spot_img
Home Blog Page 1199

ପ୍ରଦୂଷଣ ବଳୟରେ ଛନ୍ଦି ହେଲାଣି ଅନୁଗୁଳ, ଛେଣ୍ଡିପଦାରେ ଖଣି ପାଇଁ ଗଛ କଟାକୁ ବିରୋଧ

ଅନୁଗୁଳ : ପ୍ରଦୂଷଣର ବଳୟରେ ଛନ୍ଦି ହୋଇଗଲାଣି ଅନୁଗୁଳ। ଛେଣ୍ଡିପଦାରେ କିଛି ଖଣି ପାଇଁ ଗଛ କଟା ଆରମ୍ଭ ହୋଇଗଲାଣି । ଯାହାକୁ ବିରୋଧ କରିଛନ୍ତି ଲୋକ । ଛେଣ୍ଡିପଦା ଅଞ୍ଚଳରେ ସିଙ୍ଗରାଣୀ କମ୍ପାନୀ ଖଣି କରିବା ପାଇଁ ଆରମ୍ଭ କରିଛି ଗଛ କଟା। ଏହି ଖଣି ପାଇଁ ଛେଣ୍ଡିପଦା ଜଙ୍ଗଲରୁ ପ୍ରାୟ ୧ ଲକ୍ଷ ୬ ହଜାର ଗଛ କାଟିବାକୁ ପ୍ରଶାସନ ଓ ସରକାର ଅନୁମତି ଦେଇଛନ୍ତି। ତେବେ ଏତେ ସଂଖ୍ୟକ ଗଛ କାଟିଦେଲେ ଛେଣ୍ଡିପଦାର ପ୍ରଦୂଷଣ ମାତ୍ର ଯାହା ଅଛି ତାହା ବହୁ ମାତ୍ରାରେ ବଢିଯିବ ।  ଏଥିପାଇଁ ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ଓ ଅଞ୍ଚଳବାସୀ ଏହି ନିଷ୍ପତ୍ତିକୁ ବିରୋଧ କରି ଆସୁଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାର ମା ପାଇଁ ଗଛଟିଏ ନାରା ଦେଇ ଥିଲେ । ଏବେ ସେହି ସରକାର ଲକ୍ଷ ଲକ୍ଷ ବଡ଼ ବଡ଼ ଗଛ କାଟିବାକୁ ଅନୁମତି ଦେଇ ଲୋକଙ୍କୁ ବିପଦ ମୁହଁକୁ ଠେଲି ଦେଉଛନ୍ତି । ପ୍ରଦୂଷଣର ମାତ୍ରା ଯେଉଁଠି ଢେର ଅଧିକ ସେହି ଅଞ୍ଚଳରେ ଗଛ ଲଗାଇବା ପ୍ରତିବଦଳରେ ଗଛ କାଟିଲେ ଅଞ୍ଚଳବାସୀଙ୍କ ଉପରେ କଣ ପ୍ରଭାବ ପଡିବ ତାହା ସମସ୍ତଙ୍କୁ ଜଣା । ଏଥିପାଇଁ ଲୋକେ ନ୍ଯାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଆଶ୍ରୟ ନେଇଛନ୍ତି। NGTରୁ ଏବେ କମ୍ପାନୀ ଏବଂ ଜିଲ୍ଲା ପ୍ରଶାସନକୁ ନୋଟିସ ଆସିଛି। ଖୁବ ଶୀଘ୍ର NGT ଏହାର ଶୁଣାଣି କରିବ ଆଉ ଲୋକ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ।

ସମ୍ବଲପୁରରେ ବଡ଼ ଧାରଣାର ଡକାୟତି, ଲୁଟିନେଲେ ୩୦ କିଲୋ ସୁନା ସହ ଟଙ୍କା

ସମ୍ବଲପୁର : ସମ୍ବଲପୁର ଜନଗହଳି ଫାଟକ ଅଞ୍ଚଳରେ ସଶସ୍ତ୍ର ଡକାୟତି l ବନ୍ଦୁକ୍ ଦେଖାଇ ମଣପୁରମ ଫାଇନାନ୍ସ କମ୍ପାନୀରୁ ୩୦ କିଲୋ ସୁନା ଲୁଟି ନେଲେ ଲୁଟେରା। ସେପଟେ ୫ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ପୋଲିସ l ସଦର sdpo ଓ ସମସ୍ତ ଥାନାର iic ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମଣପୁରମ ଫାଇନାନ୍ସରେ ସୁନା ଗହଣା ବନ୍ଧା ରଖି ଲୋନ ନେବାର ବ୍ୟବସ୍ଥା ରହିଥାଏ । ଲୁଟ ପରେ ଜିଲ୍ଲା ଓ ଜିଲ୍ଲା ବାହାର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ୍। ଖୋଦ୍ ଉତ୍ତରଂଚଳ ଆଇଜି ପହଞ୍ଚି ଘଟଣାକୁ ଯାଞ୍ଚ କରୁଛନ୍ତି l ତେବେ ସବୁଠାରୁ ବଡ଼କଥା ହେଲା ଗତ ୨୦୧୮ ପରେ ପରେ ସମ୍ବଲପୁର ସହରରେ ୫ ଥର ସୁନା ଡକାୟତି ହେଲାଣି କିନ୍ତୁ ପୋଲିସ ହାତ ଖାଲି। ଡକାୟତି ଟିମ୍ କୁ ଧରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି l

କିଛି ଦିନ ଆଗରୁ ସହରର ଧନୁପାଲିର ଏକ ସୁନା ଦୋକାନରୁ ଓ ମାନେଶ୍ୱରର ସୁନା ଦୋକାନରୁ ସମାନ ଢଙ୍ଗରେ ସୁନା ଚୋରୀ ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାର ଟେର ପାଇନି ପୋଲିସ। ତେଣୁ ଏହା ପୋଲିସର ଅପାରଗତା ବୋଲି ଚର୍ଚ୍ଚା ହେଉଛି l ସହର ସାରା କ୍ୟାମେରା ଲାଗିଛି ତେଣୁ କେଉଁ ଆଡ଼କୁ ସେମାନେ ଯାଉଛନ୍ତି ତାଙ୍କୁ ଟ୍ରାକ କରୁଛି ପୋଲିସ l ଯେହେତୁ ସମସ୍ତ ଦୁର୍ବୃତ୍ତ ହିନ୍ଦୀ ରେ କଥା ବାର୍ତ୍ତା କରୁଥିଲେ ତେଣୁ ଏମାନେ ବିହାର କିମ୍ବା ପଶ୍ଚିମବଙ୍ଗରୁ ଆସି ଡକାୟତି କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି।

ହଂସୀତା ଓ ଅନୀଲ ଗିରଫ ଘଟଣା, ରିମାଣ୍ଡରେ ଆଣିବା ପରେ ସ୍ପେଶାଲ କ୍ରାଇମ ୟୁନିଟର ଖୋଳତାଡ

ଭୁବନେଶ୍ବର : କ୍ୟାପିଟାଲରୁ ହାଇପ୍ରୋଫାଇଲ କପଲଙ୍କୁ ଠକେଇ ଘଟଣାରେ ଗିରଫ କରିବା ପରେ ଅଭିଯୁକ୍ତଙ୍କ ପାଇଁ ଅଡୁଆ ଯେତିକି ବଢିଛି, ପୋଲିସ ପାଇଁ ମଧ୍ୟ ତଦନ୍ତ ସେତିକି କାଠିକର ପାଠ ପାଲଟିଛି। କାରଣ ଏମାନଙ୍କ ଲିଙ୍କ, ବ୍ୟାଙ୍କ ଟ୍ରାଞ୍ଜାକସନ, ସିଡ଼ିଆର ରିପୋର୍ଟ , ସବୁଥିରୁ ମିଳିଛି ପ୍ରତିପତ୍ତିଶାଳୀ ବା ପ୍ରଭାବଶାଳୀଙ୍କ ସମ୍ପର୍କ। ରିମାଣ୍ଡରେ ଆଣିବା ପରେ ସ୍ପେଶାଲ କ୍ରାଇମ ୟୁନିଟ ଅନେକ ଦିଗକୁ ନେଇ ଖୋଲତାଡ଼ କରିପାରେ। ଟେଣ୍ଡର ଫିକ୍ସିଂ, ହାଇପ୍ରୋଫାଇଲ ଲୋକଙ୍କ ନାଁ ନେଇ ଠକେଇ, ଚାକିରୀ ଦେବା ଓ ଟ୍ରାନ୍ସଫର କରିବାକୁ କହି ଠକେଇ , ଏମାନଙ୍କ ସହଯୋଗୀ, କେଉଁ କେଉଁ ଜାଗାରେ କଳା ଟଙ୍କା ବିନିଯୋଗ କରିଛନ୍ତି , ଏଭଳି ଅନେକ ପ୍ରଶ୍ନର ହୋଇପାରେ ଖୋଳତାଡ଼ । ତେବେ ଆଜି ଅନୀଲ ଓ ହଂସୀତାଙ୍କ ଦୁଇଟି ଘରୋଇ ବ୍ୟାଙ୍କରେ ଥିବା ଆକାଉଣ୍ଟର ଡିଟେଲସ ମାଗି ଏହି ଠକେଇର ଚେର ଖୋଜିବାରେ ଲାଗିଛି କମିଶନରେଟ ପୋଲିସ ।

ରଘୁନାଥପୁରରେ ଥିବା ଅନିଲଙ୍କ ଅଫିସରେ ରେଡ଼ କରିବା ସହ ଜବତ କମ୍ପ୍ୟୁଟର, ହାର୍ଡଡିସ୍କ , ମୋବାଇଲକୁ ଫରେନସିକ ଲ୍ୟାବକୁ ପଠାଯାଇଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଗ୍ରସରି ଦୋକାନ ଓ ପରେ ଗାଙ୍ଗୁରାମ ଦୋକାନ କରିଥିବା ଅନୀଲ କୋଟି କୋଟି ଟଙ୍କାର ମାଲିକ କେମିତି ହେଲେ ? ସୁଦୂର କଳାହାଣ୍ଡି ନର୍ଲା ରୁ ଆସିଥିବା ହଂସୀତା ପ୍ରଥମେ ରାଜଧାନୀର ଏକ ସ୍ପା ରେ କାମ କରୁଥିବା ବେଳେ  ସେ ମଧ୍ୟ କିଭଳି ଲୋକଙ୍କୁ ଚୁନ ଲଗାଇ କୋଟିପତି ହୋଇଗଲେ ସେ ନେଇ ମଧ୍ୟ ଆରମ୍ଭ ହୋଇଛି ଖୋଲତାଡ଼ । ଏସବୁ ଭିତରେ ଆୟକର ବିଭାଗର ସହଯୋଗ କମିଶନରେଟ ପୋଲିସ ଲୋଡିଥିବାରୁ କିଛି ଖଣି ବ୍ୟବସାୟୀ, ଜିମ ମାଲିକ, ମଦ ମାଫିଆ ଓ ଟେଲରଙ୍କ ପ୍ରତି ବଢ଼ିବାରେ ଲାଗିଛି ଅଡୁଆ । ରଘୁନାଥପୁରର ଏକ ଆପାର୍ଟମେଂଟରେ ଏମାନଙ୍କ ନାଁ ରେ ୨ ଟି ଫ୍ଲାଟ ରହିଛି । କିନ୍ତୁ ଡୋର ରେ ସେନସର ଲାଗିଥିବାରୁ ପୋଲିସ କୁ  ଅଧାରୁ ଫେରିବାକୁ ପଡିଛି ।

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ: ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ମିଳିଲା ବଡ଼ ଆଶ୍ବସ୍ତି

ନନ୍ଦିଘୋଷ ବ୍ୟୁରୋ: ବିଶିଷ୍ଟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଲ୍ଲୁଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଅଲ୍ଲୁଙ୍କ ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ସମୟରେ ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା । ମହିଳାଙ୍କ ମୃତ୍ୟୃର ଯାଞ୍ଚ ମାମଲାରେ ଅଲ୍ଲୁଙ୍କୁ ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ହାଇଦ୍ରାବାଦର ନାମପଲ୍ଲୀ ଅଦାଲତ । ଜାମିନ ସର୍ତ୍ତ ଅନୁସାରେ ଅଲ୍ଲୁଙ୍କୁ ୫୦ ହଜାର ଟଙ୍କାର ଦୁଇଟି ମୁଚାଲିକା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୪ରେ ପୁଷ୍ପା-୨ ରିଲିଜ୍ ହୋଇଥିଲା । ହାଇଦ୍ରାବାଦରେ ଫିଲ୍ମର ଶୋ ସକାଳ ୩ଟା ସମୟରେ ରଖାଯାଇଥିଲା । ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ର ପ୍ରିମିୟର ଶୋ ରଖାଯାଇଥିଲା । ପ୍ରଥମ ଦିନର ଶୋ ଦେଖିବା ପାଇଁ ନିଜର ଫ୍ୟାନ୍ସ ସହିତ ଅଲ୍ଲୁ ଯାଇଥିଲେ । ଅଲ୍ଲୁ ସ୍କ୍ରିନିଂ ପାଇଁ ଆସିବା ଖବର ଶୁଣି ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଲୋକମାନେ ଡ୍ୟାନ୍ସ କରିବା ସହିତ ବାଣ ମଧ୍ୟ ଫୁଟାଇଥିଲେ ।  ସେହି ସମୟରେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହିତ ତାଙ୍କର ୮ ବର୍ଷୀୟ ପୁଅ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛି ।

କେନ୍ଦୁଝରରେ ଭୁଶୁଡି ପଡିଛି ପରିମଳ ବ୍ୟବସ୍ଥା, ରାସ୍ତା କଡରେ ଜମା ହୋଇଛି କୁଢକୁଢ ଅଳିଆ

କେନ୍ଦୁଝର  : କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସାନଘାଗରା ପ୍ରବେଶ ପଥରେ ଅବସ୍ଥା ଶୋଚନୀୟ । ଅଳିଆ, ଆବର୍ଜନାରେ ଭରିଥିବା ଏହି ସ୍ଥାନ ପାହାଡ଼ର ଭ୍ରମ ସୃଷ୍ଟି କରୁଛି ।  ଅହରହ ଏଠାରେ ନିଆଁ ଜଳୁଥିବା ବେଳେ, ଧୂଆଁ ମଧ୍ୟ ନିର୍ଗତ ହେଇଛି । ଯାହାର ଫଳସ୍ୱରୂପ ଏଠାରେ ସବୁବେଳେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ, ପରିବେଶ ପ୍ରଦୂଷିତ ହେଉଛି । ଅଳିଆ, ଆବର୍ଜନାକୁ ଗାଈ ଗୋରୁ ଖାଇ ମୃତ୍ଯୁ ମୁଖରେ ପଡୁଛନ୍ତି । ଧୂଆଁ ପାଇଁ ଅନେକ ସମୟରେ ଏଠାରେ ଦୁର୍ଘଟଣା ମଧ୍ୟ ଘଟୁଛି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି ।

କେନ୍ଦୁଝରଗଡ଼ ପୌରପାଳିକାର ୨୧ଟି ୱାର୍ଡ଼ରୁ ପ୍ରତିଦିନ ବାହାରୁଛି ଟନଟନ ଅଳିଆ, ଆବର୍ଜନା । ହେଲେ, ପୌର କର୍ତ୍ତୃପକ୍ଷ ଏସବୁକୁ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ନେବା ବଦଳରେ ଜାତୀୟ ରାଜପଥ କଡ଼ରେ ଫିଙ୍ଗିବାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଥିବା ବେଳେ ଶୀଘ୍ର ସମସ୍ଯାର ସମାଧାନ ପାଇଁ ଦାବି କରିଛନ୍ତି । ଅନ୍ଯପଟେ ଏକ ଜଙ୍ଗଲ ସୃଷ୍ଟି କରିବାକୁ ଥିବା ଜମିରେ ଆବର୍ଜନା ପିଂଙ୍ଗା ଯାଉଥିବା ବେଳେ ଖୁବଶୀଘ୍ର ସମସ୍ଯାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି କେନ୍ଦୁଝରଗଡ଼ ପୌର ନିର୍ବାହୀ ଅଧୀକାରୀ ।

ସଜେଇ ହୋଇଛି ଦ୍ୱିତୀୟ ଚିଲିକା, ପିକନିକର ମଜା ନେବା ପାଇଁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ପାଲଲହଡା : ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ଦ୍ୱିତୀୟ ଚିଲିକା  । ପ୍ରାକୃତିକ ଶୋଭାରାଜି ମଧ୍ୟରେ ପାହାଡ଼ ଜଙ୍ଗଲ ଘେରା ମନୋରମ ପର୍ଯ୍ୟଟନ ସ୍ଥଳୀ ହେଉଛି ଦ୍ୱିତୀୟ ଚିଲିକା । ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ସଦର ମହକୁମା ଠାରୁ ଠାରୁ ମାତ୍ର ୧୮ କିଲୋମିଟର ଦୂରରେ ରହିଥିବା ଏହି ସ୍ଥାନ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ । ବର୍ତ୍ତମାନ ପିକନିକ ପାଇଁ ଏଠାରେ ଲୋକଙ୍କ ଭିଡ ଲାଗିଛି । କିଏ ବଣଭୋଜି କରିବା ପାଇଁ ଆସୁଛନ୍ତି ତ କିଏ ପ୍ରକୃତିକୁ ଅତି ନିକଟରୁ ଦେଖିବା ପାଇଁ ଭିଡ ଲଗେଇଛନ୍ତି । ସ୍ଥାନୀୟ ଜଙ୍ଗଲ ଓ ବିସ୍ତୃତ ଜଳ ରାଶିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ l

ପୂର୍ବ ବିଜେଡି ସରକାର ସମୟରେ ୨୦୨୩ ମସିହାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲା ଦ୍ୱିତୀୟ ଚିଲିକା । ପର୍ଯ୍ଯଟକଙ୍କ ସୁବିଧା ନିମନ୍ତେ ଓଡିଶା ପର୍ଯ୍ଯଟନ ନିଗମ ଆନୁକୂଲ୍ୟରେ ଏଠାରେ ଭୋଜି ନିମନ୍ତେ ପିଣ୍ଡି ସହିତ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା  l ବର୍ତ୍ତମାନ ଏଠାରେ ଭଲ ପାର୍କିଂଙ୍ଗ କିମ୍ବା ଯାତ୍ରୀ ରହଣୀସ୍ଥଳୀ ସୁବିଧା ନଥିବାରୁ ପର୍ଯ୍ଯଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ତୁରନ୍ତ ଏ ଦିଗରେ ଧ୍ଯାନ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ପର୍ଯ୍ଯଟକ । ପର୍ଯ୍ଯଟନସ୍ଥଳୀ ଉନ୍ନତିକରଣ ପାଇଁ ସାଧାରଣରେ ଦାବି ଜୋର ଧରିଛି ।

ଖୋଲିଲା ଅଟେଇ ଜଙ୍ଗଲ ସଫାରୀ

ଘଟଗାଁ : କେନ୍ଦୁଝର ଜିଲ୍ଲାରେ ପର୍ଯ୍ଯଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଛି ନୂଆ ପରିକଳ୍ପନା । ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ଅଟେଇ ଜଙ୍ଗଲ ସଫାରୀ । ମାଆ ତାରିଣୀଙ୍କ ମନ୍ଦିର ନିକଟରୁ ମାତ୍ର ୪କିଲୋମିଟର ଦୂରରେ ଅଟେଇ ସଫାରୀର ମଜା ନେଇପାରିବେ ପର୍ଯ୍ଯଟକ । ଶିମିଳିପାଳ ଏବଂ ସାତକୋଶିଆ ଜଙ୍ଗଲ ମଝିରେ ଅବସ୍ଥିତ ଏହି ଅଟେଇ ଜଙ୍ଗଲ । ବିଭିନ୍ନ ବିରଳ ବୃକ୍ଷଲତାରେ ପରିପୂର୍ଣ ଅଟେଇ ଜଙ୍ଗଲ ପ୍ରକୃତିପ୍ରେମୀଙ୍କୁ ବେଶ ଆକର୍ଷିତ କରିଥାଏ । ଏବେ ଅଟେଇ ସଂରକ୍ଷିତ ଜଙ୍ଗଲରେ ଥିବା ମହାବଳ ବାଘ ସହିତ ହାତୀ, ହରିଣ, ଠେକୁଆ, ବିରଳ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ଦେଖିବା ପାଇଁ ସ୍ଵତନ୍ତ୍ର ବ୍ଯବସ୍ଥା କରାଯାଇଛି । ପର୍ଯ୍ଯଟକମାନେ ଯେପରି ଜଙ୍ଗଲ ସଫାରୀର ଅନୁଭୂତି ସାଉଣ୍ଟିପାରିବେ ସେଥିପାଇଁ ସ୍ୱତନ୍ତ୍ର ସଫାରୀ ଗାଡିର ବ୍ୟବସ୍ଥା କରିଛି ବନ ବିଭାଗ । ସଫାରୀର ମଜା ନେବାକୁ ପର୍ଯ୍ଯଟକମାନଙ୍କ ମଧ୍ଯରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ଅଟେଇ ଜଙ୍ଗଲ ସଫାରୀ ବୁଲିବା ପାଇଁ ତାର ଟିକେଟ ବୁକିଂ କାଉଣ୍ଟର ମାଆ ତାରିଣୀ ମନ୍ଦିର ପରିସରରେ ରହିଛି । ଜଙ୍ଗଲ ସଫାରୀ ଗାଡ଼ିରେ ୪୦ କିଲୋ ମିଟର ଜଙ୍ଗଲ ବୁଲିବେ ପର୍ଯ୍ୟଟକ । ପାଖାପାଖି ତିନି ଘଣ୍ଟାର ଯାତ୍ରା । ପର୍ଯ୍ଯଟମାନେ  ଟିକେଟ ବୁକିଂ ସକାଳ ୬ ଟାରୁ  ୯:୩୦ ମଧ୍ୟରେ କରିପାରିବେ । ଟିକେଟ ମୂଲ୍ୟ ନନ୍ ଏ.ସି ଗାଡ଼ି ପାଇଁ ୨୦୦ ଟଙ୍କା ଏବଂ ଏ.ସି ଗାଡ଼ି ପାଇଁ ୨୫୦ ଟଙ୍କା ରଖାଯାଇଛି । ସଫାରୀ ଗାଡ଼ିରେ ବସି ପର୍ଯ୍ୟଟକ ଜଙ୍ଗଲ ଭିତରେ ମୟୂର ଭ୍ୟାଲି, ୱାଚ୍ ଟାୱାର, ଭିଉ ପଏଣ୍ଟ ଏବଂ ଦରଗଡଶିଳା ଡ୍ୟାମ୍ ଦେଖିପାରିବେ ।

କେବେ ସରିବ ଦାଦନ ଯନ୍ତ୍ରଣା ? ଲକ୍ଷାଧିକ ଶ୍ରମିକଙ୍କୁ କରାଯାଉଛି ଚାଲାଣ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରୁ ଦାଦନ ଶ୍ରମିକଙ୍କ ମୂଳପୋଛ କରିବାକୁ ବିଜେପି ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି । ଟାସ୍କଫୋର୍ସର ମୁଖ୍ୟ ଭାବେ ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂଦେଓଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଛନ୍ତି । ହେଲେ ଟାସ୍କଫୋର୍ସ ଗଠନ ପରେବି ଶ୍ରମିକ ଚାଲାଣ ଥମିବାର ନାଁ ଧରୁନି । କଥାରେ ଟାସ୍କଫୋର୍ସ କିନ୍ତୁ ସର୍ଦ୍ଦାରଙ୍କ ଭିତିରି ବୁଝାମଣାରେ ଚାଲିଛି ବେଆଇନ ଶ୍ରମିକ ଚାଲାଣ । ଏହି ଫଟୋ ଓ ଭିଡିଓରୁ ସ୍ପଷ୍ଟ ବୁଝାପଡୁଛି କେମିତି ଚାଲିଛି ଟାସ୍କଫୋର୍ସ  ଓ ଶ୍ରମିକ ଚାଲାଣ ରୋକିବାକୁ କେତେ ତତ୍ପର ପୋଲିସ ଓ ଜିଲ୍ଲା ଶ୍ରମ ବିଭାଗ । ରାଜ୍ୟ ବାହାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହେଉ କିମ୍ବା ଶ୍ରମିକ ନିର୍ଯାତନାର ଶିକାର ଏସବୁ ଘଟଣାରେ ପାଟଣାଗଡ଼ ପୋଲିସ ବଦନାମ ହେବାରେ ଲାଗିଛି  । କାରଣ ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡତିଆ ଓ ଦାଦନ ସର୍ଦ୍ଦାର ଶ୍ରୀଧର କୁମାର କିପରି କଣ୍ଟାବାଞ୍ଜିର ରାଜରାସ୍ତା ଉପରେ ଚା ଖଟିରେ ମଉଜ କରୁଛନ୍ତି ତା ଫଟୋ ଭାଇରାଲ ହେବାରେ ଲାଗିଛି । ଖାଲି ଏତିକି ନୁହେଁ ଥାନା ବାବୁ ଜଣକ ସର୍ଦ୍ଦାର ଗାଡିରେ ପାଟଣାଗଡ଼ରୁ କଣ୍ଟାବାଞ୍ଜି ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଦାଦନ ସର୍ଦ୍ଦାର ନିର୍ଯ୍ୟାତନା ମାମଲାର ତଦନ୍ତ ପାଇଁ ଖୋଦ ଥାନା ବାବୁ ସର୍ଦ୍ଦାର ଗାଡିରେ ବୁଲିବେ। ସର୍ଦ୍ଦାର ସହ ଚା ପିଇବେ ତାହେଲେ ତାଙ୍କ ପାଖରୁ ନିରପେକ୍ଷ ତଦନ୍ତ କେମିତି ଆଶା କରାଯିବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ଓ ଶ୍ରମିକ ନେତା ।

ଗତ କିଛି ଦିନ ତଳେ ପାଟଣାଗଡ଼ କଦଳୀମୁଣ୍ଡା ଗାଁର ଅଜିତ ବାଗ ନାମକ ଜଣେ ଶ୍ରମିକଙ୍କୁ କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ସୁରେଶ ରାଓ ଅପହରଣ କରି ଜଙ୍ଗଲ ଭିତରେ ଉଲଗ୍ନ କରି ମରଣାନ୍ତକ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଏତଲା ପରେ ପୋଲିସ ଚୁପ୍ ରହିଥିଲା  । ଗତ ୨୪ ତାରିଖରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଗତ କିଛି ଦିନ ତଳେ ପାଟଣାଗଡ଼ ଥାନା ଅଧିକାରୀ ଘଟଣାର ତଦନ୍ତ ପାଇଁ କଣ୍ଟାବାଞ୍ଜି ଯାଇଥିଲେ । ତାହା ପୁଣି ସାଦା ପୋଷାକରେ ଅନ୍ୟ ଏକ ଦାଦନ ସର୍ଦ୍ଦାର ଗାଡିରେ । ସେହିପରି କିଛି ଦିନ ତଳେ ପାଟଣାଗଡ଼ ଥାନା ଭିତରେ ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଉଥିବା ଘଟଣାକୁ ନେଇ ବିବାଦକୁ ଆସିଥିଲେ ଥାନା ବାବୁ ।  ଥାନା ବାବୁଙ୍କ ନାଁରେ ବିଭିନ୍ନ ଅଭିଯୋଗ ପରେ ବି ଜିଲ୍ଲା ପୋଲିସ ମୁଖିଆ ଚୁପ୍ ରହୁଥିବାରୁ ଥାନା ବାବୁ ଆଉ ଇନ୍ଦ୍ରଚନ୍ଦ୍ର ମାନୁ ନ ଥିବା ଚର୍ଚ୍ଚା ଚାଲିଛି । ତେବେ ସେ କଣ ପାଇଁ ଦାଦନ ସର୍ଦ୍ଦାର ଗାଡିରେ ଯାଇଥିଲେ ତାହାର ଉପଯୁକ୍ତ ତଦନ୍ତ ହେଲେ ସବୁ ଘଟଣା ସାମ୍ନାକୁ ଆସିବ ବୋଲି ଦାବି ଜୋର ଧରିଛି ।

ରେଲଓ୍ବେ Group-D ନିଯୁକ୍ତି ପାଇଁ ଯୋଗ୍ୟତା ମାନଦଣ୍ଡ ବଦଳିଲା

ନନ୍ଦିଘୋଷ ବ୍ୟୁରୋ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରାର୍ଥୀଙ୍କ ପାଇଁ ରେଲେଓ୍ବ ନିଯୁକ୍ତି ବୋର୍ଡ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ରେଲଓ୍ବେ ତରଫରୁ ଲେବଲ-୧ ନିଯୁକ୍ତି ପାଇଁ ଯୋଗ୍ୟତା ମାନଦଣ୍ଡରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ନୂଆ ମାନଦଣ୍ଡ ଅନୁସାରେ, ଏବେ ଦଶମ ପାସ୍ କରିଥିବା ପ୍ରାର୍ଥୀମାନେ ଲେବଲ-୧ର ପରୀକ୍ଷା ପାଇଁ ଆବେଦନ କରିପାରିବେ । କୌଣସି ପ୍ରାର୍ଥୀଙ୍କ ପାଇଁ ଆଇଟିଆଇ ଆଦି ପ୍ରମାଣପତ୍ରର ବାଧ୍ୟତାମୂଳକ ହେବ ନାହିଁ ।

ଏହା ପୂର୍ବରୁ ଟେକ୍ନିକାଲ ବିଭାଗଗୁଡ଼ିକ ପାଇଁ ପ୍ରାର୍ଥୀ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ପାସ ସହିତ ଏନଏସି ବା ଆଇଟିଆଇ ଡିପ୍ଲୋମା ପାସ୍ ବାଧ୍ୟତାମୂଳକ ଥିଲା । ଏହି ମାମଲାକୁ ସମୀକ୍ଷା କରାଯିବା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜାନୁଆରୀ ୨ରେ ରେଲଓ୍ବେ ତରଫରୁ ସମସ୍ତ ଜୋନ ପାଇଁ ଜାରି ହୋଇଥିବା ପତ୍ରରେ କୁହାଯାଇଛି । ଲେବଲ-୧ ନିଯୁକ୍ତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ବା ଆଇଟିଆଇ ବା ସମକକ୍ଷ ବା ଏନସିଭିଟି ଦ୍ବାରା ପ୍ରଦାନ କରାଯାଉଥିବା ଏନଏସି ହେବ । ନିକଟରେ ୩୨ ହଜାର ଲେବଲ-୧ ଖାଲି ପଦ ପାଇଁ ନୋଟିଫିକେସନ ଜାରି କରାଯାଇଥିବା ବେଳେ ଜାନୁଆରୀ ୨୩ରୁ ଫେବୃଆରୀ ୨୨ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ଯେଉଁ ନିଯୁକ୍ତିର ନାମ ପୂର୍ବରୁ ଗ୍ରୁପ-ଡି ଥିଲା, ତାହାକୁ ବୋର୍ଡ ତରଫରୁ ନିକଟରେ ଲେବଲ-୧ କରାଯାଇଥିଲା ।

ଚୀନରେ ପୁଣି ଆତଙ୍କ ଖେଳାଇଲାଣି ଆଉ ଏକ ରହସ୍ୟମୟ ଭାଇରସ୍

ନୂଆଦିଲ୍ଲୀ : କରୋନା ମହାମାରୀର ୫ ବର୍ଷ ପରେ ଚୀନରେ ପୁଣି ଆତଙ୍କ ଖେଳାଇଲାଣି ଆଉ ଏକ ରହସ୍ୟମୟ ଭାଇରସ୍ । ଏହି ଭାଇରସ୍ ର ନାଁ ହେଉଛି ‘ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍’ ବା HMPV । ଏହି ନୂଆ ଭୂତାଣୁକୁ ନେଇ ଏବେ ଚିନ୍ତାରେ ପଡିଛି ଚୀନ । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏଥିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭିଡ଼ ଜମିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କରୋନା ଭଳି HMPV ମଧ୍ୟ ଶ୍ବାସକ୍ରିୟାକୁ ସଂକ୍ରମିତ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭୂତାଣୁ ଦ୍ରୁତବେଗରେ ସଂକ୍ରମିତ ହେଉଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏପରି କି ଚୀନ ସରକାର ଏଥିପାଇଁ ଜରୁରୀପରିସ୍ଥିତି ଘୋଷଣା କରିଥିବା କେତେକ ସାମାଜିକ ଗଣମାଧ୍ୟମରେ କୁହାଯାଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚୀନର କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ କରାଯାଇଛି। ଏପରିକି ବିଭିନ୍ନ ରାଜ୍ୟ ସୀମାକୁ ବନ୍ଦ କରାଯାଇଛି। ତେବେ ଏ ନେଇ ଚୀନ୍ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ରିପୋର୍ଟ ଅନୁସାରେ, ଡିସେମ୍ବର ୧୬ରୁ ୨୨ ତାରିଖ ମଧ୍ୟରେ ଏହି ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। ଚୀନର ରୋଗ ନିୟନ୍ତ୍ରଣ ଏବଂ ନିରୋଧକ ପ୍ରାଧିକରଣ ଏହି ମାମଲାର ଯାଞ୍ଚ କରିବା ସହ ଲ୍ୟାବ୍ ରିପୋର୍ଟିଂ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ଏଥିରେ ଆକ୍ରାନ୍ତ ଲୋକଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଉଛି । ସଂକ୍ରମିତଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି। କରୋନା ଭଳି ଜ୍ବର ଆସୁଥିବା କୁହାଯାଉଛି। ସ୍ବାସ୍ଥ୍ୟା ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି। ଏକ ମିଡିଆ ରିପୋର୍ଟ ଅନୁସାରେ ଏହି ଭାଇରାସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା । ଏହା ସାଧାରଣତଃ ୧୪ ବର୍ଷରୁ କମ ବୟସର ପିଲା ମାନଙ୍କ ଠାରେ ଦେଖାଦିଏ । ଛୋଟ ପିଲା, ବୟସ୍କ ବ୍ୟକ୍ତିମାନଙ୍କୁ  ଏହି ରୋଗ ହେବାର ଆଶଙ୍କା ଅଧିକ ।

HMPV ର ଲକ୍ଷଣଗୁଡିକ କ’ଣ?

ଫ୍ଲ୍ୟୁ ଏବଂ ଅନ୍ୟାନ୍ୟ ଶ୍ବାସକ୍ରିୟା ସଂକ୍ରମଣ ସହିତ HMPV ର ଲକ୍ଷଣ ସମାନ  ।  ସାଧାରଣ ଲକ୍ଷଣ ମଧ୍ୟରେ କାଶ, ଜ୍ୱର, ନାକ ସଂକ୍ରମଣ ଏବଂ ନିଶ୍ୱାସ ପ୍ରଶ୍ୱାସ ଅନ୍ତର୍ଭୁକ୍ତ  ।  ଗୁରୁତର ଅବସ୍ଥାରେ ଏହି ଜୀବାଣୁ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆ ଭଳି ଜଟିଳତା ସୃଷ୍ଟି କରିପାରେ ।  HMPV ପାଇଁ ଇନକ୍ୟୁବେସନ ଅବଧି ସାଧାରଣତ ତିନିରୁ ଛଅ ଦିନ ମଧ୍ୟରେ ହୋଇଥାଏ ।

କ’ଣ କରିବା ଦରକାର ?

ଅତିକମରେ ୨୦ ସେକେଣ୍ଡ ଯାଏଁ ସାବୁନ ଏବଂ ପାଣିରେ ହାତ ଧୁଅନ୍ତୁ ।

କାଶ କିମ୍ବା ଛିଙ୍କିବା ସମୟରେ ପାଟି ଏବଂ ନାକକୁ ଘୋଡାନ୍ତୁ  ।

ମାସ୍କ ପିନ୍ଧିବା  ସହ ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ  ।

ଧୋଇ ନ ଧୋଇ ଆଖି, ନାକ ଏବଂ ପାଟିକୁ ଛୁଅଁନ୍ତୁ ନାହିଁ ।

ବର୍ତ୍ତମାନ, HMPV ରୋକିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଥେରାପି କିମ୍ବା ଟିକା ନାହିଁ  ।