ନନ୍ଦିଘୋଷ ବ୍ୟୁରୋ : ଚଳିତ ବଜେଟରେ ଓଡ଼ିଶା ରେଳବାଇକୁ ମିଳିବ କି ପ୍ରାଧାନ୍ୟ। ଓଡ଼ିଶାରେ ରେଳପଥର ବିକାଶ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥରେ ଦେବେ କେତେ କୋଟି। ଗତ ୨୦୨୦-୨୧ରେ ଓଡ଼ିଶାକୁ ମିଳିଥିଲା ୪,୩୭୩ କୋଟି ଟଙ୍କା। ୨୦୨୧-୨୨ରେ ମିଳିଥିଲା ୬, ୯୯୫ କୋଟି ଟଙ୍କା। ୨୦୨୨-୨୩ରେ ଓଡ଼ିଶାକୁ ମିଳିଥିଲା ୯, ୭୩୪ କୋଟି। ସେହିପରି ୨୦୨୩-୨୪ରେ ଓଡ଼ିଶାକୁ ମିଳିଥିଲା ୧୦, ୦୧୨ କୋଟି। ୨୦୨୪-୨୫ରେ ରେଳ ଅନୁଦାନ ଥିଲା ୧୦ ହଜାର ୫୮୬ କୋଟି। ଗତ ୨୦୨୫-୨୬- ରେଳ ଅନୁଦାନ ଥିଲା ୧୦, ୫୯୯ କୋଟି । ୨୦୨୪ ତୁଳନାରେ ଗତ ୨୦୨୫ର ବଜେଟ ଥିଲା ମାତ୍ର ୧୩ ପ୍ରତିଶତ ଅଧିକ । ସେପଟେ ଓଡ଼ିଶା ପ୍ରତି ରେଳବାଇର ବୈମାତୃକ ମନୋଭାବ ସର୍ବଦା ପ୍ରକାଶ ପାଇଆସିଛି। ବର୍ଷ ବର୍ଷ ଧରି ଅଟକି ରହିଛି ୯ ରେଳପ୍ରକଳ୍ପ। ବାଂଶପାଣି-ଟମକ-ଯଖପୁରା ଦୋହରୀକରଣ, ସମ୍ବଲପୁର- ତାଳଚେର ଦୋହରୀକରଣ, କରପଡା- ବୁଢ଼ାପଙ୍କ ରେଳ ପ୍ରକଳ୍ପ, ବୁଢ଼ାପଙ୍କ- ସାଲେଗାଁଓ ରେଳ ପ୍ରକଳ୍ପ, ଭଦ୍ରକ- ନିର୍ଗୁଣ୍ଡି ରେଳ ପ୍ରକଳ୍ପ, , ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ, ଖୋର୍ଦ୍ଧାରୋଡ-ବଲାଙ୍ଗୀର ବ୍ରଡଗଜ ପ୍ରକଳ୍ପ, ତାଳଚେର-ବିମଳାଗଡ଼ ବ୍ରଡଗଜ୍ ପ୍ରକଳ୍ପ, ବାରଙ୍ଗ- ଖୋର୍ଦ୍ଧା ତୃତୀୟ ଲାଇନ ପ୍ରକଳ୍ପ ଅଟକି ରହିଛି। ଏସବୁ ପ୍ରତି ସରକାର ଅଧିକ ବ୍ୟୟବରାଦ କରିବେ ବୋଲି ଆଶା ପ୍ରକାଶ ପାଉଛି।
ଆଜି ଆଗତ ହେବ ୨୦୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟ ; ଅର୍ଥନୈତିକ ସଫଳତା, କ୍ଷେତ୍ରଭିତ୍ତିକ ବିକାଶ ସମ୍ପର୍କରେ ଉଲ୍ଲେଖ
ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ର ବଜେଟ ପୂର୍ବରୁ ଆଜି ଆଗତ ହେବ ୨୦୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟ। ଦେଶର ଅର୍ଥନୈତିକ ସଫଳତା, କ୍ଷେତ୍ରଭିତ୍ତିକ ବିକାଶ, ନୀତିଗତ ସଫଳତା, ଭବିଷ୍ୟତ ଆଭିମୁଖ୍ୟ ସମ୍ପର୍କରେ ଏହି ରିପୋର୍ଟରେ ସ୍ଥାନ ପାଇବ। କେନ୍ଦ୍ର ବଜେଟ ଆଗତ ପୂର୍ବରୁ ପ୍ରତିବର୍ଷ ଉପସ୍ଥାପିତ ହୋଇଥାଏ ଅର୍ଥନୈତିକ ସର୍ଭେ ରିପୋର୍ଟ। ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଉପସ୍ଥାପିତ ହୋଇଥାଏ ଅର୍ଥନୈତିକ ସର୍ଭେ ରିପୋର୍ଟ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ବରେନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ଏହି ରିପୋର୍ଟରେ ଦେଶ ପ୍ରତି ସମ୍ଭାବ୍ୟ ଅର୍ଥନୈତିକ ଚାଲେଞ୍ଜ ସମ୍ପର୍କରେ ଉଲ୍ଲେଖ କରାଯାଇଥାଏ। ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫୀତି, ନିଯୁକ୍ତି, ରାଜସ୍ବ ସ୍ଥିତି ସମ୍ପର୍କରେ ଏଥିରେ ଦର୍ଶାଯାଇଥାଏ। ସେହିପରି କୃଷି, ଶିଳ୍ପ, ସେବା, ଭିତ୍ତିଭୂମି ଓ ବାହ୍ୟ ବାଣିଜ୍ୟ ସମ୍ପର୍କରେ ବିଶ୍ଳେଷଣ କରାଯାଇଥାଏ। ୧୯୫୦-୫୧ରେ ପ୍ରଥମ ଥର ଲାଗି ଆଗତ ହୋଇଥିଲା ଅର୍ଥନୈତିକ ସର୍ଭେ ରିପୋର୍ଟ। ସଂସଦରେ ଦେଶର ଆର୍ଥିକ ସ୍ଥିତିକୁ ଉପସ୍ଥାପିତ କରିବା ଲାଗି ଏହି ରିପୋର୍ଟ ପେସ୍ ହୋଇଥାଏ। ପୂର୍ବରୁ ଗୋଟିଏ ଦିନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଓ ବଜେଟ ଆଗତ ହେଉଥିଲା। ମାତ୍ର ୧୯୬୪ରୁ ଏହାକୁ ଅଲଗା କରିଦିଆଯାଇଥିଲା।
କଲମ୍ବିଆରେ ପ୍ଲେନ କ୍ରାସ ; ଜଣେ ସାଂସଦଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ : କଲମ୍ବିଆରେ ପ୍ଲେନ କ୍ରାସ। ଜଣେ ସାଂସଦଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ। କୁକୁଟାରୁ ଓକାନା ଯାଉଥିବା ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ତାହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କଲମ୍ବିଆ-ଭେନେଜୁଏଲା ସୀମାନ୍ତରେ ଘଟିଥିଲା ଦୁର୍ଘଟଣା। ମୃତକଙ୍କ ଭିତରେ ରହିଛନ୍ତି ଜଣେ ସାଂସଦ, ୧୨ ଯାତ୍ରୀ ଓ ୨ କ୍ରିଉ ମେମ୍ବର। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି କଲମ୍ବିଆର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ। ଏହି ବିମାନଟି ରାଷ୍ଟ୍ରୀୟ ଏୟାରଲାଇନ ସାତେନା ଦ୍ବାରା ଅଫରେଟ ହେଉଥିଲା। କୁକୁଟା ଇଲାକାରେ ବାରମ୍ବାର ପାଗ ପରିବର୍ତ୍ତନ ହେଉଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ସେହି ଅଞ୍ଚଳରେ ବି କଲମ୍ବିଆର ସବୁଠାରୁ ବଡ଼ ଗରିଲା ବାହିନୀ ନ୍ୟାସନାଲ ଲିବରେସନ ଆର୍ମି ସକ୍ରିୟ ରହିଥାଏ। ଉଦ୍ଧାର ପ୍ରକ୍ରିୟାରେ ଏୟାରଫୋର୍ସକୁ ନିୟୋଜିତ କରାଯାଇଛି। ବିମାନଟି ବ୍ରିଚକ୍ରାଫ୍ଟ ୧୯୦୦ ଟୁଇନ ପ୍ରପେଲଡ ଶ୍ରେଣୀର ଥିଲା।
ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ
ଫୁଲବାଣୀ : ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଏଥି ସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗବାଡି ଥାନା ଅଞ୍ଚଳର ରୋହିତ ନାୟକ । ଗତ ୨୦୨୫ ମାର୍ଚ୍ଚ ୧ ତାରିଖ ଦିନ ପୀଡିତା ନାବାଳିକା ଜଣକ ଏକୁଟିଆ ଘରେ ଥିବା ବେଳେ ଅଭିଯୁକ୍ତ ରୋହିତ ଘରେ ପଶି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏନେଇ ଥାନାରେ ଏତାଲା ହେବା ପରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣୀ କରି ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ଦଣ୍ଡାଦେଶ ଶୁଣାଣି କରିଛନ୍ତି ।
ଅଜିତଙ୍କ ପରେ କିଏ ଧରିବେ ଏନସିପି ମଙ୍ଗ?
ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ପରେ କିଏ ହେବେ ଏନସିପି ନେତା ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଗତ ମହାରାଷ୍ଟ୍ର ପୌର ନିର୍ବାଚନରେ ଏନସିପିର ଫ୍ଲପ ଶୋ ହୋଇଥିବାବେଳେ ରାଜ୍ୟ ରାଜନୀତିରେ ନୂଆ ସମୀକରଣକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ତେବେ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ପାୱାର ଦଳର ନେତା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୁନେତ୍ରା ମରାଠାୱାଡ଼ା ଅଞ୍ଚଳର ଧରାଶିବରୁ ଆସିଥିବାବେଳେ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ପଦ୍ମସିଂହ ପାଟିଲଙ୍କ ଭଉଣୀ। ସେ ୧୯୮୫ରେ ଅଜିତଙ୍କୁ ବିବାହ କରିଥିଲେ। ଏପରିକି ତାଙ୍କୁ ପାୱାର ବୋହୂ ବୋଲି ସମ୍ବୋଧନ କରାଯାଉଥିଲା। ଗତ ଲୋକସଭା ନିର୍ବାଚନରେ ଶରଦ ପାୱାରଙ୍କ ଝିଅ ତଥା ଏନସିପି(ଏସପି) ନେତ୍ରୀ ସୁପ୍ରିୟା ସୁଲେଙ୍କଠାରୁ ବାରାମତି ଆସନରେ ଦେଢ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ। ରାଜ୍ୟ ରାଜନୀତିରେ ବିଶେଷ ସକ୍ରିୟ ନଥିବା ସୁନେତ୍ରାଙ୍କ ଉପରେ କିନ୍ତୁ ଏବେ ଫୋକସ ରହିଛି। ସେ ଜଣେ ସାମାଜିକ କର୍ମୀ, ଶିଳ୍ପପତି ଓ ଆକାଡେମିକ ଆଡମିନଷ୍ଟ୍ରେଟର। ଛଅ ଥରର ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାରଙ୍କ ପତ୍ନୀ ହୋଇ ସୁଦ୍ଧା ସେ ଲୋ ପ୍ରୋଫାଇଲ ଜୀବନ କାଟୁଥିଲେ। ବର୍ତ୍ତମାନ ସେ ବାରାମତି ଟେକ୍ସଟାଇଲ କମ୍ପାନୀର ଅଧ୍ୟକ୍ଷା ଅଛନ୍ତି। ଏହା ସହ ପରିବେଶ ଆନ୍ଦୋଳନ ସହ ଜଡ଼ିତ। ସେପଟେ ଦଳରେ ବର୍ତ୍ତମାନ ପ୍ରଫୁଲ୍ଲ ପଟେଲ, ଓବିସି ବର୍ଗର ନେତା ଛଗନ ଭୁଜବଳ, ପୂର୍ବତନ ମହାରାଷଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ ବି ଦଳର ନେତୃତ୍ବ ନେଇପାରନ୍ତି ବି ଚର୍ଚ୍ଚା ଚାଲିଛି। ଅଜିତଙ୍କ ପୁଅ ପାର୍ଥ କିମ୍ବା ପୁତୁରା ରୋହିତଙ୍କୁ ନେଇ ବି ଚାଲିଛି କଳ୍ପନା ଜଳ୍ପନା।
ଲଗାତାର ୪ ବର୍ଷ ଧରି ସାମରିକ ଶକ୍ତି ରାଙ୍କିଂରେ ପଛରେ ରହିଛି ପାକିସ୍ତାନ…
ନନ୍ଦିଘୋଷ ବ୍ୟୁରୋ ; ଗ୍ଲୋବାଲ୍ ଫାୟାରପାୱାର ଦ୍ୱାରା ପ୍ରକାଶିତ ୨୦୨୬ ସାମରିକ ଶକ୍ତି ରାଙ୍କିଂରେ ପାକିସ୍ତାନ ୧୪ତମ ସ୍ଥାନରେ ରହିଛି । ପାକିସ୍ତାନ ୨୦୨୩ରେ ୭ମ, ୨୦୨୪ରେ ୯ମ ଏବଂ ୨୦୨୫ରେ ୧୨ତମ ସ୍ଥାନରେ ଥିଲା। ଏହି ସମୟରେ, ଆମେରିକା, ରୁଷ, ଚୀନ୍ ଏବଂ ଭାରତ ଚାରି ବର୍ଷ ଧରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଗ୍ଲୋବାଲ୍ ଫାୟାରପାୱାର ଏହାର ୨୦୨୬ ରାଙ୍କିଂରେ ୧୪୫ଟି ଦେଶର ସାମରିକ କ୍ଷମତା ମୂଲ୍ୟାଙ୍କନ କରିଛି।
ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର କ୍ଷମତା, ପ୍ରତିରକ୍ଷା ବଜେଟ୍, ପ୍ରଯୁକ୍ତିବିଦ୍ୟା, ଲଜିଷ୍ଟିକ୍ ସମର୍ଥନ, ବାୟୁସେନା, ନୌସେନା ଏବଂ ଆର୍ଥିକ ସ୍ଥିରତା ସମେତ ୬୦ରୁ ଅଧିକ ପାରାମିଟର ଉପରେ ଏହି ରାଙ୍କିଂ ଆଧାରିତ। ଏହି ମୂଲ୍ୟାଙ୍କନରେ ପାକିସ୍ତାନ ପଛକୁ ଖସି ଚାଲିଛି। ଆସନ୍ତୁ ପାକିସ୍ତାନର ରାଙ୍କିଂରେ କ୍ରମାଗତ ହ୍ରାସ ପଛରେ ଥିବା କାରଣଗୁଡ଼ିକୁ ଅନୁସନ୍ଧାନ କରିବା।
୧. ଦୁର୍ବଳ ଅର୍ଥନୀତି
ପାକିସ୍ତାନର ହ୍ରାସ ପାଉଛି ରାଙ୍କିଂ ମୁଖ୍ୟତଃ ଏହାର ଦୁର୍ବଳ ଅର୍ଥନୀତି ପାଇଁ ଦାୟୀ। ଦେଶ ଦୀର୍ଘ ସମୟ ଧରି ଆର୍ଥିକ ସଙ୍କଟ ସହିତ ଜଡ଼ିତ ରହିଛି। ବୈଦେଶିକ ଋଣ, ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ହ୍ରାସ ପାଉଥିବା ବୈଦେଶିକ ମୁଦ୍ରା ଭଣ୍ଡାର ସିଧାସଳଖ ଏହାର ପ୍ରତିରକ୍ଷା ବଜେଟକୁ ପ୍ରଭାବିତ କରିଛି। ପାକିସ୍ତାନ ଏହାର ସାମରିକ ଖର୍ଚ୍ଚକୁ ଯଥେଷ୍ଟ ବୃଦ୍ଧି କରିପାରିବ ନାହିଁ କିମ୍ବା ବଡ଼ ପରିମାଣରେ ଆଧୁନିକ ଅସ୍ତ୍ରଶସ୍ତ୍ର କିଣିପାରିବ ନାହିଁ।
୨. ସାମରିକ ଆଧୁନିକୀକରଣର ଧୀର ଗତି
ଆମେରିକା, ଚୀନ୍, ରୁଷ ଏବଂ ଭାରତ ନିରନ୍ତର ନୂତନ ପ୍ରଯୁକ୍ତିବିଦ୍ୟା, ଡ୍ରୋନ୍, କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ, ସାଇବର ଯୁଦ୍ଧ ଏବଂ ମହାକାଶ କ୍ଷମତାରେ ନିବେଶ କରୁଥିବା ବେଳେ, ପାକିସ୍ତାନର ଧ୍ୟାନ ସୀମିତ ସମ୍ବଳ ସହିତ ଏହାର ପାରମ୍ପରିକ ସାମରିକ ଭିତ୍ତିଭୂମି ବଜାୟ ରଖିବା ଉପରେ ସୀମିତ ରହିଛି।
୩. ସାମରିକ ସମ୍ବଳର ଅଭାବ
ପାକିସ୍ତାନର ବାୟୁସେନା ଏବଂ ନୌସେନା ମଧ୍ୟ ସମ୍ବଳ ଅଭାବରୁ ପୀଡିତ। ପୁରୁଣା ଲଢ଼ୁଆ ବିମାନ, ସୀମିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଏକ ଛୋଟ ଜାହାଜ ସେମାନଙ୍କର ଦୁର୍ବଳତାକୁ ସ୍ପଷ୍ଟ କରୁଛି। ଏହି ସମୟରେ, ପଡ଼ୋଶୀ ଭାରତ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର, ବିମାନ ବାହକ, ପରମାଣୁ ବୁଡ଼ାଜାହାଜ ଏବଂ ଆଧୁନିକ କ୍ଷେପଣାସ୍ତ୍ର ପ୍ରଣାଳୀ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି।
୪. ପାକିସ୍ତାନର ଆଭ୍ୟନ୍ତରୀଣ ଚ୍ୟାଲେଞ୍ଜ
ଆଭ୍ୟନ୍ତରୀଣ ଚ୍ୟାଲେଞ୍ଜଗୁଡ଼ିକ ମଧ୍ୟ ପାକିସ୍ତାନର ସାମରିକ କ୍ଷମତାକୁ ପ୍ରଭାବିତ କରୁଛି। ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱା ଭଳି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା କରିବା ପାଇଁ ସେନାର ସମ୍ବଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆବଶ୍ୟକ, ଯାହା ବାହ୍ୟ ମୋର୍ଚ୍ଚା ଉପରେ ଏହାର ଧ୍ୟାନ ହ୍ରାସ କରେ।
ଇରାନକୁ ଟ୍ରମ୍ପ ଧମକ : ପରମାଣୁ ଚୁକ୍ତି କର, ନଚେତ୍ ପରବର୍ତ୍ତୀ ଆକ୍ରମଣ ବିପଜ୍ଜନକ ହେବ…
ନନ୍ଦିଘୋଷ ବ୍ୟୁରୋ ; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଇରାନକୁ ତୁରନ୍ତ ଏହାର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବାକୁ ପଡିବ । ନଚେତ୍ ପରବର୍ତ୍ତୀ ଆମେରିକା ଆକ୍ରମଣ ଆହୁରି ବିପଜ୍ଜନକ ହେବ। ଟ୍ରମ୍ପ ବୁଧବାର ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ ଇରାନକୁ ଏକ ଚୁକ୍ତିରେ ପ୍ରବେଶ କରିବା ଉଚିତ ଯେଉଁଥିରେ ପରମାଣୁ ଅସ୍ତ୍ର ବିକାଶ ବନ୍ଦ କରିବାକୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଛି। ଟ୍ରମ୍ପ କହିଛନ୍ତି ଯେ ସମୟ ସରି ଆସୁଛି ଏବଂ ପରିସ୍ଥିତି ଭୟଙ୍କର।
ଟ୍ରମ୍ପ ମନେ ପକାଇଥିଲେ ଯେ ଇରାନକୁ ତାଙ୍କର ପୂର୍ବ ଚେତାବନୀ ପରେ ଜୁନ୍ ମାସରେ ଇରାନ ଉପରେ ଏକ ସାମରିକ ଆକ୍ରମଣ ହୋଇଥିଲା। ସେ ପୁନର୍ବାର କହିଥିଲେ ଯେ ଯଦି ଇରାନ ତାହା ପାଳନ ନ କରେ, ତେବେ ପରବର୍ତ୍ତୀ ଆକ୍ରମଣ ଅଧିକ ଗମ୍ଭୀର ହେବ। ସେ ଏହା ମଧ୍ୟ କହିଥିଲେ ଯେ ଏକ ବଡ଼ ଆମେରିକୀୟ ନୌସେନା ନୌବାହିନୀ ଇରାନ ଆଡକୁ ମୁହାଁଇଛି।
ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, “ଏକ ବିଶାଳ ଯୁଦ୍ଧ ଜାହାଜ ଇରାନ ଆଡକୁ ମୁହାଁଇଛି। ଏହା ବିଶାଳ ବିମାନ ବାହକ ଆବ୍ରାହମ ଲିଙ୍କନଙ୍କ ନେତୃତ୍ୱରେ ଭେନେଜୁଏଲାକୁ ପଠାଯାଇଥିବା ନୌବାହିନୀଠାରୁ ମଧ୍ୟ ବଡ଼। ଭେନେଜୁଏଲା ପରି, ଏହି ନୌବାହିନୀ ପ୍ରସ୍ତୁତ ଏବଂ ଆବଶ୍ୟକ ହେଲେ ଦ୍ରୁତ ଗତିରେ ଏବଂ ହିଂସା ସହିତ ଏହାର ମିଶନକୁ ସଫଳ କରିବାକୁ ସକ୍ଷମ। ମୁଁ ପୂର୍ବରୁ ଇରାନକୁ କହିସାରିଛି, ଏକ ଚୁକ୍ତି କର। ସେମାନେ ତାହା କଲେ ନାହିଁ, ଏବଂ ଜୁନ୍ ୨୦୨୫ରେ ଅପରେସନ୍ ମିଡନାଇଟ୍ ହାମର୍ ଘଟିଥିଲା, ଯାହା ଇରାନକୁ ଧ୍ୱଂସ କରିଥିଲା। ପରବର୍ତ୍ତୀ ଆକ୍ରମଣ ଆହୁରି ବିଧ୍ୱଂସକାରୀ ହେବ। ଏହି ବିଷୟରେ ଆପଣଙ୍କ ଧ୍ୟାନ ପାଇଁ ଧନ୍ୟବାଦ।”
ଟ୍ରମ୍ପ ପୂର୍ବରୁ କହିଥିଲେ ଯେ ଯଦି ଇରାନ ସରକାର ପ୍ରତିବାଦକାରୀଙ୍କ ବିରୋଧରେ ହିଂସା ଆଚରଣ କରେ ତେବେ ଆମେରିକା ହସ୍ତକ୍ଷେପ କରିପାରିବ। ଯଦିଓ ଇରାନରେ ବିରୋଧ ବର୍ତ୍ତମାନ ଶାନ୍ତ ହୋଇଯାଇଛି, ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଯଦି ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ପୁନଃ ଆରମ୍ଭ କରେ ତେବେ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଜୁନ୍ ମାସରେ, ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଇରାନର ପ୍ରମୁଖ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲେ।
ଏହି ସମୟରେ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି କହିଛନ୍ତି ଯେ ସେ ଗତ କିଛି ଦିନ ମଧ୍ୟରେ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ ୱିଟକଫଙ୍କ ସହ କଥା ହୋଇନାହାଁନ୍ତି କିମ୍ବା ଇରାନ କୌଣସି ଆଲୋଚନା ଚାହୁଁନାହିଁ। ଏହା ସ୍ପଷ୍ଟ ଭାବରେ ସୂଚାଇ ଦିଏ ଯେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଅଧିକ ରହିଛି ଏବଂ ପରିସ୍ଥିତି ଦୁର୍ବଳ ରହିଛି।
ମୁକୁଳା କୂଅରେ ପଡି ଯୁବକ ମୃତ
ଜଟଣୀ : ଜଟଣୀ ହରିଭାଇନା ଛକରେ ଥିବା ମୁକୁଳା କୂଅରେ ପଡି ଯୁବକ ମୃତ । ମୃତକ ହେଲେ ରାମଚନ୍ଦ୍ରପୁରର ରାକେଶ ସାମଲ । ରାକେଶ କୂଅରେ ପଡିଥିବା ବେଳେ ଖବର ପାଇ ଜଟଣୀ ଅଗ୍ନିଶମ ବାହିନୀ ଯୁବକଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିି କରିଥିଲା । ସେଠାରେ ଡାକ୍ତର ରାକେଶଙ୍କୁ ମୃତୁ ଘୋଷଣା କରିଛନ୍ତି । ଜଟଣୀ ପୌରପରିଷଦର ଖାମଖିଆଲି ମନବୃତି ପାଇଁ ଯୁବକଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହେଉଛି । ଜଟଣୀ ପୌରପରିଷଦ ଅଧୀନରେ ଥିବା ବିଭିନ୍ନ କୂଅ ଏବେ ଖୋଳା ମେଲାରେ ପଡିଛି । ଯାହାଦ୍ୱରା ଅନେକ ଦୁର୍ଘଟଣା ଘଟୁଛି । ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ପୋଲିସ ପହଁଚି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
ଆରମ୍ଭ ହେଲା ଓ୍ବାନ ପ୍ୟାନ, ଓ୍ବାନ ଲାଇସେନ୍ସ ବ୍ୟବସ୍ଥା…
ଭୁବନେଶ୍ବର : ଆରମ୍ଭ ହେଲା ଓ୍ବାନ ପ୍ୟାନ, ଓ୍ବାନ ଲାଇସେନ୍ସ ବ୍ୟବସ୍ଥା। ପୂର୍ତ୍ତ ବିଭାଗରେ ଠିକାଦାର ଡାଟାବେସ ସିଷ୍ଟମକୁ ଅଧିକ ସୁଦୃଢ କରାଯାଇଛି। କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ୩.୦ରେ ଠିକାଦାର ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ଵଚ୍ଛ, ସରଳ ଓ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ତ୍ତ ବିଭାଗ ବ୍ୟତୀତ ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ଏହି ବ୍ୟବସ୍ଥା ଆପଣାଇବେ। ୨୦୧୮ ମସିହାରେ ମାନୁଆଲ ପରିଚାଳନା ବ୍ୟବସ୍ଥା ଦୂର କରି ଇ-ଗଭର୍ଣ୍ଣାନ୍ସର ଅଂଶ ବିଶେଷ ଭାବେ CDMS ଆପ୍ଲିକେସନ ଆରମ୍ଭ ହୋଇଥିଲା। ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନୂଆ ଆପ୍ଲିକେସନର ଶୁଭାରମ୍ଭ କରିଥିବା ବେଳେ, ୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜାତୀୟ ରାଜପଥର ୨୯ଟି ପ୍ରୋଜେକ୍ଟ, ଓବିସିସିର ୨୧ ପ୍ରକଳ୍ପ, ରାସ୍ତା ବିଭାଜନର ୧୨ଟି ପ୍ରୋଜେକ୍ଟ, ୧୨ଟି ପୋଲ କାମର ସମୀକ୍ଷା ହୋଇଛି। ରାଜସ୍ବ ବିଭାଗ, ଶକ୍ତି ବିଭାଗ ଓ ଜଙ୍ଗଲ ବିଭାଗର ସମନ୍ବୟ ଅଭାବ ଯୋଗୁଁ ପ୍ରକଳ୍ପ ସରିବାରେ ବିଳମ୍ବ ହେଉଥିବାରୁ ଏହାକୁ ତ୍ବରାନିତ କରିବାକୁ ବିଭାଗୀୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଇ-ଆଇବି ଡିଜିଟାଲ ବୁକିଂ ପ୍ଲାଟଫର୍ମର ଶୁଭାରମ୍ଭ ହୋଇଛି। ପୂର୍ତ୍ତ ବିଭାଗ ଅଧୀନରେ ଭୁବନେଶ୍ୱର, ପୁରୀ ଓ କୋଣାର୍କରେ ଥିବା ଡାକବଙ୍ଗଳା ବୁକିଂ ଓ ଆବଣ୍ଟନ ପ୍ରକ୍ରିୟାକୁ ଇ-ଆଇବି ପ୍ଲାଟଫର୍ମ ସହଜ ଓ ସରଳ କରିବ। ଏହା ବିଭାଗ ଓ ସାଧାରଣ ଜନତାଙ୍କ ପାଇଁ ଲାଭପ୍ରଦ ହେବ। ଅନଲାଇନ ମାଧ୍ୟମରେ ରୁମ ବୁକିଂ ଓ ବାତିଲ ବ୍ୟବସ୍ଥା ସହ ବୁକିଂ ସମ୍ବନ୍ଧୀୟ ସୂଚନା ଯେ କୌଣସି ସ୍ଥାନରୁ ଜାଣିହେବ। ଆଗକୁ ରାଜ୍ୟର ସମସ୍ତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଏଥିରେ ଯୋଡ଼ିହେବ। ଇ-ଆଇବି ବୁକିଂ ବ୍ୟବସ୍ଥା ଠିକ୍ ଢଙ୍ଗରେ ଚାଲିଲେ ଅନ୍ୟ ବିଭାଗ ଗୁଡ଼ିକ ମଧ୍ୟ ଏହି ବ୍ୟବସ୍ଥାକୁ ଅନୁସରଣ କରିବେ ବୋଲି କହିଛନ୍ତି ମନ୍ତ୍ରୀ। ଲୋକସେବା ଭବନ କନଭେନସନ୍ ବୈଠକରେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ଠିକାଦାର ଓ ଅନ୍ୟ ଏଜେନ୍ସି ମାନେ ମଧ୍ୟ ଯୋଗ ଦେଇଥିଲେ। ପ୍ରୋଜେକ୍ଟ ଠିକ୍ ସମୟରେ ସାରିବା ଉପରେ ଗୁରୁତ୍ବ ଦେଇଛନ୍ତି ସରକାର।
ରାଜ୍ଯସଭା ଚତୁର୍ଥ ଆସନ ସସପେନ୍ସ, ବିଜେଡି ସାଜିବ କିଙ୍ଗ ମେକର !
ଭୁବନେଶ୍ବର : ରାଜ୍ଯସଭା ଚତୁର୍ଥ ଆସନ ସସପେନ୍ସ । ନବୀନଙ୍କୁ ଭେଟିବେ ଭକ୍ତ । ସଂଖ୍ୟାକୁ ନେଇ ସବୁ ଦଳର ଅଙ୍କକଷା । ବିଜେଡି କହିଲା, ସମୟ ଆସିଲେ ନେବୁ ନିଷ୍ପତ୍ତି । ସଂଖ୍ୟା ନାହିଁ, ହେଲେ ଆଶା ଅଧିକ । ରାଜ୍ୟସଭାର ଚତୁର୍ଥ ଆସନକୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ହେଲେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଚତୁର୍ଥ ଆସନ ପାଇଁ ଦୁଇ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି। ଉଭୟ ଦଳ ମୁଖ୍ୟ ବିରୋଧୀ ବିଜେଡିର ସମର୍ଥନ ଲୋଡିବାକୁ ଆଗଭର ହୋଇଛନ୍ତି । ଚତୁର୍ଥ ଆସନ ଲାଗି ଆମେ ବିଜେଡିକୁ ସମର୍ଥନ ମାଗିବୁ ବୋଲି କହିସାରିଛନ୍ତି ବିଜେପି ସାଂସଦ ବଳଭଦ୍ର ମାଝୀ । ଗଣତନ୍ତ୍ରରେ କାହାକୁ ଅନୁରୋଧ କରିବା କାହାକୁ ନିବେଦନ କରିବା କିଛି ଭୁଲ ନୁହେଁ ବୋଲି ସେ ଯୁକ୍ତି ବାଢିଥିଲେ । ବିଜେପି ପରେ ଏବେ କଂଗ୍ରେସ ପାଳି । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ରାଜ୍ୟସଭା ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ଫେବୁଆରୀ ପ୍ରଥମ ସପ୍ତାହରେ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ପିସିସି ସଭାପତି ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟକୁ ସମୟ ମାଗିଛନ୍ତି । । ଅନ୍ୟପଟେ ସଂଖ୍ୟା ନଥାଇ ମଧ୍ୟ ଯୋଗଣ ମନ୍ତ୍ରୀ କହିଛନ୍ତି ୪ଟି ଆସନ ବିଜେପି ହିଁ ନେବ । ରାଜନୀତିରେ ସବୁ ସମ୍ଭବ ବୋଲି ସେ କହିଛନ୍ତି ।
ଦୁଇ ଜାତୀୟ ଦଳ ଚତୁର୍ଥ ଆସନ ପାଇଁ ବିଜେଡିର ସହଯୋଗ ଲୋଡିବାକୁ ମନସ୍ଥ କରିବା ପରେ ବିରୋଧୀ ଦଳ ନେତାଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ସମୟ ଆସିଲେ ନବୀନ ନିଷ୍ପତ୍ତି ନେବେ। ନଈ ନଦେଖି ଲଙ୍ଗଳା ହେବା ଉଚିତ ନୁହେଁ ବୋଲି କହି ଦୁଇ ଦଳକୁ ସେ କଟାକ୍ଷ କରିଛନ୍ତି । ଏପ୍ରିଲ ମାସରେ ଓଡିଶାର ୪ଟି ଆସନ ଖାଲି ପଡୁଥିବାରୁ ୨ଟି ଆସନରେ ବିଜେପି ଓ ଗୋଟିଏ ଆସନ ବିଜେଡି ହାତେଇବା ନିଶ୍ଚିତ। ଚତୁର୍ଥ ଆସନ ପାଇଁ ଦୁଇ ଜାତୀୟ ଦଳ ବିଜେଡିର ସହଯୋଗ ଚାହୁଁଛନ୍ତି । ଚତୁର୍ଥ ଆସନ ପାଇଁ ବିଜେଡି କିଙ୍ଗ ମେକର ସାଜିଥିବାରୁ ସମସ୍ତଙ୍କ ନଜର ଏବେ ବିଜେଡି ଉପରେ ।

