ନନ୍ଦିଘୋଷ ବ୍ୟୁରୋ: ଆମେରିକା ଓ କାନାଡା ମଧ୍ଯରେ ବଡ଼ ଧରଣର ଟ୍ରେଡ ୱାର। ସମସ୍ତ ଧମକକୁ ଖାତିର ନ କରି ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ। ଗତ ଜାନୁଆରୀ ୨୮ରେ କାନାଡାରୁ ଉତ୍ପାଦିତ ସମସ୍ତ ସାମଗ୍ରୀ ଉପରେ ୨୫ ଶତ କର ଲାଗୁ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଘୋଷଣା କରିବା ପରେ ଜବାବ ଦେବାକୁ ଏହି ପଦକ୍ଷେପ ନେଇଛନ୍ତି ଟ୍ରୁଡୁ। କାନାଡାର ଏହି ନିଷ୍ପତ୍ତି ଫଳରେ ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହେବାକୁ ଯାଉଥିବା କର ପରିମାଣ ୧୫୫ ବିଲିୟନ ଆମେରିକୀୟ ଡଲାର ହେବ। ଟ୍ରୁଡୁ କହିଛନ୍ତି- କିଛି ବର୍ଷ ତଳେ ଆମେରିକା ଓ କାନାଡା ମଧ୍ଯରେ ହୋଇଥିବା ମୁକ୍ତ ବାଣିଜ୍ଯ ରାଜିନାମାକୁ ଟ୍ରମ୍ପଙ୍କ ନୂଆ ଘୋଷଣାନାମା ଉଲ୍ଲଂଘନ କରୁଛି। ଦୁଇ ପ୍ରମୁଖ ଦେଶ ମଧ୍ଯରେ ଆରମ୍ଭ ହୋଇଥିବା ବାଣିଜ୍ଯିକ ଯୁଦ୍ଧରେ ଅନ୍ଯାନ୍ଯ ରାଷ୍ଟ୍ର ବି କ୍ଷତି ସହିବାର ସମ୍ଭାବନା ରହିଛି। ଗତ ଫେବୃଆରୀ ୧ ତାରିଖରେ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ କର ଏବଂ ମେକ୍ସିକୋରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ କର ଲାଗୁ କରିଥିଲେ ଟ୍ରମ୍ପ।
ଆଉ ଏକ ରେକର୍ଡ ଅପେକ୍ଷାରେ ଟିମ୍ ଇଣ୍ଡିଆ
ନନ୍ଦିଘୋଷ ବ୍ୟୁରୋ: ୨୦୨୪ ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଛି ଭାରତ । ଏବେ ପୁଣି ଭାରତ ପାଇଁ ରେକର୍ଡ କରିବାର ଆଉ ଏକ ସୁଯୋଗ ରହିଛି । ତେବେ ଟିମ ଇଣ୍ଡିଆ ଆଗରେ ରହିଛି ଦକ୍ଷିଣ ଆଫ୍ରିକା । ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ବକପ ଚାଲିଛି । ଯେଉଁଥିରେ ଫାଇନାଲରେ ସାଉଥ ଆଫ୍ରିକାକୁ ଭେଟିବ ଭାରତ । ଆରମ୍ଭରୁ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିବା ସହ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି । ତ୍ରିଶା ଗଙ୍ଗାଡ଼ି ଏବେ ଦମଦାର ଫର୍ମରେ ରହିଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସେ ଦଳକୁ ବିଜୟରେ ସହାୟକ ହୋଇଛନ୍ତି । ଏଣୁ ଆଜି ଖେଳିାଯିବାକୁ ଥିବା ଫାଇନାଲରେ ମଧ୍ୟ ସେ ବିଜୟ ତିଳକ ପିନ୍ଧାଇବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।
ତ୍ରିଶା ଏଯାବତ ୬ ପାଳିରେ ୬୬.୨୫ ହାରରେ ୧୪୯ ଷ୍ଟ୍ରାଇକ୍ ରେଟ୍ ୨୬୫ ରନ ସଂଗ୍ରହ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସେ ଏକ ଶତକ ମାରିବା ସହ ସର୍ବାଧିକ ସ୍କୋର କରିଛନ୍ତି । ଟି-୨୦ମହିଳା ଅଣ୍ଡର-୧୯ ବିଶ୍ବକପରେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋର ରହିଛି ୨୯୭ । ତେବେ ତ୍ରିଶା ଫାଇନାଲରେ ଆଉ ୩୯ ରନ କଲେ ବିଶ୍ବ ରେକର୍ଡ କରିବେ । ସେପଟେ ବ୍ୟାଟିଂ ସାଙ୍ଗକୂ ବୋଲିଂରେ ମଧ୍ୟ ଭାରତ ଏବେ ଭଲ ପ୍ରଦର୍ଶନ ଜାରି ରଖିଛି । ଏଣୁ ଭାରତ ଚାମ୍ପିୟନ ହେବାର ଦାବିଦାର ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ରଖିଛନ୍ତି ।
ବିଦ୍ୟାଳୟକୁ ପୂଜା କରିବାକୁ ଗଲାବେଳେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ
ନନ୍ଦିଘୋଷ ବ୍ୟୁରୋ: ସରସ୍ଵତୀ ପୂଜାରେ ଅଘଟଣ । ବିଦ୍ୟାଳୟକୁ ପୂଜା କରିବାକୁ ଗଲାବେଳେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମୂର୍ଶୁଣ୍ଢି ମେଟାକାନି ଛକରେ । ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ପିଟି ହୋଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ଛାତ୍ର ହେଲେ ଚୌକା ଗାଁର ନବମ ଶ୍ରେଣୀର ଛାତ୍ର କ୍ରିସ ମହାକୁର । ଚୌକା ଗାଁର ଦୁଇଜଣ ଛାତ୍ର ମୂର୍ଶୁଣ୍ଢି ରଘୁନାଥ ଉଚ୍ଚ ବିଦ୍ୟାଳୟକୁ ସ୍ବରସ୍ବତୀ ପୂଜା ପାଇଁ ବାଇକ ଯୋଗେ ଆସୁଥିଲେ । ମେଟାକାନି ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲେ । ଦୁଇ ଛାତ୍ର ଗୁରୁତର ଅବସ୍ଥାରେ ପଡିଥିବା ବେଳେ ଦୁଇ ଛାତ୍ରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ । ତେବେ ଡାକ୍ତର ପ୍ରାଥମିକ ଚିକିତ୍ସା କରି କ୍ରିସକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତର ଛାତ୍ର ଦେବାଶିଷକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଦୁଇ ଜଣଙ୍କୁ ଦଳି ଚକଟି ଦେଲେ ଦନ୍ତା
ନନ୍ଦିଘୋଷ ବ୍ୟୁରୋ: ରକ୍ତମୁଖା ପାଲଟିଲେ ହାତୀ। ଦୁଇ ଜଣଙ୍କୁ ଦଳି ଚକଟି ଦେଲେ ଦନ୍ତା। କଳାହାଣ୍ଡି ବିଶ୍ୱନାଥପୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଲାଞ୍ଜିଗଡ ସେକ୍ସନର କାଦୋମାଳି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ରକ୍ତମୁଖା ଗଜରାଜଙ୍କ ତାଣ୍ଡବଲୀଳା ଦେଖିବାକୁ ମିଳିଛି। ମୃତକ ହେଲେ କାଦୋମାଳି ଗାଁର ମୁଗାନ ମାଝୀ ଓ ଗାଦ ମାଝୀ। ଦଳିଚକଟି ଦେବା ପରେ ମୃତଦେହକୁ ଏଣେତେଣେ ଫୋପାଡି ଦେଇଛନ୍ତି ହାତୀ। ଘଟଣାସ୍ଥଳରେ ପୋଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚିଛନ୍ତି। ହାତୀଙ୍କୁ ଘଉଡାଇବାରେ ବନ ବିଭାଗ ବିଫଳ ହେଉଥିବାରୁ ଏଭଳି ଘଟଣା ଘଟୁଛି। ଜଙ୍ଗଲଛାଡ଼ି ବାରମ୍ବାର ଜନବସତି ମୁହାଁ ହେଉଛନ୍ତି ହାତୀପଲ।
ଉଦିତଙ୍କ ଭିଡିଓ ଭାଇରାଲ ପରେ ଆଦିତ୍ୟଙ୍କୁ କରାଯାଉଛି ଟ୍ରୋଲ
ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣ ଏକ ଶୋ’ ସମୟରେ ଜଣେ ଫ୍ୟାନ୍ସଙ୍କୁ କିସ୍ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓକୁ ନେଇ ତାଙ୍କ ପୁଅ ଆଦିତ୍ୟଙ୍କୁ ଏବେ ଟ୍ରୋଲ କରାଯାଉଛି । ସେ ମଧ୍ୟ ଝିଅଙ୍କଠାରୁ ମାଡ଼ ଖାଇଥିବାକୁ ନେଇ ଟ୍ରୋଲ କରାଯାଉଛି । ତେବେ ଘଟଣାଟି ଘଟିଥିଲା ୨୦୧୧ ମସିହାରେ । ଏକ ପବରେ ମଦ୍ୟପାନ କରିଥିବାବେଳେ ଜଣେ ଯୁବତୀଙ୍କୁ କିଛି ଖରାପ କଥା କହିଥିଲେ । ଯେଉଁ କାରଣରୁ ଯୁବତୀ ଜଣକ ଆଦିତ୍ୟଙ୍କୁ ମାଡ଼ ମାରିଥିବା କୁହାଯାଉଛି । ତେବେ ସେହି ସମୟରେ ଆଦିତ୍ୟଙ୍କ ସହ ତାଙ୍କ ପତ୍ନୀ ଯିଏକି ସେତେବେଳେ ଗାର୍ଲଫ୍ରେଣ୍ଡ ଥିଲେ । ସେ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଥିଲେ । କିନ୍ତୁ ଆଦିତ୍ୟ ଏହାକୁ ଅସ୍ବିକାର କରିଛନ୍ତି । ସେ କହିଛନ୍ତି କି, ଆମର କେବଳ ଯୁକ୍ତି ତର୍କ ହୋଇଥିଲା । କେବଳ ଏତିକି ନୁହେଁ ବିମାନରେ ଯାତ୍ରା ସମୟରେ କର୍ମଚାରୀଙ୍କ ଖରାପ ବ୍ୟବହାର କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ । ସେପଟେ ଉଦିତ ନାରାୟଣ ଭାଇରାଲ ହେବା ପରେ କହିଥିଲେ କି, ଅଯଥାରେ ଏଭଳି କରାଯାଉଛି ।
ସରସ୍ବତୀ ପୂଜାରେ ସ୍ବତନ୍ତ୍ର ବ୍ୟବସ୍ଥା, ୩ କୋଟି ଶ୍ରଦ୍ଧାଳୁ ପକାଇ ପାରିବେ ବୁଡ଼
ନନ୍ଦିଘୋଷ ବ୍ୟୁରୋ: ଆଜି ସାରା ଦେଶରେ ବସନ୍ତ ପଞ୍ଚମୀ ପାଇଁ ଉତ୍ସବ ମୁଖର ରହିଛି । ପବିତ୍ର ସରସ୍ବତୀ ପୂଜା ଉପଲକ୍ଷେ ସଙ୍ଗମସ୍ଥଳରେ ବୁଡ଼ ପକାଇବାକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ୩ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି । ନିକଟରେ ଦଳାଚକଟାରେ ବହୁ ଲୋକଙ୍କ ପ୍ରାଣ ହାନୀ ହୋଇଥିବାବେଳେ ବହୁ ଶ୍ରଦ୍ଧାଳୁ ଆହତ ମଧ୍ୟ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଣୁ ସମସ୍ତ ବ୍ୟବସ୍ଥା କରାଯିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଯାଇ ସଙ୍ଗମ ସ୍ଥଳ ଦେଖି ଆସିଛନ୍ତି । ଭିଆଇପିଙ୍କ ପାସ୍ ବାତିଲ କରାଯାଇଥିବାବେଳେ ସୁରକ୍ଷା ଗୁରୁତ୍ବ ଦିଆଯାଇଛି । ଯେଭଳି କୌଣସି ଅସୁବିଧା ନହୁଏ ପ୍ରଶାସନ ଦୃଷ୍ଟି ଦେଉ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ମାଡ଼ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ମାଡ଼ ଅଭିଯୋଗ । ଭୁବନେଶ୍ବର ଭରତପୁର ଥାନା ଘାଟିକିଆ ଛକ ନାକା ଗେଟ୍ ନିକଟରେ ଥିବା ଅଂଜଳି ହୋଟେଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । କିଛି ଗ୍ରାହକ ହୋଟେଲକୁ ଖାଇବାକୁ ଆସିଥିଲେ । ନିଜ ପସନ୍ଦ ମୁତାବକ ଖାଇବା ଅର୍ଡର କରିଥିଲେ । ହେଲେ ଖାଇବା ଦେବାରେ ୨ ମିନିଟ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ଗ୍ରାହକମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଆହତ ଓ୍ବେଟର ଥାନାରେ ଏତଲା ଦେଇଛନ୍ତି । ପୋଲିସ CCTV ଆଧାରରେ ତଦନ୍ତ ଜାରି ରଖିଛି ।
ଜାଣନ୍ତୁ ଦ୍ବିତୀୟ ଦିନରେ କେତେ ରୋଜଗାର କଲା ’ଦେବା’
ନନ୍ଦିଘୋଷ ବ୍ୟୁରୋ: ସାହିଦ କପୁର ଏବଂ ପୂଜାଙ୍କ ଅଭିନୀତ ଫିଲ୍ମ ’ଦେବା’ ରିଲିଜର ଆଜି ତୃତୀୟ ଦିନ । ଆକ୍ସନ ଥ୍ରୀଲର ଭରା ଏହି ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରୁଥିବା ଶୁଣିବାକୁ ମିଳୁଛି । ତେବେ ଫିଲ୍ମ କେତେ ରୋଜଗାର କରିଛି ଏହା ଉପରେ ସବୁବେଳେ ସମସ୍ତଙ୍କର ନଜର ରହିଥାଏ । ୮୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଦୁଇଦିନ ମଧ୍ୟ ୧୧.୭ କୋଟି ଟଙ୍କା ଆୟ କରିଛି । ତେବେ ଆଜି ରବିବାର ଛୁଟି ଦିନ ରହିଥିବାରୁ ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ଆକ୍ସନ ଭରା ଏହି ଫିଲ୍ମ ଭଲ ରୋଜଗାର କରିବ ବୋଲି ଆଶା ରଖାଯାଇଛି । ମାତ୍ର ଏଯାବତ ବଡ଼ ରୋଜଗାର କରିନାହିଁ । ମାତ୍ର ଫିଲ୍ମ ଭଲ ହୋଇଥିବା ଦେଖିଥିବା ଦର୍ଶକେ କହିଛନ୍ତି । ଏଣୁ ଆଗାମୀ ଦିନରେ ଭଲ ରୋଜଗାର କରିବ ବୋଲି କୁହାଯାଉଛି ।
https://www.instagram.com/shahidkapoor/?utm_source=ig_embed&ig_rid=3cf9711a-4ae1-405d-aa63-4d45b04514b3
ଘୋଷଯାତ୍ରା ପାଇଁ ଆଜି ରଥକାଠ ପୂଜାର୍ଚ୍ଚନା
ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ସଂଗ୍ରହର ହେବ ପୂଜାର୍ଚ୍ଚନା । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ଥିବା ୩ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜା ପରେ ଏହି କାଠ ଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଥମେ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଡ଼ିଂ କରାଯାଇ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯିବାର ରହିଛି ପରମ୍ପରା ।
ଏହାପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠତ୍ରୟର ପୂଜାର୍ଚ୍ଚନା ହେବ । ତେବେ ନିର୍ମାଣ ସମୟରେ ଏହି ପୂଜା ହୋଇଥିବା କାଠରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ଗୁଜ ଅନୁକୂଳ କରାଯିବ। ଶ୍ରୀମନ୍ଦିର ପ୍ରଶାସନ, ରଥକାଠ ତତ୍ତ୍ୱାବଧାରକ, ଭୋଇ ସର୍ଦ୍ଧାର ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ପ୍ରାୟ ଏକ ଘଣ୍ଟା ଧରି ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ହେବ। ରଥନିର୍ମାଣ ପାଇଁ ଚଳିତବର୍ଷ ୮୬୫ ଖଣ୍ତ କାଠ ଆବଶ୍ୟକ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୧ ଖଣ୍ତ ରଥକାଠ ପୁରୀ ଆସି ସାରିଛି। ଯେଉଁଥିରେ ୪୮ ଟି ଅସନ ଓ ୫୩ ଟି ସଉରା କାଠ ରହିଛି । ପୂର୍ବ ବର୍ଷର ୫୧ ଖଣ୍ତ କାଠ ଗଛିତ ଥିବା ବେଳେ ଆଜି ରଥକାଠ ଅନୁକୂଳ ପରେ ବିଭିନ୍ନ ପର୍ଯ୍ୟାୟରେ ସର୍ବମୋଟ ୮୧୪ ଖଣ୍ତ ରଥକାଠ ଆସିବ। ପ୍ରତିବର୍ଷ ରଥଯାତ୍ରା ପାଇଁ ସରସ୍ୱତୀ ପୂଜାରୁ ହିଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହେଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥକାର୍ଯ୍ୟ ଆରମ୍ଭ ହେବ।
ଆଜି ଖେଳି ପାରନ୍ତି ମହମ୍ମଦ ସାମି
ନନ୍ଦିଘୋଷ ବ୍ୟୁରୋ: ରବିବାର ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ଟି-୨୦ । ୫ ମ୍ୟାଚ ବିଶିଷ୍ଟ ସିରିଜରୁ ଭାରତ ୩-୧ରେ ସିରିଜ ଜିତିଛି । ତେବେ ଶେଷ ମ୍ୟାଚରେ ଖେଳି ପାରନ୍ତି ମହମ୍ମଦ ସାମି । ଆଜି ଓ୍ବାଙ୍ଖଡେରେ ମ୍ୟାଚ ଖେଳାଯିବାକୁ ଯାଉଛି । ତୃତୀୟ ଟି-୨୦ରେ ସାମିକୁ ସୁଯୋଗ ମିଳିଥିଲା । କିନ୍ତୁ ଏହି ମ୍ୟାଚରେ ତାଙ୍କୁ କୌଣସି ଓ୍ବିକେଟ ମିଳିନଥିଲା । ତେବେ ଆଜିର ମ୍ୟାଚରେ ସେ ଭଲ ବୋଲିଂ କରିବେ ବୋଲି ଆଶା ରଖାଯାଇଛି । ନେଟରେ ଅଭ୍ୟାସ ଜୋରଦାର କରୁଥିବା ସାମି ଦଳକୁ ଫେରିବା ପାଇଁ ବହୁ ସଂଘର୍ଷ କରିଛନ୍ତି । ୨୦୨୩ ବିଶ୍ବକପ ପରେ ଆହତ କାରଣରୁ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଥିଲେ । ଫିଟ ହେବା ପରେ ପୁଣିଥରେ ଦଳରେ ତାଙ୍କୁ ସ୍ଥାନ ମିଳିଛି । ତେବେ ଚାମ୍ପିୟନ୍ସ ଟ୍ରଫିରେ ସାମି କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।
ଆଜି ଭାରତ-ଇଂଲଣ୍ଡ ମଧ୍ଯରେ ପଞ୍ଚମ ତଥା ଶେଷ ଟି-ଟ୍ବେଣ୍ଟି ମୁକାବିଲା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ସଂଧ୍ଯା ୭ଟାରେ ଖେଳାଯିବ ମ୍ଯାଚ । ୩ଟି ମ୍ଯାଚ ଜିତି ଭାରତ ସିରିଜ୍ ହାତେଇ ସାରିଥିବାବେଳେ ଏହି ପଞ୍ଚମ ମ୍ଯାଚକୁ ଜିତି ନିଜର ମନୋବଳ ଦୃଢ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ୫ ଟିକିଆ ସିରିଜରେ ୩-୧ରେ ଅଗ୍ରଣୀ ରହିଛି ମ୍ଯାନ ଇନ୍ ବ୍ଲୁ । ସୂର୍ଯ୍ଯକୁମାର ଯାଦବଙ୍କ ନେତୃତ୍ବରେ ଟିମ ଏହି ସିଜନରେ ଭଲ ପ୍ରଦର୍ଶନ କରିଛି । ସେପଟେ ଏହି ମ୍ଯାଚ ଜିତି ଆଗାମୀ ସିରିଜ ପାଇଁ ନିଜର ବ୍ଯାଟିଂକୁ ସୁଦୃଢ କରିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ତେଣୁ ୱାଙ୍ଖଡେରେ ଆଜି ମ୍ଯାଚ ରୋମାଞ୍ଚକ ହେବା ଆଶା କରିଛନ୍ତି କ୍ରିକେଟପ୍ରେମୀ । ଏହାପରେ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ ଏକଦୀବସୀୟ ସିରିଜ । ୩ ଟିକିଆ ସିରିଜର ଦ୍ବିତୀୟ ମ୍ଯାଚ ଫେବୃଆରୀ ୯ ତାରିଖରେ କଟକ ବାରବାଟୀରେ ଖେଳାଯିବ ।

