spot_img
Home Blog Page 1053

ମୋବାଇଲ ଦେଖିବାକୁ ମାଆ ବାରଣ କରିବାରୁ ନାବାଳକ ପୁଅ କଲା ଆତ୍ମହତ୍ୟା

ରେଢ଼ାଖୋଲ: ଆଜିକାଲି ପିଲାଙ୍କୁ ମୋବାଇଲ କରିଛି ବାଇଆ । ଉଠିବାଠୁ ଶୋଇବା ପର୍ଯ୍ୟନ୍ତ ଖାଲି ମୋବାଇଲ ଆଉ ମୋବାଇଲ । ଯଦି କେହି ଏହାକୁ ନେଇ ବାରଣ କରୁଛନ୍ତି ତେବେ ସୃଷ୍ଟି ହେଉଛି ମହାଭାରତ । ମୋବାଇଲ ନମିଳିଲେ ନାନା ପ୍ରକାର ସମସ୍ୟା ସୃଷ୍ଟି କରୁଛନ୍ତି । ଏପରିକି ଆତ୍ମହତ୍ୟା ବି କରିବାକୁ ପଛାଉନାହାନ୍ତି । ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ । ମୋବାଇଲ ଦେଖୁଥିବା ନାବାଳକ ପୁଅକୁ ମାଆ ଗାଳି କରିବାରୁ ବେକରେ ରଶି ଲଗାଇ ଝୁଲି ପଡ଼ିଲା ୧୩ ବର୍ଷର ବାଳକ ।

ଅଭିଯୋଗ ଅନୁସାରେ, ରେଢ଼ାଖୋଲ ସହରର ଆମ୍ବେଦକର ନଗରରେ ମାଆ, ବାପାଙ୍କ ସହ ୧୩ ବର୍ଷର ଆର୍ୟନ ମୁଖୀ ରୁହନ୍ତି । ବୟସ କମ ହୋଇଥିଲେ ବି ସେ ମୋବାଇଲ ଅଭ୍ୟସ୍ତ ହୋଇ ଯାଇଥିଲେ । ଏପରିକି ଟିକିଏ ସମୟ ପାଇଁ ବି ମୋବାଇଲ ଛାଡୁ ନଥିଲେ । ଯାହାକୁ ନେଇ ତାଙ୍କ ମାଆ ତାଙ୍କୁ ଗାଳିଗୁଲଜ କରିବା ସହ ମୋବାଇଲ ନେଇଯାଇଥିଲେ ।

ଏଥିରେ ଆର୍ଯନ ଉତକ୍ଷିପ୍ତ ହୋଇଯାଇଥିଲେ । ହାତରୁ ମୋବାଇଲ ଚାଲିଯିବା ପରେ ଭୁଲି ଯାଇଥିଲେ ହିତାହିତ ଜ୍ଞାନ । ଆଉ ଜୀବନ ହାରିବା ଭଳି ନିଷ୍ପତ୍ତି ନେଇଯାଇଥିଲେ । ଘର ନିକଟରେ ଥିବା ଏକ ଗଛରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ନେଇଥିଲ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

୧୯ ଓ ୨୦ ତାରିଖରେ ଘଡ଼ଘଡ଼ି ସହ ବର୍ଷା, ତାତିରୁ ମିଳିବ ଆଶ୍ବସ୍ତି

ଭୁବନେଶ୍ବର: ହଠାତ ରାଜ୍ୟରୁ ଉଭାନ ହୋଇଗଲା ଶୀତ । ଟାଇଁ ଟାଇଁ ଖରା ଲୋକଙ୍କୁ କରୁଛି ଅସ୍ତବ୍ୟସ୍ତ । ରାତିରେ କିଛିମାତ୍ରାରେ ଥଣ୍ଡା ଅନୁଭବ ହେଉଥିଲେ ବି ଦିନରେ ତାତି ବଢ଼ିବାରେ ଲାଗିଛି । ଏପରିକି ଫେବୃଆରୀ ମାସରେ ପାରଦ ୩୫ ଡିଗ୍ରୀ ସେଲସିୟସ ଝୁଇଁଛି । ଲୋକେ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରଭାବକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି । ଏମିତି ସ୍ଥିତିରେ ପାଣିପାଗ ବିଭାଗ ପକ୍ଷରୁ ଆସିଛି ଆଶ୍ବସ୍ତିର ଖବର ।

ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୧୯ ଓ ୨୦ ତାରିଖରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖରେ ଏନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡା ।

ସେହିପରି ୨୦ ତାରିଖରେ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲା ହେଲା ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଦେବଗଡ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡା । ତେବେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ତାତି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ବର ସମେତ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଗଜପତି, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲି  ଆକଳନ କରାଯାଇଛି ।

ପରକୀୟା ପ୍ରୀତି ଅଭିଯୋଗ: ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ

ଅନୁଗୁଳ: ପରକୀୟା ପ୍ରୀତିକୁ ନେଇ ପାରିବାରିକ କଳହ । ସ୍ବାମୀ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ । ଏମିତି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନୂଆହତା ପଞ୍ଚାୟତ ପାଟଣାସାହିରୁ । ମୃତ ମହିଳା ହେଲେ ପାୟଲ ସାମଲ । ଅଭିଯୁକ୍ତ ସ୍ଵାମୀ ହେଲେ କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ସୁବ୍ରତ ସାମଲ ।

ଅଭିଯୋଗ ଅନୁସାରେ, ୮ ବର୍ଷ ପୂର୍ବେ ସୁବ୍ରତ ଏବଂ ପାୟଲ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ୫ ବର୍ଷର ଏକ ଝିଅ ରହିଛି । ସୁବ୍ରତ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନାରେ ଫିଟର ଭାବେ କରୁଛନ୍ତି । ବର୍ଷେ ହେବ ନୂଆହତା ପାଟଣାସାହିରେ ସ୍ତ୍ରୀ ଓ ଝିଅକୁ ନେଇ ଭଡାରେ ରହୁଥିଲେ ।

ପାୟଲ ଅନ୍ୟ କାହା ସହ ଫୋନରେ କଥା ହେଉଥିବା ନେଇ ସୁବ୍ରତ ସନ୍ଦେହ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛିଦିନ ହେବ ଝଗଡ଼ା ଲାଗି ରହିଥିଲା । ଗତକାଲି ଏହି କାରଣରୁ ଉଭୟଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା । ତେବେ ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା । ଏହି ସମୟରେ ସୁବ୍ରତ, ପାୟଲଙ୍କୁ ମାଡ଼ ମାରିଥିଲେ । ଫଳରେ ପାୟଲ ଅଚେତ ହୋଇ ପଡ଼ିଯାଇଥିଲେ । ତେବେ ପାୟଲ ଆଉ ନ ଉଠିବାରୁ ସୁବ୍ରତ ଘର ମାଲିକଙ୍କୁ ସୂଚନା ଦେଇଥିଲେ । ଏହାପରେ ଘର ମାଲିକ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାୟଲଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୋଲିସ ସୁବ୍ରତଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।

ଫେବୃଆରୀ ୧୮ରୁ ଭୁବନେଶ୍ୱରରେ କଂଗ୍ରେସର ସଂକଳ୍ପ ପଦଯାତ୍ରା

ଫେବୃଆରୀ ୧୮ରୁ ଭୁବନେଶ୍ୱରରେ କଂଗ୍ରେସର ସଂକଳ୍ପ ପଦଯାତ୍ରା। ଭୁବନେଶ୍ୱର ବିମାନବନ୍ଦର ଠାରୁ ପଦଯାତ୍ରା ଆରମ୍ଭ ହେବ। ଲିଙ୍ଗିପୁର, ପିପିଲି ଚନ୍ଦନପୁର ଦେଇ ପୁରୀ ଯାଏଁ ପଦଯାତ୍ରା କରିବ ଦଳ। ଫେବୃଆରୀ ୧୮ରୁ ୨୦ ତାରିଖ ଯାଏଁ ପଦଯାତ୍ରା କରିବ କଂଗ୍ରେସ। ପଦଯାତ୍ରାରେ ସାମିଲ ହେବେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ। ଆସନ୍ତା ୨୦ରେ ଶ୍ରୀଜୀଉଙ୍କ ନିକଟରେ ସଂକଳ୍ପ ନେବ ଦଳ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଦରଦାମ ବେକାବୁ, ବେକାରୀ ସମସ୍ୟା ରେକର୍ଡ ସ୍ତରରେ ପହଞ୍ଚିଛି। ବିଜେପି ସରକାର ବିରୋଧରେ କଂଗ୍ରେସର ଏହି ସଂକଳ୍ପ ଯାତ୍ରା । ଓଡିଶା ଲୋକଙ୍କ ସ୍ୱାଭିମାନ, ଅଧିକାର, ସମସ୍ୟା ପାଇଁ ଏହି ଯାତ୍ରା । ସାଧାରଣ ଲୋକଙ୍କ କଣ୍ଠରୋଧ କରିବା ଓ ଏକଛତ୍ରବାଦ ଶାସନକୁ ଅନ୍ତ କରିବା ପାଇଁ ଏହି ଯାତ୍ରା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ନିବେଶକଙ୍କ ପାଇଁ ବଡ଼ ସୁଯୋଗ: ଆସନ୍ତା ସପ୍ତାହରେ ଡିଭିଡେଣ୍ଡ ବଣ୍ଟନ କରିବେ ୫୦ଟି କମ୍ପାନୀ

ଆସନ୍ତା ସପ୍ତାହରେ ଶେୟାର ବଜାରରେ ଖୁସିର ମାହୋଲ ଦେଖିବାକୁ ମିଳିବ । ତିନି ମାସର ଫଳାଫଳ ଘୋଷଣା ପରେ ଏବେ କମ୍ପାନୀମାନେ ଡିଭିଡେଣ୍ଡ ଓ ବୋନସ ବାଣ୍ଟିବା ଆରମ୍ଭ କରିବେ । କମ୍ପାନୀମାନେ ନିଜର ପ୍ରଫିଟର ଏକ ବଡ଼ ଅଂଶ ନିଜର ଶେୟାର ହୋଲ୍ଡର୍ସଙ୍କ ମଧ୍ୟରେ ବାଣ୍ଟିବେ । ଏପରି କିଛି କମ୍ପାନୀ ବୋନସ ଘୋଷଣା କରି ସାରିଥିବା ବେଳେ ଆଉ କିଛି କରିବାକୁ ବାକି ଅଛନ୍ତି । ଧାର୍ଯ୍ୟ ସମୟ ସୁଦ୍ଧା ଯେଉଁମାନଙ୍କର ଡିମାଟ ଆକାଉଣ୍ଟରେ ଏହିସବୁ ଶେୟାରଗୁଡ଼ିକର ଦାବିଦାରିତା ରହିବ, ସେମାନଙ୍କୁ ଡିଭିଡେଣ୍ଡ ଓ ବୋନସ ଆକାରରେ ମୋଟା ଅଙ୍କର ଅର୍ଥ ମିଳିପାରେ । ଏଥିପାଇଁ ଶେୟାରର କ୍ରୟ କରିବା ସମୟରେ ନିଜର ଷ୍ଟ୍ରାଟେଜୀରେ ଡିଭିଡେଣ୍ଡ ବା ବୋନସର ଘୋଷଣା କରିସାରିଥିବା କମ୍ପାନୀମାନଙ୍କୁ ନିଶ୍ଚିତ ସାମିଲ କରିବା ଉଚିତ ।

ବଜାରରେ ଡିଭିଡେଣ୍ଡକୁ ନେଇ ଆଶା ଭରି ରହିଛି । ଆସନ୍ତା ସପ୍ତାହରେ ଏହାକୁ ନେଇ ଆକ୍ସନ ଦେଖିବାକୁ ମିଳିବ । ତିନି ମାସର ଫଳାଫଳ ସହ କମ୍ପାନୀମାନେ ଡିଭିଡେଣ୍ଡର ମଧ୍ୟ ଘୋଷଣା କରୁଛନ୍ତି । ଏବେ ଏହି କମ୍ପାନୀମାନଙ୍କର ଡିଭିଡେଣ୍ଡର ଡେଟ ମଧ୍ୟ ସାମ୍ନାକୁ ଆସିଛି । ୫୦ଟି କମ୍ପାନୀର ଡିଭିଡେଣ୍ଡର ରେକର୍ଡ ଡେଟ ଆସନ୍ତା ସପ୍ତାହରେ ପଡ଼ୁଛି । ଏକ କମ୍ପାନୀ ଏସବିଆଇ କାର୍ଡ ଆସନ୍ତା ସପ୍ତାହରେ ଡିଭିଡେଣ୍ଡର ଘୋଷଣା କରିବ । କମ୍ପାନୀ ରେକର୍ଡ ଡେଟ ଘୋଷଣା କରିଦେଇଛି । ଯେଉଁ କମ୍ପାନୀମାନେ ଡିଭିଡେଣ୍ଡ ଦେବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରୁ ୧୦ଟି କମ୍ପାନୀ ୧୦ ଟଙ୍କାରୁ ୧୧୦ ଟଙ୍କା ପର୍ଯ୍ୟନ୍ତ ଡିଭିଡେଣ୍ଡ ପ୍ରଦାନ କରିବେ ।

ଆସନ୍ତା ସପ୍ତାହରେ ଡିଭିଡେଣ୍ଡ ଦେବା ପାଇଁ ଅଏଲ ଇଣ୍ଡିଆ ଠାରୁ ଆରମ୍ଭ କରି ହିନ୍ଦୁସ୍ତାନ ଏରୋନେଟିକ୍ସ ପର୍ଯ୍ୟନ୍ତ କମ୍ପାନୀମାନେ ଘୋଷଣା କରିସାରିଛନ୍ତି । ଭାରତ ଫୋର୍ଜ, କେପିଆଇ ଏନର୍ଜୀ, ପ୍ରକ୍ଟର ଏଣ୍ଡ ଗ୍ଲୋବାଲ ହେଲଥ ପରି କମ୍ପାନୀମାନେ ମଧ୍ୟ ଏହି ରେସରେ ସାମିଲ ରହିଛନ୍ତି । ଏକ୍ସଚେଞ୍ଜ ଡେଟା ମୁତାବକ, କିଛି କମ୍ପାନୀ ଷ୍ଟକ୍ସ ସ୍ପିଲିଟସର ପ୍ରସ୍ତୁତି ମଧ୍ୟ କରିଛନ୍ତି । ଏପରି ଭାବେ ଆର୍ଟୋମିସ ଇଲେକ୍ଟ୍ରିକାଲ୍ସ, ଓ୍ବେକ୍ଟର୍ସ ଫୁଡ, କ୍ୟାମ୍ପସ ଏକ୍ଟିଭବିୟର, ଡାଲମିୟା ଭାରତ ସୁଗର ଓ ଆଇଆଇଏଫଏଲ କ୍ୟାପିଟାଲ ମଧ୍ୟ ସାମିଲ ରହିଛନ୍ତି ।

ପୋଲିସ କବଜାରେ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ବଡ଼ ରାକେଟ୍: ୪ ୟୁଟ୍ୟୁବର ଓ ଜଣେ ଶିକ୍ଷକ ଗିରଫ

କଟକ: ପୋଲିସ କବଜାରେ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ବଡ଼ ରାକେଟ୍ । ୟୁଟ୍ୟୁବ୍ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ବିକ୍ରି କରୁଥିଲେ ଅଭିଯୁକ୍ତ । ରାକେଟ୍‌ରେ ସଂପୃକ୍ତ ୪ ଜଣ ୟୁଟ୍ୟୁବର୍ ଓ ସରକାରୀ ସ୍କୁଲର ଜଣେ ଶିକ୍ଷକଙ୍କୁ ମଧ୍ୟ କଟକ ସାଇବର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ, ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର , ଭଦ୍ରକର ସୁଶାନ୍ତ କୁମାର ବିଶି ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାଇଶଙ୍କର ପାତ୍ର । ଗିରଫ ସ‌ହକାରୀ ଶିକ୍ଷକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଘନଶ୍ୟାମ ବେଉରା । ଅଭିଯୁକ୍ତଙ୍କ ଠାରୁ ୬ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଟ୍ୟାବ ଜବତ କରିଛି ପୋଲିସ। ଗତବର୍ଷ ନଭେମ୍ବର ମାସରେ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଆସୋସିଏସନ ବା ‘ଓଷ୍ଟା’ର ସଂପାଦକ ରଞ୍ଜନ କୁମାର ଦାଶ ସାଇବର ଥାନାରେ ଏ ନେଇ ଏକ ଏତଲା ଦେଇଥିଲେ। ଅକ୍ଟୋବର ୨୮ରୁ ନଭେମ୍ବର ୪ ମଧ୍ୟରେ ସ୍କୁଲସ୍ତରରେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ଚାଲିଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ। ଏପରିକ ପୂର୍ବ ବର୍ଷର ‘ପ୍ରି ବୋର୍ଡ’ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଭାଇରାଲ୍ କରାଯାଇଥିଲା | ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଗୁଗଲ୍ ଓ ଅନ୍ୟ ସଂସ୍ଥାଠାରୁ ଏକାଧିକ ବୈଷୟିକ ତଥ୍ୟ ମଗାଯାଇଥିଲା। ଏହି ତଥ୍ୟ ଯାଞ୍ଚ ପରେ ଘଟଣା ପଛରେ ଏକ ବଡ଼ ରାକେଟ କାମ କରୁଥିବା ଜଣାପଡ଼ିଥିଲା | ଏଥିରୁ ଅଭିଯୁକ୍ତ ମାନେ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ପୋଲିସ ଜାଣିବାକୁ ପାଇଛି।

ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ପରେ ଦେଖନ୍ତୁ କେମିତି ଥିଲା ସେହି ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ:  ଶନିବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟଫର୍ମ ନଂ ୧୩ ଏବଂ ୧୪ରେ  ହୋଇଥିଲା ଭୟଙ୍କର ଦଳାଚକଟା । ପ୍ରୟାଗରାଜ ଯାଉଥିବା ଦୁଇଟି ଟ୍ରେନ୍ ପ୍ଲାଟଫର୍ମ ନଂରେ ପରିବର୍ତ୍ତନ ହୋଇଥିବା ଗୁଜବ ପ୍ରଚାର ହେବା ପରେ ପ୍ଲାଟଫର୍ମରେ ଆରମ୍ଭ ହୋଇଯାଇଥିଲା ପ୍ରବଳ ଠେଲାପେଲା । ଏହି ଦୁର୍ଘଟଣାରେ ୧୮ଜଣଙ୍କ  ପ୍ରାଣ ଯାଇଥିବା ବେଳେ  ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି  । ଦୁର୍ଘଟଣା ପରେ ରେଳ କର୍ତ୍ତୃପକ୍ଷ ଏକ ବିଶେଷ ଟ୍ରେନର ବ୍ୟବସ୍ଥା କରି ଭିଡ କମାଇଥିଲେ  ।

ନୂଆଦିଲ୍ଲୀ ରେଳ ଷ୍ଟେସନର ଦଳଚକଟାରେ ୧୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ ରେଳଷ୍ଟେସନରେ ପ୍ରୟାଗରାଜ ମହାକୁମ୍ଭ ଯାଉଥିବା ଟ୍ରେନର ପ୍ଲାଟଫର୍ମ ନଂ ବଦଳିବା ପରେ ଯାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ଷ୍ଟେସନରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଘଟଣାଦିନ ଟ୍ରେନଟି ପ୍ଲାଟଫର୍ମ ୧୪ରେ ପହଞ୍ଚିବାର ଥିଲା । କିନ୍ତୁ ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ହିଁ ପ୍ଲାଟଫର୍ମ ନଂରେ ପରିବର୍ତ୍ତନ କରିଦିଆଗଲା । ଯାହା ଫଳରେ ଯାତ୍ରୀ ମାନେ ଟ୍ରେନ୍ ଆସିବା ପ୍ଲାଟଫର୍ମକୁ ଯିବା ପାଇଁ ଦୌଡିବା ଆରମ୍ଭ କରିଦେଲେ  । ଏହା ଦ୍ବାରା ବସିଥିବା ଏବଂ ଶୋଇଥିବା ଯାତ୍ରୀଙ୍କ ଉପରେ ମଧ୍ୟ କିଛି ଯାତ୍ରୀ ଚଢିଯାଇଥିଲେ  । ଫଳରେ ଅନେକ ଲୋକ ମୃତାହତ ହୋଇଥିଲେ  ।

ଷ୍ଟେସନରେ ଚାଲିଥିଲା ପ୍ରବଳ ପାଟିତୁଣ୍ଡ

ଷ୍ଟେସନରେ ଦଳାଚକଟା ପରେ ପ୍ରବଳ ଉତ୍ତେଜନା ହୋଇଥିଲା  । ଷ୍ଟେସନରେ ଦୋକାନ କରିଥିବା ଜଣେ ଦୋକାନୀ କହିଛନ୍ତି ଯେ , ମୁଁ ଆଜି ଯାଏଁ ଏତେ ବର୍ଷ ଷ୍ଟେସନରେ ଦୋକାନ କରିଥିଲେ ମଧ୍ୟ ଏମିତି ଭିଡ କେବେ ବି ଦେଖି ନାହିଁ । ଦୁର୍ଘଟଣା ସମୟରେ ପ୍ଲାଟଫର୍ମ ନଂ ୧୪ରେ ଥିବା ମୁଁ ମୋର ଦୋକାନରେ ଥିଲି । ଏବଂ ପ୍ଲାଟଫର୍ମରେ ପ୍ରବଳ ଭିଡ ମଧ୍ୟ ଥିଲା  । ଅଲଗା ଅଲଗା ପ୍ଲାଟଫର୍ମରେ ଟ୍ରେନ୍ ସବୁ ଆସୁଥିଲା । ଯେତେବେଳେ ପ୍ରୟାଗରାଜ ଯାଉଥିବା ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିଲା ସେତେବେଳେ ଟ୍ରେନ୍ର  ପ୍ଲାଟଫର୍ମ ନଂ ପରିବର୍ତ୍ତନର ଏକ ଘୋଷଣା ହେଲା  ।  ଯାତ୍ରୀମାନେ ସବୁ ଦୌଡିବା ଆରମ୍ଭ କଲେ  । ଏହି କାରଣରୁ ଆହୁରି ଦଳାଚକଟା ହେଲା  ।  ଯାତ୍ରୀମାନେ ପଡିବାକୁ ଲାଗିଲେ ଏବଂ କିଏ କାହା ଉପରେ ଚଢି ପଳାଇଗଲେ  ।

ଦଳାଚକଟାର ଏମିତି କିଛି ଲୋମହର୍ଷଣକାରୀ ଦୃଶ୍ୟ

ଦୁର୍ଘଟଣା ପରେ ଦିଲ୍ଲୀ ରେଳ ଷ୍ଟେସନରେ ଭୟଙ୍କର ଦୃଶ୍ୟ ସବୁ ଦେଖିବାକୁ ମିଳିଛି । ଦଳାଚକଟା ପରେ ଷ୍ଟେସନରେ କେଉଁଠି କାହାରି ଜୋତା, ଚପଲ ଏବଂ ବିଭିନ୍ନ ଜିନିଷ ଏଣେ ତେଣେ ବିଛାଡି ହୋଇପଡିଥିବା ଦୃଶ୍ୟ ସାମ୍ନାକୁ ଆସିଛି । କାହାରି ସ୍ବେଟର , ରୁମାଲ୍ ପଡିଥିବାବେଳେ ଖାଇବା ପିଇବା ସାମଗ୍ରୀ ମଧ୍ୟ ପଡିରହିଛି । ଛୋଟ ପିଲାଙ୍କର କ୍ଷୀର ବୋତଲ ମଧ୍ୟ ପଡିଥିବାର ଦୃଶ୍ୟ ନଜର ଆସିଛି  । ଷ୍ଟେସନରେ ଏଭଳି  ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି  ।

ପ୍ଲାଟଫର୍ମର ସିଡିରେ ଏଣେତେଣେ ପଡିଛି ଜିନିଷ

ପ୍ଲାଟଫର୍ମର ସିଡିରେ ଲୋକଙ୍କ ଚପଲ ଏବଂ ପୋଷାକ ଏଣେ ତେଣେ ବିଛାଡି ହୋଇ ପଡିଛି । ଏହି ଚିତ୍ରରୁ ଜାଣିହେଉଛି ଯେ ଦୁର୍ଘଟଣା ବେଳର ସ୍ଥିତି କେତେ ଭୟଙ୍କର ଥିବ । ଏବେ ସେହି ପଡିଥିବା ଜିନିଷ ଉପରେ ଚଢି ଲୋକେ ଯିବା ଆସିବା କରୁଛନ୍ତି  ।

କାନ୍ଦବୋବାଳିରେ ଫାଟିଲା ଷ୍ଟେସନ ପରିସର

ଘଟଣା ପରେ ମୃତକଙ୍କ ପରିବାରଜନଙ୍କ କାନ୍ଦି କାନ୍ଦି ଅବସ୍ଥା ଖରାପ । ଲୁହ ଛଳ ଛଳ ଆଖିରେ ପରିବାରବର୍ଗ ନିଜ ସମ୍ପକୀୟଙ୍କ ମରଶରୀରକୁ ଘରକୁ ନେଇ ଯାଉଛନ୍ତି । ସେମାନେ କେବେ ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ ଯେ ଏହି ଦଳଚକଟାରେ ତାଙ୍କର ପରିବାର ପୁରା ଉଜାଡିଦେବ ।

ସିଡିରେ ବସିଥିବା ଲୋକେ ଭିଡତଳେ ଦବିଗଲେ

ଷ୍ଟେସନରେ କୁଲି କାମ କରୁଥିବା ରିଙ୍କୁ ମୀନା କହିଛନ୍ତି ଯେ,ଦଳାଚକଟା ସମୟରେ ମୁଁ ସିଡି ଉପରେ ଛିଡା ହୋଇଥିଲି । ଟ୍ରେନ ପ୍ରଥମେ ପ୍ଲାଟଫର୍ମ ନଂ ୧୪ରେ ଆସିବାର ଥିଲା । କିନ୍ତୁ ସାଙ୍ଗେ ସାଙ୍ଗେ ପ୍ଲାଟଫର୍ମ ନଂ ରେ ପରିବର୍ତ୍ତନ ହେବ ବୋଲି ଘୋଷଣା ହେଲା । ଏହା ପରେ ସିଡିରେ ବସିଥିବା ଲୋକେ ହଡବଡେଇ ଗଲେ । ଏବଂ ଯାତ୍ରୀମାନେ  ଦୈାଡା ଦୌଡି ହେବା ଫଳରେ ସିଡିରେ ବସିଥିବା ଲୋକଙ୍କ ଉପରେ ଚଢିଯାଇଥିଲେ । ଫଳରେ ଅନେକ ଲୋକଙ୍କର ଜୀବନ ଚାଲିଗଲା  ।

ପ୍ଲାଟଫର୍ମର ଉଭୟ ପାର୍ଶ୍ବରେ ଭିଡ ଥିଲା

ଆଉ ଜଣେ ଦୋକାନୀ ରମଣ କହିଛନ୍ତି ଯେ , ଟ୍ରେନ୍ ଆସିବା ପାଇଁ ଗୋଟିଏ ଜାଗାରେ ବହୁତ ଲୋକ ଏକାଠି ଠିଆ ହୋଇଥିଲେ । ଏତେ ଭିଡ ଥିଲା ଯେ ଆଗକୁ କିଛି ଦେଖା ବି ଯାଉନଥିଲା  ।  ପୋଲିସ୍ ମଧ୍ୟ ସେଠି ଭିଡ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲା  । ଯାତ୍ରୀମାନେ କହୁଥିଲେ ଯେ ଟ୍ରେନକୁ ଏହି ପ୍ଲାଟଫର୍ମରୁ ହଟେଇ ଆଉ କେଉଁ ପ୍ଲାଟଫର୍ମକୁ ପରିବର୍ତ୍ତନ କରାଯାଉଛି  । ଉଭୟ ପାର୍ଶ୍ବ ପ୍ଲାଟଫର୍ମରେ ପ୍ରବଳ ଭିଡ ଥିଲା  । ଏହା ପରେ ଲୋକମାନେ ଦୈାଡିବାକୁ ଲାଗିଲେ ଏବଂ ଦଳାଚକଟା ଆରମ୍ଭ ହୋଇଗଲା  ।

କେମିତି ଘଟିଲା ଏହି ଅଘଟଣ ?

ଏଭଳି ଅଘଟଣ କିପରି ଘଟିଲା ବୋଲି ସେ ସମ୍ପର୍କରେ ଉତ୍ତର ରେଳବାଇର ସିପିଆରଓ ହିମାଶୁଂ ଶେଖର ମଧ୍ୟ ଏକ ବିବୃତି ଦେଇଛନ୍ତି । ସେ କହିଛନ୍ତି ଯେ, ଘଟଣା ସମୟରେ ପ୍ଲାଟଫର୍ମ ନଂ ୧୪ରେ ପାଟନା ଯିବା ପାଇଁ  ମଗଧ ଏକ୍ସପ୍ରେସ୍ ଟ୍ରେନ୍ ଛିଡା ହୋଇଥିବା ବେଳେ ପ୍ଲାଟଫର୍ମ ନଂ ୧୫ରେ ଜମ୍ମୁ ଯିବା ପାଇଁ ସମ୍ପର୍କ କ୍ରାନ୍ତି ଟ୍ରେନ୍ ଛିଡା ହୋଇଥିଲା । ଏହି ସମୟରେ ପ୍ଲାଟଫର୍ମରେ ପ୍ରବଳ ଭିଡ ଥିଲା  । କେତେ ଯାତ୍ରୀ ଖସି ପଡିଯାଇଥିଲେ ଏବଂ ତାଙ୍କ ଉପରେ କିଛି ଯାତ୍ରୀ ଚଢିଯାଇଥିଲେ  ।

ଦୁର୍ଘଟଣାରେ କ୍ଷତିପୂରଣ

ଦଳାଚକଟା ପରେ ପ୍ରଭାବିତ ଲୋକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି । ଭାରତୀୟ ରେଳବାଇ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛି । ରେଳବାଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତ ଯାତ୍ରୀଙ୍କୁ ୨.୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଯାତ୍ରୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି ।

ଚାମ୍ପିୟନ୍ସ ଟ୍ରଫି ପାଇଁ ପୁଣି ବିକ୍ରି ହେବ ଟିକେଟ: ICC ଘୋଷଣା କଲା ତାରିଖ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଏହା ମଧ୍ୟରେ ଟିମ୍ ଇଣ୍ଡିଆା ଦୁବାଇରେ ପହଞ୍ଚି ସାରିଛି । ଫେବୃଆରୀ ୨୦ରୁ ବାଂଲାଦେଶ ବିପକ୍ଷରୁ ଭାରତ ତା’ର ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ଆଇସିସି କରିଛି ଏକ ବଡ଼ ଘୋଷଣା । ଆଇସିସିର ଏହି ନିଷ୍ପତ୍ତି ଏବେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଆଣି ଦେଇଛି ଏକ ବଡ଼ ସୁଯୋଗ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଭାରତ ଦୁବାଇରେ ଖେଳିବ । ଏଥର ଚାମ୍ପିୟନ୍ସ ଟ୍ରଫିରେ ଦୁଇ ପାରମ୍ପରି ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଥିବାରୁ ଉକ୍ତ ମ୍ୟାଚକୁ ସମସ୍ତେ ପ୍ରତୀକ୍ଷା କରି ରହିଛନ୍ତି । ଆସନ୍ତା ୨୩ରୁ ଏହି ଦୁଇ ଟିମ୍ ମଧ୍ୟରେ ମୁକାବିଲା ହେବ ।

ଟିମ୍ ଇଣ୍ଡିଆର ଗ୍ରୁପ ମ୍ୟାଚଗୁଡ଼ିକର ଟିକେଟ ଆଇସିସି ଫେବୃଆରୀ ୩ରେ ବିକ୍ରି ଆରମ୍ଭ କରିଥିଲା । ମାତ୍ର କିଛି ସମୟ ମଧ୍ୟରେ ସବୁ ଟିକେଟ ବିକ୍ରି ସରିଯାଇଥିଲା । ତେଣୁ ଏବେ ଆଇସିସି ଏକ ବଡ଼ ନିଷ୍ପତ୍ତି ନେଇଛି । ଟିମ୍ ଇଣ୍ଡିଆର ମ୍ୟାଚଗୁଡ଼ିକ ପାଇଁ ଅତିରିକ୍ତ ଟିକେଟ ଉପଲବ୍ଧ କରାଇବା ପାଇଁ ଆଇସିସି ନିଷ୍ପତ୍ତି ନେଇଛି । ଫେବୃଆରୀ ୧୬ ତାରିଖ ଦିନ ଦ୍ବିପ୍ରହର ୧.୩୦ରୁ ଅତିରିକ୍ତ ଟିକେଟ ଉପଲବ୍ଧ ହେବ । ଏହି ଅବସରରେ ଫ୍ୟାନ୍ସ ଟିମ୍ ଇଣ୍ଡିଆର ସମସ୍ତ ଗ୍ରୁପ ଷ୍ଟେଜର ମ୍ୟାଚ ପାଇଁ ଟିକେଟ କିଣି ପାରିବେ । ମାର୍ଚ୍ଚ ୪ରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ସେମିଫାଇନାଲ-୧ର ମଧ୍ୟ ଟିକେଟ ଉପଲବ୍ଧ ହେବ ।  ଟିକେଟକୁ ଅନଲାଇନ ଓ ସିଧାସଳଖ ଟିକେଟ କଲେକ୍ସନ ସେଣ୍ଟରରୁ କ୍ରୟ କରିହେବ, ଯାହାକି ଦୁବାଇରେ ରହିଛି । ’ପ୍ରଥମେ ଆସନ୍ତୁ ପ୍ରଥମେ ନିଅନ୍ତୁ’ ଆଧାରରେ ଟିକେଟ ବିକ୍ରି କରାଯିବ ।

ସଫେଇ କର୍ମଚାରୀ ସହଦେବ ନାୟକ ହତ୍ୟାକାଣ୍ଡ ମାମଲା: ଥାନାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ବର: ସଫେଇ କର୍ମଚାରୀ ସହଦେବ ନାୟକ ହତ୍ୟା ମାମଲା । ମଞ୍ଚେଶ୍ବର ଥାନାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ରମା ନାୟକ । ମଞ୍ଚେଶ୍ବର ଥାନାରେ ଆତ୍ମସମର୍ପଣ ପରେ ରମାକୁ ଗିରଫ କରିଛି ପୋଲିସ। ୪୦ ଦିନ ପରେ ସେ ଆତ୍ମସମର୍ପଣ କରିଛି । ଆଜି ତାକୁ କୋର୍ଟଚାଲାଣ କରାଯିବ । ଜାନୁଆରୀ ୮ ତାରିଖରେ ସଫେଇ କର୍ମଚାରୀ ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିଲା। ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ଅଭିଯୁକ୍ତ । ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିସାରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି କରି ଧାରଣାରେ ବସିଥିଲେ ସହଦେବଙ୍କ ପତ୍ନୀ । ନହେଲେ ବିଧାନସଭା ଆଗରେ ଧାରଣାରେ ବସିବେ ବୋଲି ସେ ଚେତାବନୀ ଦେଇଥିଲେ ।

ଓଡ଼ିଶାର ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ: ୧୧୦୧ଟି ପଦ ପୂରଣ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ବର: ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା ପୋଷ୍ଟାଲ ସର୍କଲ ତରଫରୁ ୧୧୦୧ଟି ପଦ ପୂରଣ ପାଇଁ ପ୍ରକାଶ ପାଇଁ ବିଜ୍ଞପ୍ତି । ଯୋଗ୍ୟ ପ୍ରାର୍ଥୀଙ୍କୁ ଗ୍ରାମୀଣ ଡାକ ସେବକ (GDS), (ବ୍ରାଞ୍ଚ ପୋଷ୍ଟମାଷ୍ଟର-BPM/ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର –ABPM / ଡାକ ସେବକ)ଙ୍କୁ ନିଯୁକ୍ତି ଦିଆଯିବ । https://indiapostgdsonline.gov.in/ ଓ୍ବେବସାଇଟକୁ ଯାଇ ପ୍ରାର୍ଥୀମାନେ ଏହି ନିଯୁକ୍ତିର ସବିଶେଷ ତଥ୍ୟ ପାଇ ପାରିବେ । ଫେବୃଆରୀ ୧୦ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଅନଲାଇନ ପଞ୍ଜିକରଣ ଚାଲିବ । ମାର୍ଚ୍ଚ ୬ରୁ ୮ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ।

BPM ପଦ ପାଇଁ ପ୍ରାର୍ଥୀଙ୍କ ବେତନ ହାର ୧୨ ହଜାର- ୨୯,୩୮୦ ଟଙ୍କା ରହିଥିବା ବେଳେ ABPM/ ଡାକ ସେବକ ପଦ ପାଇଁ ବେତନ ହାର ୧୦ ହଜାର- ୨୪,୪୭୦ ଟଙ୍କା ରହିଛି । ଏହି ପଦରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ୟକ । OBC, SC, ST ଆଦି ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁଯାୟୀ ପ୍ରାର୍ଥୀଙ୍କ ବୟସ କୋହଳ କରାଯିବ ।  ଜିଡିଏସ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଦଶମ ପାସ କରିବା ସହ ଗଣିତ ଓ ଇଂରାଜୀ ବିଷୟରେ ପାସିଂ ମାର୍କ ରଖିଥିବେ । କମ୍ପ୍ୟଟର ଜ୍ଞାନ, ସାଇକ୍ଲିଂ ଜ୍ଞାନ, ଜୀବିକାର ପ୍ରକୃତ ଅର୍ଥ ଉପରେ ପ୍ରାର୍ଥୀଙ୍କର ଅନ୍ୟ ଯୋଗ୍ୟତା ରହିଥିବା ଆବଶ୍ୟକ ।

ନୋଟିଫିକେସନ ଲିଙ୍କ: https://indiapostgdsonline.cept.gov.in/Notifications1/Model_Notification.pdf