ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକରେ ଅନୁଷ୍ଠିତ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ଅଭାବନୀୟ ଘଟଣା । କାର୍ଯ୍ୟକ୍ରମ ଆରମ୍ଭରୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଘେରିଲେ ସରପଞ୍ଚ ଓ ସମିତି ସଭ୍ୟ । ପ୍ରଶ୍ନ ବାଣରେ ଘାଇଲା ହେଲେ ଦୁଇ ବିଧାୟକ । ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ଠିକ୍ ଭାବେ ହେଉନଥିବା ଅଭିଯୋଗ କରିଥିଲେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ । ଶିକୁଳା ପଞ୍ଚାୟତରେ ମନରେଗା ଯୋଜନାରେ କାର୍ଯ୍ୟ ହେଉନାହିଁ । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ଶିକୁଳାରେ ଉନ୍ନୟନ କାମ ନହେବା ପଛରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକଙ୍କ ହାତ ରହିଛି । ବିଧାୟକଙ୍କର ବିନା ଅନୁମତିରେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ମାନେ ଶିକୁଳାରେ କୌଣସି କାମ କରିବାକୁ ମନା କରୁଛନ୍ତି । ସେହିପରି ଆଛୁଲି ପଞ୍ଚାୟତରେ ମଧ୍ୟ ଦୀର୍ଘ ମାସ ଧରି କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି । ଅନେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ନିଜ ଅଞ୍ଚଳରେ ଉନ୍ନୟନ କାମ ଠିକ୍ ସମୟରେ ହେଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୁଇ ବିଧାୟକ ମାନେ ଏନେଇ ପଦକ୍ଷେପ ନେବା ନିମନ୍ତେ ଦାବି କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ବୋମାରେ ଉଡାଇ ଦେବାକୁ ଧମକ
ମୁମ୍ବାଇ : ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ବୋମାରେ ଉଡାଇ ଦେବାକୁ ଧମକ। ପାକିସ୍ତାନୀ ନମ୍ବରରୁ ଆସିଛି ମହାରାଷ୍ଟ୍ର ସିଏମ ଦେବେନ୍ଦ୍ର ଫଡନଭିସଙ୍କୁ ଏହି ଧମକ। ମୁମ୍ବାଇ ଟ୍ରାଫିକ ୱାଟ୍ସଆପରେ ଆସିଛି ଏହି ମେସେଜ। ଆଲର୍ଟ ଜାରି କରି ତଦନ୍ତ ଆରମ୍ଭ କଲା ମୁମ୍ବାଇ ପୋଲିସ। ମିଳିଥିବା ଧମକ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟକୁ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ମେସେଜରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଆଳୟ ଉପରେ ଆକ୍ରମଣ କରିବାକୁ ଧମକ ଦିଆଯାଇଛି। ଏହି ମେସେଜ ଦେଇଥିବା ବ୍ଯକ୍ତି ନିଜ ନାମ ଶାହବାଜ ହୁମାୟୁନ ବୋଲି ଜଣାଇଛି। ସୂଚନା ମିଳିବା ପରେ ତୁରନ୍ତ ଆଲର୍ଟ ଜାରି କରି ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁରକ୍ଷା ବିଭାଗକୁ ଏହି ସୂଚନା ଦିଆଯାଇଛି। ମହାରାଷ୍ଟ୍ର ପୋଲିସ ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିତ ଯାଞ୍ଚ ଆରମ୍ଭ ହୋଇଛି। ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମଧ୍ୟ ମିଳିଥିଲା ଧମକ। ଏହି ମାମଲାରେ ମୁମ୍ବାଇର ଗୋରେଗାଓଁ ଏବଂ ଜେଜେ ମାର୍ଗ ପୋଲିସ ସମେତ ଅନେକ ସରକାରୀ ଅଫିସକୁ ଏହି ଧମକ ଆସିଥିଲା। ଏଥିରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।
ସେୟାର ମାର୍କେଟ କ୍ରାସ, ଦିନକରେ ନିବେଶକଙ୍କ ପ୍ରାୟ ୯ ଲକ୍ଷ କୋଟି ସ୍ଵାହା
ଭୁବନେଶ୍ବର : ଫେବୃଆରୀର ଶେଷ ଦିନରେ ସେୟାର ମାର୍କେଟ କ୍ରାସ। ଲଗାତର ପଞ୍ଚମ ମାସ ଲାଗି ଖସିଛି ଭାରତୀୟ ସେୟାର ବଜାର। ସେନସେକ୍ସ ୧୪୧୪ ପଏଣ୍ଟ ଖସି ୭୩ ହଜାର ୧୯୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ୨୨ ହଜାର ୨ଶହ ପଏଣ୍ଟ ତଳେ ବନ୍ଦ ହେଲା ନିଫଟି। ସେୟାର ବଜାରରେ ଦିନକରେ ନିବେଶକଙ୍କ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ସ୍ଵାହା ହୋଇଯାଇଛି। ଲଗାତାର ୫ ମାସ ମଧ୍ୟରେ ନିବେଶକ ସେୟାର ବଜାରରେ ୮୫ ଲକ୍ଷ କୋଟି ହରାଇଲେଣି। ସୂଚକାଙ୍କ ହ୍ରାସରେ ୨୯ ବର୍ଷର ରେକର୍ଡ ଭାଂଗିଲା ନିଫଟି। ୧୯୯୬ରେ ଲଗାତାର ୫ ମାସ ଧରି ନିଫଟି ହ୍ରାସ ପାଇଥିଲା। ଏହାର ୨୯ ବର୍ଷ ପରେ ପୁଣି ନିଫଟିରେ ଭାରି ହ୍ରାସ ଦେଖିବାକୁ ମିଳିଛି। ୧୯୯୬ ନଭେମ୍ବରରେ ନିଫଟିରେ ଅତ୍ୟଧିକ ହ୍ରାସ ଦେଖିବାକୁ ମିଳିଥିଲା। ଲଗାତାର ୫ ମାସ ମଧ୍ୟରେ ନିଫଟି ୨୬ ପ୍ରତିଶତ ତଳକୁ ଖସିଥିଲା। ତେବେ ଏବେ ଯେଉଁ ହ୍ରାସ ଜାରି ରହିଛି, ସେଥିରେ ୧୧. ୬୮ ପ୍ରତିଶତ ଖସିଛି ନିଫଟି। ପୂର୍ବତନ ହ୍ରାସ ତୁଳନାରେ ବର୍ତ୍ତମାନର ହ୍ରାସ କମ ରହିଛି। ବିଏସଇରେ ତାଲିକାଭୁକ୍ତ କମ୍ପାନୀ ଗୁଡିକର ସେୟାର ୮୫ ଲକ୍ଷ କୋଟି ଖସି ୩୯୩ ଲକ୍ଷ କୋଟି ରହିଛି। ସେୟାର ମାର୍କେଟ ହ୍ରାସର କାରଣ ଅନେକ ରହିଛି। ତେବେ ମୁଖ୍ୟତଃ ବିଶ୍ଵ ବଜାରରେ ଟ୍ରେଡ୍ ୱାର ମୁଖ୍ୟ ବୋଲି କୁହାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଓ ମେକ୍ସିକୋ ଉପରେ ଲଗାଇଥିବା ୨୫ ପ୍ରତିଶତ ଟାରିଫ୍ ଆସନ୍ତା ୪ ମାର୍ଚ୍ଚରୁ ଲାଗୁ କରିବାକୁ ଘୋଷଣା କରିଥିଲେ। ତେବେ ଏହାକୁ ୨ ମାର୍ଚ୍ଚରୁ ଲାଗୁ କରିବାକୁ ସଙ୍କେତ ଦେଇଛି ଆମେରିକା। ଏହାକୁ ନେଇ ବିଶ୍ଵ ବଜାରରେ ହଲଚଲ ହୋଇଛି। ଏହାସହ ଚୀନ ସାମଗ୍ରୀ ଉପରେ ୧୦ ପ୍ରତିଶତ ଅତିରିକ୍ତ କର ଲଗାଇଛି ଆମେରିକା।ଯାହାକୁ ନେଇ ବିଶ୍ଵ ବଜାରରେ ଟ୍ରେଡ୍ ୱାରର ଆଶଂକା ବଢିଛି। ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଦେଶ ଦେଶ ମଧ୍ୟରେ ଏହି ବାଣିଜ୍ୟ ଯୁଦ୍ଧ ଆହୁରି ତୀବ୍ର ହୋଇଛି। ଅନ୍ୟପଟେ ଏସିଆ ସେୟାର ବଜାରରେ ମଧ୍ୟ ଦେଖାଦେଇଥିବା ମାନ୍ଦାବସ୍ଥା ସେୟାର ମାର୍କେଟ୍ ହ୍ରାସ ହେବା ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ଆମେରିକା ସେୟାର ବଜାରରେ ମାନ୍ଦାବସ୍ଥା ସ୍ଥିତି ସାରା ଦୁନିଆର ସେୟାର ମାର୍କେଟ କ୍ରାସ ହେବାର ମଧ୍ୟ ଆଉ ଏକ କାରଣ ବୋଲି ବିଶେଷଜ୍ଞ କହୁଛନ୍ତି।
ଆଦାନୀ କମ୍ପାନୀ ତରଫରୁ ଅନୁଷ୍ଠିତ ଗ୍ରାମସଭା ପାଲଟିଲା ରଣକ୍ଷେତ୍ର
ସୁନ୍ଦରଗଡ : ଆଦାନୀ କମ୍ପାନୀ ତରଫରୁ ଅନୁଷ୍ଠିତ ଗ୍ରାମସଭା ପାଲଟିଲା ରଣକ୍ଷେତ୍ର । କମ୍ପାନି ସମର୍ଥକ, ବିସ୍ଥାପିତ ମୁହାମୁହିଁ । ବାଡ଼ିଆପିଟା, ଟଣାଓଟରା, ଚୌକି ଭାଙ୍ଗି ପ୍ରବଳ ବିରୋଧ । ସୁନ୍ଦରଗଡ଼ ହେମଗିରି ବ୍ଲକର ବିଜାହାନ କୋଇଲା ଖଣି ପାଇଁ ଆଜି ଆଦାନୀ କମ୍ପାନୀ ପକ୍ଷରୁ ପ୍ରଥମ ଗ୍ରାମସଭା ରଖାଯାଇଥିଲା । ବିଜାହାନ ଗାଁ କଲ୍ୟାଣ ମଣ୍ଡପରେ ଗ୍ରାମସଭା ପାଇଁ ଏକାଠି ହୋଇଥିଲେ ଲୋକେ । ହେଲେ ଗ୍ରାମସଭା ଆରମ୍ଭରୁ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ତଥା ନିଯୁକ୍ତି ନେଇ କମ୍ପାନୀ ଆଗୁଆ ଲିଖିତ ସୂଚନା ନଦେଇ ସିଧାସଳଖ ଗ୍ରାମସଭା କରୁଥିବା ଅଭିଯୋଗ କରି ବିସ୍ଥାପିତ ପ୍ରବଳ ବିରୋଧ କରିଥିଲେ। ଏପରିକି ପୁଲିସ ସହ ମଧ୍ଯ ଠେଲାପେଲା ହୋଇଥିଲା। ଏହା ସତ୍ତ୍ବେ ସରପଞ୍ଚଙ୍କ ମାଧ୍ଯମରେ ଗ୍ରାମସଭା କରାଇନେବାକୁ କମ୍ପାନୀ ଉଦ୍ଯମ କରୁଥିବା ଦେଖି ବିରୋଧକାରୀ ତାତିଥିଲେ। ସ୍ଥିତି ବିଗୁଡ଼ୁଥିବା ଦେଖି ହେମଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମସଭାକୁ ବାତିଲ ଘୋଷଣା କରିଥିଲେ । ପୂର୍ବରୁ ବିଜାହାନ ଅଞ୍ଚଳରେ ଜଙ୍ଗଲ ଉଜାଡ଼ି ବଲାଙ୍ଗୀର ଗନ୍ଧମାର୍ଦ୍ଦନରେ କ୍ଷତିପୂରକ ବନୀକରଣ କରିବାକୁ ଯୋଜନା କରୁଥିବା ଅଭିଯୋଗରେ ଆଦାନି ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇରହିଛି । ଏଭଳି ସ୍ଥିତିରେ ଆଜି ପ୍ରଥମ ଗ୍ରାମସଭା ବାତିଲକୁ ନେଇ ଆଦାନିର କାରସାଦି ପୁଣି ଚର୍ଚ୍ଚାକୁ ଆସିଛି । ଆଦାନି ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ କମ୍ପାନିକୁ ୨୦୨୨ରେ ହେମଗିର ବ୍ଲକ୍ ବିଜାହାନ କୋଇଲା ଖଣି ଆବଣ୍ଟିତ ହୋଇଛି । ଖଣି ପାଇଁ ଝାରପଲମ ପଞ୍ଚାୟତ ବିଜାହାନ ଗାଁରୁ ୨୫୦.୦୧୦ ଏକର ଓ ଭୋଗରାକଛାରରୁ ୧୮୮.୨୦୦ ଏକର ରୟତି ଜମି ଅଧିଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ବିଜାହାନ ଗାଁରେ ଗ୍ରାମସଭା ଡକାଯାଇଥିଲା । ହେମଗିର ଏବିଡିଓଙ୍କ ଉପସ୍ଥିତିରେ ଝାରପଲମ ସରପଞ୍ଚ ଚନ୍ଦ୍ରବ ମାଝୀଙ୍କ ଅଧ୍ଯକ୍ଷତାରେ ସଭା ଆରମ୍ଭ ହେବା କ୍ଷଣି ବିସ୍ଥାପିତମାନେ କମ୍ପାନୀର କ୍ଷତିପୂରଣ,ଥଇଥାନ ଓ ପୁନର୍ବାସ ପ୍ଯାକେଜ ନେଇ କାହିଁକି ଆଗୁଆ ସୂଚନା ଦେଲେନି ବୋଲି ପ୍ରଶ୍ନ କରିଥିଲ । ପରେ ଗ୍ରାମସଭା ବାତିଲ ଦାବି କରିଥିଲେ। କିଛି ସମର୍ଥକ ବିସ୍ଥାପିତଙ୍କୁ ବିରୋଧ କରିବାରୁ ପାଟିତୁଣ୍ଡ ହୋଇଥିଲା। ପରେ ଦେଖୁ ଦେଖୁ ଠେଲାପେଲା, ମାଡ଼ପିଟ, ଚୌକି ଭଙ୍ଗାରୁଜା ମଧ୍ଯରେ ସଭାସ୍ଥଳ ରଣକ୍ଷେତ୍ର ପାଲଟି ଯାଇଥିଲା। କମ୍ପାନୀ ବିସ୍ଥାପିତଙ୍କୁ ଭଣ୍ଡାଉଥିବା ଅଭିଯୋଗ କରି ବିସ୍ଥାପିତ ଆଦାନି ଗୋ ବ୍ଯାକ୍ ନାରା ଦେଇଥିଲେ।
ନେତାଙ୍କୁ ଭକ୍ତଙ୍କ ପ୍ରଥମ ଫତଓ୍ବା, ମତ ଦେବା ପୂର୍ବରୁ ପରାମର୍ଶ ନିଅ
ଭୁବନେଶ୍ବର : ନେତାଙ୍କୁ ଭକ୍ତଙ୍କ ପ୍ରଥମ ଫତଓ୍ବା। ମତ ଦେବା ପୂର୍ବରୁ ପରାମର୍ଶ ନିଅ।ଜୟଦେବ କହିଲେ ସ୍ବାଧୀନ ମତ ଦେବା ସମସ୍ତଙ୍କ ଅଧିକାର। ତାରା ଓ ଶରତ ବାଢିଲେ ଭିନ୍ନ ଯୁକ୍ତି।ଫତଓ୍ବାକୁ ନେଇ କଂଗ୍ରେସ ରାଜନୀତି ହଲଚଲ।ପିସିସି ସଭାପତି ହେବାର ସପ୍ତାହ ମଧ୍ୟରେ ନେତାଙ୍କ ମୁହଁରେ ତୁଣ୍ଡି ବାନ୍ଧିଛନ୍ତି ଭକ୍ତ ଚରଣ ଦାସ। ଏଣିକି କୌଣସି ପ୍ରସଙ୍ଗରେ ଗଣମାଧ୍ୟମ କି ସାମାଜିକ ଗଣମାଧ୍ୟମରେ କଂଗ୍ରେସ ନେତା ମତ ଦେବା ପୂର୍ବରୁ ପରାମର୍ଶ ନେବାକୁ ଜାରି ହୋଇଛି ନିର୍ଦ୍ଦେଶନାମା। ଏଥିରେ ସିଧାସଳଖ ନେତାଙ୍କୁ କୁହାଯାଇଛି କଂଗ୍ରେସ ଆଭିମୁଖ୍ୟ ନେଇ ମତ ଦିଅ।ଗୋଟିଏ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ଯୋଗୁଁ ଦଳର ଭାବମୁର୍ତ୍ତି କ୍ଷୁଣ୍ଣ ହେଉଛି। ଦଳର ବରିଷ୍ଠ ନେତାଙ୍କୁ ଫତୱା ଜରିଆରେ ପରୋକ୍ଷରେ ତାଗିତ ସହ ସହଯୋଗ ଲୋଡ଼ିଛନ୍ତି ସଭାପତି। ସେପଟେ ପିସିସି ସଭାପତିଙ୍କ ଫତଓ୍ବାକୁ ନେଇ ଦଳର ବରିଷ୍ଠ ନେତା ଭିନ୍ନ ଭିନ୍ନ ମତ ରଖିଛନ୍ତି।ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ସମସ୍ତଙ୍କ କହିବାର ଅଧିକାର ଅଛି। ୨୦୨୯ କଂଗ୍ରେସ ପାଇଁ ଶେଷ ସୁଯୋଗ। ତେଣୁ ସମସ୍ତେ ଏକାଠି ହୋଇ କାମ କରିବା ଦରକାର।ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ସବୁ କାମ ହେବ। ଅନ୍ୟପଟେ ଦଳରେ ଶୃଙ୍ଖଳା ପାଇଁ ସଭାପତି ଫତଓ୍ବା ଜାରି କରିଥିବା କହିଛନ୍ତି ବରିଷ୍ଠ ନେତା ଶରତ ରାଉତ। ଯାହାକୁ ନେଇ କଂଗ୍ରେସ ରାଜନୀତି ହଲଚଲ ।
ପିସିସି ସଭାପତିଙ୍କ ନିର୍ଦ୍ଦେଶନାମାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି।କହିଛନ୍ତି, ଦଳ ପକ୍ଷରୁ ବିଧାନସଭାରେ ମୁଲତବି ପ୍ରସ୍ତାବ ଆସୁଥିବା ବେଳେ କିଛି ଜଣ ଏହାକୁ ବିରୋଧ କରୁଥିଲେ।କାହାର କାହା ସହ ତାଳମେଳ ନଥିଲା। ଏ ସବୁ ପାଇଁ ପିସିସି ସଭାପତି ଫତଓ୍ବା ଜାରି କରିଛନ୍ତି। କାହାକୁ କହିବାର ଅଧିକାରରୁ ବଂଚିତ କରାଯାଇ ନାହିଁ ବୋଲି ଯୁକ୍ତି ବାଢିଛନ୍ତି ତାରା।କେଉଁମାନେ ସେହି ବିଧାୟକ ଯେଉଁମାନେ ଦଳରେ ଥାଇ କଂଗ୍ରେସ ପକ୍ଷରୁ ଦିଆଯାଉଥିବା ମୁଲତବି ପ୍ରସ୍ତାବକୁ ବିରୋଧ କରୁଛନ୍ତି। ହେଲେ ଏ ସବୁର ଖୁଲାସା କିନ୍ତୁ କରିନାହାନ୍ତି ତାରା। ପିସିସି ସଭାପତି ନିର୍ଦ୍ଦେଶନାମାକୁ ନେଇ କଂଗ୍ରେସ ରାଜନୀତି ହଲଚଲ।ଦଳର ମତକୁ ଗୋଟିଏ କରିବାକୁ ନା ପୁଣିଥରେ ଗୋଷ୍ଠୀ ସକ୍ରିୟ ଲାଗି ଏପରି ନିର୍ଦେଶନାମା, ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ପିସିସି ସଭାପତିକୁ ଫତୱାକୁ ନେଇ କିଛି ବରିଷ୍ଠ ନେତାଙ୍କ ମଧ୍ୟରେ କୁହୁଳୁଛି ଅସନ୍ତୋଷର ନିଆଁ ।
ବଡ଼ ବଜେଟ କାମ ଶୂନ, ଖର୍ଚ୍ଚ କରିବାରେ ଫେଲ ବଡ଼ ବିଭାଗ
ଭୁବନେଶ୍ବର : ଖର୍ଚ୍ଚ ହେଉନି ବଜେଟ ଅର୍ଥ । ଖର୍ଚ୍ଚ କରିବାରେ ଫେଲ ମାରୁଛନ୍ତି ବଡ ବିଭାଗ । ରାଜ୍ଯରେ ବିକାଶ କାମ ସଂପୂର୍ଣ୍ଣ ଠପ । ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ପ୍ରକଟ, ଘେରିଲେ ବିରୋଧୀ । ବଡ ବଜେଟ, ଖର୍ଚ୍ଚ ପାଇଁ ବାଟ ପାଉନାହାଁନ୍ତି । ବଡ ବଡ଼ ବିଭାଗ ଗୁଡିକରେ ବଜେଟ ଅର୍ଥ ଖର୍ଚ୍ଚ ଚିନ୍ତାଜନକ । ୮ ମାସର ବିଜେପି ସରକାର ବଜେଟ ପରେ ବଜେଟ ଆଣି ତାକୁ ଖର୍ଚ୍ଚ କରିବାରେ ଅସମର୍ଥ । ବାରମ୍ବାର ଏନେଇ ମୁଖ୍ୟ ବିରୋଧୀ ବିଜେଡି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାପରେ ସରକାରଙ୍କ ଚେତା ପଶିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଅର୍ଥ କିପରି ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ ହେବ ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୮୫ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିବାକୁ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେପଟେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ରାଜ୍ୟ ସରକାର ବଡ ବଡ ବଜେଟ ଆଣି ବାହାସ୍ଫୋଟ ମାରୁଛନ୍ତି । ହେଲେ ଏଯାଏ ୫୦ ପ୍ରତିଶତ ବଜେଟର ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ବିଶେଷ କରି ବିଭିନ୍ନ ବିଭାଗର ବଜେଟ ଅର୍ଥ ଗ୍ରାଉଣ୍ଡରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ କେତେ କଣ ଅର୍ଥ ଖର୍ଚ୍ଚ ହେଉଛି ତାହାର ହିସାବ ନିକାଶ ବିଧାନସଭାରେ କରାଯିବ ବୋଲି ବିଜେଡି କହିଛି ।
ବିଜେପି ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଥମେ ୨ ଲକ୍ଷ ୬୫ ହଜାର କୋଟିର ବଜେଟ ଆଣିଥିଲେ । ପରେ ୧୨ ହଜାର ୧୫୬ କୋଟିର ଅତିରିକ୍ତ ବଜେଟ ଆଣିଲେ । ଏହାରି ଭିତରେ ବିଜେପି ସରକାରକୁ ୮ମାସ ପୂରିଛି । ୨୦୨୫-୨୬ ଆର୍ଥିକ ବର୍ଷର ୨ଲକ୍ଷ ୯୦ ହଜାର କୋଟିର ବଜେଟ କିପରି ଖର୍ଚ୍ଚ ହେବ ତାହା ଏବେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଛି । ଯାହାକୁ ନେଇ ଖୋଦ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ସହ ବୈଠକ କରି ଚିନ୍ତା ପ୍ରକଟ କରିବା ସହ ବଜେଟ ଅର୍ଥ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାତରେ ଆଉ ଗୋଟିଏ ମାସ ସମୟ ଥିବାରୁ ସରକାରଙ୍କୁ ଘାରିଛି ଖର୍ଥ ଖର୍ଚ୍ଚ ଚିନ୍ତା । ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଏଯାଏ ରାଜ୍ୟ ସରକାର ୫୦ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିପାରିନାହାନ୍ତି । ଫଳରେ ରାଜ୍ୟରେ ବିକାଶକାମ ସଂପୂର୍ଣ୍ଣ ବନ୍ଦ ହୋଇଯାଛି । ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବଜେଟ ଅର୍ଥ କାହିଁକି ଖର୍ଚ୍ଚ ହୋଇପାରିନାହିଁ ସେ ନେଇ ଭିନ୍ନ ଯୁକ୍ତି ବାଢିଛନ୍ତି । ରାଜ୍ୟ ସରକାର ବଜେଟର ଆକାର ବୃଦ୍ଧି କରି ଅର୍ଥ ଖର୍ଚ୍ଚ ନକରିବା ଟେନସନରେ ରହିଛନ୍ତି । ଏପରି ସ୍ଥିତିରେ ରାଜ୍ୟର ବିକାଶ ରଥ କୁଆଡ଼କୁ ଯିବ ତାହାକୁ ନେଇ ବିରୋଧୀ ସରକାରଙ୍କୁ କାଠଗଡ଼ାରେ ଟାଣିବା ସହ ଅର୍ଥ ସଠିକ ଭାବେ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଛନ୍ତି ।
OSDMA ଓ୍ବେବସାଇଟରୁ ୫ ବର୍ଷର ବିପର୍ଯ୍ୟୟ ପରିଚାଳନା ଯୋଜନାର ନାହିଁ ଡାଟା
ଭୁବନେଶ୍ବର ; ସରକାର ବଦଳିବା ପରେ ରଙ୍ଗ ବଦଳିଲା । ଯୋଜନାର ନାମ ବଦଳିଲା । ଏବେ ହଟିଗଲା ଦୁର୍ବିପାକ ପରିଚାଳନା ତଥ୍ୟ । ଆଉ OSDMA ଓ୍ବେବସାଇଟରେ ଦେଖିବାକୁ ମିଳୁନି ବିଗତ ୫ବର୍ଷର ବିପର୍ଯ୍ୟୟ ପରିଚାଳନା ଯୋଜନା ତଥ୍ୟ । କୁଆଡ଼େ ଗଲା? କାହିଁକି ହଟିଲା ତଥ୍ୟ? କେମିତି ହେବ ଆଗୁଆ ବିପର୍ଯ୍ୟୟ ପରିଚାଳନା ଯୋଜନା ? ରାଜସ୍ବ ବିଭାଗର ଏପରି ଅଜବ ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ବର୍ଷ ଆରମ୍ଭରୁ ବିପର୍ଯ୍ୟୟ ପରିଚାଳନା ଯୋଜନା ଦିଆଯାଏ । ଏଥିପାଇଁ OSDMA ଓ୍ବେବସାଇଟ www.osdma.org/state-dm-plan ରେ ବିଗତ ବର୍ଷରେ କେଉଁ ଜିଲ୍ଲାରେ କେତେ ସାପ କାମୁଡାରେ ଲୋକଙ୍କ ଜୀବନ ଯାଇଛି ତାହାର ଡାଟା ଉପଲବ୍ଧ ହେଉଥିଲା । ବନ୍ୟା, ବାତ୍ୟା ମୁକାବିଲାରେ କଣ ତ୍ରୁଟି ଥିଲା କି ଧରଣର ବ୍ୟବସ୍ଥା ଯୋଗୁ ଜିରୋ କାଜୁଆଲ୍ଟି ହୋଇଥିଲା । ଆଗକୁ କଣ କରାଯିବ, କେଉଁ ଜିଲ୍ଲାରେ କେତେ ଆଣ୍ଟି ଭେନମ୍ ଇଞ୍ଜେକ୍ସନ୍ କେତେ ପରିମାଣରେ ଷ୍ଟକ ରଖାଯିବ, ତାର ବିସ୍ତୃତ ବିବରଣୀ ବିଜେଡି ସରକାର ସମୟରେ ଉପଲବ୍ଧ ହେଉଥିଲା । ଏବେ କିନ୍ତୁ ଏହି ଓ୍ବେବସାଇଟ ଖୋଲିଲେ କେବଳ ୨୦୧୯ର ଡିଏମ୍ ପ୍ଲାନ୍ ଦେଖିବାକୁ ମିଳୁଛି । ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ତଥ୍ୟ ଗାଏବ । ଦେଖନ୍ତୁ ଏ ହେଉଛି ପୂର୍ବ ନବୀନ ସରକାରଙ୍କ ସମୟରେ ୨୦୨୩ର ଡିଏମ୍ ପ୍ଲାନ୍ । ସେତେବେଳେ ଏହି ତଥ୍ୟ ଓ୍ବେବସାଇଟରେ ଉପଲବ୍ଧ ହେଉଥିଲା । ଏବେ କିନ୍ତୁ ଦେଖିବାକୁ ମିଳୁନି । ୨୦୨୫ରୁ ଦୁଇମାସ ବିତିଥିଲେ ବି ଏ ପର୍ଯ୍ୟନ୍ତ ବିପର୍ଯ୍ୟୟ ମୁକାବିଲା ନେଇ ଯୋଜନା କଣ ଲୋକେ ଜାଣିପାରୁନାହାନ୍ତି । ..
ଓ୍ବେବସାଇଟରୁ ତଥ୍ୟ ହଟିବା ନେଇ ବିରୋଧୀ ଆଖି ଲାଲ୍ କରିଛନ୍ତି । ବିଜେଡି ଅଭିଯୋଗ କରିଛି, ଏ ସରକାର କେବେ ବି ଲୋକଙ୍କ ଜୀବନ ପ୍ରତି ସମ୍ବେଦନଶୀଳ ନୁହଁନ୍ତି । ଦୁର୍ବିପାକ ହେଉ କି ଅପରାଧ । ଅନୁସନ୍ଧାନ, ତର୍ଜମା ଓ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତିରେ କାମ ସାରିଦେଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡ଼ିଶା ଦୁର୍ବିପାକ ମୁକାବିଲାରେ ରେକର୍ଡ଼ କରିଥିଲା । ଯେଉଁଥିପାଇଁ ବହୁବାର କେନ୍ଦ୍ର ସରକାର ପ୍ରଶଂସା କରିଥିଲେ । ଏହାସହିତ ତତ୍କାଳୀନ ରାଜ୍ୟ ସରକାରଙ୍କୁ ଜାତିସଂଘ ପୁରସ୍କୃତ କରିବା ସହ ମିଳିଥିଲା ସୁଭାଷ ବୋଷ ଆପଦା ପ୍ରବନ୍ଧନ ପୁରସ୍କାର । ପ୍ରତିଟି ଜୀବନ ମୂଲ୍ୟବାନ ଏହାଥିଲା ନବୀନ ସରକାରଙ୍କ ଆଭିମୁଖ୍ୟ । କିନ୍ତୁ ଏ ସରକାର ଲୋକଙ୍କୁ ମିଛ କହି କେବଳ ଭୂଆଁ ବୁଲାଇବାରେ ସିଦ୍ଧହସ୍ତ । ସେପଟେ କେଉଁ ପରିସ୍ଥିତିରେ ଓ୍ବେବସାଇଟରୁ ତଥ୍ୟ ହଟିଲା ତାର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
ପୂର୍ବ ଅନୁଭୂତିର ଡାଟାବେସ୍ ନଥିଲେ ଆଗକୁ ଦୁର୍ବିପାକ ମୁକାବିଲା ଅସମ୍ଭବ । ଏବେ ପ୍ରଶ୍ନ ଉଠୁଛି ତଥ୍ୟ ହଟାଯିବ ପଛର ରହସ୍ୟ କଣ ? ଜାଣିଶୁଣି ପୂର୍ବ ସରକାରଙ୍କ ଉପଲବ୍ଧିକୁ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ କରାଯାଇଛି । ନା ଓ୍ବେବ୍ସାଇଟରୁ ତଥ୍ୟ ହଟାଇ ନିଜ ପାଖରେ ରଖିଛନ୍ତି ସରକାର । ଆଗକୁ ଦୁର୍ବିପାକ ମୁକାବିଲାରେ ତାକୁ ପ୍ରୟୋଗ କରି ପ୍ରଶଂସା ସାଉଁଟିବାକୁ ଯୋଜନା । ଏ ନେଇ ପ୍ରଶ୍ନ ଉଠିଛି ।
ଉତ୍ତମ ମହାନ୍ତି ଯୁଗର ଅବସାନ : ପଞ୍ଚଭୂତରେ ବିଲୀନ ଓଲିଉଡ୍ ସୁପରଷ୍ଟାର
ଭୁବନେଶ୍ବର : ସ୍ତବ୍ଧ ହୋଇଯାଇଛି ସମୟ । ହତବାକ ହୋଇଯାଇଛି ଆକାଶ। ବିଶ୍ବାସ କରିପାରୁନି ବସନ୍ତର ବାଆ । ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ସମସ୍ତଙ୍କ ମନର ମଉଡମଣି, ହୃଦୟର ସ୍ପନ୍ଦନ, ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତି । ନିଜ ସନ୍ତାନକୁ ହରାଇ ସମସ୍ତେ ଆଜି ହତବାକ । ଆଉ ଦୁଷ୍ଟାମି କରିବେନି ସମସ୍ତଙ୍କ ପ୍ରିୟ ଦଣ୍ଡା ବାଳୁଙ୍ଗା । ଶୁଭିବନି ସହରୀ ବାଘର ସଂଳାପ । ଆଖିର ଲୁହ, ମନର କୋହକୁ ଚାପି ସମସ୍ତେ ଆଜି ମାନି ନେଇଛନ୍ତି ବିଧିର ବିଧାନ । ତାଙ୍କୁ ବିଦାୟ ଜଣାଇଛନ୍ତି କୋଟି କୋଟି ସିନେ ପ୍ରେମୀ । ଗୁରଗାଁଓରୁ ଆଜି ତାଙ୍କ ପ୍ରାର୍ଥିବ ଶରୀର ଭୁବନେଶ୍ବରରେ ପହଞ୍ଚିବା ପରେ ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ପରିବାରବର୍ଗ, ପ୍ରିୟଜନ, ବନ୍ଧୁବାନ୍ଧବ, ପ୍ରଶଂସକମାନେ ଶେଷ ଦର୍ଶନ କରିଥିଲେ । ପରେ ସେଠାରୁ ସତ୍ୟ ନଗର ଶ୍ମଶାନ ଅଭିମୁଖେ ବାହାରିଥିଲା ଶେଷ ଯାତ୍ରା। ଉତ୍ତମ ମହାନ୍ତି ଅମର ରହେ ଧ୍ବିନି କମ୍ପି ଉଠିଥିଲା ପୂରା ଭୁବନେଶ୍ବର । ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଇଥିଲା ଅନ୍ତିମ ବିଦାୟ । ମୁଖାଗ୍ନି ଦେଇଥିଲେ ପୁଅ ବାବୁସାନ ।
ଆଜି ଉତ୍ତମଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିନେ ଜଗତର ବହୁ ରଥୀ ମହାରଥୀ ମଧ୍ୟ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରିବାର ବର୍ଗଙ୍କୁ ସାନ୍ତ୍ବନା ଜଣାଇଥିଲେ ସମସ୍ତେ । ଉତ୍ତମଙ୍କ ସହ ଅଭୁଲା ସ୍ମୃତିକୁ ପୁଣି ସାଉଁଟି ଥିଲେ ସାଥୀ କଳାକାର । ତାଙ୍କ ଜୀବନ୍ତ ଅଭିନୟ କେବଳ ୮୦ ଦଶକରେ ନୁହଁ ଆଜିର ପିଢିଙ୍କୁ କରିଆସିଛି ମନ୍ତ୍ରମୁଗ୍ଧ। ଶେଷକୃତ୍ୟ ପରେ ଲୋତକ ଭରା ଚକ୍ଷୁରେ ସମସ୍ତେ କହି ଉଠିଥିଲେ, ଡାହା ବାଳୁଙ୍ଗାଙ୍କୁ ଛାଡି ଚାଲିଗଲେ ଦଣ୍ଡା ବାଳୁଙ୍ଗା । ଅଧା ରହିଗଲା ଅକୁହା କଥା। ସ୍ବାମୀଙ୍କୁ ହରାଇ କାନ୍ଦୁଛି ଉଦଣ୍ଡୀ ସୀତା ।
‘ପୋଲାଭରମ ପ୍ରକଳ୍ପ ଓଡ଼ିଶାର ସ୍ବାର୍ଥ ବିରୋଧୀ, ଆଦିବାସୀଙ୍କ ସମେତ ହଜାର ହଜାର ଲୋକ ହରାଇବେ ଭିଟାମାଟି’
ଭୁବନେଶ୍ବର : ପୋଲାଭରମ ପ୍ରକଳ୍ପ ଓଡ଼ିଶା ସ୍ବାର୍ଥ ବିରୋଧୀ। ଏହି ପ୍ରକଳ୍ପ ହେଲେ ଆଦିବାସୀ ଭାଇ ଭଉଣୀ ହେବେ କ୍ଷତିଗ୍ରସ୍ତ। ବହୁ ଲୋକ ହରାଇବେ ଭିଟାମାଟି। ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶାର କଥା କେନ୍ଦ୍ର ଶୁଣୁନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମାଲକାନଗିରି ମୋଟୁରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ସମାବେଶକୁ ଉଦବୋଧନ ଦେଇ ଏକପାଖିଆ ନିଷ୍ପତ୍ତିକୁ କରିଛନ୍ତି କଡା ସମାଲୋଚନା। ପ୍ରକଳ୍ପ ଲାଗି ୧୮ ହଜାର କୋଟି ଟଙ୍କା ଅନୁଦାନ ଦିଆଗଲା କାହିଁକି ବୋଲି ସେ କରିଛନ୍ତି ପ୍ରଶ୍ନ। ସ୍ଥାନୀୟ ଅଞ୍ଚଳର ସଂଗ୍ରାମୀଙ୍କ ସମେତ ସିଲେରୁ ଓ ସାବେରୀ ନଦୀକୁ ପ୍ରଣାମ ଜଣାଇଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ। ଓଡ଼ିଶାର ସ୍ବାର୍ଥ ଲାଗି ବିଜେଡି ଲଢେଇ ଜାରି ରଖିବ ବୋଲି ସେ କହିଥିଲେ।
ପୋଲାଭରମ ପ୍ରକଳ୍ପ ବିରୋଧରେ ଆଜି ହୋଇଥିଲା ଜନ ସମାବେଶ। ଭିଟାମାଟିର ହକ ଲାଗି ସାମିଲ ହୋଇଥିଲେ ଶହ ଶହ ଲୋକ। ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ, ମାଥିଲି, କୋରକୋଣ୍ଡା ଆଦି ଅଞ୍ଚଳ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ। ଫଳରେ ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଶୁଭିଥିଲା ପ୍ରତିବାଦର ଗର୍ଜନ। ମୋଟୁ ମୁଗୀ ପଏଣ୍ଟରୁ କଳସ ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ ମହିଳା। ହକ୍ ପୂରଣ ନ ହେଲେ ଦିଲ୍ଲୀ ଯିବାକୁ ଦେଇଥିଲେ ନାରା। କେବଳ ଓଡ଼ିଶା ନୁହେଁ, ଆନ୍ଧ୍ର ଓ ଛତିଶଗଡ଼ର ବହୁ ସାମାଜିକ ସଂଗଠନ ଓ ଆଦିବାସୀ ସମାଜ ଶୋଭାଯାତ୍ରାରେ ହୋଇଥିଲେ ସାମିଲ। ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରି ଓଡିଶାକୁ ହତାଦର କରାଯାଉଛି। ବାରମ୍ବାର କେନ୍ଦ୍ର ନିକଟରେ ଦାବି ସତ୍ତ୍ବେ ଓଡ଼ିଶାର ଦାବି ଗରହଣୀୟ ହେଲାନ ବୋଲି କହିଛନ୍ତି ବିଜେଡି ନେତା। ପ୍ରକଳ୍ପ ଚାଲିଛି ହେଲେ ବିଜେପିର ୨୦ ସାଂସଦ ବସିଛନ୍ତି ଚୁପ୍। କେନ୍ଦ୍ର ସରକାର ଓଡ଼ିଶା ବଦଳରେ ଆନ୍ଧ୍ରକୁ କରୁଛନ୍ତି ପ୍ରେମ। ଆନ୍ଧ୍ର ଲାଗି ବଜେଟରେ ସାହାଣମେଲା କରିଦେଇଥିବା କେନ୍ଦ୍ର ସରକାର ଓଡ଼ିଶାର ହଜାର ହଜାର ଆଦିବାସୀଙ୍କ ଜୀବନଜୀବିକାକୁ କରିଛନ୍ତି ହତାଦର।
ଭାଇଜାନଙ୍କ ବାପା ସଲିମ ଖାନ କେମିତି ପାଲଟିଥିଲେ ଶଙ୍କର ?
ନନ୍ଦିଘୋଷ ବ୍ୟୁରୋ : ସଲମାନ ଖାନଙ୍କ ବାପା ସଲିମ ଖାନ ତାଙ୍କ ସମୟର ପ୍ରସିଦ୍ଧ ଲେଖକମାନଙ୍କ ମଧ୍ୟରୁ ଜଣେ । , ତାଙ୍କର ଅନ୍ୟ ନାମ ଶଙ୍କର ବୋଲି ହୁଏତ ବହୁତ କମ୍ ଲୋକ ଜାଣିଥିବେ । ସଲମାନ ଖାନ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ସିକନ୍ଦର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସମସ୍ତେ ଜାଣନ୍ତି ଯେ ସଲମାନଙ୍କ ବାପା ସଲିମ ଖାନ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ। ସେ ଜଣେ ମହାନ ସ୍କ୍ରିପ୍ଟ ଲେଖକ, ଯାହାଙ୍କ ବିଷୟରେ ଚଳଚ୍ଚିତ୍ର ଜଗତରେ ଅନେକ କାହାଣୀ ଶୁଣାଯାଏ। କିନ୍ତୁ ଆଜି ଏପରି ଏକ ଘଟଣା ବିଷୟରେ ଜାଣିବା, ଯାହା ବିଷୟରେ ଆପଣ ହୁଏତ ଜାଣି ନଥିବେ। ସଲିମ ଖାନଙ୍କ ନାମ ମଧ୍ୟ ଶଙ୍କର ବୋଲି ବହୁତ କମ ଲୋକ ଜାଣନ୍ତି। ତାଙ୍କୁ ଏହି ନାମ କିଏ ଦେଲା ଓ ସେ କିପରି ସଲିମରୁ ଶଙ୍କର ହେଲେ ଏହାର ପଛରେ ଏକ କାହାଣୀ ଲୁଚି ରହିଛି । ଯାହାକୁ ସେ ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସଲିମ ଖାନ କହିଥିଲେ ଯେ ଜଣେ ହିନ୍ଦୁ ମହିଳା ସୁଶୀଳା ଚରକଙ୍କୁ ବିବାହ କରିବା ପରେ ତାଙ୍କର ନାମ ଶଙ୍କର କିପରି ହେଲା।
ସଲିମ ଖାନ ୧୯୬୪ ମସିହାରେ ସୁଶୀଳା ଚରକଙ୍କୁ ବିବାହ କରିଥିଲେ। ଏହା ପରେ, ସେ ୧୯୮୧ ମସିହାରେ ହେଲେନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସୁଶୀଳା ଚରକ ହେଉଛନ୍ତି ସଲମାନ ଖାନ, ଅରବାଜ ଖାନ ଏବଂ ସୋହେଲ ଖାନଙ୍କ ମାଆ। ବିବାହ ପରେ ସୁଶୀଳାଙ୍କ ନାମ ସଲମା ରଖାଯାଇଥିଲା ଏବଂ ସଲିମ ଖାନ ଶଙ୍କର ହୋଇଥିଲେ। ଅରବାଜ ଖାନଙ୍କ ଶୋ’ରେ ସଲିମ ଖାନ ଏହି ବିଷୟରେ କହିଥିଲେ। ଯେତେବେଳେ ଅରବାଜ ତାଙ୍କୁ ଶଙ୍କର ନାମ ପଛରେ ଥିବା ସତ୍ୟ ପଚାରିଲେ । ସଲିମ ଖାନ କହିଲେ, ବିବାହ ପରେ, ତୁମ ମାଆ ତାଙ୍କ ନାମ ସୁଶୀଳାରୁ ସଲମା ରଖିଥିଲେ ଏବଂ ମୁଁ ଶଙ୍କର ହୋଇଗଲି। ସେତେବେଳେ, ତୁମର ଜେଜେମା ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ଆମ ବିବାହକୁ ସମର୍ଥନ କରିଥିଲେ।
ସଲିମ ଖାନ ଆହୁରି କହିଛନ୍ତି, ପରିବାରର ଅନ୍ୟ ସଦସ୍ୟମାନେ ବିବାହକୁ ବିରୁଦ୍ଧ କରୁଥିଲେ। ସେ ମୋତେ ସ୍ନେହରେ ଶଙ୍କର ମହାରାଜ ବୋଲି ଡାକୁଥିଲେ। ମୁଁ ଯେତେବେଳେ ତାଙ୍କୁ ଭେଟିବାକୁ ଯାଉଥିଲି, ସେ ମୋତେ କେବେ ସଲିମ୍ ଡାକି ନଥିଲେ। ସେ କହୁଥିଲେ, ମୋ ଶଙ୍କର ଆସିଛନ୍ତି। ସେ ସବୁବେଳେ ମୋତେ ଏହି ନାମରେ ଡାକିଥିଲେ। ସେତେବେଳେ ମୋର ନାମ ସଲିମରୁ ଶଙ୍କର ହୋଇଗଲା। ସଲିମ ଖାନଙ୍କ ଏହି ନାମ ବହୁତ କମ୍ ଲୋକ ଜାଣନ୍ତି । କେବଳ ତାଙ୍କ ନିକଟତର ଲୋକମାନେ ତାଙ୍କର ଏହି ନାମ ବିଷୟରେ ଜାଣନ୍ତି ।

