ଭୁବନେଶ୍ବର : ଆଜି ଚେନ୍ନାଇରେ ହେବ ଲୋକସଭା ଆସନ ସୀମା ପୁନଃନିର୍ଦ୍ଧାରଣ ବୈଠକ। ଏହି ବୈଠକ ଡାକିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ବୈଠକରେ ଯୋଗ ଦେବାକୁ ବିଜେଡିରୁ ଯାଇଛନ୍ତି ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସେମାନେ ଯାଇଛନ୍ତି। ସେହିପରି ବୈଠକରେ ଯୋଗଦେବା ଲାଗି ପିସିସି ସଭାପତି ଭକ୍ତ ଦାସ ମଧ୍ଯ ଚେନ୍ନାଇରେ ପହଞ୍ଚିଛନ୍ତି। ଏହି ବୈଠକରେ କ୍ଷତିଗ୍ରସ୍ତ ହେବାକୁ ଥିବା ୮ ରାଜ୍ଯର ପ୍ରତିନିଧି ମଧ୍ଯ ଯୋଗଦେବେ। କ୍ଷତିଗ୍ରସ୍ତ ରାଜ୍ଯଗୁଡିକ ହେଲେ ତାମିଲନାଡୁ, କର୍ଣ୍ଣାଟକ ,ପଶ୍ଚିମବଙ୍ଗ, ପଞ୍ଜାବ, କେରଳ, ତେଲଙ୍ଗାନ, ଆନ୍ଧ୍ରପ୍ରଦେଶ ଓ ଓଡିଶା। ତାମିଲନାଡ଼ୁ ମୁଖ୍ଯମନ୍ତ୍ରୀ ଏମ କେ ଷ୍ଟାଲିନ ଏହି ବୈଠକ ଡକାଇଛନ୍ତି। କିଛି ଦିନ ତଳେ ତାମିଲନାଡୁ ମୁଖ୍ଯମନ୍ତ୍ରୀଙ୍କ ଦୁଇ ଜଣିଆ ପ୍ରତିନିଧି ନବୀନ ନିବାସ ଆସି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ। ଚେନ୍ନାଇ ଯିବା ପୂର୍ବରୁ ବିଜେଡି ପ୍ରତିନିଧି କହିଥିଲେ ବୈଠକ ସରିଲା ପରେ ଡିଲିମିଟେସନର ରୂପରେଖ ଆସିବ। ଓଡି଼ଶା ସ୍ବାର୍ଥରେ ବିଜେଡି କେବେ ସାଲିସ କରିବ ନାହିଁ ବୋଲି କହିଛନ୍ତି ଅମର ଓ ସଂଜୟ।
ଆହୁରି ୩ ଦିନ ଭିଜିବ ଓଡ଼ିଶା, ୧୨ ଜିଲ୍ଲାକୁ ଅରେଞ୍ଜ ଓ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର : ଆହୁରି ୩ ଦିନ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା । କିଛି ସ୍ଥାନରେ କୁଆ ପଥର ବର୍ଷା ହୋଇଥିବା ବେଳେ ଆସନ୍ତା ୨୪ ଯାଏଁ କାଳ ବୈଶାଖୀ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୨ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଦେଓଗଡ ରେ ବିଜୁଳି ଘଡଘଡି ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କାଁଭାଁ ସ୍ଥାନରେ କୁଆ ପଥର ବର୍ଷା ହୋଇପାରେ । ସେହିପରି ୧୮ ଜିଲ୍ଲା ନୂଆପଡା, ବଲାଙ୍ଗିର,ବରଗଡ, ଝାରସୁଗୁଡା, ସମ୍ବଲପୁର ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା ପୁରୀ ,ଗଂଜାମ ,ମାଲକାନଗିରି,କୋରାପୁଟ, ରାୟଗଡା,ଗଜପତି, କଳାହାଣ୍ଡି ଓ ନବରଙ୍ଗପୁର ରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୩ ଓ ୨୪ ତାରିଖରେ ୫ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ବାୟୁମଣ୍ଡଳ ଉପରିଭାଗରେ ରହିଛି ଲଘୁଚାପ ପ୍ରଭାବ। ଏଥିସହ ଉତ୍ତର ପଶ୍ଚିମ ଭାରତରେ ରହିଛି ଏକ ଟ୍ରାପ ଲାଇନ୍ । ଏହା ଫଳରେ ରାଜ୍ୟରେ କାଳ ବୈଶାଖୀ ବର୍ଷା ହେଉଛି ବୋଲି ବିଭାଗ କହିଛି । ତେବେ କାଳବୈଶାଖୀ ବର୍ଷା ପ୍ରବାହରେ ୩ ଦିନ ମଧ୍ୟରେ ୩ରୁ ୫ ତାପମାତ୍ରା ହ୍ରାସ ପାଇବ। ପରେ ୨୫ ତାରିଖ ପରଠାରୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବା ବୋଲି କହିଛି ପାଣିପାଗ ବିଭାଗ।
ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଉପଭୋକ୍ତା ସଂଘର ଗଣଧାରଣା
ଏମ ରାମପୁର : ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଉପଭୋକ୍ତା ସଂଘର ଗଣଧାରଣା । କଳାହାଣ୍ଡି ଜିଲ୍ଲା ଏମ ରାମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉପଭୋକ୍ତା ସଂଘ ବିଭିନ୍ନ ଦାବିକୁ ନେଇ ଗଣଧାରଣାରେ ବସିଛନ୍ତି । ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କରିବା, ବାରମ୍ବାର ବିଦ୍ୟୁତ୍ କାଟ ବନ୍ଦ କରିବା, ଜନବିରୋଧୀ ପ୍ରିପେଡ ସ୍ମାର୍ଟ ମିଟର ସଂଯୋଗ ବନ୍ଦ କରିବା, ନିର୍ବାଚନ ପ୍ରତିଶୃତି ଅନୁଯାୟୀ ପ୍ରତ୍ୟେକ ଉପଭୋକ୍ତାଙ୍କୁ ମାସରେ ୩୦୦ୟୁନିଟ ବିଦ୍ୟୁତ୍ ମାଗଣାରେ ଯୋଗାଇବା,ଓ ଇଆରସି ଏବଂ ଟାଟା ପାୱାର କଂପାନୀର ଶୋଷଣ ଓ ଜୁଲୁମ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ଏହାସହ ବିଦ୍ୟୁତ୍ ଘରୋଇକରଣ ବନ୍ଦ କରିବା, ବିଦ୍ୟୁତ୍ ବିଲ୍ ପୈଠ କରିଥିବା ବିଦ୍ୟୁତ୍ ଉପଭୋକ୍ତାଙ୍କ ବେଆଇନ ବିଦ୍ୟୁତ୍ କାଟକୁ କରିବା ଭଳି ୭ ଦଫା ଦାବି ରଖି ଧାରଣାରେ ବସିରହିଛନ୍ତି । ଏହାସହ ତହସିଲଦାରଙ୍କ ଜରିଆରେ ମାନ୍ୟବର ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
କର୍ଣ୍ଣାଟକ ବିଧାନସଭାରେ ଅଭାବନୀୟ ଦୃଶ୍ୟ, ବିଧାୟକଙ୍କୁ ବୋହି ବୋହି ବାହାର କଲେ ମାର୍ଶାଲ
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାରେ ଅଭାବନୀୟ ଦୃଶ୍ୟ । ଗୃହ ଭିତରେ ହଙ୍ଗାମା କରିବାରୁ ୧୮ ବିଧାୟକଙ୍କୁ ସସପେଣ୍ଡ କଲେ ବାଚସ୍ପତି। ଗୃହର ମର୍ଯ୍ୟାଦା ଉଲ୍ଲଂଘନ କରିଥିବାର ଅଭିଯୋଗରେ ସେମାନଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି। ଏହା ପରେ ମାର୍ଶାଲମାନେ ସେହି ବିଧାୟକଙ୍କୁ ଟେକି ଟେକି ଗୃହରୁ ବାହାର କରିଥିଲେ। କର୍ଣ୍ଣାଟକ ବିଧାନସଭାରେ ହନି ଟ୍ରାପ୍ ଦୁର୍ନୀତି ବିବାଦ ମଧ୍ୟରେ, ରାଜ୍ୟ ସରକାର ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ବିଲ୍ ପାସ୍ କରିଛନ୍ତି। ବିଜେପି ନେତାମାନେ ଗୃହର ମଧ୍ୟ ଭାଗକୁ ଆସି ଶାସକ ସିଦ୍ଧରମୈୟା ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ସେମାନେ ବାଚସ୍ପତିଙ୍କ ଆସନ ଉପରକୁ ଚଢ଼ି ସେମାନଙ୍କର ପ୍ରତିବାଦକୁ ବୃଦ୍ଧି କରୁଥିବା ଦେଖାଯାଇଥିଲା। ତା’ପରେ ବିଜେପି ନେତାମାନେ ୪ ପ୍ରତିଶତ କୋଟା ବିଲ୍ ଚିରି ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗି ଦେଇଥିଲେ। ଏହା ପରେ ବିଜେପି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବାଚସ୍ପତି।
ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରୁ ମିଳିଛି ବିଡ଼ା ବିଡ଼ା ନୋଟ୍
ନୂଆଦିଲ୍ଲୀ ; ସାରା ଦେଶରେ ହଇଚଇ। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ମିଳିଛି ବିଡ଼ା ବିଡ଼ା ଟଙ୍କା । ଲକ୍ଷାଧିକ ଟଙ୍କା ଜବତ ହୋଇଛି। ଏହା ପରେ ଚର୍ଚ୍ଚା ହେଉଛି ଯେ, ନ୍ୟାୟପାଳିକାରେ ଦୁର୍ନୀତି ଚାଲିଛି। ପ୍ରକୃତରେ ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗିବାରୁ ଏତେ କଥା ଜଣାପଡ଼ିଛି। ଏହା ପରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱରେ ତିନି ଜଣ ବରିଷ୍ଠ ବିଚାରପତିଙ୍କ କଲେଜିୟମ୍ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ତାଙ୍କର ମୂଳ ହାଇକୋର୍ଟ ଅର୍ଥାତ୍ ଆହ୍ଲାବାଦ ହାଇକୋର୍ଟକୁ ଫେରାଇବାକୁ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଦଳି ପାଇଁ ସୁପାରିଶ କରିଛି। କିନ୍ତୁ ଏହାକୁ ଆହ୍ଲାବାଦ ହାଇକୋର୍ଟର ଓକିଲ ସଂଘ ବିରୋଧ କରିଛି। ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବାକୁ ଯାଇଥିବା ଦମକଳ ବାହିନୀ ସେଠାରେ ବିପୁଳ ପରିମାଣର ଟଙ୍କା ପାଇଥିଲେ। ଅଗ୍ନିକାଣ୍ଡ ସମୟରେ ଜଷ୍ଟିସ୍ ବର୍ମା ଘରେ ନଥିଲେ। ରେକର୍ଡ ବୁକରେ ହିସାବ ବାହାରେ ଟଙ୍କା ମିଳିଥିବା ନେଇ ଏକ ସରକାରୀ ରେକର୍ଡ ପଞ୍ଜିକୃତ ହୋଇଥିଲା। ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ଅକ୍ଟୋବର ୨୦୨୧ରେ ଆହ୍ଲାବାଦରୁ ଦିଲ୍ଲୀ ହାଇକୋର୍ଟକୁ ପଠାଯାଇଥିଲା। ତାଙ୍କ ବିରୋଧରେ ତଦନ୍ତ ଓ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ବିଷୟରେ ଆଲୋଚନା ହେଉଛି।
କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ପରଲୋକ
ଭୁବନେଶ୍ବର : କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ପରଲୋକ। ୬୬ ବର୍ଷ ବୟସରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ। ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି ପରଲୋକ। ୨୦୧୪ରୁ ୨୦୧୯ ବିଧାନସଭାର ସଦସ୍ୟ ଥିଲେ ଦେବେନ୍ଦ୍ର। ୧୫ତମ ବିଧାନସଭାରେ ଆଳି ନିର୍ବାଚନ ମଣ୍ଡଳୀରୁ କରିଥିଲେ ପ୍ରତିନିଧିତ୍ବ। ଅସୁସ୍ଥତା ଯୋଗୁ ୨୦୨୪ ନିର୍ବାଚନରେ କରିନଥିଲେ ପ୍ରତିଦ୍ବନ୍ଦିତା। ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।
ବିଦେଶୀଙ୍କୁ ବେଆଇନ ସିମ ବିକ୍ରି ଅଭିଯୋଗରେ ଦୁଇ ଗିରଫ
ବ୍ରହ୍ମପୁର ; ବିଦେଶୀଙ୍କୁ ବେଆଇନ ସିମ ବିକ୍ରି । ଗୋପାଳପୁର ବନ୍ଦରରେ ବିଦେଶୀଙ୍କୁ ବେଆଇନ ସିମ ବିକ୍ରି କରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ଅଭିଯୋଗରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୨ ଡଲାର ସହ ବିଭିନ୍ନ କମ୍ପାନୀର ୭୦ ସିମ ଜବତ କରିଛି । ଗିରଫ ଦୁଇ ଜଣ ହେଲେ କତୁରୁ ଗାଁର ଜି. ସାମ୍ବା ଓ ମୋବାଇଲ ଦୋକାନୀ ଏ. କାମେୟା । ଜି. ସାମ୍ବା, ମୋବାଇଲ ଦୋକାନୀ ଏ. କାମେୟାଙ୍କ ଠାରୁ ସିମ କିଣି ଗୋପାଳପୁର ପୋର୍ଟରେ ବିଦେଶୀ ଜାହାଜରେ ଆସୁଥିବା ବିଦେଶୀଙ୍କୁ ବିକ୍ରି କରୁଥିଲେ । ଆର୍ଯ୍ୟପଲ୍ଲୀ ଥାନା ପୋଲିସ ଖବର ପାଇ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ସେମାନେ କେତେ ଦିନ ଧରି ଏ ବେଆଇନ ବ୍ୟବସାୟ କରୁଥିଲେ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ କହିଛନ୍ତି ।
ଆସନ୍ତା ୨୪ ଓ ୨୫ ତାରିଖରେ ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ ସ୍ଥଗିତ
ଭୁବନେଶ୍ବର : ଆସନ୍ତା ୨୪ ଓ ୨୫ ତାରିଖରେ ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ ସ୍ଥଗିତ । ସେଣ୍ଟ୍ରାଲ ଲେବର କମିଶନରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖିଲା ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନ । ଖାଲି ପଡିଥିବା ଦେଢ଼ ଲକ୍ଷରୁ ଅଧିକ ପଦବୀ ପୂରଣ କରିବା, ସପ୍ତାହରେ ୫ ଦିନ କାର୍ଯ୍ୟ ଦିବସ କରିବା, ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ସହ ବ୍ୟାଙ୍କ, କର୍ମଚାରୀ, ଗ୍ରାଚ୍ୟୁଇଟି ବୃଦ୍ଧି, ଓ ଗ୍ରାହକମାନଙ୍କ ସୁରକ୍ଷା ଭଳି ପ୍ରସଙ୍ଗ ମୁଖ୍ୟ ଦାବି ରହିଥିଲା । ଅନ୍ୟପଟେ ମିଳିତ ସଙ୍ଗଠନ ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ କରିଥିଲା । ତେବେ ସିଏଲସିଙ୍କ ସହ ଆଲୋଚନା ପରେ ଏହି ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ଏପ୍ରିଲ ତୃତୀୟ ସପ୍ତାହରେ ସଂଘ ସହ CLCର ପରବର୍ତ୍ତୀ ଆଲୋଚନା ରହିଛି ।
୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ
ଭୁବନେଶ୍ବର : ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସମ୍ପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବାକୁ ରାଜ୍ୟ ସରକାର ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି। ଏହି ନୂଆ ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟ ମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ସୁବିଧା ପାଇବେ। ଏହାସହ, ୭୦ ବର୍ଷରୁ ଅଧିକ ଆର୍ଥିକ ବର୍ଗ ନିର୍ବିଶେଷରେ, ସମସ୍ତ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା ଲାଗୁ କରାଯିବ। ସେହିପରି ଖଣି କାର୍ଯ୍ୟ ଯୋଗୁଁ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମ-୨୦୧୫ ପ୍ରଣୟନ କରାଯାଇଥିଲା। ଖଣି ଅଞ୍ଚଳରେ ରହୁଥିବା ପରିବାର ମାନେ କେବଳ ଜମି ନୁହେଁ ବରଂ ତାଙ୍କର ଜୀବିକା ଓ ତାଙ୍କର ପରିଚୟ ମଧ୍ୟ ହରାଇଛନ୍ତି । ଖଣି କାର୍ଯ୍ୟ ଫଳରେ ଉପୁଜୁଥିବା ପରିବେଶ ଅବକ୍ଷୟ ଯୋଗୁଁ ସେମାନେ ଏହାର ନକାରାତ୍ମକ ପ୍ରଭାବର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ପ୍ରତିକୂଳ ପ୍ରଭାବରୁ ମୁକୁଳିବା ପାଇଁ ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି ଗଠନ କରାଯାଇଥିଲା । ଏହି ପାଣ୍ଠି ପ୍ରଭାବିତ ଅଞ୍ଚଳରେ ରହୁଥିବା ପରିବାରର ହିତ ପାଇଁ ବ୍ୟବହୃତ ହେଉଅଛି । ଏହି ବ୍ୟବସ୍ଥା ଗୁଡ଼ିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ପ୍ରଚଳିତ DMF ନିୟମରେ ଆବଶ୍ୟକ ସଂଶୋଧନ କରିଛନ୍ତି । ଭାବିତ ଅଞ୍ଚଳରେ କାର୍ଯ୍ୟ ତାଲିକା କେବଳ DMF ଟ୍ରଷ୍ଟ ନିର୍ଦ୍ଧାରଣ କରିବ ଏବଂ ଏହାକୁ ଅନ୍ୟ କେହି ନିର୍ଦ୍ଧାରଣ କିମ୍ବା ହସ୍ତକ୍ଷେପ କରିପାରିବେ ନାହିଁ । ସେହିପରି ଖଣି ପ୍ରଭାବିତ ପରିବାରର ସ୍ୱାର୍ଥରକ୍ଷା ପାଇଁ ପୂର୍ବ ନିୟମ ତୁଳନାରେ ଅନେକ ଉନ୍ନତି କରାଯାଇଛି । ଓଡ଼ିଶା ବେସାମରିକ ସେବା ନିୟମ, ୨୦୨୦ ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ । ସେହିପରି ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର ପ୍ରସ୍ତାବକୁ ଅନୁମୋଦନ କରିଛି କ୍ୟାବିନେଟ। ଏହାସହ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ ୨୦୨୫କୁ ଅନୁମୋଦନ କରାଯାଇଛି। ବକେୟା ଜଳକର ଆଦାୟ କରିବା ପାଇଁ ଜଳ ସମ୍ପଦ ବିଭାଗ ଦ୍ଵାରା ଆଗତ ଏକକାଳୀନ ସମାଧାନ ଯୋଜନା ର ଅବଧି ୩୧ ମେ ୨୦୨୫ ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ପାଇଁ ନିଷ୍ପତି ନିଆଗଲା । ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ପରିସରକୁ ବ୍ୟାପକ କରିବା ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଯେଉଁ ବ୍ୟକ୍ତିଙ୍କର ୧ ଏକରର ୨୫ ଭାଗରୁ ଏକ ଭାଗ ଠାରୁ କମ ପରିମାଣର ଘରବାରି ଜମି ଥିବ, ସେହି ବ୍ୟକ୍ତି ମଧ୍ୟ ଘରବାରିହୀନ ବ୍ୟକ୍ତି ଭାବରେ ପରିଗଣିତ ହେବେ। ଏବଂ ୧ ଏକରର ୨୫ ଭାଗରୁ ଏକ ଭାଗ ଠାରୁ ତାଙ୍କର ଯେତିକି ଜମି କମ୍ ଅଛି, ତାଙ୍କୁ ସମପରିମାଣର ଜମି ତାଙ୍କୁ ଯୋଗାଇ ଦିଆଯିବ। ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରଥମେ ପଞ୍ଜିକରଣ ଓ ଆଡମିଶନ ପାଇଁ ମନଇଛା ଦେଲେ ସମୟ, ଏବେ ପାରଦର୍ଶୀ ପୋର୍ଟାଲରେ ବଡ଼ ଷଡ଼ଯନ୍ତ୍ର
ଭୁବନେଶ୍ବର : ପ୍ରଥମେ ସ୍କୁଲ ଗୁଡିକୁ ପଞ୍ଜିକରଣ ନାଁ ରେ ମନଇଚ୍ଛା ସମୟ ଦେଲେ । ଅନଶନ ହେବାରୁ ତାରିଖ ସିନା ବଦଳାଇଦେଲେ କିନ୍ତୁ ସେପଟେ ଅନ୍ୟ ବାଟରେ ଗରିବ ପିଲାଙ୍କୁ ଘରୋଇ ସ୍କୁଲରେ ପାଠ ପଢିବା କିଭଳି ବନ୍ଦ ହୋଇଯିବ ସେ ନେଇ ଯୋଜନା ଖୋଲିଦେଲେ । ଶିକ୍ଷା ଅଧିକାର ଆଇନ ବଳରେ ପାରଦର୍ଶୀ ପୋର୍ଟାଲରେ ପିଲାମାନେ ଆଡ଼ମିଶନ ପାଇଁ ଆବେଦନ କରୁଛନ୍ତି। କିନ୍ତୁ ରାଜ୍ୟରେ ୭୨୦୯ ଘରୋଇ ସ୍କୁଲ ଥିବାବେଳେ ପାରଦର୍ଶୀ ପୋର୍ଟାଲରେ ମାତ୍ର ୨୨୩୫ ସ୍କୁଲ ଦେଖାଉଛି । ତେଣୁ ଆଉ ୫ ହଜାର ସ୍କୁଲ ଗଲା କୁଆଡେ ବୋଲି ପ୍ରଶ୍ନ ଉଠାଇଛି ଓଡିଶା ଅଭିଭାବକ ମହାସଂଘ। ଏହାକୁ ଜାଣିଶୁଣି ଅପଡେଟ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଗରିବ ପିଲାଙ୍କୁ ଶିକ୍ଷା ଅଧିକାରରୁ ଜାଣିଶୁଣି ବଞ୍ଚିତ କରାଯାଉଛି । ବିଗତ ୩ରୁ ଚାରିବର୍ଷ ହେଲା ସେହି ସ୍କୁଲରେ ଆରଟିଇ ପୋର୍ଟାଲ ମାଧ୍ୟମରେ ପିଲା ପାଠ ପଢ଼ୁଛନ୍ତି। ତାହେଲେ ଏବେ ସ୍ୱତଃପଞ୍ଜିକରଣ କାହିଁକି ହେଉନି। ଜାଣିଶୁଣି ପଞ୍ଜିକରଣ ନାଁରେ ସ୍କୁଲ ନିଜକୁ ପାରଦର୍ଶୀ ପୋର୍ଟାଲରେ ସାମିଲ କରୁନାହାନ୍ତି। ତେଣୁ ଏହା ବିଧିବଦ୍ଧ ଷଡଯନ୍ତ୍ର ବୋଲି କୁହାଯାଇଛି । ତେଣୁ ସାତ ଦିନ ମଧ୍ୟରେ ପୋର୍ଟାଲରେ ସବୁ ସ୍କୁଲ ଶୋ ନ କଲେ ଜାତୀୟ ମାନବାଧକାର କମିଶନଙ୍କ ଦ୍ୱାରସ୍ଥ ହେବ ମହାସଂଘ । ଏହି ଷଡ଼ଯନ୍ତ୍ର ବିରୋଧରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାଇ ଦେଇଛି ଓଡିଶା ଅଭିଭାବକ ମହାସଂଘ।
ଏଥିସହିତ ଆଡ଼ମିଶନ ବୟସକୁ ନେଇ ମଧ୍ୟ ଜାଣିଶୁଣି ଦ୍ବନ୍ଦ୍ୱ ସୃଷ୍ଟି କରାଯାଉଛି। ଯଦି ସାରା ଭାରତରେ ମାର୍ଚ୍ଚ ୩୧ ସୁଦ୍ଧା ପିଲାଙ୍କ ବୟସ ଆଡ଼ମିଶନ ପାଇଁ ବିଚାର କରାଯାଉଛି ତାହେଲେ ଓଡ଼ିଶାରେ କାହିଁକି ସେପ୍ଟେମ୍ବର ୧ ବୟସ ସୀମା କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ଏହା ଚକ୍ରାନ୍ତ ଓ ଯାହାଦ୍ୱାରା ପିଲା ଅଭିଭାବକ ଦ୍ବନ୍ଦ୍ୱରେ ରହିବେ ଯାହାଫଳରେ ସମୟ ଗଡିଯିବ । ୨୫ ପ୍ରତିଶତ ସିଟକୁ ଘରୋଇ ସ୍କୁଲକୁ ବିକ୍ରି କରିପାରିବେ । ଏପରିକି ଶିକ୍ଷା ଅଧିକାର ଆଇନ ବଳରେ ପିଲାଙ୍କୁ ନର୍ସରୀ ଅର୍ଥାତ ବାଲବାଟିକା ଏକରୁ ଆଡମିଶନ ଦିଆଯିବା କଥା। କିନ୍ତୁ ଆରଟିଇ ଅଧୀନରେ ପାରଦର୍ଶୀ ପୋର୍ଟାଲରେ ନା ନର୍ସରୀ ନା ଏଲକେଜି କିଛି ବି ଆଡ଼ମିଶନ ପାଇଁ ଦିଆଯାଉ ନାହିଁ। ଏପରିକି ୟୁକେଜି ପାଇଁ ମାତ୍ର ତିନି ଚାରୋଟି ଘରୋଇ ସ୍କୁଲର ନାଁ ଶୋ କରୁଛି। ତେଣୁ ଆଇନ ଥିଲେ ମଧ୍ୟ ରାଜ୍ୟର ବିଜେପି ସରକାର ଜାଣିଶୁଣି ଗରିବ ପିଲାଙ୍କୁ ଏଭଳି ଚକ୍ରାନ୍ତ କରି ପାଠପଢ଼ାରୁ ବଞ୍ଚିତ କରିବାକୁ ଉଦ୍ୟମ କରୁଥିବା ଶିକ୍ଷା ଅଧିକାର କର୍ମୀ ମାନେ ଅଭିଯୋଗ କରିଛନ୍ତି। ଆରଟିଇକୁ ନେଇ କଡା ନିୟମ ଅଛି। ସରକାର ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା କଥା କହି ପ୍ରଚାର ପ୍ରସାର ମଧ୍ୟ କରୁଛନ୍ତି। କିନ୍ତୁ ପ୍ରକୃତରେ ଗରିବ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ବିରୋଧରେ ଆଗକୁ ତୃଣମୂଳ ସ୍ତରରେ ବିଶାଳ ଆନ୍ଦୋଳନ ପାଇଁ ସଜବାଜ ହେଉଛି।.

