ନନ୍ଦିଘୋଷ ବ୍ୟୁରୋ: ଗରାଖ ବେଶରେ ଯାଉଥିଲେ । ପରିବା ହାଟରୁ ଲୁଟୁଥିଲେ । ଲିଙ୍ଗରାଜ ଥାନା ଅଧିନ ବିଭିନ୍ନ ହାଟରୁ ଲୁଟ ନେଇ ହୋଇଥିଲା ଅଭିଯୋଗ । ୩ ଲୁଟେରାଙ୍କ ସହ ୧୨ଟି ଗାଡ଼ି ଜବତ କଲା ପୋଲିସ୍ । ଗାଡି ଲୁଟିବା ପରେ କମ ଦାମରେ ସ୍ପେୟାର ପାର୍ଟସ ବିକ୍ରି କରୁଥିଲେ ଅଭିଯୁକ୍ତ । ଲୁଟେରାଙ୍କ ଘର ଗଞ୍ଜାମ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ରହିଛି ମାମଲା । ଚୋରା ଗାଡ଼ି ଧରିବା ପାଇଁ ଭୁବନେଶ୍ଵର କମିଶନରେଟ ପୋଲିସର ସ୍ପେସାଲ ଡ୍ରାଇଭ ଜାରି ରହିଛି । ପୋଲିସ ପକ୍ଷରୁ ଏହି ଅପରେସନକୁ ଜୋରଦାର କରାଯାଇଛି । ବଡ଼ କଥା ହେଲା ଗାଡ଼ି ଚୋରି କରାଯାଇ ସେହି ଗାଡ଼ିରେ ବିଭିନ୍ନ ଅପରାଧ କରୁଛନ୍ତି ଦୁର୍ବୃତ୍ତ । ପୋଲିସକୁ ଏହି ସୂଚନା ମିଳିବା ପରେ ଧରପଗଡ଼ ଜୋରଦାର ହୋଇଛି । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସାଦା ପୋଷାକରେ ପୋଲିସ ମୁତୟନ ହେଉଛନ୍ତି । ଗାଡ଼ି ଚୋରିରୁ ରକ୍ଷା ପାଇଁ ସତର୍କ ରହିବା ସହିତ ଡବଲ୍ ଲକ୍ ପକାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ଵର ଡିସିପି ପିନାକ ମିଶ୍ର ।
ଦୁଇ ଯାତ୍ରୀଙ୍କ ଉପରେ ଆମ ବସ ଚଢିଯିବା ଘଟଣା: ବିଦାହେଲେ ବସର ଡ୍ରାଇଭର ଓ ଗାଇଡ୍
ନନ୍ଦିଘୋଷ ବ୍ୟୁରୋ: ଅଳ୍ପକେ ବର୍ତ୍ତିଲେ ୨ ଯୁବକ। ଆମ ବସ ସଂପର୍କିତ ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଗାଡ଼ିଟି ପାର୍କିଂରେ ଥିବା ବେଳେ ହଠାତ୍ ଷ୍ଟାର୍ଟ ହୋଇ ଆଗକୁ ବଢିଯିବାରୁ ୨ ଜଣ ଆହତ ହୋଇଛନ୍ତି। ଏ ସଂପର୍କିତ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଆଜି ସକାଳ ପ୍ରାୟ ୧୦ଟା ବେଳେ, ମାଷ୍ଟର କ୍ୟାଣ୍ଟିନ ବସ୍ ଟର୍ମିନାଲ ପାର୍କିଂରେ ୨୩ ନମ୍ବର ରୁଟରେ ଯାଉଥିବା OD 33 AJ 2671 ଏସି ବସଟି ରହିଥିଲା। ବସଟି ପାର୍କିଂରେ ଥିବାବେଳେ ସେହି ଛାଇରେ ୨ ଜଣ ଯୁବକ ବସିରହିଥିଲେ। ମାତ୍ର ବସଟି ହଠାତ୍ ଗଡ଼ିବାକୁ ଲାଗିଥିଲା। କ୍ରୁଟର କହିବା ଅନୁସାରେ ୨୦ ମିନିଟ ଗାଡ଼ି ରହିଥାଏ। ଏହାପରେ ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରି ଆଗକୁ ଗଡ଼ାଇବା ବେଳକୁ ୨ ଜଣ ତଳେ ରହିଯାଇଥିଲେ। ଗାଇଡ୍ ଓ ଡ୍ରାଇଭରର ଦାୟିତ୍ବହୀନତାରୁ ଏଭଳି ଘଟିଲା ବୋଲି କ୍ରୁଟ୍ କହିଛି। ଘଟଣା ପରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କୁ କାମରୁ ଅନ୍ତର କରାଯାଇଛି। ଆଗକୁ ଏଭଳି ତୃଟି ଯେପରି ନହେବ ଏବଂ ମୋ ବସ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେବ ବୋଲି କ୍ରୁଟ୍ କହିଛି।
ସିନେମାରେ ଦେଖିବେ ଦାଦାଙ୍କ ଜୀବନ କାହାଣୀ..
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ସର୍ବଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଗାଙ୍ଗୁଲି। କୁହାଯାଏ ଯେ, ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିଦେଶୀ ମାଟିରେ ଖେଳକୁ ଆକ୍ରମଣାତ୍ମକ ଢଙ୍ଗରେ ବିସ୍ତାର କରିଥିଲା। ‘ଦାଦା’ ନାମରେ ପରିଚିତ ଏହି ଭାରତୀୟ କ୍ରିକେଟରଙ୍କ ରେକର୍ଡ଼ ବିଷୟରେ ସମସ୍ତେ ଅବଗତ। ଏବେ ତାଙ୍କ ବାୟୋପିକ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗାଙ୍ଗୁଲିଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ପୂର୍ବତନ କ୍ରିକେଟର ତଥା ବିସିସିଆଇର ପୂର୍ବତନ ମୁଖ୍ୟ ସୌରଭ ଗାଙ୍ଗୁଲି ତାଙ୍କ ପ୍ରସ୍ତାବିତ ଆଗାମୀ ବାୟୋପିକ ବିଷୟରେ ଅନେକ ଖୁଲାସା କରିଛନ୍ତି।
ଗାଙ୍ଗୁଲି ତାଙ୍କ ଆଗାମୀ ବାୟୋପିକ୍ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ‘‘ମୁଁ ଯାହା ଶୁଣିଛି, ସେହି ଅନୁସାରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିବେ । କିନ୍ତୁ ତାରିଖକୁ ନେଇ ଏକ ସମସ୍ୟା ଅଛି । ତେଣୁ ଏହା ପରଦାକୁ ଆସିବାକୁ ଏକ ବର୍ଷରୁ ଅଧିକ ସମୟ ଲାଗିପାରେ।’’ ଫିଲ୍ମର ବିଳମ୍ବକୁ ନେଇ ତାଙ୍କ ପ୍ରଶଂସକମାନେ ନିଶ୍ଚିତ ଭାବେ ସାମାନ୍ୟ ନିରାଶ ହୋଇପାରନ୍ତି।
ଅଭିନେତା ରାଜକୁମାର ରାଓଙ୍କ ନାମ ପୂର୍ବରୁ ଏହି ପ୍ରୋଜେକ୍ଟ ସହ ଜଡ଼ିତ ଥିଲା। ଏବେ ନିଜେ ସୌରଭ ଗାଙ୍ଗୁଲି ନିଜେ ଏହା ସ୍ପଷ୍ଟ କରିଛନ୍ତି। ସୂଚନା ମୁତାବକ, ୨୦୨୧ରେ ଏହି ବାୟୋପିକ୍ ନିର୍ମାଣ ନେଇ ଘୋଷଣା ହୋଇଥିଲା।
ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଦୁର୍ନୀତିର ଗନ୍ଧ, ରାସ୍ତା ନିର୍ମାଣ ନସରୁଣୁ ଉଠିଯାଉଛି ଗୋଡି
ନନ୍ଦିଘୋଷ ବ୍ୟୁରୋ: ସରକାର ଗମନାଗମନର ସୁବିଧା ପାଇଁ କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରୁଛନ୍ତି ରାସ୍ତା । ମାତ୍ର ଦାୟିତ୍ୱରେ ଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ ନ ସରୁଣୁ ଉଠିଯାଉଛି ଗୋଡି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକରେ ।
ନିମ୍ନମାନର ରାସ୍ତା କାମକୁ ନେଇ ତାତିଲେ ଗ୍ରାମବାସୀ । ଅଧାରୁ ବନ୍ଦ କଲେ ରାସ୍ତା କାମ । ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ରତ୍ନଗିରି ପଞ୍ଚାୟତରୁ । ଆଲିଆବାଦ ଶିବମନ୍ଦିର ଠାରୁ ପଟଣା ହନୁମାନ ଛକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ଚାଲିଛି । ହେଲେ ନିର୍ମାଣଧୀନ ରାସ୍ତାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଅତି ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପତଳା ବାଲି, ନିମ୍ନମାନର ଚିପ୍ସ ସହିତ ନିମ୍ନ ମାନର ସିମେଣ୍ଟ ବ୍ୟବହାର ହେଉଥିବା ଅଭିଯୋଗ । ଏପରି କି ନିର୍ମାଣ ପରେ ଢ଼ଳାଇରେ ପାଣି ଦିଆ ଯାଉନାହିଁ । ଫଳରେ ରାସ୍ତା ଫାଟିବା ସହିତ ଗୋଟି ଉଠିଯିବା ଆଶଙ୍କା କରି ରାସ୍ତା କାମ ବନ୍ଦ ରଖିଛନ୍ତି ଗ୍ରାମବାସୀ ।
ସରକାରୀ ନିୟମ ମୁତାବକ ରାସ୍ତା କାମ ସମୟରେ ଦାୟିତ୍ୱରେ ଥିବା ଅଧିକାରୀ ମାନେ କାର୍ଯ୍ୟ ତଦାରଖ କରିବା କଥା। କିନ୍ତୁ କାର୍ଯ୍ୟ ହେଉଥିବା ବେଳେ ଏଠି କୌଣସି ଅଧିକାରୀ ତଦାରଖ କରିବାକୁ ଆସୁନାହାନ୍ତି । ଏଥି ସହିତ କେତେ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ ହେଉଛି । ଏବଂ କି କି ପ୍ରକାର କାର୍ଯ୍ୟ କରାଯିବ ବୋଲି ସୂଚନା ଫଳକରେ ଉଲ୍ଲେଖ କରାଯିବା କଥା । ହେଲେ ତାହା ସୂଚନା ଫଳକରେ ଲେଖାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଏଠି ପ୍ରଶ୍ନ ଉଠୁଛି- ନିମ୍ନମାନର ରାସ୍ତା ନିର୍ମାଣ ହେଉଥିଲେ ବି କାହିଁକି ଚୁପ ବିଭାଗୀୟ ଅଧିକାରୀ ? ସଂପୃକ୍ତ ଠିକାଦାରଙ୍କ ବିରୋଧରେ କଣ ପାଇଁ ନେଉନାହାଁନ୍ତି କାର୍ଯ୍ଯାନୁଷ୍ଠାନ ? ଗ୍ରାମବାସୀଙ୍କ ଅଭିଯୋଗକୁ କାହିଁକି ଅଣଦେଖା କରୁଛନ୍ତି ବିଭାଗୀୟ ଅଧିକାରୀ ? ନା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ଚାଲିଛି ହରିଲୁଟ୍ । ତାହା ତଦନ୍ତ ସାପେକ୍ଷ ।
ଆଜୀବନ କାରାଦଣ୍ଡରେ ଦଣ୍ଡିତ ବ୍ୟକ୍ତିଙ୍କ ରାଜକ୍ଷମା ପାଇଁ ଆବେଦନ କଲେ ପରିବାର ଲୋକ
ନନ୍ଦିଘୋଷ ବ୍ୟୁରୋ: ଆଜୀବନ କାରାଦଣ୍ଡରେ ଦଣ୍ଡିତ ବ୍ୟକ୍ତିଙ୍କ ରାଜକ୍ଷମା ପାଇଁ ଆବେଦନ କଲେ ପରିବାର ଲୋକ । ୧୯୯୪ ମସିହା ମାର୍ଚ୍ଚ ୧ ତାରିଖ ଦିନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବି.ନୂଅ। ପଲ୍ଲୀ ଗାଁରେ ଘଟିଥିଲା ଡବଲ ମର୍ଡର । ଏହି ଡବଲ ମର୍ଡରରେ ସିତାରାମ ପ୍ରଧାନ ଓ ଶରତ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୪ ଜଣ ବ୍ୟକ୍ତି ଗିରଫ ହୋଇଥିଲେ । ସେହି ସମୟରେ ହିଁ ଜଣେ ବ୍ୟକ୍ତି କୋର୍ଟରେ ଖଲାସ ହୋଇ ଯାଇଥିଲେ। ଅନ୍ୟ ତିନିଜଣଙ୍କୁ ଆଜୀବନ କାରାଦଣ୍ଡ ସୁଣାଇଥିଲେ କୋର୍ଟ । ଘଟଣାର ୧୨ ବର୍ଷ ପରେ ଦୁଇ ଜଣଙ୍କୁ ଜେଲ ବୋର୍ଡର ନିଷ୍ପତ୍ତି ଅନୁଷାରେ ଖଲାସ କରାଯାଇଥିବା ବେଳେ ଏବେ ବି ଜେଲରେ ଅଛନ୍ତି ବସନ୍ତ କୁମାର ପ୍ରଧାନ । ତାଙ୍କୁ ରାଜକ୍ଷମା ଦେଇ ଖଲାସ କରିବା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ପରିବାର ସଦସ୍ୟ ।
ବଡ ପୁଅର ବ୍ୟାଙ୍କ ଋଣ, ବୃଦ୍ଧ ବାପା ମାଆଙ୍କ ପାଇଁ ପାଲଟିଲା ଅଭିଶାପ
ନନ୍ଦିଘୋଷ ବ୍ୟୁରୋ: ଋଣ କଲା ପୁଅ, ହେଲେ ନଶୁଝିବାରୁ ବ୍ୟାଙ୍କ ଘର ନିଲାମ କରିବାକୁ ନୋଟିସ୍ କଲା । ଏ ନେଇ ଚିନ୍ତାରେ ବୃଦ୍ଧ ବାପା ମାଆ । ବାରମ୍ବାର ପୁଅକୁ ଋଣ ଶୁଝିବାକୁ ନେହୁରା ହେବା ପରେ ମଧ୍ୟ ନଶୁଣିବାରୁ ଚରମ ନିଷ୍ପତ୍ତି ନେଇଛନ୍ତି ବାପା ମାଆ । ବଞ୍ଚି ଥାଉଥାଉ ଘର ନିଲାମ କଷ୍ଟ ସହିନପାରି ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କରିଛନ୍ତି ।
ବଡ଼ ପୁଅ ଋଣ କରି ଶୁଝିଲାନି । ନିଜ କଷ୍ଟ ଉପାର୍ଜିତ ଅର୍ଥରେ କରିଥିବା ଘରେ ଶେଷ ସମୟ କାଟିବାକୁ ନିଷ୍ପତ୍ତି ନେଇଥିଲେ ବୃଦ୍ଧ ଦମ୍ପତ୍ତି । ହେଲେ ଋଣ ନଶୁଝିବାରୁ ବ୍ୟାଙ୍କ ଘର ନିଲାମ ନୋଟିସ୍ ପଠାଇଲା । ହେଲେ ପୁଅ ଶୁଣିଲାନି,କି ଋଣ ଶୁଝିଲାନି । ଏବେ ଇଛାମୃତ୍ୟୁ ଆବେଦନ କରିଛନ୍ତି ବୃଦ୍ଧ ଦମ୍ପତ୍ତି । ଏ ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଧୀନ ବଳପୁର ପଞ୍ଚାୟତ ବେହେରା ସାହିର ଦେବ ବେହେରା ଓ ତାଙ୍କ ପତ୍ନୀ ତାରାମଣୀ ବେହେରା । ବଡ଼ ପୁଅ ନିଜ ଆବଶ୍ୟକ ପାଇଁ କରିଥିବା ଋଣ କୁ ନ ଶୁଝିବାରୁ ବ୍ୟାଙ୍କ ଘରକୁ ନିଲାମ କରିବାକୁ ଗତବର୍ଷ ଠାରୁ ନୋଟିସ ପଠାଇଛି । ଯେଉଁ ଘରେ ଏମାନେ ରହୁଛନ୍ତି ସେହି ଘର ଉପରେ ରହିଛି ୪୨ ଲକ୍ଷ ଟଙ୍କାର ଋଣ ଭାର । ବଡ଼ ପୁଅ ଋଣ କରି ବାପାଙ୍କୁ ଗ୍ୟାରେଣ୍ଟର ପକାଇଥିଲା । ଶେଷରେ ଋଣ କୁ ନିଜେ ନ ସୁଝି ଥିବାରୁ ବାପାଙ୍କ ନା ରେ ଥିବା ଘର ଢିହକୁ ଏବେ ବ୍ୟାଙ୍କ ଦଖଲ କରିବାକୁ କହିଥିବା କହିଛନ୍ତି ବୃଦ୍ଧ ବାପା ।
ଯେଉଁ ଘର ଦେଖୁଛନ୍ତି ତାହା ଏବେ ନିଲାମ ହେବାକୁ ଯାଉଛି । ବୃଦ୍ଧ ପତି, ପତ୍ନୀ ଓ ସାନ ପୁଅ ରହୁଥିବା ଘର ଜାଗାକୁ ବନ୍ଧା ରଖି ବଡ଼ ପୁଅ ବ୍ୟାଙ୍କ ରୁ ୪୨ଲକ୍ଷ ଟଙ୍କା ଋଣ ଆଣିଥିଲା । ଏହା ସହ ପରିବାର ଚାଷ କରୁଥିବା ଜମିକୁ ମଧ୍ୟ ବଡ଼ ପୁଅ ଦଖଲ କରିନେଇଛି । ବଡ଼ ପୁଅ ଧଡୁ ବେହେରା ତାଙ୍କ ପରିବାର ସହିତ ଏବେ ବାହାରେ ରହୁଛନ୍ତି । ସେ କରିଥିବା ଋଣ ନଶୁଝିବାରୁ ଏବେ ସୁଧ ମୂଳ ମିଶି ଏବେ ୪୨ଲକ୍ଷ ଟଙ୍କା ହୋଇଛି ଆଉ ଯାହାକୁ ପରିଶୋଧ କରିବା ପାଇଁ ଘରକୁ ନିଲାମ କରିବାକୁ ବ୍ୟାଙ୍କ ନୋଟିସ ଦେଇଛି । ବୃଦ୍ଧ ବାପା ମାଆଙ୍କ ସହିତ ସାନ ପୁଅ ବୋହୁ ଓ ନାତୁଣୀ ରହୁଥିବା ଏହି ଘର ଏବେ ଖାଲିକରିବାକୁ ହେବ । ଘର ନିଲାମ ହେଲେ କେଉଁଠି ରହିବେ ସେ ନେଇ ଚିନ୍ତାରେ ପରିବାର। ଜୀବନର ଶେଷ ସମୟରେ ବୃଦ୍ଧ ବାପାମାଆଙ୍କୁ ପୁଅ ସହାୟତା କରିବା କଥା । ହେଲେ ନିଜେ କରିଥିବା ଋଣ ପାଇଁ ବାପାମାଆଙ୍କୁ ବଳି ଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି ପୁଅ ।
ନନ୍ଦିନୀପାଲିରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା : ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ପାଲଲହଡ଼ା ଥାନା ନନ୍ଦିନୀପାଲିରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ଯା ଘଟଣା। ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେଡି ଫ୍ଯାକ୍ଟ ଫାଇଣ୍ଡିଂ ଟିମ। ପରିବାର ଲୋକଙ୍କୁ ଭେଟି ଆଲୋଚନା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ଫ୍ଯାକ୍ଟ ଫାଇଣ୍ଡିଂ ଟିମ। ପୂର୍ବତନ ବିଧାୟକ ମୁକେଶ କୁମାର ପାଲଙ୍କ ନେତୃତ୍ୱରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗାଁକୁ ଯାଇ ମୃତକଙ୍କ ପରିବାର ସହ ଭେଟିଥିଲେ। ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ପ୍ରତିନିଧି ଦଳ ପାଲଲହଡା ଥାନାକୁ ଆସି ଘଟଣାର ନିରପେକ୍ଷ ତଦନ୍ତ ଦାରି କରିଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପାଲଲହଡା ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେI ବିଜେଡି ଫ୍ଯାକ୍ଟ ଫାଇଣ୍ଡିଂ ଟିମରେ ପାଲଲହଡା ବ୍ଲକ ଅଧକ୍ଷା ରୀନାରାଣୀ ନାୟକ, ବ୍ଲକ ସଭାପତି ଗଙ୍ଗାଧର ଜିତ, ନବକିଶୋର ନାୟକ,ଜିଲ୍ଲା ସମ୍ପାଦକ ନରେନ୍ଦ୍ର ଭୁକ୍ତା ପ୍ରମୁଖ ସାମିଲ ଥିଲେ। ଗତ ୨୦ ତାରିଖରେ ପାଲଲହଡା ଥାନା ନନ୍ଦିନୀପାଲି ଗ୍ରାମରେ ଘଟିଥିଲା ଏ ଲୋମହର୍ଷକ ଘଟଣା ।
ଜାଗରରେ କପିଳାସ ପୀଠକୁ ସାମ୍ବାଦିକଙ୍କୁ ବାରଣ କଲା ଜିଲ୍ଲା ପ୍ରଶାସନ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାସରେ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରା। ଏଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କପିଳାସ ପୀଠକୁ ସାମ୍ବାଦିକଙ୍କୁ ବାରଣ କରିଛି ଜିଲ୍ଲା ପ୍ରଶାସନ । ଏହାକୁ ନେଇ ଦେଖାଦେଇଛି ଘୋର ଅସନ୍ତୋଷ। ପ୍ରଶାସନର ଏହି ନିଷ୍ପତ୍ତିକୁ ସାମ୍ଵାଦିକମାନେ ତୀବ୍ର ନିନ୍ଦା କରିଛନ୍ତି। କାହିଁକି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି, ଏହା ପଛର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ। ପ୍ରଶାସନ ଏହାର ଉତ୍ତର ରଖୁ ବୋଲି ଦାବି କରିଛି ସାମ୍ବାଦିକ ସଂଘ। ଆଇନଜୀବୀମାନେ ମଧ୍ୟ ଏପରି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି।
ଅଲଗା ହେବାକୁ ନୋଟିସ୍ ପଠାଇଥିଲେ କି ସୁନିତା ? ଏମିତି କହିଲେ ଗୋବିନ୍ଦା..
ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନିତାଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଛି । ଏଭଳି ଏକ ଖବର ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ୩୭ ବର୍ଷର ସମ୍ପର୍କରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ତେବେ ଏବେ ଶୁଣିବାକୁ ମିଳୁଛି କି, ଗୋବିନ୍ଦାଙ୍କୁ ଅଲଗା ହେବାକୁ ନୋଟିସ ପଠାଇଥିଲେ ସୁନିତା । ଯାହାକୁ ନେଇ ଗୋବିନ୍ଦାଙ୍କୁ ପଚରା ଯାଇଥିବା ପ୍ରଶ୍ନକୁ ସେ ଏଡ଼ାଇ ଦେଇଥିଲେ । ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିବାବେଳେ ଆଗକୁ ଫିଲ୍ମ କରିବାକୁ ଯୋଜନା କରୁଥିବା ନେଇ କହି ଏଡ଼ାଇ ଦେଇଥିଲେ ।
ଗୋବିନ୍ଦା ଏବେ ଏକ ଫିଲ୍ମ ନିର୍ମାଣ କରୁଥିବାବେଳେ ଅନେକ କଳାକାର ତାଙ୍କ ଅଫିସକୁ ଯିବା ଆସିବା କରୁଛନ୍ତି । ତେବେ ଜଣେ ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କ ରହିଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି । ଯେଉଁ କାରଣରୁ ପତ୍ନୀ ସୁନିତା ଛାଡ଼ପତ୍ର ଦେଉଥିବା ମଧ୍ୟ କୁହାଯାଉଛି । ମାତ୍ର ଏନେଇ ଏଯାବତ କେହି ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇନାହାନ୍ତି ।
କଂଗ୍ରେସ ସହ ମତଭେଦ ଭିତରେ ପିୟୂଷ ଗୋଏଲଙ୍କ ସହ ଫଟୋ ସେୟାର କରି ପ୍ରଂଶସା କଲେ ଶଶୀ ଥରୁର
ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ବିପକ୍ଷରେ ଶଶୀ ଥରୁର ଦେଇଥିବା ପ୍ରତିକ୍ରିୟାକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସ ସହ ଶଶୀ ଥରୁରଙ୍କ ମତଭାଦ ଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିବାବେଳେ ଏବେ ବିଜେପିର ବରିଷ୍ଠ ମନ୍ତ୍ରୀ ପିୟୂଷ ଗୋଏଲଙ୍କ ସହ ସେଲଫି ସେୟାର କରିଛନ୍ତି ଶଶୀ । କେବଳ ଏତିକି ନୁହେଁ ପିୟୂଷଙ୍କୁ ଢ଼େରସାରା ପ୍ରଂଶସା ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଥିବାବେଳେ ଏହି ଫଟୋଟି ରାଜନୈତିକ ଗ୍ରୁପ ମାନଙ୍କରେ ମଧ୍ୟ ବହୁଳ ମାତ୍ରାରେ ସେୟାର କରାଯାଉଛି । କିଏ କହୁଛି ବିଜେପିରେ ମିଶିବେ ତ ଆଉ କିଏ ଶଶୀ ଥରୁରଙ୍କୁ ଧୋକାବାଜ ବୋଲି କହି କମେଣ୍ଟ କରୁଛି । ତେବେ କହି ରଖୁଛୁ କି, କେରଳର ପିନାରାଇ ସରାକାରଙ୍କୁ ପ୍ରଂଶସା କରିବା ସହ ମୋଦିଙ୍କ ବିଦେଶ ଗସ୍ତକୁ ମଧ୍ୟ ବେଶ ପ୍ରଂଶସା କରିଥିଲେ ଶଶୀ ଥରୁର । ଏହାସହ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ କଂଗ୍ରେସ ଏବଂ ଶଶୀଙ୍କ ମଧ୍ୟରେ ମତଭେଦ ରହିଥିବା ଚର୍ଚ୍ଚା ହେଉଥିଲା । ଆଉ ଏବେ ଫଟୋ ପୋଷ୍ଟ କରିବା ପରେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।

