ଭୁବନେଶ୍ୱର: ଆସନ୍ତାକାଲି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି , ଏହାକୁ ଧୁମଧାମରେ ପାଳନ କରାଯିବ । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଲୋକଙ୍କୁ ଉଦବୋଧନ ଦେବେ । ଏଥିପାଇଁ ସମସ୍ତେ ଉତ୍ସାହିତ ଅଛୁ । ଓଡ଼ିଶା ପାଇଁ ତାଙ୍କ ଅବଦାନ ଯାହା ରହିଛି, ଏହା ଇତିହାସରେ ଅବିସ୍ମରଣୀୟ । କାରଣ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିଛନ୍ତି । ଓଡ଼ିଶାକୁ ପୃଥିବୀରେ ପରିଚିତ କରିଛନ୍ତି । ଦେଶ ବିଦେଶରୁ ଓଡ଼ିଶାକୁ ଲୋକଙ୍କୁ ସୁଅ ଛୁଟୁଛି । ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ପରି କ୍ଷେତ୍ର ସହ ଜଳବାୟୁ ଉନ୍ନତିରେ ବି ତାଙ୍କ ଅବଦାନ ରହିଛି ବୋଲି ଅନନ୍ତ ନାରାୟଣ ଜେନା କହିଛନ୍ତି ।
‘ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କୁ କରାଯାଇପାରେ ଗିରଫ’ !
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କୁ କରାଯାଇପାରେ ଗିରଫ। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ। ବିଭିନ୍ନ ମିଛ ମାମଲାରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି କେଜରିୱାଲ। ମହିଳା ସମ୍ମାନ ଯୋଜନା, ସଞ୍ଜୀବନୀ ଯୋଜନା ପରି କେତେକ ଜନହିତକର କାର୍ଯ୍ୟକ୍ରମ କରାଯାଉଥିବାରୁ କେତେକ ମହଲ କ୍ଷୁବ୍ଧ ହୋଇଛନ୍ତି। ଏହି କାରଣରୁ ତାଙ୍କୁ ଗିରଫ କରାଯାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆପ ସରକାରର ଏଜେଣ୍ଡାକୁ ନେଇ ଦଳର ବହୁ ନେତାଙ୍କ ଉପରେ ଚଢାଉ କରାଯିବା ସମ୍ଭାବନା ରହିଛି।
ଜଳେଶ୍ବରରେ ଗହଣା ଦୋକାନରୁ ଲୁଟ୍, ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ
ବାଲେଶ୍ୱର: ଜଳେଶ୍ବରରେ ଗହଣା ଦୋକାନରୁ ଲୁଟ୍ । ଦୋକାନ ଭିତରେ ପଶି ନଗଦ ୫ ଲକ୍ଷ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାରରେ ଥିବା ମାଳତୀ ଜୁଏଲାର୍ସରୁ ଲୁଟ ହୋଇଛି । ଦୋକାନୀ ପାଣି ଆଣିବାକୁ ଯାଇଥିବା ବେଳେ ଟଙ୍କା ଏବଂ ଗହଣା ବ୍ଯାଗ ନେଇ ଚମ୍ପଟ ମାରିଛି ଦୁର୍ବୃତ୍ତ। ୫ ଲକ୍ଷ ନଗଦ ଟଙ୍କା ସହ ୩୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି। ଏନେଇ ତଦନ୍ତ କରୁଛି ପୋଲିସ ।
ଦୁଷ୍କର୍ମ ଓ ଏସିଡ୍ ଆକ୍ରମଣ ପୀଡିତାଙ୍କୁ ମାଗଣା ଚିକିତ୍ସା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଏକ ବଡ ନଷ୍ପତ୍ତି ଶୁଣାଇଛନ୍ତି । ଦୁଷ୍କର୍ମ, ଏସିଡ୍ ଆକ୍ରମଣ ଓ ଯୌନ ହିଂସାର ଶିକାର ହୋଇଥିବା ପୀଡିତା ମାଗଣା ଚିକିତ୍ସା ପାଇବାର ହକଦାର । କୌଣସି ସରକାରୀ ବା ଘରୋଇ ହସ୍ପିଟାଲ୍ ବା ନର୍ସିଂହୋମ୍ ମନା ପୀଡିତାଙ୍କ ଠାରୁ କୌଣସି ଫି’ ଆଦାୟ କରିପାରିବେ ନାହିଁ । ପୀଡିତାଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ହସ୍ପିଟାଲ ବାଧ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଓ ଜଷ୍ଟିସ୍ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ମାମଲାରେ ସୋମବାର ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଦାଲତ ଓ ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ)ର ବାରମ୍ବାର ହସ୍ତକ୍ଷେପ ସତ୍ତ୍ୱେ ନିଜ ବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଜଣେ ପୀଡ଼ିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା। ଖଣ୍ଡପୀଠ କହିଛନ୍ତି, ମାଗଣା ଚିକିତ୍ସା ପୀଡ଼ିତାଙ୍କ ପାଇଁ ଆବଶ୍ୟକ ଯେକୌଣସି ପରୀକ୍ଷା, ନିଦାନ ଓ ଦୀର୍ଘକାଳୀନ ଚିକିତ୍ସା ସେବା ପର୍ଯ୍ୟନ୍ତ ମଧ୍ୟ ବିସ୍ତାରିତ ହୋଇଥାଏ। ଏଭଳି ପୀଡ଼ିତାଙ୍କୁ ଆବଶ୍ୟକତା ଅନୁଯାୟୀ ଶାରୀରିକ ଓ ମାନସିକ ପରାମର୍ଶ ମଧ୍ୟ ପ୍ରଦାନ କରାଯିବ। ଅଦାଲତ ଡାକ୍ତରଖାନାଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି।
ଅଦାଲତ କହିଛନ୍ତି ଯେ, ଦିଲ୍ଲୀର ପ୍ରତ୍ୟେକ ଚିକିତ୍ସା କେନ୍ଦ୍ରରେ ଯୌନ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ପାଇଁ ମାଗଣାରେ ଚିକିତ୍ସା ଉପଲବ୍ଧ ଅଛି ବୋଲି ଏକ ବୋର୍ଡ ଲଗାଇବାକୁ ପଡ଼ିବ। ରୋଗୀ ଆବଶ୍ୟକତା ଅନୁଯାୟୀ ହସ୍ପିଟାଲରେ ଆଡମିସନ ନେଇ ଚିକିତ୍ସିତ ହେଉ ବା ବାହାରୁ ଆସି ଚିକିତ୍ସିତ ହେଉ ନା କାହିଁକି ଉଭୟ ପରିସ୍ଥିତିରେ ହସ୍ପିଟାଲଗୁଡ଼ିକ ମାଗଣା ଚିକିତ୍ସା ପ୍ରଦାନ କରିବେ।
ବିସ୍ଫୋରଣରେ ବୁଡିଗଲା ଋଷର କାର୍ଗୋ ଜାହାଜ
ନନ୍ଦିଘୋଷ ବ୍ୟୁରୋ: ଭୂମଧ୍ୟ ସାଗରରେ ବୁଡିଗଲା ଋଷର କାର୍ଗୋ ଜାହାଜ। ସ୍ପେନ ଓ ଆଲଜେରିଆ ମଧ୍ୟରେ ଜାହାଜଟି ଗତି କରୁଥିବାବେଳେ ଇଞ୍ଜିନ ରୁମରେ ବିସ୍ଫୋରଣ ଘଟିବାରୁ ଘଟିଥିଲା ଦୁର୍ଘଟଣା। ଏନେଇ ସୂଚନା ଦେଇଛି ଋଷର ବୈଦେଶିକ ମନ୍ତ୍ରାଳୟ। ଜାହାଜରେ ଥିବା ୧୪ ଜଣ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ୧୨ ଦିନ ତଳେ ସେଣ୍ଟ ପିଟସବର୍ଗ ପୋର୍ଟରୁ ଉର୍ଷା ମେଜର ନାମକ ଏହି ଜାହାଜ ଯାତ୍ରାରମ୍ଭ କରିଥିଲା। ଜାହାଜରେ ୨ଟି କ୍ରେନ ରହିଥିଲା। ଏହା ଋଷର ପୂର୍ବାଞ୍ଚଳରେ ଥିବା ଭ୍ଲାଦିଭୋସ୍ତକକୁ ଯିବାର ଥିଲା। ଲାଇଫବୋଟ ଥିବାରୁ ୧୪ କ୍ରିଉ ମେମ୍ବର ଉଦ୍ଧାର ହୋଇଯାଇଥିଲେ। ୨ ଜଣ ନିଖୋଜ ଥିବା ସୂଚନା ମିଳିଛି। ୨୦୨୨ ମସିହାରୁ ଉର୍ଷା ମେଜର ଜାହାଜ ଆମେରିକାର କଟକଣା ପରିସରଭୁକ୍ତ ଥିଲା। ୨୦୦୯ରେ ଏହି ଜାହାଜର ନିର୍ମାଣ ହୋଇଥିଲା। ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଏହି ଜାହାଜ ଉପରେ କଟକଣା ଲଗାଇଥିଲା ଆମେରିକା।
ଭାଇ ହେଲା ଭଗାରୀ; ପରସ୍ପର ମଧ୍ୟରେ ହଣାକଟା
ନନ୍ଦିଘୋଷ ବ୍ୟୁରୋ: ଜମିଜମାକୁ କେନ୍ଦ୍ରକରି ଭାଇ ଭାଇ ମଧ୍ୟରେ ହଣାକଟା । ଏଥିରେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁରେ ୩ ଭାଇଙ୍କ ମଧ୍ୟରେ ହୋଇଛି ଏହି ଗଣ୍ଡଗୋଳ।
ସୂଚନା ଅନୁଯାୟୀ, ପୈତୃକ ଜମିରେ ନୂତନ ଘର କରିବା ପାଇଁ ଜମି ଭାଗ ବଣ୍ଟାକୁ ନେଇ ହଣାକଟା ହୋଇଛି। ଧାରୁଆ ଅସ୍ତ୍ର ପରସ୍ପରକୁ ଆକ୍ରମଣ କରିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରା ଯାଇଛି। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ କରିଛି। କିଛି ମାସ ହେଲା ଖୋଜାପଲ୍ଲୀ ଗ୍ରାମର ୩ଭାଇ କୈଳାସ ସାହୁ, ଅନାଥ ସାହୁ, କବି ସାହୁ ଙ୍କ ମଧ୍ୟରେ ଜମି ପାଇଁ ଝଗଡା ଲାଗି ରହିଥିଲା ଗତକାଲି ସଂଧ୍ୟାରେ ପାଟି ତୁଣ୍ଡ ପରେ ତାହା ହିଂସାର ରୂପ ନେଇଥିଲା।
ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ ୧୫ ମୃତ
ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନ ପକତିକା ପ୍ରଜାତନ୍ତ୍ର ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ। ବର୍ମଲ ଜିଲ୍ଲାରେ ହୋଇଥିବା ଏୟାରଷ୍ଟ୍ରାଇକରେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ମହିଳା ଓ ଶିଶୁ। ମୃତ୍ୟୁସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି। ଲମନ ଗାଁ ସମେତ ୭ଟି ଗ୍ରାମକୁ କରାଯାଇଥିଲା ଟାର୍ଗେଟ। କେବଳ ଲମନ ଗାଁର ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଛି। ବୋମାବର୍ଷଣରେ ସାମିଲ ହୋଇଥିଲେ ପାକିସ୍ତାନୀ ଜେଟ୍। ବର୍ମଲର ମୁର୍ଗବଜାର ଗାଁ ଧୂଳିସାତ ହୋଇଛି। ଆକ୍ରମଣର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି।
ରିପୋର୍ଟ ଅନୁଯାୟୀ, ଏହାର ଜବାବ ଦିଆଯିବ ବୋଲି ଧମକ ଦେଇଛି ତାଲିବାନର ପ୍ରତିରକ୍ଷା ମନ୍ତ୍ରାଳୟ। ଏହି ଭୂଖଣ୍ଡର ସାର୍ବଭୋମର ସୁରକ୍ଷା କରାଯିବ ବୋଲି କହିଛି ତାଲିବାନ। ବିଶେଷ କରି ୱାଜିରସ୍ତାନୀ ଶରଣାର୍ଥୀଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ତେବେ ତାଲିବାନର କେତେକ ଆଡ୍ଡାସ୍ଥଳୀ ଉପରେ ଏହି ହମଲା କରାଯାଇଥିବା କୁହାଯାଇଛି। ଏହି ବୋମା ମାଡକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ଯରେ ସମ୍ପର୍କ ତିକ୍ତ ହୋଇଛି। ପାକିସ୍ତାନ ବାହିନୀ ଉପରେ ତେହରିକ-ଇ-ତାଲିବାନ ପାକିସ୍ତାନ ବା ଟିଟିପିର ଆକ୍ରମଣ ବଢୁଥିବାରୁ ଏହାର ଜବାବ ଦେଇଛି ପାକିସ୍ତାନ।
୩୦୦ ଫୁଟ ଗଭୀର ଘାଇକୁ ଖସିଲା ଆର୍ମି ଟ୍ରକ, ୫ ଯବାନ ମୃତ
ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ପୁଞ୍ଚରେ ବଡ଼ ଧରଣର ଅଘଟଣ। ୩୦୦ ଫୁଟ ଗଭୀର ଘାଇକୁ ଖସିଲା ଏକ ଆର୍ମି ଟ୍ରକ । ଦୁର୍ଘଟଣାରେ ୫ ଯବାନଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ଯାରେ ଘାରୋଆ ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ୬ଟି ଟ୍ରକରେ ଯବାନମାନେ ବାନୋଇକୁ ଯାଉଥିବାବେଳେ ବାଟରେ ଘଟିଥିଲା ଅଘଟଣ। ମୃତାହତ ଯବାନମାନେ ହ୍ବାଇଟନାଇଟ କର୍ପ୍ସର ଯବାନ ଥିଲେ। ଏହି ଦୁର୍ଘଟଣାର ତଦନ୍ତ କରାଯାଉଛି।
ସମ୍ଭବତଃ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ଏହି ଅଘଟଣ ପଛରେ ଆତଙ୍କବାଦୀ ହାତ ନଥିବା ସୂଚନା ମିଳିଛି। ଏହି ଘଟଣାରେ ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

