୍ଧା । ନିର୍ବାଚନ ପାଇଁ ନୁହେଁ, ବିଭିନ୍ନ ଜନପ୍ରସଙ୍ଗକୁ ନେଇ ସେ ଲଢେଇ ଜାରି ରଖିବେ ବୋଲି ଆହ୍ବାନ ଦେଇଛନ୍ତି । ବିଜେଡି ସଂକଳ୍ପ ହେଉଛି ବିକାଶ, ଯାହା କହିଛନ୍ତି ପ୍ରଣବ । ସେହିପରି ବରିଷ୍ଠ ରାଜନେତା ସୁରେଶ ରାଉତରାୟ କହିଛନ୍ତି, ଯାଜପୁର ବିକାଶରେ ପ୍ରଣବ ପ୍ରକାଶ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ତେଣୁ ସବୁବେଳେ ଲଢ଼େଇ କରିବାକୁ ପ୍ରସ୍ତୁତ କହି ପ୍ରଣବ ଠିକ କହିଛନ୍ତି ।

ବିଜେପି କିନ୍ତୁ ପ୍ରଣବ ବୟାନକୁ ନେଇ ରାଜନୀତିର ଭାଷା କହିଛି । ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ ପ୍ରଣବ ଯାଜପୁରର ବିକାଶ କରିଛନ୍ତି, ତାହା ସେ ଭାଷଣରେ କହିଛନ୍ତି । ରାଜନେତା ଭାବେ ତାଙ୍କ ମନ୍ତବ୍ୟରେ ଯଥାର୍ଥତା ରହିଛି ।

ରାଜ୍ୟ ରାଜନୀତିରେ ଯାଜପୁରକୁ ନେଇ ବେଶ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଉଭୟ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି । ଗାନ୍ଧୀ ଜୟନ୍ତୀରେ ବିଜେଡି ପଦଯାତ୍ରା ସଭାରେ ପ୍ରଣବ ପ୍ରକାଶଙ୍କ ରାଜନୈତିକ ବୟାନ ଚର୍ଚ୍ଚାକୁ ଅଧିକ ଶାଣିତ କରିଛି ।

ରାଜ୍ୟ ସରକାର ମାନିଲେ: ବିପଦରେ ବାଘ ଓ ହାତୀ

ଭୁବନେଶ୍ବର: ବିପଦରେ କଲରାପତରିଆ ବାଘ ଓ ହାତୀ । ଖୋଦ ଏକଥା ସ୍ବୀକାର କରିଛନ୍ତି ରାଜ୍ୟ ସରକାର । ୨୦୧୮ରେ କଲରାପତରିଆ ବାଘଙ୍କ ସଂଖ୍ୟା ଥିଲା ୭୬୦ । ୨୦୨୪ ଗଣନାରେ ଖସି ଆସିଛି ୬୯୬କୁ । ସେହିପରି ଗତ ୫ ବର୍ଷରେ ୫୦୦ରୁ ଅଧିକ ହାତୀଙ୍କ ଜୀବନ ଯାଇଛି । ହାତୀ ମଣିଷ ଲଢେଇରେ ପ୍ରାଣ ହରାଇଲେଣି ୨ ହଜାର ୮୨୯ ଜଣ ଲୋକ । କେବଳ ଗତବର୍ଷ ହାତୀ ଆକ୍ରମଣରେ ଯାଇଛି ୧୬୦ ଜଣଙ୍କ ଜୀବନ। ଏଣିକି ବନାଞ୍ଚଳର କୋର୍ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ସରକାର କ୍ଷତିପୂରଣ ପ୍ରଦାନ କରିବେ । ସେପଟେ ବନ୍ୟଜନ୍ତୁ ଶିକାର ରୋକିବାକୁ ସରକାର କଡ଼ା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ।

କେତେ ବେଳେ ଶିକାରୀ ଗୁଳି ତ କେତେ ବେଳେ ଫାଶ । ଆଉ କେତେ ବେଳେ ବଡ଼ ବନ୍ୟ ଜନ୍ତୁଙ୍କ ଶିକାର । ଦିନକୁ ଦିନ କମୁଛି କଲରାପତରିଆ ବାଘଙ୍କ ସଂଖ୍ୟା । ସ୍ଥିତି ଏମିତି ହେଲାଣି ୨୦୧୮ରେ କଲରାପତରିଆ ବାଘଙ୍କ ସଂଖ୍ୟା ଥିଲା ୭୬୦ । ୬ ବର୍ଷ ପରେ ଏହା କମି ୬୯୬ରେ ପହଞ୍ଚିଛି । ଆଜି ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଖୋଦ ଏହି କଥା ସ୍ବୀକାର କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୦ ବର୍ଷରେ ଆଉ ବଢ଼ିବନି କଲରାପତରିଆ ବାଘଙ୍କ ସଂଖ୍ୟା । ସେପଟେ ରେଳ ଦୁର୍ଘଟଣା, ବିଦ୍ୟୁତ ଆଘାତ, ଶିକାରୀ ଗୁଳିରେ ଗତ ୫ ବର୍ଷରେ ମଲେଣି ୫୦୦ରୁ ଅଧିକ ହାତୀ ।

ରାଜ୍ୟରେ ଜଙ୍ଗଲ ସଂଖ୍ୟା ବଢୁଛି । ବନ୍ୟଜନ୍ତୁ ଓ ମଣିଷ ଲଢ଼େଇ ରୋକିବାକୁ ଜଙ୍ଗଲର କୋର୍ ଅଞ୍ଚଳରେ ଥିବା ଗାଁଗୁଡ଼ିକୁ ସ୍ଥାନାନ୍ତର କରିବାକୁ ୨୦୨୦ରେ ରାଜ୍ୟ ସରକାର ଯୋଜନା କରିଥିଲେ । ସ୍ଥାନାନ୍ତର ହେଉଥିବା ଲୋକଙ୍କ ଜୀବନ ଜୀବିକା ପାଇଁ ୭୧ଟି ଯୋଜନା ପ୍ରଣୟନ କରାଯାଇଛି । ସେହି ଅନୁସାରେ ଏବେ ସୁଦ୍ଧା ସାତକୋଶିଆ ଅଞ୍ଚଳର ୬ଟି ଗ୍ରାମର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କ୍ଷତିପୂରଣ ବାବଦରେ ପରିବାରର ପ୍ରତ୍ୟେକ ସାବାଳକଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଘରଡିହ ବାବଦରେ ୧୫ ଲକ୍ଷ ଟଙ୍କା ଦିଆଯାଉଛି । ବନ୍ୟପ୍ରାଣୀ ଓ ମଣିଷ ଲଢ଼େଇରେ ଜୀବନ ଯାଉଥିବା ବ୍ୟକ୍ତିଙ୍କ କ୍ଷତିପୂରଣ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା କରିବାକୁ ଯୋଜନା ରଖିଛି ବନ ବିଭାଗ । ସେପଟେ ବନ୍ୟଜନ୍ତୁ ଶିକାର ରୋକିବାକୁ ଏଣିକି କଡ଼ା ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ରାଜ୍ୟରେ ବାଘଙ୍କ ସଂଖ୍ୟା କମୁଥିବା ବେଳେ ପ୍ରତିଦିନ ହାତୀ ମରୁଛନ୍ତି । ଆହତ ବନ୍ୟଜନ୍ତୁଙ୍କ ଚିକିତ୍ସା ପାଇଁ ବି ସବୁ ସ୍ଥାନରେ ନାହିଁ ଉନ୍ନତ ଚିକିତ୍ସା ସୁବିଧା । ଏପରି ଜାରି ରହିଲେ, ଓଡ଼ିଶାରେ ଉତ୍ତମ ଜୈବ ବିବିଧତା ଥାଇ ବି ବନ୍ୟଜନ୍ତୁଙ୍କ ସଂରକ୍ଷଣ କେବଳ କାଗଜ କଲମରେ ରହିଯିବ ।

ବିପର୍ଯ୍ୟୟର ସଫଳ ମୁକାବିଲାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଡେଲ ସାଜିଛି ଓଡ଼ିଶା: ନବୀନ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଓଡ଼ିଶା ସଫଳତା ହାସଲ କରିଛି । ଅନେକ ବିପର୍ଯ୍ୟୟର ସଫଳ ମୁକାବିଲା କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏକ ମଡେଲ ସାଜିଛି । ପୁନଶ୍ଚି ପୃଥିବୀ କାର୍ଯ୍ୟକ୍ରମରେ ଯୋଗଦେଇ ଏମିତି କହିଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସେ କହିଛନ୍ତି, ୧୯୯୯ ମହାବାତ୍ଯା ଓଡ଼ିଶାର ଉପକୂଳ ଅଞ୍ଚଳକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା । ସାରା ଦେଶକୁ ବି ଦୋହଲାଇ ଦେଇଥିଲା ଏହି ବିପର୍ଯ୍ୟୟ । ପ୍ରଥମ ଥର ଲାଗି ଓସଡମା ତିଆରି କରିଥିଲା ଓଡିଶା । ବାତ୍ଯା ଆଶ୍ରୟସ୍ଥଳୀ ନିର୍ମାଣ, ବିପର୍ଯ୍ୟୟ କ୍ଷେତ୍ରରେ ଗୋଷ୍ଠୀଗତ ମୁକାବିଲା ଓ ଜିରୋ କାଜୁଆଲିଟିରେ ଓଡିଶା ଦେଖାଇଥିଲା ଉଦାହରଣ । ସୁପର ସାଇକୋଲନରେ ୧୦ ହଜାର ଲୋକଙ୍କ ମୃତ୍ଯୁ ଘଟିଥିଲା । ଫାଇଲିନ, ହୁଡହୁଡ, ଫଣି ଆଦିର ବି ସଫଳ ମୁକାବିଲା କରିଛି ଓଡ଼ିଶା । ଏନେଇ ଜାତିସଂଘ ବି ଓଡ଼ିଶାକୁ ପ୍ରଶଂସା କରିଥିଲା । ତାଙ୍କୁ ବି ଜାତିସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା ବୋଲି କହିଛନ୍ତି ନବୀନ ।

୧୯୯୯ରେ ଜଙ୍ଗଲ ପରିମାଣ ୪୭ ହଜାର ୩୩ ବର୍ଗ କିଲୋମିଟର ଥିଲା । ୨୦୨୧ରେ ଜଙ୍ଗଲ ପରିମାଣ ୫୨ ହଜାର ୧୫୬ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା । ହେନ୍ତାଳ ବନ ପରିସର ବି ବୃଦ୍ଧି ପାଇଥିଲା । ୨୦୧୦ରେ ଜଳବାୟୁ ପରିବର୍ତ୍ତନ ଲାଗି ଓଡ଼ିଶା ପ୍ରଥମ ରାଜ୍ଯ ଭାବେ ତିଆରି କରିଥିଲା ଷ୍ଟେଟ ଆକ୍ସନ ପ୍ଲାନ୍ । ବର୍ତ୍ତମାନର ଏସଏପିସିସି ଅବଧି ହେଉଛି ୨୦୨୧ରୁ ୨୦୩୦ ଯାଏଁ । ୨୦୧୯ରେ ରାଜ୍ଯରେ କାର୍ଯ୍ୟକାରୀ ହୋଇଥିଲା ଜଳବାୟୁ ବଜେଟ । ପରିବେଶ ମୁକାବିଲାରେ ରାଜନୈତିକ ଇଚ୍ଛାଶକ୍ତିର ଭୂମିକା ଅଧିକ ବୋଲି କହିଛନ୍ତି ନବୀନ ।

ଏହି ଅବସରରେ ପୁନଶ୍ଚ ପୃଥିବୀ ଅଭିଯାନକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସମ୍ବାଦର ପ୍ରଦୀପ ମହାପାତ୍ର, କେଶବ ପାଣି, ଦିପ୍ତି ଆଚାର୍ଯ୍ୟ, ନିଶାନ୍ତ ଦାସ ଏବଂ କନକ ନ୍ୟୁଜର ସ୍ବସ୍ତିକା ପଣ୍ଡା, ଅନୁଜ ଦାସ, ରେଡିଓ ଚୋକଲେଟର ଗୁରୁ ଶତପଥି, ସୌମିତ୍ରି ପଲାଇ, ବିମଳ ଦାସ ଓ ସନ୍ତୋଷ କୁମାର ରଥଙ୍କୁ ପୁରସ୍କୃତ କରାଯାଇଥିଲା ।

ପ୍ରଦୀପ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ନିଜ ଇଚ୍ଛା ବଳରେ ଏତେ ମହାନ କାମରେ ସହଯୋଗର ମୁଖ୍ୟ ଭୂମିକା ଲିଭାଇଛନ୍ତି । ତାଙ୍କୁ ସମ୍ମାନିତ କରିବାକୁ ତାଙ୍କ ପାଖକୁ ନିଜେ ନବୀନ ଚାଲି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା । ନବୀନଙ୍କ ଏହି ଉଦାର ହୃଦୟ ଓ ମହାନତା ସେଠାରେ ଉପସ୍ଥିତି ସମସ୍ତଙ୍କୁ ଉତ୍ସାହିତ କରିଥିଲା । ଆଉ ସମସ୍ତେ ନବୀନଙ୍କୁ ତାଙ୍କ ଏହି ଉଦାରତା ପାଇଁ କରତାଳି ଦେଇ ସମ୍ମାନ ଜଣାଇଲେ ।

ଝାଡ଼ଖଣ୍ଡ ନିର୍ବାଚନର ୱାର୍ ରୁମ୍ ପାଲଟିଛି ଓଡ଼ିଶା ରାଜଭବନ !

ଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ତେଜିଲା ବିବାଦ । ପ୍ରଥମେ ତାଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିଲେ । ଯାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେନି ରାଜ୍ୟ ସରକାର । ଏବେ ଓଡ଼ିଶା ରାଜଭବନ ବିଜେପିର ଓ୍ବାର ରୁମ ପାଲଟିଥିବା ଅଭିଯୋଗ ଉଠିଛି । ରାଜଭବନରେ ରାଜ୍ୟପାଳଙ୍କୁ ବିଜେପିର ବଡ଼ ବଡ଼ ନେତା ଭେଟୁଛନ୍ତି । ହେଲେ କାରଣ କହି ପାରୁ ନାହାନ୍ତି । ସେପଟେ ରଘୁବର ରାଜ୍ୟପାଳ ପଦ ଛାଡ଼ି ପୁଣି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚା ବି ଜୋରସୋରରେ ହେଲାଣି । ଏପରି ସ୍ଥିତିରେ ଗଣତନ୍ତ୍ରର ହତ୍ୟା ନ କରି ରାଜ୍ୟପାଳ ମର୍ଯ୍ୟାଦା ରକ୍ଷା କରିବା ସହ ଓଡ଼ିଆ ଏଏସଓଙ୍କୁ ନ୍ୟାୟ ଦେଇ ଝାଡ଼ଖଣ୍ଡ ଫେରିବାକୁ ବିଜେଡି ଦାବି କରିଛି ।

ରାଜଭବନ ପାଲଟିଛି ବିଜେପିର ରାଜନୈତିକ ଭବନ । ରାଜ୍ୟପାଳଙ୍କ ପଦ ରାଜନୀତିର ଊର୍ଦ୍ଧ୍ବରେ । ହେଲେ କିଛିଦିନ ଧରି ଓଡ଼ିଶା ରାଜଭବନ ବିଜେପିର ପଲିଟିକାଲ ହବ ପାଲଟିଥିବା କହିଛି ବିଜେଡି । ଗତ ନିର୍ବାଚନ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆସି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ । ହେଲେ ରାଜ୍ୟପାଳଙ୍କ ସହ ତାଙ୍କର କି ବ୍ୟକ୍ତିଗତ କାମ ଥିଲା ଏଯାଏଁ କହିଲେନି । ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡ଼ଖଣ୍ଡ ପ୍ରଚାର ପାଇଁ ଯାଇଥିବା ହିଁ ସେହି ବ୍ୟକ୍ତିଗତ କାରଣ ବୋଲି କଟାକ୍ଷ କରିଛି ବିଜେଡି । ଝାଡ଼ଖଣ୍ଡରେ ପ୍ରଚାର କରିବାକୁ ରାଜଭବନରୁ ଅଘୋଷିତ ନିର୍ଦ୍ଦେଶନାମା ଆସିଥିବା ନେଇ ବିଜେଡି ପ୍ରଶ୍ନ ଉଠାଇଛି ।

ଯେଉଁ ହିମନ୍ତ ବିଶ୍ବଶର୍ମା ରାଜ୍ୟପାଳଙ୍କୁ ଭେଟିଥିଲେ, ସେ ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ କେବଳ ମିଛ ପ୍ରତିଶ୍ରୁତି ଦେଇଥିଲେ । ସୁଭଦ୍ରା ଟଙ୍କା ସମସ୍ତେ ପାଇବା ନେଇ ନିର୍ବାଚନୀ ସଭାରେ ଭାଷଣ ଦେଇଥିଲେ । ସେହିପରି ଭେଙ୍କୟା ନାଇଡ଼ୁ ବି ରାଜଭବନରେ ରହିଲେ । ସେପଟେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓଡ଼ିଆ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଲେ । ଆଇନ ମନ୍ତ୍ରୀ ଯେଉଁ ଜିଲ୍ଲାପାଳସ୍ତରୀୟ ତଦନ୍ତ ରିପୋର୍ଟ ୧୫ ଦିନରେ ଆସିବ କହିଥିଲେ, ତାହା ହେଲାନି କି ରାଜ୍ୟପାଳ ଯେଉଁ ସମୟ ମାଗିଥିଲେ, ତାହା ବି ଗଡ଼ି ଯାଇଛି । ଏ ପ୍ରସଙ୍ଗରେ କାହିଁକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁହଁ ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ଆକ୍ସନ ବଦଳରେ ରାଜ୍ୟପାଳଙ୍କ ପୁଅ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କବଚରେ ଥିବାରୁ ଉଦବେଗ ପ୍ରକାଶ କରିଛି ବିଜେଡି । ରାଜ୍ୟପାଳ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବାର ଆକାଂକ୍ଷାରେ ବିଜେଡିର କୌଣସି ଆପତ୍ତି ନାହିଁ । ହେଲେ ଝାଡ଼ଖଣ୍ଡ ଫେରିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେଇ ଏଏସଓଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ଦାବି କରିଛି ।

ରାଜ୍ୟପାଳ ଯେପରି ରାଜେନୖତିକ ସ୍ତରରେ ରାଜଭବନକୁ ବ୍ୟବହାର କରୁଛନ୍ତି ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ ପାଲଟିଛି କି ପଚାରିଛି ବିଜେଡି ? ଏ ନେଇ ସ୍ପଷ୍ଟ କରିବାକୁ ଦାବି କରିଛି ବିଜେଡି । ରାଜ୍ୟପାଳ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି କି ? ନହେଲେ ବିଜେପି ନେତା କାହିଁକି ତାଙ୍କୁ ଭେଟୁଛନ୍ତି ?

ଓଡ଼ିଶାକୁ ଆସିବା ଦିନଠୁ ବିଜେପି ସପକ୍ଷରେ ପରୋକ୍ଷ ରାଜନୀତି କରୁଥିବା ନେଇ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିରୋଧୀ । ରାଜ୍ୟପାଳ ପରି ସାମ୍ବିଧାନିକ ପଦ ଛାଡ଼ି ପୁଣି ଥରେ ଝାଡ଼ଖଣ୍ଡ ରାଜନୀତିକୁ ଫେରିବାକୁ ଚେଷ୍ଟା ତାଙ୍କ ରାଜେନୖତିକ କାର୍ଯ୍ୟକଳାପ ନେଇ ଖୋରାକ୍ ଯୋଗାଇଛି ।

ବିଜେଡିକୁ ଖାଲି କରିବାକୁ ଦିବା ସ୍ବପ୍ନ ଦେଖୁଛି ବିଜେପି

ଭୁବନେଶ୍ବର: ବିଜେଡି ଦେଶ ସବୁଠାରୁ ଶକ୍ତିଶାଳୀ ଆଞ୍ଚଳିକ ଦଳ । ପଦଯାତ୍ରାର ସଫଳତାକୁ ଦେଖି ବିଜେପି ବିଚଳିତ । ବିଜେଡିକୁ ଖାଲି କରିଦେବା ଅହଂକାର ସହ ପିଲାଳିଆମି ଓ ଶସ୍ତା ରାଜନୀତିରେ ମାତିଛି ଶାସକ ବିଜେପି । ଯାହାକୁ ନେଇ ବିଜେପିକୁ କଡ଼ା ସମାଲୋଚନା କରିଛି ବିଜେଡ଼ି । ବିଜେଡ଼ି ବିଧାୟକ କହିଛନ୍ତି- ବିଜେପିର ତାକତ ନାହିଁ ବିଜେଡିକୁ ଖାଲି କରିବାକୁ । ରାଜନୀତିରେ କିଣାବିକା କ’ଣ ବୋଲି ଦଳ ପ୍ରେସମିଟ କରି ଘେରିଛି ଶାସକ ଦଳକୁ ।

ନବୀନ ଲୋକଙ୍କ ହୃଦୟର ନେତା । ବିଜେଡିର ପଦଯାତ୍ରା ସଫଳ ହେବା ପରେ ବିଚଳିତ ବିଜେପି । ତୃଣମୂଳ ସ୍ତରରେ ବିଜେଡି ଶକ୍ତି ଦେଖି ଶାସକ ବିଜେପି ଚିନ୍ତାରେ । ଗଣ୍ଡା ଗଣ୍ଡା ବିଧାୟକଙ୍କୁ ଲଗାଇ ଦଳ ଅପପ୍ରଚାର କରି ଚାଲିଛି ଯେ, କିଛି ବିଜେଡି ନେତା ବିଜେପିରେ ସାମିଲ ହେବ । ଶେଷରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଏ ଅପପ୍ରଚାର ବୟାନବାଜିରେ ନିଜକୁ ସାମିଲ କରିଛନ୍ତି । ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଓଡ଼ିଶା ରାଜନୀତି କ’ଣ କିଣା ବିକା ? କାହିଁକି ବିଜେପିକୁ ନେତା ଯିବେ ? ବିଜେପିର ଏତେ ଅହଙ୍କାର ଓ ପିଲାଳିଆମି କାହିଁକି ? ବିଜେପି ଏବେ ଚଞ୍ଚକତା ଓ ଶସ୍ତା ରାଜନୀତିରେ ମାତିଛି । ବିଜେପି ରାଜ୍ୟ ସଭାପତିଙ୍କ କଥା ବିଜେପିରେ କେହି ମାନୁ ନାହାନ୍ତି । ତେଣୁ ବିଜେଡି ସମ୍ପର୍କରେ ଅବାନ୍ତର କଥାରୁ ବିଜେପି ନେତାମାନେ ନିବୃତ୍ତ ରୁହନ୍ତୁ ବୋଲି ବିଜେଡି କହିଛି । ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ବିଜେଡିକୁ ଖାଲି କରିବାକୁ ବିଜେପିର ତାକତ ନାହିଁ । ଦଳର ନେତା କେବଳ ଶସ୍ତା ବୟାନବାଜି କରୁଛନ୍ତି ।

ବିଜେପି ରାଜ୍ଯ ସଭାପତିଙ୍କ ବିଜେଡି ଫାଙ୍କା ହୋଇଯିବା ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ଏହା ବିଜେପିର ମୁଙ୍ଗେରିଲାଲ୍ କେ ହସିନ ସପ୍ନେ ବୋଲି ଗଣେଶ୍ବର ଜବାବ କହିଛନ୍ତି । ସେ କହିଛନ୍ତି, ବିଜେପି ୨ ଜଣ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଅପହରଣ କରି ଉଲ୍ଲସିତ ହେଉଛି । ବିଜେପିର ଏ   ଉଲ୍ଲାସ ସ୍ଵଳ୍ପ ଆୟୁ ।

ରାଜନୀତି ସମୀକ୍ଷକ କହିଛନ୍ତି, ବିଜେପିର ଏପରି ବୟାନ କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ଲାଗି । ଏହା ଶସ୍ତା ରାଜନୀତି । ଉଭୟ ଦଳରେ ଉଭୟ ଦଳର ନେତା ଅଛନ୍ତି । ହୁଏତ ବିଜେପିରେ ଥିବା ବିଜେଡି ନେତାମାନେ ବିଜେଡିକୁ ଫେରିପାରନ୍ତି ।

ବିଜେଡିର କଡ଼ା ଟାର୍ଗେଟ ପରେ ବ୍ୟାକଫୁଟକୁ ଯାଇଛି ଶାସକ ବିଜେପି । ବିଜେଡି ନେତାଙ୍କୁ ବିଜେପିରେ ସାମିଲ କରିବାକୁ ଚାଲିଥିବା ଅପପ୍ରଚାରରେ ରୋକ ଲାଗିବ ନାଁ ଆଗକୁ ଏହି ବୟାନବାଜି ବଢିବ ତାହାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି  ସରକାର ଗଠନ କରିଥିଲେ ବି ବିଜେଡିର ଭୋଟ ପ୍ରତିଶତ ବିଜେପି ଠାରୁ ଢେର ଆଗରେ । ଆଉ ଏପଟେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଓ ଆଗକୁ ହେବାକୁ ଥିବା ସଭ୍ୟ ସଂଗ୍ରହ ଅଭିଯାନକୁ ନେଇ ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି ।