ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା। ଜଣେ ଗର୍ଭବତୀ ଯୁବତୀଙ୍କୁ ହତ୍ଯା କରିବା ପରେ ପ୍ରେମିକ ପୋତି ଦେଇଥିବା ଅଭିଯୋଗ ହୋଇଛି। ବିବାହ କରିବା ଲାଗି ଯୁବତୀ ଜଣକ ଜିଦ୍ କରିବା ପରେ ଉତ୍ତ୍ଯକ୍ତ ହୋଇ ତାଙ୍କୁ ପ୍ରେମିକ ଜଣକ ହତ୍ଯା କରିଥିବା ଅଭିଯୋଗ ହୋଇଛି। ଏହା ସହ ଗର୍ଭସ୍ଥ ଭୂଣକୁ ବି ହତ୍ଯା କରିବା ଲାଗି ପ୍ରେମିକ ଚାପ ପକାଇଥିବା କୁହାଯାଇଛି। ପଶ୍ଚିମଦିଲ୍ଲୀର ନାଙ୍ଗଲୋଇର ୧୯ ବର୍ଷ ବୟସ୍କା ଯୁବତୀ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିଲେ। ତାଙ୍କର ୬ ହଜାର ଫଲୋୟର୍ସ ଥିଲେ। ସେ ସଲିମ ନାମକ ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ। ପରେ ସେମାନଙ୍କ ମଧ୍ଯରେ ଶାରୀରିକ ସମ୍ପର୍କ ପ୍ରତିଷ୍ଠା ହେବା ସହ ଯୁବତୀଜଣକ ୭ ମାସର ଗର୍ଭବତୀ ଥିଲେ। ଯୁବତୀଜଣକ ବିବାହ ଲାଗି ବାଧ୍ଯ କରିବାରୁ ତାଙ୍କୁ ସଲିମ ହତ୍ଯା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଲିମକୁ ଦୁଇ ଜଣ ସହଯୋଗ କରିଥିଲେ। ଯୁବତୀଜଣକୁ ହରିୟାଣାର ରୋହତକକୁ ନେଇ ସେଠାରେ ହତ୍ଯା କରି ପୋତି ଦେଇଥିଲେ। ସଲିମ ଓ ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି। ଅନ୍ଯ ଜଣେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।
ଆସିଲା କୃଷି ବିଭାଗର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ
ଭୁବନେଶ୍ବର : ବାତ୍ଯା ପରେ ଆସିଲା କୃଷି ବିଭାଗର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ। ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି। ସର୍ବାଧିକ କ୍ଷତି ଘଟିଛି ରାଜକନିକା, ଆଳି, ମହlକlଳପଡ଼ାରେ। ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି। ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରି ଭୋଖରି, ଧାମନଗରରେ କ୍ଷତି ହୋଇଛି. ବାଲେଶ୍ୱରରେ ୩୧୪୧ ହେକ୍ଟର ଜମି କ୍ଷତି ହୋଇଛି। ସେହିପରି ମୟୂରଭଞ୍ଜରେ ମୋଟ ୨୩୮୧ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି। ଯାଜପୁରରେ ୨୭୦୯, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷୟ କ୍ଷତି ହୋଇଛି।
ଭୁବନେଶ୍ୱରରେ ବାଘ ଆତଙ୍କ : ଆସିଲା ଜାଲ ଓ କୁକୁଡା
ଭୁବନେଶ୍ୱର : ରାଜଧାନୀରେ ବାଘ ଆତଙ୍କ। ଭୁବନେଶ୍ୱର ବିମାନ ବନ୍ଦର ଡମ୍ପିଂ ୟାର୍ଡ ନିକଟରେ ବାଘ ଦେଖା ଯିବା ପରେ କାବୁ କରିବାକୁ ରଣନୀତି କରୁଛି ବନ ବିଭାଗ। ବାଘକୁ ଧରିବା ପାଇଁ କରିବ ବେଟିଂ। ଆସିସାରିଛି ଜାଲ। କୁକୁଡାର ଲୋଭ ଦେଖାଇ ବାଘକୁ ଧରିବାକୁ ଉଦ୍ୟମ କରୁଛି ବନ ବିଭାଗ। ପାଦ ଚିହ୍ନ ଯେଉଁ ପଟେ ପଡିଛି, ସେହିପଟେ ରେଞ୍ଜର ବୁଲି ଦେଖିଛନ୍ତି। ମହିଳା ଜଣକ ବାଘ ଦେଖିଥିବା ନେଇ ସୂଚନା ଦେଇଥିଲେ। ରେଞ୍ଜରଙ୍କ କହିବା କଥା ପଦ ଚିହ୍ନକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ପଦ ଚିହ୍ନକୁ ଦେଖିଲେ ଏହା ଏକ ଜଙ୍ଗଲୀ ବିରାଡ଼ି ଭଳି ଲାଗୁଛି ବୋଲି କହିଛନ୍ତି ନଗର ବନଖଣ୍ଡ ରେଞ୍ଜର।
ଜିରୋ କାଜୁଆଲିଟି ନେଇ ସରକାର ଶ୍ବେତପତ୍ର ଆଣନ୍ତୁ : ବିଜେଡି
ଭୁବନେଶ୍ବର : ବାତ୍ୟା ‘ଦାନା’ ସମୟରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ନେଇ ବର୍ଷିଛି ବିଜେଡି । ବଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ବାତ୍ଯା ପରିଚାଳନାରେ ବିଫଳତାକୁ ନେଇ ରାଜ୍ଯ ସରକାର ତାତ୍ସଲ୍ଯ କରିଛନ୍ତି । ସେ କହିଛନ୍ତି, ୧୫ ଦିନରୁ ଅଧିକ ହେଲା ବାତ୍ଯା ସମ୍ପର୍କରେ ସୂଚନା ମିଳିଥିଲା । ରାଜ୍ଯ ସରକାର ବିପର୍ଯ୍ୟୟରୁ ସୁଯୋଗ ଖୋଜୁଥିଲେ । ରାଜ୍ଯ ସରକାର ଲୋକହସାର ପାତ୍ର ହୋଇଛନ୍ତି । ସାଇକ୍ଲୋନ ଦାନାକୁ ନେଇ ସରକାର କାହାଣୀ ରଚୁଥିଲେ । ଜିରୋ କାଜୁଆଲିଟି ସ୍ଲୋଗାନର ଭିତ୍ତି ନାହିଁ । ରାଜ୍ଯରେ ୪ ଜଣଙ୍କ ମୃତ୍ଯୁ ଘଟିଛି । ସେମାନଙ୍କ ମଧ୍ୟରୁ ରାଜନଗରରେ ୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ମୁଖ୍ଯମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଜଣେ ପ୍ରାଣ ହରାଇଛନ୍ତି । ୧୯୯୯ରେ ରାଜ୍ଯରେ ଥିଲା ମାତ୍ର ୨୩ଟି ବାତ୍ଯା ଆଶ୍ରୟସ୍ଥଳ । ୨୦୨୪ରେ ଏହି ସଂଖ୍ଯା ହୋଇଥିଲା ୯୦୦ । ୪୫୦ଟି ବାତ୍ଯା ଆଶ୍ରୟସ୍ଥଳ ଅତ୍ଯାଧୁନିକ ଥିଲା । ବାତ୍ଯା ନେଇ ରାଜ୍ଯ ସରକାର ଆତଙ୍କ ସୃଷ୍ଟି କରାଇଲେ । ଲ୍ଯାଣ୍ଡଫଲ ବେଳେ ପବନର ଗତି ବହୁତ କମ୍ ଥିଲା । ଏହି ଧରଣର ବାତ୍ଯାରେ ଲୋକଙ୍କୁ ସ୍ଥାନାନ୍ତର ଅନାବଶ୍ଯକ ଥିଲା । ୟାସ୍ ବାତ୍ଯା ବେଳେ ୧୮୫ କିମି ବେଗରେ ପବନ ବହିଥିଲା । ୟାସ ବେଳେ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । କେତେ ଲୋକଙ୍କୁ ବାସ୍ତବରେ ସ୍ଥାନାନ୍ତର କରାଗଲା ତାହା ସରକାର ସ୍ପଷ୍ଟ କରନ୍ତୁ । ବାତ୍ଯା ସମ୍ପର୍କରେ ରାଜ୍ଯ ସରକାର ଶ୍ବେତପତ୍ର ଜାରି କରନ୍ତୁ । କେତେ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି? କେଉଁ ଆଶ୍ରୟସ୍ଥଳୀରେ କେତେ ଲୋକ ରହିଛନ୍ତି ? ଜିରୋ କାଜୁଆଲିଟି ନେଇ ମଧ୍ୟ ସରକାର ଶ୍ବେତପତ୍ର ଆଣନ୍ତୁ । ବାରମ୍ବାର ମିଛ କହି ମିଛକୁ ସତରେ ପ୍ରମାଣିତ କରିବାର ଅପଚେଷ୍ଟା ଚଳାଇଛନ୍ତି ।
ଅନ୍ୟପଟେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ବସ୍ତରୀୟ ରେକର୍ଡ ରହିଛି । ବାତ୍ଯା ପରିଚାଳନାରେ ନବୀନ ସରକାର ଇତିହାସ ରଚିଥିଲେ । ବିଗତ ୨୪ବର୍ଷରେ ନବୀନ ଯାହା କରିଥିଲେ ତାହାକୁ ରାଜ୍ଯବାସୀ ମନେପକାଉଛନ୍ତି । ୨୪ ବର୍ଷ ଭିତରେ ଓଡ଼ିଶା ଅନେକ ବିପର୍ଯ୍ୟୟର ଶିକାର ହୋଇଛି । ତତକାଳୀନ ନବୀନ ସରକାର ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇଥିଲେ । ରାଜ୍ଯରେ ବିପର୍ଯ୍ୟୟ ପରିଚାଳନାର ବିଶାଳ ଭିତ୍ତିଭୂମି ତିଆରି ହୋଇଥିଲା । ତାହାର ଫଳ ସ୍ବରୂପ ଆଜି ଓଡ଼ିଶା ସଫଳତାର ମୁକାବିଲା କରିପାରୁଛି । ନବୀନ ସରକାରଙ୍କ ମଡେଲକୁ ଜାତିସଂଘ ବି ପ୍ରଶଂସା କରିଥିଲା । ହେଲେ ବର୍ତ୍ତମାନ ମୁଖ୍ଯମନ୍ତ୍ରୀ ମୋହନ ମାଝି ଓଡିଶାବାସୀଙ୍କର କମ୍ ପ୍ରଧାନମନ୍ତ୍ରୀଙ୍କ ସାର୍ଟିପିକେଟ ଲୋଡାକଲେ । ବାତ୍ଯାରେ ମନ୍ତ୍ରୀମାନଙ୍କ ଭାଷଣବାଜି ଚାଲିଥିଲା । ଫଟୋ ରାଜନୀତିରେ ବିଶ୍ବାସ କଲେ ରାଜ୍ଯ ସରକାର । ନବୀନଙ୍କ ସମସ୍କନ୍ଧ ହେବା ଲାଗି ଚାଲିଥିଲା ପ୍ରତିଯୋଗିତା ।
କ୍ଯାଲସିୟମ ୫୦୦ ମିଲିଗ୍ରାମ ଓ ଭିଟାମିନ ଡି-୩ ଖାଉଥିଲେ ସାବଧାନ !
ନନ୍ଦିଘୋଷ ବ୍ୟୁରୋ : କ୍ଯାଲସିୟମ ୫୦୦ ମିଲିଗ୍ରାମ ଓ ଭିଟାମିନ ଡି-୩ ଖାଉଛନ୍ତି କି । ତେବେ ହୁଅନ୍ତୁ ସାବଧାନ ! ଲାଇଫ ମାକ୍ସ କ୍ଯାନସର ଲାବରେଟୋରିଜ ଦ୍ବାରା ପ୍ରସ୍ତୁତ ଏହି ଟାବଲେଟ ଗୁଣବତ୍ତା ପରୀକ୍ଷାରେ ଫେଲ ହୋଇଛି । କେବଳ ଏହି ଦୁଇଟି ଟାବଲେଟ ନୁହେଁ, ୪୯ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛନ୍ତି ବୋଲି କହିଛି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା ସିଡିଏସସିଓ । ସଂଗୃହୀତ ୩ ହଜାରରୁ ଅଧିକ ନମୁନା ଔଷଧର ପରୀକ୍ଷା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏପରିକି ଜାଲ୍ କମ୍ପାନୀ ଦ୍ବାରା ପ୍ରସ୍ତୁତ ୪ଟି ଔଷଧକୁ ବିପଜ୍ଜନକ ବୋଲି କୁହାଯାଇଛି । ସର୍ବସାଧାରଣ ନିରାପତ୍ତା ଲାଗି ସିଡିଏସସିଓ ପକ୍ଷରୁ ଏହି ଔଷଧଗୁଡ଼ିକର ବ୍ଯାଚ ଓ୍ବାରୀ ପ୍ରତ୍ଯାହାର କାର୍ଯ୍ୟ କରାଯାଇଛି । ସିଡିଏସସିଓ ମୁଖ୍ଯ ରାଜୀବ ସିଂ ରଘୁବଂଶ କହିଛନ୍ତି- ପରୀକ୍ଷା କରାଯାଇଥିବା ଔଷଧଗୁଡ଼ିକର ଏକ ପ୍ରତିଶତ ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛନ୍ତି । ଅନ୍ଯ ଯେଉଁ ଔଷଧ ଗୁଣବତ୍ତା ହରାଇଛନ୍ତି ସେଗୁଡିକ ହେଲା ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସର ମେଟ୍ରୋନିଡାଜୋଲ ଟାବଲେଟ, ରେନବୋ ଲାଇଫ ସାଇନ୍ସର ଡୋମ୍ପେରିଡୋନ ଟାବଲେଟ, ପୁସ୍କର ଫାର୍ମାର ଅକ୍ସିଟୋସିନ ଇଞ୍ଜେକସନ । ସେହିପରି ସୁଇସ ବାୟୋଟେକ ପାରେଣ୍ଟାଲସର ମେଟଫର୍ମିନ, ଲାଇଫ ମାକ୍ସ କ୍ଯାନସର ଲାବରେଟୋରିଜର କ୍ଯାଲସିୟମ ୫୦୦, ଭିଟାମିନ ଡି-୩-୨୫୦ ଆଇୟୁ ଟାବଲେଟ, ଆଲକେମ ଲ୍ଯାବସର ପାନ-୪୦, କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସର ପାରାସିଟାମଲ ଟାବଲେଟ ଗୁଣବତ୍ତା ରକ୍ଷା କରିବାରେ ବିଫଳ ହୋଇଥିବା ଦର୍ଶାଯାଇଛି । ଗଜ ରୋଲ୍ ନନ ଷ୍ଟରାଇଲ ରୋଲର ବ୍ଯାଣ୍ଡେଜ, ଡାଇକ୍ଲୋଫେନାକ ସୋଡିୟମ ଟାବଲେଟ ବି ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଛି ।
ପଞ୍ଜାବରେ ଚାଷୀ ଆନ୍ଦୋଳନ, ବିଭିନ୍ନ ସ୍ଥାନରେ ଚକାଜାମ୍
ପଞ୍ଜାବ : ପୁଣି ଚାଷୀଙ୍କ ଯୁଦ୍ଧଂ ଦେହୀ ଡାକରା। ଭାରତୀୟ କିଷାନ ୟୁନିଅନ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ। ପଞ୍ଜାବର ବିଭିନ୍ନ ସ୍ଥାନରେ କରାଯାଇଛି ଆନ୍ଦୋଳନ। ପଞ୍ଜାବର ସାଙ୍ଗରୁର, ମୋଗା, ଫଗୱାରା ଓ ବାଟାଲାରେ ହୋଇଛି ଚକାଜାମ ଆନ୍ଦୋଳନ। ଶହ ଶହ ଚାଷୀ ରାଜପଥ ଅବରୋଧ କରିବା ସହ ନାରାବାଜି କରିଛନ୍ତି। ଚାଷୀଙ୍କ ଦାବି ନ ପୂରଣ ହେଲେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିଅନ(କ୍ରାନ୍ତିକାରୀ) ଅଧ୍ଯକ୍ଷ ସୁରଜିତ ସିଂ ଫୁଲ୍। ଧାନ କିଣାରେ ବିଭ୍ରାଟ, ଧାନ ଉଠାଣରେ ଅବ୍ୟବସ୍ଥା, ଆବଶ୍ୟକ ମୁତାବକ ଡିଏପି ସାର ଯୋଗାଣ ହେଉନଥିବା ଓ ନଡ଼ା ପୋଡ଼ିକୁ ନେଇ ଏହି ଆନ୍ଦୋଳନ କରାଯାଉଛି। ନଡ଼ା ପୋଡ଼ି ଅଭିଯୋଗରେ ଅନେକ ଚାଷୀଙ୍କ ବିରୋଧରେ ମାମଲା କରାଯାଇଛି। ଏହାକୁ ଚାଷୀମାନେ ବିରୋଧ କରୁଛନ୍ତି। କୃଷକଙ୍କ ସମସ୍ୟା ପାଇଁ ସେମାନେ ଉଭୟ କେନ୍ଦ୍ର ସରକାର ଓ ପଂଜାବ ସରକାରଙ୍କୁ ଦାୟୀ କରିଛନ୍ତି। ମିଲ୍ ମାଲିକଙ୍କ ଆନ୍ଦୋଳନ ପାଇଁ ମଣ୍ଡିରୁ ଧାନ ଉଠିପାରୁନି। ସେଥିପାଇଁ ସମସ୍ୟା ଆହୁରି ବଢ଼ିଛି।
ଲଘୁଚାପରେ ପରିଣତ ହେଲା ଅବପାତ, ୪ଟି ଜିଲ୍ଲାରେ ପ୍ରବଳ ବର୍ଷିବ !
ଭୁବନେଶ୍ୱର : ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେଲା ଅବପାତ। ଏହା ଉତ୍ତର ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ରହିଛି। ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି। ସେହିପରି କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଏହା ରହିଛି। ପ୍ରବଳ ବର୍ଷା ନେଇ ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଢ଼େଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହାସହ ୫ ଜିଲ୍ଲା ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଅନୁଗୁଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଜି ଦିନ ତମାମ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସମୁଦ୍ର ଅଶାନ୍ତ ଥିବାରୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ବିମାନ ବନ୍ଦର ନିକଟରେ ବାଘ ଆତଙ୍କ !
ଭୁବନେଶ୍ୱର : ରାଜଧାନୀରେ ବାଘ ଆତଙ୍କ। ବାଘ ବୁଲୁଥିବା ନେଇ ଦେଖିଥିଲେ ବିମାନ ବନ୍ଦର ଡମ୍ପିଂ ୟାର୍ଡରେ କାମ କରୁଥିବା ମହିଳା କର୍ମଚାରୀ। ହଳଦିଆ ରଙ୍ଗର ବାଘକୁ ନେଇ ଭୟଭୀତ ହୋଇପଡିଛନ୍ତି ଲୋକ। ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। ଏହାସହ ବନ ବିଭାଗ ଅଧିକାରୀଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ବାଘର ପାଦ ଚିହ୍ନ ବି ରହିଛି। ବାଘକୁ କାବୁ ନ କରିବା ଯାଏଁ କାମ କରିବେନି ବୋଲି କହିଛନ୍ତି ମହିଳା କର୍ମଚାରୀ ।
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା, ରୋଗୀଙ୍କ ସମ୍ପର୍କୀୟଙ୍କୁ ଫେରାଇଲେ ପାଇଥିବା ଟଙ୍କା
ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ଟଙ୍କା ପାଇ ଫେରାଇଲେ ବାତ୍ୟା ସମୟରେ ରୋଗୀଙ୍କୁ ନେଇ ମେଡିକାଲ ଯାଇଥିବା ୧୦୮ ଆମ୍ବୁଲାନ୍ସର ହେଲପର । ବିପର୍ଯ୍ୟୟ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ସ୍ଥାନୀୟ ଲୋକେ ତଥା ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରଶଂସା କରିଛନ୍ତି । ବାତ୍ୟା ଦାନା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଡେରା ପଞ୍ଚାୟତ କାଠୁଆଗଣ୍ଡ ଗାଁକୁ ରୋଗୀଙ୍କୁ ଆଣିବାକୁ ଯାଇଥିଲା ଆମ୍ବୁଲାନ୍ସ । ଗଛ ଭାଙ୍ଗିପଡ଼ି ରାସ୍ତା ଅବରୋଧ ସତ୍ଵେ ବହୁ ସଂଘର୍ଷ ପରେ ରୋଗୀଙ୍କୁ ଆଣିବାକୁ କାଠୁଆ ଗାଁରେ ପହଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ । ରୋଗୀଙ୍କ ଗାଁରେ ପହଞ୍ଚିଥିଲେ ମଧ୍ୟ ରୋଗୀଙ୍କ ଘର ପର୍ଯ୍ୟନ୍ତ ଯାଇପାରି ନଥିଲା ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସ ହେଲପର ମାନସ କୁମାର ମଲ୍ଲିକ ରୋଗୀଙ୍କୁ ଟେକି ଟେକି ଆମ୍ବୁଲାନ୍ସ ମଧ୍ୟକୁ ଆଣିଥିଲେ । ପରେ ରୋଗୀଙ୍କୁ ସୁରକ୍ଷିତ ଭାବେ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ରୋଗୀଙ୍କୁ ଛାଡ଼ିବା ପରେ ଆମ୍ଵୁଲାନ୍ସ ଭିତର ସଫା କରୁଥିବା ବେଳେ ରୋଗୀଙ୍କ ସମ୍ପର୍କୀୟଙ୍କ ପକେଟରୁ ପଡ଼ିଯାଇଥିବା ୬ ହଜାର ୫୦୦ ଟଙ୍କା ପାଇଥିଲେ ମାନସ। ଟଙ୍କା ପାଇବା ପରେ ସଙ୍ଗେ ସଙ୍ଗେ ରୋଗୀଙ୍କ ସମ୍ପର୍କୀୟଙ୍କୁ ତାଙ୍କ ଟଙ୍କା ଫେରାଇଥିଲେ । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ସ୍ଥାନୀୟ ଲୋକେ ତଥା ହସ୍ପିଟାଲ କର୍ତ୍ତୃପକ୍ଷ ବହୁତ ପ୍ରଶଂସା କରିଛନ୍ତି ।
୨୦ କେଜି ସୁନା ଜବତ, ୩ ଜଣ ଅଟକ
ବାରିପଦା : ବାରିପଦା ଏମକେସି ହାଇସ୍କୁଲ ଛକରେ ବଡ଼ ଧରଣର ଚଢ଼ାଉ । ସିକ୍ୱେଲ କମ୍ପାନୀର ଲଜିଷ୍ଟିକ ଗାଡି ସହ ୨୦ କେଜି ସୁନା ଜବତ କରାଯାଇଛି । ଏହାସହ ୩ ଜଣଙ୍କୁ ଅଟକ ରଖାଯାଇଛି । ବାରିପଦା ବାଣିଜ୍ୟକର ଓ GST ପକ୍ଷରୁ ଏହି ସବୁ ସୁନାକୁ ଜବତ କରାଯାଇଛି। ବ୍ୟବସାୟୀଙ୍କ ନିକଟରେ ଡେଲିଭରୀ ସମୟରେ ବିଶେଷ ସୂତ୍ରରୁ ଖବର ପାଇ GST ଅଧିକାରୀ ଚଢ଼ାଉ କରିଥିଲେ। ମୁମ୍ବାଇରୁ ଆସୁଥିଲା ସୁନା ଅଳଙ୍କାର । ତେବେ ଯାଞ୍ଚ ସମୟରେ ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ସୁନା ସହ ଗାଡ଼ିକୁ ଜବତ କରାଯାଇଛି ।

