spot_img
Home Blog Page 1344

ସାରଥୀ ବେଶରେ କୁନି ପିଲା, ଥାନାରେ ଏତଲା

ଭୁବନେଶ୍ବର: ଖଣ୍ଡଗିରି ଅଞ୍ଚଳରେ କୁନି ସାରଥୀ ! ପାଦରେ ତୁଳସୀ ଚଢାଇ ଭଗବାନ ଭାବେ ଚାଲିଛି ପୂଜାର୍ଚ୍ଚନା । ରୋଜଗାର ପାଇଁ ପିଲାଟିକୁ ତା’ର ବାପାମାଆ ଏହିଭଳି ଭଗବାନ ଭାବେ ସଜାଇ ଥିବା ଅଭିଯୋଗ କରିଛନ୍ତି ରାଜ୍ୟ ସମାଜସେବୀ ମହାସଂଘ । ପିଲାଟିର ପାଦରେ ତୁଳସୀ ପତ୍ର ଚଢାଇବା ଧର୍ମ ବିରୋଧୀ କାର୍ଯ୍ୟ ବୋଲି ଅଭିଯୋଗ କରି ଆଜି ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ଭରତପୁର ଥାନାରେ ଏତଲା ଦିଆଯାଇଛି । ପିଲାଟି ପ୍ରଭୁ ଜଗନ୍ନାଥଙ୍କ ଅବତାର ବୋଲି ପ୍ରଚାର କରାଯାଉଥିବା ଅଭିଯୋଗ ହେଉଛି ।

ଖଣ୍ଡଗିରିର ଏକ ଆଶ୍ରମରେ ପୂଜା ପାଉଥିବା ଏହି କୁନି ସାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଛନ୍ତି ଟ୍ରଷ୍ଟି ପାଣ୍ଡବ କୁମାର ପରିଡ଼ା । ସେ କହିଛନ୍ତି, ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ବୟଂ ଶ୍ରୀଜଗନ୍ନାଥ ଏହି ବାଳକ ରୂପରେ ଜନ୍ମ ଗ୍ରହଣ କରିସାରିଛନ୍ତି । ତାଙ୍କ ଭିତରେ ରହିଛି ଅଲୌକିକ ଶକ୍ତି । ଦୁରାରୋଗକୁ ଭଲ କରିବା ପରେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା ଯେ ଜଗନ୍ନାଥ ଏହି ପିଲା ରୂପରେ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି । ସେଥିପାଇଁ ତାଙ୍କ ପାଦରେ ମୁଣ୍ଡରେ ତୁଳସୀ ଚଢ଼ାଉଛୁ ବୋଲି ସେ କହିଛନ୍ତି ।

ତେବେ ଏହି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ଆମ ଟିମ ସେଠାରେ ପହଁଚିଥିଲା । କିନ୍ତୁ ସେତେବେଳକୁ ଆଶ୍ରମରେ କୁନି ସାରଥୀ କି ତାଙ୍କ ପରିବାରର କେହି ନଥିଲେ । ଗଣମାଧ୍ୟମକୁ ଆଶ୍ରମ ଭିତରକୁ ଯିବାକୁ ଦିଆଯାଇ ନଥିଲା ।

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା

କଟକ: ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା । ଉପର ଓ ମହାନଦୀ ପଠା ତଳ ପଡିଆରେ ମେଳିଛି ସହସ୍ରାଧିକ ବିପଣନ ସାମଗ୍ରୀର ପସରା । ଠୁଙ୍କା ପୁରୀ,  ଆଳୁଦମ ଦହିବରା, ମଥୁରା କେକ, ଗୁପଚୁପ ସାଙ୍ଗକୁ ରକମ ରକମର ସୁସ୍ୱାଦୁ ଖାଦ୍ୟ, ଭଳିକି ଭଳି ଦୋଳି ଆଉ ଓରମାସର ପଲିଶ୍ରୀ ମେଳା ହାତଠାରି ଡାକୁଛି ଦର୍ଶକଙ୍କୁ । ଆଉ ଆରମ୍ଭ ଦିନରୁ ବୁଲା ବୁଲି ସାଙ୍ଗକୁ କିଣାଣିକିରେ ମଜି ଗଲେଣି ଦର୍ଶକ । ଉଭୟ ଯାତ୍ରାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଏଥର ବ୍ୟବସାୟ ପୂର୍ବ ରେକର୍ଡକୁ ଭାଙ୍ଗିବ ବୋଲି କହିଛନ୍ତି ଆୟୋଜକ ।

ଚଳିତ ବର୍ଷ ୮ ଦିନ ଆୟୋଜିତ ହେଉଥିବା ବାଲିଯାତ୍ରାକୁ ପ୍ରତିଥର ପରି ଏଥର ଆସିଛି ବିଭିନ୍ନ ରକମର ସୁସ୍ୱାଦୁ ଖାଦ୍ୟ, ଭଳିକି ଭଳି ଦୋଳି, ସାଂସ୍କୃତିକ ବିଚିତ୍ରା ସାଙ୍ଗକୁ ଓରମାସ ବଜାର । ସମସ୍ତ ପର୍ଯ୍ୟଟକଙ୍କୁ ପଲିଶ୍ରୀ ମେଳା ହାତ ଠାରି ଡାକିଲାଣି । ଏଥର ନୂଆ କରି ହୋଇଥିବା ଅନନ୍ତ ଦୁନିଆ ସାଙ୍ଗକୁ ଓଡ଼ିଆ ଚଳଚିତ୍ର ଇତିକଥା ବେଶ ଆକର୍ଷଣୀୟ ହୋଇଛି । ଯାହାକୁ ମନଭରି ଉପଭୋଗ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲାଣି ଦର୍ଶକଙ୍କ ଭିଡ଼ ।

ସେପଟେ ଜିଲ୍ଲା ପ୍ରଶାସନ ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ମନୋରଞ୍ଜନ ଧର୍ମୀ କରିବା ପାଇଁ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସମେତ ୮ ଦେଶର କଳାକାରକୁ ଆମନ୍ତ୍ରଣ କରିଛି ।  ମେଳାର ଉଭୟ ଉପର ଓ ତଳ ପଡିଆରେ ୨୫ ଶହରୁ ଅଧିକ ବିପଣନ ସାମଗ୍ରୀର ପସରା ମେଲିଛି । ଭାରତ-ଇଣ୍ଡୋନେସିଆର ସମ୍ପର୍କକୁ ନେଇ ହୋଇଛି ସ୍ୱତନ୍ତ୍ର କରିଡର ।  ପ୍ରାୟ ୫ ଶହ ଷ୍ଟଲକୁ ନେଇ ହୋଇଛି ଯାତୀୟ ସ୍ତରୀୟ ପଲିଶ୍ରୀ ମେଳା ।

ଛତିଶଗଡ଼ର ମନମାନି: ଶୁଖୁଛି ମହାନଦୀ, ପ୍ରାଚୀନ ସଂସ୍କୃତି ବୋଇତ ବନ୍ଦାଣକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମାରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ବୋଇତ ବନ୍ଦାଣ ପରମ୍ପରା ବେଳେ ନଦୀରେ ଜଳସ୍ତର କମି କମି ଯାଉଥିବା ନେଇ ଛତିଶଗଡ଼ର ମାନମାନି କଥା ଉଠାଇଛି କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସରକାର ହସ୍ତକ୍ଷେପ କରିବାକୁ ଆହ୍ୱାନ ଦିଆଯାଇଛି । ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ଟ୍ରିପଲ ଇଞ୍ଜିନ ସରକାର ଏହାକୁ ଗୁରୁତ୍ୱ ନ ଦେବାରୁ ବିଭିନ୍ନ ସଂଗଠନ ବ୍ୟାପକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ନୌବାଣିଜ୍ୟ ପରମ୍ପରା ଓ ଧର୍ମର ଅନନ୍ୟ ସ୍ବାକ୍ଷର ବହନ କରୁଥିବା କାର୍ତ୍ତିକ ପୂର୍ଣ୍ଣିମାରେ ଲୋକେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି । ରାଜ୍ୟର ପ୍ରମୁଖ ଜଳାଶୟ ଓ ପବିତ୍ର ସ୍ଥାନରେ ଡଙ୍ଗା ଭସାଇଛନ୍ତି ଲୋକେ । ଏସବୁ ଭିତରେ ଉଠିଛି ରାଜ୍ୟର ନଦୀଗୁଡିକରେ ଜଳାଭାବର କଥା । ଛତିଶଗଡ଼ର ମାନମାନି ଯୋଗୁଁ ମହାନଦୀରେ ଓଡିଶା ନିଜର ହକ ପାଉ ନଥିବା ବେଳେ ନଦୀ ଶୁଖି ଶୁଖି ଯାଉଛି । ବୋଇତ ଚାଲିବା ପାଇଁ ପୂର୍ବରୁ ନଦୀ ଗୁଡିକରେ ଯେତିକି ଜଳ ରହୁଥିଲା ଏବେ ତାହା କମି ଯାଇଛି । ଯାହାକୁ ନେଇ ସଂସ୍କୃତି ଓ ଐତିହ୍ୟକୁ ରକ୍ଷା କରିବାକୁ କାର୍ଯ୍ୟ କରୁଥିବା କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ଚିନ୍ତା ବ୍ୟକ୍ତ କରିଛି । ବୋଇତ ବନ୍ଦାଣ ଉତ୍ସବ ପାଳନ କରି ଐତିହ୍ୟ ସଂସ୍କୃତି ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଏହି ମଞ୍ଚ ଆଗାମୀ ଦିନରେ ନଦୀରେ ଜଳ ବିନା କିଭଳି ଏସବୁ ପରମ୍ପରା ଓ ପ୍ରକୃତିକୁ ରକ୍ଷା କରାଯାଇ ପାରିବ ତାକୁ ନେଇ ଚିନ୍ତା ପ୍ରକଟ କରିଛି । ବର୍ତ୍ତମାନ ସରକାର ଏହାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ସେପଟେ ରାଜ୍ଯ ବିଜେପି ସରକାର ଓ ଖୋଦ ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ବିବାଦ ସମାଧାନ କଥା କହୁଥିଲେ ମଧ୍ୟ ଏହା କିପରି କରାଯିବ ତାହାକୁ ସାର୍ବଜନୀନ କରିବାକୁ ଦାବି କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

ମହାନଦୀ ଓ ବିଭିନ୍ନ ଶାଖା ନଦୀର ଜଳସ୍ତର କମିବା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କ ନୀରବତାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ସରକାରଙ୍କୁ ସମାଲୋଚନା କରିଛି ଆମ ଜନତା ଅଧିକାର । ଓଡ଼ିଶାରେ ବିଜେପି ସରକାର ଆସିଲେ ମହାନଦୀ ସମସ୍ୟା ସମାଧାନ ହେବ ବୋଲି କୁହାଯାଉଥିଲା । ଏବେ ୩ଟି ଜାଗାରେ ବିଜେପି ସରକାର । ତେଣୁ ଏ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଛି ସରକାର ତୁରନ୍ତ ଏ ସମ୍ପର୍କରେ ଏକ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି ହୋଇଛି । ଛତିଶଗଡ଼ ସରକାର ଯେଉଁଭଳି ଭାବେ କର୍ପୋରେଟ ହାଉସ ଓ କମ୍ପାନୀଙ୍କୁ ଜଳ ବିକ୍ରି କରିଦେଇଛି ତେଣୁ ଏହି ସମସ୍ୟାର ସମାଧାନ ସହଜ ନୁହେଁ । ଓଡ଼ିଶାର ହୀରାକୁଦ ଡ୍ୟାମରେ ଜଳସ୍ତର କମୁଥିବା ବେଳେ ମହାନଦୀ ଜଳ ପ୍ରବାହ ବହୁ ପରିମାଣର କମୁଛି । ଏନେଇ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛି ନାଗରିକ ସୁରକ୍ଷା ମଞ୍ଚ । ସେପଟେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବୁନାଲର ଅଧ୍ୟକ୍ଷ ପଦ ଫାଙ୍କା ପଡିଥିବା ବେଳେ ସରକାରୀ ସ୍ତରରେ ବି ହେଉନାହିଁ କୌଣସି ଆଲୋଚନା ।

ସରକାରଙ୍କ ଅଜବ ମାନସିକତା: ୫ ମାସ ହେଲା ମିଳିନି ଟଙ୍କାଟେ, ବନ୍ଦ ହେବାକୁ ବସିଲାଣି ମୁକ୍ତା ଯୋଜନା

ଭୁବନେଶ୍ବର: ବନ୍ଦ ହେବାକୁ ବସିଲାଣି ମୁକ୍ତା ଯୋଜନା । ୫ ମାସ ହେଲାଣି ଆଉ ଟଙ୍କାଟିଏ ମିଳୁନି । ଅଧପତନ୍ତରିଆ ଭାବେ ପଡ଼ିରହିଛି ୨ ହଜାରରୁ ଅଧିକ ପ୍ରକଳ୍ପ । କାମଧନ୍ଦା ମିଳୁ ନଥିବାରୁ ବେକାର ହେଲେଣି ସହରାଞ୍ଚଳ ଶ୍ରମିକ । ୨୦୨୦ କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୂର ପାଇଁ ପୂର୍ବ ନବୀନ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ରୋଜଗାର ସୁଯୋଗ ପାଇଥିଲେ ତୃତୀୟ ଲିଙ୍ଗି ଓ ଏସ୍‌ଏଚ୍‌ଜି । ସରକାର ବଦଳିବା ଯୋଜନା ରୂପାନ୍ତର ପାଇଁ ନିୟୋଜିତ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଏପରି ହୀନ ଉଦ୍ୟମକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ।

ରାଜ୍ୟ ସରକାରଙ୍କୁ ହୋଇଛି କି ବିକାର ରୋଗ ? ପୂର୍ବ ସରକାରଙ୍କ ସବୁ ଯୋଜନା ବନ୍ଦ ହେବ, ନ ହେଲେ ନାମରେ ଫେର ବଦଳ ହେବ । ଏପରି ମାନସିକତାରେ ଏବେ ବିଜେପି ସରକାର ଚାଲିଥିବା ବିରୋଧୀ ଅଭିଯୋଗ କଲେଣି । ମୁଖ୍ୟମନ୍ତ୍ରୀଙ୍କ ନାମରେ ପ୍ରଚଳିତ ଯୋଜନା ମୁକ୍ତା’ର ଡଙ୍କ ମୋଡ଼ି ସାରିଲେଣି । ସହରାଞ୍ଚଳ ଶ୍ରମିକଙ୍କୁ କାମଧନ୍ଦା ଯୋଗାଉଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ବାବଦରେ ଆଉ ଟଙ୍କାଟିଏ ଆସୁନି । ବେକାର ହେଲେଣି ହଜାର ହଜାର ଶ୍ରମଜୀବୀ ।

୨୦୨୦ କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଦେଖି ତତ୍କାଳୀନ ବିଜେଡି ସରକାର ଆରମ୍ଭ କରିଥିଲେ ଏହି ଯୋଜନା । ଉଦ୍ଦେଶ୍ୟ ଥିଲା ସହରାଞ୍ଚଳରେ ଶ୍ରମିକଙ୍କୁ କର୍ମ ସଂସ୍ଥାନ ମିଳିଲେ ଆଉ ସେମାନେ ବାହାର ରାଜ୍ୟକୁ ଯିବେନି । ୫ଟି ମହାନଗର ନିଗମ ସମେତ ୧୧୪ଟି ପୌରାଞ୍ଚଳରେ ମୌସୁମୀ ପୂର୍ବରୁ ନାଳଗୁଡ଼ିକର ରକ୍ଷଣାବେକ୍ଷଣ, ବର୍ଷା ଜଳ ଅମଳ, ନୂତନ ଜଳାଶୟ ବିକାଶ, ବୃକ୍ଷରୋପଣ, କମ୍ୟୁନିଟି ସେଣ୍ଟର, ସର୍ବସାଧାରଣ ଶୌଚାଳୟ ନିର୍ମାଣ ପାଇଁ ୭ ହଜାର ୬୨୦ଟି ପ୍ରକଳ୍ପ ଅନୁମୋଦନ କରାଯାଇଥିଲା । ସେଥିରୁ ୫ ହଜାର ୩୮୫ଟି ସମ୍ପୂର୍ଣ୍ଣ ହୋଇସାରିଛି । ବାକି ୨ ହଜାର ୨୩୫ଟି ପ୍ରକଳ୍ପ କାର୍ଯ୍ୟ ଅର୍ଥ ଅଭାବରୁ ଅଧପନ୍ତରିଆ ଭାବେ ପଡ଼ିରହିଛି । ଫଳରେ ଏବେ ହଜାର ହଜାର ଶ୍ରମିକ ରୋଜଗାର ନଥିବାରୁ ବାହାର ରାଜ୍ୟ ମୁହାଁ ହେଲେଣି ।

ଦିଗହରା ହେଲାଣି ଏହି ଯୋଜନା । ଏପରିକି ସରକାର ବଦଳିବା ପରେ ଏହି ଯୋଜନାରେ ନିୟୋଜିତ ତୃତୀୟ ଲିଙ୍ଗି କର୍ମଚାରୀ ଓ ଏସଏଚଜିଙ୍କୁ ଅନ୍ତର କରାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେଡି ସରକାର କରିଥିବା ଏହି ଯୋଜନା କୌଣସି ବ୍ୟକ୍ତି ବିଶେଷଙ୍କ ନାମରେ ନାମିତ ହୋଇ ନଥିଲା । ଏହି ଯୋଜନାକୁ ଅନୁଦାନ ନ ଦେବା ଅର୍ଥ ବନ୍ଦ କରିବା ସଙ୍ଗେ ସମାନ । ଡବଲ ଇଞ୍ଜିନ ସରକାରରେ ଶ୍ରମିକଙ୍କୁ ଅଧିକ ରୋଜଗାର କ’ଣ ମିଳିବ ଓଲଟି ସେମାନଙ୍କ ପେଟକୁ ଲାତ୍‌ ମାରିବା ଭଳି ହୋଇଥିବା କଟାକ୍ଷ କରିଛନ୍ତି ମୁକ୍ତା ଯୋଜନାରେ ପୂର୍ବତନ ଉପଦେଷ୍ଟା ମୀରା ପରିଡ଼ା । କୋଭିଡ ମହାମାରୀ ସମୟରେ କାମଧନ୍ଦା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା । ଏବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସେତେବେଳେ ବିରୋଧୀ ଦଳରେ ବିଧାୟକ ବି ଥିଲେ । ହେଲେ ଆଜି ଏ କଥା ପଚାରିଲେ ଉପର ଠାଉରିଆ ଭାବେ ଉତ୍ତର ଦେଉଛନ୍ତି ।

ସରକାର ବଦଳିଲେ କାମ କରିବା ତରିକା ବଦଳେ । ବଦଳେ ସରକାରଙ୍କ ବିକାଶ ଆଭିମୁଖ୍ୟ । ଗରିବଙ୍କୁ ରୋଜଗାର ଦେଉଥିବା ଯୋଜନାରେ କେଁ ପୂରାଇ ଏବର ସରକାର ଯେପରି ତାକୁ ଦିଶାହୀନ କଲେଣି । ସତେ ଯେମିତି ଲୋକଙ୍କ ମୌଳିକ ଅଧିକାର ସୁରକ୍ଷା ଏ ସରକାର ପାଖରେ ଯେପରି ଗୌଣ ହୋଇଯାଇଛି ।

ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ହୋଇନି ଫାଟ: ରବିଶଙ୍କର ପ୍ରତିହାରୀ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବରିଷ୍ଠ ସେବାୟତ ରବି ଶଙ୍କର ପ୍ରତିହାରୀଙ୍କ ବଡ଼ ପ୍ରତିକ୍ରିୟା । ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ଫାଟ ହୋଇଥିବା ଚର୍ଚ୍ଚାକୁ ସିଧା ସିଧା ଖଣ୍ଡନ କରିଛନ୍ତି ରବିଶଙ୍କର । ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ଫାଟ ହୋଇନାହିଁ । ଏମିତି କହିବା ସମ୍ପୂର୍ଣ୍ଣ ଭୁଲ ।

ଆଗକୁ ସେ କହିଛନ୍ତି, ଛତିଶା ନିଯୋଗର ଅନୁମୋଦ ପରେ ସେବାୟତଙ୍କ ସହଯୋଗରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ଖୋଦ ଏଏସଆଇର ତତ୍ତ୍ବାବଧାନରେ ପରିକ୍ରମା ପ୍ରକଳ୍ପ କାମ ହୋଇଥିଲା । ଏଏସଆଇର ଅଭିଜ୍ଞ ବିଶେଷଜ୍ଞମାନେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରୁଥିଲେ । ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ପରିକ୍ରମା ପ୍ରକଳ୍ପ କରାଯାଇଛି । ଏକଥା ପୁରୀବାସୀ ଓ ପୁରୀକୁ ପ୍ରତିଦିନ ଆସୁଥିବା ଭକ୍ତମାନେ କହୁଛନ୍ତି ।

ସେହିଭଳି ସେ କହିଛନ୍ତି, ପୂର୍ବରୁ ମେଘନାଦ ପାଚେରୀ କଡରେ ଉଠା ଦୋକାନୀ ବସୁଥିଲେ । ୧୯୮୨ ମସିହାରେ ମେଘନାଦ ପାଚେରୀ କଡରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ତେଣୁ ସେତେବେଳେ ଥିବା ଉଠା ଦୋକାନୀମାନେ ମେଘନାଦ ପାଚେରୀରେ କିଛି ବି ଲୁହା ବିମ ଲଗାଇଥିବେ, ଯେଉଁଥି ପାଇଁ ଏହି ଫାଟ ହୋଇଥାଇପାରେ । ଏଥିସହିତ ଶ୍ରୀମନ୍ଦିରରୁ ପାଣି ନିଷ୍କାସନ ପାଇଁ ପୂର୍ବରୁ ନାଳ ରହିଛି । ଏହି ନାଳରେ ପାଣି ଯାଇ ତାହା ଗର୍ତ୍ତରେ ପରିଣତ ହୋଇଥାଇ ପାରେ । ଯେଉଁମାନେ କହୁଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ପାଇଁ ମେଘନାଦ ପାଚେରୀରେ ଫାଟ ହୋଇଛି ସେମାନେ ବିଶେଷଜ୍ଞ ନୁହଁନ୍ତି । ସର୍ବୋପରି ଯେଉଁମାନେ ଆଜି ପ୍ରକଳ୍ପ ବିରୋଧରେ କହୁଛନ୍ତି, ସେ ସମୟରେ ସେମାନେ ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରୁଥିଲେ । ଏଥିସହିତ ଯେଉଁ ପଟେ ମେଘନାଦ ପାଚେରୀରେ ଫାଟ ହୋଇଛି ସେପଟେ କୌଣସି ଖନନ କାର୍ଯ୍ୟ ହୋଇ ନଥିଲା ବୋଲି ସେ କହିଛନ୍ତି ।

ସ୍ଵପ୍ନରେ ରହିଯିବ ୫ ଜିଲ୍ଲାକୁ ରେଳପଥ ନିର୍ମାଣ ଲକ୍ଷ୍ୟ, ଡବଲ ଇଞ୍ଜିନ କେଉଁ କାମକୁ ?

ଭୁବନେଶ୍ବର: ଓଡିଶା ବିକାଶର ଡବଲ ପ୍ରତିଶ୍ରୁତି ଦେଇ ରାଜ୍ୟରେ ଶାସନକୁ ଆସିଛି ଡବଲ ଇଞ୍ଜିନ ସରକାର । ହେଲେ ଓଡିଶାର ବିଭିନ୍ନ ଜିଲ୍ଲାକୁ ରେଳ ଇଞ୍ଜିନ ଗଡିବା କ୍ଷେତ୍ରରେ ରେଳବାଇର ଅବହେଳାକୁ ନେଇ ଉଠିଛି ପ୍ରଶ୍ନ । ଜୟପୁର-ନବରଙ୍ଗପୁର ହେଉ କି ଜୟପୁର-ମାଲକାନଗିରି ଭଳି ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷ ତଳୁ ଏମଓୟୁ ହୋଇଥିଲେ ବି କାମ ଆଗେଇ ପାରୁନି । ସେହିପରି ହରିଦାସପୁର-ପାରାଦ୍ବୀପ ଓ ଅନୁଗୋଳ-ସୁକିନ୍ଦା ରେଳ ଲାଇନରେ ଏଯାଏଁ ଗଡିଲାନି ପାସେଞ୍ଜର ଟ୍ରେନ । ଗତ ଦୁଇ ଦଶନ୍ଧୀ ଧରି ରାଜ୍ୟର ବିଭିନ୍ନ ରେଳପଥ ନେଇ ଦାବି ହୋଇ ଆସୁଥିଲେ ବି କେନ୍ଦ୍ରୀୟ ଅବହେଳା ଯୋଗୁଁ ଓଡିଶାରେ ରେଳବାଇ ବହୁ ପଛରେ ।

ରେଳବାଇରେ ଓଡିଶାକୁ କେନ୍ଦ୍ରର ଚିରାଚରିତ ଅବହେଳିତ । ଡବଲ ଇଞ୍ଜିନ ସରକାର ଥାଇ ବି ଆଗେଇ ପାରୁନି ପ୍ରକଳ୍ପ କାମ । ଜୟପୁରରୁ ନବରଙ୍ଗପୁର ୪୧ କି.ମି. ରେଳପଥ କାମ ଆରମ୍ଭ ହେଉ ହେଉ ବନ୍ଦ । ଜୟପୁରରୁ ମାଲକାଗିରି ୧୩୦ କି.ମି. ରେଳ ଲାଇନ କାମ ବି ବନ୍ଦ । ୨୦୧୬ ଅକ୍ଟୋବର ୧୦ ତାରିଖରେ ଏହି ଦୁଇଟି ପ୍ରକଳ୍ପ ପାଇଁ ନୂଆଦିଲ୍ଲୀ ରେଳଭବନରେ ତତ୍କାଳୀନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଉପସ୍ଥିତିରେ ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ସ୍ପେସାଲ ପର୍ପୋଜ ଭେହିକିଲ ବା ଏସପିଭି ଜରିଆରେ ଏସବୁ କାମ କରିବାକୁ ସ୍ଥିର ହୋଇଥିଲା । ରେଟ୍ ଅଫ୍ ରିଟର୍ଣ୍ଣ ୧୪ ପ୍ରତିଶତରୁ କମ୍ ହେଉଥିବାରୁ ଉଭୟ ପ୍ରକଳ୍ପ ପାଇଁ ମୋଟ ଖର୍ଚ୍ଚର ୫୦ ପ୍ରତିଶତ ରାଜ୍ୟ ସରକାର ବହନ କରିଥିଲେ । ସେହିଭଳି ଜୟପୁର- ନବରଙ୍ଗପୁର ପ୍ରକଳ୍ପର ସମସ୍ତ ଜମି ରାଜ୍ଯ ସରକାର ମାଗଣାରେ ଦେବେ ବୋଲି ସ୍ଥିର ହୋଇଥିଲା । ଜମି ଅଧିଗ୍ରହଣର ୬ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ଯକ୍ଷମ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ସେହି ଅନୁଯାୟୀ ୨୦୨୨ ସୁଦ୍ଧା ଦୁଇଟି ଯାକ ପ୍ରକଳ୍ପର ନିର୍ମାଣ କାମ ସରିବା କଥା । ବାରମ୍ବାର ବିଜେଡି ଓ ଖୋଦ ନବୀନ ପଟ୍ଟନାୟକ ଏହି ଦୁଇ ପ୍ରକଳ୍ପ ପାଇଁ ଦାବି କରୁଥିଲେ ବି ରେଳ ବିଭାଗର ଅବହେଳା ପାଇଁ ରେଳପଥ ନିର୍ମାଣ କାମ ଆଗେଇ ପାରିନି ।

କେବଳ ଏ ଦୁଇଟି ପ୍ରକଳ୍ପ ନୁହେଁ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ରେଳ, କୋଇଲା ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ସହ ମିଶି କିଛି ପ୍ରକଳ୍ପ ପାଇଁ ଯୌଥ କମ୍ପାନୀ ଓ ଏସପିଭି ଗଠନ କରିଛନ୍ତି । ହେଲେ ପ୍ରାୟ ସମସ୍ତ ପ୍ରକଳ୍ପ ବର୍ତ୍ତମାନ ଯେମିତି ଲକ୍ଷ୍ଯ ଠାରୁ ବହୁ ଦୂରରେ । ୧୯୯୬-୯୭ରେ ପାରାଦ୍ବୀପ ବନ୍ଦରକୁ ମାଲ ପରିବହନ ପାଇଁ ହରିଦାସପୁର-ପାରାଦ୍ବୀପ ରେଳ କମ୍ପାନୀ ଲିମିଟେଡ ବା HPRCL ନାମରେ ଏକ ଏସପିଭି ଗଠନ ହୋଇଥିଲା । ରେଳ ଲାଇନ ନିର୍ମାଣ ସରିଥିଲେ ବି ଏଯାଏଁ ଚାଲିପାରୁନି ପ୍ୟାସେଞ୍ଜର ଟ୍ରେନ । ସମାନ ସ୍ଥିତି ଅନୁଗୋଳ-ସୁକିନ୍ଦା ରେଳ ପଥର ।

ରେଳବାଇର ଅବହେଳା ଯୋଗୁଁ ଏବେ ବି ରାଜ୍ଯରେ କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ଦେବଗଡ ଓ ବୌଦ୍ଧ ଭଳି ୫ ଜିଲ୍ଲାକୁ ପହଁଚି ପାରିନି ରେଳ ସେବା ।

ରାଜ୍ଯ ବିଜେପିର ବହୁରୂପୀ ଏଣ୍ଡୁଅ ଆଚରଣ: ଜାମିନ ଆବେଦନ ଖାରଜ ପରେ ବି ଜୟନାରାୟଣ ଗେହ୍ଲା ପୁଅ

ଭୁବନେଶ୍ବର: ସୁପ୍ରିମକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ମଧ୍ୟ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ରାଜ୍ୟ ସରକାର ଦେଉଛନ୍ତି ସୁରକ୍ଷା । ଯାହାକୁ ନେଇ ବିଜେଡି କକ୍ଷାକ୍ଷ କରିବା ସହ ବହୁରୂପୀ ଏଣ୍ଡୁଅ ଭଳି ରାଜ୍ୟ ବିଜେପିର ଆଚରଣ କହିଛି । ଦଳ ପକ୍ଷରୁ କୁହାଯାଇଛି କ୍ଷମତାର ଅହଂକାରରେ ସୁପ୍ରିମକୋର୍ଟଙ୍କ ରାୟକୁ ବି ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ଖୋଦ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି, ହେଲେ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନୁହେଁ ନ୍ୟାୟରେ ଜୟନାରୟଣ ହୁଅନ୍ତୁ ବା ରାଜ୍ୟପାଳଙ୍କ ପୁଅ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ।

ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଟାଳଟୁଳ ନୀତିକୁ ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଇନ ସମସ୍ତଙ୍କ ପାଇଁ ସମାନ କହୁଥିବା ରାଜ୍ୟ ସରକାର ଜୟନାରାୟଣଙ୍କ କ୍ଷେତ୍ରରେ କାହିଁକି ନୀରବ ? ମହିଳା ପୋଲିସ ଅଧିକାରୀଙ୍କୁ ମାଡ ମାରିବା ମାମଲାରେ ସୁପ୍ରିମକୋର୍ଟରେ ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ ହୋଇଛି । ତା’ସତ୍ତ୍ବେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଏହାକୁ ନେଇ ବିଜେପି ସରକାରଙ୍କୁ ଘେରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରତାପ ଦେବ । ଜାମିନ ଖାରଜ ପରେ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ । କ୍ଷମତାର ଅଂହକାରରେ ସେ ଏଭଳି କହୁଛନ୍ତି । ସୁପ୍ରିମକୋର୍ଟ ନିୟମକୁ ପାଳନ କରୁନାହାନ୍ତି ଅର୍ଥ ବିଜେପି ବିଧାୟକମାନେ ଆଇନଠୁ ଊର୍ଦ୍ଧ୍ବରେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।  ଯଦି ଆଇନ ସମସ୍ତଙ୍କ ପାଇଁ ସମାନ ତେବେ ବିଜେପି ବିଧାୟକ ଓ ରାଜ୍ୟପାଳଙ୍କ ପୁଅ ପାଇଁ ଅଲଗା କାହିଁକି, ଏହାର ଜବାବ ନିଜେ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଆଉ ଏହାସହ ଆଗାମୀ ଦିନରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସେ ଚେତାଇ ଦେଇଛନ୍ତି ।

ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତା ଉପରେ କଂଗ୍ରେସ ଓ ବାମଦଳ ମଧ୍ୟ ବର୍ଷିଛନ୍ତି । ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ଗୃହ ବିଭାଗ । ସୁପ୍ରିମକୋର୍ଟ ଜାମିନ ଖାରଜ କରିବା ପରେ ଆଇନର ପ୍ରାବଧାନ ଯାହା ଅଛି ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଆଇନକୁ ହାତକୁ ନେଉଥିବା ଦଳୀୟ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ପକ୍ଷପାତିତା କରାଯାଉଥିବାରୁ ଆଗାମୀ ଦିନରେ ସାରା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯିବାର ଆଶଙ୍କା ରହିଛି ବୋଲି ସେ ସତର୍କ କରାଇ ଦେଇଛନ୍ତି । ସେହିଭଳି ବିଜେପିର ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନ ପାଣିର ଗାର ବୋଲି ଅଭିଯୋଗ କରିଛନ୍ତି ସିପିଏମ ନେତ୍ରୀ ତାପସୀ ପ୍ରହରାଜ । ବିଜେପି ମାନସିକ ଭାବେ ମହିଳା ବିରୋଧୀ । ଯେତେବେଳେ ମହିଳା ପୋଲିସ ଅଧିକାରୀଙ୍କୁ ଜୟ ନାରାୟଣ ମାଡ଼ ମାରିଥିଲେ ସେତେବେଳେ ବିଜେପି ତାଙ୍କୁ ଦଳରୁ ସସପେଣ୍ଡ କରିପାରିଥାନ୍ତା । ଅନ୍ୟପକ୍ଷେ ବିରୋଧୀ ଦଳଙ୍କ ଅଭିଯୋଗର ଜବାବ ଦେଇଛି ବିଜେପି ।

ସାରଥୀଙ୍କୁ ସାର୍ଟିଫାଏଡ୍ କପି ଆବେଦନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ସନ୍ତୋଷ କୁମାର ରାଉଳ ଓରଫ ସାରଥୀଙ୍କ ଆୟକର ମାମଲା । ନଭେମ୍ବର ମାସ ୨୨ ତାରିଖ ସୁଦ୍ଧା ଆପ୍ରୋପିଏଟ ଅଥରିଟିଙ୍କ ନିକଟରେ ସାର୍ଟିଫାଏଡ୍ କପି ଆବେଦନ କରିବାକୁ ସାରଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଆୟକର ବିଭାଗ ପକ୍ଷରୁ ତାଙ୍କୁ ଜରିମାନା ଦେବାକୁ ଗତ ଏପ୍ରିଲ ୩୦ ତାରିଖ ଦିନ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଚ୍ଯାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ  ହୋଇଥିଲେ । ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ ମୃଗଙ୍କା ଶେଖର ସାହୁ ମାମଲାର ଶୁଣାଣି କରୁଛନ୍ତି । ଆସନ୍ତା ଡିସେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।

ଝାଡ଼ଖଣ୍ଡ ନିର୍ବାଚନ: ରାହୁଲଙ୍କ ହେଲିକପ୍ଟରକୁ ମିଳିଲାନି ଅନୁମତି, ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି

ରାଞ୍ଚି: ବିଧାନସଭା ନିର୍ବାଚନ ପ୍ରଚାରକୁ ନେଇ ଉଠୁଛି ପଡୁଛି ଝାଡ଼ଖଣ୍ଡ । ପ୍ରଚାରରେ ପୂରା ଦମ ଲଗାଇ ଦେଇଛନ୍ତି ସବୁ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ଜୋରସୋରରେ ପ୍ରଚାର କରିଛନ୍ତି । ତେବେ ଏହି ପ୍ରଚାର ସମୟରେ ଦୁଇଟି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଓ ଦ୍ବିତୀୟଟି ରାହୁଲଙ୍କ ହେଲିକପ୍ଟରକୁ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅନୁମତି ନମିଳିବା ।

ମିଳିଥିବା ସୂଚନା ଅନୁସାରେ, ରାହୁଲ ଆଜି ମହାଗମାରେ ନିର୍ବାଚନ ପ୍ରଚାର ସାରିବା ପରେ ସେ ବରମୋ ଅଭିମୁଖେ ଯିବାର ଥିଲା । ସେଠାରୁ ସେ ଅନ୍ଯ ଏକ ସ୍ଥାନକୁ ନିର୍ବାଚନ ପ୍ରଚାର କରିବା ଲାଗି ଯାଇଥାନ୍ତେ । ମାତ୍ର ସେଠାରୁ ତାଙ୍କ ହେଲିକପ୍ଟର ଲାଗି ଏଟିସି ଅନୁମତି ମିଳି ନଥିଲା । ସେପଟେ ଆଜି ବି ଜାମୁଇରେ ପ୍ରଧାନମନ୍ତ୍ରୀଙ୍କ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଥିଲା । ସେଠାରେ ସେ ଦେଓଘର ଯାଇଛନ୍ତି । ଏହି କାରଣରୁ ରାହୁଲଙ୍କ ହେଲିକପ୍ଟରକୁ ଅନୁମତି ମିଳି ନଥିବା ସୂଚନା ମିଳିଛି । ପ୍ରାୟ ୧ ଘଣ୍ଟା ପରେ ରାହୁଲଙ୍କ ହେଲିକପ୍ଟରକୁ ଅନୁମତି ମିଳିଛି ।

ସେପଟେ ନିର୍ବାଚନୀ ଉଦବୋଧନ ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଜିଏସଟି, ପେଟ୍ରୋଲ ଆଦି ପ୍ରସଙ୍ଗରେ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନରେ ବି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବାରୁ ତାଙ୍କର ଗସ୍ତ ବିଳମ୍ବ ହୋଇଛି ।

ଡଙ୍ଗା ଭସାଇବାକୁ ଯାଇ ୩ ବର୍ଷର ଶିଶୁପୁତ୍ର ମୃତ

ସାଲେପୁର: ସାଲେପୁର ବ୍ଲକ୍ କରମୁଆଁ ଗାଁରେ ଅଘଟଣ । ଗାଁ ନିକଟରେ ଥିବା ପୋଖରୀରେ ଡଙ୍ଗା ଭସାଇବାକୁ ଯାଇଁ ଜଣେ ତିନି ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ମୃତ ଶିଶୁପୁତ୍ର ହେଉଛି କରମୁଆଁ ଗାଁର ପ୍ରଦୀପ୍ତ ଭୋଇଙ୍କ ପୁଅ ନିତୀଶ ଭୋଇ ।

ପରିବାର ଲୋକ ବହୁ ଖୋଜା ଖୋଜି କଲା ପରେ ଗାଁ ନିକଟରେ ଥିବା ପୋଖରୀରୁ ତାକୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ।