spot_img
Home Blog Page 1011

ତିନି ଠାକୁରଙ୍କ ପାଟ ସେବାୟତଙ୍କ ପରଲୋକ

ପୁରୀ: ଆଉ ନାହାନ୍ତି ତିନି ଠାକୁରଙ୍କ ପାଟ ସେବାୟତ । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପାଟବସ୍ତ୍ର ପାଇଁ ଦୀର୍ଘ ବର୍ଷ ଧରି ସୂତା ବୁଣିଥିବା ଖୋର୍ଦ୍ଧା ରାଉତପଡ଼ା ଗ୍ରାମର ଆସେଲି ଦାସ ଆଉ ନାହାନ୍ତି । ୯୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । କିଛିଦିନ ଧରି ସେ ଅସୁସ୍ଥ ଥିଲେ।

ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ବସ୍ତ୍ର ପ୍ରସ୍ତୁତି ସେବାରେ ନିଜକୁ ସମର୍ପିତ କରିଥିଲେ । ପ୍ରତିବର୍ଷ ରଥଯାତ୍ରା ଆସିଲେ ନିଷ୍ଠା ସହକାରେ ଶ୍ରୀପଞ୍ଚମୀ ଦିନଠାରୁ ସୂତା ବୁଣା ଆରମ୍ଭ କରନ୍ତି । ନିଜ ହାତରେ ସୂତା ବୁଣି ବୁଣାକାରଙ୍କୁ ଦିଅନ୍ତି । ସେଇ ସୂତାରେ ମହାପ୍ରଭୁଙ୍କ ପାଟବସ୍ତ୍ର ପ୍ରସ୍ତୁତ ହୋଇଥାଏ । ବୃଦ୍ଧା ବୁଣାକାର ଆସେଲି ଜଗନ୍ନାଥଙ୍କ ଛଡା ଆଉ କାହା ପାଇଁ ସୂତା ବୁଣି ନଥାନ୍ତି । ନବ କଳେବର ସମୟରେ ମଧ୍ୟ ଆସେଲିଙ୍କ ହାତରେ ବୁଣା ସୂତାରେ ପାଟବସ୍ତ୍ର ପ୍ରସ୍ତୁତ ହୋଇଥିଲା । ଆସେଲିଙ୍କ ପୁଅ ଗୋପୀନାଥ ଦାସଙ୍କ ସମେତ ଆହୁରି ୨୪ ବୁଣାକାର ପରିବାର ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣି ଆସୁଛନ୍ତି । ତେବେ ସେ କେବଳ ଜଗନ୍ନାଥଙ୍କ ପାଇଁ ସୂତା ବୁଣିବେ ବୋଲି କିଛି ଦିନ ତଳେ ନନ୍ଦିଘୋଷ ଟିଭି ତରଫରୁ କରାଯାଇଥିବା ସାକ୍ଷାତକାରରେ କହିଥିଲେ ।

ମାଟ୍ରିକ ପରୀକ୍ଷା: ୫ ଛାତ୍ରଙ୍କୁ କପି କରୁଥିବା ବେଳେ ଧରିଲା AI କ୍ୟାମେରା

କଟକ: ମାଟ୍ରିକ ପରୀକ୍ଷାର ତୃତୀୟ ଦିନରେ କପି ଧରିଲା AI କ୍ୟାମେରା । ଗଣିତ ପରୀକ୍ଷାରେ ସାରା ରାଜ୍ୟରେ କପି କରି ୫ ଜଣ ପରୀକ୍ଷାର୍ଥୀ ଏଆଇ କ୍ୟାମେରାରେ ଧରାପଡ଼ିଛନ୍ତି । କପି କରି ଧରା ପଡିଥିବା ଏହି ପରୀକ୍ଷାର୍ଥୀଙ୍କୁ ଏମପିରେ ବୁକ କରିଛି ବୋର୍ଡ ।

୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ଲାଗିଥିବା ୬ ଶହ ଏଆଇ କ୍ୟାମେରାରୁ ୫ ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରାପଡିଛନ୍ତି । ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯାଇଥିଲା । ଅର୍ଥାତ ସକାଳ ୯ ଟାରୁ ୧୧ ଟା ୪୫ ପର୍ଯ୍ୟନ୍ତ ଗଣିତ ପରୀକ୍ଷା ଦେଇଥିଲେ ପରୀକ୍ଷାର୍ଥୀ । ସେପଟେ ତୃତୀୟ ଦିନରେ ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଛି । କପି କରି ଧରାପଡିଥିବା ପରୀକ୍ଷାର୍ଥୀଙ୍କ ପାଖରୁ କିଛି ଆପତ୍ତିଜନକ ଜିନିଷ ଥିବା AI କ୍ୟାମେରାରୁ ଜଣାପଡିବା ପରେ ଚେକିଂ କରାଯାଇ କପି ଧରାଯାଇଥିଲା । ଲାଇଭ ଷ୍ଟ୍ରିମିଙ୍ଗ ବେଳେ ଏହି ଫୁଟେଜ ସାମ୍ନାକୁ ଆସିଛି । ଧରାପଡ଼ିଥିବା ଛାତ୍ର ବାକି ବିଷୟ ଗୁଡିକରେ ପରୀକ୍ଷା ଦେଇପାରିବେ । ବୋର୍ଡ ରେଗୁଲେସନ୍ କମିଟି ପରବର୍ତ୍ତୀ ସମୟରେ ଆକ୍ସନ ନେଇ ନିଷ୍ପତ୍ତି ନେବ ବୋଲି କହିଛନ୍ତି ବୋର୍ଡ ଉପସଭାପତି । ଆସନ୍ତା ଶନିବାର ବିଦ୍ୟାର୍ଥୀ ଦେବେ ବିଜ୍ଞାନ ପରୀକ୍ଷା ।

ରାଜ୍ୟରେ ଅସୁରକ୍ଷିତ ମହିଳା: ୮ ମାସରେ ୧୬ ଶହରୁ ଅଧିକ ଅତ୍ୟାଚାରର ଶିକାର

ଭୁବନେଶ୍ବର:  ରାଜ୍ୟରେ ସୁରକ୍ଷିତ ନାହାନ୍ତି ମହିଳା । ୮ ମାସରେ ୧୬ ଶହ ମହିଳାଙ୍କ ଉପରେ ହୋଇଛ ଅତ୍ୟାଚାର । ବିପର୍ଯ୍ୟସ୍ତ ହୋଇଛି ଆଇନଶୃଙ୍ଖଳl । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଅନୁଧ୍ୟାନ କମିଟି ଗଠନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି । ଅନ୍ୟପଟେ ରାଜ୍ୟରେ ଶାସନ ବ୍ୟବସ୍ଥା ବୋଲି କିଛି ନାହିଁ କହି କଟାକ୍ଷ କରିଛି ବିଜେଡି ।

ରାଜ୍ୟରେ ବିଜେପି ସରକାର ଆସିବା ଦିନଠୁ ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା । ୮ ମାସରେ ୧୬ ଶହ ମହିଳାଙ୍କ ଉପରେ ହୋଇଛି ଅତ୍ୟାଚାର । ସବୁଠି ଉଲ୍ଲଂଘନ ହେଲାଣି ସୀମା । ଅସୁରକ୍ଷିତ ମନେ କରୁଛନ୍ତି ଆଦିବାସୀ । ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ରାଜ୍ୟରେ କେହି ସୁରକ୍ଷିତ ନୁହନ୍ତି । ଆଦିବାସୀ କଥା କହିଥିବା ଡବଲ ଇଞ୍ଜିନ ସରକାର ଆଦିବାସୀଙ୍କୁ ସୁରକ୍ଷା ଯୋଗାଇ ଦେଇପାରୁନି। ସେପଟେ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଆଦିବାସୀ ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସମାଲୋଚନା କରି କହିଛନ୍ତି, ମାଆଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବିଜେପି ସରକାର । ଯଦି ନ୍ୟାୟ ନମିଳେ, ତେବେ ଲୋକସଭା ଭବନରେ ପଶି ଜବାବ ମାଗିବେ କଂଗ୍ରେସ ନେତା ଓ କର୍ମୀ ।

ସେପଟେ ସାରା ରାଜ୍ୟରେ ନିର୍ଯାତନା ବଢୁଥିବା ଦେଖି, ୭ ଜଣିଆ କମିଟି ଗଠନ କରିଛି କଂଗ୍ରେସ । ଏହି ଟିମ୍ ପୂରା ରାଜ୍ୟ ଗସ୍ତ କରିବ । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ବିଜେପି ସରକାରରେ ରାଜ୍ୟରେ ବିଗିଡିଛି ଆଇନଶୃଙ୍ଖଳା । ସେହିପରି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ।

ଲାଭ ଦେଉଥିବା ଭୁବନେଶ୍ବର ବିମାନ ବନ୍ଦରକୁ କାହିଁକି ଲିଜ ଦେଉଛ ରାଜ୍ୟବାସୀଙ୍କୁ ଜଣାଅ ?

ଭୁବନେଶ୍ବର: ଖୁବଶୀଘ୍ର ଭୁବନେଶ୍ବର ଆନ୍ତର୍ଜାତିକ ବିମାନବନ୍ଦରକୁ ଘରୋଇକରଣ କରାଯିବ । ଜାତୀୟ ମୁଦ୍ରୀକରଣ ପାଇପ ଲାଇନ୍ ନୀତି ଆଧାରରେ ଆସନ୍ତା ଆର୍ଥିକ ବର୍ଷ ଭିତରେ ୧୩ଟି ଛୋଟବଡ଼ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ ୫୦ ବର୍ଷିଆ ଲିଜ୍ ଆକାରରେ ଟେକି ଦିଆଯିବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇକରଣକୁ ବିଜେଡି ଓ କଂଗ୍ରେସ ପୂର୍ବରୁ ବିରୋଧ କରିଆସୁଛନ୍ତି । ଏବେ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସାଧାରଣ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷଜ୍ଞଙ୍କ ଅଭିଯୋଗ ଲାଭରେ ଚାଲୁଥିବା ବିମାନବନ୍ଦର ଘରୋଇକରଣ ଉଚିତ ନୁହେଁ । କ’ଣ ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଉଛନ୍ତି ସେ ବିଷୟରେ ସାଧାରଣରେ ପ୍ରକାଶ କରିବା ଦରକାର ।

କେନ୍ଦ୍ରକୁ ଘାରିଛି ଘରୋଇକରଣ ନିଶା । ଗୋଟିଏ ପରେ ଗୋଟିଏ ରାଷ୍ଟ୍ରୀୟ ସମ୍ପତ୍ତିକୁ କିଛି ମୁଷ୍ଟିମେୟ ପୁଞ୍ଜିପତିଙ୍କୁ ଟେକି ଦେବାକୁ ଉଦ୍ୟମ ଚାଲିଛି । ଖୁବଶୀଘ୍ର ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ହେବ ଘରୋଇକରଣ । ଏ ନେଇ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ଆରମ୍ଭ କରିଛି ପ୍ରକ୍ରିୟା । ଜାତୀୟ ମୁଦ୍ରୀକରଣ ପାଇପଲାଇନ୍ ଯୋଜନା ଅନ୍ତର୍ଗତ ୨୦୨୨ରୁ ୨୦୨୫ ଭିତରେ ଦେଶର ଛୋଟବଡ଼ ୨୫ଟି ବିମାନବନ୍ଦରର ପରିଚାଳନା ଦାୟିତ୍ବ ଘରୋଇ ସରକାରୀ ସହଭାଗିତା ମୋଡରେ ୫୦ ବର୍ଷିଆ ଲିଜ୍ ସୂତ୍ରରେ ଦେବାକୁ ପୂର୍ବରୁ ନୀତିଗତ ନିଷ୍ପତ୍ତି ନେଇଥିଲେ । ଏଥିରେ ଭୁବନେଶ୍ବର ବିମାନବନ୍ଦର ସାମିଲ ଥିଲା । ଯାହାକୁ ବିଜେଡି ଓ କଂଗ୍ରେସ କଡ଼ା ବିରୋଧ କରିଆସୁଛନ୍ତି ।

ସୂତ୍ରରୁ ଜଣାପଡ଼ିଛି ଏବେ ତୃତୀୟ ପର୍ଯ୍ୟାୟରେ ୧୦ରୁ ଅଧିକ ବିମାନବନ୍ଦର ଘରୋଇକରଣ କରିବା ନେଇ କ୍ୟାବିନେଟ୍ ନୋଟ ପ୍ରସ୍ତୁତ ହେବା ସହ ବିଡିଂ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବୁଦ୍ଧିଜୀବୀ । ଭୁବନେଶ୍ବର ବିମାନବନ୍ଦର ଲାଭ କରୁଥିବାବେଳେ ଏହାକୁ ଘରୋଇ କମ୍ପାନୀ ହାତକୁ ଟେକି ଦେଇ କେନ୍ଦ୍ର ନିଜେ ପରିଚାଳନା କରିବାରେ ଅସମର୍ଥ ବୋଲି ପ୍ରମାଣିତ କରୁଛି ବୋଲି ଅଭିଯୋଗ ହୋଇଛି ।

ବଡ଼ ଆକାରର କେନ୍ଦ୍ର ବଜେଟ୍ ହେଉଛି । କିନ୍ତୁ ଋଣ ଓ ରାଷ୍ଟ୍ରୀୟ ସମ୍ପତ୍ତିରୁ ପୁଞ୍ଜି ପ୍ରତ୍ୟାହାର କରି ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ବ ଦିଆଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷ ବଜେଟରେ ଆସେଟ୍ସ ମନିଟାଇଜେସନ୍ ବାବଦରେ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ୧୦ ଲକ୍ଷ କୋଟି ସଂଗ୍ରହ କରିବାକୁ ଟାର୍ଗେଟ୍ ଦିଆଯାଇଛି । ଏହାର ଅର୍ଥ କେନ୍ଦ୍ର ସରକାର ଯେଣତେଣ ପ୍ରକାରେ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ରାଷ୍ଟ୍ରୀୟ ସମ୍ପତ୍ତିକୁ ଲିଜ୍ ସୂତ୍ରରେ ଘରୋଇ ହାତକୁ ଟେକି ଦେଇ ରୟାଲଟି ସଂଗ୍ରହ କରିବେ । ଏହି ଯୋଜନାରେ ବିମାନବନ୍ଦରର ମାଲିକାନା ସରକାରଙ୍କ ପାଖରେ ରହିବ । ଓଡ଼ିଶାବାସୀଙ୍କ କ’ଣ ଲାଭ ହେବ ସେ ସମ୍ପର୍କରେ କେନ୍ଦ୍ର ରାଜ୍ୟବାସୀଙ୍କୁ ଅବଗତ କରିବା ଦରକାର । ଗୋଟିଏ ପଟେ ଭୁବନେଶ୍ବର ବିମାନବନ୍ଦରରେ ତୃତୀୟ ଟର୍ମିନସ୍ ଖୋଲିବାକୁ ବିମାନବନ୍ଦର ପ୍ରାଧିକରଣ ଅଣ୍ଟା ଭିଡ଼ୁଥିବା ବେଳେ ସେହି ସମୟରେ ଲିଜ୍ ଆଉଟ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଆଦୌ ସମୀଚିନ ନୁହେଁ ।

ପୂର୍ବରୁ ବିଜେଡି ସରକାରଙ୍କ ଉଦ୍ୟମରେ ଭୁବନେଶ୍ବର ବିମାନବନ୍ଦରରୁ ବ୍ଯାଙ୍କକ, ଦୁବାଇ, ସିଙ୍ଗାପୁରକୁ ଉଡାଣ ଆରମ୍ଭ ହୋଇଥିଲା । ଉଡ଼ାଣ ଯୋଜନାରେ ରାଜ୍ୟରେ ନୂଆ ନୂଆ ବିମାନବନ୍ଦର ଖୋଲୁଛି । କିଛି ପୁଞ୍ଜିପତିଙ୍କ ସ୍ବାର୍ଥ ପାଇଁ ଓଡ଼ିଶା ସମେତ ପୂର୍ବୋଦୟର ବିକାଶକୁ ବଳି ପକାଇବା ଡବଲ ଇଞ୍ଜିନ ସରକାରଙ୍କ ଏକଚାଟିଆ ନୀତି ବୋଲି ଧରାଯିବ । ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ମୋହନ ସରକାର ଏ ଦିଗରେ ସ୍ବର ଉଠାଇବାକୁ ସବୁ ମହଲରେ ଦାବି ଉଠିଛି ।

ବଢ଼ିବ ବିଜୁଳି ଦର ! କମ୍ପାନୀ ଚାପରେ ମୁଣ୍ଡ ବିକି ଦେବେ କି ରାଜ୍ଯ ସରକାର ?

ଭୁବନେଶ୍ବର: ବଢ଼ିବ ବିଜୁଳି ଦର  ! ଓଇଆରସିରେ ଚଳିତବର୍ଷ ବିଜୁଳି ଦର ସଂକ୍ରାନ୍ତ ଜନ ଶୁଣାଣି ସରିବା ପରେ ଏମିତି ସମ୍ଭାବନା ଦେଖାଦେଇଛି । ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି, ମାଗଣା ବିଜୁଳି ପ୍ରତିଶ୍ରୁତି ଦେଇ ଯଦି ସରକାର ଦର ବୃଦ୍ଧି କରନ୍ତି ତେବେ ଏହାକୁ ଦୃଢ ବିରୋଧ କରାଯିବ । ଯାହାକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି ।

ଓପିଜିସି, ଓଏଚପିସି, ଗ୍ରୀଡକୋ ସହ ଅଧିକାଂଶ ବିତରଣ ଓ ଆବଣ୍ଟନ କମ୍ପାନୀ ବିଜୁଳି ଦର ବୃଦ୍ଧି କରିବାକୁ ଓଇଆରସି ଜନ ଶୁଣାଣିରେ ପ୍ରସ୍ତାବ ରଖିଛନ୍ତି ।  ସୂଚନା ଅନୁସାରେ ସରକାରଙ୍କ ଅଧୀନରେ ଥିବା ଏହି ଦୁଇ ସଂସ୍ଥା ଦରବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି ।  ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ବିଜୁଳି ଶୁକ୍ଳ ବୃଦ୍ଧି ପାଇଁ ଜନ ଶୁଣାଣିରେ ନିଜର ପକ୍ଷ ରଖିବା ପରେ ତେଜିଛି ରାଜନୀତି । କମ୍ପାନୀଙ୍କ ଲାଭ ପାଇଁ ସରକାର ବିଜୁଳି ଦର ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ବିଜୁଳି ଦର ପାଖାପାଖି ୧ ଟଙ୍କା ୧୨ ପଇସା ବୃଦ୍ଧି କରିବାକୁ ଯୋଜନା କରାଯାଇଛି । ପଇସାଟିଏ ବିଜୁଳି ଦର ବୃଦ୍ଧି ହେଲେ ସାରା ଓଡ଼ିଶାରେ କଂଗ୍ରେସ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ଶିଳ୍ପପ୍ରତିଙ୍କୁ ଋଣ ଛାଡ କରି ଲୋକଙ୍କ ଉପରେ ବୋଝ ବଢ଼ାଇବାକୁ ସରକାର ଯୋଜନା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କିଏ କେତେ ଦୂର ବୃଦ୍ଧି ପାଇଁ କରିଛି ଦାବି ?

ଆସନ୍ତୁ ନଜର ପକାଇବା କିଏ କେତେ ଦର ବୃଦ୍ଧି କରିବାକୁ କରିଛନ୍ତି ଦାବି । ଓଏଚପିସି ୟୁନିଟ ପିଛା ୨୬ ପଇସା, ଓପିଜିସି ୪୦ ପଇସା, ଗ୍ରୀଡକୋ ୫୪ ପଇସା, ଓପିଟିସିଏଲ୍ ୧୨ ପଇସା, ଟିପିଏସଓଡିଏଲ ୭୩ ପଇସା ଓ ଟିପିସିଓଡିଏଲ୍ ୧୨ ପଇସା ବିଜୁଳି ଦର ବଢ଼ାଇବାକୁ ଦାବି କରିଛନ୍ତି । ମୋଟ ବିଜୁଳି ୟୁନିଟ୍ ପିଛା ୧ ଟଙ୍କା ୮ ପଇସା ବୃଦ୍ଧି କରିବାକୁ ଦାବି ହୋଇଛି । ସେପଟେ ବିଜୁଳି ଦର ବୃଦ୍ଧି ପ୍ରସ୍ତାବକୁ ଦୃଢ ବିରୋଧ କରିଛି ବିଜେଡି । ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ଓଡିଶା ଲୋକଙ୍କୁ ବିଜେପି ସରକାର ଭଣ୍ଡାଇବା ବନ୍ଦ କରନ୍ତୁ । ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାର ଗଠନ କରିଛି ବିଜେପି । ମାଗଣାରେ ୩୦୦ ୟୁନିଟ୍ ବିଜୁଳି ଦେବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବ୍ୟୋମକେଶ । ବିଜୁଳି ଦର ବୃଦ୍ଧି ହେଲ ଦଳ ଏହାକୁ ଦୃଢ ବିରୋଧ କରିବ । ସେପଟେ ଉପଭୋକ୍ତା ସଂଘ ମଧ୍ୟ କହିଛି, ବିଜୁଳି ଦର ବୃଦ୍ଧି ହେଲେ ଏହାକୁ ବିରୋଧ କରାଯିବ ।

ମାର୍ଚ୍ଚ ୧ରେ ବସିବ ରାଜ୍ୟ ଉପଦେଷ୍ଟା କମିଟି ବୈଠକ । ଏଥିରେ ଦର ବୃଦ୍ଧି ନେଇ କମ୍ପାନୀମାନେ ଦେଇଥିବା ପ୍ରସ୍ତାବ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏପ୍ରିଲରୁ ନୂଆ ବିଜୁଳି ଦର ଲାଗୁ ହେବ । ଶେଷ ୨ ବର୍ଷ ହେଲା ବିଜୁଳି ଦର ବୃଦ୍ଧି କରି ନଥିଲେ ପୂର୍ବ ସରକାର । ନବୀନ ପଟ୍ଟନାୟକଙ୍କ ସମୟରେ ୟୁନିଟ ପିଛା ୧୦ ପଇସା କମିଥିଲା । ହେଲେ ନୂଆ ସରକାର ଆସୁ ଆସୁ ଲଦିଛନ୍ତି ବୋଝ ।

ପୋଲାଭରମ ନେଇ ଆରପାର ଲଢ଼େଇ, ଆସନ୍ତାକାଲି ବିଜେଡି କରିବ ଗର୍ଜନ

ଭୁବନେଶ୍ବର: ପୋଲାଭରମକୁ ନେଇ ମିଳିତ କ୍ରିୟାନୁଷ୍ଠାନର ଗଣସଂଗ୍ରାମ । ଆସନ୍ତାକାଲି ବିଜେଡି କରିବ ଗର୍ଜନ । ଡବଲ ଇଞ୍ଜିନ ସରକାରଙ୍କ ନିରବତା ନେଇ ଉଠାଇଛନ୍ତି ପ୍ରଶ୍ନ । ଓଡ଼ିଆ ଅସ୍ମିତା କଥା କହୁଥିବା ସରକାରରେ ବିପଦରେ ଓଡ଼ିଆ । ପୋଲାଭରମ ପାଇଁ ଭିଟାମାଟି ଛାଡିବେ ଆଦିବାସୀ । ଜଳମଗ୍ନ ହେବା ଏକାଧିକ ଗାଁ । ବୁଡ଼ିଯିବ ମାଲକାନଗିର ଓ ପଡ଼ିଆ ବ୍ଲକର ଅନେକ ଗ୍ରାମ । ହେଲେ ଏବେ ଅସ୍ମିତା କଥା ଭୁଲି ଯାଇଛନ୍ତି ରାଜ୍ୟ ସରକାର । ବିରୋଧ କରିବେ କ’ଣ ଓଲଟା ପ୍ରକଳ୍ପକୁ ସମର୍ଥନ କରୁଛନ୍ତି । ବିଜେପିରୁ ୨୦ ସାଂସଦ ଥିଲେ ମଧ୍ୟ କେହି ସ୍ଵର ଉତ୍ତୋଳନ କରୁନାହାନ୍ତି । ପ୍ରତିବାଦ କରି ଆସନ୍ତାକାଲି ଗର୍ଜିବ ମିଳିତ କ୍ରିୟାନୁଷ୍ଠାନ କମିଟି ।

ପୋଲାଭରମକୁ ନେଇ କାଲି ହେବ ଆରପାର ଲଢେଇ । ମାଆ ମାଟିର ସୁରକ୍ଷା ନେଇ ଗର୍ଜନ କରିବ ବିଜେଡି । ବିଜେଡି ମିଳିତ କ୍ରିୟାନୁଷ୍ଠାନ କମିଟିର କାଲି ଆନ୍ଦାଳନ । ପ୍ରକଳ୍ପ ହେଲେ ଲାଭବାନ ହବ ଆନ୍ଧ୍ର ହେଲେ ଓଡ଼ିଶାର ହେବ କ୍ଷତି । ମାଲକାନଗିରି ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ । ପରୋକ୍ଷ ଭାବେ ମାଥିଲି ଆଉ କୋରକୋଣ୍ଡା ଅଞ୍ଚଳରେ ସୃଷ୍ଟି ହେବ ବନ୍ୟା ପରିସ୍ଥିତି । ବାସଚ୍ୟୁତ ହେବେ ହଜାର ହଜାର  ଆଦିବାସୀ । ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବାକୁ ଥିବା ଛତିଶଗଡ଼, ତେଲଙ୍ଗାନା ଓ ଓଡ଼ିଶାର ବହୁ ସାମାଜିକ ସଂଗଠନ ପକ୍ଷରୁ ମିଳିତ କ୍ରିୟାନୁଷ୍ଠାନ କମିଟିର ସମାବେଶ ଅନୁଷ୍ଠିତ ହେବ । ପୋଲାଭରମ ପ୍ରକଳ୍ପକୁ ଜାତୀୟ ମାନ୍ୟତା ଦେଇ ପ୍ରକଳ୍ପ ଲାଗି ୧୫ ହଜାର କୋଟି ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ଏଥିସହ ବ୍ୟାକ ୱାଟର ଯୋଗୁଁ ପ୍ରଭାବିତ ହେବ ଓଡ଼ିଶାର ବହୁ ଆଦିବାସୀ ଗାଁ । ଏହାକୁ ନେଇ ଆସନ୍ତାକାଲି ପୋଲାଭରମ ବିରୋଧୀ ମିଳିତ କ୍ରିୟାନୁଷ୍ଠାନ କମିଟି ଜଳଯାତ୍ରା କରି କରିବ ବିକ୍ଷୋଭ ପ୍ରଦର୍ଶନ ।

ଅନ୍ୟପକ୍ଷେ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଆସୁଛି ବିଜୁ ଜନତା ଦଳ । ପ୍ରକଳ୍ପକୁ ବନ୍ଦ କରିବାକୁ ବିକ୍ଷୋଭ କରିବା ସହ ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ଆର୍ଥିକ ଅନୁଦାନ ଦେଇଥିବା ବେଳେ ଚୁପ ବସିଛି ରାଜ୍ୟର ଡବଲ ଇଞ୍ଜିନ ସରକାର । ଆପତ୍ତି ନକରି ବରଂ ସମର୍ଥନ ଜଣାଇଛନ୍ତି । ଆଦିବାସୀଙ୍କ ବ୍ୟାପକ କ୍ଷତି ହେବାକୁ ଯାଉଥିବାବେଳେ ରାଜ୍ୟ ସରକାର ଚୁପ ବସିଛନ୍ତି । ଅସ୍ମିତା କେବଳ ସ୍ଲୋଗାନରେ ରହିଯାଇଛି । ବିଜେପିରୁ ୨୦ ସାଂସଦ ଥିବାବେଳେ ସଂସଦରେ ପଦୁଟିଏ ପ୍ରଶ୍ନ ଉଠାଇନାହାନ୍ତି । ଏଠି ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି ।

ଅସୁରକ୍ଷିତ ଲିଙ୍ଗରାଜ ମନ୍ଦିର: ଉଡ଼ିଲା ପୁଳା ପୁଳା ଡ୍ରୋନ, ଦେଖଣାହାରି ସାଜିଲା ପୋଲିସ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ନୋ ଫ୍ଲାଇଁ ଜୋନ ହୋଇଥିଲେ ବି ଉଡ଼ିଲା ଡ୍ରୋନ । ୧୦ରୁ ଅଧିକ ଡ୍ରୋନ ଉଡିଥିଲେ ବି ଜାଣି ପାରିଲାନି ପୋଲିସ । ଯାହା ପୋଲିସ ପ୍ରଶାସନ ଓ ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି । ଏବେ ପ୍ରଶ୍ନ ଉଠୁଛି ଯଦି ଡ୍ରୋନ ଦ୍ୱାରା କିଛି ବଡ଼ ଅଘଟଣ ଘଟିଥାନ୍ତା ତେବେ ଏଥିପାଇଁ କିଏ ହୋଇଥାନ୍ତା ଦାୟୀ ? ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ, ପ୍ରତ୍ନତତ୍ତ୍ୱବିତ ଓ ସାଧାରଣ ଲୋକେ ।

ସକାଳୁ ସକାଳୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥିଲା । ହେଲେ ଭିଡ଼ ପରିଚାଳନାରେ ପୋଲିସ ପ୍ରଶାସନ ବିଫଳ । ଦିନ ସାରା ସୁରକ୍ଷା ବ୍ୟବସ୍ଥାର ଧଜିଆ ଉଡି଼ଥିବା ନେଇ ଭିଡିଓ ଭାଇରାଲ ଓ ମହିଳା ଭକ୍ତଙ୍କ ଆକ୍ରୋସ ହିଁ ବୟାନ କରିଥିଲା ଜାଗର ଦିନ ପୋଲିସ ପ୍ରଶାସନର ପାରିବାପଣିଆ । ନିଜେ ଜିଲ୍ଲାପାଳ ଓ ଭୁବନେଶ୍ୱର ଡିସିପି ମଧ୍ୟ ଭକ୍ତଙ୍କ ଆକ୍ରୋଶରୁ ବର୍ତ୍ତି ନଥିଲେ ।

ସନ୍ଧ୍ୟା ହେବା ପରେ ଲିଙ୍ଗରାଜ ମନ୍ଦିର ଉପରେ ଉଡିଥିଲା ୧୦ରୁ ଊର୍ଦ୍ଧ୍ବ ଡ୍ରୋନ । ସୋଶିଆଲ ମିଡ଼ିଆ ଫେସବୁକ, ଏକ୍ସ ଓ ଇନଷ୍ଟାଗ୍ରାମରେ ପୋଷ୍ଟ ଓ ଭିଡିଓ ଅପଲୋଡ଼ ହେଲା । ନୋ ଫ୍ଲାଇଙ୍ଗ ଜୋନ ହୋଇ ବି ବିନା ବାଧରେ ଡ୍ରୋନରେ ଭିଡିଓ ରେକର୍ଡ କରି ଲୋକେ ସୋଶିଆଲ ମିଡିଆରେ ପୋଷ୍ଟ କଲେ । ଆଉ ସରକାର ଏବଂ ପୋଲିସ ପ୍ରଶାସନ ଦେଖଣାହାରି ସାଜିଲା ।

କିଛିଦିନ ତଳେ ଲିଙ୍ଗରାଜ ମନ୍ଦିର ବେଢାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଉଠାକୁ ନେଇ ତୁମ୍ବି ତୋଫାନ ହୋଇଥିଲା । ସେହିଭଳି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଅଭିଯୋଗରେ ଥାନାରେ ଏତଲା ହେବା ସହ କୋଲକାତାର ଜଣେ ୟୁଟ୍ୟୁବରଙ୍କୁ ଗିରଫ କରାଯାଇଥିଲା । ମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ସେତେବେଳେ ଗୁଇନ୍ଦା ପକ୍ଷରୁ ଆଲର୍ଟ କରାଯାଇଥିଲା । ସଦାସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ଲିଙ୍ଗରାଜ ମନ୍ଦିର ଓ ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବା ଘଟଣାକୁ ସାଧାରଣରେ ଗ୍ରହଣ କରାଯାଇନାହିଁ । ସାଇବର ଏକ୍ସପର୍ଟଙ୍କ କହିବା ମୁତାବକ ନୋ ଫ୍ଲାଇଁ ଜୋନରେ ଯଦି ଡ୍ରୋନ ଉଡୁଛି, ତେବେ ତୁରନ୍ତ ପ୍ରଶାସନ ପକ୍ଷରୁ ଜାମର ଲଗାଯାଇ ଡ୍ରୋନର୍ ମୁଭମେଣ୍ଟକୁ ଜାମ କରାଯାଇପାରିବ । ଅଥବା ଲେଜର ଲାଇଟ ସହାୟତରେ ଡୋନର ସେନସରକୁ ଡାଉନ କରାଯାଇପାରିବ । ହେଲେ ପୋଲିସ ଏପରି କିଛି କରି ନକରି କେବଳ ଦେଖଣାହାରି ସାଜିଥିଲା ବୋଲି ଅଭିଯୋଗ ହୋଇଛି ।

ପ୍ରଶାସନ ପକ୍ଷରୁ ଜଦି ଫଟୋଗ୍ରାଫି ପାଇଁ କୌଣସି ଇଭେଣ୍ଟ ବା ପର୍ବରେ ଭିଡିଓ ଗ୍ରାଫିରେ ଡ୍ରୋନର ଆବଶ୍ୟକତା ପଡ଼େ, ତେବେ ତାର ସିଗ୍ନାଲକୁ ବାଦ ଦେଇ ମଧ୍ୟ ଅନ୍ୟ ଡ୍ରୋନକୁ ହଟା ଯାଇପାରିବ । ଯଦି ଖାମାଖିଆଲି ଭାବେ ଉଡା ଯାଉଥିବା ଡ୍ରୋନ ଦ୍ୱାରା ବୋମା ବିସ୍ଫୋରଣ ହୁଏ, ତେବେ ଏଭଳି ପରିସ୍ଥିତିକୁ କିଭଳି ସାମ୍ନା କରିବ ପ୍ରଶାସନ ତାହା ଏବେ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।

ଲିଙ୍ଗରାଜ ଅଘଟଣ: କାଲି ପ୍ରତିକ୍ରିୟା ଦେଇ ସରକାର ଆଜି ଚୁପ, ଦାୟୀ କିଏ ?

ଭୁବନେଶ୍ବର: ବିଜେଡି ସରକାର ଯିବା ପରେ ଆସିଲା ଡବଲ ଇଞ୍ଜିନ ସରକାର । ତେବେ ନୂଆ ସରକାର ସହ ସତେ ଯେମିତି ମାଡ଼ି ଆସିଛି ବିଭ୍ରାଟ ପରେ ବିଭ୍ରାଟ । ଆଇନ ଶୃଙ୍ଖଳା ଭୁଶୁଡ଼ିବା ପରିସ୍ଥିତି ହେଉ କି ନାରୀ ନିର୍ଯାତନା, ଗତ ୮ ମାସରେ ରାଜ୍ୟକୁ କଳଙ୍କିତ କରିଛି ଗୋଟିଏ ପରେ ଗୋଟିଏ କାଣ୍ଡ । ସରକାର ଆସିବା ପରେ ମହାପ୍ରଭୁ ବଳଭଦ୍ର ମୁହଁ ମାଡ଼ି ପଡ଼ିଗଲେ । ସେ ସମୟରେ ସରକାର ସଜାଗ ହେଲେନି । ଗତକାଲି ସକାଳେ ଠେଲାପେଲା ଧସ୍ତାଧସ୍ତିରୁ ଆରମ୍ଭ ହୋଇ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରିରେ ସେବାୟତ ପଡ଼ିବାରେ ସରିଲା । ମୋହନ ସରକାର କେବଳ ସମୀକ୍ଷା କରନ୍ତି । ହେଲେ ସମସ୍ତଙ୍କୁ ନେଇ ଚାଲୁ ନଥିବାରୁ ଦୀର୍ଘ ୮ ମାସ ହେଲା ଚରମ ପ୍ରଶାସନିକ ଦାୟିତ୍ବହୀନତା ନେଇ ରାଜ୍ୟ ଗତି କରୁଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି ।

ପୂର୍ବରୁ କେବେ ଏମିତି ହୋଇ ନଥିଲା । ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ ହେଉଥିଲା । ହେଲେ ମହାଶିବରାତ୍ରୀରେ କେବେ ଭକ୍ତ ଅସୁବିଧାରେ ପଡ଼ୁ ନଥିଲେ । ଭିଡ଼ ନିୟନ୍ତ୍ରଣ କରିବାରେ ପ୍ରଶାସନ ଏପରି ଫେଲ୍ ମାରିଲା ଯେ ଘାଇଲା ହୋଇ ପଡ଼ିଥିଲେ ଭକ୍ତ । ଶେଷରେ ମହାପ୍ରଭୁଙ୍କ ମହାଦୀପ ଉଠାଉଥିବା ସେବାୟତ ବି ମନ୍ଦିର ଚଢୁ ଚଢୁ ପଡ଼ି ଆହତ ହେଲେ । ମହାଶିବରାତ୍ରୀରେ ଭିଆଇପି ପାସ୍ ବଣ୍ଟନକୁ ନେଇ ବି ବିବାଦ ମୁଣ୍ଡ ଟେକିଲାଣି ।

ତେବେ ମୋହନ ସରକାର ଆସିବା ପରଠାରୁ ଏପରି ବିଭ୍ରାଟ ନୂଆ ନୁହେଁ । ଗତ ଆଠ ମାସରେ ସରକାରଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ଆସିଲାଣି । ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଥାର୍ଡ ଡିଗ୍ରୀ ଦେଲା ପୋଲିସ । ତଦନ୍ତ କମିଶନ ନାଁରେ ଚାଲିଛି ବାହାନାବାଜି । ସେପଟେ ନ୍ୟାୟ ଅପେକ୍ଷାରେ ପୀଡ଼ିତା । ରଥଯାତ୍ରା ସମୟରେ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ ଓଡ଼ିଆ ଏଏସଓଙ୍କୁ ମାଡ଼ ମରିଲେ । ହେଲେ କାର୍ଯ୍ୟାନୁଷ୍ଠାନ ହେଲାନି । ତଦନ୍ତ ଆଳରେ ଏପରି ସ୍ପର୍ଶକାତର ମାମଲାକୁ ଭିନ୍ନ ଦିଗ ଦେବାକୁ ରାଜ୍ୟ ସରକାର ଚେଷ୍ଟା କରି ଚାଲିଛନ୍ତି । ସେହି ରଥଯାତ୍ରା ସମୟରେ ମହାପ୍ରଭୁ ବଳଭଦ୍ର ମୁହଁ ମାଡ଼ି ପଡ଼ିଗଲେ । ତାହା ବି ତଦନ୍ତର ଫାଇଲରେ ଗଡ଼ି ଚାଲିଛି । ହେଲେ ନିଷ୍କର୍ସ ବାହାରି ପାରୁନି । ଇ-କେଓ୍ବାଇସି ଓ ରାସନ କାର୍ଡ । ଏପରି ବୟାନ ଭିତରେ କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁର ନୀରିହ ଆଦିବାସୀ ଚାଉଳ ନ ପାଇ ଅନାହାରରେ ପ୍ରାଣ ହରାଇଲେ । ଏହା ଭିତରେ ଆଳୁ ସହ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ହୋଇ ଚାଲିଛି । ନୂଆ ଅବକାରୀ ଆଇନ ଆଣିବା କଥା କହୁ କହୁ ଚିକିଟିରେ ମଦମୃତ୍ୟୁ ହେଲା । ସରକାରଙ୍କୁ ଚାରି ମାସ ଲାଗିଲା ତଦନ୍ତ ପ୍ରକ୍ରିୟା ଆଗେଇବାକୁ । ସବୁଠାରୁ ବଳି ଗଲା ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ସମୟରେ ପଡ଼ିଆରେ ଗୋଟାଏ ପଟ ଅନ୍ଧାର ହୋଇ ୩୨ ମିନିଟ ପାଇଁ ଖେଳ ବନ୍ଦ ରହିବା ଘଟଣା । ଏଥିରେ ବି କାରଣ ଦର୍ଶାଅ ନୋଟି ଜାରି କରି ସରକାର ଚୁପ୍ ।

ନୂଆ ସରକାର ଆସିବା ଦିନଠାରୁ ଅଘଟଣ ହିଁ ଅଘଟଣ ଘଟି ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆଇନ ଶୃଙ୍ଖଳା ଏପରି ଭୁଶୁଡ଼ି ପଡ଼ୁଛି ଯେ ରାଜରାସ୍ତାରେ ଲୋକଙ୍କ ଗଳା କଟା ଯିବା ସହ ଭିଆଇପିଙ୍କ ଘରେ କଳାକନା ବୁଲାଉଛନ୍ତି ଦୁର୍ବୃତ୍ତ । ହେଲେ ସରକାର କି ପ୍ରଶାସନ ସଜାଗ ହେଉ ନଥିବା ବିଜେଡି ଅଭିଯୋଗ କରିଛି । ଠିକ ସମୟରେ ସରକାର ସଜାଗ ନହେଲେ ଆଗକୁ ଆହୁରି ବିପଦ ଆସିବା ନେଇ ବିଜେଡି ଚେତାବନୀ ଦେଇଛି । ସେହିପରି ବାରମ୍ବାର ବିଭ୍ରାଟ ପାଇଁ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ।

କେବଳ ଶାସକ ଦଳକୁ ନେଇ ସରକାର ଚାଲୁଛନ୍ତି । ବିଧାନସଭା ହେଉ କି ଗୃହ ବାହାରେ, କେଉଁଠାରେ ବି ବିରୋଧୀଙ୍କୁ ନେଇ କାମ କରୁ ନଥିବା ଅଭିଯୋଗ ଜୋର ଧରିଲାଣି । ହେଲେ ବିଭ୍ରାଟ ପରେ ବିଭ୍ରାଟ ଘଟି ସରକାରଙ୍କ ଛବି ମଳିନ ହେବା ପରେ ବିରୋଧୀଙ୍କ ସହଯୋଗ ମାଗିଛି ସରକାରୀ ଦଳ ।

ସମୀକ୍ଷା ଓ ପୂର୍ବ ସରକାରଙ୍କୁ ସମାଲୋଚନାରେ ସୀମିତ ରହୁଛନ୍ତି ସରକାର । ହେଲେ ନିଜ ଆଡ଼ୁ ରାଜ୍ୟ ପାଇଁ କଣ ନୂଆ କରି ବିକାଶ କାର୍ଯ୍ୟ କରିବେ, ସେ ନେଇ କୌଣସି ମାଷ୍ଟର ପ୍ଲାନ ନଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଲାଣି ।

ପ୍ରେମିକ ଆଇଆଇସି ଗିରଫ ଘଟଣା: ମାମଲା ପ୍ରତ୍ୟାହାର ପାଇଁ ମହିଳା ହୋମଗାର୍ଡଙ୍କୁ ଧମକ ଅଭିଯୋଗ

କୁଜଙ୍ଗ: ମହିଳା ହୋମଗାର୍ଡଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିବା ଓ ବିବାହ କରିବାକୁ ମନା କରିବା ଅଭିଯୋଗରେ ବନ୍ଧା ହୋଇଥିବା ଆଇଆଇସି ବାବୁଙ୍କ ବିରୋଧରେ ପୁଣି ଆସିଛି ସଙ୍ଗୀନ ଅଭିଯୋଗ । ସେ ଜେଲରେ ଥିଲେ ବି ମାମଲା ପ୍ରତ୍ୟାହାର ପାଇଁ ମହିଳା ହୋମଗାର୍ଡ ଓ ତାଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏପରିକି ଅତିରିକ୍ତ ଏସପିଙ୍କ ନାଁରେ ତାଙ୍କ ପରିବାର ଉପରେ ଚାପ ପକାଯିବା ସହ ଚାକିରି ନେଇଯିବା, ହତ୍ୟା କରିବା ଭଳି ଧମକ ଦିଆଯାଉଛି । ଯାହାକୁ ନେଇ ମହିଳା ହୋମଗାର୍ଡ ଜଣଙ୍କ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଶଙ୍କା ପ୍ରକାଶ କରିଛନ୍ତି ।

ମହିଳା ହୋମଗାର୍ଡଙ୍କ ଅଭିଯୋଗ ଅନୁସାରେରେ ପୂର୍ବତନ କୁଜଙ୍ଗ ଆଇଆଇସି ତଥା ରସିକିଆ ପ୍ରେମିକ ତପନ ନାହାକ ଜେଲ୍ ଯିବା ପରେ, ଜଣେ ବ୍ୟକ୍ତି ତାଙ୍କୁ ଭେଟିଥିଲେ । ସେ କହିଲେ, ଅତିରିକ୍ତ ଏସପି ପଠାଇଛନ୍ତି, ତପନ ନାହାକଙ୍କ ବିରୋଧରେ ଥିବା କେସ୍ ଉଠାଇ ଦିଅନ୍ତୁ, ୨୫ ଲକ୍ଷ ଟଙ୍କା ଦିଆଯିବ । ଏ ସମ୍ପର୍କରେ ଗଣମାଧ୍ୟମରେ ମୁହଁ ଖୋଲିଲେ ଚାକିରି ଯିବ । ସେପଟେ ହୋମଗାର୍ଡଙ୍କ ଘରକୁ ଦୁଇଜଣ ଅଚିହ୍ନା ଲୋକ ଯାଇ ତାଙ୍କ ବାପାମାଆଙ୍କୁ ଧମକ ଦେଇ କହିଛନ୍ତି, ଝିଅକୁ କୁହ କେସ୍ ଉଠାଇ ଦେବ, ନହେଲେ ପୂରା ପରିବାରକୁ ହତ୍ୟା କରାଯିବ ।

ଘଟଣାକୁ ନେଇ ଜଗତସିଂପୁର ଏସପି କହିଛନ୍ତି, ହୋମଗାର୍ଡଙ୍କ ବୟାନ ୧୬୪ଧାରାରେ ରେକର୍ଡ କରାଯାଇଛି । ଏ ସଂପର୍କରେ ସେ କିଛି କହି ନଥିଲେ । ଯଦି କିଛି ଅଭିଯୋଗ ଅଛି ତେବେ ଲିଖିତ ଆକାରରେ ଦେଲେ ତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ମହିଳା ହୋମଗାର୍ଡଙ୍କ ବିରୋଧରେ ମଧ୍ୟ ତଦନ୍ତ ଆରମ୍ଭ କରାଯାଇଥିବା ଏସପି କହିଛନ୍ତି । କେଉଁ ପରିସ୍ଥିତିରେ କାହା ନିର୍ଦ୍ଦେଶରେ ହୋମଗାର୍ଡଙ୍କୁ ରାଇଟର ଡେସ୍କରେ କାମ କରିବାକୁ ଦିଆଯାଇଥିଲା ଓ ହୋମଗାର୍ଡଙ୍କୁ କିପର ସରକାରୀ କ୍ବାଟର ପ୍ରଦାନ କରାଯାଇଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଏସପି ଭବାନୀଶଙ୍କର ଉଦଗାତା କହିଛନ୍ତି ।

ମାଟ୍ରିକ ପରୀକ୍ଷାରେ କପି ଯୋଗାଇବା ଅଭିଯୋଗରେ ୬ ଶିକ୍ଷକ ନିଲମ୍ବିତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

କଣ୍ଟାବାଞ୍ଜି: ମାଟ୍ରିକ ପରୀକ୍ଷାରେ କପି ଯୋଗାଇବା ଓ ଅବ୍ୟବସ୍ଥାକୁ ନେଇ ୬ ଶିକ୍ଷକ ନିଲମ୍ବିତ । ଘଟଣା ଅଞ୍ଚଳରେ ଘଟିଛି । ଅନ୍ୟପକ୍ଷରେ ଶିକ୍ଷକଙ୍କ ନିଲମ୍ବନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନିଲମ୍ବନ ପ୍ରତିବାଦରେ ଛାତ୍ରଛାତ୍ରୀ ଟିଟିଲାଗଡ-ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ମାଟ୍ରିକ ପରୀକ୍ଷାରେ କପି ସହ ଅବ୍ୟବସ୍ଥା ଅଭିଯୋଗରେ ୬ ଶିକ୍ଷକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଲମ୍ବନ କରାଯାଇଛି । ସେଥିମଧ୍ୟରୁ ମୁରିବାହାଲ ବ୍ଲକ ଯୁଗୀରଥା ସ୍କୁଲର ଶିକ୍ଷକ ସୋମନାଥ ଧଳ ମଧ୍ୟ ନିଲମ୍ବନ କରାଯାଇଛି । ଏହାକୁ ପ୍ରତିବାଦ କରି ଛାତ୍ରଛାତ୍ରୀମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଥିଲା । ଖବରପାଇ ଘଟଣା ସ୍ଥଳରେ ମୁରିବାହାଲ ତହସିଲଦାର, ବିଇଓ ପହଁଚି ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରୁଛନ୍ତି ।