spot_img
Home Blog Page 1184

ଏକ ଦେଶ ଏକ ନିର୍ବାଚନ: ନୂଆଦିଲ୍ଲୀରେ ପ୍ରଥମ ଯୁଗ୍ମ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ । ଆଜି ନୂଆଦିଲ୍ଲୀରେ ଏନେଇ ପ୍ରଥମ ଯୁଗ୍ମ ସଂସଦୀୟ କମିଟି ବୈଠକ ବସିଥିଲା। ବୈଠକରେ ଆଇନ ଓ ନ୍ୟାୟ ମନ୍ତ୍ରାଳୟର କର୍ତ୍ତୃପକ୍ଷଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ। ୩୯ଜଣିଆ କମିଟିରେ ବିଜେପି ସାଂସଦ ପିପି ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଏଥରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ, ଜେଡିୟୁର ସଞ୍ଜୟ ଝା, ଶିବସେନାର ଶ୍ରୀକାନ୍ତ ସିନ୍ଦେ, ଆପର ସଞ୍ଜୟ ସିଂ, ଟିଏମସିର କଲ୍ୟାଣ ବାନାର୍ଜୀଙ୍କ ସମେତ ବିଭିନ୍ନ ଦଳର ସଦସ୍ୟମାେନ ସାମିଲ ହୋଇଥିଲେ। ଗତ ଶୀତକାଳୀନ ଅଧିବେଶନରେ ଲୋକସଭାରେ ସମ୍ବିଧାନର ୧୨୯ ସଂଶୋଧନ ବିଲ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ ଆଗତ ହୋଇଥିଲା। ପ୍ରଥମେ ଜେପିସିର ସଦସ୍ୟ ସଂଖ୍ୟା ୩୧ ଥିବାବେଳେ ପରେ ତାହାକୁ ୩୯କୁ ବୃଦ୍ଧି କରାଯାଇଥିଲା। ସେଥିରେ ଲୋକସଭାର ୨୭ ଓ ରାଜ୍ୟସଭାର ୧୨ ସଦସ୍ୟ ରହିଛନ୍ତି। ପ୍ୟାନେଲର ପ୍ରମୁଖ ସଦସ୍ୟମାନେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପୁରୁଷୋତ୍ତମ ରୂପାଲା, ମନୀଷ ତିୱାରୀ, ଅନୀଲ ବାଲୁନି, ବାନସୁରୀ ସ୍ବରାଜ ପ୍ରମୁଖ।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସାକୁ ପରିବର୍ଦ୍ଧିତ କଲେ ଭାରତ ସରକାର

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସାକୁ ପରିବର୍ଦ୍ଧିତ କରିଛନ୍ତି କେନ୍ଦ୍ର ସରକାର। ଗତବର୍ଷ ଅଗଷ୍ଟ ମାସରରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ ହସିନା। ବାଂଲାଦେଶ ହାତରେ ପ୍ରତ୍ୟର୍ପଣ କରିବା ଲାଗି ଅନ୍ତରୀଣ ସରକାରଙ୍କ ପକ୍ଷରୁ ଚାପ ପଡୁଥିବା ବେଳେ ଭିସା ଅବଧିକୁ ବଢାଇଛନ୍ତି କେନ୍ଦ୍ର ସରକାର। ଗତ ବର୍ଷ ଅଗଷ୍ଟ ୫ରେ ଢାକାରୁ ଚାଲିଆସିଥିବା ହସିନାଙ୍କୁ ଭାରତ ଆଶ୍ରୟ ଦେଇଥିଲା । ହସିନାଙ୍କ ଭାରତ ରହଣୀ ଅବଧି ବୃଦ୍ଧି ଏକ ପାରିପାର୍ଶ୍ବିକ ପଦକ୍ଷେପ ବୋଲି ଭାରତ ପକ୍ଷରୁ କୁହାଯାଇଛି। ଗତ ଡିସେମ୍ବର ୨୩ ତାରିଖରେ ହସିନାଙ୍କୁ ବାଂଲାଦେଶ ହାତରେ ପ୍ରତ୍ଯର୍ପଣ କରିବା ଲାଗି ଭାରତ ନିକଟରେ ଦାବି କରିଥିଲେ ଅନ୍ତରୀଣ ସରକାର। ଗତ ୭ ତାରିଖରେ ଶେଖ ହସିନାଙ୍କ ସମେତ ୯୭ ଜଣଙ୍କ ପାସପୋର୍ଟ ରଦ୍ଦ କରିଥିଲେ ଅନ୍ତରୀଣ ସରକାର।

୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ, ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବିମାନ ବନ୍ଦରରୁ ରାଜଭବନ ଅଭିମୁଖେ ଗଲା ପ୍ରଧାନମନ୍ତ୍ରୀଙ୍କ କାରକେଡ। ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ସକାଳେ ରାଜଭବନରୁ ବାହାରି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ମୋଦି ।

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ପହଞ୍ଚି ସାରିଥିବାରୁ ବିମାନ ବନ୍ଦରରୁ ରାଜଭବନ ରାସ୍ତାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

କେରଳ ମଲାପୁରମ ତିରୁରରେ ଅଘଟଣ : ହାତୀ ଆକ୍ରମଣ ଓ ଦଳାଚକଟାରେ ୧୭ ଆହତ

ନନ୍ଦିଘୋଷ ବ୍ୟୁରୋ :  ଉତ୍ସବ ବେଳେ ମାତିଲା ହାତୀ । ଉତ୍ସବ ଅବସରରେ ହାତୀକୁ ସୁସଜ୍ଜିତ କରି ଲୋକେ ଏହାର ମଜା ନେଉଥିବାବେଳେ ଉତ୍ୟକ୍ତ ହାତୀ ଆକ୍ରମଣରେ ୧୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ଯରୁ ଜଣେ ଅତି ଗୁରୁତର ହୋଇଛନ୍ତି। କେରଳ ମଲାପୁରମରେ ଘଟିଛି ଘଟଣା। ତିରୁରରେ ଆୟୋଜିତ ହେଉଥିଲା ପୁଥିୟାଙ୍ଗାଦି ଉତ୍ସବ। ସେଥିରେ ସାମିଲ ହୋଇଥିଲେ ସହସ୍ରାଧିକ ଲୋକ। ଏଥିରେ ୫ଟି ହାତୀଙ୍କୁ ସୁନାରେ ସାଜସଜ୍ଜା କରାଯାଇଥିଲା।

କେତେକ ଲୋକ ହାତୀକୁ ନେଇ ଭିଡିଓ ସୁଟ୍ କରୁଥିଲେ। ମାତ୍ର ହଠାତ ସେମାନଙ୍କ ମଧ୍ଯରୁ ଗୋଟିଏ ହାତୀ ହଠାତ୍ ହିଂସ୍ର ହୋଇ ଉଠିଥିଲା। ପରେ ଲୋକଙ୍କ ଉପରକୁ ମାଡିଯାଇଥିଲା। ସେହି ହାତୀର ନାମ ଥିଲା ପକ୍କାଥୁ ଶ୍ରୀକୁଟ୍ଟନ। ହାତୀଟି ଜଣେ ଲୋକଙ୍କୁ ଶୂନ୍ଯକୁ ଉଠାଇ କଚାଡି ଦେଇଥିଲା। ଆହତଙ୍କୁ ସ୍ଥାନୀୟ କୋଟାକ୍କାଲସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କିତ ଲୋକ ଏଣେତେଣେ ଦୌଡିବାରୁ କିଛି ଲୋକ ଦଳାଚକଟାରେ ଆହତ ହୋଇଥିଲେ। ପ୍ରାୟ ୨ ଘଣ୍ଟା ପରେ ଉନ୍ମତ୍ତ ହାତୀକୁ ନିୟନ୍ତ୍ରଣକୁ ଅଣାଯାଇଥିଲା।

ଶିଶ୍ ମହଲ୍ ବନାମ ରାଜମହଲ ; ଚର୍ଚ୍ଚାରେ ଆଡ଼ମ୍ବରପୂର୍ଣ୍ଣ ବାସଭବନ

ନୂଆଦିଲ୍ଲୀ :  ଦିଲ୍ଲୀରେ ଶିଶ୍ ମହଲ ରାଜନୀତିକୁ ନେଇ ହାଇଡ୍ରାମା। ବିଜେପିର ଅଭିଯୋଗ ଯେ, କେଜରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ୫୨ କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ସରକାରୀ ବାସଭବନକୁ ମରାମତି କରିଥିଲେ। ସେଠାରେ ରହିଛି ସୁଇମିଂ ପୁଲ୍‌, ମଦ ବାର୍। କେଜରିୱାଲଙ୍କ ଦୁର୍ନୀତିମୁକ୍ତ ଶାସନ ଓ ଆମ୍ ଆଦମୀ ଚେହେରା ଧୁଆଁବାଣ ବୋଲି ବିଜେପି ଅଭିଯୋଗ କରିଆସୁଛି। ଏପରିକି ସିସ୍ ମହଲକୁ ନିର୍ବାଚନୀ ପ୍ରସଙ୍ଗ କରିଛି। ବିଜେପିର ଏହି ଅଭିଯୋଗ କେତେ ସତ କେତେ ମିଛ,ତାର ରିୟଲିଟି ଚେକ୍ ପାଇଁ ଆଜି ମିଡିଆ ଧରି ସେଠାରେ ପହଞ୍ଚିଥିଲେ ଆପ୍ ନେତା। କିନ୍ତୁ ପୋଲିସ ବ୍ୟାରିକେଡ୍ ସହିତ କଡ଼ା ସୁରକ୍ଷା କରିଥିଲା।

ଆପ୍ ନେତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଭିତରେ କାହାକୁ ପଶିବାକୁ ଦେଇନଥିଲା। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଆପ୍ ନେତା ଓ ପୋଲିସ। ଆପ୍ ନେତା ତଥା ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ଵାଜ ପ୍ରଶ୍ନ କରିଛନ୍ତି, ଯଦି ବିଜେପିର ଅଭିଯୋଗ ସତ, ତେବେ ତାର ଯାଞ୍ଚ ପାଇଁ କାହିଁକି ମିଡିଆକୁ ଭିତରକୁ ଛାଡୁନି। ଡର କାହାକୁ। ଏଥିରୁ ବିଜେପିର ମିଛ ଧରା ପଡ଼ିଛି ବୋଲି ସେ କହିଛନ୍ତି।

ଏହା ସହିତ ଆପ୍ ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ୨୭୦୦ କୋଟି ଟଙ୍କା। କରୋନା ସମୟରେ ଯେତେବେଳେ ସାରା ଦେଶ, ସାରା ବିଶ୍ଵ ସଂକଟ ଦେଇ ଗତି କରୁଥିଲା, ସେତେବଳେ ଖର୍ଚ୍ଚ କରାଯାଇଥିଲା ୨୭ ଶହ କୋଟି ଟଙ୍କା। ସତ ପରଖିବା ପାଇଁ ସଂଜୟ ସିଂହ ଓ ସୌରଭ ଭରଦ୍ଵାଜ ଆପ୍ କର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼େ ଯିବା ବେଳେ ସମସ୍ତଙ୍କୁ ଅଟକାଇଥିଲା ପୋଲିସ । ଏହି ବିବାଦକୁ ନେଇ ଆଜି ଦିନ ସାରା ଆପ୍ – ବିଜେପି ବାକ୍ ଯୁଦ୍ଧ ଜାରି ରହିଛି।

ଭାଣିଜୀର ପ୍ରେମ ବିବାହକୁ ନେଇ କ୍ଷୁବ୍ଧ ମାମୁଁ ଭୋଜିରେ ମିଶାଇଲା ବିଷ !

ମୁମ୍ବାଇ: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସାଧାରଣ ଭାବେ ଜାଣିଜୀଙ୍କ ବିବାହରେ ମାମୁଁଙ୍କର ବଡ଼ ଭୂମିକା ରହିଥାଏ । ନିର୍ବନ୍ଧ ଠାରୁ ଆରମ୍ଭ କରି ବାହାଘର ଶେଷ ପର୍ଯ୍ୟନ୍ତ ମାମୁଁ ସମସ୍ତ ମୁଖ୍ୟ କାର୍ଯ୍ୟ ତୁଲାଇଥାନ୍ତି । ମାତ୍ର ଏଠାରେ ଜଣେ ମାମୁଁ ଯେଉଁ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି, ତାହା ସଭ୍ୟ ସମାଜ ପାଇଁ ପାଇଁ ଗ୍ରହଣୀୟ ନୁହେଁ । ନିଜ ଭାଣିଜୀଙ୍କ ବିବାହର ରିସେପ୍ସନ ଭୋଜିରେ ବିଷ ମିଶାଇ ଦେଇଥିଲେ ମାମୁଁ । ଭାଣିଜୀଙ୍କ ବିବାହକୁ ମାମୁଁ ବିରୋଧ କରିଆସୁଥିଲେ । ସେଥିପାଇଁ ଅଭିଯୁକ୍ତ ମାମୁଁ ଏହି ହରକତ କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ପନହାଲା ତହସିଲର ଉଟ୍ରେ ଗ୍ରାମରେ ଏହି ଅଘଟଣ ଘଟିଥିଲା ।  ଭଲକଥା ଯେ, ଭୋଜି ଖାଇବା ପୂର୍ବରୁ ଘଟଣାଟି ପ୍ରଘଟ ହୋଇଯାଇଥିଲେ ଏବଂ ଏହାକୁ କେହି ଖାଇ ନଥିଲେ । ପରେ ଖାଦ୍ୟର ସାମ୍ପଲ ଟେଷ୍ଟିଂ ପାଇଁ ପଠାଗଲା । ପୋଲିସର ସୂଚନା ଅନୁଯାୟୀ, କିଛି ଲୋକ ଅଭିଯୁକ୍ତ ମାମୁଁକୁ ବାନ୍ଧି ଦେଇଥିଲେ ହେଲେ ସେ ସେଠାରୁ ସୁଯୋଗ ଦେଖି ଖସି ପଳାଇଲା ।

ଅଭିଯୁକ୍ତ ମାମୁଁ ହେଉଛି ଗାଁର ମହେଶ ପାଟିଲ । ପୋଲିସର ସୂଚନା ମୁତାବକ, ମାମୁଁଘରେ ହିଁ ଛୋଟ ବେଳୁ ଭାଣିଜୀର ଲାଳନ ପାଳନ ହୋଇଥିଲା । ହେଲେ ଅଭିଯୁକ୍ତର ଜାଣିଜୀ ଗାଁର ଜଣେ ଯୁବକକୁ ପ୍ରେମ କରୁଥିଲା ଏବଂ ତାସହ ପଳାୟନ କରି ବିବାହ କରିଥିଲା । ଯାହା ମାମୁଁ ମହେଶ ଗ୍ରହଣ କରିପାରୁ ନଥିଲେ । ଏଥିପାଇଁ ସେ ମଙ୍ଗଳବାର ଭାଣିଜୀର ବିବାହ ରିସେପସନକୁ ଯାଇ ରାଗରେ ଅତିଥିଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଭୋଜିରେ ବିଷ ମିଶାଇଦେଲା । ଏହା କରୁଥିବା ବେଳେ ସେଠାରେ ଥିବା ଲୋକ ଦେଖି ତାକୁ ଧରିପକାଇଲେ, ହେଲେ ସେ ସେଠାରୁ ଖସିପଳାଇଲା ।  ଏବେ ଅଭିଯୁକ୍ତ ମାମୁଁ ନାଁରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଦିନକୁ ଦିନ ବଲାଙ୍ଗୀରରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି

ବଲାଙ୍ଗୀର : ସରକାର ବଦଳିବା ପରେ ବଲାଙ୍ଗୀର ଜିଲ୍ଲାରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି  । ଥାନା ସାମ୍ନାରେ ପୋଲିସ ଅଧିକାରୀ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିବାକୁ ପଛାଇନାହାନ୍ତି ଅପରାଧି  । ବେଆଇନ ଜମି କାରବାର, ଦାଦାବଟି ଓ ନିଶା କାରବାର ହୁହୁ ହୋଇ ବଢ଼ି ଚାଲିଛି  । ଗତ କିଛିମାସ ଭିତରେ ସିରିଜ୍ ହତ୍ୟାକାଣ୍ଡ, ମରଣାନ୍ତକ ଆକ୍ରମଣ, ଲୁଟ, ଡକାୟତି ଘଟଣା ବଢ଼ିଛି  । ଗଳି ଗଳିରେ କପ୍ ସିରଫ, ନିଶା ଟାବଲେଟ ସହ ବେଆଇନ ମଦ କାରବାର ଚାଲିଛି  । ଅଭିଯୋଗ ପରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଶୂନ ।

ଗତକିଛି ଦିନ ତଳେ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଦଳିତ ଛାତ୍ରୀଙ୍କୁ ମଇଳା ବୋଳିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନଥିବା ଅଭିଯୋଗ ହୋଇଛି  । ପୋଲିସ ନିରପେକ୍ଷ ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ବଲାଙ୍ଗୀର ବିଧାୟକ ଉଦବେଗ ପ୍ରକାଶ କରି ବଲାଙ୍ଗୀର ଏସପିଙ୍କ ସହ ଆଲୋଚନା କରିଛନ୍ତି  । ବିଧାୟକଙ୍କ ସହ ବିଭିନ୍ନ ସଂଗଠନର ମହିଳା ମାନେ ଉପସ୍ଥିତ ରହିଥିଲେ  । ସିସିଟିଭିରେ ଚିହ୍ନଟ କରାଯାଇ ଅସାମାଜିକ ଓ ନିଶାସକ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବଲାଙ୍ଗୀର ଏସପି ।

ଜୀବନ ହାରିଲେ ଆଉ ଜଣେ ଅନ୍ନଦାତା

ଜଗତସିଂହପୁର : ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତକ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ବିଲସାହି ଗାଁର ଅଶୋକ ପରିଡ଼ା। ସେ ୭ ଏକର ଜମିରେ ଧାନ ଚାଷ କରିଥିଲେ। ସୋସାଇଟି ଏବଂ ଗ୍ରୁପରୁ ପ୍ରାୟ ୩ ଲକ୍ଷ ଟଙ୍କା ଲୋନ୍ କରିିଥିଲେ ଚାଷ ପାଇଁ। ଅଦିନିଆ ବର୍ଷାରେ ତାଙ୍କର ସବୁ ଧାନ ନଷ୍ଟ ହୋଇ ଯାଇଛି। ଏଥିପାଇଁ ସେ କିଛି ଦିନ ହେଲା ଚିନ୍ତାରେ ଥିଲେ। ଆଜି ସକାଳେ ବିଲକୁ ଯାଇଥିଲେ ଅଶୋକ । ଚାଷ ନଷ୍ଟର ଧକ୍କା ସହିନପାରି ଆଜି ସକାଳେ ସେ ଘରେ ଆତ୍ମହତ୍ୟା କରିଥିବାର ପରିବାର ଲୋକେ କହିଛନ୍ତି। ଅଶୋକଙ୍କ ଘର ଏବେ କାନ୍ଦ ବୋବାଲିରେ ଫାଟି ପଡୁଛି।

କାନ୍ଥ ଭାଙ୍ଗି କୋଟିଏ ଟଙ୍କାର ମୋବାଇଲ ଲୁଟ୍ !

ମାଲକାନଗିରି : କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଲୁଟ୍  ।  କାନ୍ଥ ଭାଙ୍ଗି ମୋବାଇଲ ଦୋକାନରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ମୋବାଇଲ ଫୋନ ଲୁଟିନେଲେ ଦୁର୍ବୃତ୍ତ । ମାଲକାନଗିରି ଜିଲ୍ଲାର ଓମ ମୋବାଇଲ କେୟାର ଭିତରୁ ପ୍ରାୟ ଦେଢ କୋଟି ଟଙ୍କାର ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସିସିଟିଭି କ୍ୟାମେରାରେ ଚୋରି ବେଳର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗି ଦୋକାନ ଭିତରେ ପଶି ଲୁଟପାଟ କରିଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଯାଇଥିବା ବେଳେ କିଛି ମୋବାଇଲ ଖୋଳ ନିକଟସ୍ଥ ଜଙ୍ଗଲରେ ଫୋପାଡ଼ି ଦେଇଛନ୍ତି।  ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି ।

ରକ୍ଷକ ସାଜିଲା ଭକ୍ଷକ, ସାହାଯ୍ୟ କରିବା ବାହାନାରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର : ଖାକିରେ ଦାଗ, ରକ୍ଷକ ସାଜିଲା ଭକ୍ଷକ । ଆରପିଏଫ ଏଏସଆଇ ପ୍ଲାଟଫର୍ମରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସୁରକ୍ଷିତ ସ୍ଥାନକୁ ଯାଇ ଅସୁରକ୍ଷିତ ହେଇଗଲେ ଯୁବତୀ। ସାହାଯ୍ୟ କରିବା ବାହାନାରେ ଘରେ କବାଟ ଦେଇ କଲେ ଅସଦାଚରଣ। ଅଭିଯୋଗ ପରେ ଗିରଫ ହେଲେ ସମ୍ପୃକ୍ତ ଏଏସଆଇ। ଭୁବନେଶ୍ୱର ଆରପିଏଫରେ କାର୍ଯ୍ୟରତ ଏଏସଆଇ ନିରଞ୍ଜନ ଜେନା ଗିରଫ । ୨  ଦିନ ପୁର୍ବରୁ ଟ୍ରେନରେ ଆସି ଷ୍ଟେସନରେ ଓହ୍ଲାଇଥିଲେ ଜଣେ ଯୁବତୀ। ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ। ସେଠାରେ ଏଏସଆଇ ନିରଞ୍ଜନ ଯୁବତୀଙ୍କୁ ରୁମରେ ରହିବା ପାଇଁ କହିଥିଲେ । ଯୁବତୀ ରୁମ୍ ଭିତରକୁ ଯିବାପରେ ନିରଞ୍ଜନ କବାଟ ବନ୍ଦ କରିଦେଇଥିଲେ। ବନ୍ଦ ଘର ଭିତରେ ଯୁବତୀଙ୍କୁ ଅସଦାଚରଣ କରିଥିଲେ ଏଏସଆଇ। ଯୁବତୀ ଭୟଭୀତ ହେଇ ପିସିଆରକୁ କଲ କରିଥିଲେ। ପିସିଆର ଆସି ଯୁବତୀଙ୍କୁ ଉଦ୍ଧାର କରିଥିଲା। ଜିଆରପି ଥାନାରେ ଅଭିଯୋଗ ପରେ ଆରପିଏଫ ଏଏସଆଇ ନିରଞ୍ଜନକୁ ଗିରଫ କରିଛି ପୋଲିସ।