spot_img
Home Blog Page 1280

ଆଜିଠୁ ଚାଷୀଙ୍କ ପୁଣି ‘ଦିଲ୍ଲୀ ଚଲୋ’ ଅଭିଯାନ

ଭୁବନେଶ୍ୱର: ଆଜିଠୁ ପୁଣି ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ। ଏମଏସପି ଦାବିରେ ଦିଲ୍ଲୀ ଚଲୋ ନାରା ଦେଇଛନ୍ତି କୃଷକ ସଂଗଠନ । ପୂର୍ବରୁରେ ଗତ ୬ ତାରିଖ ଦିଲ୍ଲୀ ଚଲୋ ନାରା ଦେଇ କୃଷକ ସଂଗଠନ ଆନ୍ଦୋଳନ ଆରମ୍ଭ କରିଥିଲା। ତେବେ ଦିଲ୍ଲୀ ସୀମାନ୍ତ ଶମ୍ଭୁ ସୀମାରେ ଅଟକାଇଥିଲା ପୋଲିସ। ଆଜି ମଧ୍ୟରେ ଚାଷୀଙ୍କୁ ଆଲୋଚନା ପାଇଁ ନଡାକିଲେ ପୁଣି ଦିଲ୍ଲୀ ଅଭିମୁଖେ ଅଭିଯାନ ଆରମ୍ଭ କରିବାକୁ ଚେତାବନୀ ଦେଇଥିଲା। ମହଲତ୍ ସରିବା ପରେ ଆଲୋଚନା ପାଇଁ ଡାକିଲେ ନାହିଁ କେନ୍ଦ୍ର ସରକାର।              ଏହାପରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ। ରାଜଧାନୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି ୧୦୧ ଚାଷୀ। MSPର ଆଇନଗତ ଗ୍ୟାରେଣ୍ଟି ସହିତ ରହିଛି ଅନ୍ୟ ଦାବି।

ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ପକ୍ଷରୁ ସମାଗମ ରାଲି ଉପରେ ନିଷେଧାଦେଶ ଜାରି କରାଯାଇଥିଲେ ବି ନିୟମକୁ ମାନିନଥିଲେ ଚାଷୀ। ଗତ ସୋମବାର ଉତ୍ତରପ୍ରଦେଶର ଚାଷୀମାନେ ପାର୍ଲାମେଣ୍ଟ ଅଭିଯାନ କରିଥିଲେ । ତେବେ ସେମାନଙ୍କୁ ନୋଏଡାରେ ଅଟକ ରଖିଥିଲା ପୋଲିସ। ଏହି ଆନ୍ଦୋଳନକୁ ନେଇ ସୀମାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ସଂଯୁକ୍ତ କିଷାନ ମୋର୍ଚ୍ଚା ବ୍ୟାନରରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ। ବିଭିନ୍ନ ଶସ୍ୟରେ ଏମଏସପି ପ୍ରଦାନ କରିବା, ଋଣ ଛାଡ଼, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ବିଦ୍ୟୁତ ଦର ବୃଦ୍ଧି ନକରିବା, ୨୦୨୧ ଲଖିମପୁରୀ ଘଟଣାରେ ଚାଷୀଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର ଆଦି ଦାବିରେ ଆନ୍ଦୋଳନ କରୁଛନ୍ତି ଚାଷୀ । ଗତ ଫେବୃୟାରୀ ୧୩ରୁ ଚାଷୀମାନେ ପଞ୍ଜାବ ଓ ହରିୟାଣା ସୀମା ଅନ୍ତର୍ଗତ ଶମ୍ଭୁ ଓ ଖାନାଉରିରେ କ୍ଯାମ୍ପ ପ୍ରତିଷ୍ଠା କରି ରହିଛନ୍ତି । ସୀମାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ଥିବାବେଳେ ବିଭିନ୍ନ ସ୍ଥାନରେ ବ୍ଯାରିକେଡ ଲଗାଯାଇଛି ।

ଭୁବନେଶ୍ଵରରେ ସିବିଆଇ ରେଡ୍, ଦାମୀ ଗାଡ଼ିରୁ ମିଳିଛି ବିପୁଳ ଟଙ୍କା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରରେ ସିବିଆଇ ରେଡ୍। ମେ’ ଫେୟାର ହୋଟେଲ ସମ୍ମୁଖରେ ଥିବା ଏକ ଦାମୀ କାରରୁ ବିପୁଳ ଟଙ୍କା ଜବତ କରିଛି ସିବିଆଇ। ସୂଚନା ଅନୁଯାୟୀ, ଅଟୋରେ ଆସିଥିଲେ ସିବିଆଇ ଟିମ । ବିଶେଷ ସୂତ୍ରରୁ ଖବର ପାଇ ସାଧା ପୋଷାକରେ ଆସି ହୋଟେଲ ମେ’ ଫେୟାର ସମ୍ନାରେ ଏକ ମର୍ସିଡିଜ କାର ଭିତରେ ଡିଲ୍ ଚାଲିଥିବା ବେଳେ ଚଢ଼ାଉ କରିଛି ସିବିଆଇ ଟିମ । ଗାଡିଟିର ନମ୍ବର ଥିଲା OD05 BV 9999 । ଏକ କନଷ୍ଟ୍ରକସନ କମ୍ପାନୀ ନାଁରେ ଗାଡିର ରେଜିଷ୍ଟ୍ରେସନ ରହିଛି । ଗାଡି ସହ ଗାଡି ମାଲିକ ଓ ଅନ୍ୟ ୩ ସହଯୋଗୀଙ୍କୁ ଅଟକ ରଖିବା ସହ ବିଭିନ୍ନ ସ୍ଥାନରେ ଛାପା ମାରୁଛି ସିବିଆଇ ସ୍ବତନ୍ତ୍ର ଟିମ୍ ।

ପ୍ରଶ୍ନ ଉଠୁଛି, ଦାମୀ ଗାଡ଼ିକୁ କେମିତି ଆସିଲା ଏତେ ଟଙ୍କା । ଟଙ୍କା ବଣ୍ତଲ ଧରି କୁଆଡ଼େ ଯାଉଥିଲେ ଏହି ବ୍ୟକ୍ତି । ଟଙ୍କାକୁ ନେଇ ଖୋଳତାଡ଼ କରୁଛି ସିବିଆଇ । ରାଜ୍ୟ ବାହାରର ସିବିଆଇ ଟିମ୍ ରେଡ୍ କରିଛି । କଣ୍ଟ୍ରାକ୍ଟର ଓ ଅଧିକାରୀଙ୍କ ଡିଲ୍ ବେଳେ ଏହି ଟଙ୍କା ଜବତ ହୋଇଛି । ଦୀର୍ଘଦିନ ଧରି ସିବିଆଇ ଟ୍ରାକ୍ କରୁଥିବା ସୂଚନା ମିଳିଛି । ପ୍ରାୟ ୩ ମାସ ଧରି ମାଷ୍ଟର ମାଇଣ୍ଡଙ୍କୁ ଧରିବାକୁ ଟ୍ରାକରେ ଥିଲା ସିବିଆଇ । ଜବତ ହୋଇଥିବା ଟଙ୍କା କାହାର ? କେଉଁ କାମର ଟେଣ୍ଡର ନେବା ପାଇଁ ଚାଲିଥିଲା କାରବାର ? ସିବିଆଇ ରେଡ୍ ପରେ ୪ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା ଜାରି ରହିଛି। ଟଙ୍କା କିଏ ନେଉଥିଲା, କୁଆଡ଼େ ନେଉଥିଲା ତାହା ଏବେ ବି ଅସ୍ପଷ୍ଟ ରହିଛି। ହୋଟେଲ ଆଗରେ ଗାଡି ମାଲିକଙ୍କୁ ଧରିବା ବେଳେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ତେଣୁ ବାଧ୍ୟହୋଇ ସିବିଆଇକୁ ସ୍ଥାନୀୟ ପୋଲିସର ସହାୟତା ନେବାକୁ ପଡିଥିଲା।

ରାଜ୍ୟରେ ବଢିଛି ଦେଶୀ ଓ ବିଦେଶୀ ମଦ ବିକ୍ରି

ଭୁବନେଶ୍ବର: ରାଜ୍ୟରେ ବଢୁଛି ମଦ ବିକ୍ରି । ଗତବର୍ଷ ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଛି । ସେହିପରି ୨୦୨୨-୨୩ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ଲିଟର ହୋଇଛି ।

ସେହିପରି ଦେଶୀ ମଦର ମଧ୍ୟ ଚାହିଦା ବଢିଛି । ୨୦୨୨-୨୩ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ୯୮ ଲକ୍ଷ ୪୩ ହଜାର ଲିଟର ମଦ ବିକ୍ରି ହୋଇଛି । ସେହିପରି ଅବକାରୀ ରାଜସ୍ୱ ମଧ୍ୟ ବଢି ୨୦୨୩-୨୪ରେ ୭ ହଜାର ୨୧୬ କୋଟି ୯୯ ଲକ୍ଷରେ ପହଞ୍ଚିଛି । ଏ ସଂପର୍କରେ ବିଧାନସଭାରେ ଲିଖିତ ଉତ୍ତର ରଖି ଏହା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ରାଜ୍ୟରେ ଏବେ ମୋଟ ୧୦୭୩ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଅଛି । ୭୬୨ଟି ବିଦେଶୀ ଠିପି ଖୋଲା ମଦ ଦୋକାନ, ୧୭୯ଟି ଦେଶୀ ମଦ ଦୋକାନ, ୪୮୨ଟି ମହୁଲି ଦେଶୀ ମଦ ଦୋକାନ, ୩୫ଟି ମିଲିଟାରୀ କ୍ୟାଣ୍ଟିନ ଏବେ ଚାଲୁଛି ବୋଲି ଉତ୍ତର ମିଳିଛି ।

ଇଣ୍ଡି ମେଣ୍ଟର ନେତୃତ୍ବ ନେବାକୁ ମମତାଙ୍କ ଇଚ୍ଛା: ଫାଟିବ କି ମେଣ୍ଟ ଦଳଙ୍କ ମନ ?

କୋଲକାତା: ଟିଏମସି ନେତ୍ରୀ ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ନେତୃତ୍ଵ ନେବାକୁ ଇଚ୍ଛୁକ ଥିବା ନେଇ ପ୍ରତିକ୍ରିୟା ପରେ ଉଷ୍ଣ ହେବାରେ ଲାଗିଛି ରାଜନୀତି । ମେଣ୍ଟର କିଏ ମମତାଙ୍କୁ ସମର୍ଥନ ଜଣାଇଛି ତ ଆଉ କିଏ ବିରୋଧ ନକରିଥିଲେ ବି ବାଆଁରେଇ ବୟାନ ଦେଇଛି । ଏମିତି ଲାଗୁଛି, ମମତାଙ୍କ ମନ୍ତବ୍ୟ ପରେ ଇଣ୍ଡି ମେଣ୍ଟ ଯେମିତି ଫଳ ହେବାକୁ ବସିଛି । ମେଣ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମମତା । କହିଛନ୍ତି, ଯଦି ସୁଯୋଗ ଦିଆଯାଏ ତେବେ ସେ ଏହାର ନେତୃତ୍ଵ ସମ୍ଭାଳିବେ ।

କୁହାଯାଉଛି, ଟିଏମସି ସୁପ୍ରିମୋ ପୂରା ବିରୋଧୀ ଦଳକୁ ନିୟନ୍ତ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସାକ୍ଷାତକାରରେ ମମତା କହିଛନ୍ତି, ମୁଁ ଇଣ୍ଡିଆ ମେଣ୍ଟ ଗଠନ କରିଥିଲି । ବର୍ତ୍ତମାନ ଏହାକୁ ପରିଚାଳନା କରିବାକୁ ଯେଉଁମାନେ ଆଗେଇ ଆସୁଛନ୍ତି ସେମାନଙ୍କ ଉପରେ ସବୁ ନିର୍ଭର କରୁଛି । ଯଦି ସୁଯୋଗ ଦିଆଯାଏ ତେବେ ମୁଁ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ଅଛି । ପଶ୍ଚିମବଙ୍ଗ ବାହାରକୁ ଯିବାକୁ ଚାହୁଁ ନାହିଁ । କିନ୍ତୁ ମେଣ୍ଟକୁ ଏଠାରୁ ଚଳାଇ ପାରିବି ବୋଲି କହିଛନ୍ତି ମମତା ।

ତେବେ ମମତାଙ୍କ ଏହି ବୟାନ ପରେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଟିଏମସି ସୁପ୍ରିମୋଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି । ସମାଜବାଦୀ ପାର୍ଟି କହିଛି, ଯଦି ମମତା ଇଣ୍ଡିଆ ମେଣ୍ଟର ନେତୃତ୍ୱ ନିଅନ୍ତି, ତେବେ ଏସପିର ଏଥିରେ କୌଣସି ଅସୁବିଧା ନାହିଁ । ଯଦି ସମସ୍ତ ଦଳଙ୍କ ସହମତି ହୁଏ ତେବେ ସମାଜବାଦୀ ପାର୍ଟିର କୌଣସି ଆପତ୍ତି ରହିବ ନାହିଁ ଏବଂ ଦଳ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିବ ।

ଏନସି ନେତା ଫାରୁକ ଅବଦୁଲ୍ଲା ଏ ସମ୍ପର୍କରେ କିଛି ଜାଣି ନଥିବା କି ଶୁଣି ନଥିବା କହିଛନ୍ତି । ଅନ୍ୟପକ୍ଷରେ ଆରଜେଡି ମମତାଙ୍କୁ ବିରୋଧ କରି ନଥିଲେ ବି ଯାହା କହିଛି, ଏଥିରୁ ଅସନ୍ତୋଷ ବାରି ହୋଇ ପଡୁଛି । ଦଳ ପକ୍ଷରୁ କୁହାଯାଇଛି, ଇଣ୍ଡି ମେଣ୍ଟର ପ୍ରକୃତ ପ୍ରତିଷ୍ଠାତା ହେଉଛନ୍ତି ଲାଲୁ ଯାଦବ । ଲାଲୁଙ୍କ ଉଦ୍ୟମରେ ପାଟନାରେ ଇଣ୍ଡି ଆଲାଇନ୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମମତା ମଧ୍ୟ ଭାଗ ନେଇଥିଲେ । ମମତା ଇଣ୍ଡି ମେଣ୍ଟର ପ୍ରମୁଖ ଅଂଶୀଦାର ହୁଅନ୍ତୁ ।

ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ଡ୍ରାଇଭର, ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟଙ୍କ ମଧ୍ୟରୁ ଶତାଧିକ କର୍ମଚାରୀଙ୍କୁ ଦୁଇ ମାସ ହେଲା ଛଟେଇ କରିଛନ୍ତି ରାଜ୍ୟ ସରକାର । ଏହାର ପ୍ରତିବାଦରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଏମାନଙ୍କୁ ପୁନଃ-ନିଯୁକ୍ତି ପାଇଁ କର୍ମଚାରୀମାନେ ସ୍ବାସ୍ଥ୍ୟମନ୍ତ୍ରୀ, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ଅଭିଯୋଗ ଦେବା ପରେ କେହି କିଛି ନ ଶୁଣିବାରୁ ସରକାରରେ ଥିବା ବିଜେପିର ରାଜ୍ୟ ସଭାପତି ଓ ଉପସଭାପତିଙ୍କୁ ଭେଟି ଅଭିଯୋଗ କରିଥିଲେ । ନଭେମ୍ବର ୫ ପର୍ଯ୍ୟନ୍ତ ଡେଡଲାଇନ ଦିଆଯାଇଥିଲା । ତଥାପି ଏମାନଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ ନ କରିବାରୁ ବାଧ୍ୟ ହୋଇ କର୍ମଚାରୀ ଧାରଣାକୁ ଓହ୍ଲାଇଛନ୍ତି ।

୧୨ ଘଣ୍ଟା ଡ଼୍ୟୁଟି କରି ୮ ଘଣ୍ଟାର ପାରିଶ୍ରମିକ ପାଉଥିଲେ ରାଜ୍ୟର ପ୍ରାୟ ୬ ହଜାର କର୍ମଚାରୀ । ଅଭିଯୋଗ ହୋଇଛି ଯେ, ଜିଲ୍ଲା ସ୍ତରରେ ନିଜ ହକ୍ ପାଇଁ ନେତୃତ୍ବ ନେଉଥିବା ସଂଘ କର୍ମକର୍ତ୍ତାମାନଙ୍କୁ ଦମନ କରିବାକୁ ଛଟେଇ କରିଛନ୍ତି ନୂଆ ସରକାର । ଆମ୍ବୁଲାନ୍ସ ପରିଚାଳନା ପାଇଁ ନିଯୁକ୍ତ ଏଜେନ୍ସି ବଦଳିବା ପରେ ଏପରି ଛଟେଇ କାର୍ଯ୍ୟକ୍ରମ ଚାଲିଛି । ଏହାର ପୁର୍ନବିଚାର କରା ନଗଲେ ସପରିବାର ଆତ୍ମାହୁତି ଦେବାକୁ କମର୍ଚାରୀମାନେ ଚେତାବନୀ ଦେଇଛନ୍ତି ।

ନବୀନ ସରକାର ଅମଳରେ ନିଯୁକ୍ତି ହୋଇଥିବା ଏହି କର୍ମଚାରୀମାନେ କହିଛନ୍ତି, ପୂର୍ବ ସରକାରରେ ଅଭିଯୋଗ ଶୁଣାଯାଉଥିଲା । ହେଲେ ଏବେ ବିଜେପି ସରକାରରେ କେହି କିଛି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । କର୍ମଚାରୀଙ୍କ ଅଭିଯୋଗର ଉତ୍ତର ରଖି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସରକାର ବଦଳିଲା, ଏଜେନ୍ସି ବଦଳିଲା, ଯାହା ସମସ୍ୟା ହୋଇଛି, ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ।

ମହିଳାଙ୍କ ଡିମ୍ବାଶୟ କଢା ଗଲେ ହେଉଛି ଭୁଲା ରୋଗ

ନୂଆଦିଲ୍ଲୀ: ମହିଳାଙ୍କ ଡିମ୍ବାଶୟ କଢା ଗଲେ ହେଉଛି ଆଲଝାଇମର୍ସ ବା ଭୁଲା ରୋଗ । ମହିଳାଙ୍କ ଶରୀରରେ ଇ-୪ କୁହାଯାଉଥିବା ଆପୋଲିପୋ ପ୍ରୋଟିନ୍ ସକ୍ରିୟ ହେବା ଫଳରେ ଭୁଲା ରୋଗ ଆକ୍ରାନ୍ତ କରୁଛି । କାନାଡାରା ଟରଣ୍ଟୋ ଓ ଅଲବର୍ଟା ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଏହି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି । ୨୦୫୦ ବେଳକୁ ବିଶ୍ବରେ କୋଟିଏ ୨୭ ଲକ୍ଷ ଲୋକ ଆଲଝାଇମର୍ସ ରୋଗରେ ଆକ୍ରନ୍ତ ହେବେ । ସେଥିରୁ ଦୁଇ ତୃତୀୟାଂଶଙ୍କ ସଂଖ୍ୟା ମହିଳା ହେବ ବୋଲି ଆକଳନ କରାଯାଇଛି ।

ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ହୋଇପାରେ ଅଧିକ ଆଲଝାଇମର୍ସ ରୋଗ । ୫୦ ବର୍ଷରୁ କମ୍ ବୟସର ମହିଳାଙ୍କର ଡିମ୍ବାଶୟ କଢା ଯିବା ପରେ ସେହି ମହିଳା ୬୦ ବର୍ଷ ହେବା ପରେ ଭୁଲା ରୋଗର ଶିକାର ହେଉଛନ୍ତି । ଆଉ ଏଥିପାଇଁ ଦାୟୀ ହେଉଛି ଆପୋଲିପୋ ପ୍ରୋଟିନ୍ ବା ଇ-୪ ସକ୍ରିୟ ହେବା । କାନାଡାର ଟରଣ୍ଟୋ ଓ ଅଲବର୍ଟା ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଏପରି ନୂଆ ତଥ୍ୟ ଉଜାଗର କରିଛନ୍ତି ।

ବିଶେଷଜ୍ଞଙ୍କ ମତ, ଭାରତୀୟ ଚିକିତ୍ସା ଅଧିନିୟମ ଅନୁଯାୟୀ ମହିଳାଙ୍କର ଗର୍ଭାଶୟ ଜନିତ କର୍କଟ ରୋଗ ଦେଖା ଦେଲେ ଗର୍ଭାଶୟ ସହିତ ଉଭୟ ଫଲୋପିଆନ୍ ଟ୍ୟୁବ୍ ଅସ୍ତ୍ରୋପଚାର କରି କଢା ଯିବାର ନିୟମ ରହିଛି । କୌଣସି ବି ସ୍ଥିତିରେ ଟିକିଏ ବି ସୁସ୍ଥ ଥିବା ଡିମ୍ବାଶୟ କଢାଯାଏନି । କିନ୍ତୁ ଯଦି ଡିମ୍ବାଶୟରେ ଟ୍ୟୁମର କିମ୍ବା କର୍କଟ ରୋଗ ଦେଖାଦିଏ ତା’ହେଲେ ସମ୍ପୃକ୍ତ ରୋଗୀ ଓ ତାଙ୍କ ପରିବାରର ସହମତି ଆଧାରରେ କଢା ଯାଇଥାଏ । ମହିଳାଙ୍କ ଦେହରେ ଥିବା ଦୁଇଟି ଡିମ୍ବାଶୟ ମୁଖ୍ୟତଃ ଏଷ୍ଟ୍ରନ୍, ଏଷ୍ଟ୍ରାଡାୟାଲ ଓ ଏଷ୍ଟ୍ରାୟାଲ ହରମୋନ କ୍ଷରଣ କରିଥାନ୍ତି । ଯାହାଙ୍କୁ ଇଂରାଜୀରେ ଇ-ଓ୍ବାନ୍, ଇ-ଟୁ ଓ ଇ-୩ ଭାବେ ନାମିତ କରାଯାଇଛି । ସେଥିରୁ ମହିଳାଙ୍କ ପ୍ରଜନନ କ୍ଷମତା ପାଇଁ କାମ କରେ ଇ-ଟୁ । ବାକି ଦୁଇଟି ଯାକ ହରମୋନ୍ ଶରୀରର ଅନ୍ୟ ଅଂଶରୁ ବି ସଂଗୃହୀତ ହୋଇଥାଏ । ଅଳସୁଆ ହୋଇ ବସି ରହିଲେ ଯେ କୌଣସି ବ୍ୟକ୍ତି ଭୁଲା ରୋଗର ଶିକାର ହୋଇପାରନ୍ତି । ଯଦି କୌଣସି ମହିଳାଙ୍କର ଡିମ୍ବାଶୟ କଢା ଯାଇଥାଏ ତା’ହେଲେ ସେହି ମହିଳାଙ୍କ ହରମୋନ ସନ୍ତୁଳନ ପାଇଁ ତାଙ୍କୁ ହରମୋନ ପରିପୂରଣ ଚିକିତ୍ସା- ଏଚ୍ଆରଟି ଦେବାର ବ୍ୟବସ୍ଥା ଉପଲବ୍ଧ ଅଛି ।

ପୁରୁଷଙ୍କ ତୁଳନାରେ କାହିଁକି ମହିଳା ଆଲଝାଇମର୍ସ ରୋଗରେ ପଡନ୍ତି ତାର ନିର୍ଦ୍ଦିଷ୍ଟ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନି । ଗବେଷଣା ଅନୁଯାୟୀ, ୨୦୫୦ ବେଳକୁ ବିଶ୍ବରେ ୧ କୋଟି ୨୭ ଲକ୍ଷ ଲୋକ ଆଲ୍ଝାଇମର୍ସ ରୋଗରେ ପୀଡ଼ିତ ହେବେ । ସେଥିରୁ ମହିଳାଙ୍କ ସଂଖ୍ୟା ଦୁଇ ତୃତୀୟାଂଶ ରହିବ ବୋଲି ଆକଳନ କରାଯାଇଛି । ଡିମ୍ବାଶୟ କଢାଯିବା ପରେ ସମ୍ପୃକ୍ତ ମହିଳା ଅଧିକ ଚିଡିଚିଡ଼ା ସ୍ବଭାବ କରିଥାନ୍ତି । ଏହାସହିତ ତାଙ୍କର ହାଡ଼ ଦୁର୍ବଳ ହେବା ସହ ଅସ୍ଥିକ୍ଷୟ ରୋଗ ଦେଖାଦେଇଥାଏ । ସମ୍ପୃକ୍ତ ମହିଳାଙ୍କୁ ଶୀତଦିନେ ବି ଅଧିକ ଗରମ ଅନୁଭୁତ ହୋଇଥାଏ । ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ମତରେ ଏପରି ରୋଗୀଙ୍କୁ ସୁସ୍ଥ ପରିବେଶ ସହିତ ମାନସିକ ଗ୍ଲାନିରୁ ଦୂରରେ ରଖିବା ଦରକାର । କୌଣସି ବି ପରିସ୍ଥିତିରେ ଏହି ରୋଗୀ ଯେପରି ଏକୁଟିଆ ଅନୁଭବ ନ କରନ୍ତି ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର । ନହେଲେ ସେ ଆତ୍ମହତ୍ଯା କରିଦେବାର ଆଶଂକା ମଧ୍ଯ ରହିଛି ।

ବୈଜ୍ଞାନିକଙ୍କ ମତ, ଡିମ୍ବାଶୟ କଢ଼ା ଯାଇଥିବା ମହିଳାଙ୍କୁ ଯଦି ନିୟମିତ ଏଷ୍ଟ୍ରୋଜେନ୍ ଥେରାପିରେ ରଖାଯାଏ, ତାହେଲେ ଆଲଝାଇମର୍ସ ରୋଗରୁ ସେମାନଙ୍କୁ ସୁରକ୍ଷା ମିଳିପାରିବ ।

ଆଳୁଠୁ ଧାନ: ବିଜେପିର ମିଛ ଶାସନ, ସବୁଠି କୁହୁଳୁଛି ଅସନ୍ତୋଷର ନିଆଁ

ଭୁବନେଶ୍ବର: ସବୁ କଥାରେ ମିଛ । ଆଳୁଠୁ ଆରମ୍ଭ କରି ଧାନ । ସବୁଥିରେ ବିଜେପି ସରକାରର ମିଛ । ସବୁ ବର୍ଗର ଲୋକେ ଅତିଷ୍ଠ । ସାଧାରଣ ଗ୍ରାହକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ଚାଷୀ ସମସ୍ତେ ସରକାରଙ୍କ ଆକାଶରୁ ତୋଳି ଆଣିବା ଭଳି କଥା ଓ ଠିକ ଓଲଟା କାମକୁ ନେଇ ଅସନ୍ତୋଷ ଝାଡିଛନ୍ତି । ନିଜ ଦାୟିତ୍ୱ ବୁଝି ସରକାର ସିରିୟସ ହେବାକୁ ସବୁ ମହଲରେ ଦାବି ହୋଇଛି ।

ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ । ଆଳୁ କିଲୋ ୫୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ସମସ୍ୟାକୁ ଗ୍ରହଣ କରି ସମାଧାନ କରିବା ବଦଳରେ କିଛି ସମସ୍ୟା ହୋଇନାହିଁ ବୋଲି ଯୋଗାଣ ମନ୍ତ୍ରୀ କହି ଚାଲିଛନ୍ତି । ଏହାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଆଳୁର ସ୍ୱଭାବିକ ସ୍ଥିତି ଫେରାଇ ଆଣିବାକୁ ରାଜ୍ୟ ସରକାର କାହିଁକି ଉଦ୍ୟମ କରୁ ନାହାନ୍ତି ବୋଲି ପ୍ରଶ୍ନ ଉଠାଇଛି ରାଜ୍ୟ ବ୍ୟବସାୟୀ ସଂଘ । ପଶ୍ଚିମବଙ୍ଗରୁ ଏବେ ଆଳୁ ଚୋରାରେ ଆସୁଛି । ଏଥିପାଇଁ ଗ୍ରାହକଙ୍କୁ ଅତ୍ୟଧିକ ଦେୟ ଦେବାକୁ ପଡୁଛି । ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରୁନାହିଁ । ସରକାର କିମ୍ବା ମନ୍ତ୍ରୀ ଅଯଥା ମିଛ କଥା ନ କହି ଆଳୁ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ କରିବାକୁ ଦାବି କରିଛି ବ୍ୟବସାୟୀ ସଂଘ । ସାମ୍ବିଧାନିକ ଦାୟିତ୍ୱ ତୁଲାଇବାରେ ସରକାରଙ୍କ ଅସୁବିଧା କ’ଣ ହେଉଛି ବୋଲି ସଂଘ ପ୍ରଶ୍ନ ଉଠାଇଛି । ସରକାର ଯଦି ଏସବୁ ନ ପାରିବ, ଆମେ କ’ଣ କରିବୁ ବୋଲି କହିଛନ୍ତି ସଂଘ ମହସଚିବ । ସେପଟେ କ୍ଷୁଦ୍ର ବ୍ୟବସାୟୀମାନେ ସରକାରଙ୍କ ବେପରୁଆ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ।

ଆଳୁ ସଙ୍କଟ ଯୋଗୁଁ ସାଧାରଣ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ବିଜେପିର ମିଛରେ ଚାଷୀ ମଧ୍ୟ ପ୍ରମାଦ ଗଣିବା ଆରମ୍ଭ କଲେଣି । ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ମିଛ କୁହ, ବାରବାର କୁହ ଓ ଜୋରରେ କୁହ ଫର୍ମୁଲା ଆପଣାଇଥିବା ଅଭିଯୋଗ ଆଣିଛି କୃଷକ ମଜଦୂର ମହାସଂଘ । ଚାଷୀଙ୍କ ଧାନ କିଣାଠାରୁ ଆରମ୍ଭ କରି ଆଳୁ ବିହନ ଯୋଗାଣ ଓ ଗ୍ରାହକଙ୍କୁ ଆଳୁ ଯୋଗାଣ ସବୁ କ୍ଷେତ୍ରରେ ସରକାର ମିଛ କହି ଚାଲିଛନ୍ତି । ଏସବୁ ପ୍ରସଙ୍ଗରେ ସ୍ୱର ଉଠାଇଲେ ଧମକ ଦିଆଯାଉଥିବା ଅଭିଯୋଗ କରିଛି ମହାସଂଘ । ରାଜ୍ୟବ୍ୟାପୀ ଏହାର ଜୋରଦାର ପ୍ରତିବାଦ କରିବାକୁ ଚେତାବନୀ ଦିଆଯାଇଛି । ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଏଭଳି ଅପାରଗ ସରକାର ଦେଖିବାକୁ ମିଳିନାହିଁ ବୋଲି କଡା ଭାଷାରେ କହିଛି ସିପିଏମ । ଆଳୁକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ବିଜେପି ସରକାର ଚାହୁଁଥିବା ଦଳ ଅଭିଯୋଗ କରିଛି ।

ସେହିପରି ଧାନର ଏମଏସପି ନାଁ ରେ ଚାଷୀଙ୍କୁ ସରକାର ଠକୁଥିବାର ବି ହୋଇଛି ଅଭିଯୋଗ । ସେପଟେ ବିଜେପି ସରକାରକୁ ମିଛ ସରକାରର ଆଖ୍ୟା ଦେଇଛି କଂଗ୍ରେସ । ବଜାର ନିୟନ୍ତ୍ରଣ ଆଦୌ ନାହିଁ । ବିଜେପି ଯାହା କୁହେ ତାର ଓଲଟା କରେ ବୋଲି ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ଏସବୁ ଲୁଚକାଳି ଖେଳରେ ସାଧାରଣ ଲୋକଟିଏ ବଡ଼ ହୀନସ୍ତା ହେଉଛି ବୋଲି କହିବା ସହିତ ସମାଧାନ କରିବାକୁ ଆହ୍ଵାନ ଦେଇଛନ୍ତି ସମୀକ୍ଷକ ।

ଦର ବଢି ଚାଲିଛି । ସମାଧାନର ପନ୍ଥା ବାହାରୁନି । କିନ୍ତୁ ସରକାର ଦୋଷ ବି ସ୍ୱୀକାର କରୁ ନାହାନ୍ତି । ଆଳୁ ଉତ୍ପାଦନ ବଢାଇବା କଥା କହୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ବିହନ ମଧ୍ୟ ଯୋଗାଇ ପାରି ନାହାନ୍ତି ।

ତଣ୍ଟିରେ ଲାଖିଛି ଚାକିରି ବିକ୍ରି କଣ୍ଟା, ନିଜ ଜାଲରେ ଫସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିଯୁକ୍ତିକୁ ନେଇ ପୂର୍ବ ସରକାର ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଣିଥିବା ଅଭିଯୋଗକୁ ନେଇ ବିଧାନସଭାରେ ବିଜେଡି ବିଧାୟକଙ୍କ ଜୋରଦାର ପ୍ରତିବାଦ । ଗୃହ ଆରମ୍ଭରୁ ହିଁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଥିଲା ବିଜେଡି । କିଏ ଲାଞ୍ଚ ନେଇଛି ଓ କିଏ ଲାଞ୍ଚ ଦେଇ ଚାକିରି କରିଛି, ତାହାର ସମ୍ପୂର୍ଣ୍ଣ ତଥ୍ୟ ରଖିବାକୁ ଦାବି କରି ରାଜ୍ୟ ସରକାରଙ୍କୁ ଘେରିଥିଲେ ବିଜେଡି ବିଧାୟକ । ମୁଖ୍ୟମନ୍ତ୍ରୀ ଏପରି ଶସ୍ତା ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗନ୍ତୁ ଓ ଯାହା କହିଛନ୍ତି ତାହା ପ୍ରମାଣିତ କରନ୍ତୁ ବୋଲି ଜିଦରେ ଅଡ଼ି ବସିଥିଲେ ଉଭୟ ବିଜେଡି ଓ କଂଗ୍ରେସ । ସରକାରୀ ଦଳ ଉତ୍ତର ତ ରଖି ପାରିଲେ ନାହିଁ, ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ବାରମ୍ବାର ଗୃହ ମୁଲତବି କରା ଯାଇଥିଲା । ଶେଷରେ ଗୃହକୁ ସୋମବାର ଯାଏଁ ମୁଲତବି କରାଯାଇଛି ।

ବିନା ତଥ୍ୟ ପ୍ରମାଣରେ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଦୋଷ ଲୁଚାଇବାକୁ ବିଜେଡି ଉପରେ ଲଗାଇଛନ୍ତି ଆକ୍ଷେପ । ପ୍ରମାଣ ମାଗିବାରୁ ପଛଘୁଞ୍ଚା ଦେଉଛି ଶାସକ ଦଳ । ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଆଜି ଏଭଳି ଅଭିଯୋଗ କରିଛି ବିଜେଡି । ସବୁ କଥାରେ ପୁରୁଣା ସରକାରକୁ ଦାୟୀ କରି ନିଜ ସରକାରଙ୍କ ଦୋଷ ଲୁଚାଉଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲିର ଅଭିଯୋଗ ଉପରେ କୌଣସି ପ୍ରମାଣ ଗୃହରେ ରଖି ପାରି ନଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଶସ୍ତା ଓ ବିବାଦୀୟ ବୟାନ ଯୋଗୁଁ ଏଏସଓ ପରି ସରକାରୀ ଚାକିରି ପାଇଥିବା ଅନେକ ପରୀକ୍ଷାର୍ଥୀଙ୍କ ମନୋବଳ ଭାଙ୍ଗିଯାଇଛି । ଏହାକୁ ବିରୋଧ କରି ଆଜି ଉଭୟ ପ୍ରଶ୍ନ ଉତ୍ତର କାଳ ଓ ଶୂନ୍ୟକାଳରେ ବିଜେଡି ବିଧାୟକ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ଏଏସଓ ଚାକିରି ବିକ୍ରି ବିବୃତି କଥା ଉଠାଇ ରୁଲିଂ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କ ଏପରି ଶସ୍ତା ମନ୍ତବ୍ୟ ପରିଶ୍ରମ କରି ଚାକିରି ପାଇଥିବା ଲକ୍ଷ ଲକ୍ଷ ପିଲାଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି । ସେ ପ୍ରଶ୍ନ କରିଛନ୍ତି, ଯଦି ପ୍ରମାଣ ଅଛି, ୬ ମାସ ହେଲା ଦୋଷୀଙ୍କୁ ଗିରଫ ନ କରି ମୁଖ୍ୟମନ୍ତ୍ରୀ କାହିଁକି ବସିଛନ୍ତି । ଖଟିରେ ବସିଥିବା ପରି ଗୃହରେ ମୁଖ୍ୟମନ୍ତ୍ରୀ ଯେଉଁ ଶସ୍ତା ବକ୍ତବ୍ୟ ଦେଇଛନ୍ତି, ତାକୁ ଗୃହର ବିବରଣୀରୁ ବାଦ ଦେବାକୁ ବିଜେଡି ଦାବି କରିଛି ।

କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶସ୍ତା ମନ୍ତବ୍ୟକୁ ନିନ୍ଦା କରିଛି । ଏହା ଗୃହ ଓ ଗଣତନ୍ତ୍ର ପାଇଁ ହାନିକାରକ ବୋଲି କହିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । ସେ ଯଦି ଜାଣିଛନ୍ତି ଗତ ସରକାରରେ ଚାକିରି ବିକ୍ରି ହୋଇଛି, ତେବେ ଦୋଷୀଙ୍କୁ ଗିରଫ କରିବାକୁ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛି । ସେପଟେ ବିଜେପିର ଅଜବ ଯୁକ୍ତି, ବିଲ ଆସିଲା, ଆଇନ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ମୁଖ୍ୟମନ୍ତ୍ରୀ ଯେଉଁ ଲାଞ୍ଚ କଥା ପବିତ୍ର ବିଧାନସଭାରେ କହି ବିବାଦକୁ ଆସିଛନ୍ତି, ସେ ନେଇ ବିଜେପି ପାଖରେ କୌଣସି ସନ୍ତୋଷଜନକ ଉତ୍ତର ନାହିଁ ।

ଆଗକୁ କ’ଣ ହେବ ଓ କ’ଣ କରିବେ, ରାଜ୍ୟର ବିଜେପି ସରକାର ଏ ଯାଏଁ ସ୍ପଷ୍ଟ କରିନାହାନ୍ତି । ହେଲେ ବାରମ୍ବାର ପୁରୁଣା ସରକାରକୁ ଦାୟୀ କରିବାର ଅପଚେଷ୍ଟା ଯୋଗୁଁ ବିବାଦ ମୁଣ୍ଡାଇଲେଣି । ସରକାରରେ କେତେବେଳେ କିଏ କ’ଣ କହୁଛନ୍ତି, ତାହା ଜାଣି ପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।

ଟୋକନ ଆସିନି, ଚାଷୀ ଧାନ ବିକି ନାହାନ୍ତି: ହେଲେ, ମିଲକୁ କେଉଁଠୁ ଆସିଲା କୁଇଣ୍ଟାଲ କୁଇଣ୍ଟାଲ ଧାନ ?

ବଲାଙ୍ଗୀର: ଗତ ୨ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଟୋକନ ଆସି ନଥିବାରୁ ଚାଷୀ ମଣ୍ଡିରେ ଏପର୍ଯ୍ୟନ୍ତ ଧାନ ବିକ୍ରି କରିନାହାନ୍ତି । ହେଲେ ରାଇସ୍ ମିଲଗୁଡିକରେ ମହଜୁଦ ରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ଯାହାର ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । କିଣା ପୂର୍ବରୁ ମିଲକୁ ଏହି ଧାନ କେମିତି ପହଞ୍ଚିଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଚାଷୀ ସଂଗଠନ ପକ୍ଷରୁ ଏ ନେଇ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ସହ ଭିଡିଓ ପ୍ରଦାନ କରାଯାଇଛି ।

ରାଇସ ମିଲ ଭିତରେ କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଧାନ ଗଚ୍ଛିତ ହୋଇ ରହିଥିବା ଅଭିଯୋଗ କରି ଭାରତୀୟ କିଷାନ ୟୁନିଅନ ପକ୍ଷରୁ ଭିଡିଓ ଜାରି କରାଯାଇଛି । ଭିଡିଓରେ ଥିବା ରାଇସ ମିଲଟି ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ମଣ୍ଡଳ ଗାଁ ରାସ୍ତା ଚାଚେରବେଙ୍ଗ ନିକଟରେ ରହିଛି । ଉକ୍ତ ରାଇସ ମିଲଟି ମିଲର୍ସ ଶଙ୍କର ଜୈନଙ୍କ ଅନନ୍ତ ପେଡ଼ି ପ୍ରୋସେସିଙ୍ଗ ନାଁରେ ରହିଛି । ବଲାଙ୍ଗୀର ଜିଲ୍ଲାରେ ଟୋକନ ନପାଇ ଚାଷୀ ଧାନ ବିକ୍ରି କରି ନଥିବା ବେଳେ କିପରି ଏହି ରାଇସ୍ ମିଲକୁ ଧାନ ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ଚାଷୀ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରାଯାଇଛି । ଚାଷୀଙ୍କ ପାଖକୁ ଟୋକନ ଯାଉ ନଥିବା ବେଳେ ଜାଣିଣୁଣି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ଅବ୍ୟବସ୍ଥା କରାଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ ନେତା । ମିଲର୍ସ ଶଙ୍କର ଜୈନ ବେଆଇନ ଭାବେ ଧାନ ଗଚ୍ଛିତ ରଖିଥିବା ଅଭିଯୋଗ ହୋଇଛି ।

ଗତ ଡିସେମ୍ବର ୨ ତାରିଖରେ ବଲାଙ୍ଗୀର ଜିଲ୍ଲାରେ ମଣ୍ଡି ଖୋଲିଛି । ଧାନ ମିଲଠାରୁ କିଛି ଦୂରରେ ଜିଲ୍ଲାପାଳଙ୍କ ଉପସ୍ଥିତରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମିଲର୍ସ ଶଙ୍କର ଜୈନ ମଧ୍ଯ ଉପସ୍ଥିତ ଥିଲେ । ଧାନ ବିକ୍ରି ପାଇଁ ଜିଲ୍ଲାରେ ୯୫ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ୧ ଲକ୍ଷରୁ ଉପରେ ଟୋକନ ଜେନେରେଟ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଚାଷୀଙ୍କ ପାଖକୁ ଟୋକନ ପହଁଞ୍ଚିନି କି ଧାନ କିଣା ହୋଇନାହିଁ ବୋଲି ଚାଷୀ ସଂଗଠନ ଅଭିଯୋଗ କରିଛି ।

ଏମିତି ସ୍ଥିତିରେ ଟୋକନ ଟେନସନର ଫାଇଦା ନେଲେଣି ଅସାଧୁ ଧାନ ବ୍ୟବସାୟୀ ଓ ମିଲର୍ସ । ଜିଲ୍ଲାର ଗୋଟିଏ ବି ମିଲର୍ସକୁ ଧାନ ଉଠାଇବା ପାଇଁ ଟାର୍ଗେଟ ଦିଆଯାଇନାହିଁ । ଟାର୍ଗେଟ ପୂର୍ବରୁ କିପରି ଧାନ କିପରି ମିଲକୁ ଗଲା ବୋଲି ଚାଷୀ ସଂଗଠନ ଜିଲ୍ଲା ପ୍ରଶାସନ ନିକଟକୁ ଫେରାଦ ହୋଇଛି । ଅଭିଯୋଗକୁ ଅସ୍ଵୀକାର କରିବା ସହ ଚାଷୀ ନେତାଙ୍କୁ ଭେଟି ଆଲୋଚନା କରାଯିବା ବୋଲି ଟେଲିଫୋନରେ କହିଛନ୍ତି ଅନନ୍ତ ପେଡ଼ି ପ୍ରସେସିଙ୍ଗ ମାଲିକ ମିଲର୍ସ ଶଙ୍କର ଜୈନ ।

ପୂର୍ବ ସରକାର ସମୟରେ ମଣ୍ଡି ଖୋଲିବା ପୂର୍ବରୁ ଚାଷୀଙ୍କ ନିକଟକୁ ଟୋକନ ପହଞ୍ଚି ଯାଉଥିଲା । ଫଳରେ ଚାଷୀ ଆରାମରେ ଧାନ ବିକ୍ରୀ କରୁଥିଲେ । ନୂଆ ସରକାର ଆସିବା ପରେ ମଣ୍ଡି ଖୋଲିବା ପୂର୍ବରୁ ଧାନ କିଣାରେ ଟୋକନ ଅବ୍ୟବସ୍ଥା ସହ ଧାନ କଳାବଜାରି ଦେଖାଦେଇଛି ।

ସ୍ମାର୍ଟ ମିଟର ରିଚାର୍ଜ ଶେଷ, ୧୬ ସ୍କୁଲ ଅନ୍ଧାରରେ

ପିପିଲି: ସ୍ମାର୍ଟ ମିଟରର ରିଚାର୍ଜ ସରିଯାଇଛି । ଆଉ ରିଚାର୍ଜ କରାଯାଇ ନଥିବାରୁ ସ୍କୁଲରୁ କଟିଲା ବିଦ୍ୟୁତ୍ ଯୋଗାଣ । ୧୬ ସ୍କୁଲ ଅନ୍ଧାରରେ । ଫଳରେ ପାଠପଢା ସହ ପିଇବା ପାଣି, ମଧ୍ୟାହ୍ନ ଭୋଜନ ଓ ଶୌଚ ପାଇଁ ସମସ୍ୟା ଦେଖା ଦେଇଛି । ଏମିତି ସ୍ଥିତି ଦେଖିବାକୁ ମିଳିଛି ପିପିଲି ଓ ଡେଲାଙ୍ଗ ବ୍ଲକ ଅଞ୍ଚଳରେ ।

କିଛି ଦିନ ହେବ ଇଲେକ୍ଟ୍ରି ସ୍ମାର୍ଟ ମିଟରର ରିଚାର୍ଜ ସରିଯାଇଛି । ଫଳରେ ଡେଲାଙ୍ଗ ବ୍ଲକର ୧୦ ଓ ପିପିଲିର ୬ଟି ସ୍କୁଲକୁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଛି । ବିଦ୍ୟୁତ ବିଛିନ୍ନକୁ ନେଇ ସ୍କୁଲ ଶିକ୍ଷୟତ୍ରୀ ବିଇଓ ଅଫିସ ତରଫରୁ ପଇସା ଦିଆଯାଇ ନଥିବା କହିଛନ୍ତି । ଅନ୍ୟପଟେ ସ୍କୁଲର କଣ୍ଟିଜେନସି ପଇସାରୁ ମଧ୍ୟ ହେଡମାଷ୍ଟର ଇଲେକ୍ଟ୍ରି ବିଲ ପୈଠ କରିପାରିବେ ବୋଲି ପିପିଲି ବ୍ଳକ ଶିକ୍ଷାଧିକାରୀ କହିଛନ୍ତି ।

ସେପଟେ ସ୍କୁଲରୁ ବିଦ୍ୟୁତ୍ କାଟକୁ ନେଇ ସରକାରଙ୍କ ଉପରେ ବର୍ଷିବା ସହ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସଚେତନ ନାଗରିକ ।