spot_img
Home Blog Page 1042

ଏଏସଓଙ୍କୁ ମାଡ଼ ଘଟଣାରେ ତଦନ୍ତ ଶୀତଳାକୁ ନେଇ ତେଜିଲା ଅସନ୍ତୋଷ, ପୁରୀ ମସୁଦ୍ର କୂଳ ଥାନା ଦ୍ବାରସ୍ଥ ହେଲେ ପତ୍ନୀ

ପୁରୀ: ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣା ନେଇ ସମୁଦ୍ରକୂଳ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ପତ୍ନୀ ସାୟୋଜ ପ୍ରଧାନ ଏବଂ ଅଲ ଓଡିଶା ଯବାନ ଭେଟେରାନ ଆସୋସିଏସନ । ମିଳିତ ଭାବେ ପୁରୀ ସମୁଦ୍ରକୂଳ ଥାନାରେ ପହଞ୍ଚି ବିଧିବଦ୍ଧ ଲିଖିତ ଏତଲା ପ୍ରଦାନ କରିଛନ୍ତି । ଦୀର୍ଘମାସ ଧରି ଏହି ଘଟଣାର ତଦନ୍ତ ହୋଇ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀ ବିରୋଧରେ ପଦକ୍ଷେପ ନେବାକୁ ଦାବି କରାଯାଇଛି l

ଏଏସଓଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଶିଥିଳତାକୁ ନେଇ ତେଜିଲା ଅସନ୍ତୋଷ । ପୁଣି ଥାନାରେ ପହଞ୍ଚି ଏତଲା ଦେଲେ ଏସଓଙ୍କ ପତ୍ନୀ ଓ ଭେଟରାନ ଯବାନ । କାର୍ଯ୍ଯାନୁଷ୍ଠାନରେ ବିଳମ୍ବକୁ ନେଇ ପ୍ରଶ୍ନ । ଗତ ରଥଯାତ୍ରା ସମୟରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।

ସମ୍ପୃକ୍ତ ଏଏସଓ ବୈଖୁଣ୍ଠ ନାଥ ପ୍ରଧାନ ଜୁଲାଇ ୧୧ ତାରିଖରେ ସମୁଦ୍ରକୂଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅନଲାଇନ ମାଧ୍ୟମରେ ମଧ୍ଯ ଅଭିଯୋଗ କରିଥିଲେ । ଘଟଣାର ଆବଶ୍ୟକତା ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଣି ଏଏସଓ, ତାଙ୍କ ପତ୍ନୀ ଓ ଭେଟେରାନ ଯବାନ ଆସୋସିଏସନ ମିଳିତ ଭାବେ ସମୁଦ୍ରକୂଳ ଥାନାରେ ଲିଖିତ ଏତଲା ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣା ଏକ ସମ୍ବେଦିନଶୀଳ ଘଟଣା ହୋଇଥିବାବେଳେ ପୁରୀ ପୋଲିସ ପକ୍ଷରୁ ଘଟଣାକୁ ଗୁରୁତ୍ୱ ଦିଆଯାଇଛି l ପୂର୍ବରୁ ସିସିଟିଏନସ ମାଧ୍ୟମରେ ହସ୍ତଗତ ହୋଇଥିବା ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଛି l ଆଜି ପୁଣି ଏଏସଓ ଓ ତାଙ୍କ ପରିବାର ପକ୍ଷରୁ ଏକ ଏଫଆଇଆର ସମୁଦ୍ରକୂଳ ଥାନାରେ ଦିଆଯାଇଥିବାବେଳେ ଏହା ଉପରେ ଅଧିକ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି l

ଲିଙ୍ଗରାଜ ମନ୍ଦିର ନୂଆ ବିବାଦ: ଜାଗର ପୂର୍ବରୁ ବ୍ରାହ୍ମଣ ନିଯୋଗ ଦୁଇ ଫାଳ

ଭୁବନେଶ୍ବର: ଜାଗର ଯାତ୍ରା ନେଇ ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାତି ୧୦ଟାରେ ଉଠିବ ମହାଦୀପ । ସମନ୍ବୟ ରକ୍ଷା କରି ନୀତିକାନ୍ତି କରିବେ ସେବାୟତ । ତେବେ ପର୍ବ ପୂର୍ବରୁ ପୁଣି ମୁଣ୍ଡ ଟେକିଛି ନୂଆ ବିବାଦ । ଦୁଇ ଫାଳ ହୋଇଛି ବ୍ରାହ୍ମଣ ନିଯୋଗ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ହୋଇଥିବା ବେଳେ ପଦ ଛାଡିବାକୁ ନାରାଜ ପୁରୁଣା ସଭାପତି, ସମ୍ପାଦକ । ଏନେଇ ନୂଆ କରି ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ଆଜି ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଦସ୍ତାବିଜ୍ ଦେଖାଇବା ସହ ପ୍ରଶାସନ ଓ ସମସ୍ତ ସେବାୟତଙ୍କ ସହ ସମନ୍ବୟ ରକ୍ଷା କରି ଲିଙ୍ଗରାଜଙ୍କ ଜାଗର ଯାତ୍ରା ଶୃଙ୍ଖଳିତ ଭାବରେ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ନିର୍ବାଚନ ପରେ ବି ଗାଦି ଛାଡୁନାହାଁନ୍ତି ପୁରୁଣା ସଦସ୍ୟ । ଘୋଷଣା ହେଲା ନୂଆ ସଭାପତି ସମ୍ପାଦକଙ୍କ ନାଁ । ଦସ୍ତାବିଜ୍ ସହ ପ୍ରମାଣ ଦେଲେ ନୂଆ କର୍ମକର୍ତ୍ତା । ୮ ବର୍ଷ ହେବ ଗାଦି ମାଡି ବସିଥିଲେ କିଛି ଲୋକ । ଅସାମ୍ବିଧାନିକ ଭାବରେ ଚାଲିଥିଲା ନିଯୋଗର କାର୍ଯ୍ୟ । ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଛନ୍ତି ନୂଆ ସଭାପତି ସମ୍ପାଦକ । ଜାଗରକୁ ଆଉ ମାତ୍ର ଗୋଟିଏ ସପ୍ତାହ ଥିବା ବେଳେ ଏବେ ବ୍ରାହ୍ମଣ ନିଯୋଗ ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । ଗତ ଜାନୁଆରୀ ୨୮ ତାରିଖରେ ନିଯୋଗର ନିର୍ବାଚନ ହୋଇଥିବା ବେଳେ ସଭାପତି ଭାବରେ ନାରାୟଣ ମହାପାତ୍ର ଏବଂ ଉପସଭାପତି ଭାବରେ ବିଜୟ ଭୂଷଣ ମହାପାତ୍ର ଏବଂ ସତ୍ୟନାରାୟଣ ମହାସୁପକାର, ସମ୍ପାଦକ ହିମାଦ୍ରୀ ଶେଖର ମହାପାତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । ତେବେ ଏହି ନିର୍ବାଚନକୁ ପୁରୁଣା କର୍ମକର୍ତ୍ତା ଗୋଷ୍ଠୀ ମାନୁ ନାହାନ୍ତି । ନିୟମ ଅନୁସାରେ ପ୍ରତି ଦୁଇବର୍ଷରେ ନିର୍ବାଚନ ହେବା କଥା । କିନ୍ତୁ ଯେଉଁମାନେ ଥିଲେ ସେମାନେ ଅସାମ୍ବିଧାନିକ ଭାବରେ ଗାଦି ମାଡି ବସିଥିଲେ ବୋଲି ନୂଆ ସଦସ୍ୟ କହିଛନ୍ତି।

ଜାନୁଆରୀ ୨୮ ତାରିଖରେ ହୋଇଥିବା ନିର୍ବାଚନକୁ ମନ୍ଦିର ଟ୍ରଷ୍ଟବୋର୍ଡ ସ୍ବୀକୃତି ଦେଇଛି । ଜାଗର ନୀତିକାନ୍ତି ନେଇ ଜିଲ୍ଲାପାଳ ଏବଂ କମିଶନରେଟ ପୋଲିସ ପକ୍ଷରୁ ନୂଆ ସଭାପତି ସମ୍ପାଦକଙ୍କୁ ଚିଠି ମଧ୍ଯ ହୋଇଛି । କିଭଳି ନୀତିକାନ୍ତି ଶୃଙ୍ଖଳିତ ହେବ ଓ ଠିକ୍ ରାତି ୧୦ ଟାରେ ମହାଦୀପ ଉଠିବ ସେ ନେଇ ସମନ୍ବୟ ରକ୍ଷା କରି କାମ କରିବାକୁ କୁହାଯାଇଛି । ସେପଟେ ପୁରୁଣା ସମ୍ପାଦକଙ୍କ ନାଁରେ ସେବାୟତ କାଳୁ ମହାପାତ୍ର ଆଣିଛନ୍ତି ସାଂଘାତିକ ଅଭିଯୋଗ । ବାପାଙ୍କ ମୃତ୍ୟୁ ପରେ ଚୁଲିକୁ ସମ୍ପାଦକ ଜବରଦସ୍ତ ନେଇଯାଇଥିବାରୁ ପରିବାର ଚଳାଇବାରେ ଅସୁବିଧା ହେଉଛି ବୋଲି କହିଛନ୍ତି । ତେବେ ଜାଗର ସମୟରେ ବିବାଦ ଦେଖା ଦେଇଥିବାରୁ ସମସ୍ତଙ୍କୁ ବୁଝାଇ ସୁରୁଖୁରୁରେ ନୀତିକାନ୍ତି କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ

ଜାନୁଆରୀ ୨୮ ତାରିଖରେ ବ୍ରହ୍ମଣ ନିଯୋଗର ନିର୍ବାଚନ ହୋଇଥିବା ବେଳେ ଫେବୃଆରୀ ୧୬ ତାରିଖରେ ଆଉ ଏକ ବ୍ରାହ୍ମଣ ନିଯୋଗ ଗୋଷ୍ଠୀ ନିର୍ବାଚନ କରି ସଭାପତି ସମ୍ପାଦକଙ୍କ ସମେତ ୨୧ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ବ ଦେଇଛି ।

ନିଯୁକ୍ତି ଅନିୟମିତତା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସକୁ ଘାଣ୍ଟିଲା ସିବିଆଇ

ଭୁବନେଶ୍ବର: ଭୁବନେଶ୍ୱର ଏମ୍ସରେ ପଶିଲା ସିବିଆଇ ଟିମ୍ । ଚାକିରି କେଳେଙ୍କାରୀ ଅଭିଯୋଗରେ ସିବିଆଇର ୯ ଜଣିଆ ଟିମର ଛାପାମାର । ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାରେ ହୋଇଛି ବଡ଼ କେଳେଙ୍କାରୀ । ଦୀର୍ଘ ୭ ଘଣ୍ଟାର ରେଡ଼ ବେଳେ ୨୭ ଜଣଙ୍କୁ ଜେରା । ଜବତ ହେଲା ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ଡିଜିଟାଲ ଡିଭାଇସ ।

ଭୁନେଶ୍ବର ଏମ୍ସରେ ଚାକିରି ପ୍ରଦାନରେ ଘୋଟାଲା ଓ ପୁଳା ପୁଳା ପ୍ରମାଣ ପରେ ଆକ୍ସନ ମୋଡରେ ସିବିଆଇ । ସିବିଆଇ ପାଖରେ ପିଟିସନ ପଡିବା ପରେ ଆରମ୍ଭ ହୋଇଛି ଚଢ଼ାଉ । ଏମ୍ସ ଏକାଡେମୀକ ବ୍ଲକରେ ଭୁବନେଶ୍ୱର ସିବିଆଇର ୯ ଜଣିଆ ଟିମ ଆରମ୍ଭ କରିଛି ଛାନଭିନ ।

ଅଭିଯୋଗ ମୁତାବକ ସର୍ବଭାରତୀୟ ସ୍ତରରେ ଏମ୍ସ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିବା ବେଳେ ଭୁବନେଶ୍ୱର ଏମ୍ସରେ ହୋଇଛି ନିଯୁକ୍ତି ପ୍ରକ୍ରିୟାର ଉଲ୍ଲଂଘନ । ଓଡ଼ିଶାର ଗୋଟିଏ ପରିବାରର ୪ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଠିକା ନିଯୁକ୍ତି ପାଇଥିବା ଏହି କର୍ମଚାରୀ କିଭଳି ସ୍ଥାୟୀ ହେଲେ ତାକୁ ନେଇ ଉଠିଥିଲା ପ୍ରଶ୍ନ । ଏପରିକି ଚୟନ ପ୍ରକ୍ରିୟାରେ ଯୋଗ୍ୟତା ଓ ଦକ୍ଷତାର ଧଜ୍ଜିଆ ଉଡି଼ଥିବା ନେଇ ପିଟିସନ ପଡିବା ପରେ ଆଜି ସକାଳ ୭ରୁ ଚଢ଼ାଉ ଆରମ୍ଭ କରିଥିଲା ସିବିଆଇ ଟିମ ।

ସିବିଆଇର ତଦନ୍ତ ବେଳେ ମୋଟ ୨୭ ଜଣ ଜେରାର ସମ୍ମୁଖୀନ ହୋଇଛନ୍ତି । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୨୩ ଜୁଲାଇ ୧ ତାରିଖରେ ସାନିଟାରୀ ଇନ୍ସପେକ୍ଟର ରେକର୍ଡ ଆସିଷ୍ଟାଣ୍ଟ ପାଇଁ ସାରା ଦେଶରେ ୭ ଶହ ପୋଷ୍ଟ ବାହାରିଥିଲା । ଓଡ଼ିଶାର କିଛି ପିଲା ସେଥିପାଇଁ ଆବେଦନ କରିଥିଲେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ପିଲାଙ୍କ ବଦଳରେ ପୂର୍ବରୁ ଠିକା ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି । ସ୍ମୃତି ସାଗର କର ନାମକ ଜଣେ ବ୍ୟକ୍ତିଙ୍କ ପରିବାରର ୪ ଜଣ ସ୍ଥାୟୀ ନିଯୁକ୍ତି ପାଇବା ନେଇ ପିଟିସନ ପଡିବା ପରେ ଜେରା କରିଛି ସିବିଆଇ । ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିବା ରେଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଡିଜିଟାଲ ଡିଭାଇସ ସିବିଆଇ ହାତରେ ଲାଗିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କିଏ ସେହି କରିତକର୍ମା ? ଚାକିରି କେଲେଙ୍କାରୀରେ ହୋଇଛି କେତେ କୋଟିର କାରବାର ? ଏ ନେଇ ଏମ୍ସ ଉପରିସ୍ଥ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନି ।

ଟିଟିଲାଗଡ଼ରେ ଦୁର୍ନୀତି ବଢ଼ିବା ପଛରେ ବିଜେପି ବିଧାୟକ: ଟୁକୁନି ସାହୁ

ଟିଟିଲାଗଡ଼: ଦୁର୍ନୀତିରେ ଉବୁଟୁବୁ ହେବାରେ ଲାଗିଛି ଟିଟିଲାଗଡ଼ ବିଧାନସଭା କ୍ଷେତ୍ର । ଏଠାରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ଦୁର୍ନୀତି ବଢ଼ିବାରେ ଲାଗିଛି । ସରକାରୀ କଳ ବିଜେପି ବିଧାୟକଙକ ହାତବାରିସି ସାଜିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେଡି ଜିଲ୍ଲା ସଭାପତି ଟୁକୁନି ସାହୁ ।

ସେ କହିଛନ୍ତି, ଟିଟିଲାଗଡ଼ ଉନ୍ନତି ଲକ୍ଷ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନେକ ଯୋଜନାର ଶୁଭାରମ୍ଭ କରିଥିଲେ । ଟିଟିଲାଗଡ଼ରେ ମିଶନ ଶକ୍ତି ହାଟ, ମିଶନ ଶକ୍ତି କାଫେ ଭଳି ଅନେକ ଯୋଜନା କରିଥିଲେ ପୂର୍ବ ସରକାର । ହେଲେ ଏହି ସମସ୍ତ ଦୋକାନ ଓ କାଫେ ଦେବାକୁ ସ୍ଥାନୀୟ ବିଧାୟକ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଛନ୍ତି । ବିଧାୟକଙ୍କ ଇସାରାରେ ବ୍ଲକ କାର୍ଯ୍ୟାଳୟ ତରଫରୁ ଦୋକାନ ନେଉଥିବା ଲୋକଙ୍କ ପାଖରୁ ୧୦ ପ୍ରତିଶତ ପିସି ମାଗୁଥିବା ସେ ଅଭିଯୋଗ କରିଛନ୍ତି ।

ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରେସମିଟରେ ଜିଲ୍ଲା ସଭାପତି ଓ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ବିଧାୟକ ନବୀନ ଜୈନକୁ ଖୋଲା ଚେଲେଞ୍ଜ କରିଛନ୍ତି । ବିଧାୟକ ଅନେକ ଠିକାଦାରଙ୍କ ନିକଟରୁ ମୋଟା ଅଙ୍କର ପିସି ନେଉଥିବା ଓ ବିକାଶ ଉପରେ ଗୁରୁତ୍ଵ ଦେଉ ନଥିବା ସେ ଅଭିଯୋଗ କରିଛନ୍ତି ।

ସେହିପରି ବିଧାୟକଙ୍କ ସମର୍ଥକମାନେ ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆବେଦନ ଉପରେ ମତ ରଖିଛନ୍ତି ଟୁକୁନି ସାହୁ । ଟିଟିଲାଗଡ଼ ସମିତିରେ ବିଜେଡିର ବହୁ ମତ ରହିଛି । ବିଜେଡି ଅଧ୍ୟକ୍ଷା ହୋଇଥିବାରୁ ଓ ଦୁର୍ନୀତିକୁ ବିରୋଧ କରୁଥିବାରୁ ତାଙ୍କୁ ହଟାଇବା ପାଇଁ ନବୀନ ଜୈନଙ୍କ ଏହା ଏକ ଚାଲ । ଆଗାମୀ ଦିନରେ ଦଳ ଏହାର ଘୋର ବିରୋଧ କରିବ ବୋଲି ସେ କହିଛନ୍ତି ।

ସରକାର ବଦଳିବା ପରେ ପଞ୍ଚାୟତ ପ୍ରତିନିଧିଙ୍କ କଥା ଶୁଣୁନି ବ୍ଲକ ପ୍ରଶାସନ

କଟକ: ସରକାର ବଦଳିବା ପରେ ବଦଳି ଯାଇଛି ପ୍ରଶାସନିକ ଅଧିକାରୀଙ୍କ ଭାବ । ଜନ ପ୍ରତିଧିନିଙ୍କୁ କୁରୁ ନାହାନ୍ତି ଖାତିର । ପଞ୍ଚାୟତ ପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି । ଏମିତି କିଛି ଅଭିଯୋଗ ନେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପରିସରରେ ଧାରଣା ଦେଇଛନ୍ତି ୩୭ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ । ଏପରିକି ଖୋଦ ବ୍ଲକ ଚେୟାରମ୍ୟାନ ଦୀପା ମଲିକ ମଧ୍ୟ ବିକ୍ଷୋଭରେ ସାମିଲ ହୋଇଛନ୍ତି ।

ନୂଆ ସରକାର ଆସିବା ଦିନଠାରୁ ବ୍ଲକରେ କୌଣସି ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉନାହିଁ । ପୁରୁଣା କାମର ବିଲ ଉଦ୍ଦେଶ୍ୟ ମୂଳକ ଭାବରେ ଅଟକାଇ ରଖାଯାଉଥିବା ଧାରଣାରେ ବସିଥିବା ସରପଞ୍ଚ ଓ ସମିତି ସଭ୍ୟମାନେ ଅଭିଯୋଗ କରିଛନ୍ତି ।

ଦୀପା ବ୍ଲକ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବିଭିନ୍ନ ପଞ୍ଚାୟତର ପ୍ରତିନିଧିଙ୍କ ସହ ଧାରଣାରେ ବସିବା ସହ ନୂଆ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଦୀପା କହିଛନ୍ତି, ବ୍ଲକ ପ୍ରଶାସନ କିଛି ଶୁଣୁ ନାହାନ୍ତି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବ୍ଲକ ଅଧ୍ୟକ୍ଷା, ୪ ଜିଲ୍ଲା ପରିଷଦ ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି । ଧାରଣା ସ୍ଥଳରେ ମାହାଙ୍ଗା ପୋଲିସ ସହିତ ଏସଡିପିଓ ବିରଞ୍ଚି ନାରାୟଣ ପତି ପହଞ୍ଚି ଜନ ପ୍ରତିନିଧିଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ରାସନ କାର୍ଡକୁ ନେଇ ବିଭ୍ରାନ୍ତ କରୁଛନ୍ତି ଯୋଗାଣ ମନ୍ତ୍ରୀ ଓ ତାଙ୍କ ବିଭାଗ: ବିଜେଡି

ଭୁବନେଶ୍ବର: ରାସନ କାର୍ଡ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ । ଯୋଗାଣ ବିଭାଗ ଓ ଯୋଗାଣ ମନ୍ତ୍ରୀଙ୍କ କଥାରେ ତାଳମେଳ ନାହିଁ । ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି । ମୃତ ବ୍ୟକ୍ତି ରାସନ କାର୍ଡ ହାତେଇବା ପ୍ରସଙ୍ଗରେ ବିଧାନସଭାରେ ମନ୍ତ୍ରୀଙ୍କ ଲିଖିତ ଉତ୍ତରକୁ ନେଇ ଏମିତି ବର୍ଷିଛି ବିଜେଡି ।

ଯୋଗାଣ ବିଭାଗ ଓ ଯୋଗାଣ ମନ୍ତ୍ରୀ ବାରମ୍ବାର ବିଭ୍ରାନ୍ତି କରୁଛନ୍ତି ବୋଲି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି । ସେ କହିଛନ୍ତି, ପୂର୍ବରୁ ୨୫ ଲକ୍ଷ ମୃତ ବ୍ୟକ୍ତଙ୍କ ନାଁରେ କାର୍ଡ ଅଛି ବୋଲି ମନ୍ତ୍ରୀ କହୁଥିଲେ, ଏବେ କହୁଛନ୍ତି ୩ ଲକ୍ଷ । ରାସନ କାର୍ଡରେ ସାମିଲ ପ୍ରକ୍ରିୟା ଓ ବାଦ ଦେବା ପ୍ରକ୍ରିୟା ଅଛି । ମୃତ ବ୍ୟକ୍ତିଙ୍କ ସ୍ଥାନରେ ନୂଆ କାର୍ଡ ଦିଆଯାଏ । ନୂଆ ସରକାର E-KYC ନାଁରେ ଅବ୍ୟବସ୍ଥା କରୁଛନ୍ତି । ଯଦି E-KYC କରିବାର ଥିଲା ବିଭାଗ ପକ୍ଷରୁ ଆପ୍ଲିକେସନ ବ୍ୟବସ୍ଥା କରିବାର ଆବଶ୍ୟକ ଥିଲା । ଏହା ନକରି କେବଳ E-KYC କରିବା ଫଳରେ ବାହାରେ ରହୁଥିବା ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି ସରକାର । ସରକାର ଯେଉଁ ବ୍ୟବସ୍ଥା କରୁଛନ୍ତି ଏହାଦ୍ଵାରା ୨୫ରୁ ୨୮ ଲକ୍ଷ ଯୋଗ୍ୟ ହିତାଧିକାରୀ କଟି ଯିବେ । ସରକାର ଅଯୋଗ୍ୟଙ୍କ ନାଁରେ ଯୋଗ୍ୟ ହିତାଧିକାରୀଙ୍କୁ ନକାଟନ୍ତୁ ବୋଲି କହିଛନ୍ତି ଗୌତମ ବୁଦ୍ଧ ।

ସେପଟେ ବିଜେଡି ପରେ କଂଗ୍ରେସ ମଧ୍ୟ ରାସନ କାର୍ଡ କାଟିବା ନେଇ ପ୍ରତିକ୍ରିୟା ରଖିଛି ।  ମୃତ ବ୍ୟକ୍ତିଙ୍କ ନାଁ ରାସନ କାର୍ଡ ତାଲିକାରୁ ବାଦ ଦିଆଯାଉ । ଏଥିରେ ସ୍ୱଚ୍ଛତା ଆସୁ, ହେଲେ ଏହା ଦଳୀୟ ଭିତ୍ତିରେ କରା ନଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ପୂର୍ବ ସରକାରରେ ଯେଉଁମାନେ ରାସନ କାର୍ଡ ପାଇଥିଲେ ଉଦ୍ଦେଶ୍ୟ ମୂଳକ ଭାବେ ସେମାନଙ୍କ ନାମ କଟା ନଯାଉ । ପାନ ଦୋକାନୀ, ପାରିବ ଦୋକାନୀ, ଯେଉଁମାନେ ଗରିବ ଲୋକ ଛୁଆ ପାଠପଢ଼ା ପାଇଁ ଜିରୋ ଇନକମ ଟ୍ୟାକ୍ସ ଭରିଛନ୍ତି ସେମାନଙ୍କ ରାସନ କାର୍ଡ ନକାଟନ୍ତୁ ସରକାର ବୋଲି କହିଛନ୍ତି ତାରା ।

ସ୍କୁଲ ପାଚେରୀ ପଡ଼ି ୫ମ ଶ୍ରେଣୀ ଛାତ୍ର ମୃତ

କଟକ: ଡିମିରି ପଞ୍ଚାୟତ ନୋଦା ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ । ସ୍କୁଲ ପାଚେରୀ ପଡ଼ି ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନା ଅନୁସାରେ, ନୋଦା ପ୍ରାଥମିକ ବିଦ୍ୟାଳୟର ପାଚେରୀ ନୂଆ କରି ତିଆରି ହୋଇଛି । ମଧ୍ୟାହ୍ନ ଭୋଜନ ସମୟରେ ପାଚେରୀ ପାଖରେ ୫ମ ଶ୍ରେଣୀ ପିଲାଟି ଛିଡ଼ା ହୋଇଥିଲା । ଏହି ସମୟରେ ପାଚେରୀ ଉପରେ ଚଢ଼ି କିଛି ପିଲା ଖେଳୁଥିଲେ । ପାଚେରୀଟି ନୂଆ କରି ତିଆରି ହୋଇଥିବାରୁ ଭୁଶୁଡ଼ି ପଡ଼ିଥିଲା । ଫଳରେ ତଳେ ଥିବା ପିଲାଟି ଉପରେ ପାଚେରୀ ପଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ଏସସିବିକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ପିଲାମାନେ ପାଚେରୀ ପାଖକୁ ଯିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ମଧ୍ୟାହ୍ନ ଭୋଜନ ସମୟରେ ପିଲାମାନେ କାହିଁକି ପାଚେରୀ ପାଖକୁ ଯାଇଥିଲେ ? ନୂଆ ପାଚେରୀ ଉପରେ ଏତେ ପିଲା କେମିତି ଚଢ଼ି ଖେଳିଲେ ? ବିଦ୍ୟାଳୟର ଶିକ୍ଷକମାନେ ଏ ସମ୍ପର୍କରେ କେମିତି ଜାଣି ପାରିଲେନି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।

ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ମ୍ୟାଚ ଦେଖିବାକୁ ଆସିଲେନି ପାକିସ୍ତାନୀ

କରାଚି: ଆଜିଠାରୁ ପାକିସ୍ତାନରେ ଆରମ୍ଭ ହୋଇଛି ଆଇସିସି ଚାମ୍ପିୟନ୍ସ ଟ୍ରଫି । ଭାରତ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିବା ପରେ ତୁମ୍ବିତୋଫାନ କରୁଥିବା ପାକିସ୍ତାନ ବୋର୍ଡକୁ ଆଜି ନିଜ ଦେଶର ଲୋକେ ଏକ ବଡ଼ ଝଟକା ଦେଇଛନ୍ତି । ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ ପାକିସ୍ତାନ ଖେଳୁଥିଲେ ବି ନିଜ ଦେଶର ଲୋକ ମ୍ୟାଚ୍ ଦେଖିବାକୁ ଆସିନାହାନ୍ତି । ଗୋଟିଏ ପଟେ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମ ପୂରା ଖାଁ ଖାଁ ଲାଗୁଥିଲା ।

ଆଜି ଚାମ୍ପିୟନ୍ସ ଟ୍ରଖିର ଓପ୍ନିଂ ମ୍ୟାଚ କରାଚିର ନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଛି । ୨୯ ବର୍ଷ ପରେ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟ ଫେରିଥିବାରୁ ସମସ୍ତଙ୍କ ଆଶା ଥିଲା ଷ୍ଟାଡିୟମ ପୂରା ଖଚାଖଚ ଭିଡ଼ ରହିବ । ହେଲେ, ମ୍ୟାଚ୍ ଆରମ୍ଭ ହେବା ବେଳକୁ ଦୃଶ୍ୟ ଥିଲା ଭିନ୍ନ । ଷ୍ଟାଡିୟମର ଅଧିକାଂଶ ଷ୍ଟାଣ୍ଡରେ ଦର୍ଶକ ନଥିଲେ ।

ସୂଚନାଯୋଗ୍ୟ, କରାଚି ନ୍ୟାସନାଲ ଷ୍ଟାଡିୟମର ଦର୍ଶକ କ୍ଷମତା ପାଖାପାଖି ୩୦ ହଜାର । ଆଶା କରାଯାଉଥିଲା । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଓ ଆୟୋଜକ ପାକିସ୍ତାନ ମଧ୍ୟ ଖେଳୁଥିବାରୁ ଷ୍ଟାଡିୟମ ଦର୍ଶକରେ ଫୁଲ୍ ହୋଇଯିବ । ଏପରିକି ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ଏମିତି କିଛି ଆଶା କରୁଥିଲା । ହେଲେ ମ୍ୟାଚ୍ ଲାଇଭରୁ ପାକିସ୍ତାନୀଙ୍କ ପାକିସ୍ତାନ କ୍ରିକେଟକୁ ନେଇ କେତେ ଜୋସ ଜଣାପଡ଼ି ଯାଇଥିଲା ।

ଏପରିକି ଏହି ମ୍ୟାଚର ଫଟୋ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ସୋସିଆଲ ମିଡ଼ିଆ ସାଇଟ ଏକ୍ସାରେ ପୋଷ୍ଟ କରିଛି । ଏଥିରୁ ମଧ୍ୟ ଷ୍ଟାଡିୟମ ଫାଙ୍କା ଥିବା ଦେଖିବାକୁ ମିଳୁଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦୁଇ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରକାଶକୁ ୧୨ ଦିନି ବିତି ଯାଇଥିଲେ ବି ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରୁ ନାହିଁ । ଯାହାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି । ତେବେ କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଆଜି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ସଂସଦୀୟ ଦଳ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ଚୟନ ଲାଗି ଦୁଇ ଜଣ ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା କରାଯାଇଛି । ରବିଶଙ୍କର ପ୍ରସାଦ ଏବଂ ଓପି ଧନଖଡ଼ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

ଆଜି ସନ୍ଧ୍ୟା ୬ଟା ୧୫ ମିନିଟରେ ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକ ବସିବ । ଏହି ବୈଠକରେ ସାମିଲ ହେବେ ଦୁଇ ପର୍ଯ୍ୟବେକ୍ଷକ । ବିଧାୟକ ଦଳ ବୈଠକରେ ଘୋଷଣା ହେବ ବିଧାୟକ ଦଳ ନେତାଙ୍କ ନାମ । ତେବେ କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସସପେନ୍ସ ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପ୍ରବେଶ ବର୍ମା ମୁଖ୍ୟମନ୍ତ୍ରୀ ହେବ ନା ଆଉ କାହାର ମୁଣ୍ଡରେ ପିନ୍ଧା ହେବ ମୁକୁଟ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଆଜି ନାଁ ଘୋଷଣା କରିପାରନ୍ତି ହାଇକମାଣ୍ଡ ।

ସେପଟେ ଶପଥ ଗ୍ରହଣ ଉତ୍ସବ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦିଲ୍ଲୀର ରାମଲୀଳା ମୈଦାନରେ ନୂଆ ସିଏମ୍ ଶପଥ ନେବେ । ଦିଲ୍ଲୀ ଉପ-ରାଜ୍ୟପାଳ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଆସନ୍ତା କାଲି ଦିନ ସାଢେ ୧୨ଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର ବହୁ ବରିଷ୍ଠ ନେତା ସାମିଲ ହେବେ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ୪୮ ଆସନ ମିଳିଥିବା ବେଳେ, ମାତ୍ର ୨୨ ଆସନ ଆମ୍ ଆଦମୀ ପାର୍ଟିକୁ ମିଳିଛି । ନିର୍ବାଚନ ଫଳ ବାହାରିବାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ।

ପାକିସ୍ତାନରେ ଉଡ଼ିଲା ତିରଙ୍ଗା: ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଲା ଭାରତର ଚମକ

କରାଚୀ: ନିକଟରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ବିବାଦ ଘେରକୁ ଚାଲିଆସିଥିଲା । କରାଚୀ ଓ ଲାହୋର ଷ୍ଟାଡିୟମରେ ୭ଟି ଦେଶର ପତାକା ଲଗାଯାଇଥିଲା, ମାତ୍ର ଭାରତର ପତାକା ଦେଖିବାକୁ ମିଳିନଥିଲା । ଉକ୍ତ ଘଟଣାକୁ ନେଇ ପାକିସ୍ତାନ ବିଶ୍ବ ଦରବାରରେ ସମାଲୋଚିତ ହୋଇଥିଲା । ତେବେ ଏହା ମଧ୍ୟରେ ଆଜି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ ଅବସରରେ ଷ୍ଟାଡିୟମରେ ଦେଖିବାକୁ ମିଳିଛି  ଭାରତର ଚମକ । ଷ୍ଟାଡିୟମରେ ଫର ଫର ହୋଇ ଉଡ଼ିଛି ତିରଙ୍ଗା, ଯାହାକି ଭାରତର ରାଷ୍ଟ୍ରୀୟ ଗୌରବ ପ୍ରତୀକକୁ ବହନ କରିଛି ।

ଆଜି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଛନ୍ତି । ଏହି ମୁକାବିଲା ପୂର୍ବରୁ ପାକିସ୍ତାନ ତିରଙ୍ଗାକୁ ଲଗାଇ ଦେଇଥିଲା । ଏହି ତିରଙ୍ଗାକୁ ଦେଖି ପଡ଼ିଆରେ ମ୍ୟାଚ ଦେଖୁଥିବା ଓ ଟିଭି ପରଦାରେ ଥିବା କୋଟି ଭାରତୀୟଙ୍କ ମନରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ଭାରତର ଜାତୀୟ ପତାକାକୁ ଷ୍ଟାଡିୟମରେ ରଖି ନଥିବାରୁ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସୋସିଆଲ ମିଡ଼ିଆରେ ଏନେଇ ବେଶ ଚର୍ଚ୍ଚା ହୋଇଥିଲା । ଭାରତୀୟ ଟିମ୍ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ତେଣୁ ପିସିବି ଏହି ପଦକ୍ଷେପ ଗ୍ରହଣ କରିଥିଲା ବୋଲି କୁହାଯାଇଥିଲା । ଏହି ଘଟଣା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ବ୍ୟାକଫଟକୁ ଚାଲିଯାଇଥିଲା । ତେବେ ପାକିସ୍ତାନ କରାଚୀର ନ୍ୟାସନାଲ ଷ୍ଟାଡିୟମରେ ପତାକା ଲଗାଇଥିଲେ ବି ଏକ ବଡ଼ ଭୁଲ କରିଦେଇଥିଲା । କରାଚୀରେ ପଡ଼ିଆରେ କାମ କରୁଥିବା ଲୋକମାନେ ଭାରତୀୟ ପତାକାକୁ ଓଲଟା ଲଗାଇ ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନ ତା’ର ଭୁଲ ସୁଧାରି ନେଇଥିଲା ।