ଭୁବନେଶ୍ବର : ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ ଥିଲେ ଜଣେ ସାଲିସବିହୀନ ରାଜନେତା । ଜଣେ ନିର୍ଭୀକ ସାମ୍ବାଦିକ ଓ ଜଣେ ଜନନାୟକ । ପ୍ରଗତିବାଦୀ ଖବର କାଗଜର ପ୍ରତିଷ୍ଠାତା ଭାବେ ଲୋକଙ୍କ ସ୍ୱାର୍ଥକୁ ପ୍ରଥମେ ଗୁରୁତ୍ୱ ନେଇ ସେ କାମ କରିଆସୁଥିଲେ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଦ୍ଯୁମ୍ନ ବଳଙ୍କ ଦୁଇ ଦିନିଆ ଜୟନ୍ତୀ ସମାରୋହର ଉଦଯାପନୀ ସଂଧ୍ଯାରେ ଯୋଗଦେଇ ଏହି ମତ ରଖିଛନ୍ତି ନବୀନ । ପ୍ରଗତିବାଦୀ ପକ୍ଷରୁ ପ୍ରଦ୍ଯୁମ୍ନ ବଳଙ୍କ ଜୟନ୍ତୀ ପାଳନ କରିଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହ ସମସ୍ତ ପୁରସ୍କୃତ ଓ ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କୁ ନବୀନ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ନବୀନ ପହଞ୍ଚିବା ପରେ ପ୍ରଥମେ ସ୍ବର୍ଗତ ପ୍ରଦ୍ଯୁମ୍ନ ବଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପ୍ରଗତିବାଦୀର ନିର୍ଦ୍ଦେଶିକା ଶାଶ୍ଵତୀ ବଳ, ଅଧ୍ୟକ୍ଷ ମୋନାଲିସା ବଳ, କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଯୋଗ ଦେଇ ଅଭିଭାଷଣ ରଖିଥିଲେ । ଏହି ଅବସରରେ ପ୍ରଦ୍ଯମ୍ନ ବଳଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ସଂକଳନକୁ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ବିଶିଷ୍ଟ ଗାନ୍ଧିବାଦୀ ନେତ୍ରୀ କୃଷ୍ଣା ମହାନ୍ତିଙ୍କୁ ପ୍ରଦ୍ଯମ୍ନ ବଳ ସମ୍ମାନ-୨୦୨୪ ଓ ମୟୂରଭଞ୍ଜ ବେତନଟୀର ବରିଷ୍ଠ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀଙ୍କୁ ପ୍ରଦ୍ଯମ୍ନ ବଳ ସାମ୍ବାଦିକତା ସମ୍ମାନ ପ୍ରଦାନ କରିଥିଲେ ନବୀନ । ଏହାବାଦ ଅନ୍ୟପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ସିଙ୍ଗଡ଼ାକୁ ନେଇ ହିମାଚଳ ରାଜନୀତି ସରଗରମ
ନନ୍ଦିଘୋଷ ବ୍ୟୁରୋ : ସମୋସା ବା ସିଙ୍ଗଡ଼ାକୁ ନେଇ ହିମାଚଳ ରାଜନୀତିରେ ଦେଖାଦେଇଛି ବିବାଦ । ସମୋସା ଯୋଗୁ ୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କେବଳ ଏତିକି ନୁହେଁ, ସେମାନଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ରାଜ୍ୟର ସିଆଇଡି ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ଗତ ଅକ୍ଟୋବର ୨୧ରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସିଆଇଡି ହେଡକ୍ଵାର୍ଟରରେ ସାଇବର ୱିଙ୍ଗ୍ ଷ୍ଟେସନ ଉଦଘାଟନ କରିବାକୁ ଯାଇଥିଲେ । ଏଠାରେ ସିଏମଙ୍କ ପାଇଁ ଅଣାଯାଇଥିବା କେକ୍ ଓ ସିଙ୍ଗଡ଼ାକୁ ତାଙ୍କ ଷ୍ଟାଫମାନଙ୍କୁ ବାଣ୍ଟି ଦିଆଯାଇଥିଲା । ପ୍ରାଥମିକ ଭାବେ ସିଆଇଡି ଏହାର ଯାଞ୍ଚ କରିଥିଲା । ଏଥିରୁ ଜଣାପଡ଼ିଥିଲା ଯେ ସିଙ୍ଗଡ଼ା ଓ କେକ୍ ଖାସ୍ କରି ସିଏମଙ୍କ ପାଇଁ ଥିଲା, ଯାହା କେବଳ ଏସଆଇ ହିଁ ଜାଣିଥିଲେ । ଏହି ଜଳଖିଆ ବାକ୍ସଗୁଡ଼ିକୁ ଯେତେବେଳେ ମହିଳା ଇନ୍ସପେକ୍ଟରଙ୍କୁ ଦିଆଯାଇଥିଲା, ସେ କୌଣସି ବରିଷ୍ଠ ଅଧିକାରୀଙ୍କଠାରୁ ନିଶ୍ଚିତ ହୋଇ ନ ଥିଲେ ଏବଂ ମେକାନିକାଲ୍ ଟ୍ରାନ୍ସପୋର୍ଟ ବିଭାଗକୁ ଜଳଖିଆ ପଠାଇ ଦେଇଥିଲେ । ଏହି ଛୋଟିଆ ଭୁଲ୍ ଯୋଗୁ ଜଳଖିଆ ଠିକ୍ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରି ନ ଥିଲା । ତିନୋଟି ବାକ୍ସରେ ରଖାଯାଇଥିବା ଜଳଖିଆକୁ ୧୦-୧୨ ଜଣଙ୍କ ମଧ୍ୟରେ ଚା’ ସହିତ ପରସି ଦିଆଯାଇଥିଲା । ଶେଷରେ ବାକ୍ସ ଖୋଲାଯିବା ବେଳକୁ ସେଥିରେ ଥିବା ଜଳଖିଆ ସବୁ ବଣ୍ଟା ହୋଇସାରିଥିଲା, ଯାହାକୁ ନେଇ ଏବେ ହିମାଚଳ ରାଜନୀତିରେ ବିବାଦ ଦେଖାଦେଇଛି ।
ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ : ସରିଲା ରକ୍ ଷ୍ଟାର୍ ଜଜଙ୍କ କାର୍ଯ୍ୟକାଳ। ଆଜି ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ତାଙ୍କର ୨ ବର୍ଷିଆ କାର୍ଯ୍ୟକାଳ ଶେଷ ହୋଇଛି। ୨୦୨୨ ନଭେମ୍ଵର ୯ ତାରିଖରେ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ସେ ଦାୟିତ୍ଵ ନେଇଥିଲେ। ଆଜି ଥିଲା ତାଙ୍କ କାର୍ଯ୍ୟକାଳର ଶେଷ ଦିନ। ତାଙ୍କୁ ବିଦାୟ ଦେବା ପାଇଁ ସୁପ୍ରିମକୋର୍ଟ ବାର୍ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେ କହିଛନ୍ତି, ପ୍ରତିଦିନ ବିଚାରପତିମାନେ ଏକ ତୀର୍ଥଯାତ୍ରୀ ପରି କୋର୍ଟକୁ ଆସନ୍ତି। ସେମାନଙ୍କର ଗୋଟିଏ ଗୋଟିଏ ରାୟର ସୁଦୂରପ୍ରସାରୀ ପ୍ରଭାବ ପଡ଼ିଥାଏ। ନିଜର ମହାନତା ଦେଖାଇ ସେ କହିଥିଲେ, କାମ ସମୟରେ ଯଦି କେବେ ମୁଁ କାହା ମନରେ କଷ୍ଟ ଦେଇଥାଏ,ତେବେ କ୍ଷମା କରିଦେବେ। ନିଜର ନିର୍ଭୀକ ବ୍ୟକ୍ତିତ୍ଵ ପାଇଁ ସାଥୀ ଜଜ୍ ଏବଂ ଓକିଲମାନେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କୁ ରକ୍ ଷ୍ଟାର୍ ବୋଲି କହୁଥିଲେ। ତାଙ୍କର ଖଣ୍ଡପୀଠ ଦେଇଥିବା ଅନେକ ରାୟ ଦେଶର ଇତିହାସରେ ଲିପିବଦ୍ଧ ହୋଇ ରହିବ। ବିଶେଷ କରି ସାଧାରଣ ଜନତାଙ୍କ ଜୀବନରେ ସେହି ରାୟର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ। ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ବାପା ଜଷ୍ଟିସ୍ ୱାଇ ଭି ଚନ୍ଦ୍ରଚୂଡ଼ ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ। ସେ ସୁପ୍ରିମକୋର୍ଟର ଷୋଡ଼ଶ ପ୍ରଧାନ ବିଚାରପତି ଭାବେ ୧୯୭୮ ଫେବ୍ରୁଆରି ୨୨ରୁ ୧୯୮୫ ଜୁଲାଇ ୧୧ ଯାଏ କାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଂଜୀବ ଖାନ୍ନା। ସେ ନଭେମ୍ବର ୧୧ ତାରିଖରେ ଶପଥ ନେବେ।
୩ ଦିନ ହେଲାଣି ଅଚଳ ଭୁବନେଶ୍ବର ମୁଖ୍ୟ ଡାକଘର : କାମ କରୁନି ସର୍ଭର
ଭୁବନେଶ୍ବର : ଭୁବନେଶ୍ବର ମୁଖ୍ୟ ଡାକଘରେ ଲିଙ୍କ ଫେଲ । ଫେରିବାକୁ ବାଧ୍ୟ ହେଉଛନ୍ତି ଲୋକ । ଦିନେ କି ଦୁଇଦିନ ନୁହେଁ । ୩ ଦିନ ହେଲାଣି କାମ କରୁନି ସର୍ଭର । ହେଲେ ନିହଲ କର୍ତ୍ତୃପକ୍ଷ । ଫଳରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗ୍ରାହକ । ଜମାକାରୀ ଟଙ୍କା ଜମା କରିପାରୁନାହାନ୍ତି । ସେପଟେ ଟଙ୍କା ବି ଉଠାଇପାରୁନାହାନ୍ତି । ଦୂର ଦୂରାନ୍ତରୁ ଆସୁଥିବା ଜମାକାରୀ ହଇରାଣ ହରକତ ହୋଇ ଫେରୁଛନ୍ତି । ସେପଟେ ପୋଷ୍ଟାଲ୍ ଏଜେଣ୍ଟ୍ମାନେ ମଧ୍ୟ ହାତବାନ୍ଧି ବସିଛନ୍ତି । କିଏ ମାସିକିଆ ଜମା କରିପାରୁନି ତ ଆଉ କିଏ କଷ୍ଟାର୍ଜିତ ଜମା ଉପରେ ମାସିକିଆ ସୁଧ ପାଇପାରୁନି । ପେନ୍ସନ୍ଭୋଗୀ ବି ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି ।
ମୁଖ୍ୟ ଡାକଘରେ ନାହିଁ ଲିଙ୍କ । ଗ୍ରାହକଙ୍କୁ ରାମ ଭରୋସେ ଛାଡ଼ି ଦେଇଛନ୍ତି ପୋଷ୍ଟାଲ କର୍ତ୍ତୃପକ୍ଷ । ଲିଙ୍କ ଫେଲ୍ ବୋଲି ବୋର୍ଡ଼ ମାରିଦେଇ ବସିଛନ୍ତି ପୋଷ୍ଟାଲ୍ ଅଧିକାରୀ । କର୍ତ୍ତୃପକ୍ଷଙ୍କ କହିବା କଥା ଏପରି ସମସ୍ୟା ଇଣ୍ଟରନେଟ୍ ଫେଲ୍ ଯୋଗୁ ହୋଇଛି । ଦେଶର ମୁଖ୍ୟ ଡାକଘରଗୁଡ଼ିକ ଏବେ ଏହି ସମସ୍ୟା ଭୋଗୁଛନ୍ତି । କାମ ଚାଲିଛି ହେଲେ କେତେବେଳେ ଲିଙ୍କ ଆସିବ କହିହେବନି ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଯଦି ମୁଖ୍ୟ ଡାକଘରର ଏପରି ଅବସ୍ଥା ତାହେଲେ ଅନ୍ୟ ପୋଷ୍ଟ ଅଫିସ କଥା କଣ ହୋଇଥିବା ତାହା ବେଶ୍ ଜଣାପଡୁଛି ।
ଉତ୍କଳ ୟୁନିଭରସିଟିରେ ରାଜନୈତିକ ଚାପରେ ନାମଲେଖା ଅଭିଯୋଗ : ବାଦ୍ ପଡୁଛନ୍ତି ମେଧାବୀ
ଭୁବନେଶ୍ବର : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଛାତ୍ର କଂଗ୍ରେସର ଘନଘନ ଅଣ୍ଡାମାଡ଼। ଭାଙ୍ଗିଲେ ବ୍ୟାରିକେଡ୍ । ପୋଲିସ ସହ ମୁହାଁମୁହିଁ । କର୍ଡନ ଉପରେ ନାରାବାଜି । ଉତ୍କଳ ବିଶ୍ବବିଦ୍ୟାଳୟର ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ କରି ଗର୍ଜନ କରିଛି ଛାତ୍ର କଂଗ୍ରେସ । କଂଗ୍ରେସ ଭବନରୁ ଛାତ୍ର କଂଗ୍ରେସର କର୍ମୀମାନେ ରାଲିରେ ଆସି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ସହିତ ହୋଇଥିଲା ଧସ୍ତାଧସ୍ତି। କିଛି ସମୟ ପାଇଁ ଲୋୟର ପିଏମ୍ଜିରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଭିତରେ ଚାଲିଥିଲା ଛକାପଞ୍ଝା ।
ବାଲେଶ୍ବରର ଛାତ୍ର ବିଜୟ କୁମାର ସାହୁ ଉତ୍କଳ ୟୁନିଭରସିଟିରେ ପିଜି ଆଡମିସନ୍ ପାଇଁ ସାମସ୍ ଓ୍ବେବସାଇଟରେ ଆବେଦନ କରିଥିଲେ। ଓ୍ବେଟିଂ ଲିଷ୍ଟରେ ତାଙ୍କର ନାଁ ରହିଥିଲା। ଆଡମିସନ୍ ପାଇଁ ପିଜି କାଉନସିଲରୁ ତାଙ୍କୁ ଯାଇଥିଲା କଲ୍ । ସେ ସମସ୍ତ ଡକୁମେଣ୍ଟ ଦାଖଲ କରିଥିଲେ। କିନ୍ତୁ ପରେ ଡକୁମେଣ୍ଟ ଫେରେଇ ଦିଆଯାଇଥିଲା। ଓ୍ବେଟିଂ ଲିଷ୍ଟରେ ତାଙ୍କ ନାଁ ୯ ନମ୍ଵରରେ ରହିଥିବା ବେଳେ ବିଜୟଙ୍କୁ ଆଡମିଶନ ଦିଆନଯାଇ ୧୧ ନମ୍ବର ରେ ଥିବା ଜଣେ ପିଲାକୁ ଆଡମିସନ୍ ମିଳିଛି ।
ପ୍ରତିବାଦରେ ବିଜୟ ଗତ ମାସ ୫ ତାରିଖରେ ପିଜି କାଉନସିଲ୍ ଆଗରେ ଧାରଣା ଦେଇଥିଲେ। ସେ ଅଭିଯୋଗ କରିଛନ୍ତି, ବିଜୟଙ୍କ ବଦଳରେ ଯେଉଁ ପିଲାକୁ ଆଡମିସନ୍ ମିଳିଛି, ସେ ମନ୍ତ୍ରୀଙ୍କ ଖାସ୍ ହୋଇଥିବାରୁ ଚାପରେ ତାଙ୍କର ନାଁ ଲେଖା ଯାଇଛି। ଏ ସଂପର୍କରେ ଉଚ୍ଚଶିକ୍ଷା ସଚିବ ଏବଂ ରାଜ୍ୟପାଳଙ୍କୁ ମଧ୍ୟ ଫେରାଦ ହୋଇଥିଲା ଛାତ୍ର କଂଗ୍ରେସ। କିନ୍ତୁ କିଛି ସୁଫଳ ମିଳିନି। ଏ ନେଇ ମନ୍ତ୍ରୀଙ୍କୁ ଜବାବ ମାଗିଛି ଛାତ୍ର କଂଗ୍ରେସ। ପ୍ରଶ୍ନ ଉଠୁଛି ସାମସ୍ ଓ୍ବେବସାଇଟ୍ରେ ପଛରେ ଥିବା ଛାତ୍ରଙ୍କୁ କିଭଳି ମିଳିଲା ଆଡମିସନ୍ ? ସତରେ ରାଜନୈତିକ ଚାପରେ ଏପରି ହୋଇଛି କି। ମେଧାବୀ ଛାତ୍ରଙ୍କ କ୍ୟାରିୟରକୁ ନେଇ ଖେଳ କାହିଁକି ଖେଳୁଛନ୍ତି କର୍ତ୍ତୃପକ୍ଷ ? ଏ ନେଇ କିନ୍ତୁ ଉତ୍କଳ ୟୁନିଭରସିଟିର କୁଳପତି ମୁହଁ ନ ଖୋଲି ନାହାନ୍ତି।
ବାତ୍ୟା ‘ଦାନା’ ମାଡରେ ଉଡିଗଲା ଶୀତ
ଭୁବନେଶ୍ବର : ଶୀତକୁ ଉଡାଇ ନେଲା ବାତ୍ୟା ଦାନା । ସ୍ବାଭାବିକ ଦିନଠାରୁ ଏକମାସ ପଛକୁ ଠେଲିନେଲା ଶୀତ। ନଭେମ୍ବର ୧୫ ତାରିଖ ଭିତରେ ଶୀତ ପଡିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାରଣ ଏବେ ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ବହୁଛି । ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ନଭେମ୍ବର ଶେଷ ଆଡକୁ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ବଢିଲେ ଶୀତ ବଢିବ । ବର୍ତ୍ତମାନ ପଶ୍ଚିମା ଝଡର ବି ପ୍ରଭାବ ନାହିଁ । ବାତ୍ୟା ପରେ ମାତ୍ର ଗୋଟିଏ ପଶ୍ଚିମାଝଡ ସୃଷ୍ଟି ହୋଇଛି । ଆଗକୁ ଧିରେ ଧିରେ ତାପମାତ୍ରା କମିବ । କିନ୍ତୁ ହଠାତ୍ ଶୀତ ହେବନାହିଁ । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଛି । ଦିନର ତାପମାତ୍ରା ସ୍ବାଭାବିକ କୁ ଫେରୁଛି । ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କନ୍ଧମାଳର ଦାରିଖବାଡିରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବର ଦିନର ତାପମାତ୍ରା ୩୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୨.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି କଟକରେ ଦିନର ତାପମାତ୍ରା ୩୦.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୨ଡିଗ୍ରୀ ରେକର୍ଡ ହୋଇଛି । ବର୍ତ୍ତମାନ ତାପମାତ୍ରା ସହ ଆର୍ଦ୍ରତା ୭୦ ରୁ ୯୯ ପ୍ରତିଶତ ରହୁଛି । ଫଳରେ ଶୀତ ପରିବର୍ତ୍ତେ ଗରମ ଏବଂ ଗୁଳୁଗଳି ଅନୁଭୁତ ହେଉଛି । ଆର୍ଦ୍ରତା କମିବା ସହ ଶୁଷ୍କତା ବଢିଲେ ଶୀତ ଆସିବ ବୋଲି ପାଣିପାଗ କେନ୍ଦ୍ର କହିଛି ।
ଭିଜିଲାନ୍ସ ଜାଲରେ ଡାକ୍ତର ଓ ଫାର୍ମାସିଷ୍ଟ : ବକେୟା ଟଙ୍କା ରିଲିଜ କରିବାକୁ ମାଗୁଥିଲେ ଲାଞ୍ଚ
ଜୟପୁର : ଭିଜିଲାନ୍ସ ଜାଲରେ ଡାକ୍ତର ଓ ଫାର୍ମାସିଷ୍ଟ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଓ ଫାର୍ମାସିଷ୍ଟ ଡଣେ ଠିକାଭିତ୍ତିକ ନର୍ମିଂ ଅଫିସରଙ୍କ ଠାରୁ ତାଙ୍କ ବକେୟା ଟଙ୍କା ରିଲିଜ କରିବାକୁ ୧୦ ପ୍ରତିଶତ ଲାଞ୍ଚ ମାଗୁଥିଲେ । ଏପିରିକି ଲାଞ୍ଚ ନଦେଲେ ନର୍ସିଂ ଅଫିସରଙ୍କୁ ଉପାନ୍ତ ଅଞ୍ଚଳକୁ ବଦଳି କରିଦେବାକୁ ଧମକ ଦେଉଥିଲେ । ଆଜି ଫାର୍ମାସିଷ୍ଟଙ୍କ ଜରିଆରେ ଲାଞ୍ଚ ନେବା ବେଳେ ବୈପାରିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ବିଶ୍ବଜିତ ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଭିଯୋଗକାରୀ ବୈପାରିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଠିକାଭିତ୍ତିକ ନର୍ସିଂ ଅଫିସର ଭାବରେ କାର୍ଯ୍ୟ କରୁଥିଲେ। ଗତ ଜୁଲାଇ ମାସରେ ସରକାର ତାଙ୍କ ଚାକିରି ନିୟମିତ କରିବା ସହ ତାଙ୍କ ବକେୟା ଦରମା ରିଲିଜ କରିସାରିଛନ୍ତି । ୨୦୨୨ ଅକ୍ଟୋବର ମାମରୁ ବକେୟା ବାବଦରେ ୪ ଲକ୍ଷ ୮୩ ହଜାର ୫୭୨ ଟଙ୍କା ସରକାର ରିଲିଜ କରିଛନ୍ତି । ଏହି ଟଙ୍କା କିନ୍ତୁ ପ୍ରଦାନ କରିବାକୁ ମେଡିକାଲ ଅଫିସର ଡାକ୍ତର ଭୂୟାଁ ୧୦ ପ୍ରତିଶତ ଅର୍ଥାତ ୪୦ ହଜାର ଟଙ୍କା ମାଗୁଥିଲେ । ବାରମ୍ବାର ଅନୁରୋଧ କରି ହତାସ ହେବା ପରେ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।
ନିର୍ମାଣ ହେବାକୁ ଯାଉଛି ୭୮୩ କିମି ବିଶିଷ୍ଟ ଏକ୍ସପ୍ରେସ ଓ୍ବେ
ଭୁବନେଶ୍ବର : ଓଡ଼ିଶା ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ଯୋଡି ହେବ ଆଉ ଏକ ମାଇଲ ଖୁଣ୍ଟ । ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ୭୮୩ କିମି ବିଶିଷ୍ଟ ଏକ୍ସପ୍ରେସ ଓ୍ବେ । ଏହି ନୂଆ ଏକ୍ସପ୍ରେସ ଓ୍ବେ ଖଡଗପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ନିର୍ମାଣ କରାଯିବ । ୪ ଲେନ ଓ ୬ ଲେନ ବିଶିଷ୍ଟ ଏହି ରାସ୍ତାର ଡିପିଆର ପ୍ରସ୍ତୁତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଟେଣ୍ଡର ଆହ୍ବାନ କରିଛନ୍ତି । ଖୁସିର କଥା ହେଲା ୧୮ଟି ସଂସ୍ଥା ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆସନ୍ତା ୨୦୨୬ ସୁଦ୍ଧା ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ୭୮୩ ବିଶିଷ୍ଟ ଏହି ସୁଦୀର୍ଘ ରାସ୍ତା ୨ଟି ପ୍ୟାକେଜରେ ବିଭକ୍ତ କରାଯାଇଛି । ପ୍ୟାକେଜ ୧ ରେ ଖଡ଼ଗପୁରରୁ ଟାଙ୍ଗୀ ପର୍ଯ୍ୟନ୍ତ ୩୯୦ କମି ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ପ୍ୟାକେଜ ୨ ରେ ଟାଙ୍ଗୀରୁ ବିଶାଖାପାଟଣା ପର୍ଯ୍ୟନ୍ତ ୩୯୩ କିମି ରାସ୍ତା ନିର୍ମାଣ ହେବ । ଡିପିଆର ପ୍ରସ୍ତୁତି ପରେ ବିଭିନ୍ନ ଅନୁମିତି ପାଇଁ ଆବେଦନ କରାଯିବା । ୨୦୨୮ ସୁଦ୍ଧା ପ୍ରକଳ୍ପ କାମ ଆରମ୍ଭ ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଏକ୍ସପ୍ରେସ ଓ୍ବେ ନିର୍ମାଣ ହେଲେ ଖଡଗପୁରରୁ ବିଶାଖାପାଟଣାକୁ ଯାତ୍ରାର ସମୟ ହ୍ରାସ ପାଇବ । ଏହା ସହ ଯାନବାହାନ ଜନିତ ଭିଡ ନିୟନ୍ତ୍ରଣ ହେବ ବୋଲି କୁହାଯାଉଛି । ଭାରତମାଳା ଯୋଜନାରେ ନିର୍ମାଣ କରାଯିବାକୁ ଥିବା ଏହି ଏକ୍ସପ୍ରେସ ୱେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଯୋଡିବ ।
ପୋଷ୍ଟ ଅଫିସରେ ଏନ୍ଏସ୍ଏସ୍ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡ଼ିବ ଆୟକର
ଭୁବନେଶ୍ବର : ମୂଳ ନିଅ କି ସୁଧ ନିଅ । ଯେ କୌଣସି ହାଲରେ ଟିକସ ଦିଅ । ଟିକସ ନଦେଲେ ଟଙ୍କା ତୁମର ନୁହଁ । ଏ ହେଉଛି କେନ୍ଦ୍ର ସରକାରଙ୍କ ଜମାକାରୀ ମାରଣ ନୀତି । ଏଣିକି ବନ୍ଦ ହୋଇଥିବା ସ୍କିମର ଜମା ଟଙ୍କା ଉପରେ ଆୟକର ଦେବେ ଲୋକେ । ପୋଷ୍ଟ ଅଫିସରେ ନ୍ୟାସନାଲ ସେଭିଙ୍ଗ୍ସ ସ୍କିମ୍-ଏନ୍ଏସ୍ଏସ୍ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡ଼ିବ ଆୟକର । ଅକ୍ଟୋବର ପହିଲାରୁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ଏପରି ନୀତି । ମୂଳଜମା ଓ ସୁଧ ଉପରେ ଆୟକର ଦେବେ ଜମାକାରୀ । ମୂଳ ଉପରେ ପୂର୍ବରୁ କୌଣସି ଆୟକର ଦେବାକୁ ପଡ଼ୁନଥିଲା । ୧୯୮୭ରେ କେନ୍ଦ୍ର ସରକାର ଏନ୍ଏସ୍ଏସ୍ ସ୍କିମ୍ ଯୋଜନା ଆରମ୍ଭ କଲେ । ଯେଉଁଥିରେ ଜଣେ ବ୍ୟକ୍ତି ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବ । ଜମା ଉପରେ ବାର୍ଷିକ ୭.୫ ପ୍ରତିଶତ ହାରରେ ସୁଧ ବି ମିଳୁଥିଲା । ନୂଆ ନିୟମ ଅନୁଯାୟୀ ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ସୁଧ ରାଶି ଜମାକାରୀଙ୍କ ଖାତାରେ ଜମା ହୋଇଯାଇଛି । ହେଲେ ଅକ୍ଟୋବର ପହିଲାରୁ ଆଉ ସେ ସ୍କିମରେ ସୁଧ ସୁବିଧାକୁ ହଟାଇ ଦେଇଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ । ଏହାସହିତ ଏବେ ଏନ୍ଏସ୍ଏସ୍ ଜମାକାରୀ ଆକାଉଣ୍ଟ ବନ୍ଦ କରି ଟଙ୍କା ଉଠାଇଲେ ଉଭୟ ମୂଳ ଓ ସୁଧ ଉପରେ ୧୦ ପ୍ରତିଶତ ହାରରେ ଆୟକର ଗଣିବେ । କେନ୍ଦ୍ର ସରକାରଙ୍କ ଏପରି ନୀତି ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଲୋକଙ୍କ କଷ୍ଟାର୍ଜିତ ଜମା ଉପରେ ଟିକସ ବସାଇବା ଆଦୌ ଗ୍ରହଣୀୟ ନୁହେଁ । ଏହାଦ୍ବାରା ପେନସନଭୋଗୀ ବରିଷ୍ଠ ନାଗରିକଙ୍କ ଭିତରେ ଘୋର ଅସନ୍ତୋଷ ପ୍ରକାଶ ପାଇବ ।
୧୯୯୨ ମସିହାରେ କେନ୍ଦ୍ର ସରକାର ଏହି ପୋଷ୍ଟାଲ ଜମା ସ୍କିମଟିକୁ ବନ୍ଦ କରିଦେଲେ ସିନା ପୂର୍ବରୁ ଜମା କରିଥିବା ଜମାକାରୀଙ୍କ ଆକାଉଣ୍ଟ ସଚଳ ରହିବା ସହ ସୁଧ ବି ମିଳିଆସୁଥିଲା । ସେପଟେ ୨୪୦୦ ଟଙ୍କା ସୁଧ ଉପରେ କୌଣସି ଆୟକର ଦେବାକୁ ପଡ଼ୁନଥିଲା । ତାଠୁ ଅଧିକ ସୁଧ ଉପରେ ପୋଷ୍ଟ ଅଫିସ ଟିଡିଏସ୍ କାଟୁଥିଲେ । ପୋଷ୍ଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ଯେହେତୁ ଏହି ଜମା ଯୋଜନାଟିକୁ ଦୀର୍ଘବର୍ଷରୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ସେହି ଆକାଉଣ୍ଟ ହୋଲଡରଙ୍କୁ ଆଉ କୌଣସି ସୁଧ ଅର୍ଥ ଦେବାକୁ ଚାହୁଁନାହାନ୍ତି । ଫଳରେ ଧୀରେ ଧୀରେ ଜମାକାରୀ ଏହି ଆକାଉଣ୍ଟ୍କୁ ବନ୍ଦ କରି ଟଙ୍କା ଉଠାଇବାକୁ ବାଧ୍ୟ ହେବେ । ଏନ୍ଏସ୍ଏସ୍ ଜମାକାରୀଙ୍କୁ ଏଥିପାଇଁ ମୁଖ୍ୟ ଡାକଘରକୁ ଆସି ଟଙ୍କା ଉଠାଇବାକୁ ପଡ଼ିବ । ଏପରି ଜମାକାରୀ ଆସିବାମାତ୍ରେ ସେମାନଙ୍କ ଆକାଉଣ୍ଟ୍ ବନ୍ଦ କରିବାକୁ ପୋଷ୍ଟ ଅଫିସ ପକ୍ଷରୁ ପରାମର୍ଶ ଦିଆଯାଉଛି ।
କେନ୍ଦ୍ର ସରକାରଙ୍କୁ ଘାରିଛି ଟିକସ ଚିନ୍ତା । ଚୁଡ଼ା, ମୁଢ଼ି ପ୍ୟାକେଟ୍ ଉପରେ ଜିଏସ୍ଟି ଛାଡ଼ିଲେନି । ଏବେ ଲୋକଙ୍କ ମୂଳ ଜମା ଉପରେ ଆୟକର ବସାଇ ସିଧା ସିଧା ପକେଟ୍ କାଟିବା ଯୋଜନା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରାଳୟର ଏପରି ନୀତି ଜନ କଲ୍ୟାଣକାରୀ ନା ଜନ ମାରଣ ନୀତି ତାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।
ବିଜେପି ସହିପାରୁନି ବିଜେଡିର ଲୋକପ୍ରିୟତା : ବିଜେଡି
ଭୁବନେଶ୍ବର : ପଦଯାତ୍ରାକୁ ମିଳୁଛି ଅଭୂତପୂର୍ବ ସଫଳତା । ଟାର୍ଗେଟ ପୂରଣ କରିଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ଲୋକେ ପୁଣି ଖୋଜିଲେଣି ନବୀନ ପଟ୍ଟନାୟକଙ୍କୁ । ବିଜେଡି କହିଲା ବିଜେପି ସହିପାରୁନି ବିଜେଡିର ଲୋକପ୍ରିୟତା । ଖାଦ୍ୟ ନପାଇ ଆଦିବାସୀଙ୍କ ଜୀବନ ଯାଉଛି । ରାଜ୍ୟରେ ବଢିଚାଲିଛି ଗଣଦୁର୍ଷମ। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା । ଧିମେଇଛି ବିକାଶ ଓ ଓଡ଼ିଶାର ହକ ପାଇଁ ଲଢେଇ। ୪ମାସରେ ମୋହନ ସରକାରଙ୍କ ବିଫଳତା ଜଳଜଳ କରି ଦିଶୁଛି ଓଡ଼ିଶାବାସୀଙ୍କ ଆଗରେ । ଅନ୍ୟପଟେ ବିଜେଡ଼ିର ପଦଯାତ୍ରାକୁ ଅଭୂତପୂର୍ବ ସଫଳତା ମିଳିବା ସହ ଦଳର ସଭ୍ୟ ସଂଗ୍ରହ ଟାର୍ଗେଟ ପୂରଣ ହେବାରେ ଲାଗିଛି। ଲୋକେ ଏହାକୁ ଦେଖି ୟୁଟର୍ଣ୍ଣ ମାରିଲେଣି। ପୁଣି ନିଜର ପ୍ରିୟନେତା ନବୀନ ପଟ୍ଟନାୟକଙ୍କୁ ଖୋଜିଲେନି ରାଜ୍ଯବାସୀ। ଏହାକୁ ସହିପାରୁନାହାନ୍ତି ସରକାରରେ ଥିବା ବ୍ୟକ୍ତି ଓ ବିଜେପି ନେତା । ନୂଆ ସରକାର ଶାସନ କଳକୁ ଠିକ ଚଳାଇ ନପାରି ବ୍ୟାକଫୁଟକୁ ଚାଲିଯାଇଛି। ବିଜେଡ଼ି ବିରୋଧରେ ଗୁଜବ ଓ ରାଜ୍ୟନୈତିକ ବୟାନବାଜି ରଖି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଲାଗିଛି ବିଜେପି। ବିଜେଡ଼ି ଆଜି ବି ରାଜ୍ୟରେ ସବୁଠୁ ଲୋକପ୍ରିୟ ଦଳ ଯାହା ପ୍ରକାଶ ପାଉଛି ପଦଯାତ୍ରାରୁ।
ଦୁଇଟି ପର୍ଯ୍ୟାୟରେ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କରି ସଫଳତା ସାଉଁଟିଛି ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ତୃଣମୂଳସ୍ତରରୁ ଅଧିକ ଶକ୍ତିଶାଳୀ ହେଉଛି ଦଳ । ରାଜନୈତିକ ସମୀକ୍ଷକଙ୍କ ଆକଳନ- ପ୍ରଥମଥର ଲାଗି ଓଡ଼ିଶାରେ ସଶକ୍ତ ବିରୋଧୀ ଦଳ ଭାବେ ବିଜେଡ଼ି ଭୂମିକା ତୁଲାଇଛି। ବିରୋଧୀ ଦଳ ସରକାରଙ୍କ ଦୋଷ ଦୁର୍ବଳତାକୁ ଯେତେ ସାମ୍ନାକୁ ଆଣିବ ତାହା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବ। ବିଜେଡି ଭାଙ୍ଗିଯିବ ବୋଲି ଚାଲିଥିବା ବୟାନବାଜିର ପ୍ରଭାବ ଲୋକଙ୍କ ଉପରେ ପଡିବନି ବୋଲି କହିଛନ୍ତି ରାଜନୀତି ବିଶେଷଜ୍ଞ। ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ୨୫ ବର୍ଷ ଧରି ବିଜେଡି କ୍ଷମତାରେ ରହି ଓଡ଼ିଶାବାସୀଙ୍କ ସେବା କରିଛି । ଏବେ ବିରୋଧୀ ଦଳ ଭାବେ ବି ନିଜର ଭୂମିକା କରୁଛି ନିର୍ବାହ।

