spot_img
Home Blog Page 112

ଧର୍ମମାସ କାର୍ତ୍ତିକ ପଞ୍ଚୁକର ତୃତୀୟ ଦିନ: ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ । ଧର୍ମମାସ କାର୍ତ୍ତିକ ପଞ୍ଚୁକର ତୃତୀୟ ଦିନ । ଭଗବାନ ନୃସିଂହଙ୍କ ପ୍ରକଟ ଦିବସ । ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ମହାପ୍ରଭୁ । ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ଧାରଣ କରି ଅବକାଶ ନୀତି ପରେ ମହାପ୍ରଭୁ ଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶରେ ଦର୍ଶନ ଦେଇଛନ୍ତି l ବିଶ୍ୱାସ ରହିଛି ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଏହି ବେଶ ଦର୍ଶନର ସୌଭାଗ୍ୟ ପ୍ରାପ୍ତି ବୈକୁଣ୍ଠ ପ୍ରାପ୍ତିର ମାର୍ଗ ଦେଖାଇଥାଏ l ତେଣୁ ପୁରିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ପଞ୍ଚୁକ ପାଇଁ ପୁରୀକୁ ଦୂର ଦୂରାନ୍ତରୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଭାବେ ବ୍ୟାରିକେଡ଼ରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । କାର୍ତ୍ତିକ ବ୍ରତର ଅନ୍ତିମ ଦିନ ହୋଇଥିବାରୁ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଡଙ୍ଗ ଭସାଇ ବ୍ରତ ଉଦଯାପନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ପୋଲିସ ଓ ଅଗ୍ନିଶମ ବିଭଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି l ସୁରକ୍ଷା ପାଇଁ ପ୍ରାୟ ୪୫ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ମାତ୍ରାଧିକ ଭିଡ଼କୁ ନଜରରେ ରଖି ନାୟକ ପ୍ଲାଜା ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ବୃଦ୍ଧି କରାଯାଇଥିବାବେଳେ ମେଡିକାଲ ଛକ ଠାରୁ ନୋ ଭେହିକଲ ଜୋନ କରାଯାଇଛି l

ମହିଳା ଆୟୁଷ ଡାକ୍ତରଙ୍କୁ ପ୍ରେମ ନିବେଦନ କରି ବନ୍ଧାହେଲେ ରସିକିଆ ଡାକ୍ତର

ବନ୍ଧାହେଲେ ରସିକିଆ ଡାକ୍ତର । ମହିଳା ଆୟୁଷ ଡାକ୍ତରଙ୍କୁ ପ୍ରେମ ନିବେଦନ କରି ବନ୍ଧାହେଲେ ଡାକ୍ତର। ଅଭିଯୁକ୍ତ ଜଣଙ୍କ ହେଲେ କ୍ଷମା ସେଠୀ । ଗତକାଲି ଏୟାରଫିଲ୍ଡ ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ ପ୍ରେମ ନିବେଦନ କରିଥିଲେ ଅଭିଯୁକ୍ତ ଡାକ୍ତର । ଏପରିକି ସ୍କୁଟିରେ ବସି ଯିବା ବେଳେ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ହୋଇଥିଲା । ୱାନ ନାଇଟ ଷ୍ଟାଣ୍ଡ କଲେ ପ୍ରମୋସନ ଓ ପ୍ରାଇଜ ପୋଷ୍ଟିଂ ପାଇଁ କହିଥିଲେ ଅଭିଯୁକ୍ତ । ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତ ଡାକ୍ତର ଜଣଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ ।

ସୁଦୂର ମରିସସରୁ ଯାଜପୁର ଆସିଥିବା ରାମରୂପ ଜୁଗରନାଥଙ୍କୁ ମିଳିଲା ନିଜ ମାଟିର ସନ୍ଧାନ

‘ମୁଁ ମରିସସରେ ଜନ୍ମିଛି ସତ, କିନ୍ତୁ ମୋ ହୃଦୟ ଓଡିଶା ମାଟିରେ ରହିଛି । ମୋ ପୂର୍ବଜ ଏଠାରୁ ଯାଇଥିଲେ, ଏବେ ମୁଁ ସେହି ମାଟି ନେଇ ମୋ ଦେଶକୁ ଫେରିବି । ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରବାସୀ ଓଡିଆ ରାମରୂପ ଜୁଗରନାଥ । ସାତ ଦରିଆ ପାର ହୋଇ ସୁଦୂର ମରିସସରୁ ରାମରୂପ ନିଜ ରକ୍ତ ସଂପର୍କୀୟଙ୍କୁ ଖୋଜିବାକୁ ଆସିଥିଲେ ଯାଜପୁର । ଆତ୍ମୀୟ ସ୍ବଜନଙ୍କ ପରିଚୟ ତ ପାଇ ପାରିପାରିଲେନି ହେଲେ ପାଇଲେ ନିଜ ମାଟିର ସନ୍ଧାନ । ଆଗରୁ ୩ ଥର ଆସି ନିରାଶ ହୋଇ ଫେରିଯାଇଥିଲେ । ଏଥର ସେ ନିଜ ଜନ୍ମମାଟିର ସନ୍ଧାନ ପାଇଁ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ରାମରୂପଙ୍କ ପୂର୍ବଜମାନେ ପ୍ରାୟ ଦୁଇ ଶତାବ୍ଦୀ ଆଗରୁ ମରିସସ ଯାଇଥିଲେ । ୫ ପିଢିରୁ ଉର୍ଦ୍ଧ୍ବକାଳ ଧରି ସେଠାରେ ରହିଥିଲେ । ଆଉ ଗାଁକୁ କେହି ଫେରିନଥିଲେ । ରାମରୂପ ନିଜ ମାଟିର ମଣିଷଙ୍କୁ ଖୋଜିବାକୁ ଜିଲ୍ଲାପ୍ରଶାସନ ସହଯୋଗରେ ଯାଜପୁର ଆସି ଗାଁ ଗାଁ ବୁଲିଥିଲେ । ଗଣପତିପୁର ବ୍ରାହ୍ମଣବାଡି ଗାଁରେ ନିଜର ପୂର୍ବଜ ରହୁଥିବା ନେଇ ସନ୍ଧାନ ପାଇଥିଲେ । ସେହି ଗାଁରୁ ଯତ୍ନ ସହକାରେ ମାଟି ସଂଗ୍ରହ କରି ମରିସସକୁ ନେଇଯାଇଛନ୍ତି । ସତରେ ମାଟି ଓ ମଣିଷର ସମ୍ପର୍କ ଜନ୍ମଜନ୍ମାନ୍ତରର ସମ୍ପର୍କ । ରାମରୂପଙ୍କ ଏହି ଯାତ୍ରା ପ୍ରତ୍ୟେକ ସ୍ବଦେଶୀ ଓ ପ୍ରବାସୀ ଓଡିଆଙ୍କ ମନରେ ନିଶ୍ଚୟ ଭରିଦେବ ଉନ୍ମାଦନା ।

ରାତି ହେଲେ ଡରାଉଛି କିଟମିଟ ଅନ୍ଧାର: ଆଜି ବି ଦାରିଙ୍ଗବାଡି ବ୍ଲକର ଏହି ଗାଁକୁ ପହଞ୍ଚିପାରିନି ବିଦ୍ୟୁତ

ରାତି ହେଲେ ଡରାଉଛି କିଟମିଟ ଅନ୍ଧାର । ଶୂନଶାନ ହୋଇଯାଉଛି ଗାଁ ଦାଣ୍ଡ । କ୍ୟାଣ୍ଡେଲ ଜଳାଇ ପାଠ ପଢୁଛନ୍ତି ପିଲା । ଆଜି ବି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିର୍କାବର୍ଗ ପଞ୍ଚାୟତ କଟେଡ଼ିମାହା ଗାଁକୁ ପହଞ୍ଚିପାରିନି ବିଦ୍ୟୁତ । ଗାଁରେ ଦୀର୍ଘ ବର୍ଷ ହେବ ୬ ଶହରୁ ଉର୍ଦ୍ଧ୍ଵ ଲୋକେ ବସବାସ କରୁଛନ୍ତି । ହେଲେ ଗାଁକୁ ଆଜି ଯାଏଁ ପହଞ୍ଚିପାରିନି ବିଦ୍ୟୁତ ଆଲୁଅ । ଫଳରେ ଟ୍ରଚ ଓ ଡିବିର ଆଲୁଅରେ କାଳ କାଟୁଛନ୍ତି ଲୋକେ । ଗାଁ ଚାରିଆଡେ ଜଙ୍ଗଲ ପାହାଡ ଘେରି ରହିଥିବାରୁ ଜୀବଜନ୍ତୁଙ୍କ ଭୟ ମଧ୍ୟ ରହୁଛି ।

ବିଦ୍ୟୁତ ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କୁ ଜଣାଇସାଇଲେଣି । ହେଲେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ଉଠୁଛି- କେତେଦିନ ଆଉ ଅନ୍ଧାରରେ କାଳ କାଟିବେ କଟେଡିମାହା ଗ୍ରାମବାସୀ ? ସେମାନେ ଆଲୋକ ଦେଖିବେ କି ନାହିଁ ? କଟେଡ଼ିମାହା ଗ୍ରାମବାସୀଙ୍କ ସମସ୍ୟା ପ୍ରତି ସରକାର ଶୀଘ୍ର ଦୃଷ୍ଟି ଦେଇ ବିଦ୍ୟୁତ ଯୋଗାଇ ଦେବାକୁ ଦାବି ହୋଇଛି ।

ବିଞ୍ଝାରପୁରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା: ଦିବାଲୋକରେ ଖୁଲମଖୁଲା ଚାଲିଛି ଧଳାଜହର ଡିଲ୍

ବିଞ୍ଝାରପୁରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ବଢୁଛି ଚୋରି । ଦିବାଲୋକରେ ଖୁଲମଖୁଲା ଚାଲିଛି ଧଳାଜହର ଡିଲ୍ । କାୟା ମେଲାଇ ଚାଲିଛନ୍ତି ମଦ ଓ ଗଞ୍ଜେଇ ବେପାରୀ । ଟେରପାଉନି ପୋଲିସ । ସବୁଠୁ ବଡ କଥା ହେଲା ବିଞ୍ଝାରପୁର ଥାନାର ନିକଟବର୍ତ୍ତୀ ପଞ୍ଚାୟତ ସୟଦପୁର ଓ ବିଞ୍ଝାରପୁର ପାଲଟିଛି ନିଶା ବେପାରୀଙ୍କ ପେଣ୍ଠସ୍ଥଳୀ । ପୋଲିସ ଆଖି ଆଗରେ ଚାଲୁଛି ଖୁଲମଖୁଲା ମଦ ଓ ବ୍ରାଉନସୁଗାର ବେପାର । କିଛି ଦିନ ପୂର୍ବରୁ ଥାନା ଆଗରେ ଥିବା ଏକ ରାସନ ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଟ ହୋଇଥିଲା | ଆଉ ସେହି ଲୁଟର ମାଷ୍ଟରମାଇଣ୍ଡ ଥିଲା ବିଞ୍ଝାରପୁରର ଜଣେ ଯୁବକ । ସେହି ଯୁବକ ଠାରୁ ପ୍ରାୟ ୧୦ ଗୋଟି ଗାଡି ବ୍ୟାଟେରୀ ସମେତ ବହୁ ମୂଲ୍ୟବାନ ଜିନିଷ ଜବତ ହୋଇଥିଲା । ଯୁବକ ଜଣକ ଧରା ପଡିବା ପରେ ପୋଲିସକୁ ବ୍ରାଉନସୁଗାର ମାଗୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ଉକ୍ତ ଯୁବକକୁ ଜେଲ ପଠାଇ ଚୁପ ହୋଇ ବସିପଡିଲା ପୋଲିସ | ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବିଞ୍ଝାରପୁର ବ୍ଲକରେ ଦୁଇଟି ଥାନା ରହିଛି । ହେଲେ ସେଠାରେ ନାହାନ୍ତି ଆବଶ୍ୟକୀୟ ଅଧିକାରୀ ଓ କର୍ମଚାରୀ । ଅଳୁକୁଣ୍ଡ ଥାନାରେ ନାହାନ୍ତି ମହିଳା କର୍ମଚାରୀ । ରାତ୍ରି ସମୟରେ ରେଡ କିମ୍ବା ପାଟ୍ରୋଲିଂ ହେଉନଥିବାରୁ ବିଭିନ୍ନ ସ୍ଥାନରେ ଦିନକୁ ଦିନ ବେଆଇନ ମଦ ଓ ଧଳାଜହର ବେପାର ବଢୁଛି । ଯାହାକୁ ସେବନ କରି ଯୁବପିଢି ମାନେ ଭିଆଉଛନ୍ତି ନାରକୀୟ କାଣ୍ଡ । ଏନେଇ ସ୍ଥାନୀୟ ଲୋକେ ପୋଲିସର ବାରମ୍ବାର ଦୃଷ୍ଟି ଆକର୍ଷଣ କରଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ପ୍ରଶାସନ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ବେଆଇନ ବେପାର ଦିଗରେ ଦୃଷ୍ଟିଦେବାକୁ ସାଧାରଣରେ ଦାବି ଜୋର ଧରିଛି ।

ମାଲବାହୀ ଟ୍ରେନକୁ ଧକ୍କାଦେଲା ଯାତ୍ରୀବାହୀ ଟ୍ରେନ୍: ଦୁର୍ଘଟଣାରେ ୬ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ମାଲବାହୀ ଟ୍ରେନକୁ ଧକ୍କାଦେଲା ଯାତ୍ରୀବାହୀ ଟ୍ରେନ୍ । ଦୁର୍ଘଟଣାରେ ୬ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା । ଛତିଶଗଡ଼ର ବିଳାସପୁର ଜିଲ୍ଲା ଜୟରାମନଗର ଷ୍ଟେସନ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି। କୋରବା ପାସେଞ୍ଜର ଟ୍ରେନର ପ୍ରଥମ କୋଚ୍ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିବା ଘଟଣାସ୍ଥଳରୁ ମିଳିଥିବା ଭିଡିଓ ଗୁଡ଼ିକରୁ ଜଣାପଡିଛି । ଘଟଣା ସ୍ଥଳରେ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଦଳ ଏବଂ ରିଲିଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କୁ ସହାୟତା ଏବଂ କ୍ଷୟକ୍ଷତି ଆକଳନ କରାଯାଉଛି ।

ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ?

ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ? ଏହାର କାରଣ କହିଲେ ବରିଷ୍ଠ ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା । ଗତ ନିର୍ବାଚନରେ ନୂଆପଡ଼ାରେ ବସନ୍ତ ପଣ୍ଡାଙ୍କ କ୍ରେଜ ନଥିଲା । ବିଜେପି ହାରିବା ଘୋଡାକୁ କେବେ ବାଜିରେ ଲଗାଏନାହିଁ । ଯିଏ ଜିତିବ ତାକୁ ହିଁ ପ୍ରାର୍ଥୀ କରାଯାଏ । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ବିଜେପି ନୂଆପଡ଼ା ପ୍ରାର୍ଥୀ କରିଛି । ପାଟି ଯେଉଁ ନିଷ୍ପତ୍ତି ନେବ ତାକୁ ସମସ୍ତେ ଗ୍ରହଣ କରିବା ଉଚିତ । ଜୟ ଢୋଲକିଆଙ୍କ ଠାରେ କଣ ବିଜେଡି ଷ୍ଟାମ୍ପ ମରାଯାଇଛି କି ବୋଲି ପ୍ରଶ୍ନ କଲେ ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା ।

ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବଡ଼ବାପା ପୁଅ ଭାଇ ଗିରଫ

ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବଡ଼ବାପା ପୁଅ ଭାଇ ଗିରଫ । ଛେଣ୍ଡିପଦା ଥାନା ଅଞ୍ଚଳରେ ଘଟିଥିଲା ଏହି ଲଜ୍ଜା ଜନକ ଘଟଣା l ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ତାଙ୍କର ବଡ଼ ବାପା ପୁଅ ଭାଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା l ଦୁଷ୍କର୍ମ ଘଟଣା ଜଣାପଡିବା ପରେ ଭାଇ ଫେରାର ହୋଇଯାଇଥିଲା l ଏନେଇ ନାବାଳିକା ଜଣଙ୍କ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୋଲିସ ବିଳମ୍ବିତ ରାତିରେ ନାବାଳିକାଙ୍କ ଭାଇ ପପୁନ ନାଏକଙ୍କୁ କଣିହାଁ ଥାନା ଅଞ୍ଚଳରୁ ଗିରଫ କରିଛି l ଗିରଫ ପରେ ପୋଲିସ BNS ଆକ୍ଟ ଅନୁଯାୟୀ ଧାରା 180ରେ ନାବାଳିକାଙ୍କ ବୟାନକୁ ରେକର୍ଡ କରିଛି l ଏନେଇ ପୋଲିସ ନାବାଳିକା ଓ ତାଙ୍କର ଭାଇକୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଡାକ୍ତରୀ ମାଇନା କରିଛି l ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି l

ବନ୍ଧୁକ ଲାଇସେନ୍ସ ଓ ପତିଆରା ଜାହିର କରିବା ପାଇଁ ନିଜ ଘରେ ବୋମାମାଡ଼ ଓ ଗୁଳିମାଡ଼

ବନ୍ଧୁକ ଲାଇସେନ୍ସ ଓ ପତିଆରା ଜାହିର କରିବା ପାଇଁ ନିଜ ଘରେ ବୋମାମାଡ଼ ଓ ଗୁଳିମାଡ଼ । ଗତ ୫ ଅକ୍ଟୋବର ଓ ସେପ୍ଟେମ୍ବର ୧୧ ରେ ଭରତପୁର ଥାନା ଅଞ୍ଚଳରେ ଘଟିଥିବା ଦୁଇଟି ଘଟଣାର ତଦନ୍ତ କରି ଏଭଳି କିଛି ଜାଣିବାକୁ ପାଇଛି ପୋଲିସ। ଘର ମାଳିକାଣି ଘୁଙ୍ଗୁରୁ ମିଶ୍ର ଏଭଳି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୋଲିସ । ସେ ଏବେ ଫେରାର ହୋଇଯାଇଛନ୍ତି । ଅନ୍ୟ ତିନି ଅଭିଯୁକ୍ତ ଦେବାଶିଷ ମହାପାତ୍ର, ସନ୍ତୋଷ ମହାକୁଡ଼ ଓ ଚନ୍ଦନ ନାୟକଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୭.୬୫ ଏମ୍.ଏମ୍ ପିସ୍ତଲ ସହ ଗୁଳି ଜବତ କରାଯାଇଛି । ନିଜକୁ ବେଶ ହାଇପ୍ରୋଫାଇଲ ବୋଲି ପରିଚୟ ଦେଉଥିବା ଘୁଙ୍ଗୁରୁ ମୋଟା ଅଙ୍କର ଅର୍ଥ ଦେଇ ନିଜ ଘର ଉପରେ ବୋମାମାଡ଼ ଓ ଗୁଳିମାଡ଼ କରିଥିବା କହିଛନ୍ତି ପୋଲିସ କମିଶନର । ରାଜଧାନୀରେ ପତିଆରା ଜାହିର କରିବା ସହ ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେଇ ଅନେକ ଲୋକଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ବନ୍ଧୁକ ଲାଇସେନ୍ସ ପାଇବା ପାଇଁ ଏହା ମଧ୍ୟ ତାଙ୍କର ଷଡଯନ୍ତ୍ର ବୋଲି କହିଛି ପୋଲିସ। ପୋଲିସର ତଦନ୍ତ କୁ ବିଭ୍ରାନ୍ତ କରିବା, ସୁପାରୀ ଦେଇ ବୋମା ଓ ଗୁଳିମାଡ଼ କରିବା , ଅସ୍ତ୍ର ଶସ୍ତ୍ର କାରବାର ଭଳି ସଙ୍ଗିନ ଦଫାରେ ମହିଳାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା ।

୪୫୦୦୦ ଶିକ୍ଷକ ନିଯୁକ୍ତି ପାଇଁ ହୋଇଥିଲା ଘୋଷଣା: କେବେ ଆସିବ ସରକାରୀ ନିର୍ଦ୍ଦେଶନାମା, ଶିକ୍ଷକ ସଂଘ ଦେଲା ଚେତାବନୀ

ମୁଖ୍ୟମନ୍ତ୍ରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଯୋଜନାଭିତ୍ତିକ ପ୍ରଥାକୁ ଉଚ୍ଛେଦ କରି ସମସ୍ତ ଯୋଜନା ଭିତ୍ତିକ ମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କରିଥିଲେ । ଏହା ସହ ୪୫୦୦୦ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମ ମାଧ୍ୟମରେ ଘୋଷଣା କରାଯାଇଥିଲା । ଏ ଘୋଷଣା ୨୦୨୫ ଅଗଷ୍ଟ ୨୨ରେ ଏହି ହୋଇଥିଲା । ଇତିମଧ୍ୟରେ ଦୁଇମାସରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ତାହାକୁ ସରକାରୀ ନିର୍ଦ୍ଦେଶନାମାରେ ଏ ପର୍ଯ୍ୟନ୍ତ ପ୍ରକାଶିତ କରାଯାଇନାହିଁ। ଯାହାକି ପ୍ରଶାସନିକ ଉଦାସୀନତାକୁ ସୁଚାଉଛି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସରକାରୀ ନିର୍ଦ୍ଦେଶ ନ ଆସିବା ବାସ୍ତବିକ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଅଭିଯୋଗ କରିଛି। କେଉଁ ବିଭାଗ ଓ କିଏ ଏହାକୁ ବିଳମ୍ବ କରୁଛି, ତାକୁ ନେଇ ପ୍ରଶ୍ନ ଉଠିଛି । କିଛି ଜିଲ୍ଲାରେ ପୁଣି ଥରେ ଚୁକ୍ତି କରାଯାଇଛି। ଏହାର କାରଣ ଖୋଜିବାକୁ ବି ଦାବି ହୋଇଛି। କନିଷ୍ଠ ଶିକ୍ଷକମାନଙ୍କୁ ଅବିଳମ୍ବେ ନିୟମିତ ସରକାରୀ ନିର୍ଦ୍ଦେଶନାମା ଦେବା ସହ ପ୍ରସ୍ତାବିତ ନୂତନ ଶିକ୍ଷକ ନିଯୁକ୍ତିର ଵିଜ୍ଞାପନ ତ୍ୱରାନ୍ୱିତ କରିବାକୁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି। ଆସନ୍ତା 15 ଦିନ ଭିତରେ ଯଦି ସରକାରୀ ନିର୍ଦ୍ଦେଶନାମା ନବାହାରେ, ତେବେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ରାଜାରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।