spot_img
Home Blog Page 1198

ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବରେ ମୋହର

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବରେ ମୋହର। ଏଥି ମଧ୍ୟରେ  ସୁଭଦ୍ରା ଯୋଜନାକୁ ନେଇ କ୍ୟାବିନେଟରେ ବଡ ଘୋଷଣା ହୋଇଛି। ଆସନ୍ତା  ମାର୍ଚ୍ଚ ୩୧ ଭିତରେ ଆବେଦନ କଲେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ କିସ୍ତି ସହ ଦ୍ଵିତୀୟ।ଯିଏ ପ୍ରଥମ କିସ୍ତି ପାଇନଥିବେ ମୋଟ ୧୦ ହଜାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯନ୍ତ୍ରପାତି ଯୋଜନା ୨୦୨୧-୨୨ରୁ ୨୫-୨୬ ୫ ବର୍ଷ ପାଇଁ ୮୭୪ କୋଟି ଟଙ୍କା ଅନୁମୋଦନ ହୋଇଛି। ଏହା କୃଷି ଉଦ୍ୟୋଗୀଙ୍କୁ ସବସିଡି ଆକାରରେ ଦିଆଯିବ। ରାଜ୍ୟ ଯୋଗାଣ ନିଗମ ଧାନ କିଣା ପାଇଁ ୧୭ ହଜାର ୫୦୦ କୋଟି ଟଙ୍କା ଋଣ କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏଥି ପାଇଁ ରାଜ୍ୟ ସରକାର ଗ୍ୟାରେଣ୍ଟି ରହିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ସବସିଡି ନେଇ କ୍ୟାବିନେଟ ଅନୁମୋଦନ କରିଛନ୍ତି। ତିନି କିଲୋ ୱାଟ ରୂଫଟପ୍ ସୋଲାର ପାଇଁ କିଲୋୱାଟ ପିଛା ୨୫ ହଜାର ଟଙ୍କା ହିସାବରେ ୨ କିଲୋ ୱାଟ ପର୍ଯ୍ୟନ୍ତ ଏବଂ ତିନି କିଲୋ ୱାଟ ପାଇଁ ଅତିରିକ୍ତ ୧୦ ହଜାର ଟଙ୍କା ସବସିଡ ଦେବା ନେଇ କ୍ୟାବିନେଟ୍ ରେ ନିଷ୍ପତ୍ତି ହୋଇଛି। ୮୦ ବର୍ଷ ବୟସ ଓ ୮୦ ପ୍ରତିଶତ ଭିନ୍ନକ୍ଷମଙ୍କ ବଢିଲା ମାସିକ ଭତ୍ତା। ୩ ହଜାର ୫୦୦ କୁ ବୃଦ୍ଧି କରିଛନ୍ତି ସରକାର। ମଧୁବାବୁ ଯୋଜନାରେ ଆଗରୁ ମିଳୁଥିଲା ୧୨୦୦ ଟଙ୍କା

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ

ରାୟପୁର :  ଛତିଶଗଡ଼଼ରେ ମାଓ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ। ଗାରିଆବନ୍ଧ ଜିଲ୍ଲାରେ  ନକ୍ସଲ ସହ ମୁହାଁମୁହିଁ ହୋଇଥିଲେ ଯବାନ। ଜୋରଦୋର ହୋଇଥିଲା ଗୁଳିବିନିମୟ। ଏଥିରେ ୩ ନକ୍ସଲ ନିପାତ ହୋଇଛନ୍ତି। କମ୍ବି ଅପରେସନ ଚାଲିଥିବାବେଳେ ନକ୍ସଲଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ସର୍ଚ୍ଚ ଅପରେସନରେ ଏସଓଜି, ସିଆରପିଏଫ୍ ଏବଂ ମିଳିତ ପୋଲିସ ଟିମ ସାମିଲ ହୋଇଥିଲେ। ଛତିଶଗଡ଼ ପୋଲିସ ସହ ଓଡ଼ିଶା ପୋଲିସ ଏହି ମିଳିତ ଅପରେସନରେ ସାମିଲ ହୋଇଥିଲା। ଖୋଜାଖୋଜି ପରେ ୨ ନକ୍ସଲଙ୍କ ମୃତଦେହ ଜବତ ହୋଇଛି। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଅଧିକ ସଂଖ୍ୟକ ମାଓବାଦୀ ସାମିଲ ଥିବା ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସେପଟେ ବିଜାପୁର ଜିଲ୍ଲାରେ କମ୍ବି ଅପରେସନ ଚାଲିଥିବାବେଳେ ଆଇଇଡି ବ୍ଲାଷ୍ଟରେ ୩ ଜବାନ ଆହତ ହୋଇଛନ୍ତି।

ଜୀବନ ବଞ୍ଚାଉଥିବା ଏୟାର ବ୍ୟାଗ୍ ନେଲା ଝିଅର ଜୀବନ

ପ୍ରାୟ ସମସ୍ତେ ଲକ୍ଷ୍ୟ କରିଥିବେ ବର୍ତ୍ତମାନ ସମୟରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସୀମା ପାର୍ କରିଛି । ସଡକ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଯାତ୍ରୀଙ୍କ ସୁରକ୍ଷା ପାଇଁ କାର୍ ଗୁଡିକରେ ଏୟାରବ୍ୟାଗ୍ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ଏହି ଏୟାରବ୍ୟାଗ୍ ଲୋକଙ୍କ ଜୀବନ ମଧ୍ୟ ନେଇଯାଇପାରେ ବୋଲି । ନିକଟରେ ଏକ ମାମଲା ସାମ୍ନାକୁ ଆସିଛି ଯେ , ମୁମ୍ବାଇରେ ଏକ କାରରେ ଏୟାରବ୍ୟାଗ ଖୋଲିବା ପରେ ଗୋଟିଏ ୬ବର୍ଷର ଝିଅର ଜୀବନ ଚାଲିଯାଇଛି । ପ୍ରକୃତରେ ଘଟଣାଟି ଥିଲା ଏହିପରି । ଦୁଇଟି କାର୍ ପରସ୍ପର ସହ ଧକ୍କା ହେବା ଫଳରେ ସୁରକ୍ଷା ପାଇଁ କାରର ଏୟାରବ୍ୟାଗଟି ଖୋଲିଯାଇଥିଲା । କିନ୍ତୁ ଏୟାରବ୍ୟାଗ୍ ଟି ଏତେ ଜୋରେ ଖୋଲିଲା ଯେ ଝିଅଟିର ବେକରେ ଯାଇ ଜୋରେ ମାଡ ହେଲା । ଫଳରେ ସେହି ସମୟରେ ହିଁ ସାଙ୍ଗେ ସାଙ୍ଗେ ଝିଅଟିର ମୃତ୍ୟୁ ଘଟିଲା । ତେବେ ଏଥିରୁ ପ୍ରଶ୍ନ ଉଠୁଛି ଯେ, ଏୟାରବ୍ୟାଗ୍ କଣ ଆପଣଙ୍କ ପିଲା ପାଇଁ ଘାତକ ହୋଇପାରେ କି ? ଆସନ୍ତୁ ଜାଣିବା ।
ପ୍ରଥମେ ଜାଣନ୍ତୁ ଏୟାରବ୍ୟାଗ୍ କଣ ?
ଏୟାରବ୍ୟାଗ୍ ସାଧାରଣତଃ ଏକ ବେଲୁନ୍ ପରି ଆବରଣ ଅଟେ । ଯାହା ପଲିଷ୍ଟର ପରି ଏକ ଶକ୍ତିଶାଳୀ ଟେକ୍ସଟାଇଲ୍ କିମ୍ବା କପଡାରେ ନିର୍ମିତ । ଏହାକୁ ଏକ ଖାସ୍ ମ୍ୟାଟେରିଆଲରେ ତିଆରି କରାଯାଇଛି । ଯାହାକି ଦୁର୍ଘଟଣା ସମୟରେ ଯାତ୍ରୀକୁ ସୁରକ୍ଷିତ ରଖିପାରିବ । ଏହା କାରରେ ଏକ ସୁରକ୍ଷିତ ତକିଆ ପରି କାମ କରେ । ଯେତେବେଳେ ବି କାର୍ ସହ କାହାର ଧକ୍କା ହେବ କି କାର୍ କେଉଁଠି ବି ମାଡ ହେବ ଏହି ସିଷ୍ଟମ ଟି ସାଙ୍ଗେ ସାଙ୍ଗେ ଚାଲୁ ହୋଇଯିବ ।
ଏୟାରବ୍ୟାଗ୍ କାମ କରେ କେମିତି ?
ଏୟାରବ୍ୟାଗକୁ ସପ୍ଲିମେଣ୍ଟ୍ରି ରିସଣ୍ଟ୍ରେଟ୍ ସିଷ୍ଟମ ମଧ୍ୟ କୁହାଯାଏ । ଏହି ସିଷ୍ଟମରେ ପୂର୍ବରୁ ହିଁ ନାଇଟ୍ରୋଜେନ୍ ଗ୍ୟାସ୍ ଏୟାରବ୍ୟାଗ୍ ଭିତରେ ଭର୍ତ୍ତି ହୋଇଥାଏ । ଏହି ପୁରା ପ୍ରକ୍ରିୟା ଆଖି ବନ୍ଦ କରିବା ଖୋଲିବା ସମୟ ମଧ୍ୟରେ ହିଁ ଶେଷ ହୋଇଯାଇଥାଏ । ଏହା ପରେ ଏୟାରବ୍ୟାଗ୍ ଖୋଲିଯାଇଥାଏ ଏବଂ ଯାତ୍ରୀଙ୍କୁ ଉନ୍ନତ ତକିଆ ମିଳିବା ସହ ସୁରକ୍ଷା ମଧ୍ୟ ଯୋଗାଇଥାଏ ।
ଏୟାରବ୍ୟାଗରେ ଏକ କଣା ରହିଥାଏ ଯାହାକି ଖୋଲିବା ମାତ୍ରେ ତା ଭିତରେ ଥିବା ଗ୍ୟାସ୍ ବାହାରକୁ ବାହାରିଯାଇଥାଏ । ଏହି ସବୁ ପ୍ରକ୍ରିୟା ମଧ୍ୟରେ ଏୟାରବ୍ୟାଗ୍ ଗାଡି ଭିତରର ମଧ୍ୟ ଯତ୍ନ ନେଇଥାଏ । ଫଳରେ ଦୁର୍ଘଟଣା ସମୟରେ ଗାଡି ଭିତରେ ବସିଥିବା ବ୍ୟକ୍ତିର କୈାଣସି ବି କ୍ଷୟକ୍ଷତି ହୋଇନଥାଏ ।
ଏୟାରବ୍ୟାଗର ସ୍ପିଡ଼୍ କେତେ ରହିବା ଆବଶ୍ୟକ ?
ଦୁର୍ଘଟଣାର ଗମ୍ଭୀରତାକୁ ଆଧାରକୁ ନେଇ ଏୟାରବ୍ୟାଗ ଖୋଲିବାର ସ୍ପିଡ୍ ଏୟାରବ୍ୟାଗ୍ କଣ୍ଟ୍ରୋଲ୍ ୟୁନିଟ୍ ନିର୍ଧାରିତ କରିଥାଏ । ଦୁର୍ଘଟଣା ସ୍ଥିତିରେ କ୍ରାସ୍ ସେନ୍ସର ଏୟାରବ୍ୟାଗ୍ କଣ୍ଟ୍ରୋଲ୍ ୟୁନିଟକୁ ଏକ ସଙ୍କେତ ଦେଇଥାଏ । ଏହି କଣ୍ଟ୍ରୋଲ୍ ୟୁନିଟ୍ ଇନଫ୍ଲେକ୍ସନ ଡିଭାଇସକୁ ଆକ୍ଟିଭ୍ କରିଥାଏ । ଯାହାକି ଏୟାରବ୍ୟାଗରେ ଭିତରେ ଥିବା ସୋଡିୟମ୍ ଏଜାଇଡ୍ ଏବଂ ପୋଟାସିୟମ୍ ନାଇଟ୍ରେଟର ମିଶ୍ରଣକୁ ଆହୁରି ଉତ୍ତେଜିତ କରି ନାଇଟ୍ରୋଜେୱ୍ ଗ୍ୟାସ୍ ଉତ୍ପନ୍ନ କରାଏ । ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ, ଦୁର୍ଘଟଣା ହେଲା ବୋଲି ଜାଣିବା ପରେ ଏବଂ ଏୟାରବ୍ୟାଗ୍ ପୁରା ଭଲସେ ଖୋଲିବାର ସମୟ ମଧ୍ୟରେ ପ୍ରାୟ ୦.୦୧୫ ସେକେଣ୍ଡରୁ ୦.୦୫୦ସେକେଣ୍ଡ ସମୟ ଲାଗିଥାଏ । ସେହି ସମୟରେ ଏୟାରବ୍ୟାଗର ସ୍ପିଡ୍ ୩୦୦ କିଲୋମିଟର ପ୍ରତି ଘଣ୍ଟା ଥାଏ ।
ଏୟାରବ୍ୟାଗ୍ ନିୟୋଜିତ ହେବା ପାଇଁ ୩୦ରୁ ୫୦ ମିଲିସେକେଣ୍ଡ ଲାଗିଥାଏ । ଗୋଟିଏ ସାମାନ୍ୟ କାର୍ ଦୁର୍ଘଟଣାର ପ୍ରକ୍ରିୟା ୧୨୦ ମିଲିସେକେଣ୍ଡ ଯାଏଁ ଚାଲିଥାଏ । ତେବେ ଏହି ଦୁଇଟା ଜିନିଷକୁ ତୁଳନା କଲେ ଆଖି ଖୋଲି ବନ୍ଦ କରିବାର ପ୍ରକ୍ରିୟା ପାଖାପାଖି ୧୦୦ରୁ ୧୫୦ରୁ ମିଲିସେକେଣ୍ଡ ପର୍ଯ୍ୟନ୍ତ ଚାଲିଥାଏ । ବହରହାଲ୍ ନାଭି ମୁମ୍ବାଇର ଏହି ଘଟଣା ସମସ୍ତଙ୍କ ପାଇଁ ଏକ ଆର୍ଲାମ ଘଣ୍ଟି, ଯେଉଁମାନେ ପିଲାମାନଙ୍କୁ ବେପରୁଆ ଭାବରେ ଯେଉଁଠି ସେଇଠି କାରରେ ବସାଇଦିଅନ୍ତି । କାରରେ ପିଲାମାନଙ୍କୁ ସେମାନଙ୍କର ବୟସ ଅନୁଯାୟୀ ବସିବାର ନିୟମ ରହିଛି । ଛୋଟ ପିଲାମାନଙ୍କୁ କେବେ ବି ଆଗରେ ବସାଇବା କଥା ନୁହେଁ । କାରଣ ତାଙ୍କ ଶରୀରର ପ୍ରାୟ ଅଙ୍ଗ କୋମଳ ଥାଏ । ଏବଂ ଦୁର୍ଘଟଣା ସମୟରେ ଏୟାରବ୍ୟାଗ ଖୋଲିବା ପିଲାମାନଙ୍କ ପାଇଁ ବିପଦଜନକ ହୋଇପାରେ ।

ନବୀନଙ୍କ ଶିକ୍ଷା ସଂସ୍କାର: ଓଡ଼ିଶାରେ କମୁଛି ଡ୍ରପଆଉଟ୍, ବିରୋଧୀ ବି କରୁଛନ୍ତି ପ୍ରଶଂସା

ଭୁବନେଶ୍ବର : ମୋ ସ୍କୁଲ ଅଭିଯାନ । 5T ସ୍କୁଲ ବ୍ୟବସ୍ଥା, ଗୁଣାତ୍ମକ ଶିକ୍ଷକ ଯୋଗୁ ଓଡ଼ିଶାର ସରକାରୀ ସ୍କୁଲରେ ମିଳୁଛି ଗୁଣାତ୍ମକ ଶିକ୍ଷା । ଏବେ ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ଅଧିକ । ଓଡ଼ିଶାରେ ସ୍କୁଲ ଶିକ୍ଷାର ଏପରି ଗୁଣାତ୍ମକ ଅଧ୍ଯାୟକୁ ରିପୋର୍ଟରେ ଉଲ୍ଲେଖ କରିଛି ଖୋଦ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ଶିକ୍ଷା ମନ୍ତ୍ରାଳୟ ରିପୋର୍ଟରେ କହିଛି ୨୦୨୨-୨୩ ଶିକ୍ଷା ବର୍ଷରେ ଓଡ଼ିଶାରେ ଥିବା ୬୧ ହଜାର ୮୯୧ଟି ସ୍କୁଲରେ ୭୬ ଲକ୍ଷ ୪୦ ହଜାର ପିଲା ପାଠ ପଢୁଥିଲେ । ୨୦୨୩-୨୪ ଶିକ୍ଷା ବର୍ଷରେ ପୂର୍ବ ବର୍ଷ ଅପେକ୍ଷା କମ୍ ସ୍କୁଲ ଅର୍ଥାତ ୬୧ ହଜାର ୬୯୩ ସ୍କୁଲରେ ୭୭ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି । ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ୍ ଇନଫରମେସନ୍ ସିଷ୍ଟମ୍ ଫର ଏଜୁକେସନ- UDISE+ ତଥ୍ୟ ଅନୁଯାୟୀ ୧ ଲକ୍ଷ ଛାତ୍ରଛାତ୍ରୀ ଅଧିକ ସ୍କୁଲରେ ଭର୍ତ୍ତି ହୋଇଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି ସରକାରୀ ସ୍କୁଲର ଶୈକ୍ଷିକ ବାତାବରଣ ଉତ୍ତମ ଥିବାରୁ କେବଳ ୫୨ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ରାଜ୍ୟରେ ଯେଉଁଠି ଘରୋଇ ସ୍କୁଲରେ ଅଧିକ ପିଲ ପାଠ ପଢ଼ନ୍ତି ନବୀନଙ୍କ ଶାସନରେ ଓଡ଼ିଶାରେ ଛାତ୍ରଛାତ୍ରୀ ସରକାରୀ ସ୍କୁଲକୁ ଅଧିକ ପସନ୍ଦ କରିଥିଲେ । ଗୋଟିଏ ବର୍ଷରେ ଶୂନ ଆଡମିଶନ ହେଉଥିବା ସ୍କୁଲର ପରିମାଣ ୩୩ରୁ ୮କୁ ଖସି ଆସିଛି ।

ଜାତୀୟ ସ୍ତରରେ ସ୍କୁଲ ଡ୍ରପ୍ ଆଉଟ ହାର ବଢୁଛି । ଅଥଚ ଓଡ଼ିଶାରେ କମୁଛି । ଜାତୀୟ ସ୍ତରରେ ଘରୋଇ ସ୍କୁଲରେ ପିଲା ବେଶି ପାଠ ପଢିବାକୁ ପସନ୍ଦ କରୁଛନ୍ତି । ହେଲେ ଓଡ଼ିଶାରେ ସରକାରୀ ସ୍କୁଲ ପ୍ରତି ପିଲା ଓ ଅଭିଭାବକ ବେଶୀ ଆକୃଷ୍ଟ ହେଉଛନ୍ତି । ଏହା ପୂର୍ବ ସରକାରଙ୍କ ସୁଚିନ୍ତିତ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ବିକାଶ କାର୍ଯ୍ୟକ୍ରମ ଯୋଗୁ ସମ୍ଭବ ହୋଇପାରିଛି । ରାଜ୍ୟର ଏହି ସଫଳତାକୁ ଭାରତ ସରକାର ସ୍ବୀକାର କରିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଶିକ୍ଷାବିତ । UDISE+ ତଥ୍ୟ ଅନୁଯାୟୀ ମାଧ୍ୟମିକ ଶିକ୍ଷାରେ ପିଲାଙ୍କ ଡ୍ରପ୍ ଆଉଟ ହାର ମାତ୍ର ୯.୧୧ ପ୍ରତିଶତ । ଯେଉଁଠି ଜାତୀୟ ଡ୍ରପ୍ ଆଉଟ ହାର ୧୦.୯ ପ୍ରତିଶତ । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଜାତୀୟ ୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଶାରେ ଅଧିକ ୧ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲରେ ନାମ ଲେଖାଇବାରୁ ମୋଟ ସଂଖ୍ୟା ନାମ ଲେଖା ସଂଖ୍ୟା ୭୭ ଲକ୍ଷ ୫୦ ହଜାର ହୋଇଥିଲା । କିନ୍ତୁ ଏହି ସମୟରେ ଜାତୀୟ ସ୍ତରରେ ୩୭ ଲକ୍ଷ ଛାତ୍ରଛାତ୍ରୀ କମ୍ ନାମ ଲେଖାଇଥିଲେ । ଶିକ୍ଷାବିତଙ୍କ ମତରେ ଆଦିବାସୀ ବହୁଳ ଅଞ୍ଚଳରେ ଡ୍ରପ୍ ଆଉଟ୍ ସଂଖ୍ୟା ଟିକିଏ ବଢିଥିଲା । ଏହାର କାରଣ ହେଉଛି, ପାଠ୍ୟକ୍ରମରେ କିଛିଟା ଜଟିଳତା ଯୋଗୁ ଜନଜାତି ଅଞ୍ଚଳର ଛାତ୍ରଛାତ୍ରୀ ପାଠପଢାରେ ଆଗ୍ରହ ଦେଖା ଦେଉନଥିଲେ । କିନ୍ତୁ ସେମାନଙ୍କୁ କିପରି ସ୍କୁଲ ଶିକ୍ଷା ପ୍ରତି ଆକୃଷ୍ଟ କରିହେବ । ସେ ନେଇ ବ୍ୟାପକ ସଚେତନ କରାଯିବା ସହ ଏହି ଧାରାକୁ ବଦଳାଇଥିଲେ ପୂର୍ବ ସରକାର । ଫଳରେ ରାଜ୍ୟର ସ୍କୁଲ ଶିକ୍ଷାର ଏପରି ବିକାଶ ଘଟିଛି ।

ପରିବର୍ତ୍ତିତ ସ୍ଥିତିରେ ରାଜ୍ୟରେ ସରକାର ବଦଳିଛି । ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ  ସ୍କୁଲ ରଙ୍ଗ ବଦଳିବା ସହିତ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବଦଳାଇବାକୁ ବିଜେପି ସରକାର ନିଷ୍ପତ୍ତି ନେଉଛନ୍ତି । କିନ୍ତୁ ବିକାଶର ଅନ୍ୟ ପରିଭାଷା ନେଇ ପ୍ରଚାର ସର୍ବସ୍ବ ହୋଇଥିବା ମଙ୍ଗୁଆଳ ଯେତେ ଯାହା କହିଲେ ବି ଖୋଦ କେନ୍ଦ୍ର ସରକାର ତତ୍କାଳୀନ ନବୀନ ସରକାରଙ୍କ ସଂସ୍କାର ଉପରେ ମୋହର ମାରିଛନ୍ତି ।

କ’ଣ ଆପଣ ଜାଣିଛନ୍ତି କି ଦିନକୁ କେତେ ଥର ଏବଂ କଣ ଖାଇବା ଖାଇବା ଉଚିତ୍ ?

ଠିକ୍ ଖାଇବା ପିଇବା ହେଉଛି ସୁସ୍ଥ ରହିବାର ମୂଳଦୂଆ । ସେଥିପାଇଁ ବଡ ଲୋକମାନେ କହିଛନ୍ତି ଯେ,ଖାଇବା ଠିକ୍ ସମୟରେ ଖାଇବା ଦରକାର । କିନ୍ତୁ ଏହା କେହି କେବେ କୁହନ୍ତିନି ଯେ, କଣ ଏବଂ କେତେ ପରିମାଣର ଖାଇବ ? ଖାଇବାର ଠିକ୍ ସମୟ କେଉଁଟା ଏବଂ ସାକ୍ନସ ଖାଇବା ଠିକ୍ କି ନୁହେଁ ? ଦିନରେ ୨ଥର ଖାଇବା କଥା ନାଁ ତିନିଥର ? ଏମିତି ଅନେକ ପ୍ରଶ୍ନ ମନକୁ ଆସେ । ଯଦି ଆମେ ଠିକ୍ ସମୟରେ ଠିକ୍ ପରିମାଣର ଖାଦ୍ୟ ନ ଖାଇବା ତେବେ ଆମ ଶରୀର ଦୁର୍ବଳ ହୋଇଯାଏ । ଫଳରେ ଯେତେବେଳେ ରୋଗ ଆମ ଶରୀରକୁ କ୍ଷତି ପହଞ୍ଚାଏ ସେତେବେଳେ ଯାଇ ଆମେ ଜାଣୁ ।

ତେବେ ଆସନ୍ତୁ ଜାଣିବା ଦିନରେ କେତେ ଥର ଖାଇବା ଦରକାର ଏବଂ କଣ ଖାଇବା ଉଚିତ୍ ?
ସୂଚନା ଅନୁସାରେ, ଦିନରେ ତିନି ଥର ବଡ ବଡ ମିଲ୍ ଖାଇବା ଦରକାର । ଯେମିତି କି, ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ । ଥରେ ଖାଇବା ପରେ ତାର ୪ ଘଣ୍ଟା ପରେ ହିଁ ଖାଇବା ଦରକାର । ସାକ୍ନସ୍ ଖାଇବା ମଧ୍ୟ ବହୁତ ଜରୁରୀ । ଆମ ଶରୀରକୁ ପ୍ରତି ୨- ୩ଘଣ୍ଟା ବ୍ୟବଧାନ ଖାଦ୍ୟ ଦରକାର ହୁଏ । ସେଥିପାଇଁ ସାକ୍ନସରେ ଫଳ ନିହାତି ଖାଇବା ଦରକାର । ସାକ୍ନସ ଖାଇବା ଦ୍ବାରା ଶରୀରରେ ମେଟାବୋଲିଜିମ୍ ଭଲ ରହିଥାଏ । ରକ୍ତ ଶର୍କରା ଶରୀରରେ ନିୟନ୍ତ୍ରିତ ରହିବା ସହ ହଜମ ଶକ୍ତି ମଧ୍ୟ ଠିକ୍ ରହିଥାଏ ।

ତେବେ ଗୋଟିଏ ଦିନରେ କେତେ ଖାଇବା ଦରକାର ?
ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୨୫୦ ଗ୍ରାମ ଶସ୍ୟ , ୧୦୦ ଗ୍ରାମ ଫଳ, ୪୦୦ ଗ୍ରାମ ସବୁଜ ପନିପରିବା , ୮୫ଗ୍ରାମ୍ ଡାଲି, ଅଣ୍ଡା କିମ୍ବା ସବୁଜ ଫଳ ଖାଇବା ଦରକାର । ଏହା ବ୍ୟତୀତ ବିଭିନ୍ନ ପ୍ରକାର ବାଦାମ ମଧ୍ୟ ଖାଇବା ଉଚିତ୍ ।ସକାଳ ଜଳଖିଆ ଖାଇବାର ସଠିକ୍ ସମୟ ହେଉଛି ସକାଳ ୭ଟାରୁ ୯ଟା । ସେହିପରି ମଧ୍ୟାହ୍ନ ଭୋଜନ ଦିନ ୧୨ଟା ୩୦ରୁ ଦିନ ୨ଟା ଭିତରେ ଖାଇବା ଦରକାର । ଏବଂ ରାତି ଭୋଜନ ଶୋଇବାର ତିନିଘଣ୍ଟା ପୂର୍ବରୁ ଖାଇବା ଉଚିତ୍ । କିନ୍ତୁ ପ୍ରକୃତରେ ରାତି ଭୋଜନର ସମୟ ହେଉଛି ସଂଧ୍ୟା ୭ଟାରୁ ୮ଟା ମଝିରେ ।

ଓଡ଼ିଶାକୁ ଅଣଦେଖା, ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ବର : ନିର୍ବାଚନ ସରିଲା, ଅସ୍ମିତା ଚୁଲିକି ଗଲା। ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲା ବିଜେଡି।କର୍ତ୍ତବ୍ୟ ପଥରେ କାହିକିଁ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼ ? ଟାର୍ଗେଟ କଲା କଂଗ୍ରେସ। ଉତ୍ତର ରଖିଲା ବିଜେପି। ପୁଣି ଡ଼ବଲ ଇଂଜିନ ସରକାରରେ ଓଡ଼ିଶାକୁ ଅଣଦେଖା।ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼।ଓଡ଼ିଶା ମଡ଼େଲକୁ କେନ୍ଦ୍ରର ପ୍ରତ୍ୟାଖାନ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି।ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଡବଲ ଇଂଜିନ ସରକାର ଅସ୍ମିତା କଥା ଉଚ୍ଚାରଣ କରୁଛନ୍ତି କିନ୍ତୁ ଆଚରଣରେ ତାହା ପ୍ରତିଫଳିତ ହେଉନି।କର୍ତ୍ତବ୍ୟ ପଥରେ ଓଡିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଲେ ସାରା ବିଶ୍ୱ ଏହାକୁ ଦେଖିବ।ଓଡ଼ିଆ କଳା, ସଂସ୍କୃତି,ପରମ୍ପରାର ଝଲକ ଦେଖିଥାନ୍ତା।ତେଣୁ କର୍ତ୍ତବ୍ୟ ପଥରେ ଓଡିଶାର ପ୍ରଜ୍ଞାପନ ମେଢ଼ କିପରି ସ୍ଥାନ ପାଇବ ତାହା ଉପରେ ସରକାର ଗୁରୁତ୍ବ ଦେବାକୁ ଦାବି କରିଛି ବିଜେଡି।…

କଂଗ୍ରେସ ମଧ୍ୟ ପ୍ରଜ୍ଞାପନ ମେଢ଼ ସ୍ଥାନ ନପାଇବା ପ୍ରସଙ୍ଗ ନେଇ ବିଜେପି ସରକାର ଉପରେ ବର୍ଷିଛି।ବିଜେପିର ଓଡ଼ିଆ ଅସ୍ମିତା କେବଳ ନିର୍ବାଚନ ପାଇଁ ଥିଲା କହିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ। ଭୋଟ ହାତେଇବା ପରେ ଅସ୍ମିତାକୁ ଭୁଲିଯାଇଛି ଡବଲ ଇଂଜିନ ସରକାର। ଓଡ଼ିଶାବାସୀ ଏକଥା ବୁଝିସାରିଲେଣି ବୋଲି କହିଛି କଂଗ୍ରେସ। ଓଡିଶାର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ସ୍ଥାନ ନପାଇବା ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ ପରେ ଅକଳରେ ପଡ଼ିଛି ବିଜେପି। ସରକାରୀ ଦଳ ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଓଡିଶାର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ସ୍ଥାନ ପାଇଁ ଚେଷ୍ଟା କରାଯିବ। ଦିଲ୍ଳୀର କର୍ତ୍ତବ୍ୟ ପଥରେ ୧୫ ରାଜ୍ୟର ମଡେଲ ସ୍ଥାନ ପାଇଛି। ତେବେ ଓଡ଼ିଶାକୁ ସ୍ଥାନ ମିଳିନଥିବାରୁ ରାଜ୍ୟରେ ଉଠିଛି ବିରୋଧର ସ୍ବର। ଓଡ଼ିଆ ଅସ୍ମିତାର ଡିଣ୍ଡିମ ପିଟୁଥିବା ବିଜେପି ଏ ପ୍ରସଙ୍ଗରେ ଚୁପ କାହାକିଁ ବୋଲି ସବୁ ମହଲରରୁ ଉଠୁଛି ପ୍ରଶ୍ନ।

ମଣ୍ଡିରେ ତାଲା ପକାଇଲେ ଚାଷୀ

ଆଠଗଡ଼ : ମଣ୍ଡିରେ ତାଲା ପକାଇଲେ ଚାଷୀ। କଟକ ଆଠଗଡ଼ ବ୍ଲକ କଲାଇଲୋ ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ। ଧାନର FAQ ମାନ ନିର୍ଦ୍ଧାରଣ ନେଇ ଚାଷୀ ମିଲର୍ ମୁହାମୁହିଁ ହୋଇଛନ୍ତି। ବିବାଦରୁ ମଣ୍ଡିରୁ ଉଠି ପାରିଲା ନାହିଁ ଧାନ। ଆଜି ପ୍ରଥମ ଦିନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଆଠଗଡ଼ ବ୍ଲକ୍ ର ସବୁଠୁ ବଡ଼ ମଣ୍ଡି ଭାବେ  ପରିଚିତ କୁଲାଇଲୋ ସେବା ସମବାୟ ସମିତି। ଗତବର୍ଷ ୧୭ ହଜାର କୁଇଣ୍ଟାଲ୍ ଧାନ କିଣା ଯାଇଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଏଭଳି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଚାଷୀ। ଧାନ ବିକ୍ରୟ ପାଇଁ ଏହି ମଣ୍ଡିରେ ସକାଳ ୮ଟାରୁ ଚାଷୀ ଆସି ଦିନ ତିନିଟା ପର୍ଯ୍ୟନ୍ତ ଭୋକ ଉପାସରେ ପଡ଼ି ରହିଛନ୍ତି। ଗୋଟିଏ ପଟେ ମିଲର ମଣ୍ଡିକୁ ଆସି ନଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟ ପଟେ ମିଲର କଟନି ଛଟନିକୁ ନେଇ ଆସୁ ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଭୋକ ଉପାସରେ ମଣ୍ଡିରେ ବସିଥିବା ଚାଷୀମାନେ ଶେଷରେ ଉତ୍ୟକ୍ତ ହୋଇ କୁଲାଇଲୋ ସେବା ସମବାୟ ସମିତିର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି।

ପୂର୍ବରୁ କହିଥିଲେ, ଏବେ ଭଣ୍ଡାଇଦେଲେ : ଭାଗଚାଷୀଙ୍କୁ ହତାଶ କଲେ ନୂଆ ସରକାର

ଭୁବନେଶ୍ବର : ପୂର୍ବରୁ କହିଥିଲେ, ଏବେ ଭଣ୍ଡାଇଦେଲେ । ପୁଣି ଭାଗଚାଷୀଙ୍କୁ ହତାଶ କଲେ ବିଜେପି ସରକାର । ମିଳିବ ନାହିଁ ଅଦିନିଆ ବର୍ଷା ଯୋଗୁ ଫସଲହାନୀର କ୍ଷତିପୂରଣ । ରାଜ୍ୟରେ ଭାଗଚାଷୀଙ୍କ ପାଇଁ କୌଣସି ଆଇନ ନଥିବାରୁ ସରକାରଙ୍କ ରିଲିଫ ପାଇବାରୁ ବଞ୍ଚିତ ହେବେ ଭାଗଚାଷୀ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦିଆଯିବା ପ୍ରସଙ୍ଗରେ ଏହା ସ୍ପଷ୍ଟ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କୃଷି ଓଡ଼ିଶା-୨୦୨୫ ମଞ୍ଚରୁ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଉଥିବା ବେଳେ ଭାଗଚାଷୀଙ୍କୁ ଆଇନର ଦ୍ବାହି ଦେଇ ଫସଲହାନୀର କ୍ଷତିପୂରଣରୁ ବଂଚିତ କରାଯାଉଛି।  ଯେଉଁ ଚାଷୀମାନେ ଭାଗରେ ଧାନ କି ପନିପରିବା ଚାଷ କରିଥିଲେ ସେମାନଙ୍କୁ ସରକାରଙ୍କ କ୍ଷତିପୂରଣ ରାଶି ମିଳିବ ନାହିଁ । ଭାଗଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ବୈମାତୃକ ମନୋଭାବକୁ ସମାଲୋଚନା କରିଛି ବିଜେଡି।

ଅଦିନିଆ ବର୍ଷାରେ ଫସଲହାନୀ ବାବଦରେ ଜିଲ୍ଲାପାଳଙ୍କ ବିସ୍ତୃତ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। କୃଷି ଓଡ଼ିଶା ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଡିସେମ୍ବର ୩୦ ସୁଦ୍ଧା ଜିଲ୍ଲାପାଳ ଦେଇଥିବା ରିପୋର୍ଟ ଅନୁଯାୟୀ ଅନୁଗୁଳ,ଭଦ୍ରକ,କଟକ,ଢେଙ୍କାନାଳ, ଗଜପତି, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା,ପୁରୀ,ରାୟଗଡା, ଜଗତସିଂହପୁର, କନ୍ଧମାଳ, ନୟାଗଡ, ନୂଆପଡା, ରାୟଗଡା ଭଳି ୧୬ ଜିଲ୍ଲାରେ ୬ ଲକ୍ଷ ୬୬ ହଜାର ୭୨୦ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି । ଏଥିପାଇଁ SDRF ପାଣ୍ଠିରୁ ୨୯୧କୋଟି ୬୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ସେହିଭଳି ଆକଳନରୁ ବାଦ ପଡ଼ିଥିବା ଚାଷୀଙ୍କୁ ପରବର୍ତ୍ତୀ ସମୟ ରେ ସାମିଲ କରାଯିବ ।

ଅଦିନିଆ ବର୍ଷାରେ ୧୬ ଜିଲ୍ଲାରୁ ଗଞ୍ଜାମରେ ସର୍ବାଧିକ ୬୦ହଜାର ୭୧୨ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୪୯ ହଜାର ୨୯୬ ହେକ୍ଟର ଏବଂ ନୂଆପଡ଼ାରେ ସର୍ବନିମ୍ନ ୧୨.୬୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ଧାନ ଚାଷରେ ୨ ଲକ୍ଷ ୨୩ ହଜାର ୩୧୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉଦ୍ୟାନକୃଷିରେ ୩ହଜାର ୪୭୯ ହେକ୍ଟର ଜମି କ୍ଷତି ଗସ୍ତ ହୋଇଛି।

ବୀମା କମ୍ପାନୀଙ୍କୁ ଅପେକ୍ଷା ନକରି କ୍ଷତିପୂରଣ ଦିଅନ୍ତୁ ସରକାର : ବିଜେଡି

କଟକ : ଅଦିନିଆ ବର୍ଷାରେ ଧାନ ଫସଲ କ୍ଷୟକ୍ଷତିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ କୃଷି ଓଡିଶା କାର୍ଯ୍ୟକ୍ରମରେ ଦେଇଥିବା ବିବୃତି ନେଇ ତୀବ୍ର ପତିକ୍ରିୟା ଦେଇଛନ୍ତି ବିଜେଡି ବରିଷ୍ଠ ନେତା ଅରୁଣ କୁମାର ସାହୁ। ସରକାର ଏଣୁତେଣୁ କଥା ନ କହି ବୀମା କମ୍ପାନୀକୁ ଅପେକ୍ଷା ନକରି ପ୍ରଥମେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ରାଜକୋଷରୁ କ୍ଷତିପୂରଣ ଦିଅନ୍ତୁ। ଅଫିସରଙ୍କ ଦ୍ଵାରା ଜିଓ ଟ୍ୟାଗ୍ ସର୍ଭେ କରି ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ। ଧାନ ଯେଉଁ ଅବସ୍ଥାରେ ଅଛି ତୁରନ୍ତ ତାକୁ ସରାକର କିଣିନେବା ସହିତ ଚାଷୀଙ୍କ ସହ ଏହି ସମୟରେ ଛିଡା ହୁଅନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ। ୭ ମାସର ସରକାର ଆଜି କେବଳ ଉପକ୍ରମଣିକାରେ ରହିଯାଇଛନ୍ତି। ଭିତରକୁ ଯାଉନାହାନ୍ତି। ପୂର୍ବ ସରକାର କିଛି କରିନାହିଁ ବୋଲି ନୂଆ ସରକାର କହି ବୁଲୁଥିବା ବେଳେ ଏହାର ଜବାବ ରଖିଛନ୍ତି ପୂର୍ବତନ କୃଷି ମନ୍ତ୍ରୀ ଅରୁଣ ସାହୁ। ଦୁଇ ହଜାର ମସିହାରେ ନବୀନ ଓଡିଶାର ଦାୟିତ୍ୱ ନେବା ବେଳେ ରାଜ୍ୟରେ ୨୦ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଥିଲା। ଏହା ଆଜି ୮୫ଲକ୍ଷ ଲିଟରରେ ପହଁଚିଛି। ସେହିଭଳି ଦୈନିକ ଅଣ୍ଡା ଉତ୍ପାଦନ ୨୦ରୁ ୨୨ ଲକ୍ଷରୁ ୯୦ରୁ ଦେଢ଼ ଲକ୍ଷ, ମାଛରୁ ଏବେ ୧୦ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି।  ଧାନ ଓ ଚାଉଳରେ ବଳକା ରାଜ୍ୟ ହୋଇଛି ଓଡିଶା। ଚିକେନ ଉତ୍ପାଦନ ୧୦ ଗୁଣ ବଢିଛି। ପନିପରିବାରେ ୫୦ଲକ୍ଷ ମେଟ୍ରିକ ଟନରୁ ୧୫୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଏଥିଲାଗି କେନ୍ଦ୍ରରୁ ୬ ଥର ମିଳିଛି କୃଷି କର୍ମଣ ପୁରସ୍କାର।ତେଣୁ ମୋହନ ସରକାର ବୟାନବାଜି ଛାଡି ଚାଷୀଙ୍କୁ ସାହାଯ୍ୟ କରନ୍ତୁ। ଚାଷ କ୍ଷୟକ୍ଷତି ନେଇ ବିଜେଡି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛି। ସରକାର କ୍ଷୟକ୍ଷତି ସଠିକ ରିପୋର୍ଟ ଦିଅନ୍ତୁ। ନଚେତ ଆଗାମୀ ଦିନରେ ଭୟାବହ ଲଢେଇ ହେବ। ଆଉ ବିଜେଡି ଏହାର ନେତୃତ୍ୱ ନେବ ବୋଲି କଟକରେ ଆୟୋଜିତ ପ୍ରେସମିଟରେ କହିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ।

ନିୟନ୍ତ୍ରଣ ବାହାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର, ପ୍ରତିବାଦରେ ୬ରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ବର : ଆକାଶ ଛୁଆଁ ଦର, ସରକାରଙ୍କ ନାହିଁ ନିଘା । ଅତିଷ୍ଠ ହେଲେଣି ଲୋକେ, ହୁ ହୁ ହୋଇ ବଢୁଛି ଦର । ରୋଷେଇଶାଳରେ ଚଡ଼କ, ଶୋଇଛନ୍ତି ସରକାର । ପ୍ରତିବାଦରେ ୬ରେ ବିଜେଡିର ଆନ୍ଦୋଳନ ଡାକରା । ୧୦୦ ଟଙ୍କାରେ ବ୍ୟାଗ ପୂରୁନାହିଁ । ଡାଲି, ତେଲ, ପିଆଜ, ଆଳୁ ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ । ଦରଦାମ ସମସ୍ତଙ୍କୁ ଅତିଷ୍ଠ କଲାଣି। ଗାଆଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି ଦରବୃଦ୍ଧି। ଗରିବଙ୍କ ଅବସ୍ଥା ଆହୁରି ଶୋଚନୀୟ। ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟରେ ଖସିଥିଲେ ସୁଦ୍ଧା ଦରଦାମ କିନ୍ତୁ କମୁନି। ଦରଦାମ ଅହେତୁକ ଭାବେ ବଢିବଢି ଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ଲୋକେ ହନ୍ତସନ୍ତ ହେଉଥିବାରୁ ଲୋକଙ୍କ ସ୍ବର ସାଜି ବିଜେଡି ଆସନ୍ତା ୬ ତାରିଖରେ ଆନ୍ଦୋଳନ ମାଧ୍ୟମରେ ଦରଦାମ ବଦ୍ଧିର ପ୍ରତିବାଦ କରିବ। ବିଜେଡିର ବରିଷ୍ଠ ନେତାମାନେ ମିଳିତ ପ୍ରେସମିଟ କରି ଅଭିଯୋଗ କରିଛନ୍ତି ଯେ, ଯେବେଠୁ ଡବଲ ଇଞ୍ଜିନ୍ ସରକାର ଆସିଲା ସେବେଠୁ ଦରଦାମ ହୁ ହୁ ହୋଇ ବଢି ଚାଲିଛି । ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । ତେଣୁ ଓଡିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଦଳ ଲଢେଇ ଜାରି ରଖିବ ବୋଲି ବିଜେଡି କହିଛି । ୬ ତାରିଖ ପରେ ଦରଦାମ ନିୟନ୍ତ୍ରଣ ନହେଲେ ରାଜ୍ଯର ୩୦ ଜିଲ୍ଲାରେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛି ବିଜେଡି ।

ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଦର ବୃଦ୍ଧି ଯୋଗୁଁ ରୋଷେଇ ଘରେ ଚଡ଼କ ପଡ଼ିଛି । ଡବଲ ଇଞ୍ଜିନ୍ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି । ଯେଉଁଥିଲାଗି ବିଜେଡି ଲୋକସେବା ଭବନ ଆଗରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ମଧ୍ୟ ଦରଦାମ ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି । ଦରଦାମ ନିୟନ୍ତ୍ରଣ ବାହାରେ  ଥିବା ବେଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁଣିଥରେ ବିତଣ୍ଡା ଯୁକ୍ତି ବାଢିଛନ୍ତି । ଦରଦାମ ନିୟନ୍ତ୍ରଣରେ ରହିଛି ବୋଲି ଯୋଗାଣ ମନ୍ତ୍ରୀ  ଦୋହରାଇବା ସହ ବିଜେଡି ତାର କର୍ତ୍ତବ୍ୟ କରୁଛି ବୋଲି ପାଲଟା ଜବାବ ଦେଇଛନ୍ତି । ୨୦୧୪ରେ ଅଚ୍ଛେ ଦିନର ନାରା ଦେଇ ଏନଡିଏ ସରକାରକୁ ଆସିଥିଲା । ବିଜେଡି ସରକାରରେ ଥିବା ସମୟରେ ବିଜେପି ଆନ୍ଦୋଳନ କରି ରାଜ୍ୟ ଭାଟ ହ୍ରାସ କରୁ ବୋଲି ଚିତ୍କାର କରୁଥିଲା । ସରକାର ଆସିବା ପରେ ନିଜ କଥା ନିଜେ ରଖୁ ବୋଲି ବିଜେଡି ବୁଦ୍ଧି ବତାଇଛି ।