spot_img
Home Blog Page 1130

ପିକଅପ୍ ଭ୍ୟାନ ଓଲଟି ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ: ୨୩ ଛାତ୍ରଛାତ୍ରୀ ଗୁରୁତର

ଆଠଗଡ଼: ଦେଶ ପାଳୁଛି ୭୬ତମ ଗଣତନ୍ତ୍ର ଦିବସ। ଗାଁଠୁ ସହର ସବୁଠି ଉତ୍ସବ ମୁଖର ଥିବା ବେଳେ, କାନ୍ଦ ବୋବାଳିରେ ଫାଟି ପଡୁଛି ଆଠଗଡ଼ ମେଡିକାଲ ପରିସର। ପ୍ୟାରେଡରେ ଯୋଗ ଦେବାପାଇଁ ଗଲା ବେଳେ ପିକଅପ୍ ଭ୍ୟାନ ଓଲଟି ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ। ସେହିପରି ଗୁରୁତର ହୋଇଛନ୍ତି ୨୩ ଜଣ ଛାତ୍ରଛାତ୍ରୀ। ସୂଚନା ଅନୁସାରେ, ଆଜି ସକାଳୁ ବାଙ୍କୀ ଥାନା ସରଣ୍ଡା ପଡିଆରେ ହେଉଥିବା ପରେଡ ଗ୍ରାଉଣ୍ଡରେ ଯୋଗ ଦେବା ପାଇଁ ମାଳବିହାରିପୁର ହାଇସ୍କୁଲରୁ ଯାଉଥିଲେ ଛାତ୍ରଛାତ୍ରୀ। କିନ୍ତୁ ଯିବା ସମୟରେ ଓଲଟି ପଡ଼ିଥିଲା ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ୨୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରଛାତ୍ରୀଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବାଟରେ ଯାଉଥିବା ସମୟରେ ସେହି ସ୍କୁଲର ଦଶମ ଶ୍ରେଣୀର ଛାତ୍ର ସୌମ୍ୟ ରଞ୍ଜନ ବେହେରାଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଆଠଗଡ଼ ମେଡିକାଲ ପରିସରରେ ଉପ ଜିଲ୍ଲାପାଳ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଅତିରିକ୍ତ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆହତ ଛାତ୍ରଛାତ୍ରୀଙ୍କୁ କିଭଳି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କୁ ଏକ ପରିବା ବୁହା ଗାଡ଼ିରେ କିଭଳି ପଠାଗଲା ଯେଉଁଥି ପାଇଁ ଏଭଳି ଅଘଟଣ ଘଟିଲା ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଅଭିଭାବକ ।

ଆସନ୍ତାକାଲି ଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ ଡଲଫିନ ଗଣନା

ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଡଲଫିନ ଗଣନା । ୩ ଦିନ ଧରି ଅର୍ଥାତ ୨୭, ୨୮, ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଡଲଫିନ ଗଣନା । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ଏବଂ ଭିତରକନିକା ମଧ୍ୟରେ ଥିବା ନଦୀ ନାଳ ମାନଙ୍କରେ ଡଲଫିନ ଗଣନା କରାଯିବ । ଗଣନା ସମୟରେ ବାଇନାକୁଲାର , ଜିପିଏସ , କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ୟବହାର କରାଯିବ । ଏହି ଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ପାଖାପାଖି ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ ରୁ ଗହୀରମଥା ଓ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ଡଲଫିନ ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଇଣ୍ଡୋନେସିଆରୁ ୫ ଥର: ୭୫ ବର୍ଷ ମଧ୍ୟରେ କେତେ ମଜବୁତ ହୋଇଛି ଦୁଇ ଦେଶର ବନ୍ଧୁତା

ନୂଆଦିଲ୍ଲୀ: ଚଳିତ ଥର ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରୋବୋବୋ ସୁବିଆନ୍ତୋ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି । ୫ମ ଥର ପାଇଁ ଇଣ୍ଡୋନେସିଆର ନେତାଙ୍କୁ ଭାରତ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଛି । ୧୯୫୦ରେ ଭାରତ ପ୍ରଥମ ଥର ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ସେତେବେଳେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ ମୁଖ୍ୟ ଅତିଥି ଥିଲେ । ତେଣୁ ଭାରତ-ଇଣ୍ଡୋନେସିଆ ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ଯେ ହଜାର ହଜାର ବର୍ଷ ଧରି ମଜବୁତ ରହି ଆସିଛି, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ତେବେ ସ୍ବାଧୀନତାର ୭୫ ବର୍ଷ ପରେ ଦ୍ବିପାକ୍ଷିକ ସମ୍ପର୍କ କେତେ ମଜବୁତ ହେଇ ପାରିଛି, ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆର ନେତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିବା ପଛର ଉଦ୍ଦେଶ୍ୟ କ’ଣ, ତାହା ଜାଣିବା ନିହାତି ଆବଶ୍ୟକ ।

୧୯୫୦ରେ ସାଧାରଣତନ୍ତ୍ର ଦିବସର ପ୍ରଥମ କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ଏହାପରେ ବର୍ଷ ୧୯୮୪ରେ ଭୂଟାନ ଓ ଇଣ୍ଡୋନେସିଆର ପ୍ରତିନିଧି ଭାରତରେ ପହଞ୍ଚିଥିଲେ । ଭୂଟାନର ରାଜା ଜିଗମେ ସିଙ୍ଗୟେ ଓ୍ବାଙ୍ଗଚୁକ ଓ ଇଣ୍ଡୋନେସିଆର ସେନାମୁଖ୍ୟ ଅଫ ଷ୍ଟାଫ ଜେନେରାଲ ରୁଦିନୀ ସାମିଲ ହୋଇଥିଲେ । ଏହାପରେ ୨୦୧୧ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁସୀଲୋ ବାମ୍ବାହ ୟୁଦ୍ଦୋୟୋନୋ ମୁଖ୍ୟ ଅତିଥି ହୋଇଥିଲେ । ୨୦୧୮ରେ ଭାରତ ଏସିଆନ ରାଷ୍ଟ୍ରମାନଙ୍କର ପ୍ରମୁଖମାନଙ୍କୁ ନିମନ୍ତ୍ରଣ ପଠାଇଥିଲା । ସେଥିରେ ଇଣ୍ଡୋନେସିଆ ସାମିଲ ଥିଲା । ଏଥର ୫ମ ଥର ପାଇଁ ୨୦୨୫ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରୋବୋବୋ ସୁବିଆନ୍ତୋ ଭାରତ ପହଞ୍ଚି ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଛନ୍ତି ।

୧୯୫୦ ବର୍ଷ ଉଭୟ ଦେଶ ପାଇଁ ଅନେକ ଗୁରୁତ୍ବ ବହନ କରିଥିଲା । ଦୁଇ ଦେଶ ମଧ୍ୟରେ ସେ ସମୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼ ରହିଥିଲା । ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ଅବସରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମୁଖ୍ୟ ଅତିଥି ହୋଇଥିଲେ । ତୃତୀୟ ବିଶ୍ବଯୁଦ୍ଧ ପରେ ଉପନିବେଶବାଦର ଅନ୍ତ ଘଟିବା ସହ ନୂଆ ରାଷ୍ଟ୍ରର ଉଦୟ ହେଉଥିଲା । ଭାରତ ୧୯୪୭ରେ ବ୍ରିଟିଶ ଠାରୁ ଓ ଇଣ୍ଡୋନେସିଆ ୧୯୪୯ରେ ନେଦରଲାଣ୍ଡସ ଠାରୁ ସ୍ବାଧିନତା ହାସଲ କରିଥିଲା । ସୁକର୍ଣ୍ଣୋଙ୍କ ଭାରତ ଗସ୍ତ ଉଭୟ ଦେଶର ଏକଜୁଟ ଓ ସହଯୋଗ ବୃଦ୍ଧି ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଗ୍ରହଣ କରାଯାଉଥିଲା । ୧୯୫୦ ପରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହୋଇଆସିଛି । ବୈଶ୍ବିକ ମଞ୍ଚରେ ଦୁଇ ରାଷ୍ଟ୍ର ପରସ୍ପରକୁ ସର୍ବଦା ସମର୍ଥନ ଦେଇ ଆସିଛନ୍ତି ।

ସମୟ ବଦଳିବା ସହିତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ବନ୍ଧ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଖାସ କରି ୧୯୯୦ ଦଶକରେ ଭାରତ ନିଜର ବିଦେଶୀ ନୀତିରେ ଆର୍ଥିକ ସୁଧାର ଲାଗୁ କରିଥିବା ବେଳେ ତା’ପରେ ଦୁଇ ରାଷ୍ଟ୍ର ମଧ୍ୟରେ ବ୍ୟବସାୟ, ପ୍ରତିରକ୍ଷା ଓ ସାଂସ୍କୃତିକ ଭାବ ବିନିମୟରେ ବିଶେଷ  ପ୍ରଗତି ହୋଇଥିଲା । ଏକବିଂଶ ଶତାବ୍ଦୀର ଆରମ୍ଭରେ ଦୁଇ ଦେଶ ନିଜ ନିଜର ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ପଦେକ୍ଷପ ଗ୍ରହଣ କରିଛନ୍ତି । ୨୦୧୮ରେ ଭାରତ ଓ ଇଣ୍ଡୋନେସିଆ ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ, ଅନ୍ୟ ବିଶ୍ବ ସୁରକ୍ଷା ପ୍ରସଙ୍ଗରେ ସହଯୋଗ ବୃଦ୍ଧି ପାଇଁ ବୁଝାମଣା ସ୍ବାକ୍ଷର କରିଥିଲେ । ଭାରତର ଅନ୍ୟତମ ଶତ୍ରୁ ଚୀନକୁ ଜବାବ ଦେବା ପାଇଁ ଇଣ୍ଡୋନେସିଆ ସହ ସମ୍ପର୍କ ବେଶ ଗୁରୁତ୍ବପୂର୍ଣ୍ଣ । ଇଣ୍ଡୋନେସିଆ ହିନ୍ଦ ମହାସାଗରରର ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନରେ ରହିଥିବା ବେଳେ ଦୁଇ ଦେଶର ନୗସେନା ମଧ୍ୟରେ ସହଯୋଗ ମଜବୁତ ହୋଇଛି ।

ଖୁବଶୀଘ୍ର ହେବ ବିଜେଡିର ନବ କଳେବର: ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତ କମିଟି ଭଙ୍ଗ

ଭୁବନେଶ୍ବର: ଖୁବଶୀଘ୍ର ହେବ ବିଜେଡିର ନବ କଳେବର । ଭାଙ୍ଗିଲା ଦଳର ସମସ୍ତ ଛାମୁଆ ସଂଗଠନ । ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତ କମିଟି ଭଙ୍ଗ କରାଯାଇଛି । ଆଗାମୀ ସାଙ୍ଗଠନିକ ନିର୍ବାଚନ ପାଇଁ ଭଙ୍ଗ ହେଲା ସମସ୍ତ କମିଟି । ବିଜେଡିର ସାଙ୍ଗଠନିକ ନିର୍ବାଚନକୁ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ତଥା ଦଳର ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ସାଙ୍ଗଠନିକ କାର୍ଯ୍ୟକ୍ରମ ଗୋଟିଏ ଦଳର ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ନିର୍ଦ୍ଧାରିତ ସମୟରେ ବିଜେଡିର ନିର୍ବାଚନ ହୋଇଥାଏ । କୋଭିଡ-୯ କାରଣରୁ ଦଳର ସାଙ୍ଗଠନିକ ନିର୍ବାଚନ ହୋଇପାରିନଥିଲା । ଗତ ୨୦୨୪ ସାଧାରଣ ନିର୍ବାଚନ କାରଣରୁ ନିର୍ବାଚନ କମିଶନଙ୍କୁ ଦଳ ତରଫରୁ ୨୦୨୪ ଶେଷ ଆଡ଼କୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ନେଇ କୁହାଯାଇଥିଲା । ସେହି ଅନୁସାରେ ପ୍ରକ୍ରିୟାକୁ ଆଗକୁ ନିଆଯାଇଛି । ଆଗାମୀ ୧୦-୧୨ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ ହେବା ନେଇ ଆଶା କରାଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ବଜେଟ ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: ଏପ୍ରିଲ ପହିଲାରୁ ଲାଗୁ ହେବ UPS

ନୂଆଦିଲ୍ଲୀ: ଖୁବଶୀଘ୍ର ସଂସଦରେ ଦେଶର ସାଧାରଣ ବଜେଟ ଆଗତ ହେବ । ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ପାଇଁ ଅଫିସିଆଲ ଭାବେ ୟୁନିଫାଏଡ ପେନସନ ସ୍କିମ ବା UPSକୁ ନେଇ ନୋଟିଫିକେସନ ଜାରି କରାଯାଇଛି । ଏଥିସହିତ ଏଥର ନୂଆ ପେନସନ ସ୍କିମକୁ କେଉଁ ତାରିଖରେ ଲାଗୁ କରାଯିବ ତାହା ମଧ୍ୟ ଘୋଷଣା କରାଯାଇଛି । ଏପ୍ରିଲ ୧ରେ UPS ଲାଗୁ ହେବ ବୋଲି କୁହାଯାଇଛି ।

UPSକୁ ନେଇ ସରକାରଙ୍କ ତରଫରୁ ଗେଜେଟ ନୋଟିଫିକେସନ ଜାରି କରାଯାଇଛି । ପୁରୁଣା ପେନସନ ସ୍କିମ (OPS) ଓ ଜାତୀୟ ପେନସନ ସ୍କିମ ((NPS) ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟରେ UPSକୁ ଲଞ୍ଚ କରିଥିଲେ । ସରକାରୀ କମର୍ଚାରୀଙ୍କୁ ଅବସର ପରେ ଗ୍ୟାରେଣ୍ଟେଡ ପେନସନ ପ୍ରଦାନ କରିଥାଏ UPS । ଏହା କର୍ମଚାରୀଙ୍କୁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ । ପିଟିଆଇ ମୁତାବକ, NPS ଅଧୀନରେ କଭର ହେବାକୁ ଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏହି UPSକୁ ଚଳିତ ବର୍ଷ ଜାନୁଆରୀ ୨୫ରେ ନୋଟିଫାଏ କରାଯାଇଛି ।

ଯେଉଁ କର୍ମଚାରୀମାନେ NPS ଅଧୀନରେ ଆସିଥାନ୍ତି ଓ ଏହା ଅଧୀନରେ UPSର ଅପ୍ସନକୁ ବାଛିଥାନ୍ତି, ସେହି ସମସ୍ତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ UPS ଲାଗୁ ହୋଇଥାଏ । ଗେଜେଟ ନୋଟିଫିକେସନ ମୁତାବକ, କେନ୍ଦ୍ର କର୍ମଚାରୀ NPS ଅଧୀନରେ UPS ବିକଳ୍ପ ନେବାକୁ ବାଛି ପାରନ୍ତି ବା UPS ବିକଳ୍ପ ବିନା NPS ଜାରି ରଖିପାରନ୍ତି । UPS ଚୟନ କରୁଥିବା ଲୋକମାନେ ଅନ୍ୟ ପଲିସୀ ରିହାତି, ପଲିସୀ ଚେଞ୍ଜ, ଫାଇନାନ୍ସିଆଲ ବେନିଫିଟର ହକଦାର ହେବେ ନାହିଁ ବୋଲି ସରକାରୀ ନୋଟିଫିକେସନରେ ସ୍ପଷ୍ଟ କରାଯାଇଛି ।

କର୍ତ୍ତବ୍ୟ ପଥରେ ଦମ୍ ଦେଖାଇଲା ଭାରତ: ରଙ୍ଗାରଙ୍ଗ ଉତ୍ସବରେ ପାଳିତ ହେଲା ୭୬ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ: ଦିଲ୍ଲୀ କର୍ତ୍ତବ୍ୟ ପଥରେ ଦମ୍ ଦେଖାଇଲା ଭାରତ। ରଙ୍ଗାରଙ୍ଗ ଉତ୍ସବରେ ପାଳିତ ହୋଇଛି ୭୬ତମ ସାଧାରଣତନ୍ତ୍ର ଦିବସ। ପ୍ରଦର୍ଶିତ ହୋଇଛି ଦେଶର ସାମରିକ ଶକ୍ତିର ଉତ୍କର୍ଷ। ଏହା ସହ ଦେଶର ସାଂସ୍କୃତିକ ବୈଭବ୍ୟ ପ୍ରତିଫଳିତ ହୋଇଛି ପରେଡରେ। ସମ୍ବିଧାନ ପ୍ରଣୟନର ପ୍ଲାଟିନମ ଜୁବିଲିରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିଅନ୍ତୋ । ପରେଡରେ ଇଣ୍ଡୋନେସିଆର ୩୫୨ ସଦଦ୍ୟ ବିଶିଷ୍ଟ ମାର୍ଚ୍ଚିଂ ଓ ବ୍ୟାଣ୍ଡ କଣ୍ଟିଜେଣ୍ଟ ଭାଗ ନେଇଥିଲେ। ପରେଡ ପୂର୍ବରୁ ଇଣ୍ଡିଆ ଗେଟ ନିକଟସ୍ଥ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦ ଯବାନଙ୍କୁ ସ୍ମୃତି ଅର୍ଘ୍ୟ ଅର୍ପଣ କରାଯାଇଥିଲା। ଉତ୍ସବରେ ପ୍ରାୟ ୧୦ ହଜାର ସ୍ବତନ୍ତ୍ର ଅତିଥି ଉପସ୍ଥିତ ଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାଲ୍ୟୁଟ ଗ୍ରହଣ କରିଥିଲେ। ପରେଡରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୬ଟି ପ୍ରଜ୍ଞାପନ ମେଢ ଏବଂ ବିଭିନ୍ନ କେନ୍ଦ୍ର ମନ୍ତ୍ରାଳୟ ଓ ସଂଗଠନର ୧୫ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା।

ଚଳିତ ବର୍ଷର ଥିମ ରହିଥିଲା- ସ୍ବର୍ଣ୍ଣିମ ଭାରତ-ବିରାସତ ଔର ବିକାଶ। ପରେଡରେ ବ୍ରହ୍ମୋସ ମିସାଇଲ, ପିନାକ ରକେଟ ସିଷ୍ଟମ, ଆକାଶ ଏୟାର ଡିଫେନ୍ସ ସିଷ୍ଟମ ଆଦି ପ୍ରଦର୍ଶିତ ହୋଇଥିଲା। ଏହା ସହ ଆର୍ମିର ବ୍ୟାଟଲ ସର୍ଭେଲାନ୍ସ ସିଷ୍ଟମ ସଞ୍ଜୟ, ଡିଆରଡିଓର ପ୍ରଳୟ ଟାକ୍ଟିକାଲ ମିସାଇଲ, ଟି-୯୦ ଭୀଷ୍ମ ଟ୍ୟାଙ୍କ, ନାଗ ମିସାଇଲ ସିଷ୍ଟମ ବି ପ୍ରଦର୍ଶିତ ହୋଇଥିଲା। ଦେଶର ସଶସ୍ତ୍ର ବାହିନୀର ଗୌରବର କୀର୍ତ୍ତି ବହନ କରୁଥିବା ତିନି ବାହିନୀ ପକ୍ଷରୁ ଏକ ମିଳିତ ଟାବଲ୍ୟୁ ବି ପରେଡରେ ଭାଗ ନେଇଥିଲା। ଡିଆରଡିଓର ଟାବଲ୍ୟୁର ଥିମ୍ ରହିଥିଲା ରକ୍ଷା କବଚ। ବାୟୁ ସେନାର ସି-୧୩୦ଜେ ସୁପର ହରକ୍ୟୁଲ୍ସ, ସି-୧୭ ଗ୍ଲୋବମାଷ୍ଟର, ଏସୟୁ-୩୦ ଫାଇଟର ଜେଟ, ତଟରକ୍ଷୀ ବାହିନୀର ୩ଟି ଡୋର୍ନିୟର ଏୟାରକ୍ରାଫ୍ଟ ବି ନିଜ ଉତ୍କର୍ଷତା ପ୍ରଦର୍ଶନ କରିଥିଲେ। ସେହିପରି କର୍ପସ ଅଫ ସିଗନାଲ୍ସର ଏକ ମୋଟର ସାଇକେଲ ଟିମ ପ୍ରଦର୍ଶିତ କରିଥିଲେ ଡେୟାରଡେଭିଲ ସୋ। କର୍ତ୍ତବ୍ଯ ପଥରେ ରଙ୍ଗାରଙ୍ଗ ସାଂସ୍କୃତିକ ପ୍ରଦର୍ଶନ କରିଥିଲେ ପ୍ରାୟ ୫ ହଜାର କଳାକାର। ସାରେ ଜାହାଁ ସେ ଆଚ୍ଛା ଗୀତରେ ଦର୍ଶକଙ୍କୁ ବିମୋହିତ କରିଥିଲେ ୩ ଶହ ଶିଳ୍ପୀ। ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ସାରା ଦିଲ୍ଲୀରେ ମୁତୟନ ହୋଇଥିଲେ ୭୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଏବଂ ୭୦ ହଜାର ପୋଲିସ। ସାରା ସହର ରହିଥିଲା ୨ ହଜାର ୫୦୦ ସିସିଟିଭି ନଜର ବଳୟରେ ।

ନନ୍ଦିଘୋଷ ଟିଭି ଓ ଦୈନିକ ସକାଳ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ନନ୍ଦିଘୋଷ ଟିଭି ଓ ଦୈନିକ ସକାଳ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକ, ବାର୍ତ୍ତା ସମ୍ପାଦକ ମହେଶ୍ବର ସାହୁ, ସକାଳ ଡିଜିଟାଲର ମୁଖ୍ୟ ସୁଦାମବନ୍ଧୁ ଭଟ୍ଟମିଶ୍ର, ନନ୍ଦିଘୋଷ ଟିଭିର ସିଓଓ ଜବର ସିଂ ପନଓ୍ବାର ଏବଂ ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସେଲ୍ସ, ମାର୍କେଟିଂ ବିଭାଗର ମୁଖ୍ୟ ପବିତ୍ର ବେହେରା, ନନ୍ଦିଘୋଷ ଡିଜିଟାଲର ଭବାନୀ ଦାସ ଏବଂ ମାନବ ସମ୍ବଳ ବିଭାଗର ଡିଜିଏମ ଜିଷ୍ଣୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ। ସାଧାରଣତନ୍ତ୍ର ଦିବସରେ ସମ୍ବିଧାନର ଗୁରୁତ୍ବ, ମୌଳିକ ଅଧିକାର ଓ କର୍ତ୍ତବ୍ୟ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ଉଭୟ କାର୍ଯ୍ୟାଳୟ କର୍ମଚାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ।

ନେତାଙ୍କୁ ବି ଛାଡିଲେନି ଲୁଟେରା: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟି ନେଇଗଲେ ୫୦ ଲକ୍ଷ ଟଙ୍କାର ସୁନା ଗହଣା

ଭୁବନେଶ୍ବର: କଂଗ୍ରେସ ନେତାଙ୍କୁ ଛାଡିଲେନି ଲୁଟେରା। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟପାଟ କରିଛନ୍ତି ଲୁଟେରା। ଲୁଟେରା ଲୁଟି ନେଇଛନ୍ତି ୫୦ ଲକ୍ଷ ଟଙ୍କାର ସୁନା ଗହଣା । ଘରେ ପଶି ଲୁଟିଛନ୍ତି ମୁଖା ପିନ୍ଧା ଲୁଟେରା । ନୟାପଲ୍ଲୀ ସ୍ଥିତ ଘରୁ ବ୍ୟାପକ ଲୁଟ୍ ନେଇ ଥାନାରେ ଏତଲା ହୋଇଛି। ବ୍ୟାପକ ସୁରକ୍ଷା ଓ ସିସିଟିଭି ସତ୍ତ୍ୱେ ଘରୁ ଲୁଟ୍ ହୋଇଛି। ଚୋରିର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ରାଜଧାନୀରେ ଜଣେ ବରିଷ୍ଠ ନେତାଙ୍କ ଘରୁ ଚୋରି ପରେ ପଦାରେ ପଡିଛି କମିଶନରେଟ ପୋଲିସର ପାରିବାପଣିଆ । ସାଧାରଣତନ୍ତ୍ର ଦିବସ ପାଇଁ ପୂରା ସହର ସୁରକ୍ଷା ବ୍ୟବସ୍ଥାରେ ଛାଉଣୀ ଥିବା ବେଳେ ନୟାପଲ୍ଲୀ ଅଞ୍ଚଳରୁ ଲୁଟ୍‌ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା ।

ତ୍ରିରଙ୍ଗା ଉଡ଼ାଇଲେ ନବୀନ: ସବୁବେଳେ ଓଡ଼ିଶାର ସେବା ଜାରି ରଖିବାକୁ ପରାମର୍ଶ ଦେଲେ ବିରୋଧୀ ଦଳ ନେତା

ଭୁବେନଶ୍ବର: ଶଙ୍ଖଭବନରେ ୭୬ ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ ନବୀନ। ଅଭିଭାଷଣ ରେ କର୍ମୀମାନଙ୍କୁ ନବୀନ କହିଛନ୍ତି ଭାରତ ଏକ ମହାନ ଦେଶ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ବିଶ୍ୱରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଛି। ବହୁଭାଷା ଓ ଜାତିକୁ ନେଇ ଗଠିତ ଏକ ସୂତ୍ରରେ ବାନ୍ଧି ରଖିବାରେ ସମ୍ବିଧାନ ସଫଳ ହେଉଛି। ସୋସିଆଲ ଜଷ୍ଟିସ ଦିଗରେ ଆଉ ଅନେକ କରିବାର ଅଛି। ଏକ ଦଶନ୍ଧିରେ ରାଜ୍ୟର ବହୁ ଉନ୍ନତି ହୋଇଛି। 2000 ରୁ 2024 ମଧ୍ୟରେ ଅନେକ ବିକାଶ ହୋଇଛି। ଏବେ ଭାରତ ସରକାରଙ୍କ ନୀତି ଆୟୋଗ ମଧ୍ୟ ଆମ କାମକୁ ପ୍ରଶଂସା କରିଛି। ଫାଇନାନ୍ସ ହେଲଥ ଇଣ୍ଡେକ୍ସ ଓଡ଼ିଶା ଏକ ନମ୍ବର। ବିକାଶ ସବୁବେଳେ ଆମ ଫୋକସ ରହିବ। ଆପଣ ମାନେ ସବୁବେଳେ ଓଡ଼ିଶାର ସେବା ଜାରି ରଖନ୍ତୁ।

ରାଷ୍ଟ୍ରପତି ଭବନରେ ଗୁଞ୍ଜରିତ ହେଲା ’କୁଛ କୁଛ ହୋତା ହୈ…’: ହୃଦୟ ଜିତିନେଲା ଇଣ୍ଡୋନେସିଆର ପ୍ରତିନିଧି ମଣ୍ଡଳୀଙ୍କ ମନଛୁଆଁ ଗୀତ

ନୂଆଦିଲ୍ଲୀ: ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିବା ରାତ୍ରିଭୋଜନରେ ଇଣ୍ଡୋନେସିଆର ପ୍ରତିନିଧି ମଣ୍ଡଳୀମାନେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ । ଏହି ଅବସରର ରାଷ୍ଟ୍ରପତି ଭବନରେ ଗୁଞ୍ଜରିତ ହୋଇଥିଲା ସୁପରାଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ’କୁଛ କୁଛ ହୋତା ହୈ…’ ଗୀତ । ଇଣ୍ଡୋନେସିଆର ପ୍ରତିନିଧି ମଣ୍ଡଳୀମାନେ ଏହି ବଲିଉଡ ଫିଲ୍ମର ଗୀତ ଗାଇ ସଭିଙ୍କ ମନକୁ ଛୁଇଁ ପାରିଥିଲେ । ବିଶିଷ୍ଟ ପ୍ରଚ୍ଛଦପଟ୍ଟ ଗାୟକ ଉଦିତ ନାରାୟଣ ଓ ଗାୟିକା ଆଲକା ୟାଗ୍ନିକଙ୍କ ଏହି ସୁମଧୁର ଗୀତ ଆଜି ବି ଲୋକଙ୍କ ମନରେ ଜୀବିତ ହୋଇ ରହିଥିବା ବେଳେ ବିଦେଶୀଙ୍କ କଣ୍ଠରେ ଏହି ଗୀତ ପୁଣି ଥରେ ତା’ର ଅତୀତର ସ୍ମୃତିକୁ ପୁନର୍ଜୀବିତ କରିପାରିଛି ।

୭୬ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ଉତ୍ସାହର ସହିତ ପାଳନ କରାଯାଉଛି । ଏହି ଖାସ୍ ଅବସରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବୋ ସୁବିଅନ୍ତୋଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ରାଷ୍ଟ୍ରପତି ସୁବିଅନ୍ତୋ ଗୁରୁବାର ରାତିରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା । ଶନିବାର ଦିନ ରାଷ୍ଟ୍ରପତି ଭବନରେ ଇଣ୍ଡୋନେସିଆର ପ୍ରତିନିଧି ମଣ୍ଡଳୀ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ’କୁଛ କୁଛ ହୋତା ହୈ’ର ଗୀତ ଗାଇ ସଭିଙ୍କ ଦିଲ ଜିତି ନେଇଥିଲେ ।  ଇଣ୍ଡୋନେସିଆର ମନ୍ତ୍ରୀ ପାରମ୍ପରିକ ’ସୋଙ୍ଗକୋକ’ ଟୋପି ଓ ସୁଟ ପିନ୍ଧି ଏହି ଗୀତକୁ ଗାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରା ହେବାରେ ଲାଗିଛି ।