ମୋହନା : ଗଜପତି ଜିଲ୍ଲା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ମାମଲାରେ ନାବାଳିକାଙ୍କ ଡାକ୍ତରୀମାଇନା ପରେ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତ ନାବାଳକର ବି ହୋଇଛି ଡାକ୍ତରୀମାଇନା । ପରେ ତାକୁ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହକୁ ପଠାଇଦିଆଯାଇଛି । ସାତ ବର୍ଷର ତିବ୍ବତୀୟ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ତିବ୍ବତୀୟ ଦମ୍ପତି ତଥା ପୀଡିତାଙ୍କ ବାପା ଓ ମାଆ ୧୭ ବର୍ଷୀୟ ଓଡ଼ିଆ ନାବାଳକକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ତାର ଲାଳନ ପାଳନ କରୁଥିଲେ । ତେଣୁ ସେ ଦୀର୍ଘ ବର୍ଷ ହେଲା ପରିବାର ସହ ଘରେ ରହି ଆସୁଥିଲା । ଘଟଣା ଦିନ ଅର୍ଥାତ ୭ ତାରିଖରେ ପୀଡିତାଙ୍କ ବାପା ମାଆ କୈଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ । ଏହାର ଫାଇଦା ନେଇ ନାବାଳକ ଜଣକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ବାପା ମାଆ ଘରକୁ ଫେରିବା ପରେ ଝିଅ ଠାରୁ ସବୁ ଶୁଣିବା ପରେ ୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରି ନାବାଳକକୁ ଗିରଫ କରିବା ସହ ଡାକ୍ତରୀମାଇନା କରାଯାଇଛି
ରାଜ୍ୟସଭାରେ ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ପ୍ରଶ୍ନ…
ନନ୍ଦିଘୋଷ ବ୍ୟୁରୋ : ରାଜ୍ୟସଭାରେ ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନ। ଓଡ଼ିଶାରେ ଦୁଗ୍ଧ ସମବାୟ ସମିତିକୁ ମଜଭୁତ କରିବାକୁ କୌଣସି ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି କି। ଜିଲ୍ଲା ୱାରି କେତୋଟି ଏପରି ସମିତି ଓ କେତେ ଦୁଗ୍ଧ ଚାଷୀ ଅଛନ୍ତି। ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ଓ ମାର୍କେଟ ଲିଙ୍କେଜ ପାଇଁ କେତେ ସହାୟତା ପ୍ରଦାନ କରାଯାଇଛି। ଓଡି଼ଶାର ଦୁଗ୍ଧ ଚାଷୀମାନେ ଯେମିତି କ୍ଷୀରର ଉଚିତ ମୂଲ୍ଯ ଠିକ୍ ସମୟରେ ପାଇବେ, ସେଥିପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ସାଂସଦ ମାନସ ରଂଜନ ମଙ୍ଗରାଜ। ତାଙ୍କର ଏହି ସବୁ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ଅମିତ ଶାହା ଉତ୍ତର ଦେଇଛନ୍ତି, ଓଡି଼ଶା ସମେତ ସାରା ଦେଶରେ ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ମଜଭୁତ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଏ ଦିଗରେ କାମ କରୁଛି ନ୍ୟାସନାଲ ପ୍ରୋଗ୍ରାମ ଫର୍ ଡାଏରି ଡଫଲପମେଣ୍ଟ ବା NPDD । ଦୁଗ୍ଧ ଚାଷୀ ସଂଗଠନ, MPO ଙ୍କ ପାଇଁ NDDB ହେଉଛି ଷ୍ଟେଟ୍ ଇପ୍ଲିମେଣ୍ଟିଂ ଏଜେନ୍ସି। ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି MPO ମଂଜୁର ହୋଇ ନାହିଁ। ସଂଶୋଧିତ NPDD ଯୋଜନାରେ ଶ୍ଵେତ ବିପ୍ଲବ ୨.୦ କାର୍ଯ୍ୟକାରୀ କରାଯାଉଛି। ଏହାର ଲକ୍ଷ୍ଯ ହେଉଛି ସମବାୟ ସମିତିର ସଂପ୍ରସାରଣ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଦୁଗ୍ଧ ଉତ୍ପାଦନରେ ମହିଳାଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା। ଏହି ଯୋଜନାରେ ଗ୍ରାମାଞ୍ଚଳରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ସ୍ଥାପନ, କ୍ଷୀର ଶୀତଳିକରଣ, ଟ୍ରେନିଂ ଓ କାପାସିଟି ବିଲଡିଂ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଶ୍ଵେତ ବିପ୍ଲବ ୨.୦ରେ ୮୫୪୭ଟି ଟି ନୂଆ ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା ପାଇଁ ଓଡ଼ିଶାକୁ ଦିଆଯାଇଛି ଟାର୍ଗେଟ। ଏହା ସହିତ ବର୍ତ୍ତମାନ ଥିବା ୧୧୪୦ ସୋସାଇଟିକୁ ମଧ୍ୟ ମଜଭୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ NPDD ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ୧୩ ଜାନୁଆରି ୨୦୨୬ ସୁଦ୍ଧା ଓଡ଼ିଶାରେ ୪୯୪ଟି ନୂଆ ଦୁଗ୍ଧ ସୋସାଇଟି ପ୍ରତିଷ୍ଠା କରାଯାଇଛି। ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସପୋର୍ଟିଂ ଡାଇରି କୋଅପରିଭ୍ ଆଣ୍ଡ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ଯୋଜନା ଚାଲିଛି। ଏହି ଯୋଜନାରେ ଆର୍ଥିକ ବର୍ଷ ୨୦୨୩-୨୪ ରେ ଓଡି଼ଶାର ଓମଫେଡକୁ ୨୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶାରେ ୪୨୨୪ଟି ଦୁଗ୍ଧ ସମବାୟ ସମିତିରେ ୨ ଲକ୍ଷ ୩୭ ହଜାର ୪୭୭ ଜଣ ଦୁଗ୍ଧ ଚାଷୀ ଅଛନ୍ତି। ସେମାନଙ୍କୁ ଉଚିତ ଦାମ୍ ପ୍ରଦାନ କରାଯାଉଛି। ୮୦ ପ୍ରତିଶତ ଚାଷୀଙ୍କୁ ଓମଫେଡ୍ ତରଫରୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ପ୍ରଦାନ କରାଯାଉଛି ବୋଲି ଅମିତ ଶାହ ଉତ୍ତର ରଖିଛନ୍ତି।
ଫାଇନ ନ ଦେଲେ ମିଳିବନି ପିୟୁସିସି, ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସରକାରଙ୍କୁ ଘେରିଲେ ବିରୋଧୀ…
ନନ୍ଦିଘୋଷ ବ୍ୟୁରୋ ; ପିୟୁସିସି ପାଇଁ ପୁରୁଣା ଫାଇନ୍ ପଇଠ କରିବାକୁ ପଡ଼ିବ । ହାଇକୋର୍ଟ ଶୁଣାଇଛନ୍ତି ଚରମ ନିଷ୍ପତ୍ତି । ଏହା ପରେ ଏବେ ଲୋକଙ୍କ ଭିତରେ ଟାଣ ଖରାରେ ଲାଇନ ଲଗାଇବାର ଭୟ ପୁଣି ଥରେ ଦେଖା ଦେଲାଣି । ଗତ ଦେଢ ମାସ ଧରି ଏହାକୁ ନେଇ ଛକାପଞ୍ଜା ଚାଲିଥିଲା । ରାଜ୍ୟ ସରକାର କେବଳ ଡେଡଲାଇନ ଗଡ଼ାଇ ଚାଲିଥିଲେ । ସେ ସମୟରେ ବିନା ଫାଇନ ପଇଠରେ ପିୟୁସିସି ମିଳିବା ନେଇ ବି ସରକାର କହିଥିଲେ । ହେଲେ ହାଇକୋର୍ଟରେ ଏପରି କଣ ହେଲା ଯେ ପୁରୁଣା ନିୟମ ଉପରେ ମୋହର ମାରିଲେ ବିଚାରପତି ? ଏ ପରି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଏଜିଙ୍କ ପାରିବାପଣିଆ କାଠଗଡ଼ା ଚାଲି ଆସିଛି । ଲୋକ କିପରି ମିଛ ଚାଲାଣ ଯୋଗୁଁ ଶୋଷଣ ହେଉଛନ୍ତି, ଏ କଥା କୋର୍ଟରେ ଏଜି ଉପସ୍ଥାପନ କରିଥିଲେ କି ବୋଲି ବିଜେଡି ପ୍ରଶ୍ନ କରିଛି । ମହାନଦୀ ଶୁଣାଣିରେ ଏଜି ଉପସ୍ଥିତ ରହୁ ନାହାନ୍ତି । ହେଲେ ପିୟୁସିସି ନାଁରେ ୧୩୦୦ କୋଟି ଆଦାୟ କରିବାକୁ ସେ ଓକିଲାତି କରୁଥିବା ନେଇ ବିଜେଡି ଅଭିଯୋଗ ଉଠାଇଛି । ଆଉ ପ୍ରଶ୍ନ କରିଛି ଯେ ଫାଇନ ଭରି ଦେଲେ କଣ ଗାଡ଼ି ପ୍ରଦୂଷଣମୁକ୍ତ ହୋଇଯିବ ? ଲୋକେ ପୁଣି ଫାଇନ ଗଣି ଗଣି ହସ୍ତସନ୍ତ ହେବେ । ଏହା ବିରୋଧରେ ପୁଣି ଥରେ ଆନ୍ଦୋଳନ କରିବ କଂଗ୍ରେସ ।
ପିୟୁସିସିରୁ ଫାଇନ ଅଲଗା କରିବା ନେଇ ପରିବହନ ମନ୍ତ୍ରୀଙ୍କ ପାଖରେ ସନ୍ତୋଷଜନକ ଉତ୍ତର ନାହିଁ । ହେଲେ ପିୟୁସିସି ଜନିତ ଜରିମାନା କମାଇବାକୁ ତର୍ଜମା ଚାଲିଥିବା ନେଇ ସେ ସଫେଇ ଦେଇଛନ୍ତି । ଏ ନେଇ ଖୁବ୍ ଶୀଘ୍ର ସରକାର ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ଶୀତୁଆ ସକାଳୁ ରାତିର ଜାଡ଼ ଯାଏ ଲମ୍ବା ଲାଇନ ଲଗାଇ ପିୟୁସିସି ପାଇବାକୁ ଠିଆ ହେଉଥିଲେ ଲୋକ । ସେପଟେ ଫାଇନ୍ ଭରିବାକୁ ବି ଲମ୍ବା ଲାଇନ । କାହା କାହାର ଓଟିପି ନ ଆସିବାରୁ, ଆଜି ଯାଏଁ ଫାଇନ ପଇଠ ହୋଇ ପାରୁନି । ଏବେ ଟାଣ ଖରାରେ ପୁଣି ଝାଳନାଳ ହୋଇ ଧାଡ଼ିରେ ଠିଆ ହେବେ ଲୋକ । ସାଧାରଣ ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲେ ହୁଏତ ନିଷ୍ପତ୍ତି ଭିନ୍ନ ହୋଇଥାନ୍ତା ବୋଲି ଚର୍ଚ୍ଚା ଚାଲିଛି ।
କାଲି ଭାରତ ବନ୍ଦ ଡାକରା ଦେଇଛନ୍ତି ୧୦ ଶ୍ରମିକ ସଂଗଠନ
ଭୁବନେଶ୍ବର: ଗୁରୁବାର ଭାରତ ବନ୍ଦ । ଓଡିଶାରେ ବି ବନ୍ଦ ରହିବ ଅଖଚକ । ଆନ୍ଦୋଳନକୁ ଓହ୍ଲାଇବ ୧୦ଟି ଶ୍ରମିକ ସଂଗଠନ । କଂଗ୍ରେସ, ବାମଦଳର ବନ୍ଦକୁ ସମର୍ଥନ ।ବିଜେପି କହିଲା ପଡିବନି ପ୍ରଭାବ । ମନରେଗା ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ ଓ ଅନ୍ୟାନ୍ୟ ଦାବି ନେଇ ଦେଶବ୍ୟାପୀ ବନ୍ଦ ଧର୍ମଘଟ କରିବ ଟ୍ରେଡ ୟୁନିୟନ । ୧୦ଟି ଟ୍ରେଡ ୟୁନିୟନ ସହ ଏହି ବନ୍ଦ ଧର୍ମଘଟକୁ ସମର୍ଥନ କରିଛି କଂଗ୍ରେସ ଓ ବାମଦଳ । ଅଖ ଚକ ବନ୍ଦ କରିବାକୁ ଟ୍ରେଡ ୟୁନିୟନ ଅପିଲ କରିଛି । ଫଳରେ ପରିବହନ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଉପରେ ବନ୍ଦ ପ୍ରଭାବ ପଡିବାର ସମ୍ଭାବନା ରହିଛି । ଏହି ଧର୍ମଘଟରେ ଦେଶର ୩୦ କୋଟି ଶ୍ରମିକ ସାମିଲ ହେବେ ବୋଲି ଟ୍ରେଡ ୟୁନିୟନ ଦାବି କରିଛି । INTUCରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି କେନ୍ଦ୍ର ସରକାର ଲଗାତାର ଭାବେ ଦେଶର ଶ୍ରମଜୀବୀ ଜନଗଣକୁ ଶୋଷଣ କରୁଛନ୍ତି । ଶ୍ରମିକ, କୃଷକ, କୃଷି ଶ୍ରମିକ, ମହିଳା, ଯୁବ ଛାତ୍ରଙ୍କ ଅଧିକାର ଉପରେ ବିଜେପି ଆକ୍ରମଣ କରି ଚାଲିଛି । ଯାହାକୁ ବିରୋଧ କରି ଧର୍ମଘଟ କରାଯାଉଛି । ତେଣୁ ରାଜ୍ୟବାସୀ ଏହି ଧର୍ମଘଟକୁ ସଫଳ କରିବାକୁ ସେ ଅପିଲ କରିଛନ୍ତି । ସେପଟେ ବାମଦଳ ନେତା ନାରାୟଣ ରେଡ୍ଡୀ କହିଛନ୍ତି ସକାଳ୬ରୁ ସଂନ୍ଧ୍ୟା ୬ ଯାଏ ବନ୍ଦକୁ ସଫଳ କରିବାକୁ ବିଭିନ୍ନ ସ୍ଥାନରେ ଟ୍ରେଡ ୟୁନିୟନର କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇବେ ।
ବନ୍ଦକୁ ସଫଳ କରିବାକୁ ଟ୍ରେଡ ୟୁନିୟନ ସଂଗଠନମାନେ ଅଣ୍ଟା ଭିଡ଼ିଛନ୍ତି। ଦେଶବ୍ୟାପୀ ଧର୍ମଘଟକୁ କଂଗ୍ରେସ ସମର୍ଥନ କରିଛି । ଟ୍ରେଡ ୟୁନିୟନ, ବାମଦଳ ସହ ମିଶି କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି । ଅନ୍ୟପଟେ ଧର୍ମଘଟ ସଫଳ ହେବ ନାହିଁ ବୋଲି ବିଜେପି କହିଛି । କେନ୍ଦ୍ର ସରକାରଙ୍କ ନୀତି ସକାଶେ ସବୁ ମହଲରେ ଅସନ୍ତୋଷ ତୀବ୍ର ରୂପ ନେଲାଣି । ଏହା ବିରୋଧରେ ଟ୍ରେଡ ୟୁନିଅନର ଦେଶବ୍ୟାପୀ ବନ୍ଦ ଓ ଧର୍ମଘଟର କେତେ ପ୍ରଭାବ ପଡୁଛି ତାହା ଦେଖିବାର କଥା ।
ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ମରୁଡି, ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ସମ୍ବଲପୁର ଜିଏମ କଲେଜ୍
ସମ୍ବଲପୁର : ନାଁକୁ ଚାଲିଛି ଉଚ୍ଚଶିକ୍ଷା । ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ମରୁଡି । ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟ । ଚିନ୍ତାରେ ଛାତ୍ରଛାତ୍ରୀ । ପଶ୍ଚିମ ଓଡ଼ିଶାର ଶିକ୍ଷାର ହବ୍ ପାଲଟିଥିବା ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟରେ ଯେତିକି ଅଧ୍ୟାପକ ରହିବା କଥା ତାଠୁ ୫୦ ପ୍ରତିଶତ କମ ଅଧ୍ୟାପକ ରହିଛନ୍ତି । ଆଗକୁ କେମିତି ଅବିଭାବକ ଏହି ବିଶ୍ଵ ବିଦ୍ୟାଳୟକୁ ଭରଷା କରିବେ ସେନେଇ ଦେଖାଦେଇଛି ସନ୍ଦେହ । ତେଣୁ ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରି ଆବଶ୍ୟକ ଅଧ୍ୟାପକ ନିଯୁକ୍ତ କରିବାକୁ ଦାବି କରିଛନ୍ତି ଛାତ୍ର ଛାତ୍ରୀ ।
ପଶ୍ଚିମ ଓଡ଼ିଶାରେ ଶିକ୍ଷାର ଅଭିବୃଦ୍ଧି ପାଇଁ ପୂର୍ବତନ ବିଜେଡ଼ି ସରକାର ଗଙ୍ଗାଧର ମେହେର କଲେଜକୁ ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟ କରାଇଥିଲେ । ସେହି ସମୟରେ ଶିକ୍ଷାର ବିକାଶ ପାଇଁ ଅନେକ ବିକାଶ କରାଯାଇଥିଲା । କିନ୍ତୁ ସରକାର ପରିବର୍ତ୍ତନ ପରେ ଆଜି ଯାଏ ସ୍ଥାୟୀ କୁଳପତି ଟିଏ ପାଇପାରିନାହିଁ ଏହି ବିଶ୍ଵ ବିଦ୍ୟାଳୟ । ଫଳରେ ବିନା କୁଳପତିରେ କେମିତି ଚାଲିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର ଛାତ୍ରୀ ।
କ୍ରାଇମ ସିନ ରିକ୍ରିଏସନ ବେଳେ ମର୍ଡରର ଡେମୋ ଦେଖାଇଲା ଅଭିଯୁକ୍ତ
ଭୁବନେଶ୍ୱର : କ୍ରାଇମ ସିନ ରିକ୍ରିଏସନ କରିଛି ଜହ୍ଲାଦ ଦିନେଶ । ସତ୍ୟବ୍ରତ ମର୍ଡର କେସରେ କ୍ରାଇମ ସ୍ପଟରେ ମୁଖ୍ୟ ଅଭିଯୁକ୍ତ । ରାଜ ସାକ୍ଷୀ ବନି ଖସିଗଲେ ପ୍ରେମିକା । ହତ୍ୟାକାରୀ ଦିନେଶ ନାୟକ । ରବିବାର ରାତିରେ ନିଳାଦ୍ରୀ ବିହାର ସେକ୍ଟର ୨ରେ ସତ୍ୟବ୍ରତଙ୍କୁ ଧାରୁଆ ଛୁରୀ ସାହାଯ୍ୟରେ ହତ୍ୟା କରିବା ପରେ ଜିଲ୍ଲା ବାହାରକୁ ଚମ୍ପଟ ମାରିଥିଲା । ଗତକାଲି ଜଗତସିଂହପୁରରୁ ଦିନେଶ ନାୟକକୁ ଧରିଥିଲା କମିଶନରେଟ ପୋଲିସ। ଦିନେଶ ମର୍ଡର ପରେ ବ୍ୟବହାର କରିଥିବା ଏକ ଧଳା ରଙ୍ଗର ମାରୁତି କାର ଜବତ କରିଛି ପୋଲିସ। ପୋଲିସ ଆଗରେ ଦିନେଶ ଦେଇଥିବା ବୟାନ ମୁତାବକ ଲିଜାଙ୍କୁ ସେ ଜୀବନ ଠାରୁ ଅଧିକ ଭଲ ପାଉଥିଲା । ଘଟଣା ଦିନ ରାତିରେ ସେ ଦୂରରେ ଥାଇ ଲିଜାଙ୍କୁ ବାରମ୍ବାର କଲ କରିଥିଲେ ମଧ୍ୟ ରିସିଭ କରିନଥିଲେ ଯୁବତୀ ଜଣଙ୍କ । ଯେଉଁଥିପାଇଁ ରାତିରେ ଘର ନିକଟକୁ ଆସିଥିଲା ଦିନେଶ । ଆଉ ଘରେ ପହଂଚିବା ପରେ ଲିଜାଙ୍କୁ ସେ ସତ୍ୟବ୍ରତ ଙ୍କ ସହ ରୁମ ଭିତରେ ଦେଖିବାକୁ ପାଇଥିଲା।
ନିଜ ପ୍ରେମିକାଙ୍କୁ ଆଉ ଜଣଙ୍କ ସହ ଦେଖି ରକ୍ତମୁଖା ହୋଇଯାଇଥିଲା ଅଭିଯୁକ୍ତ ଦିନେଶ । କିଛି ସମୟର ଧସ୍ତାଧସ୍ତି ପରେ ଧାରୁଆ ଛୁରୀରେ କାଟି ଦେଇଥିଲା ତଣ୍ଟି । ରକ୍ତ ଜୁଡୁବୁଡୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନେବାବେଳେ ସତ୍ୟବ୍ରତଙ୍କ ହୋଇଥିଲା ମୃତ୍ୟୁ। ସେପଟେ ମୃତକ ଜଣଙ୍କ ବିବାହିତ ଥିବା ବେଳେ ଅଭିଯୁକ୍ତ ମଧ୍ୟ ବିବାହିତ। ଦୁଇ ବିବାହିତଙ୍କ ସହ ସମ୍ପର୍କରେ ରହୁଥିଲେ ଲିଜା । ଜଣଙ୍କ ଅନୁପସ୍ଥିତିରେ ଆଉ ଜଣଙ୍କ ସହ ରୁମ ସେୟାର କରୁଥିଲେ । ଯେଉଁଥିପାଇଁ ରାଜଧାନୀର ଛାତି ଉପରେ ପ୍ରେମ ଋତୁରେ ଘଟିଗଲା ଏଭଳି ଏକ ନାରକୀୟ କାଣ୍ଡ। ଲିଜା ବିରୋଧରେ ତଥ୍ୟ ପ୍ରମାଣ ଅଭାବରୁ ତାଙ୍କୁ ଛାଡିଛି ପୋଲିସ। ଆବଶ୍ୟକସ୍ଥଳେ ତାଙ୍କୁ ରାଜ ସାକ୍ଷୀ ବନାଯିବ ବୋଲି କହିଛନ୍ତି ଜୋନ୍ ଏସିପି । ଟ୍ରାଇଙ୍ଗୁଲାର ଲଭ ଷ୍ଟୋରୀର ଦି’ ଏଣ୍ଡ ହୋଇଛି । ଜଣେ ପ୍ରାଣ ହରାଇଥିବା ବେଳେ ପାର୍ଲର ରେ କାମ କରୁଥିବା ଯୁବତୀ ପାଇଁ ଆଉ ଜଣଙ୍କ ହାତରେ ପଡିଛି ହାତକଡୀ ।
ଅବହେଳିତ ଅବସ୍ଥାରେ ବୁଦ୍ଧ ପାର୍କ, ରକ୍ଷଣାବେକ୍ଷଣ ଅଭାବରୁ ହରାଉଛି ସତ୍ତା
କଣ୍ଟାମାଳ : ଉଜୁଡ଼ିଗଲାଣି ଆକର୍ଷଣୀୟ ପାର୍କ । ରକ୍ଷଣାବେକ୍ଷଣ ଅଭାବରୁ ହରାଉଛି ସତ୍ତା । ଭାଙ୍ଗିରୁଜି ଗଲାଣି ଚେୟାର । ଅବହେଳିତ ଅବସ୍ଥାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ନିର୍ମିତ ବୁଦ୍ଧ ପାର୍କ । ବୌଦ୍ଧ ଜିଲ୍ଲାକୁ ସୁନ୍ଦର କରି ଗଢି ତୋଳିବାକୁ ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପଦକ୍ଷେପ ଗ୍ରହଣ କରିଥିଲେ । ଜିଲ୍ଲାର ପ୍ରବେଶ ପଥ ମନମୁଣ୍ଡା ତେଲନଦୀ କୂଳ ଗାନ୍ଧୀ ଛକରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦରେ ଏକ ପାର୍କ ନିର୍ମାଣ କରିଥିଲେ । ପାର୍କରେ ଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ଵରେ ସିମେଣ୍ଟ ନିର୍ମିତ ଚଟାଣ ହୋଇଥିଲା । ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ହାଇମାଷ୍ଟ ଲାଇଟ ପଡୁଥିଲା । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗୁଥିଲା । ହେଲେ ଏବେ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ।
ପାର୍କରେ ଲାଗିଥିବା ହାଇମାଷ୍ଟ ଲାଇଟ ଆଉ ଜଳୁନି । ପାର୍କରେ ପଡିଥିବା ମାର୍ବଲ ଗୁଡିକ ଭାଙ୍ଗିଗଲାଣି । ପାର୍କଟିରେ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ରାତିରେ ଅସାମାଜିକ ଲୋକ ଏଠାରେ ଆଡ୍ଡା ଜମାଉଛନ୍ତି । ଅନ୍ୟପଟେ ପାର୍କଟିକୁ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି । ତୁରନ୍ତ ପାର୍କର ମରମାତି କରାଯିବ ବୋଲି କହିଛନ୍ତି କଣ୍ଟାମାଳ ବିଡି଼ଓ । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବୁଦ୍ଧଙ୍କ ପ୍ରତିମୂର୍ତ୍ତିର ଯତ୍ନ ନେବା ସହ ପାର୍କର ମରାମତି କରିବାକୁ ଦାବି ହେଉଛି ।
କନ୍ଦାଉଛି ନେଟୱର୍କ, ସିଗନାଲ ପାଇଁ କିଏ ଗଛରେ ତ କିଏ ଛାତ ଉପରେ
ଧର୍ମଗଡ : ମିଳୁନି ସିଗନାଲ, କନ୍ଦାଉଛି ନେଟୱର୍କ । ସିଗନାଲ ପାଇଁ କିଏ ଗଛ ଉପରେ ତ କିଏ ଗଛ ତଳେ ବସୁଛି । ଆଉ କିଏ ଛାତରେ ଚଢିଲାଣି ତ ଆଉ କେଉଁଠି ପଲିଥିନରେ ଓହଳିଛି ମୋବାଇଲ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ଆସିଛି ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର । ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଉପାନ୍ତ ଖଲିଗଡ଼ ଗାଁକୁ ଆଜି ଯାଏଁ ପହଞ୍ଚିନି ମୋବାଇଲ ସେବା । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।..
ଖଲିଗଡ଼ ଗାଁରେ BSNL ଟାୱାର ବସିଥିଲେ ସୁଦ୍ଧା ଲୋକଙ୍କୁ ନେଟୱର୍କ ମିଳୁନି । ଗ୍ରାମବାସୀ ମୋବାଇଲ ସେବା ପାଉନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁରୁତର ରୋଗୀଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ ଡାକିବା ପାଇଁ ହେଉ କି ଶିକ୍ଷକଙ୍କୁ ଏମଡିଏମ ରିପୋର୍ଟ ଦେବା ପାଇଁ ହେଉ ସମସ୍ତେ କାନ୍ଦୁଛନ୍ତି । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ଯଥା ପୂର୍ବଂ ତଥା ପରଂ । ଆଜି ବି କଳାହାଣ୍ଡି ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ ପହଞ୍ଚି ପାରିନାହିଁ । କେବେ ଖଲିଗଡ଼ ଗ୍ରାମବାସୀଙ୍କ ଦୁଃଖ ଦୂର ହେଉଛି ତାକୁ ହିଁ ଅପେକ୍ଷା ।
ଭୂତକୋଠି ପାଲଟିଛି କ୍ଲଷ୍ଟର ରୁରାଲ ହାଉସିଂ…
ଜଳେଶ୍ଵର : ଜରାଜୀର୍ଣ୍ଣ ଅବସ୍ଥାରେ କ୍ଲଷ୍ଟର ରୁରାଲ ହାଉସିଂ । କବାଟ ଝରକା ତାଡ଼ି ନେଇଗଲେଣି ଦୁର୍ବୃତ୍ତ । ସଂଜ୍ଞାହୀନ ଅବସ୍ଥାରେ ୪୭ଟି ପକ୍କା ଘର । ନିଘୋଡ଼ ନିଦ୍ରାରେ ପ୍ରଶାସନ । ଗରିବ ଓ ଭୂମିହୀନ ଲୋକଙ୍କ ରହଣି ପାଇଁ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଳକ ଉଇନ୍ଦା ନିକଟରେ ନିର୍ମାଣ ହୋଇଥିଲା ୫୮ଟି ପକ୍କା ଘର । ୨୦୧୮ ମସିହାରେ ପ୍ରାୟ ୨ କୋଟି ଟଙ୍କାରେ କ୍ଲଷ୍ଟର ରୁରାଲ ହାଉସିଂ ପ୍ରକଳ୍ପ ମାଧ୍ୟମରେ ପକ୍କା ଘର ତିଆରି ହୋଇଥିଲା । ଯୋଜନା ଅନୁସାରେ ରାଜପୁର ଓ ଏନେମ୍ ପାଟଣା ଦୁଇଟି ପଞ୍ଚାୟତର ଗରିବ ଓ ଭୂମିହୀନ ଲୋକଙ୍କୁ ଘର ହସ୍ତାନ୍ତର ହୋଇଥାନ୍ତା । ହେଲେ ଘର ଗୁଡିକରେ ବିଦ୍ୟୁତ, ପାନୀୟ ଜଳ ଓ ପାଇଖାନା ବ୍ୟବସ୍ଥା ନଥିବାରୁ ତାହା ଲୋକଙ୍କ କାମରେ ନଲାଗି ପଡିରହିଛି ।
୫୮ଟି ଘର ଭିତରୁ ୧୧ଟି ଘରେ ଲୋକେ ରହୁଛନ୍ତି । ଅନ୍ୟ କୋଠା ଘର ଏବେ ଭୂତକୋଠି ଭାବେ ପଡ଼ି ରହିଛି । ଯେଉଁ ୧୧ ଟି ପରିବାର ସେଠି ରହୁଛନ୍ତି ସେମାନେ ବି ବହୁ ଦୁଃଖ କଷ୍ଟରେ କାଳ କାଟୁଛନ୍ତି । ଘର ଗୁଡିକରେ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ନଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଅନ୍ୟପଟେ ବିଡିଓ ଚିରାଚରିତ ଢଙ୍ଗରେ ଟଙ୍କା ଆସିଲେ କାର୍ଯ୍ୟ ହେବ ବୋଲି କହିଛନ୍ତି । ସରକାର କେବେ କ୍ଲଷ୍ଟର ରୁରାଲ ହାଉସିଂ ପ୍ରକଳ୍ପର ପୁନରୁଦ୍ଧାର କରୁଛନ୍ତି ? ଭୂମିହୀନ ଲୋକଙ୍କୁ କେବେ ଥଇଥାନ କରୁଛନ୍ତି ? ତାକୁ ହିଁ ଅପେକ୍ଷା ।
ସୁପର ଓଭରରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା…
ନନ୍ଦିଘୋଷ ବ୍ୟୁରୋ ; ଟି-୨୦ ବିଶ୍ୱକପ୍ ୨୦୨୬: ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଟାଇ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ ୧୮୮ ରନ୍ ର ଟାର୍ଗେଟକୁ ପିଛା କରିପାରି ନ ଥିଲା ଏବଂ ୨୦ ଓଭରରେ ୧୦ ୱିକେଟ୍ ହରାଇ କେବଳ ୧୮୭ ରନ୍ କରିପାରିଥିଲା। ମ୍ୟାଚ୍ ଟାଇ ହେବା ପରେ ମ୍ୟାଚ୍ ଅଧିକ ରୋମାଞ୍ଚକର ହୋଇଗଲା । ଯେତେବେଳେ ଏଥିରେ ଖେଳାଯାଇଥିବା ପ୍ରଥମ ସୁପର ଓଭର ମଧ୍ୟ ଟାଇ ହୋଇଥିଲା। ଏହା ପରେ, ମ୍ୟାଚ୍ ଦ୍ୱିତୀୟ ସୁପର ଓଭରରେ ଯାଇଥିଲା ଏବଂ ଇତିହାସରେ ରେକର୍ଡ ହୋଇଥିଲା। ଟି-୨୦ ବିଶ୍ୱକପ୍ ଇତିହାସରେ ଏହା ପ୍ରଥମ ଥର ଯେ ଗୋଟିଏ ମ୍ୟାଚ୍ ରେ ଦୁଇଟି ସୁପର ଓଭର ଦେଖିବାକୁ ମିଳିଛି।
ପ୍ରଥମ ସୁପର ଓଭରରେ, ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ମାତ୍ର ୧୭ ରନ୍ କରିପାରିଥିଲା। ଏହା ପରେ ମ୍ୟାଚ୍ ଦ୍ୱିତୀୟ ସୁପର ଓଭରରେ ପରିଣତ ହୋଇଥିଲା, ଯେଉଁଥିରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୩ ରନ୍ କରିଥିଲା। ଆଫଗାନିସ୍ତାନ ଏବେ ୨୪ ରନ୍ ର ଟାର୍ଗେଟର ସମ୍ମୁଖୀନ ହୋଇଥିଲା, ଯାହାକୁ ପିଛା କରିବା ପାଇଁ ସେମାନଙ୍କୁ ଶେଷ ବଲ୍ ରେ ୫ ରନ୍ ଆବଶ୍ୟକ ଥିଲା। ତଥାପି, ଦ୍ୱିତୀୟ ସୁପର ଓଭରର ଶେଷ ବଲ୍ ରେ ଗୁରବାଜ ଆଉଟ୍ ହୋଇଥିଲେ, ଏବଂ ଦକ୍ଷିଣ ଆଫ୍ରିକା ଏହି ରୋମାଞ୍ଚକର ଏବଂ ଐତିହାସିକ ମ୍ୟାଚ୍ ଜିତିଥିଲା।
ଆଫଗାନିସ୍ତାନର ରହମାନୁଲ୍ଲା ଗୁରବାଜ ଟି-୨୦ ବିଶ୍ୱକପର ସବୁଠାରୁ ବଡ଼ ଇନିଂସ ଖେଳିଥିଲେ, ୪୨ ବଲ୍ ରୁ ୮୪ ରନ୍ କରିଥିଲେ। ୨୦୦ ଷ୍ଟ୍ରାଇକ୍ ରେଟ୍ ରେ ଖେଳାଯାଇଥିବା ତାଙ୍କର ଇନିଂସରେ ସାତଟି ଛକା ସାମିଲ ଥିଲା। ରହମାନୁଲ୍ଲାଙ୍କ ଆଉଟ୍ ପରେ ରସିଦ ଖାନ ଏବଂ ଆଜମାତୁଲ୍ଲା ଜାଜାଇ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ୨୦ତମ ଓଭର ଶେଷ ହେବା ପୂର୍ବରୁ ଦକ୍ଷିଣ ଆଫ୍ରିକା ଦୁଇ ବଲ୍ ପୂର୍ବରୁ ଅଲଆଉଟ୍ ହୋଇଯାଇଥିଲା, କିନ୍ତୁ ସେତେବେଳକୁ ସେମାନେ ଦକ୍ଷିଣ ଆଫ୍ରିକାର ମୋଟ ସ୍କୋର ସହିତ ସମାନ କରିସାରିଥିଲେ।
ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୮୭ ରନ କରିଥିଲା, ଯେଉଁଥିରେ ସେମାନଙ୍କର ଦୁଇ ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ଏବଂ ରିଆନ୍ ରିକେଲଟନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ଡି କକ୍ ୪୧ ବଲ୍ ରୁ ୫୯ ରନ୍ କରିଥିଲେ, ଯେତେବେଳେ ରିଆନ୍ ରିକେଲଟନ୍ ମାତ୍ର ୨୮ ବଲ୍ ରୁ ୨୧୭ ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ସହିତ ୬୧ ରନ୍ କରିଥିଲେ।

