spot_img
Home Blog Page 1367

ଲୁହା ପାଇପରେ ପିଟି ମା’କୁ ହତ୍ୟା କଲା ପୁଅ

ଝାରସୁଗୁଡା : ପୁଅ ମାଡ଼ରେ ମାଆ ମୃତ । ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ମହିଜୋରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ମହିଳା ଜଣକ ମହିଜୋରର ୬୦ ବର୍ଷିୟ ଉର୍କୁଲି ଲୁହାର ବୋଲି ଜଣା ପଡ଼ିଛି । ଘଟଣାସ୍ଥଳରେ ବେଲପାହାଡ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅ ବନମାଳି ଲୁହାରକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଅଭିଯୁକ୍ତ ପୁଅ ମାନସିକ ବିକାରଗ୍ରସ୍ତ ଥିବା ସୂଚନା ମିଳିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ବେଲପାହାଡ ପୋଲିସର ତଦନ୍ତ ଜାରି ।

କନ୍ଧମାଳରେ ଶୀତ ଅନୁଭୂତ, ଭିଡ ଜମାଇଲେଣି ପର୍ଯ୍ୟଟକ

କନ୍ଧମାଳ: କନ୍ଧମାଳରେ ଘନ କୁହୁଡ଼ି ସହ ଶୀତ ଅନୁଭୂତ। ରାତି ୮ଟା ପରଠାରୁ କୁହୁଡ଼ି ମାତ୍ରା ବୃଦ୍ଧି ପାଇବା ଦେଖିବାକୁ ମିଳୁଛି। ସକାଳ ସମୟରେ ଶୀତ ହେବା ସହ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଉଛି ଫୁଲବାଣୀ ସହର । ଘନ କୁହୁଡି ଯୋଗୁଁ ଯାତାୟତରେ ଅସୁବିଧାର ସମୁଖୀନ ହେଉଛନ୍ତି ଲୋକେ ।  ୯ଟା ପର୍ଯ୍ୟନ୍ତ କୁହୁଡ଼ିର ଆସ୍ତରଣ ଯୋଗୁଁ ସୂର୍ଯ୍ୟକିରଣ ଦେଖିବାକୁ ମିଳୁନାହିଁ ।

କନ୍ଧାମାଳରେ ସକାଳୁ ସକାଳୁ ବ୍ୟାୟାମ ପାଇଁ ପଡ଼ିଆରେ ଭିଡ଼ ଦେଖିବାକୁ ମିଳୁଛି । ଚାହା ଖଟିରେ ଜମୁଛି ଆସର। ପର୍ଯ୍ୟଟକ ମଧ୍ୟ କନ୍ଧମାଳ ଜିଲ୍ଲାକୁ ଆଗମନ କରୁଥିବା ଦେଖିବାକୁ ମିଳିଛି l

ଡର୍ବାନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ; ୬୧ ରନରେ ଜିତିଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଡର୍ବାନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ। ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚକୁ ୬୧ ରନରେ ଜିତିନେଲା ଭାରତ। ୧୪୧ ରନରେ ଚିତପଟାଙ୍ଗ ମାରିଲା ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ୨୦୨ ରନ ବିଶାଳ ସ୍କୋର କରିଥିଲା ମେନ୍ ଇନ୍ ବ୍ଲୁ। ସଞ୍ଜୁ ସାମସନଙ୍କ ୫୦ ବଲ୍ରୁ ୧୦୭ ରନର ଚମତ୍କାର ଶତକ ହାସଲ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୨୦୨ ରନ କରିଥିଲା। ଜବାବରେ ୨୦୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୧୭ ଓଭର ୫ଟି ବଲରେ ସମସ୍ତ ଓ୍ବିକେଟ ହରାଇ ୧୪୧ ରନ କରିବାକୁ ସକ୍ଷମ ହୋଇଥିଲା।

ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ଓ ରବି ବିଷ୍ଣୋଇ ୩ଟି ଲେଖାଏଁ ୱିକେଟ୍ ନେଇ ଘରୋଇ ଦଳର ଅଣ୍ଟା ଭାଙ୍ଗି ଦେଇଥିଲେ। ୪ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ୧-୦ରେ ଆଗୁଆ ରହିଛି। ଆସନ୍ତାକାଲି ଦ୍ବିତୀୟ ମ୍ୟାଚ୍ ଖେଳାଯିବ।

ଅସ୍ତରଙ୍ଗ ସମୁଦ୍ର ନିଷିଦ୍ଧାଞ୍ଚଳରୁ ୨ଟି ଟ୍ରଲର ଜବତ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର ନିଷିଦ୍ଧାଞ୍ଚଳରୁ ୨ଟି ଟ୍ରଲର ଜବତ ହୋଇଛି। ୨୦ଜଣ କର୍ମଚାରୀଙ୍କୁ ଅଟକ ରଖିଛି ବନବିଭାଗ। ଅସ୍ତରଙ୍ଗ ସମୁଦ୍ର ନିଷିଦ୍ଧାଞ୍ଚଳରେ ବେଆଇନ ଭାବରେ ମାଛ ମାରୁଥିବା ବେଳେ ଧରିଛି ବନବିଭାଗ। ବନ ବିଭାଗ, ତଟରକ୍ଷୀ ବାହିନୀ ଏବଂ ସାମୁଦ୍ରିକ ମତ୍ସ୍ୟବିଭାଗ ମିଳିତ ଭାବରେ ଚଢ଼ାଉ କରି ନୂଆଗଡ ଜେଠି ନିକଟକୁ ଟ୍ରଲରକୁ ଆଣିଛନ୍ତି। ୨ଟି ଟ୍ରଲରୁ ୨୦ଜଣ କର୍ମଚାରୀଙ୍କୁ ଅଟକ ରଖି ଓଡିଶା ସାମୁଦ୍ରିକ ମତ୍ସ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହା ସହ ଜବତ ଟ୍ରଲରରୁ ସଂଗୃହୀତ ମାଛକୁ ନିଲାମ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ସମୁଦ୍ର ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ କଟକଣା ଲାଗୁ ହୋଇଛି । ଅଲିଭ ରିଡଲେ କଇଁଛଙ୍କ ଆଗମନ ଯୋଗୁଁ ସାମୁଦ୍ରିକ ମାଛ ଧରା ଉପରେ ବନବିଭାଗ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ନଭେମ୍ବର ପହିଲାରୁ କଟକଣା ଜାରି କରାଯାଇଛି ।

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ମୃତ, ୧୭ ଆହତ

ନନ୍ଦିଘୋଷ ବ୍ୟୁରୋ : ମର୍ମନ୍ତୁଦ ଦୁର୍ଘଟଣା ନେଲା ୫ ଜଣଙ୍କ ଜୀବନ। ଉତ୍ତରପ୍ରଦେଶ ଫିରୋଜାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ’ରେ ଟ୍ରକ-ବସ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଭୟଙ୍କର ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ, ବସ୍‌ରେ ୧୭ ଜଣ ଯାତ୍ରୀ ଅଯୋଧ୍ୟାରୁ ମଥୁରା ଯାଉଥିଲେ। ସମସ୍ତ ଯାତ୍ରୀ ଗୁଜୁରାଟର ଦାଦ୍ରା ନାଗର ହାଭେଲିର ବାସିନ୍ଦା ବୋଲି ଜଣାପଡିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ’ରେ ଟ୍ରକଟି ଠିଆ ହୋଇଥିବା ବେଳେ ବସଟି ଧକ୍କା ଦେଇଥିଲା । ଫଳରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ ହୋଇଥିଲା । ଖବର ପାଇ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହାତ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ତଦନ୍ତ ଜାରି ରହିଛି ।

 

ବାଙ୍କୀ କଇଁମୁଣ୍ଡି ଫାଣ୍ଡି ନିକଟରେ ଜେସିବି ଉପରକୁ ବୋମା ମାଡ଼

ବାଙ୍କୀ: ବାଙ୍କୀ ଥାନା କଇଁମୁଣ୍ଡି ଫାଣ୍ଡି ନିକଟରେ ବୋମାମାଡ଼। କଇଁମୁଣ୍ଡି ଛକ ନିକଟରେ ବ୍ରିଜ କାମ କରୁଥିବା ଏକ ଠିକା ସଂସ୍ଥାର ଜେସିବି ମେସିନ ଉପରକୁ ବୋମାମାଡ଼ ହୋଇଛି । ଦୁଇଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ, ବୋମାମାଡ଼ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ଦାଦା ବଟିକୁ ନେଇ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ବୋମାମାଡ଼ରେ ଜେସିବି ମେସିନର କାଚ ସହ ଅନ୍ୟାନ୍ୟ ଜିନିଷ ଭାଙ୍ଗି ରୁଜି ଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସାଲିମାର୍-ସିକନ୍ଦରାବାଦ ସ୍ପେଶାଲ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗ ହାୱଡାରେ ଟ୍ରେନ ଦୁର୍ଘଟଣା। ଶନିବାର ଭୋର ସମୟରେ ସାଲିମାର୍-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ଟି ବଗି ଲାଇଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ସୂଚନା ମିଳିଛି । ହାୱଡା ନାଲପୁର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଘଟଣା ସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରେଳବାଇ ସୂଚନା ଅନୁସାରେ, କୌଣସି ବଡ଼ କ୍ଷତି ହୋଇନାହିଁ। କେବଳ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।

ଲୋକଙ୍କୁ ଚୂନ ଲଗାଇଲେ ବ୍ୟାଙ୍କ ମିତ୍ର, ୮୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗ

ନୟାଗଡ଼: ବ୍ୟାଙ୍କରେ ଟଙ୍କା କାରବାର ବେଳେ ୮୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗ ।  ନୟାଗଡ଼ ଜିଲ୍ଲା ବିରୁଡ଼ା ପଞ୍ଚାୟତର ୯ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଅନ୍ୟ ବ୍ୟକ୍ତିଙ୍କୁ ଚୂନ ଲଗାଇଲେ ବ୍ୟାଙ୍କ ମିତ୍ର । ପୋଲିସ ଘଟଣାରେ ବ୍ୟାଙ୍କ ସହାୟକ ମିତ୍ର ସୌଦାମିନୀ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ୟାଙ୍କ ମିତ୍ରଙ୍କ ସହ ଇଣ୍ଡିଆନ ବ୍ୟାଙ୍କର କିଛି କର୍ମଚାରୀଙ୍କ ନାମରେ ଠକେଇ ଅଭିଯୋଗ ପାଇ ନୟାଗଡ଼ ଇଟାମାଟି ଥାନା ପୋଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ଜାଲ ବଣ୍ଡ, ଡିପୋଜିଟ ସ୍ଲିପ, ଲୋକଙ୍କ ଟିପ ଚି଼ହ୍ନ ନେଇ ମିନି ବ୍ୟାଙ୍କ ମାଧ୍ୟମରେ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

ବ୍ୟାଙ୍କରେ ଅଭିଯୋଗ ପରେ ମଧ୍ୟ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ନୟାଗଡ଼ ଇଣ୍ଡିଆନ ବ୍ୟାଙ୍କରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ନେଇ ବ୍ୟାଙ୍କ ମିତ୍ରଙ୍କ ଦ୍ୱାରା ସୁଝିଥିବା ବେଳେ ସେହି ଟଙ୍କା ବ୍ୟାଙ୍କରେ ଡିପୋଜିଟ ହୋଇନଥିବା ଜାଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଟ୍ରମ୍ପଙ୍କ ଇମିଗ୍ରେସନ ପଲିସିକୁ ନେଇ ଚିନ୍ତାରେ ଭାରତୀୟ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଇମିଗ୍ରେସନ ପଲିସିକୁ ନେଇ ଚିନ୍ତାରେ ଭାରତୀୟ। ଆମେରିକାରେ ରହୁଥିବା ଭାରତୀୟମାନେ ଚିନ୍ତିତ ହୋଇ ପଡିଛନ୍ତି। କାରଣ ଇମିଗ୍ରେସନ ପଲିସିକୁ କଡାକଡ଼ି କରିବାକୁ ସେ ଘୋଷଣା କରିଛନ୍ତି। ବିଶେଷ କରି ନେଚୁରାଲ ସିଟିଜେନସିପ୍ ମିଳିବନି ବୋଲି ସେ ନିର୍ବାଚନ ବେଳେ ସେ ପ୍ରଚାର କରିଥିଲେ। ଏବଂ କହିଥିଲେ, ଦାୟିତ୍ଵ ନେବାର ପ୍ରଥମ ଦିନରେ ହିଁ ଏହାକୁ ସେ ବାତିଲ କରିବେ।

ଆମେରିକା ନିୟମ ଅନୁସାରେ, ଆମେରିକାରେ ଯେଉଁ ଭାରତୀୟ ରହୁଛନ୍ତି, ସେମାନଙ୍କର ପୁଅ ଝିଅ ଆମେରିକାରେ ଜନ୍ମ ହେଲେ, ସେମାନେ ସ୍ଵାଭାବିକ ଭାବେ ଆମେରିକାର ନାଗରିକ ହୁଅନ୍ତି। ଆପେ ଆପେ ସେହି ପିଲାଙ୍କୁ ଆମେରିକାର ନାଗରିକତ୍ଵ ମିଳିଯାଏ। ଟ୍ରମ୍ପ ଘୋଷଣା କରିଛନ୍ତି, ଏବେ କିନ୍ତୁ ସେପରି ହେବନି। ବାପା କିମ୍ଵା ମାଆଙ୍କ ମଧ୍ୟରୁ ଜଣେ ଆମେରିକାର ନାଗରିକ ହୋଇଥିଲେ ହିଁ ପିଲାକୁ ଆମେରିକାର ସିଟିଜେନସିପ୍ ମିଳିବ । ଏହାକୁ ନେଇ ସେଠାରେ ରହୁଥିବା ଭାରତୀୟଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ତା’ଛଡ଼ା ଆମେରିକାର ଏବେ ବି ବହୁତ ଭାରତୀୟ ବେଆଇନ ଭାବେ ରହୁଛନ୍ତି।

 

ବିଜାପୁରରେ ପୋଲିସ ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ, ଚାଲିଛି ସର୍ଚ୍ଚ ଅପରେସନ

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପମେଡ ଅଞ୍ଚଳରେ ପୁଲିସ ଏବଂ ନକ୍ସଲ ମୁହାଁମୁହିଁ। ଏଥିରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି। ସବୁ ଯବାନ ସୁରକ୍ଷିତ ଅଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି। ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପମେଡ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ମିଳିତ ପୁଲିସ ପାର୍ଟି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ପ୍ରଥମେ ଗୁଳି ଚଳାଇଥିଲେ ମାଓ ବାଦୀ । ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଛି।