spot_img
Home Blog Page 1251

ବନ୍ଦ ହେଉ ବିଜେଡି ବିରୋଧରେ ଅପପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଅପପ୍ରଚାର ବିରୋଧରେ ଗର୍ଜିଛନ୍ତି ବିଜେଡିର ସମସ୍ତ ସାଂସଦ । ଦଳର ସାତଜଣ ଯାକ ସାଂସଦ ମିଳିତ ସାମ୍ବାଦିକ ସମ୍ମିଳନୀରେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଛ ଓ କପୋଳକଳ୍ପିତ ଖବରକୁ ତୀବ୍ର ନିନ୍ଦା କରିଛନ୍ତି । ବିଜେପି ଦ୍ବାରା ପରିଚାଳିତ ହୋଇ କିଛି ଗଣମାଧ୍ୟମ ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ସାଂସଦଙ୍କ ଚରିତ୍ର ସଂହାର କରୁଛନ୍ତି । ଖବର ପ୍ରସାରଣ ବେଳେ ସମ୍ପୃକ୍ତ ଗଣମାଧ୍ୟମ ସବୁ ଲକ୍ଷ୍ମଣରେଖା ଅତିକ୍ରମ କରୁଛନ୍ତି । ଏଭଳି ମନଗଢା ପ୍ରସାରଣ ବନ୍ଦ ନହେଲେ ଆଇନର ଆଶ୍ରୟ ନିଆଯିବ ବୋଲି ବିଜେଡି ସାଂସଦମାନେ ଚେତାଇ ଦେଇଛନ୍ତି ।

ବନ୍ଦ ହେଉ ବିଜେଡି ବିରୋଧରେ ଅପପ୍ରଚାର । ବିଜେପି ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ନିର୍ଦ୍ଦିଷ୍ଟ ମିଡିଆ ସାଜିଛନ୍ତି ଅସ୍ତ୍ର । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟିବା ଘଟଣାକୁ ଦିଆଯାଉଛି ମିଛ ରାଜନୀତିର ରଙ୍ଗ । ବିଜେଡିର ଚେତାବନୀ, ସୁଧୁରିଯାଅ ନହେଲେ ନିଆଯିବ ଆଇନର ଆଶ୍ରୟ । ବିଜେଡି ସାଂସଦ ଓ ବିଜେଡି ବିରୋଧରେ କ୍ରମାଗତ ଭାବେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଚାଲିଥିବା ଅପପ୍ରଚାରକୁ କଡା ସମାଲୋଚନା କରିଛନ୍ତି ଦଳର ସବୁ ସାଂସଦ । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଅଭିଯୋଗ କରିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଆମକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ।

ଏହାକୁ ସେମାନେ ନିନ୍ଦା କରିଛନ୍ତି । ବିଜେଡି ସାଂସଦଙ୍କ ଚରିତ୍ର ସଂହାର କରାଯାଉଛି, ସେମାନେ ବିକ୍ରି ହେବେ, ଅନ୍ୟ ଦଳକୁ ଯିବେ ବୋଲି କହି ଅପପ୍ରଚାର କରାଯାଉଛି। ସାଂସଦଙ୍କ ଫଟୋକୁ ମଧ୍ୟ ବିକୃତ କରାଯାଉଛି। ଏହା ଗଣମାଧ୍ୟମର ଶାଳୀନତା ନୁହେଁ, ଗଣମାଧ୍ୟମ ନିଜର ଲକ୍ଷ୍ମଣ ରେଖା ଅତିକ୍ରମ କରୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସବୁ ଦଳର ସାଂସଦମାନେ ଦୈନିକ ଭେଟି ରାଜ୍ଯ ସମସ୍ୟା କଥା କହିଥାନ୍ତି । ବିଜେଡି ସାଂସଦମାନେ ମଧ୍ୟ ସେହିଭଳି ରାଜ୍ୟର କିଛି ସମସ୍ୟାକୁ ନେଇ ତାଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଏହାକୁ ଏକ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଉଛି । ଆଉ ଏଥିରେ ସମ୍ପୃକ୍ତ ସାଂସଦଙ୍କ ମତାମତ ମଧ୍ୟ ନିଆଯାଉନି ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିଭଳି ଭୁଲ ଖବର ପ୍ରସାରଣ ନ କରିବାକୁ ଦାବି କରିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ। ବିଜେଡି ଏକ ଅଛି ଓ ରହିବ । ନବୀନ ପଟ୍ଟନାୟକଙ୍କ ସହ ସବୁ ସାଂସଦ ଅଛନ୍ତି । ଏହାକୁ ନେଇ ମିଛ ଅପପ୍ରଚାର ନକରିବାକୁ ସେ ଦାବି କରିଛନ୍ତି । ସେପରି ସାଂସଦ ସୁଲତା ଦେଓ କହିଛନ୍ତି, ମିଛ ଖବର ପ୍ରସାରଣ କରି ଆସୁରିକ ଆନନ୍ଦ ନିଅନ୍ତୁ ନାହିଁ। ନବୀନ ପଟ୍ଟନାୟକ ଆମର ଧୃବ ତାରା, ଆମେ ତାଙ୍କର ସପ୍ତର୍ଷି ମଣ୍ଡଳ । ଆମେ ନବୀନ ପଟ୍ଟନାୟକଙ୍କୁ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । ନବୀନ ଆମର କେନ୍ଦ୍ର ବିନ୍ଦୁ, ଆମେ ତାଙ୍କର ସଚ୍ଚୋଟ କର୍ମୀ ବୋଲି ସେ କହିଛନ୍ତି।

ବିଜେଡି ସାଂସଦ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ଯେ, କିଛି ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ରାଜନୈତିକ ଉଦ୍ଦେଶ୍ୟ ରଖି ଭୁଲ ଖବର ଦେଉଛନ୍ତି । ସେମାନେ ଚାହୁଁଛନ୍ତି ରାଜ୍ୟର ସ୍ଵାର୍ଥ କଥା ଦିଲ୍ଲୀରେ ନ ଉଠୁ । ବିଜେଡି ବିରୋଧରେ ଅପପ୍ରଚାର କରୁଥିବା ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିଜେପି ଦ୍ଵାରା ପରିଚାଳିତ ନହେବାକୁ ଅପିଲ କରିଛନ୍ତି । ମିଛ ଖବର ପ୍ରସାରଣ ବନ୍ଦ ନହେଲେ ମାନହାନୀ ମୋକଦ୍ଦମା କରିବେ ବୋଲି ଚେତାଇ ଦେଇଛନ୍ତି ସାଂସଦ ନିରଂଜନ ବିଶି। ଶୁଭାଶିଷ ଖୁଣ୍ଟିଆ ବି କହିଛନ୍ତି, ବିଭ୍ରାନ୍ତକର ଖବର ବନ୍ଦ କରି ସଠିକ୍ ଖବର ଦିଅନ୍ତୁ ବୋଲି ସେ କହିଛନ୍ତି ।

ଗତ ନିର୍ବାଚନରେ ବିଜେପି ସରକାର ଗଠନର ସଂଖ୍ୟା ଗଣିତରେ ଆଗୁଆ ଥିଲେ ବି ସାମଗ୍ରୀକ ଭୋଟ ହାରରେ ବିଜେଡି ଆଗୁଆ ରହିଥିଲା । ସେହିପରି ଏବେ ବି ନବୀନଙ୍କ କ୍ରେଜ କାହିଁରେ କଣ ? ଏଥିରେ ଭୟଭୀତ ହୋଇ ଦଳ ଓ ଦଳର ସାଂସଦଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରି ବଦନାମ କରିବାକୁ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ  ।

 

ସୋନାକ୍ଷୀଙ୍କ କଡ଼ା ଜବାବ ପରେ ଏମିତି କହିଲେ ମୁକେଶ ଖାନ୍ନା

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି ଜଣାଶୁଣା ଅଭିନେତା ମୁକେଶ ଖାନ୍ନା । ରାମାୟଣ ସହ ଜଡିତ ଏକ ପ୍ରଶ୍ନରେ ସୋନାକ୍ଷୀ ଉତ୍ତର ନଦେଇପାରିବାକୁ ନେଇ ମୁକେଶ ଖାନ୍ନା ସୋନାକ୍ଷୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଏହା ସେନାକ୍ଷୀଙ୍କ ଦୋଷ ନୁହେଁ ଏହା ହେଉଛି ଶତ୍ରୁଘ୍ନଙ୍କ ଭୁଲ୍ । କାରଣ ସେ ତାଙ୍କୁ ଏ ସମ୍ପର୍କରେ କୌଣସି ଶିକ୍ଷା ଦେଇନାହାନ୍ତି । ତାଙ୍କୁ ମଡର୍ଣ୍ଣ କରିଛନ୍ତି ଯେଉଁ କାରଣରୁ ସେ ଏସବୁ ସମ୍ପର୍କରେ ଜାଣିନାହାନ୍ତି । ଯାହାକୁ ନେଇ ସୋନାକ୍ଷା ମୁକେଶ ଖାନ୍ନାଙ୍କୁ କଡ଼ା ଜବାବ ଦେଇଛନ୍ତି । ଏହାପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁକେଶ ଖାନ୍ନା । ସେ କହିଛନ୍ତି କି, ମୁଁ କୌଣସି ଉଦ୍ଦେଶ୍ୟ ମୂଳକ ଭାବେ ଏଭଳି କହିନାହିଁ । ମୁଁ ସୋନାକ୍ଷୀ କିମ୍ବା ଶତ୍ରୁଘ୍ନଙ୍କୁ କୌଣସି ନିଚ୍ଚ ଦେଖାଇବା ପାଇଁ ଏମିତି କହିନାହିଁ । ମୁଁ କେବଳ ଏକ ଉଦାହରଣ ଦେବାକୁ ଏମିତି କହିଛନ୍ତି । ଶତ୍ରୁଘ୍ନ ସିହ୍ନ ମୋ ସିନିୟର । ମୁଁ ତାଙ୍କୁ ବହୁତ ସମ୍ମାନ କରେ, ଆମର ସମ୍ପର୍କ ମଧ୍ୟ ଭଲ ।

 

ନୂଆ ମୋଡ଼ ନେଲା ଅତୁଲଙ୍କ ମୃତ୍ୟୁ ମାମଲା, ଗୁଗୁଲରୁ ଗାଏବ ହେଲା ତାଙ୍କ ସୁଇସାଇଡ ନୋଟ୍

ବେଙ୍ଗାଲୁରର ଏଆଇ ସଫ୍ଟଓ୍ବେୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କ  ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ନିକିତା ସିଙ୍ଗାନିଆ ନିଜର ନିରବତା  ଭାଙ୍ଗିଛନ୍ତି ।  ଏବେ ନିକିତାଙ୍କ ବୟାନ ଏହି ମାମଲାକୁ ଆଉ ଏକ ନୂଆ ଖୋରାକ ଯୋଗାଇଛି । କିଏ ଠିକ କିଏ ଭୁଲ ଏହା ଭିତରେ ଫସିଯାଇଛି ପୋଲିସ । ଘଟଣା ଏବେ ଦ୍ବନ୍ଦ ସୃଷ୍ଟି କରୁଛି ।

କିଛି ଦିନ ପୂବର୍ରୁ ସାମ୍ନାକୁ ଆାସିଥିବା ୩୪ ବର୍ଷିୟ ଅତୁଲ ସୁଭାଷ ଙ୍କ ଆତ୍ମହତ୍ୟା ମାମଲା ଆାଉ ଏକ ନୂଆ ମୋଡ଼ ନେଇଛି । ସୁଇସାଇଡ଼ କରିବା ପୂର୍ବରୁ ଅତୁଲ କରିଥିବା ଭିଡ଼ିଓର ତଥ୍ୟ ଏବଂ ତାଙ୍କ ପତ୍ନୀ ଙ୍କ ବୟାନ ସମ୍ପୂର୍ଣ୍ଣ ଅଲଗା । ତେବେ ପୋଲିସର ପଚରାଉଚରା ବେଳ ନିକିତା ଅନେକ ଦିନ ଧରି ଚୁପ ରହିଥିଲେ । କିନ୍ତୁ ଆଜି ସ୍ବାମୀଙ୍କ ମୃତ୍ୟୁ ମାମଲାକୁ ନେଇ ବୟାନ ଦେଇଛନ୍ତି ସେ ।  ଅତୁଲ ନିକିତାଙ୍କ ବିରୋଧରେ କରିଥିବା  ନିର୍ଯ୍ୟାତନା ଅଭିଯୋଗକୁ  ସେ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଛନ୍ତି ।  ସେ କହିଛନ୍ତି ଯେ ସେ ଅତୁଲଙ୍କୁ ନିର୍ଯାତନା ଦେଉନଥିଲେ ବରଂ  ତାଙ୍କ ସ୍ବାମୀ ତାଙ୍କୁ ନିର୍ଯାତନା ଦେଉଥିଲେ ।  ବେଙ୍ଗାଲୁରର ଏକ ଟେକ୍ କମ୍ପାନୀରେ କାମ କରୁଥିବା ଅତୁଲ ସୁଭାଷ ନିକଟରେ ଆତ୍ମହତ୍ୟା କରିଥିଲେ ।

ଆତ୍ମହତ୍ୟା ପାଇଁ ତାଙ୍କ ପତ୍ନୀ ଏବଂ ଶାଶୁ  ତାଙ୍କୁ ପ୍ରବର୍ତ୍ତାଇଥିବା ଅଭିଯୋଗ କରିଥିଲେ ଅତୁଲ । କିନ୍ତୁ  ଅଭିଯୋଗ ବେଳେ  ଅତୁଲଙ୍କ ପତ୍ନୀ ନିକିତା ଏନେଇ ପୋଲିସ ଆଗରେ ନିଜ ମୁହଁ ଖୋଲିନଥିଲେ ।  ମାତ୍ର ଅତୁଲଙ୍କ ଦେହାନ୍ତ ପରେ  ପୋଲିସର ପଚରାଉଚରା ବେଳେ  ନିକିତା ସିଙ୍ଗାନିଆ ଦାବି କରିଛନ୍ତି ଯେ ସେ ତାଙ୍କ ସ୍ବାମୀ ଅଥବା ଅତୁଲଙ୍କ ଦ୍ବାରା ହଇରାଣ ହେଉଥିଲେ ।  ନିକିତା କହିଛନ୍ତି ସେ ପ୍ରାୟ ତିନି ବର୍ଷ  ଧରି ଅତୁଲଙ୍କ ଠାରୁ ଅଲଗା ରହୁଥିଲେ ।  ନିକଟରେ ବେଙ୍ଗାଲୁର  ପୋଲିସ  ହରିୟାଣାର ଗୁରୁଗ୍ରାମରୁ ନିକିତା ସିଙ୍ଗାନିଆ ଓ ତାଙ୍କ ମାଆ , ଭାଇ ଅନୁରାଗଙ୍କୁ ଗିରଫ କରିଥିଲା ।  ଗିରଫ କରାଯାଇ ସେମାନଙ୍କୁ ବେଙ୍ଗାଲୁରର  କୋର୍ଟରେ ହାଜର କରାଯାଇଥିଲା  ଏବଂ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।

୩୪ ବର୍ଷିୟ ଅତୁଲ ସୁଭାଷ ଆତ୍ମହତ୍ୟା କରିବା ପୂବର୍ରୁ  ୯୦ ମିନିଟର  ଏକ ଭିଡ଼ିଓ ସହିତ ୨୪ ପୃଷ୍ଠାର ଏକ ସୁଇସାଇଡ଼ ନୋଟ ଲେଖିଥିଲେ । ଭିଡ଼ିଓରେ ସେ ତାଙ୍କ ମୃତ୍ୟୁ ପଛର  କାରଣ କହିଥିଲେ । ଅତୁଲ ନିଜ  ମୃତ୍ୟୁ ପଛର କାରଣ ପାରିବାରିକ ବିବାଦ ବୋଲି ଦର୍ଶାଇଥିଲେ । ଯେଉଁଥିରେ ଆଠଟି ମିଛ ପୋଲିସ ଅଭିଯୋଗ  ଏବଂ ତାଙ୍କ ପରିବାରର ଓକିଲ ସାମିଲ ଥିଲେ ।ଏହା ସିହିତ ଭିଡ଼ିଓଟିରେ ସେ ତାଙ୍କ ମାତାପିତାଙ୍କୁ କ୍ଷମା ମାଗିଥିଲେ କି ସେମାନଙ୍କ ବୃଦ୍ଧାବସ୍ଥାରେ ତାଙ୍କର ଯତ୍ନ ନେଇପାରିବେ ନାହିଁ  ।

ବର୍ତ୍ତମାନ ଅତୁଲ ଙ୍କ ସୁଇସାଇଡ଼ ଭିଡ଼ିଓ ଏବଂ ନିକିତାଙ୍କ ବୟାନ ପୋଲିସର ଦ୍ବନ୍ଦ ବଢାଉଛି । ଏହା ସହିତ ନିକିତା ଦେଇଥିବା ବୟାନଟି ନିଜକୁ ଏହି ମାମଲାରୁ ବଞ୍ଚାଇବା ପାଇଁ ଏକ ଗେମ୍ ପ୍ଲାନ ହୋଇପାରେ ବୋଲି ମଧ୍ୟ ସାଧାରଣ ରେ ଚର୍ଚ୍ଚା ହେଉଛି ।

 

ସ୍ବାବଲମ୍ବୀ କରିଛି ଟେରାକୋଟା କୁଟୀର ଶିଳ୍ପ

ନନ୍ଦିଘୋଷ ବ୍ୟୁରୋ: ରୋଜଗାର ଦେଉଛି ଟେରାକୋଟା ଶିଳ୍ପ। ବାଲେଶ୍ବର ଜିଲ୍ଲା ରୂପସା ଅଞ୍ଚଳର ମହିଳାମାନେ ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଟେରାକୋଟା ଶିଳ୍ପରୁ ଭଲ  ରୋଜଗାର କରୁଛନ୍ତି। ଚା’ କପ୍, କୁମ୍ପି ତିଆରି କରି ସ୍ଵାବଲମ୍ବୀ ହୋଇପାରିଛନ୍ତି। ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ରେଳ ବିଭାଗ, ଭୂବନେଶ୍ବରର ବିଭିନ୍ନ ସୋ-ରୁମରେ ବିକ୍ରି ହେଉଛି। ସାମଗ୍ରୀ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା।

ମହିଳାଙ୍କ ହାତରେ ମେସିନ୍ । ବିଲରୁ ସଂଗ୍ରହ କରାଯାଇଥିବା କାଦୁଅ ଗୁଳାକୁ ମେସିନରେ ପକାଇ ତିଆରି କରାଯାଉଛି ଚା’ କପ୍ । ଆଉ ସେହି କଞ୍ଚା କପ୍କୁ ସୁଖାଇବା ପରେ ଭାଟିରେ ପୋଡ଼ି ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ କରାଯାଉଛି । ସେହିପରି ଛାଞ୍ଚରେ ପ୍ରସ୍ତୁତ ଚାଲିଛି ସଞ୍ଚୟ ଖୁମ୍ପି । କେବଳ ସେତିକି ନୁହେଁ । ଘର ସଜାଇବା ସାମଗ୍ରୀ ଠାରୁ ଆରମ୍ଭକରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବାଲେଶ୍ବର ଜିଲ୍ଲା  ରୂପସା ଅଞ୍ଚଳର ନୀଳମାଧବ ଉତ୍ପାଦକ ଗୋଷ୍ଠୀ ପ୍ରସ୍ତୁତ କରୁଛନ୍ତି । ପ୍ରତିଦିନ ମହିଳାମାନେ ଏହି ସଂଘ ଘରେ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଆଉ ସହଯୋଗୀଙ୍କ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଇଥାନ୍ତି । ଏହି ଟେରାକୋଟା ସାମଗ୍ରୀର ବଜାରରେ ଭଲ ଚାହିଦା ରହିଥିବାରୁ ମାସକୁ ୫ ହଜାର ଟଙ୍କା ପର୍ଯ୍ଯନ୍ତ ପ୍ରତି ମହିଳା ରୋଜଗାର କରିପାରୁଛନ୍ତି ।

୨୦୧୪ ମସିହାରେ କସିପଦାରେ ୨୧ ଜଣ ମହିଳା ମିଶି ନୀଳମାଧବ ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ । ବ୍ୟାଙ୍କରେ ପୁଞ୍ଜି ସଞ୍ଚୟକରି ଛୋଟ ଛୋଟ ବ୍ୟବସାୟ କରିବା ସହିତ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଥିଲେ । ପରବର୍ତ୍ତୀ ସମୟରେ ପାରମ୍ପରିକ ହାଣ୍ଡି, ମାଠିଆ ବ୍ୟତୀତ ବଜାରରେ ଚାହିଦା ଥିବା ସାମଗ୍ରୀ ପ୍ରସ୍ତୁତି ପାଇଁ ଓରମାସ ତରଫରୁ ମହିଳା ମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ୨୦୨୧ ମସିହାରେ ସରକାରଙ୍କ ସହଭାଗିତାରେ ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ୪ ହଜାର ଟଙ୍କା ଓ ପରବର୍ତ୍ତି କିସ୍ତିରେ ୧ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । ସେହି ଟଙ୍କାରେ ଅତ୍ଯାଧୁନିକ ମେସିନ କିଣି ମହିଳାମାନେ ବିଭିନ୍ନ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ । ମହିଳାମାନେ ପ୍ରତିଦିନ ସକାଳେ ୨ ଘଣ୍ଟା ଓ ଅପରାହ୍ନରେ ୨ ଘଣ୍ଟା ସମୟ ଦେଇ ମାଟିରେ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ପ୍ରତି ମାସରେ ୩୬ ହଜାର ଚା କପ୍ ସାଙ୍ଗକୁ ବିଭିନ୍ନ ପ୍ରକାରର ସାମଗ୍ରୀ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

 

ବଲାଙ୍ଗୀରରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ଗତ ୨ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପ୍ରତିଶୃତି ପାଣିର ଗାର ପାଲଟିଥିବା ଦେଖିବାକୁ ମିଳିଛି । ପୂର୍ବରୁ ସରକାର କହିଥିଲେ ଚାଷୀଙ୍କ ଠାରୁ ବିନା କଟନି ଛଟନିରେ ଧାନ କିଣାଯିବ । ହେଲେ ବର୍ତ୍ତମାନ ମଣ୍ଡିରେ କ୍ବିଣ୍ଟାଲ ପ୍ରତି ୫ ରୁ ୧୦ କେଜି o କଟନି ଛଟନି କରାଯାଉଥିବାରୁ ଚାଷୀ ଧାନ ବିକ୍ରି କରିବାକୁ ନାରାଜ । ଫଳରେ କିଛି ଚାଷୀ ଅଭାବୀ ବିକ୍ରିର ଶିକାର ହେଲେଣି । ସେପଟେ ଧାନ କିଣା ପୂର୍ବରୁ କିପରି ମିଲରେ ପହଞ୍ଚିଲା ଧାନ ତାହାକୁ ନେଇ ଏବେ ଚାଷୀ ସଂଗଠନ ଆନ୍ଦୋଳନ ମୁହାଁ ହେଲେଣି ।

ସରକାଙ୍କ ପ୍ରତିଶୃତି ପାଲଟିଛି ପାଣିରଗାର । କଟନି ଛଟନିର ଶିକାର ହେଉଛନ୍ତି ଚାଷୀ । ବଲାଙ୍ଗୀର ଜିଲ୍ଲାରେ ଗତ ୨ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଆରମ୍ଭରୁ ଧାନ କିଣାରେ ଅବ୍ଯବସ୍ଥା ସହ ଟୋକନ ଟେନସନ ଚାଷୀଙ୍କୁ ଘାରିଥିଲା । ଆଉ ଏବେ ଚାଷୀଙ୍କୁ ଚିନ୍ତାରେ ପକାଇଛି ଏଫଏକ୍ୟୁ ମାନର ଧାନ କ୍ରୟ ପାଇଁ ସରକାରଙ୍କ ମାନଦଣ୍ଡ । ନିରୀହ ଚାଷୀଙ୍କୁ ମଣ୍ଡିରେ ଶୋଷଣ କରାଯାଉଥିବା ଅଭିଯୋଗ । କ୍ବିଣ୍ଟାଲ ପ୍ରତି ୫ ରୁ ୧୦ କେଜି କଟନି ଛଟନି କରାଯାଉଥିବାରୁ ଚାଷୀ ଧାନ ବିକ୍ରି କରିବାକୁ ନାରାଜ ହେଉଛନ୍ତି । ଫଳରେ ଅଭାବୀ ବିକ୍ରିର ଶିକାର ହେଲେଣି ଚାଷୀ । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ  ଚାଷୀ ବହୁ କଷ୍ଟରେ ଧାନ ଅମଳ କରିଥିବା ବେଳେ ଏଫଏକ୍ଯୁ ମାନର ଧାନ କେଉଁଠୁ ଆଣିବେ ବୋଲି ଚିନ୍ତାରେ ପଡିଯାଇଛନ୍ତି । ଅନ୍ୟପଟେ ରାଇସ୍ ମିଲ ଗୁଡିକରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ମହଜୁଦ ରହିଛି । ଧାନ କିଣା ପୂର୍ବରୁ କେମିତି ମିଲ ଗୁଡିକରେ ପହଞ୍ଚିଲା ଧାନ ତାହାକୁ ନେଇ ଏବେ ଚାଷୀ ସଂଗଠନ ଆନ୍ଦୋଳନ ମୁହାଁ ହେଲେଣି ।

ଚଳିତ ବର୍ଷ ଜିଲ୍ଲାରେ ଖରିଫ ଧାନ ବିକ୍ରି ପାଇଁ ୯୫ ହଜାର, ୮୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୭୬ଟି ମଣ୍ଡି ମାଧ୍ୟମରେ ୩୪ ଲକ୍ଷ ୯ ହଜାର ୭୩  କ୍ବିଣ୍ଟାଲ ଧାନ ସଂଗ୍ରହ କରାଯିବ ବୋଲି ଧାର୍ଯ୍ଯ ରଖାଯାଇଛି । ହେଲେ ଏପର୍ଯ୍ଯନ୍ତ ଅଧିକାଂଶ ମଣ୍ଡି ଖୋଲି ନଥିବା ନେଇ ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି । ସେପଟେ ଧାନ କିଣାର ଅବ୍ଯବସ୍ଥାର ଫାଇଦା ନେଲେଣି ଅସାଧୁ ଧାନ ବ୍ଯବସାୟୀ ଓ ମିଲର୍ସ । ଗୋଟିଏ ପଟେ ଧାନ ବିକ୍ରି କରିନପାରି ଚାଷୀ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଅନ୍ୟପଟେ କଟନି ଛଟନି ଚାଷୀଙ୍କୁ ଚିନ୍ତାରେ ପକାଇଛି । ଚାଷୀଙ୍କୁ ହଇରାଣରେ ପକାଇ ଲୁଟ କରିବା ପାଇଁ ସବୁତକ ସରକାରୀ ଚକ୍ରାନ୍ତ ବୋଲି କୃଷକ ନେତା ଅଭିଯୋଗ କରିଛନ୍ତି । ଅନ୍ଯପକ୍ଷରେ ଅଭିଯୋଗ ଆସିଲେ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଲାଙ୍ଗୀର ଜିଲ୍ଲାପାଳ କହିଛନ୍ତି  ।

 

ଯାଜପୁର ଜିଲ୍ଲା ପଙ୍କପାଳ ଅଞ୍ଚଳରେ ସକ୍ରିୟ ବାଲି ମାଫିଆ

ନନ୍ଦିଘୋଷ ବ୍ୟୁରୋ: ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ବ୍ରାହ୍ମଣୀ ନଦୀ । ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ବ୍ୟାପକ ବାଲି ହରିଲୁଟ୍ । ବେଆଇନ ଭାବେ ବଡ଼ ବଡ଼ ମେସିନ ଲଗାଇ ନଦୀ ଶଯ୍ୟାରୁ ଉଠାଇ ନେଉଛନ୍ତି ହଜାର ହଜାର ଟ୍ରିପ୍ ବାଲି । ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଏଥିସହିତ ବେଆଇନ ବାଲି ଚାଲାଣ ଫଳରେ ନାନା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ ।

ଯାଜପୁର ଜିଲ୍ଲା ଦାନଗଦୀ ତହସିଲ ଅଧିନ ପଙ୍କପାଳ ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ବାଲି ମାଫିଆ । ଆଉ ଏହି ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ବ୍ରାହ୍ମଣୀ ନଦୀ । ବେଆଇନ ଭାବେ ନଦୀର ଦୁଇ ଘାଟରୁ ଉଠାଇ ନେଉଛନ୍ତି ହଜାର ହଜାର ଟ୍ରିପ୍ ବାଲି । ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ଵ ହରାଉଥିବା ବେଳେ ନାନା ସମସ୍ଯା ଭୋଗୁଛନ୍ତି ଅଞ୍ଚଳବାସୀ । ଯାହାକୁ ନେଇ ଦେଖାଦେଇଛି ବିବାଦ । ବ୍ରାହ୍ମଣୀ ନଦୀରେ ଚାଲିଥିବା ଏହି ବେଆଇନ ବାଲି ଘାଟକୁ ବିରୋଧ କରି ମୁହାଁମୁହିଁ ହୋଇଛନ୍ତି ବାଲି ମାଫିଆ ଓ ସ୍ଥାନୀୟ ଲୋକେ । ବାଲି ଉତ୍ତୋଳନ ସମୟରେ ଗ୍ରାମବାସୀମାନେ ସେଠାରେ ପହଞ୍ଚି ଏହାକୁ ବିରୋଧ କରିବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ବିଜେପି ସରକାର ଆସିବା ପରେ ଏପରି ଜୋର ଜବରଦସ୍ତ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ । ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଏପରି ବାଲି ଲୁଟ ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏହି ୨ଟି ବେଆଇନ ବାଲି ଘାଟକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଅଞ୍ଚଳରେ ପଙ୍କପାଳ-୧ ଓ ପଙ୍କପାଳ-୨ ନାମରେ ୨ଟି ବାଲି ଖାଦାନ ରହିଛି। ଦିଲ୍ଲୀପ ସାହୁ ଓ ଦୈତାରୀ ଧଳ ନାମକ ୨ ବ୍ୟକ୍ତି ଏହି ୨ଟି ବାଲି ଖାଦାନକୁ ଲିଜ୍ ନେଇଛନ୍ତି । ହେଲେ ଏହି ଲିଜଧାରୀମାନେ ସରକାରଙ୍କ ନିୟମ ଅନୁସାରେ ଖଣି ବିଭାଗରେ ଉପଯୁକ୍ତ କାଗଜପତ୍ର ଦାଖଲ କରିନାହାଁନ୍ତି । ଏବଂ ନିଜ ଲିଜ୍ ଏରିଆ ବାହାରକୁ ଯାଇ ସର୍ବସାଧାରଣ ଅଞ୍ଚଳରୁ ବଡ଼ ବଡ଼ ମେସିନ ସାହାର୍ଯ୍ୟରେ ବାଲି ଉତ୍ତୋଳନ କରୁଛନ୍ତି। ଏଥିସହିତ ବେଆଇନ ଭାବେ ନଦୀ ଶଯ୍ୟାରେ ଡଙ୍ଗା ପକାଇ ମଧ୍ୟ ବାଲି ଉତ୍ତୋଳନ କରୁଛନ୍ତି। ଫଳରେ  ନଦୀ ଅତଡ଼ା ଖାଇବା ସହ ବ୍ୟାପକ ଫସଲ ନଷ୍ଟ ହେଉଛି। ଗାଁ ଭିତର ଦେଇ ବୋଲି ବୋଝେଇ ଟ୍ରକ ଚଳାଚଳ କରୁଥିବାରୁ ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ସ୍ଥାନୀୟ ତହସିଲଦାର ବାଲି ଖାଦାନରେ ପହଞ୍ଚିଥିଲେ। ହେଲେ ଖବର ପାଇ ବାଲି ମାଫିଆ ମେସିନ ଓ ଟ୍ରକ୍ ନେଇ ସେଠାରୁ ଚମ୍ପଟ ମାରିଥିଲେ । ସେପଟେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।

ଅଫିସରେ ୫୦ ମିନଟ ଛିଡ଼ା ହୋଇଥିଲେ ବୃଦ୍ଧ ଦମ୍ପତି, ଆଇଏଏସ ଅଧିକାରୀ ପୁରା ଅଫିସକୁ ୩୦ ମିନିଟ୍ ଛିଡ଼ା କରାଇଲେ

ରୋଚକ ଘଟଣା, ବିରଳ ଦୃଶ୍ୟ। ଏବେ ସବୁଠି ଗୋଟିଏ ଚର୍ଚ୍ଚା IAS ହେବ ତ ଏମିତି। ଏମିତି କାମ କଲେ ଯେ,ସବୁଠି ମିଳୁଛି ପ୍ରଶଂସା। ଯିଏ ଶୁଣିଛି ସିଏ କହୁଛି ସାବସ୍‌ IAS ବାବୁ। ନିଜ ସମସ୍ୟାର ସମାଧାନ ନିମନ୍ତେ ବୃଦ୍ଧ ଦମ୍ପତି ସରକାରୀ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିଲେ। ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଗୁହାରୀ କଲେ ବି ହେଉନଥିଲା ସମାଧାନ । ଅଧିକାରୀମାନେ ବୃଦ୍ଧ ଦମ୍ପତିଙ୍କ ସମସ୍ୟାକୁ କର୍ଣ୍ଣପାତ ବି କଲେନି। ସିସିଟିଭିରେ ଏହା ଦେଖୁଥିବା IAS ଅଧିକାରୀ ଜଣକ ଶେଷରେ ନିଜ କର୍ମଚାରୀଙ୍କୁ ଶୁଣାଇଲେ ଏମିତି ଦଣ୍ତ। ଯିଏ ଶୁଣୁଛି, ସିଏ ହେଉଛି ଆଶ୍ଚର୍ଯ୍ୟ ଚକିତ। ଅଫିସ୍‌ କର୍ମଚାରୀଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଛିଡ଼ା ହୋଇ କାମ କରିବାକୁ ଦେଲେ ନିର୍ଦ୍ଦେଶ। ଶେଷରେ ଠିଆ ହୋଇ କାମ କଲେ କର୍ମଚାରୀ।

ଏପରି ଏକ ରୋଚକ ଘଟଣା ଘଟିଛି ଉତ୍ତରପ୍ରଦେଶର ନୋଏଡାରେ। ଏକ ବୟସ୍କ ଦମ୍ପତି ନିଜ ସମସ୍ୟାର ସମାଧାନ ଆଶାରେ ନୋଏଡା କର୍ତ୍ତୃପକ୍ଷଙ୍କ ଆବାସିକ ଭୂଖଣ୍ଡ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଅପେକ୍ଷା କରିବା ସତ୍ତ୍ୱେ କେହି ସେମାନଙ୍କ ସମସ୍ୟା ଶୁଣିଲେ ନାହିଁ। ନିଜ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭିରେ ନୋଏଡା ପ୍ରାଧିକରଣ ସିଇଓ ଲୋକେଶ ଏମ୍‌ ଏହା ଦେଖିଥିଲେ। ଏ ନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କିଛି ସମୟ ପରେ ସିଇଓ ପୁଣି ଥରେ ସିସିଟିଭି ଯାଞ୍ଚ କରି ବୃଦ୍ଧ ଦମ୍ପତି ପୂର୍ବ ପରି ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ଏହାଦେଖି  ନିଜ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀ ଓ କର୍ମଚାରୀଙ୍କୁ ତାଗିଦ କରିଥିଲେ ସିଇଓ ଲୋକେଶ । ଏଥିସହ ତୁରନ୍ତ  ଛିଡ଼ା ହୋଇ ଅଧ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ କାର୍ଯ୍ୟାଳୟରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏନେଇ ସେ କହିଥିଲେ, ‘ଆପଣମାନେ ନିଜେ ଛିଡ଼ା ହୋଇ କାମ କଲେ ବୟସ୍କ ଦମ୍ପତିଙ୍କ କଷ୍ଟ ବୁଝିପାରିବେ। ଏହାପରେ କେବେ ବି ଏପରି ଭୁଲ୍‌ କରିବେ ନାହିଁ।  ସିଇଓଙ୍କ ଏପରି ନିର୍ଦ୍ଦେଶ ପରେ କର୍ମଚାରୀମାନେ ନିଜ ନିଜ ସିଟ୍‌ ପାଖରେ ଛିଡ଼ା ହୋଇ କାମ କରିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

 ଏମିତି ଫିଲ୍ମ ଯାହାକୁ ଦେଖିବା ପାଇଁ ସିନେମା ହଲ ପାଟୁଥିଲା ମନ୍ଦିର : ଚପଲ ଖୋଲି ଫିଲ୍ମ ଦେଖୁଥିଲେ ଦର୍ଶକ

ନନ୍ଦିଘୋଷ ବ୍ୟୁରୋ : ଫିଲ୍ମ ଲୋକଙ୍କ ବାସ୍ତବ ଜୀବନରେ ଅନେକ ପ୍ରଭାବ ପକାଇଥାଏ । କେବେ ହିରୋଙ୍କ ଷ୍ଟାଇଲକୁ ଅନୁସରଣ କଣିଥାନ୍ତି ଲୋକେ ତ ପୁଣି କେବେ ପ୍ରସିଦ୍ଧ ଡାଏଲଗକୁ ଲୋକେ ଚିର ଦିନ ପାଇଁ ମନେ ରଖିଥାନ୍ତି । ଯଦିଓ ଏବେ ପୂର୍ବ ଅପେକ୍ଷା ସିନେମାର କ୍ରେଜ୍ ଟିକେ କମିଛି ତଥାପି ଚଳଚ୍ଚିତ୍ର ଫ୍ୟାନ୍ସଙ୍କ ମନରେ ରାଜ କରୁଛି । ଯାହାର ଜ୍ବଳନ୍ତ ଉଦାହାଣ ଦେଖିବାକୁ ମିଳିଛି । ପୁଷ୍ପା-୨ ର ରୋଜଗାର ସାଙ୍ଗକୁ ଅଲ୍ଲୁଙ୍କ ପ୍ରତି ଭଲ ପାଇବା ପ୍ରକାଶ କରିଛି ଆଜି ବି ଲୋକେ ଫିଲ୍ମକୁ କେତେ ଭଲ ପାଆନ୍ତି । ତେବେ ୭୦ ଦଶକରେ ରିଲିଜ ହୋଇଥିବା ଏକ ଫିଲ୍ମ ଅନେକ ଜୀବନ ଆଣି ଦେଇଥିଲା ଅନେକ ପରିବର୍ତ୍ତନ । ଏହି ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସମାନେ ହଲକୁ ଆଗ୍ରହର ସହ ଯାଉଥିଲେ । ଆଉ ଫିଲ୍ମର କାହାଣୀକୁ ଗଭୀରତା ସହ ନେଇଥିଲେ  ଦର୍ଶକେ । ଆଧ୍ୟାତ୍ମିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ଦେଖିବାକୁ ଲୋକେ ଚପଲ ଖୋଲି ହଲକୁ ଯାଉଥିଲେ । ଆଉ ହଲ ପାଲଟି ଯାଇଥିଲା ମନ୍ଦିର ।

୧୯୭୫ ମସିହାରେ ବଡ଼ ପରଦାରେ ରିଲିଜ ହୋଇଥିଲା ଫିଲ୍ମ ’ଜୟ ସନ୍ତୋଷୀ ମା’ । ଏହି ଫିଲ୍ମ ଦେଖିବାକୁ ମିହିଳାଙ୍କ ମଧ୍ୟରେ ଅଧିକ କ୍ରେଜ୍ ରହିଥିଲା । ଯାହାକୁ ଦୃଷ୍ଟିରେ ରଖି ଶନିବାର ଏକ ସ୍ବତନ୍ତ୍ର ଶୋ ମଧ୍ୟ କରାଯାଉଥିଲା । ବିଜୟ ଶର୍ମା ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିବାବେଳେ ଅନୀତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସିନ ଗୁଡ଼ିକ ଏତେ ଜ୍ବଳନ୍ତ ଥିଲା କି ହଲ କବାଟ ବନ୍ଦ ହେବା ମାତ୍ରେ ହଲ ମନ୍ଦିର ଭଳି ଲାଗୁଥିଲା । ଲୋକେ ମୁଣ୍ଡିଆ ମାରିବା ସହ ବିନା ଚପଲରେ ବସି ଫିଲ୍ମ ଦେଖୁଥିଲେ ଆଉ ଠାକୁରଙ୍କୁ ନିଜର ଗୁହାରି ଜଣାଉଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହଲକୁ ଲୋକେ ଚପଲ ପିନ୍ଧି ଯାଉନଥିଲେ । ଆଉ ପାଟନାରେ ଜଣେ ବ୍ୟକ୍ତି ହଲ ସାମନାରେ ଚପଲ ଷ୍ଟାଣ୍ଡ କରି କେବଳ ଏହି ଫିଲ୍ମ ହଲରେ ଚାଲିଥିବା ସମୟରେ ୧.୭୫ ଲକ୍ଷ ସେହି ସମୟରେ ରୋଜଗାର କରିଥିଲେ । ଏଥିରୁ ଅନୁମାନ କରୁଥିବେ କି କେଉଁଭଳି ଭାବେ ଫିଲ୍ମର କ୍ରେଜ୍ ରହିଥିଲା ।

୭୭ ବର୍ଷରେ ପ୍ରଥମ, ଇତିହାସ ରଚିଲେ ବୁମରା-ଆକାଶ ଦୀପ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆରେ ଇତିହାସ ରଚିଛି ଭାରତ । ତୃତୀୟ ଟେଷ୍ଟରେ ଶେଷ ଓ୍ବିକେଟରେ ରେକର୍ଡ କରିଛନ୍ତି । ବୁମରା ଏବଂ ଆକାଶ ଦୀପଙ୍କ ଯୋଡ଼ି ଏବେ ବେଶ ଚର୍ଚ୍ଚାରେ । ୭୭ ବର୍ଷରେ ପ୍ରଥମ ରେକର୍ଡର ଅଧିକାରୀ ହୋଇଛନ୍ତି ଏହି ଯୋଡ଼ି । ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ନମ୍ବର ଏବଂ ୧୧ ନମ୍ବର ବ୍ୟାଟ୍ସମ୍ୟାନ ଛକା ମାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ଦିନରୁ କୌଣସି ବ୍ୟାଟ୍ସମ୍ୟାନ ଯୋଡ଼ି ଏହି ରେକର୍ଡ କରିନଥିଲେ । ମାତ୍ର ଏବେ ଆକାଶ ଦୀପ ଏବଂ ବୁମରା ଫଲୋଅନ ଏଡ଼ାଇବା ସହ ଏହି ରେକର୍ଡ ଅର୍ଜନ କରିବାରେ ସକ୍ଷମ ହୋଇଛନ୍ତି । ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ୧୯୪୭ ମସିହାରେ ହୋଇଥିଲା । ମାତ୍ର ଏଯାବତ ଏହା ଦେଖିବାକୁ ମିଳିନଥିଲା ।

ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସଙ୍କ ବଲରେ ଛକା ମାରିଥିଲେ ଆକାଶ ଦୀପ ଏବଂ ବୁମରା । ୩୯ ରନର ପାର୍ଟନରସିପ କରି ଫଲୋଅନକୁ ମଧ୍ୟ ଏଡାଇଛନ୍ତି । ଉଭୟଙ୍କ ମାଡ଼ ଦେଖି ପ୍ରଂଶସକଙ୍କ ସହ ସାଥୀ ଖେଳାଳିମାନେ ମଧ୍ୟ ବେଶ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା । ଆକାଶ ଦୀପ ୩୧ ବଲରେ ୨୭ ରନ କରିଥିବାବେଳେ ବୁମରା ୨୭ ବଲରେ ୧୦ ରନ କରିଛନ୍ତି । ଉଭୟଙ୍କ ବ୍ୟାଟିଂ ଷ୍ଟାଇଲକୁ ମଧ୍ୟ କ୍ରିକେଟ ବିଶେଷଜ୍ଞମାନେ ବେଶ ପ୍ରଂଶସା କରିଛନ୍ତି । ତେବେ ଅଷ୍ଟ୍ରେଲିଆ ୪୪୫ ରନ କରିଥିବାବେଳେ ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨୫୨ ରନ କରିଛନ୍ତି । ଶେଷ ଓ୍ବିକେଟରେ ଆକାଶ ଦୀପ ଏବଂ ବୁମରା ଆସନ୍ତା କାଲି ଖେଳ ଆରମ୍ଭ କରିବେ ।

 

ଫଲୋଅନ ଏଡ଼ାଇଲେ ଆକାଶ ଦୀପ- ବୁମରା, ଏମିତି ଖୁସି ମନାଇଲେ ବିରାଟ- ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ତୃତୀୟ ଟେଷ୍ଟ । ୧-୧ରେ ସିରିଜ ବରାବର ରହିଛି । ତୃତୀୟ ମ୍ୟାଚରେ ବିଜୟୀ ହୋଇ ଆଗୁଆ ରହିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ଯେଉଁ କାରଣରୁ ଏହି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୪୫ ସଂଗ୍ରହ କରିଛି । ଭାରତ ନିଜର ପ୍ରଥମ ପାଳିରେ ବ୍ୟାଟିଂ ବିପର୍ଯ୍ୟୟ ସାମନା କରିଛି । ତେବେ ଦଳର ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଖରାପ ପ୍ରଦର୍ଶନ କରି ଆଉଟ୍ ହୋଇଥିବାବେଳେ ଲାଗୁଥିଲା କି, ଭାରତକୁ ଫଲୋଅନ ହେବାକୁ ପଡ଼ିବ । ମାତ୍ର ଏହାକୁ ଏଡ଼ାଇବାରେ ସକ୍ଷମ ହୋଇଛନ୍ତି ବୁମରା ଏବଂ ଆକାଶ ଦୀପ । ଏହି ଦୁଇ ବୋଲର ଦକ୍ଷିଣାତ୍ମକ ଢ଼ଙ୍ଗରେ ଖେଳିବା ସହ ଦଳର ସମ୍ମାନ ରକ୍ଷା କରିଛନ୍ତି । ଚତୁର୍ଥ ଦିନ ଖେଳ ଶେଷସୁଦ୍ଧା ଭାରତ ୯ ଓ୍ବିକେଟ ବିନିମୟରେ ୨୫୨ ରନ କରିବାରେ ସକ୍ଷମ ହୋଇଛି । ଅନ୍ତିମ ଦିନରେ ବୁମରା ଏବଂ ଆକାଶ ଦୀପ ଭାରତ ପକ୍ଷରୁ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବେ ।

ଭାରତ ୨୪୫ ରନ କରିପାରିନଥିଲେ ଫଲୋଅନ ହୋଇଥାନ୍ତା । ମାତ୍ର ବୁମରା ଏବଂ ଆକାଶ ଦୀପଙ୍କ ଯୋଡ଼ ୩୯ ରନର ପାର୍ଟନରସିପ କରିଛନ୍ତି । ୫୪ ବଲରୁ ଏହି ଦୁଇ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି । ୧୩ ବର୍ଷ ପରେ ଭାରତ ପୁଣିଥରେ ଫଲୋଅନ ହେବାକୁ ଯାଉଥିଲା । ୨୦୧୧ ମସିହାରେ ଭାରତ ଇଂଲଣ୍ଡ ବିପକ୍ଷରେ ଫଲୋଅନ ହୋଇଥିଲା ।  ଚତୁର୍ଥ ଦିନର ଶେଷ ଓଭରରେ ଅଷ୍ଟ୍ରେଲିୟ ଅଧିନାୟକ ପାଟ କମିନ୍ସ ବୋଲିଂ କରିଥିଲେ । ଦିନର ଅନ୍ତିମ ଓଭରରେ ଆକାଶ ଦୀପ ତାଙ୍କୁ ୪ଟି ଚୌକା ମାରିଥିଲେ । ଆଉ ଦଳୀୟ ସ୍କୋର ୨୪୫ ପାର ହୋଇଥିଲା । ଏହା ଦେଖିବା ପରେ ପାଭିଲିୟନରେ ପଶିଥିବା ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ବେଶ ଖୁସି ହୋଇଥିଲେ । କ୍ୟାମେରା ସେମାନଙ୍କ ଉପରେ ରହିଥିଲା । ଆକାଶ ଦୀପ ଏକ ସୁନ୍ଦର ଛକା ମଧ୍ୟ ମାରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ବିରାଟ ଖୁସି ମନାଇଥିଲେ ।