spot_img
Home Blog Page 145

ଫେଲ ମାରିଛି କଦଳୀ ଚାଷ ମିଶନ : ଚାରା ରୋପଣକୁ ୧୦ ମାସ ପରେ ବି ଫଳ ଶୂନ

ଜଗତସିଂହପୁର : ସରକାର ଚାଷୀଙ୍କୁ ସବସିଡି ଜରିଆରେ କଦଳୀ ଚାରା ଦେଲେ । ସାତ ମାସରେ ଫଳ ଫଳିବ ବୋଲି ମିଳିଳା ପ୍ରତିଶୃତି । ଅଥଚ ୧୦ ମାସ ବିତିଲାଣି କଦଳୀର ନାଁ ଗନ୍ଧ ନାହିଁ । ଚିନ୍ତାରେ ଜଗତସିଂହପୁର ରଘୁନାଥପୁର ବ୍ଲକ ରେଢୁଆ ପଂଚାୟତ ଅରେଇକଣା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ଶରତ ଚନ୍ଦ୍ର ମହାପାତ୍ର । ଶରତ ଜିଲ୍ଲା ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଚାରା ଗଛ ପିଛା ୧୯ ଟଙ୍କା ୭୫ ପଇସା ହିସାବରେ ୯୨୭ ଟି ଚାରା ଆଣିଥିଲେ । ନିଜର ଦୁଇ ଏକର ଜମିରେ ୫୦ ହଜାରରୁ ଉର୍ଦ୍ଧ୍ଵ ମଜୁରୀ ଦେଇ କଦଳୀ ଚାରା ଲଗାଇଥିଲେ । ଚାରା ପୋତିବାର ୧୦ ମାସ ବିତିଥିଲେ ସୁଦ୍ଧା କେଉଁଠି ଗଛ ତିନି ଫୁଟରେ ରହି ଯାଇଛି ତ ଆଉ କେଉଁଠି ୧୦ ଫୁଟର ହେଲାଣି କିନ୍ତୁ କଦଳୀ ଫଳୁନି । ଯେଉଁ ଗଛରେ କଦଳୀ କାନ୍ଧି ପଡିଛି ସେଥିରେ ଦୁଇରୁ ତିନିଟି ଫେଣା ହୋଇଛି । ତାକୁ ବେପାରୀ ବି ନେଉନାହାନ୍ତି । ଯାହାକୁ ନେଇ ଶରତଙ୍କ ସହ ଅନ୍ୟ ଚାଷୀ ଚିନ୍ତାରେ ଘାରି ହେଉଛନ୍ତି ।

କିଛି ଦିନ ପୂର୍ବରୁ ଜଗତସିଂହପୁର ଜିଲ୍ଲାରେ ସରକାରଙ୍କ ଆଳୁ ମିଶନ ଫେଲ ମାରିଥିବା ଖବର ନନ୍ଦିଘୋଷ ଟିଭିରେ ପ୍ରସାରଣ କରାଯାଇଥିଲା । ଏବେ କଦଳୀ ଚାରାରେ ଚାଷୀଙ୍କୁ ସରକାର ଠକିଦେଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଘଟଣା ସଂପର୍କରେ ମୁହଁ ଖୋଲୁନାହାନ୍ତି ଜିଲ୍ଲା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ।

କଳାହାଣ୍ଡିରେ ମଣ୍ଡି ସମସ୍ୟାଠୁ ବଳିଗଲାଣି ଅଖା ଟେନସନ…

କଳାହାଣ୍ଡି : ସୁଧୁରୁନି ମଣ୍ଡି ସମସ୍ୟା । କଟନି ଛଟନି ସହ ମିଲର୍ସଙ୍କ ମନମାନିରେ ପେଷି ହେଉଛନ୍ତି ଚାଷୀ । କଳାହାଣ୍ଡିରେ ଧାନ କିଣା ମନ୍ଥର ଗତିରେ ଚାଲିଥିବା ବେଳେ ଏବେ ଅଖା ବସ୍ତା ସଙ୍କଟ ମୁଣ୍ଡ ଟେକିଛି । ଛିଣ୍ଡା, ଫଟା ଅଖା ଯୋଗାଇ ବସିପଡୁଛନ୍ତି ମିଲର୍ସ । ଫଳରେ ବଜାରରୁ ଅଖା ବସ୍ତା କିଣି ଶୋଷଣର ଶିକାର ହେଉଛନ୍ତି ଚାଷୀ । ସବୁଜାଣି ନିରବ ଯୋଗାଣ ବିଭାଗ । ଜିଲ୍ଲାରେ ନଭେମ୍ବର ୨୯ ତାରିଖରୁ ଧାନ କିଣା ଆରମ୍ଭ ହେଲାଣି । ହେଲେ ଏବେବି ମଣ୍ଡି ସୁରୁଖୁରରେ ଚାଲିପାରୁନାହିଁ । କେଉଁଠି ମଣ୍ଡିରୁ ଧାନ ଉଠୁନି ତ ଆଉ କେଉଁଠି ଧାନ ରଖିବା ପାଇଁ ସଠିକ ବ୍ୟବସ୍ଥା ନାହିଁ । ଶୀତକାକରରେ ରାତି ଉଜାଗର ହୋଇ ଧାନ ବସ୍ତା ଜଗିରହୁଛନ୍ତି ଅନ୍ନଦାତା ।

ଚାଷୀଙ୍କୁ ଅଖା ବସ୍ତା ମିଲର୍ସ ଯୋଗାଇ ଦେବା କଥା । ହେଲେ ଭବାନୀପାଟଣା ସଦର ମହକୁମା ଠାରୁ ୧୦ କିଲୋମିଟର ଦୂରରେ ଥିବା ଦାଦପୁର ମଣ୍ଡିକୁ ଯୋଗାଣ ହେଉଥିବା ବସ୍ତାକୁ ଦେଖନ୍ତୁ । ସବୁ ଚିରା ଫଟା । ଗୋଟିଏ ବଣ୍ଡଲରେ ୫୦ଟି ଅଖା ବସ୍ତା ରହୁଥିବା ବେଳେ ୩୦ଟି ବ୍ୟବହାରଯୋଗ୍ୟ ନୁହେଁ । ଯାହାକୁ ମଣ୍ଡିରେ ଥିବା ଗୋଦାମ ଗୃହ ମଧ୍ୟରେ ଫିଙ୍ଗି ଦିଆଯାଇଛି । ଚାଷୀ ବଜାରରୁ ବସ୍ତା ପିଛା ୨୦ ଟଙ୍କା ଦେଇ ଅଖା କିଣି ମଣ୍ଡିକୁ ଧାନ ନେଉଛନ୍ତି । ହେଲେ ସଂପୃକ୍ତ ମିଲର୍ସ ଚାଷୀଙ୍କ ବସ୍ତା ଫେରସ୍ତ କରୁନାହାନ୍ତି । ଯେଉଁଥିରୁ ସ୍ପଷ୍ଟ ବାରିହୋଇପଡୁଛି ଯେ ବସ୍ତା ନାଁରେ ଚାଷୀଙ୍କ ଠାରୁ କିଭଳି ଶୋଷଣ କରାଯାଉଛି । ଅନ୍ୟପଟେ ମିଲର୍ସ ଚାଷୀ କିମ୍ବା ଅଧିକାରୀଙ୍କ କଥା ଶୁଣୁନଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ଜିଲ୍ଲାର ସମସ୍ତ ୨୩୦ଟି ଧାନ ମଣ୍ଡିମାନଙ୍କରେ ଅଖା ବସ୍ତା ସଙ୍କଟ ଦେଖାଦେଇଛି ।

ଭେନେଜୁଆଲା ଉପରେ ଆମେରିକାର ଆକ୍ରମଣ ପରେ ୫ ଦେଶର ମୁଖିଆଙ୍କ ମଧ୍ୟରେ କୋକୁଆ ଭୟ

ଭେନେଜୁଆଲା ଉପରେ ଆମେରିକାର ଆକ୍ରମଣ ପରେ ୫ ଦେଶର ମୁଖିଆଙ୍କ ମଧ୍ୟରେ କୋକୁଆ ଭୟ

ନନ୍ଦିଘୋଷ ବ୍ୟୁରୋ: ଭେନେଜୁଆଲା ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ବିରୋଧରେ ଆମେରିକାର ସାମରିକ ଅଭିଯାନ ପାରେ ବିଶ୍ବର ୫ ଦେଶର ରାଷ୍ଟ୍ରପତିଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏଥିରେ ଇରାନର ସୁପ୍ରିମ ଲିଡର ଅଲ୍ଲୀ ଖାମେନେଇ ଏବଂ ତାଲିବାନର ହବିତୁଲ୍ଲାହ ଅଖୁନଜାଦାଙ୍କ ନାଁ ଆଗରେ ରହିଛି । ଆମେରିକା କାର୍ଯ୍ୟାନୁଷ୍ଠାନରୁ ନିଜକୁ ଯେକୌଣସି ପ୍ରକାରେ ବଞ୍ଚାଇବାକୁ ଅଖୁନଜାଦା କାନ୍ଧାରରେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି । ସେହିପରି ମେକ୍ସିକୋ ରାଷ୍ଟ୍ରପତି ପ୍ରଥମ କଭରରେ ୧୦ ମହିଳା ସୁରକ୍ଷା ଅଧିକାରୀଙ୍କୁ ନିଜ ସହ ରଖିଛନ୍ତି । କଲୋମ୍ବିଆ ରାଷ୍ଟ୍ରପତି ଆମେରିକା ଅପରେସନ ବିରୋଧରେ ଗରିଲା ଯୁଦ୍ଧ କରିବାକୁ ଘୋଷଣା କରିଛନ୍ତି । ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ନିଜ ପାଖରେ ମାରଣାସ୍ତ୍ର ରଖିଛନ୍ତି । ଇରାନ ସୁପ୍ରିମ ଲିଡର ପ୍ଲାନ-ବି ପ୍ରସ୍ତୁତ କରିସାରିଥିବା କୁହାଯାଉଛି । ଆମେରିକା ହାତରୁ ନିଜକୁ ସୁରକ୍ଷିତ ରଖିବାକୁ ଅୟାତୁଲ୍ଲାହ ଅଲ୍ଲୀ ଖାମେନେଇ ଋଷ ପଳାଇ ଯିବାକୁ ଯୋଜନା ରଖିଛନ୍ତି ।

ଆମେରିକା ଭୟରେ ୫ ରାଷ୍ଟ୍ରର ମୁଖିଆଙ୍କ ସ୍ଥିତି କେମିତି ଅଛି ଆସନ୍ତୁ ଜାଣିବା…

ଆଫଗାନିସ୍ତାନ

ତାଲିବାନ ସୁପ୍ରିମ ଲିଡର ଅଖୁନଜାଦା ମଧ୍ୟ ଆମେରିକା ରାଡରରେ ଅଛନ୍ତି । ଅଖୁନଜାଦାଙ୍କୁ ଆମେରିକା ଆତଙ୍କବାଦୀ ଘୋଷଣା କରିଛି । ବଗରାମ ଏୟାରବେସକୁ ନେଇ ଆମେରିକା ନିୟମିତ ତାଲିବାନ ଉପରେ ଚାପ ପକାଉଚି । ହେଲେ ଏହି ଏୟାରବେସକୁ ତାଲିବାନ କୌଣସି ସ୍ଥିତିରେ ଆମେରିକାକୁ ଦେବାକୁ ପ୍ରସ୍ତୁତ ନାହିଁ । ମାଦୁରୋଙ୍କ ଗିରଫଦାରୀ ପାରେ ଅଖୁନଜାଦା ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଛନ୍ତି ।

ଜେନିଭାରେ ତାଲିବାନ ପ୍ରତିନିଧି ବୟାନ ଦେଇ କହିଛନ୍ତି, ଆମ ଦେଶରେ ଆମେରିକା ଡ୍ରୋନ ଉଡୁଛନ୍ତି । ଏସବୁ ଡ୍ରୋନ ଆମ ନେତା ଅଖୁନଜାଦାଙ୍କୁ ରେକି କରିବାକୁ ଲଗାଯାଇଛି । ଏହି କାରଣରୁ ଆମ ନେତା ଲୁଚିଯାଇଛନ୍ତି । ସୂଚନାଯୋଗ୍ୟ, ଅଖୁନଜାଦା କାନ୍ଧାରରେ ରହିଥାନ୍ତି । ତାଲିବାନ ସିକ୍ରେଟ ଫୋର୍ସ ତାଙ୍କ ସୁରକ୍ଷାରେ ରହିଥାନ୍ତି । ସାଉଥ ଏସିଆ ଟେରୋରିଜିମ ପୋର୍ଟାଲ ଅନୁସାରେ ଅଖୁନଜାଦା ସୁରକ୍ଷିତ କମ୍ପାଉଣ୍ଡରେ ରହିଥାନ୍ତି । ଏହା ପାହାଡ଼ର ବଙ୍କର ଶେପରେ ନିର୍ମାଣ ହୋଇଛି । ତାଙ୍କୁ ସୁରକ୍ଷା ପାଇଁ ୧୦୦୦ ଲୋକ ନିୟୋଜିତ ଅଛନ୍ତି । ଏମାନେ ସିଫ୍ଟରେ କାମ କରିଥାନ୍ତି ।

ମେକ୍ସିକୋ

ଆମେରିକା ଟାର୍ଗେଟରେ ମେକ୍ସିକୋ ରାଷ୍ଟ୍ରପତି ଶିନବାମ ମଧ୍ୟ ଅଛନ୍ତି । ମେକ୍ସିକୋ ଜରିଆରେ ଆମେରିକାକୁ ଡ୍ରଗ୍ସ ଚାଲାଣ ହୋଇଥାଏ ବୋଲି ଟ୍ରମ୍ପ ଅଭିଯୋଗ କରି ଆସୁଛନ୍ତି । ମେକ୍ସିକୋ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୧୦ ଜଣ ମହିଳା ଯବାନଙ୍କ ଏକ ଟିମକୁ ନିୟୋଜିତ କରାଯାଇଛି । ଏହାବାଦ ସେକେଣ୍ଡାରୀ କଭରରେ ୧୦ ପୁରୁଷ ଯବାନ ନିୟୋଜିତ ହୋଇଛନ୍ତି । ମେକ୍ସିକୋ ଆମେରିକା ପ୍ରଭାବର ପ୍ରତିହିତ କରିବାକୁ ନିକଟରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ ପାରିତ କରିଛି । ଏହା ଜରିଆରେ ସମସ୍ତ ସୈନ୍ୟବଳକୁ ଏକାଠି କରାଯାଇଛି ।

କଲୋମ୍ବିଆ

କଲୋମ୍ବିଆ ଉପରେ ମଧ୍ୟ ଆମେରିକା ଆକ୍ରମଣର ଭୟ ଘାରିଛି । ଭେନେଜୁଆଲା ପରି କଲୋମ୍ବିଆକୁ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇ ସାରିଛନ୍ତି । କଲୋମ୍ବିଆ ରାଷ୍ଟ୍ରପତି ଗେସ୍ତୋଓ୍ବା ପେଟ୍ରୋ କହିଛନ୍ତି, ତାଙ୍କ ଦେଶ ଆମେରିକା ସହ ଗରିଲା ଯୁଦ୍ଧ କରିବ । ସେ ନିଜେ ଅସ୍ତ୍ର ଉଠାଇବେ ବୋଲି ମଧ୍ୟ କହିଛନ୍ତି । ଆମେରିକାକୁ ଅଟକାଇବା ପାଇଁ ଭେଜେନୁଆଲା ସୀମାରେ କଲୋମ୍ବିଆ ରାଡର ସିଷ୍ଟମ ଆକ୍ଟିଭ କରି ଦେଇଛି ।

ଇରାନ

ଭେନେଜୁଆଲା ଉପରେ ଆମେରିକା ଆକ୍ରମଣ ପରେ ଇରାନ ସୁପ୍ରିମ ଲିଡର ଅୟାତୁଲ୍ଲାହ ଅଲ୍ଲୀ ଖାମେନେଇ ସତର୍କ ହୋଇଯାଇଛନ୍ତି । ଖାମେନେଇଙ୍କ ସୁରକ୍ଷା ୟୁନିଟ-୧ କରିଥାଏ । ଏହାର ନାଁ ବଲୀ-ଏ-ଉମ୍ର ଫୋର୍ସ । ଏହା ଇରାନର କୁଖ୍ୟାତ ଇସଲାମିକ ରିବୋନ୍ୟୁସନାରୀ ଗାର୍ଡ ଫୋର୍ସ (IRGC)ର ସବୁଠାରୁ ପ୍ରମୁଖ ଓ ରହସ୍ୟମୟ ୟୁନିଟ ଅଟେ । ୧୯୮୦ ଦଶକ ମଧ୍ୟରେ ଏହି ୟୁନିଟର ସ୍ଥାପନା ହୋଇଥିଲା । ବର୍ତ୍ତମାନ ଏଥିରେ ଅତ୍ୟାଧୁନିକ ଟ୍ରେନିଂ ନେଇଥିବା ୧୨ ହଜାର ସୈନିକ ଅଛନ୍ତି । ଏମିତି ବି ଶୁଣିବାକୁ ମିଳୁଛି, ଯଦି ଆମେରିକା ଆକ୍ରମଣ କଲା ତେବେ ଖାମେନେଇ ଋଷ ପଳାଇବେ । ଦ ଟାଇମ୍ସ ମ୍ୟାଗେଜିନ ଅନୁସାରେ, ଖାମେନେଇ ମସ୍କୋ ଯିବା ନେଇ ଚର୍ଚ୍ଚା ହେଉଛି । ହେଲେ ଇରାନ ତରଫରୁ ଏନେଇ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇନି ।

କ୍ୟୁବା

ଭେନେଜୁଆଲା ଆକ୍ରମଣ ପରେ ସବୁଠାରୁ ଅଧିକ ଟେନସନରେ ରହିଛନ୍ତି କ୍ୟୁବା ରାଷ୍ଟ୍ରପତି । କାରଣ ମାଦୁରୋଙ୍କ ସୁରକ୍ଷା କ୍ୟୁବାର ସୁକ୍ୟୁରିଟି ଟିମ୍ କରୁଥିଲା । ତଥ୍ୟ ଅନୁସାରେ ମାଦୁରୋଙ୍କୁ ବଞ୍ଚାଇବାକୁ କ୍ୟୁବାର ୩୨ ଯବାନଙ୍କ ମୃତ୍ୟୁ ଘଟିଥିଲା । କ୍ୟୁବା ରାଷ୍ଟ୍ରପତି ଡିୟାଜ-କୋନଲଙ୍କ ସୁରକ୍ଷା ମଧ୍ୟ ଏହି ଟିମ୍ କରୁଛି । କ୍ୟୁବା ରାଷ୍ଟ୍ରପତିଙ୍କ ଫାଷ୍ଟ କଭରରେ ସବୁବେଳେ ୮ ଜଣ ସୁରକ୍ଷାକର୍ମୀ ରହିଥାନ୍ତି ।

ଏବେ ପିଲାମାନଙ୍କ ସହ ସ୍କୁଲ ଯିବେ ବାପାମାଆ…

ନନ୍ଦିଘୋଷ ବ୍ୟୁରୋ : ଏବେ ପିଲାମାନଙ୍କ ସହ ପାଠ ପଢିବେ ବାପାମାଆ । ଯେଉଁମାନେ ଲେଖାପଢା ଜାଣିନାହାନ୍ତି ସେମାନଙ୍କୁ ଏଭଳି ଶିକ୍ଷା ଦିଆଯିବ । ଝାଡଖଣ୍ଡ ସରକାର ଉଲ୍ଲାସ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ଏଭଳି ଶିକ୍ଷା ଯୋଗାଇ ଦେବେ । ଏହି ଯୋଜନାର ଶୁଭାରମ୍ଭ ଝାଡଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲାରେ କରାଯାଇଛି । ଏହି ଯୋଜନା ଅନୁଯାୟୀ ଲେଖାପଢା ଅସୁନଥିବା ଛାତ୍ରଛାତ୍ରୀଙ୍କ ବାପାମାଆଙ୍କ ସମେତ ଅଞ୍ଚଳରେ ଥିବା ୧୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଚିହ୍ନଟ କରିବା ପାଇଁ  ସବୁ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଲୋକଙ୍କୁ ଶିକ୍ଷାଦାନ ପାଇଁ ସ୍କୁଲରେ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ପଢିବା, ଲେଖିବା ସହ ଜରୁରୀ ବିଷୟରେ ମଧ୍ୟ ଶିକ୍ଷାଦାନ କରାଯିବ । ଯେମିତି ସେମାନେ ସ୍ବାକ୍ଷର ହୋଇପାରିବେ । ଏହାର ଲକ୍ଷ୍ୟ ପୁରା ଝାଡଖଣ୍ଡକୁ ସ୍ବାକ୍ଷର କରିବା । ଏଥିପାଇଁ ଉଲ୍ଲାସ ଆପ ମାଧ୍ୟମରେ ଅନଲାଇନ  ସର୍ଭେ କରାଯିବ । ସବୁ ସ୍କୁଲ ନିଜ ଅଞ୍ଚଳର ପଢା ଲିଖା ଜାଣିନଥିବା ଲୋକଙ୍କ ନାଁ ଅପଲୋଡ କରିବେ । ଏହାପରେ ସେମାନଙ୍କୁ ପ୍ରତିଦିନ ଶିକ୍ଷାଦାନ କରାଯିବ । ଏହା ୨୦୨୬-୨୭ ଶିକ୍ଷା ବର୍ଷ ପିଲାମାନଙ୍କ ସହ ଆରମ୍ଭ କରାଯିବ  ।

ଏହି ଯୋଜନା ମାଧ୍ୟମରେ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ କ୍ଲାସ ଦିଆଯିବ । ଯେଉଁଥିରେ ପଢିବା, ଲେଖିବା ଠାରୁ ଆରମ୍ଭ କରି ଜରୁରୀ ବିଷୟରେ ଶୀକ୍ଷାଦାନ ଦିଆଯିବ । ଶେଷରେ ସମସ୍ତଙ୍କର ପରୀକ୍ଷା ଦିଆଯିବ । ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ସମ୍ମାନୀତ କରାଯିବା ସହ ସ୍ବାକ୍ଷରତା ପ୍ରମାଣ ପତ୍ର ପ୍ରଦାନ କରାଯିବ ।

ଦିଲ୍ଲୀ ପ୍ରଦୂଷଣକୁ ନେଇ ସରକାରଙ୍କ ଉପରେ ବର୍ଷିଲା ଆପ୍

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ପ୍ରଦୂଷଣକୁ ନେଇ ଆପ୍ ର ପ୍ରତିବାଦ। ଦିଲ୍ଲୀର ବିଜେପି ସରକାର ଓ କେନ୍ଦ୍ର ସରକାର ଏଥିପ୍ରତି ନିଷ୍କ୍ରିୟତା ଓ ଉଦାସୀନତା ଦେଖାଉଥିବାରୁ ଏହାର ପ୍ରତିବାଦ କରିଛି ଆମ୍ ଆଦମୀ ପାର୍ଟ। ଦିଲ୍ଲୀ ବିଧାନସଭା ପରିସରରେ ଆପ୍ ପକ୍ଷରୁ ଆନ୍ଦୋଳନ କରାଯାଇଛି। ବିରୋଧୀ ଦଳ ନେତା ଅତିଶି ଅଭିଯୋଗ କରିଛନ୍ତି, ଦିଲ୍ଲୀ  ପ୍ରଦୂଷଣ ପ୍ରସଙ୍ଗରୁ ପଳାୟନ କରୁଛି ବିଜେପି। ବିଧାନସଭାରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ବି ରାଜି ହେଉନି। ଏବେ ଦିଲ୍ଲୀର ସବୁଠାରୁ ବଡ଼ ସମସ୍ୟା ହେଉଛି ପ୍ରଦୂଷଣ। ଏହାର ସମାଧାନ ପାଇଁ କିଛି ଚେଷ୍ଟା କରୁନି ବିଜେପି। ପ୍ରସଙ୍ଗରୁ ପଳାୟନ କରୁଛି। ସେମାନଙ୍କ ପାଖରେ କୌଣସି ଉତ୍ତର ବି ନାହିଁ। ଏସବୁ ଡ୍ରାମା ଛାଡ଼ି ଦିଲ୍ଲୀ ପ୍ରଦୂଷଣ ନେଇ ବିଧାନସଭାରେ ଆଲୋଚନା ହେଉ ଏବଂ ସମାଧାନ ପାଇଁ ସରକାର ଚେଷ୍ଟା କରନ୍ତୁ ବୋଲି ଦାବି କରିଛନ୍ତି ଅତିଶି।

ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କଲେ ଡେଲସି ରୋଡ୍ରିଗେଜ୍

ନନ୍ଦିଘୋଷ ବ୍ୟୁରୋ : ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କଲେ  ଡେଲସି ରୋଡ୍ରିଗେଜ୍। ଦାୟିତ୍ଵ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ଭବନ ଅଂଚଳରେ ଫୁଟିଥିଲା ଗୁଳି। ରାଜଧାନୀ କାରାକାସରେ ଥିବା ରାଷ୍ଟ୍ରପତି ଭବନ ନିକଟରେ ଡ୍ରୋନ ଦେଖିବାକୁ ମିଳିଥିଲା। ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ରାଷ୍ଟ୍ରପତି ଭବନ ନିକଟରେ ଗୁଳି ବିନିମୟ ଏବଂ ତୀବ୍ର ସଂଘର୍ଷ ଘଟିଥିବା ଜଣାପଡ଼ିଛି। ଡ୍ରୋନ୍ ଦେଖାଯିବା ଏବଂ ରାଜଧାନୀରେ ଉତ୍ତେଜନା ଲାଗି ରହିଥିବା ସତ୍ତ୍ୱେ କର୍ତ୍ତୃପକ୍ଷ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ସେପଟେ ରାଷ୍ଟ୍ରପତି ଭବନ ଅଂଚଳରେ ଗୁଳିକାଣ୍ଡ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି ଆମେରିକା। ସେପଟେ ପଦଚ୍ୟୁତ ନେତା ନିକୋଲାସ୍ ମାଦୁରୋଙ୍କ ବିରୋଧରେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ ଡ୍ରଗ୍ସ ସମ୍ବନ୍ଧୀୟ ଅଭିଯୋଗରେ ନ୍ୟୁୟର୍କର ଏକ ଫେଡେରାଲ୍ କୋର୍ଟରେ ହାଜର ହୋଇଥିଲେ। ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। ଖୁବଶୀଘ୍ର ଭେନେଜୁଏଲାରେ ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ। ଆଗାମୀ ୩୦ ଦିନ ମଧ୍ୟରେ ଭେନେଜୁଏଲାରେ ନିର୍ବାଚନ ହେବ। ଶନିବାର ରାତିରେ ଆମେରିକୀୟ ସୈନ୍ୟମାନେ କାରାକାସର ଏକ ସାମରିକ ଘାଟିରେ ଥିବା ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ସେମାନଙ୍କ ଘରୁ ବାହାର କରିଥିଲେ। ଏହି ଦମ୍ପତିଙ୍କ ବିରୁଦ୍ଧରେ ଆମେରିକାର ନାର୍କୋ-ଆତଙ୍କବାଦ ଷଡ଼ଯନ୍ତ୍ରରେ ଅଂଶଗ୍ରହଣ କରିବାର ଅଭିଯୋଗ ରହିଛି।

ବିଲ ପାଇଁ ସରପଞ୍ଚଙ୍କ ଅନଶନ ; ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ

ନନ୍ଦିଘୋଷ ବ୍ୟରୋ : ଉନ୍ନୟନମୂଳକ କାର୍ଯ୍ୟର ବିଲ୍‌ ପାଇଁ  ବ୍ଲକ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଲେ ସରପଞ୍ଚ l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ସରପଞ୍ଚ ଦିଲୀପ କୁମାର ଶତପଥୀ ବିଲ ପାଇଁ ଗତ ୭ ଦିନ ତଳେ  ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ । ହେଲେକିଛି ସୁଫଳ ନହେବାରୁ ଆଜି ଆମରଣ ଅନଶନରେ ବସିଛନ୍ତି l ପଞ୍ଚାୟତର କଲ୍ୟାଣ ମଣ୍ଡପ, କମୁନିଟିସେଣ୍ଟର, ରାସ୍ତା କାମ ଭଳି ଅନେକ ଉନ୍ନୟନମୂଳକ କାମ ସରିଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀଙ୍କ ମନମୂଖୀ କାର୍ଯ୍ୟ ଯୋଗୁ ଦୀର୍ଘ ମାସ ଧରି ବିଲ ଅଟକି ରହିଛି l ଯାହା ଫଳରେ ନିର୍ମାଣ କାର୍ଯ୍ୟରେ ଲାଗିଥିବା ବିଭିନ୍ନ ଉପକରଣର ବିଲ ପୈଠ କରି ପାରୁନାହାନ୍ତି ସରପଞ୍ଚ l କେବଳ ସେତିକି ନୁହଁ ଲେବଲଙ୍କ ପେମେଣ୍ଟ ମଧ୍ୟ କରିବାରେ ସରପଞ୍ଚ ଅସମର୍ଥ । ତେଣୁ ଆଜିଠୁ ବ୍ଲକ ଅଫିସ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି ସରପଞ୍ଚ l ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ସରପଞ୍ଚ l

ଏମିତି ବି ଆସେ ମୃତ୍ୟୁ ; ମାର ମୃତ୍ୟୁ ଖବର ସହିନପାରି ଟଳିପଡିଲା ପୁଅ

ନନ୍ଦିଘୋଷ ବ୍ୟରୋ : ଏମିତି ବି ଆସେ ମୃତ୍ୟୁ । ମାର ମୃତ୍ୟୁ ଖବର ସହିନପାରି ଟଳିପଡିଲା ପୁଅ।  ମାଙ୍କ ମୃତଦେହକୁ କୋଳରେ ଧରି ପୁଅର ମୃତ୍ୟୁ ହୋଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜୟପୁରର ପରିଚ୍ଛା ସାହିରେ। ସବୁ ଦିନ ପରି ସକାଳୁ ଜମିକୁ ଯାଇ ଫେରିବା ପରେ ମାଙ୍କୁ ଡାକଥିଲା ପୁଅ । କିନ୍ତୁ ପୁଅ ରବିର ଡାକ ମା ନ ଶୁଣିବାରୁ ମା ଶୋଇଥିବା ଖଟ ପାଖକୁ ଯାଇ ମାକୁ ଉଠାଇଥିଲା।  ମାଆ ନ ଉଠିବାରୁ ସାହି ପଡୋଶୀଙ୍କୁ ଡାକିଥିଲା। ପଡୋଶୀ ପହଞ୍ଚି ମାଆ ଆଉ ଦୁନିଆରେ ନଥିବା କହିଥିଲେ। ମାର ମୃତ୍ୟୁ ଖବର ଶୁଣି ମାକୁ କୋଳରେ ଧରି କାନ୍ଦିବାକୁ ଲାଗିଲା ପୁଅ। କିଛି ସମୟର କାନ୍ଦ ପରେ ପୁଅ ମଧ୍ୟ ସେଠାରେ ଟଳିପଡିଥିଲା। ପରିବାରରେ କେବଳ ମାଆ ପୁଅ ରହୁଥିଲେ।  ପୁଅର ବୟସ ୫୨ ଓ ମାର ବୟସ ପ୍ରାୟ ୭୮ ହେବ ବୋଲି ଜଣା ପଡ଼ିଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ  ପରିବେଶ ସୃଷ୍ଟ ହୋଇଛି।

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ

ନନ୍ଦିଘୋଷ ବ୍ୟୁରୋ: ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଶିକ୍ଷକ ବଦଳି ବାତିଲ ଓ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଫାଟକ ଧାରଣା ଦିଆଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବରୀ ଶିକ୍ଷା ମଣ୍ଡଳ ଅଧୀନ ରତ୍ନଗିରି ପଞ୍ଚାୟତ ପଟଣା ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ ଟି ଶ୍ରେଣୀ ଥିବା ବେଳେ ପାଖାପାଖି ୮୦ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି । ବିଦ୍ୟାଳୟରେ ମାତ୍ର ୩ ଜଣ ଶିକ୍ଷକ ଥିଲେ କିନ୍ତୁ ଶିକ୍ଷାବିଭାଗ ପକ୍ଷରୁ ସେଠାରୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏବେ ମାତ୍ର ୨ ଜଣ ଶିକ୍ଷକ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ସେହି ବିଦ୍ୟାଳୟର ହୋଇଥିବା ବେଳେ ଅନ୍ୟଜଣେ ସେଠାକୁ ଡେପୁଟେଶନରେ ଆସିଛନ୍ତି। ଜଣେ ଶିକ୍ଷକ ଅନ୍ୟତ୍ର ବଦଳି ହୋଇଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି ତେଣୁ ବିଦ୍ୟାଳୟ ଫାଟକ ସମ୍ମୁଖରେ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଅଭିଭାବକ ମାନେ ସ୍କୁଲ ଫାଟକରେ ତାଲା ପକାଇ ଛାତ୍ରୀଛାତ୍ରଙ୍କ ସହ ଧାରଣାରେ ବସିଛନ୍ତି l ଶିକ୍ଷକଙ୍କ ବଦଳି ବାତିଲ କିମ୍ୱା ଅନ୍ୟ ଶିକ୍ଷକଙ୍କୁ ଯଦି ଏଠାରେ ନିଯୁକ୍ତି ଦିଆନଯାଇ ତାହେଲେ ଅର୍ନିଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଫାଟକରେ ତାଲା ପକାଇ ପ୍ରତିବାଦ ଜାରି ରହିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ତାଙ୍କୁ କୌଣସି ପ୍ରକାର ଲିଖିତ ଅଭିଯୋଗ ଆସିନାହିଁ ବୋଲି କହିଛନ୍ତି ।

ଯାତ୍ରାକୁ ଫେରିଲେ ପୀୟୂଷ ତ୍ରିପାଠୀ ; ପୁଣି ଥରେ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଲା ପୀୟୂଷ ତ୍ରିପାଠୀଙ୍କ ଅଭିନୟ

ନନ୍ଦିଘୋଷ ବ୍ୟୁରୋ: ଯାତ୍ରାକୁ ଫେରିଲେ ପୀୟୂଷ ତ୍ରିପାଠୀ। ପୁଣି ଥରେ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଲା ପୀୟୂଷ ତ୍ରିପାଠୀଙ୍କ ଅଭିନୟ। ଯାତ୍ରା ବିବାଦ ପରେ ଦୀର୍ଘ ଦିନ ପରେ ତାଙ୍କୁ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି। ଚଣ୍ଡିଖୋଲ ସିଣ୍ଡିକେଟ ଯାତ୍ରା କମିଟି ପକ୍ଷରୁ ଯାତ୍ରା ସିଂହବାହିନୀର ତୁ ମୋ ବଜରଙ୍ଗୀ ନାଟକରେ ପୀୟୂଷ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଛି। ଚଣ୍ଡିଖୋଲ ଛକରେ କମିଟି ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇ ଥିଲା। ସେଠାରୁ ଶୋଭାଯାତ୍ରାରେ  ଯାତ୍ରା ମଞ୍ଚକୁ ଯାଇଥିଲେ ପୀୟୂଷ । ତାଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଖଚାଖଚ ଦର୍ଶକଙ୍କ ଭିତରେ ମଞ୍ଚରେ ନିଜର ଅଭିନୟ ଦେଖାଇ ଦର୍ଶକଙ୍କ ମନ ଜିଣିଥିଲେ ପୀୟୂଷ।