spot_img
Home Blog Page 1453

ବିମଳାଙ୍କ ପ୍ରତିନିଧି ମା’ କାକୁଡ଼ିଖାଇ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀକ୍ଷେତ୍ରର ସବୁ ପୀଠ ମଧ୍ୟରେ ଅନ୍ୟତମ ପ୍ରମୁଖ ଶକ୍ତି ପୀଠର ମାନ୍ୟତା ପାଇଛି ମା’କାକୁଡ଼ିଖାଇ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶାରଦୀୟ ପୂଜାକୁ ବିଶେଷ ଆଡ଼ମ୍ବର ସହକାରେ ପାଳନ କରାଯାଉଛି । ଏହି ପୀଠରେ ନିର୍ମିତ ମୃଣ୍ମୟୀ ମୂର୍ତ୍ତିକୁ ମା’ ବିମଳାଙ୍କ ସ୍ୱରୂପ ଭାବେ ବିବେଚନା କରାଯାଉଛି। ଆଜି ଆଶ୍ୱିନ ଶୁକ୍ଳ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଏହି ପୀଠରେ କାକୁଡ଼ିଖାଇଙ୍କ ଶାରଦୀୟ ପୂଜାର ରୀତିନୀତି ଅନୁପାଳନ ହେବାର ପରମ୍ପରା ରହିଛି। ଦେବୀଙ୍କ ମୃଣ୍ମୟ ପ୍ରତିମାର ନିର୍ମାଣ ଷଷ୍ଠୀ ଓଷା ଠାରୁ ଆରମ୍ଭ ହୋଇଛି l ଏଠାକୁ ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ଓଲାଗିପାଟ ଓ ପ୍ରସାଦ ଆସିଥାଏ। ଆଜି ସପ୍ତମୀ ଦିନରେ ଖଣ୍ଡା ପୂଜା ପରେ ଅଷ୍ଟମୀରେ ଉଗ୍ରବଳି ହୋଇଥାଏ । ନାମ ଦୃଷ୍ଟିରୁ ମା’ଙ୍କ ପୀଠରେ କାକୁଡ଼ି ଓ କୁଷ୍ମାଣ୍ଡ ବଳିର ବହୁଳ ଭାବେ ପ୍ରଚଳନ ଥିଲେ ମଧ୍ୟ ଅଷ୍ଟମୀ ଓ ନବମୀରେ ପଶୁବଳିର ନିଆରା ପରମ୍ପରା ରହିଛି । ମା’ ବିମଳାଙ୍କ ଠାରୁ ଖଡ୍‌ଗ ଆସିଲା ପରେ ଏଠାରେ ସେହି ଖଡ୍‌ଗରେ ବଳି ଚ୍ଛେଦ ହୁଏ । ଦଶହରା ଦିନ ଶାନ୍ତିପଣା ଅର୍ପଣ ପରେ ଘଟ ଆସିଥିବା ଅଣତୁଠରେ ହିଁ ଦେବୀଙ୍କର ମୃଣ୍ମୟୀ ପ୍ରତିମାଙ୍କ ବିସର୍ଜନ କରିବାର ନିୟମ ରହିଛି । କାକୁଡିଖାଇଙ୍କ ପାଇଁ ନିର୍ମିତ ମେଢ଼କୁ ରୂପା ଛାଉଣୀ କରାଯାଇଛି ।  ରୂପା ମେଢ଼ରେ ବିଜେ ଠାକୁରାଣୀଙ୍କୁ ରୂପାର କିରିଟୀ ସହ ଅନ୍ୟ ଅସ୍ତ୍ରଶସ୍ତ୍ର, ଅଳଙ୍କାର ଲାଗି ହେଉଛି । ଭକ୍ତମାନେ ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶହରା ଦିନ ବିଭିନ୍ନ ବେଶରେ ମା’ କାକୁଡ଼ିଖାଇଙ୍କ ଦର୍ଶନ କରିବା ସହ ଆମିଷଭୋଗ ପାଇବାର ବ୍ୟବସ୍ଥା ମଧ୍ୟ ରହିଛି ।

ହାଇୱା ସହ ବୋଲେରୋ ଧକ୍କା, ଦୁର୍ଘଟଣାରେ ୬ ଜଣ ଆହତ

ନନ୍ଦିଘୋଷ ବ୍ୟୁରୋ: ହାଇୱା ସହ ବୋଲେରୋ ଧକ୍କା। ଦୁର୍ଘଟଣାରେ ୬ ଜଣ ଆହତ। ଢେଙ୍କାନାଳ ମହିଷା ପାଟ ଛକ ନିକଟରେ ଘଟିଛି ଦୁର୍ଘଟଣା। ଆହତ ମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇ ଥିବା ହାଇୱା ରାସ୍ତା ନିକଟରେ ଥିବା ଏକ ହୋଟେଲ ଭିତରକୁ ପଶିଯାଇଛି। ବୋଲେରୋ ଗାଡିରେ ଥିବା ୫ ଜଣ କଳାକାର ଓ ଡ୍ରାଇଭର ଆହତ ହୋଇଛନ୍ତି । ଭୁବନେଶ୍ବରରୁ ତାଳଚେରକୁ ଦାଣ୍ଡିଆ ନୃତ୍ୟ କରିବାକୁ ବୋଲେରୋରେ ଯାଉଥିଲେ ଏମାନେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ, ଦର୍ଶକଙ୍କ ଚେୟାର ମାଡ଼ରେ ନିଶା ମହାରଣା ଆହତ

ନନ୍ଦିଘୋଷ ବ୍ୟୁରୋ: ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ। ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କରି ହଟହଟା ହେଲେ ଯାତ୍ରା ଅଭିନେତ୍ରୀ। ଦର୍ଶକଙ୍କ ଚେୟାର ମାଡ଼ରେ ହେଲେ ଆହତ  । ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡ଼ି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଶ୍ଳୀଳ ନୃତ୍ୟ ପରିବେଷଣ କରିବା ଯୋଗୁଁ ଦର୍ଶକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଗତକାଲି ରଗଡ଼ି ସ୍ଥିତ କାମୁଡେଇ ପଡ଼ିଆରେ ଅପେରା ସ୍ବପ୍ନ ମହଲ ପକ୍ଷରୁ ଯାତ୍ରା ପରିବେଷଣ କରାଯାଉଥିଲା। ଏଥିରେ ଅତିଥି କଳାକାର ଭାବେ ଯୋଗ ଦେଇ ନୃତ୍ୟ ପରିବେଷଣ କରୁଥିଲେ ଯାତ୍ରା ଅଭିନେତ୍ରୀ ଜଣକ। ମେଲୋଡି ଚାଲିଥିବା ସମୟରେ ଏକ ଆଇଟମ ଗୀତରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବା ନେଇ ଦର୍ଶକ ତାଙ୍କ ଉପରକୁ ଚେୟାର ଫିଙ୍ଗିବା ସହ ହୋହାଲ୍ଲା କରିଥିଲେ । ଅଭିନେତ୍ରୀଙ୍କ  ମୁଣ୍ଡରେ ଚେୟାର ବାଜିବାରୁ ତାଙ୍କ ଡ଼ାହାଣ  ଆଖି ପତା ଫାଟି ଯାଇଥିଲା। ତାଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ଏହି ଘଟଣାକୁ ନେଇ ଯାତ୍ରା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିବାରୁ ଯାତ୍ରା ବନ୍ଦ ରହିଥିଲା।

ଅର୍ଥ ହେରଫେର ମାମଲା : ହାଇକୋର୍ଟ ଗଲେ ଶିଳ୍ପା-କୁନ୍ଦ୍ରା ଦମ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ଅର୍ଥ ହେରଫେର ମାମଲାରେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ଓ ସ୍ଵାମୀ ରାଜ କୁନ୍ଦ୍ରାଙ୍କୁ ଘର ଖାଲି କରିବାକୁ ଇଡି ନୋଟିସକୁ ହାଇକୋର୍ଟରେ ଚ୍ଯାଲେଂଜ। ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ସେଲିବ୍ରିଟି ଦମ୍ପତ୍ତି ଶିଲ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରା। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି କରିଛି।  ମୁମ୍ବାଇର ଜୁହୁ ଅଂଚଳରେ ରହିଛି ସେଲିବ୍ରିଟି ଦମ୍ପତ୍ତିଙ୍କ ବାସଭବନ ଏବଂ ପବନା ହ୍ରଦ ନିକଟରେ ରହିଛି ଫାର୍ମ ହାସୁସ। କ୍ରିପ୍ଟୋ କରେନ୍ସି ଠକେଇ ଯୋଜନାରେ ଅସ୍ଥାୟୀ ଭାବେ ଏହି ଦୁଇ ବାସଭବନକୁ ଜବତ କରିଥିଲା ଇଡି। ଏହି ଘରକୁ ଖାଲି କରିବାକୁ ଇଡିର ନୋଟିସକୁ ଚ୍ଯାଲେଂଜ  କରି ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଉଭୟ।  ମାମଲାରେ ଆସନ୍ତକାଲି ପରବର୍ତ୍ତୀ ଶୁଣାଣି ହେବ। ଗତ ୩ ତାରିଖରେ ରାଜ କୁନ୍ଦ୍ରାଙ୍କୁ ଉଚ୍ଛେଦ ନୋଟିସ ଜାରି କରିଥିଲା ଇଡି। ୨୦୧୮ରୁ ଏହି ମାମଲା ଜାରି ରହିଛି। କ୍ରିପ୍ଟୋ କଏନ ସ୍କିମ ଜରିଆରେ ଗ୍ରାହକଙ୍କୁ ୬ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

ଦୁର୍ଗାପୂଜା ପାଇଁ କମିସନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା, ଟ୍ରାଫିକ୍ ପାଇଁ ମୁତୟନ ହେବେ ୩୦ ସେକ୍ସନ ଫୋର୍ସ

ନନ୍ଦିଘୋଷ ବ୍ୟୁରୋ: ଦୁର୍ଗାପୂଜା ପାଇଁ କମିସନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା । କେବଳ ଟ୍ରାଫିକ ପାଇଁ ମୁତୟନ ହେବେ ୩୦ ସେକ୍ସନ ଫୋର୍ସ। ପୂଜା ପାଇଁ ୩୩ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ମହିଳା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।  ବିଶେଷକରି ଚୋରି, ଛିନତାଇ ରୋକିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପୋଲିସ I ସିସିଟିଭି ସର୍ଭେଲାନ୍ସରେ ରହିବ ପୂଜା ମଣ୍ଡପ। ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ସଜ୍ଜିତ ଥିବା ମୋଟ ୨୨ଟି ମଣ୍ଡପରେ ୩ ଏପିଆର ବନ୍ଧୁକଧାରୀ ପୋଲିସ ଜଗିବେ I ପିଇବା ପାଣି ଠାରୁ ଆରମ୍ଭ କରି ଭଲ୍ୟୁଣ୍ଟର ପର୍ଯ୍ୟନ୍ତ ବ୍ୟବସ୍ଥା ପାଇଁ ପୂଜା କମିଟିଙ୍କୁ କୁହାଯାଇଛି। ଏହାସହ ୨ ଜଣ ଡିସିପି, ୧୦ ଜଣ ଆଡିସନାଲ ଡିସିପି, ୨୨ ଜଣ ଏସିପି, ୨୪୫ ଜଣ ଅଫିସର, ୬୫୭ ହାବିଲଦାର, କନଷ୍ଟେବଳ, ୩୨୮ ହୋମଗାର୍ଡ, ଗୋଟିଏ ପ୍ଲାଟୁନ BSF ଯବାନ ମୁତୟନ ହେବେ। ରାବଣପୋଡି ପାଇଁ ୧୨ଟି ପୂଜା ମଣ୍ଡପ ଆବେଦନ କରିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଅନୁମତି ମିଳିଛି I ବିସ୍ଫୋରକ ବାଣ ଫୁଟାଇବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର।

ଗଜପତି ଜିଲ୍ଲାରେ ଆରମ୍ଭ ହେଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ: ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ। ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। ଅଭିଯାନକୁ ଯୋରଦାର କରିବା ପାଇଁ ସଙ୍କଳ୍ପ ନେଇଛନ୍ତି ନେତା ଓ କର୍ମୀ। ଦୁଇ ମାସ ମଧ୍ୟରେ ଜିଲ୍ଲାର କୋଣ ଅନୁକୋଣରୁ ସଭ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ବିଜୁ ଜନତା ଦଳ ମଜଭୁତ ରହିଛି। ପଞ୍ଚାୟତ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ସବୁଠି ନିର୍ବାଚିତ ପ୍ରତିନିଧି ବିଜେଡିର ରହିଛନ୍ତି। ସାଧାରଣ ନିର୍ବାଚନରେ ଦୁଇଟି ବିଧାନସଭା ଆସନ ମଧ୍ୟରୁ ଗୋଟିଏ ଆସନରେ ବିଜୟୀ ହୋଇଛି ଦଳ। ସମସ୍ତ ନେତା କର୍ମୀ ଦଳକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ଲାଗି ୩ ଜଣଙ୍କୁ ମିଳିବ ସମ୍ମାନଜନକ ନୋବେଲ। ସେମାନେ ହେଲେ ଡାଭିଡ ବକର, ଡେମିସ ହସାବିସ ଓ ଜନ ଏମ. ଜମ୍ପର। ଏନେଇ ଘୋଷଣା କରିଛି ରୟାଲ ସୁଇଡିସ ଏକାଡେମି। ରସାୟନ ବିଜ୍ଞାନ ଲାଗି ମିଳୁଥିବା ନୋବେଲ ପ୍ରାଇଜର ଅଧାଭାଗ ପାଇବେ ଡାଭିଡ ବକର। ଅନ୍ଯ ଦୁଇଜଣ ଡେମିସ ହସାବିସ ଓ ଜନ. ଏମ ଜମ୍ପର ଅଧା ଭାଗ ପାଇବେ। ଆମେରିକାର ୱାଶିଂଟନ ବିଶ୍ବବିଦ୍ୟାଳୟର ଡାଭିଡ ବକର। ସେହିପରି ପ୍ରୋଟିନ ସଂରଚନା ଲାଗି ଗୁଗଲ ଡିପମାଇଣ୍ଡ, ଲଣ୍ଡନର ଡେମିସ ହସାବିସ ଓ ଜନ ଜମ୍ପର ନୋବେଲ ପାଇବେ। ଗତବର୍ଷ ଏହି ବର୍ଗରେ ନୋବେଲ ପାଇଥିଲେ ମୌଙ୍ଗି ଜି. ବାୱେଣ୍ଡି, ଲୁଇ ଇ. ବ୍ରୁସ ଓ ଆଲେକ୍ସି ଏକିମୋଭ।

୧୦ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନନ୍ଦିଘୋଷ ବ୍ୟୁରୋ : ଲଗାତାର ୧୦ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ । ୬.୫ ପ୍ରତିଶତରେ ରେପୋ ରେଟକୁ ସ୍ଥିର ରଖିଲା ଆରବିଆଇ । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ୨୦୨୩ ଫେବୃଆରୀରୁ ରେପୋ ରେଟ ଅପରିବର୍ତ୍ତିତ ରହିଛି । ଫଳରେ ଇଏମଆଇରେ ବୃଦ୍ଧି ଘଟିବନି । ଶକ୍ତିକାନ୍ତ ଦାସ ନେତୃତ୍ବାଧୀନ ଏକ ୬ ଜଣିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଏମପିସିରେ ଚଳିତ ଥର ୩ଜଣ ନୂଆ ସଦସ୍ଯଙ୍କୁ ସ୍ଥାନୀତ କରାଯାଇଥିଲା। ସେମାନେ ହେଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସ ନିର୍ଦ୍ଦେଶକ ପ୍ରଫେସର ରାମ ସିଂ, ଅର୍ଥନୀତିଜ୍ଞ ସୌଗତ ଭଟ୍ଟାଚାର୍ଯ୍ୟ ଓ ଇନଷ୍ଟିଚ୍ଯୁଟ ଫର ଷ୍ଟଡିଜ ଇନ ଇଣ୍ଡଷ୍ଟ୍ରିଆଲ ଡେଭଲେପମେଣ୍ଟର ନିର୍ଦ୍ଦେଶକ ଡକ୍ଟର ନାଗେଶ କୁମାର। ଗତ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିଲା ଏମପିସିର ତିନିଦିନିଆ ଆର୍ଥିକ ନୀତି ସମୀକ୍ଷା ବୈଠକ।

ଲକ୍ଷ୍ମୌ ଓ ଜୟପୁରରେ ବଡ଼ ଧରଣର ଅଗ୍ନିକାଣ୍ଡ

ଲକ୍ଷ୍ମୌ : ଉତ୍ତରପ୍ରଦେଶ ଲକ୍ଷ୍ମୌ ଅଜିଜ ନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ। ବିଦ୍ଯୁତ ପଣ୍ଯାଗାରରେ ଲାଗିଲା ନିଆଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଛି ଆତଙ୍କ। ନିଆଁ ନିୟନ୍ତ୍ରଣ ଲାଗି ୧୨ଟି ଅଗ୍ନିଶମ ଟିମ ସାମିଲ ହୋଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସେପଟେ ରାଜସ୍ଥାନ ଜୟପୁର ରୟାଲ ୱାର୍ଲଡ କମ୍ପ୍ଲେକ୍ସରେ ବି ଘଟିଛି ଅଗ୍ନିକାଣ୍ଡ। ଏଥିରେ ବିପୁଳ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚ ମିଳିଛି। ଆଜି ସକାଳୁ ସେଠାରେ ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ମୁତୟନ ହୋଇଥିଲେ।ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ହୋଇଥିବା ଜଣାଯାଇଛି।

ଲୋକେ ବିକାଶର କାର୍ଯ୍ୟକ୍ରମ ପାଇଁ ନବୀନଙ୍କ ସହ ଯୋଡି ହେଲେ : ବିଜେଡି

ଭୁବନେଶ୍ବର : ପୁଣ୍ଯାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଆରମ୍ଭ ହୋଇଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ । ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରି ପ୍ରଥମ ସଦସ୍ୟ ହୋଇଛନ୍ତି । ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନକୁ ନେଇ ବିଜେଡି କହିଛି ଲୋକେ ବିକାଶର କାର୍ଯ୍ୟକ୍ରମ ପାଇଁ ନବୀନ ପଟ୍ଟନାୟକଙ୍କ ସହ ଯୋଡି ହୋଇଛନ୍ତି ବୋଲି ବିଜେଡି କହିଛି । ବିଜେଡି ଶକ୍ତିଶାଳୀ ଆଞ୍ଚଳିକ ଦଳ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ଦିନରୁ ଓଡ଼ିଶାବାସୀଙ୍କ ସେବା କରି ଆସୁଛି । ଆଜିର ପବିତ୍ର ଦିନରେ ନବୀନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କଲେ । ସବୁ ଜିଲ୍ଲା ଏହି ସଦସ୍ଯ ସଂଗ୍ରହ ଅଭିଯାନ ଆରମ୍ଭ ହେଲା । ଆଜି ନବୀନଙ୍କ ସହ ତିନି ହଜାର ଲୋକ ଅନଲାଇନରେ ବିଭିନ୍ନ ସ୍ଥାନରେ ସଦସ୍ୟ ହେଲେ । ଏହି ଅଭିଯାନ ଆଗାମୀ ଦୁଇ ମାସ ଧରି ଫିଜିକାଲି ଓ ଡିଜିଟାଲି ହେବ । ଏହାକୁ ଦଳର ନେତା ଆଗେଇନେବେ ବୋଲି ବିଜେଡି ସୂଚନା ଦେଇଛି ।