spot_img
Home Blog Page 1436

ଆମ୍ବ ଟାକୁଆ ମୃତ୍ୟୁକୁ ନେଇ ବିଧାନସଭା ହୁଲସ୍ତୁଲ, ହଟ୍ଟଗୋଳ ଓ ନାରାବାଜିରେ କମ୍ପିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଆମ୍ବ ଟାକୁଆ ମୃତ୍ୟୁକୁ ନେଇ ଉଠିଲା ପଡ଼ିଲା ବିଧାନସଭା । ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ଓ ନାରାବାଜିରେ କମ୍ପିଲା ଶୀତକାଳୀନ ଅଧିବେଶନ। ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଅନାହାର ମୃତ୍ୟୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ। ଗରିବଙ୍କୁ ଚାଉଳ ଯୋଗାଇବାରେ ବିଫଳ ହୋଇଛନ୍ତି ମୋହନ ସରକାର। ଯେଉଁଥିପାଇଁ ଭୋକ ବିକଳରେ ବିଷାକ୍ତ ଆମ୍ବ ଟାକୁଆ ଖାଇ ୩ ଜଣ ଆଦିବାସୀଙ୍କର ମୃତ୍ୟୁ ହେଲା। ତେଣୁ ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦଳ ଦାବି କରିଛି। ଖାଲି ସେତିକି ନୁହେଁ ଏତେବଡ଼ ଘଟଣା ଘଟିଥିଲେ ବି ମାଣ୍ଡିପଙ୍କା ଗାଁକୁ ମୁଖ୍ୟମନ୍ତ୍ରୀ କି ତାଙ୍କ ମନ୍ତ୍ରୀ ଗଲେନି ବୋଲି ପ୍ରଶ୍ନ କରି ଶାସକ ଦଳକୁ ଘେରିଛି କଂଗ୍ରେସ। ଅନ୍ୟପଟେ ୨୦୨୪ ମସିହାରେ ଆମ୍ବ ଟାକୁଆ ଖାଇ ଆଦିବାସୀଙ୍କ ମୃତ୍ୟୁ ହେବାକୁ ନେଇ ବର୍ଷିଛି ବିଜେଡି । ରାଜ୍ୟ ସରକାର ଗରିବ ଲୋକଙ୍କ ରାସନ ବନ୍ଦ କଲେ। ତେଣୁ ବିଜେପି ସରକାର କେବଳ ଘୋଷଣାବାଜିର ସରକାର କହି ସମାଲୋଚନା କରିଛି ବିଜେଡି।

ଆମ୍ବ ଟାକୁଆ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିଫଳତା ପଦାରେ ପଡ଼ିବା ପରେ ଏବେ ମାପିଚୁପି ବୟାନ ଦେଉଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ତାଙ୍କ କହିବା କଥା, ଯଦି କିଛି ତୃଟି ଥାଏ, ସରକାର ତାକୁ ସୁଧାର କରିବେ। ହେଲେ ଆମ୍ବ ଟାକୁଆ ଜାଉ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହି ପୁଣି ଥରେ ଜନଜାତିଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା। ଶାସକ ଦଳର ଏଭଳି ଯୁକ୍ତିକୁ କଡ଼ା ଭାଷାରେ ସମାଲୋଚନା କରିଛି କଂଗ୍ରେସ। ବିଜେପି ସରକାର ଆସିବା ପରେ ରାଜ୍ୟକୁ ଫେରିଛି ଅନାହାର ମୃତ୍ୟୁ। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ନେଇ  ବିଧାନସଭାରେ ଶାସକ ଦଳକୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ଯାହାକୁ ନେଇ ଏବେ ଅଠାକାଠିରେ ପଡ଼ିଛି ବିଜେପି।

ସୁନ୍ଦରଗଡ଼ରେ ତୀବ୍ର ହେଉଛି ଅସନ୍ତୋଷ : ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ସବୁ ମହଲରେ ନିନ୍ଦା

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ତୀବ୍ର ହେଉଛି ଅସନ୍ତୋଷ। କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ପରେ ଆଜି କଡ଼ା ଭାଷାରେ ନିନ୍ଦା କରିଛି ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପ୍ରତ୍ୟାହାର ନହେଲେ ଆନ୍ଦୋଳନ କରିବାକୁ ଧମକ। ସୁନ୍ଦରଗଡକୁ କାହିଁକି ଉତ୍ତର ଓଡିଶା ବିକାଶ ପରିଷଦରେ ସାମିଲ କରାଯିବ । ଭୌଗୋଳିକ ଓ ସାଂସ୍କତିକ ଦୃଷ୍ଟିରୁ ସୁନ୍ଦରଗଡ଼ବାସୀ ପଶ୍ଚିମ ଓଡ଼ିଶା ସହ ଅଛନ୍ତି ଓ ରହିବେ । କେଉଁ ସ୍ବାର୍ଥରେ ପଶ୍ଚିମ ଓଡିଶାର ଏହି ଖଣି ଖାଦାନ ଓ ଶିଳ୍ପ ବହୁଳ ଜିଲ୍ଲାକୁ ଉତ୍ତର ଓଡିଶାରେ ସାମିଲ କରାଯାଉଛି । ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ, ଜୋର ଧରିବାରେ ଆନ୍ଦୋଳନ ଓ ପ୍ରତିବାଦ । ଗତକାଲି ଜିଲ୍ଲା କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିବା ବେଳେ, ଆଜି ପଶ୍ଚିମ ଓଡିଶା ଯୁବ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନର ଚେତାବନୀ ଦେଇଛି ଯୁବ ମଞ୍ଚ । ପଶ୍ଚିମ ଓଡ଼ିଶାକୁ ଭାଗ କରି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ଓ ମହାନଦୀ ବିବାଦ ଭଳି ପ୍ରସଙ୍ଗକୁ ଦୁର୍ବଳ କରିବାକୁ ଏହା ରାଜ୍ୟ ସରକାରଙ୍କ ଏକ ସୁଚିନ୍ତିତ ଚାଲ ବୋଲି ଅଭିଯୋଗ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପଶ୍ଚିମ ଓଡ଼ିଶାର ବିଧାୟକ।

ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ ଭାଗ କରିବାକୁ ଘୋଷଣା କଲେ। ଆଉ ଆଜି ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏଥିରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି, ଚୁଡାନ୍ତ ନିଷ୍ପତ୍ତି ହୋଇନି । ଲୋକଙ୍କ ମତାମତ ଆଧାରରେ ନିଆଯିବ ନିଷ୍ପତ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ହେଉଛି। ହେଲେ ହଠାତ କେଉଁ ଉଦ୍ଦେଶ୍ୟ ରଖି ପଶ୍ଚିମ ଓଡିଶାକୁ ଭାଗ କରୁଛି ବିଜେପି । ତାକୁ ନେଇ ସୁନ୍ଦରଗଡ ସମେତ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଅସନ୍ତୋଷର ନିଆଁ ତେଜୁଛି ।

କଟକ-ଭୁବନେଶ୍ବରରେ ବାଙ୍ଗଲାଦେଶୀ ଦେହଜୀବୀ : ଆଉ ଜଣେ ଦଲାଲ ଗିରଫ

କଟକ : କଟକ-ଭୁବନେଶ୍ବରରେ ବାଙ୍ଗଲାଦେଶୀ ନାବାଳିକା ଓ ଯୁବତୀଙ୍କୁ ଆଣି ଅନୈତିକ ଦେହ ବେପାରରେ ଲଗାଯିବା ଘଟଣା ପଦାକୁ ଆସିବା ପରେ ଆକ୍ସନ ମୋଡରେ ପୋଲିସ । କଟକରେ CWC ଆଗରରେ ଉଦ୍ଧାର ନାବାଳିକା ଦେଇଥିବା ବୟାନକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢାଉ କରି ଜାରି ରଖିଛି । ମାମଲାରେ ଆଜି ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ନାବାଳିକାଙ୍କ ବୟାନକୁ ଭିତ୍ତିକରି ଭୁବନେଶ୍ଵରରୁ ଅବଦୁଲ ସୟଦ୍ ଉଲ୍ଲା ସୁଲେମାନଙ୍କୁ ଗିରଫ କରିଛି ପୋଲିସ । ଏବେବି କିଛି ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ପୋଲିସ । ନାବାଳିକାଙ୍କ ପରିବାର ସହ ପୋଲିସର ଯୋଗାଯୋଗ ହୋଇଛି । ନାବାଳିକାଙ୍କ ସଂପର୍କରେ ତଥ୍ଯ ପ୍ରମାଣ ସମ୍ବଳିତ କାଗଜ ପତ୍ର ମାଗିଛି ପୋଲିସ । ନ୍ୟାୟିକ ପ୍ରକ୍ରିୟା ପରେ  ନାବାଳିକାଙ୍କୁ ଘରକୁ ପଠାଇବା ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି । ଗତକାଲି ମାମଲାରେ ସଦର ଗୋପାଳପୁରରୁ ଦମ୍ପତି ପ୍ରକାଶ ଚୌଧୁରୀ ଓ ଜସ୍ମିନ ଚୌଧୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ମଧୂପାଟଣା ପୋଲିସ । ନାବାଳିକଙ୍କ ସ୍ବାସ୍ଥ୍ଯ ପରୀକ୍ଷା ସହ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ ହୋଇଥିଲା । ଗତ ୧୦ ତାରିଖରୁ ନାବାଳିକା CWC ପାଖରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ନ୍ୟାୟିକ ପ୍ରକ୍ରିୟା ପରେ ନାବାଳିକାଙ୍କ ବାଂଲାଦେଶ ପଠାଇବା ପାଇଁ ହାଇ କମିଶନଙ୍କ ସହ ଯୋଗାଯୋଗ କରାଯିବ ବୋଲି କହିଛନ୍ତି CWC ଅଧ୍ଯକ୍ଷ । ବାଂଲାଦେଶରୁ ଯୁବତୀଙ୍କୁ ଆଣି ଲକ୍ଷ ଲକ୍ଷ ଟଙ୍କା ଦେଇ ଟୁଇନସିଟିରେ ରଖି ଅନୈତିକ କାମରେ ନିୟୋଜିତ କରୁଛନ୍ତି ଦଲାଲ । ସେମାନଙ୍କ ଖୋଜି ବାହାର କରିବା ସହ ଦଲାଲଙ୍କୁ ଗିରଫ କରିବାକୁ ପୋଲିସର ସ୍ପେଶାଲ ଟିମ୍ ଛାନଭିନ୍ନ ଜାରି ରଖିଛି ।

ବୁର୍ଲା ଭୀମସାରରୁ ନବଜାତ ଶିଶୁ ଚୋରି !

ସମ୍ବଲପୁର : ବୁର୍ଲା ଭୀମସାରରୁ ନବଜାତ ଶିଶୁ ଚୋରି ! ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଛି । ଛତିଶଗଡରୁ ଆସି ଭୀମସାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳା । ରବିବାର ଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଭଉଣୀଙ୍କ ସହ ସମ୍ପର୍କ ବଢାଇ ଜଣେ ମହିଳା ତାଙ୍କ ନିକଟରୁ ବାରମ୍ବାର ଆସୁଥିଲେ । ସେହି ମହିଳା ହିଁ ତାଙ୍କ ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ଶିଶୁର ମାଆ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଭୀମସାର ଅଧିକାରୀ ଓ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ସିସିଟିଭିରେ ମହିଳାଙ୍କୁ ଚିହ୍ନଟ କରିଛନ୍ତି ଶିଶୁର ମାଆ ।

ଶୀତର ଆଗମନ ସହ କୋରାପୁଟରେ ଅଳସୀ ଫୁଲର ସମ୍ଭାର

ଜୟପୁର : ଫେରିଛି ବର୍ଷା, ଆସିଛି ଶୀତ । ସକାଳରେ କୁହୁଡ଼ିର ପତଳା ଚାଦରରେ ଘୋଡାଇ ହୋଇ ରହିଛି ପ୍ରକୃତି । ଆଉ କୋରାପୁଟର ସବୁଜିମା ପରିପୂର୍ଣ୍ଣ ଏହି ଶୋଭାକୁ ଆହୁରି ଦ୍ବିଗୁଣିତ କରିଛି ଅଳସୀ ଫୁଲ । ଜଙ୍ଗର ପାହାଡ଼ ଘେରା ଅଙ୍କାବଙ୍କା ରାସ୍ତାରେ ଦୁଇ କଡ଼ରେ ବିଛାଇ ଦେଇଛି ହଳଦୀ ରଙ୍ଗ । ସୂର୍ଯ୍ୟଙ୍କ ପହିଲି କିରଣ ସାଙ୍ଗକୁ କାକର ବୁନ୍ଦା ପଡ଼ି ଶୋଭାକୁ ଅଧିକ ଆକର୍ଷଣୀୟ କରୁଛି । କୋରାପୁଟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ବର୍ଷସାରା ଏଠାକୁ ପର୍ଯ୍ୟଟକକୁ ଆକୃଷ୍ଟ କରିଥାଏ । କିନ୍ତୁ ଶୀତ ଦିନ ଆସିଲେ କୋରାପୁଟ ହୋଇଥାଏ ଅଧିକ ସୌନ୍ଦର୍ଯ୍ୟମୟ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ କିଛି ଲେଖିବାକୁ କବି ଓ ଲେଖକଙ୍କୁ ପ୍ରେରଣା ଦେଇଥାଏ । ଅଳସୀ ଫୁଲର ସମ୍ଭାର କବି ଓ ପର୍ଯ୍ଯଟକଙ୍କୁ ମତୁଆଲା କରେ ।

ଅଳସୀ ଚାଷକୁ ବେଶ ଗୁରୁତ୍ୱ ଦିଅନ୍ତି କୋରାପୁଟ ଜିଲ୍ଲାର ଚାଷୀ । ଏହି ଚାଷ ଅକ୍ଟୋବର ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସର ମଧ୍ୟ ଆଡ଼କୁଅମଳ ହୋଇଥାଏ । ଏଥିରୁ ତେଲବାହାରୁଥିବାରୁ  ଭଲ ମୂଲ୍ୟରେ ବିକ୍ରି ହୋଇଥାଏ । ତେଣୁ ପାହାଡ଼ି ଅଞ୍ଚଳରେ ଏହାକୁ ଚାଷ କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରିଥାନ୍ତି । ଶୀତ ଋତୁରେ କୋରାପୁଟ ଜିଲ୍ଲାକୁ ଦେଶ ବିଦେଶର ପର୍ଯ୍ୟଟକ ଆସୁଥିବା ବେଳେ ରାସ୍ତା କଡରେ ଥିବା ଅଳସୀ ଫୁଲକୁ ଦେଖି ବିଭୋର ହୋଇ କିଏ ତୋ ସେଲ୍ଫି ଉଠାଇ ବାରେ ବ୍ୟସ୍ତ କିଏ ଏହାର ସୌନ୍ଦର୍ଯ୍ଯକୁ ନିଜର କ୍ଯାମେରାରେ କଏଦ କରି ରଖନ୍ତି ।

ବାଲିଯାତ୍ରା ସାରି ଦାୟିତ୍ବ ଭୁଲିଗଲା ପ୍ରଶାସନ, ମେଳା ସରିବା ପରେ ପଡ଼ିଆରେ ପଡ଼ି ରହିଛି କୁଢକୁଢ ଅଳିଆ

କଟକ: କେଉଁଠି କାଗଜପତ୍ର ସାଙ୍ଗକୁ ପ୍ଲାଷ୍ଟିକ ଅଳିଆ ତ କେଉଁଠି ଗଦା ହୋଇ ରହିଛି ପଚସଢା ଖାଦ୍ଯ ସାମଗ୍ରୀ । ବାଲିଯାତ୍ରା ସରିବା ପରେ ଇଏ ହେଉଛି ମହାନଦୀ ପଠାର ଦୃଶ୍ଯ । ୯ ଦିନ ଧରି ମହାନଦୀ ପଠାରେ ଉପର ଓ ତଳ ପଡ଼ିଆରେ ଚାଲିଥିଲା ଐତିହାସିକ ବାଲିଯାତ୍ରା । ଶନିବାର ଠାରୁ ଏହା ଉଦଯାପିତ ହୋଇଛି । ହେଲେ ୩ ଦିନ ବିତିଥିଲେ ସୁଦ୍ଧା ପଡ଼ିଆକୁ ସଫେଇ ଉପରେ ଧ୍ଯାନ ଦେଇନି ପ୍ରଶାସନ । ଫଳରେ ଅଳିଆ ଆବର୍ଜନା ପଡ଼ି ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ସକାଳୁ ସକାଳୁ ମର୍ଣ୍ଣିଂୱାକରେ ଆସୁଥିବା ଲୋକେ ଓ ସ୍ଥାନୀୟ ଅଧିବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତୁରନ୍ତ ଏହାକୁ ସଫା କରିବାକୁ ଲୋକେ ଦାବି କରିଛନ୍ତି ।

କଥା ହେଉଛି ବାଲିଯାତ୍ରା ପାଇଁ ଦେଢ ମାସ ଆଗରୁ ଯେଉଁ ପ୍ରସ୍ତୁତି ପ୍ରଶାସନ ଓ ସିଏମସି କରନ୍ତି ସେଥିରେ ପୂର୍ବ ପ୍ରସ୍ତୁତି, ମେଳାର ସଫଳ ଆୟୋଜନ ସହ ମେଳା ପରବର୍ତ୍ତି ସଫେଇ ଓ ପରିବେଶ ରକ୍ଷା କଥା ସ୍ଥିର ହୋଇ ଥାଏ । ହେଲେ ଏବେ ମେଳା ଭଲରେ ସରିଲା ବୋଲି ଶାନ୍ତିରେ ବସି ଯାଇଛି ପ୍ରଶାସନ । ଯେଉଁମାନେ ସଫେଇ ଦାୟିତ୍ବ ନେଇଛନ୍ତି ସେମାନେ ନିଜ ଦାୟିତ୍ବରେ ହେଳା କରିଛନ୍ତି । ଏକ ଘରୋଇ ସଂସ୍ଥା ସଫେଇ ଦାୟିତ୍ବ ନେଇଛି । ତେବେ କାମ କାହିଁକି ଆରମ୍ଭ ହୋଇନି ସେନେଇ ଅନୁଧ୍ଯାନ କରାଯିବ ବୋଲି କହିଛନ୍ତି ମେୟର ।

ସମ୍ବଲପୁର ଜିଲ୍ଲାରେ ମଣ୍ଡିରୁ ଉଠିପାରୁନି ଧାନ, ମାନ ନିର୍ଦ୍ଧାରଣକୁ ନେଇ ବଢୁଛି ଅସନ୍ତୋଷ

ସମ୍ବଲପୁର : ଧାନକିଣା ଆରମ୍ଭରୁ ଅବ୍ଯବସ୍ଥା । ମାନ ନିର୍ଦ୍ଧାରଣକୁ ନେଇ ଅସନ୍ତୋଷ ଚାଷୀ । କଟନୀ ଛଟନୀ ଭୟରେ ମିଲକୁ ଧାନ ନେବାକୁ ଚାଷୀ ନାରାଜ । ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ଯଳୟ ଆଗରେ ଧାରଣା । ସମ୍ବଲପୁରରେ ମଣ୍ଡିରୁ ଉଠିପାରୁନି ଧାନ । ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲେ ସୁଦ୍ଧା ଚାଉଁରପୁର ମଣ୍ଡିରୁ ଉଠିପାରୁନି ଧାନ । ହେଲେ ମିଲକୁ ଧାନ ନେବା ପାଇଁ ପରୋକ୍ଷରେ ଯୋଗାଣ ବିଭାଗ ଓ ସମବାୟ ବିଭାଗ କହୁଥିବାବେଳେ ଚାଷୀ ନିଜ ଜିଦରେ ଅଟଳ ।  ନିୟମ ହିସାବରେ ୧୭ ପ୍ରତିଶତ ତଳକୁ ମର୍ସଚାଇଜ୍ ଧାନ ଏଫଏକକ୍ଯୁ ଧାନ । ଚାଷୀ ଆଣିଥିବା ଧାନରେ ୧୨ ପ୍ରତିଶତ ମର୍ସରାଇଜ ରହିଛି । ହେଲେ ସମାନ ଧାନ ସିଧା ମିଲକୁ ଗଲେ ଏଫଏକ୍ଯୁ ନାହିଁ କହି ମିଲର୍ସ କଟନୀ ଛଟନୀ କରିବ । ଫଳରେ  ମଣ୍ଡିରୁ ଯୋଗାଣ ବିଭାଗ ହିସାବ ନିକାଶ କରି ନିଜେ ମିଲ ପଠାଉ ବୋଲି ଅଡି ବସିଛି ଚାଷୀ ।

ସବୁଠାରୁ ବଡ଼କଥା ହେଲା ଚଳିତ ବର୍ଷ କଟଣୀ କରାଯିବ ନାହିଁ ବୋଲି କହିଥିଲେ ସରକାର । କିନ୍ତୁ ଆରମ୍ଭରୁ କଟନୀ ଆରମ୍ଭ ହୋଇଛି । ପୂର୍ବରୁ ଶହେ କିଲୋ ପିଛା କିଛି ମାତ୍ରାରେ କଟା ଯାଉଥିଲା । କିନ୍ତୁ ଏବେ ତାହା ବସ୍ତା ପ୍ରତି କଟୁ ଥିବାରୁ ଚିନ୍ତାରେ ଜିଲ୍ଲାର ଚାଷୀ । ତେଣୁ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେଣି ବିଭିନ୍ନ କୃଷକ ସଂଗଠନ l ଆଗକୁ ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ରାଜ ରାସ୍ତାକୁ ଚାଷୀ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l ଯଦି ମିଲକୁ ଧାନ ସିଧାସଳଖ ନିଆଯିବ ତାହେଲେ ବହୁ ପରିମାଣରେ କଟନୀ ଛଟନୀ କରାଯିବ । ସେହି ଭୟରେ ଶୀତ କାକରରେ ରାତି ତମାମ ନିଜର ଫସଲ ଜଗିଛନ୍ତି ଚାଷୀ ।

ତେଜିଲା ଡାଲମିଆ ରିଫେକ୍ଟୋରିଜ୍ ବିବାଦ : ପୂନଃ ନିଯୁକ୍ତି ଓ ବକେୟା ଦରମା ପ୍ରଦାନ ଦାବିରେ ଯୁଦ୍ଧଂଦେହୀ ଡାକରା

ବାଲେଶ୍ବର : ହକ୍ ପାଇଁ ଅଣ୍ଟା ଭିଡ଼ିଲେ ଶ୍ରମିକ । ପୂନଃ ନିଯୁକ୍ତି ଦାବିରେ ଯୁଦ୍ଧଂଦେହୀ ଡାକରା । ଜାତୀୟ ରାଜପଥ ଅବରୋଧ ପାଇଁ ମିଳିତ ସଂଗଠନର ଘୋଷଣା । ରୋଜଗାର ଗଲା । ଭବିଷ୍ଯତ ଅନ୍ଧାର ହୋଇଗଲା । ପିଲାଙ୍କ ପାଠପଢାରେ ବନ୍ଧା ହେଲାଣି ଡୋରୀ । ତେଣୁ କମ୍ପାନୀ ବିରୋଧରେ ଜୋରଦାର ସଂଗ୍ରାମ ପାଇଁ ଯୋଜନା ଆରମ୍ଭ କରିଛି ମିଳିତ ଶ୍ରମିକ ସଂଗଠନ । ବାଲେଶ୍ବରରେ ଥିବା ଡ଼ାଲମିଆ ରିଫେକ୍ଟୋରିଜ୍ ଲିମିଟେଡ଼ କମ୍ପାନୀରେ । ବାରମ୍ବାର ତ୍ରିପାକ୍ଷିକ ବୈଠକ ବସିଛି । ବିର୍ଲା ଟାୟାରରେ କାମ କରିଥିବା ଶ୍ରମିକ ମାନଙ୍କୁ ପୁନଃନିଯୁକ୍ତି ଦେବାକୁ ଶ୍ରମିକ ସଂଗଠନ ଦାବି କରିଚାଲିଛି । ହେଲେ ବିଭିନ୍ନ ବାହାନାକରି ପୁରୁଣା କମ୍ପାନୀକୁ କିଣିଥିବା ଡ଼ାଲମିଆ ରିଫେକ୍ଟୋରିଜ୍ ଲିମିଟେଡ଼ ଏହାକୁ ଏଡ଼ାଇ ଚାଲିଛି । ଏପରିସ୍ଥିତିରେ ପ୍ରଶାସନର ନୀରବତା ସମସ୍ତଙ୍କୁ ଚକିତ କରିଛି । ୨୦୨୦ ରେ ପୁରୁଣା କମ୍ପାନୀ ବିର୍ଲା ଟାୟାର ବନ୍ଦ ଘୋଷଣା କରିବା ପରେ ଶ୍ରମିକମାନେ ଦିନ ମଜୁରିଆ ଭାବେ ପରିବାର ଚଳାଇଛନ୍ତି । ଭବିଷ୍ଯତ ତିଆରି କରିବାକୁ ଆଶାକରି ଯାହା ପାଇଁ ଅଧା ଜୀବନ ଦେଇଥିଲେ, ସେହି କମ୍ପାନୀ ଆଜି ତାଙ୍କୁ ଦୟନୀୟ ଅବସ୍ଥାରେ ଛାଡ଼ି ଦେଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।

କମ୍ପାନୀ କ୍ଷତିରେ ଚାଲୁଥିବା ଦର୍ଶାଇ ବିର୍ଲା ଟାୟାର କମ୍ପାନୀ ୨୦୨୦ ମାର୍ଚ୍ଚ ମାସ ୧୨ ତାରିଖରେ ବନ୍ଦ ଘୋଷଣା କରିଥିଲା । ସେହିଦିନ ପର୍ଯ୍ୟନ୍ତ ୬୫୦ ସ୍ଥାୟୀ ଓ ୫୨୫ ଅସ୍ଥାୟୀ କର୍ମଚାରୀଙ୍କର ୨୪ ମାସର ଦରମା ବାକି ରହିଥିଲା । ଶ୍ରମିକ ସଂଗଠନ ଓ ବିର୍ଲା ଟାୟାରକୁ କଞ୍ଚାମାଲ ଯୋଗାଇଥିବା କମ୍ପାନୀମାନଙ୍କ ତରଫରୁ ମାମଲା NCLTରେ ପହଞ୍ଚିଥିଲା । NCLTର ନିର୍ଦ୍ଦେଶ ଅନୁସାରେ ଏହି କମ୍ପାନୀକୁ ଡ଼ାଲମିଆ ରିଫେକ୍ଟୋରିଜ୍ ଲିମିଟେଡ଼ ହାତକୁ ନେଇଥିଲା । ପୁରୁଣା କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ, ପୁରୁଣା କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଅବସର ବୟସ ୬୦ ବର୍ଷରୁ ଉର୍ଦ୍ଧ ବୟସର ଶ୍ରମିକଙ୍କୁ ଅବସର କାଳୀନ ସମସ୍ତ ସୁବିଧା ପ୍ରଦାନ କରିବା, ପୂର୍ବ କମ୍ପାନୀକୁ କଞ୍ଚାମାଲ ଯୋଗାଇଥିବା କମ୍ପାନୀ ମାନଙ୍କର ବକେୟା ପୈଠକରିବା ଭଳି ଏକାଧିକ ସର୍ତ୍ତ ରହିଥିଲା । ଏନେଇ ପ୍ରଶାସନ, ଶ୍ରମିକ ସଂଗଠନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ବୈଠକ ବସିଛି । ହେଲେ ବୈଠକରେ ସମସ୍ତ ସର୍ତ୍ତ ମାନିବାକୁ ରାଜି ହୋଇ ବାସ୍ତବରେ ଶ୍ରମିକଙ୍କୁ ଠକି ଚାଲିଛି କମ୍ପାନୀ । ଏନେଇ ଆସନ୍ତା ୨୯ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯିବାକୁ ମିଳିତ ଶ୍ରମିକ ସଂଗଠନର ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେପଟେ ଏ ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ସୂଚନା ନଥିବା ଜିଲ୍ଲାପାଳ ମନ୍ତବ୍ୟ ଦେବା ନିଆଁରେ ଘିଅ ଢାଳିବା ଭଳି ସ୍ଥିତି ସୃଷ୍ଟି କରିଛି। ଠକୁଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ସହଯୋଗ କରୁଛି ଜିଲ୍ଲା ପ୍ରଶାସନ । ପାରିବାରିକ ସ୍ଥିତି ବିଗୁଡୁଥିବାରୁ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି ଶ୍ରମିକ ।

ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ

ଭୁବନେଶ୍ବର : ସମ୍ବିଧାନ ଦିବସ ଅବସରରେ ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ । ହତ୍ୟା, ଦୁଷ୍କର୍ମ, ଡକାୟତି ଭଳି ସଂଗୀନ ଅଭିଯୋଗରେ ଆଜୀବନ ସଜା କାଟୁଥିବା ଏହି କଏଦୀଙ୍କୁ ଆଜି ଛାଡିଦିଆଯାଇଛି । ଯେଉଁଥିରେ ରାଉଲକେଲାରୁ ୨ ଜଣ, ଜାମୁଝରି ଜେଲରୁ ୩, କୋରାପୁଟ ଜେଲରୁ ୪ ଜଣ, ସମ୍ବଲପୁର, ଭୁବନେଶ୍ୱର ଓ ଫୁଲବାଣୀ, ବଣାଇଗଡ଼ ଓ ଦେବଗଡ଼ରୁ ଜଣେ ଲେଖା କଏଦୀ ଜେଲରୁ ମୁକୁଳିଛନ୍ତି । ଜେଲରେ କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ଜେଲ ବିଭାଗ ଏମାନଙ୍କ ମୁକ୍ତି ଲାଗି ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିସ କରିଥିଲା । ଏହି କଏଦୀଙ୍କୁ ମୁକୁଳାଇବା ପାଇଁ ରାଜ୍ୟ ସରକାରଙ୍କଠୁ ଅନୁମୋଦନ ମିଳିବା ପରେ ଏହି କଏଦୀମାନେ ଆଜି ମୁକ୍ତିର ସ୍ବାଦ ଚାଖିଛନ୍ତି ।  ସେପଟେ BNS-୪୭୯ ଦଫାରେ ୧୦ ଜଣ ବିଚାରାଧୀନ କଏଦୀଙ୍କୁ ମଧ୍ୟ ଜେଲରୁ ଜାମିନ ଦିଆଯାଇଛି ।  ଯେଉଁଥିରେ ଭୁବନେଶ୍ୱରରୁ ୯ ଜଣ ଜଗତସିଂହପୁରରୁ ଜଣେ କଏଦୀ ସାମିଲ ଅଛନ୍ତି । ଏମାନେ ନିଜ ସଜାର ଏକ ତୃତୀୟାଂଶ ଅବଧି ଜେଲରେ କାଟିସାରିଛନ୍ତି । ସେହିପରି ଅନୁଗୁଳ, ରାଉରକେଲା ଓ ପାଟଣାଗଡ଼ରୁ ଜଣେ ଲେଖାଏଁ କଏଦୀଙ୍କୁ ଛାଡିବା ପାଇଁ ସୁପାରିଶ ହୋଇଛି ।

ବିପର୍ଯ୍ୟୟ ସ୍କୁଲ ବ୍ୟବସ୍ଥା : ପାଠପଢ଼ା ଛାଡ଼ି ବାହାରେ ବୁଲୁଛନ୍ତି ପିଲା

ଆସିକା : ସ୍କୁଲରେ ପାଠପଢ଼ା ସମୟରେ ବାହାରେ ବୁଲୁଛନ୍ତି ପିଲା । ଆଉ କିଛି ପିଲା ସ୍କୁଲ ପାଖ ପୋଖରୀ ହୁଡ଼ାରେ ବସି ଗପସପ୍ କରୁଛନ୍ତି । ସେପଟେ କ୍ଲାସ ରୁମରେ ମଧ୍ୟ ପିଲାମାନେ ଡିଆଁଡିଇଁ, ହୋ ହଲ୍ଲା କରୁଛନ୍ତି । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ହରିପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ । ସ୍କୁଲରେ ଶୌଳାଚଳୟ ନଥିବା ବେଳେ ପାଚେରୀ ନଥିବାରୁ ପିଲାମାନେ ବାହାରେ ବୁଲୁଛନ୍ତି । ଏହି ସ୍କୁଲରେ ପାଠପଢ଼ା ପାଇଁ ୧୩ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ମାତ୍ର ୩ରୁ ୪ଜଣ ଶିକ୍ଷକ ଆସି ଦାୟିତ୍ଵ ତୁଲାଉ ଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି ।  ଶିକ୍ଷକମାନେ ସ୍କୁଲ ଆସୁନଥିବାରୁ ପାଠ ପଢ଼ା ହେଉନାହିଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ସେପଟେ ପିଲାଙ୍କ ଭବିଷ୍ଯତ ନେଇ ଚିନ୍ତାରେ ଅଭିଭାବକ ।

ରାଜ୍ୟରେ ସରକାର ପରିବର୍ତ୍ତନ ପରେ ବିପର୍ଯ୍ୟସ୍ତ ହୋଇ ପଡିଛି ଶିକ୍ଷା ବ୍ୟବସ୍ଥା l ସ୍କୁଲରେ ଶିକ୍ଷକ କ୍ଲାସ ସମୟରେ ଧ୍ଯାନ ଦେଉନଥିବାରୁ ଢିଲା ହୋଇଛି ପାଠପଢ଼ା । ଯାହା ଧରାକୋଟ ବ୍ଲକର ହରିପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୩୦ଜଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧୩ଜଣ ଶିକ୍ଷକ ରହିଛନ୍ତି । ବାକି ଶିକ୍ଷକ କୁଆଡ଼େ ଗଲେ ବୋଲି ଉଠିଛି ପ୍ରଶ୍ନ । ସେପଟେ ୨ଜଣ ଶିକ୍ଷକ ତାଲିମରେ ଯାଇଥିବା, ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ କହିଥିବା ବେଳେ ୫ଜଣ ଶିକ୍ଷକ ତାଲିମ ଯାଇଥିବା କହୁଛନ୍ତି ଧରାକୋଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ । କଥାରେ ତାଳମେଳ ରହୁ ନଥିବାରୁ ପିଲାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି । ହରିପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ାରେ ଅବହେଳା ହେଉଥିବା ବେଳେ । ପ୍ରଧାନ ଶିକ୍ଷୟତ୍ରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କଥାରେ ତଳ ମେଳ ରହୁନାହିଁ l ନିଯୁକ୍ତି ପାଇ ଦାୟିତ୍ଵ ତୁଲାଉନଥିବା ଶିକ୍ଷକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।