spot_img
Home Blog Page 1003

ବିରାଟ କୋହଲିଙ୍କୁ ଭୁରି ଭୁରି ପ୍ରଶଂସା କଲେ ବିରୁ, କହିଲେ…

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହଓ୍ବାଗ କିଙ୍ଗ କୋହଲିଙ୍କୁ କରିଛନ୍ତି ପ୍ରଶଂସା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ସେ କୋହଲିଙ୍କୁ ପ୍ରଶଂସା କରିବା ସହ କହିଛନ୍ତି କି, ଦିନିକିଆରେ ଆଉ ତାଙ୍କ ଭଳି ଖେଳାଳି ଦେଖିବାକୁ ମିଳିବେନି । ଏକ ସ୍ପୋର୍ଟ ଚ୍ୟାନେଲରେ ଇଣ୍ଟରଭିୟୁ ସମୟରେ ସେ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ଦୀର୍ଘଦିନ ଧରି ଫର୍ମରେ ନଥିବା କୋହଲି ପାକିସ୍ତାନ ବିପକ୍ଷରେ ଶତକୀୟ ପାଳି ଖେଳିଥିବାବେଳେ ତାଙ୍କୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି । କେବଳ ଭାରତୀୟ ନୁହେଁ ପାକିସ୍ତାନୀ ପ୍ରଶଂସକମାନେ ମଧ୍ୟ ବିଭିନ୍ନ ଭଲ ଭଲ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

କହି ରଖୁଛୁ କି, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କୋହଲି ୩୦୦ତମ ଦିନିକିଆ ମ୍ୟାଚ ହେବ । ସପ୍ତମ ଭାରତୀୟ ଖେଳାଳିଭାବେ ସେ ଏହି ରେକର୍ଡ କରିବାକୁ ଯାଉଛନ୍ତି । ତେବେ ଏହି ମ୍ୟାଚରେ ବଡ଼ ସ୍କୋର କରି ଇତିହାସ ରଚିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ସବୁଠାରୁ ବଡ଼ କଥା ହେଉଛି କି, ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲିଙ୍କ ରେକର୍ଡ ମଧ୍ୟ ଭଲ ରହିଛି । ୩୧ ପାଳିରେ ୧୬୪୫ ରନ ସଗ୍ରହ କରିଛନ୍ତି । ଯେଉଁଥିରେ ୯ଟି ଅର୍ଦ୍ଧଶତକ ରହିଥିବାବେଳେ ୬ଟି ଶତକ ରହିଛି ।

ବାପା କରିଥିଲେ ଆତ୍ମହତ୍ୟା, ଭାଇଙ୍କୁ କରାଯାଇଥିଲା ହତ୍ୟା : ଜାଣନ୍ତୁ ମୃତ କଂଗ୍ରେସ ନେତ୍ରୀ ହିମାନୀଙ୍କ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ହରିୟାଣାର ଜଣାଶୁଣା କଂଗ୍ରେସ ନେତ୍ରୀ ହିମାନୀ ନରଓ୍ବେଲଙ୍କ ମୃତଦେହ ସୁଟକେଶରୁ ଉଦ୍ଧାର ହେବା ପରେ ରାଜନୈତିକ ଚର୍ଚ୍ଚାର ଜୋର ଧରିଛି । କିଏ ଏବଂ କାହିଁକି ଏମିତି କଲା ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ତେବେ ହିମାନୀଙ୍କ ଜୀବନ କାହାଣୀ ସମ୍ପର୍କରେ ଆପଣ ଜାଣିଲେ ଆଖିରେ ଲୁହ ଆସିଯିବ । ପାରିବାରିକ କଳହ ଯୋଗୁଁ ତାଙ୍କ ବାପା ଆତ୍ମହତ୍ୟା କରିଛନ୍ତି । ନିଜ ମା ଏବଂ ୨ ଭାଇଙ୍କ ସହ ରହୁଥିଲେ ହିମାନୀ । ତେବେ ତାଙ୍କର ଜଣେ ଭାଇଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଆଉ ଏବେ ହିମାନୀଙ୍କ କିଏ ଏବଂ କାହିଁକି ହତ୍ୟା କଲା ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

କହି ରଖୁଛୁ କି, ୨୦୧୬ ମସିହାରୁ ରାଜନୀତି ସହ ଜଡ଼ିତ ରହିଥିବା ହିମାନୀ ଏବେ ଆଇନ ପାଠ ପଢ଼ୁଛନ୍ତି । ସବୁବେଳେ କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମରେ ଆଗରେ ନଜର ଆସିଥାନ୍ତି । ଏପରିକି ଭାରତ ଯୋଡ଼ୋ ଯାତ୍ରା ସମୟରେ ସେ ରାହୁଲଙ୍କ ସହ ରାଲିରେ ସାମିଲ ହୋଇଥିଲେ । କେବଳ ଏତିକି ନୁହେଁ କଂଗ୍ରେସର ବହୁ ବଡ଼ ବଡ଼ ନେତାଙ୍କ ଫଟୋ ଉଠାଇଛନ୍ତି ଏବଂ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେପଟେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରଥମିକ ତଦନ୍ତରୁ ଜଣା ପଡ଼ିଥିବାବେଳେ ରାଜନୈତିକ ଉଦ୍ଦେଶ୍ୟ କି ବ୍ୟକ୍ତିଗତ ଶତ୍ରୁତା ତାହା ସ୍ପଷ୍ଠ ହୋଇନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଜୋରଦାର ଚଲାଇଛି ।

 

କଂଗ୍ରେସ କର୍ମୀଙ୍କ ମୃତଦେହ ଉଦ୍ଧାର ଘଟଣା : ହତ୍ୟା ପଛରେ ରହିଛି କି ଷଡ଼ଯନ୍ତ୍ର ?

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ରୋହତକରେ ମହିଳାଙ୍କୁ ବୀଭତ୍ସ ହତ୍ଯା। ଜଣେ ମହିଳାଙ୍କ ମୃତଦେହକୁ ସୁଟକେଶରୁ ଠାବ କରାଯାଇଛି। ବଡ଼କଥା ହେଉଛି ମୃତକ ହେଉଛନ୍ତି ଜଣେ କଂଗ୍ରେସ କର୍ମୀ ଏବଂ ଭାରତ ଯୋଡ ଯାତ୍ରା ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାଥୀରେ ଥିଲେ। ରୋହତକର ସାମ୍ପଲା ବସଷ୍ଟାଣ୍ଡ ନିକଟରେ ଏକ ନୀଳ ରଙ୍ଗର ସୁଟକେଶରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ବୟସ ୨୨ରୁ ୨୩ ବର୍ଷ ହେବ। ତାଙ୍କ ହାତରେ ମେହେନ୍ଦୀ ଲାଗିଥିବାବେଳେ ବେକରେ ଏକ ଲୁଗା ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା। ସାମ୍ପଲା ଥାନାଅଧିକାରୀ ବିଜେନ୍ଦ୍ର ସିଂ କହିଛନ୍ତି- ମହିଳାଙ୍କୁ ହତ୍ୟା କରାଯାଇଛି ଏବଂ ତାଙ୍କୁ ସୁଟକେଶରେ ପ୍ଯାକ କରି ଫୋପାଡ଼ି ଦିଆଯାଇଛି। ମୃତକଙ୍କ ନାମ ହିମାନି ନରୱଲ ବୋଲି ସୂଚନା ମିଳିଛି। କଂଗ୍ରେସ ବିଧାୟକ ଭାରତ ଭୂଷଣ ବାତ୍ରା କହିଛନ୍ତି- ଭାରତ ଯୋଡ ଯାତ୍ରା ସମୟରେ ହିମାନି ବେଶ୍ ସକ୍ରିୟ ଥିଲେ ଏବଂ ରାହୁଲଙ୍କ ସହ ସାଥ୍ ଦେଇଥିଲେ। ସେହିପରି ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡା ଓ ଦୀପେନ୍ଦର ହୁଡାଙ୍କ ସହ ବି ବେଶ୍ ସକ୍ରିୟ ଥିଲେ। ଏହି ହତ୍ଯା ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଭୂପିନ୍ଦର।

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି କି ତାଙ୍କ ଗଳାକାଟି ହତ୍ୟା କରାଯାଇଛି । ଏବେ ପ୍ରଶ୍ନ ଉଠିଛି କି, କିଏ ଏବଂ କାହିଁକି ହତ୍ୟା କରିଛି । ତେବେ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ନାଁ ଷଡ଼ଯନ୍ତ୍ର । ଏମିତି ପ୍ରଶ୍ନମାନ ଉଠିଥିବାବେଳେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ସେପଟେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ୫ଟି ଟିମ ଗଠନ କରିଥିବା ଜଣାପଡ଼ିଛି । ତାଙ୍କ ଘର ଆଖପାଖରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ । ଏହାସହ ସୋସିଆଲ ମିଡିଆକୁ ନେଇ ମଧ୍ୟ ତଦନ୍ତ କରାଯାଉଛି । ଚର୍ଚ୍ଚା ହେଉଛି କି, କେହି ତାଙ୍କୁ ଡାକି ଦେଖା କରିବା ବାହାନାରେ ହତ୍ୟା କରିନାହିଁ ତ? ତେବେ କଂଗ୍ରେସ ଦଳର ଜଣେ ସକ୍ରିୟ କର୍ମୀ ରହିଥିବାବେଳେ ତାଙ୍କୁ କାହିଁକି ଏମିତି ହତ୍ୟା କରାଯାଇଛି ।

 

ବିରାଟ କୋହଲିଙ୍କୁ ନେଇ କାହିଁକି ଏମିତି କହିଲେ ଉଥପ୍ପା

ନନ୍ଦିଘୋଷ ବ୍ୟୁରୋ: ଶେଷ ଲିଗ ମ୍ୟାଚରେ ନ୍ୟୁଜଲାଣ୍ଡକୁ ଭେଟିବ ଭାରତ । ତେବେ ଏହି ମ୍ୟାଚ ପୂର୍ବରୁ ବିରାଟ କୋହଲିଙ୍କୁ ଏକ ବଡ଼ ବୟାନ ଦେଇଛନ୍ତି ରବିନ ଉଥପ୍ପା । ସେ କହିଛନ୍ତି କି, ବିରାଟଙ୍କ ଆତ୍ମବିଶ୍ବାସ ହେଉଛି ବଡ଼ ମନ୍ତ୍ର ।  ଉଥାପ୍ପା ବିରାଟ କୋହଲିଙ୍କ ସଫଳତାର ରହସ୍ୟ ପ୍ରକାଶ କରି କହିଛନ୍ତି ଯେ ଏହାର କାରଣ ହେଉଛି ତାଙ୍କ ନିଜ ଉପରେ ଥିବା ବିଶ୍ୱାସ ଏବଂ ଆତ୍ମବିଶ୍ୱାସ। ସେ କହିଥିଲେ ଯେ ତାଙ୍କର ଆତ୍ମବିଶ୍ୱାସ ହିଁ ତାଙ୍କର ଗୁପ୍ତ ରହସ୍ୟ। ସେ ଯାହା କରନ୍ତି, ବହୁତ କମ୍ ଲୋକ ତାହା କରିପାରିବେ। ରବିନ ଉଥାପ୍ପା ୨୦୧୦ ମସିହାର ଘଟଣା କହିଥିଲେ, ଯେତେବେଳେ ସେ ଆରସିବିରେ ଦଳ ସହିତ ଥିଲେ। ତା’ପରେ ସେ ୪ କିମ୍ବା ୫ ନମ୍ବରରେ ଖେଳୁଥିଲେ। ଉତ୍ଥାପ୍ପା କହିଲେ ଯେ ସେମାନେ ସମସ୍ତେ ଖାଇବାକୁ ବାହାରକୁ ଯାଇଥିଲେ। ଯେତେବେଳେ ବ୍ୟାଟିଂ କ୍ରମ ବିଷୟରେ ଆଲୋଚନା ହେଉଥିଲା, ବିରାଟ କହିଥିଲେ ଯେ ସେ ଦଳର ସର୍ବୋତ୍ତମ ବ୍ୟାଟସମ୍ୟାନ ଏବଂ ତାଙ୍କୁ ନମ୍ବର ୩ ରେ ଖେଳିବା ଉଚିତ। ଉଥାପ୍ପାଙ୍କ ଅନୁସାରେ, ବିରାଟ ସେତେବେଳେ ୨୦ ବର୍ଷ ବୟସର ଥିଲେ ଏବଂ ତାଙ୍କ ଆତ୍ମବିଶ୍ୱାସ ସେତେବେଳେ ଆଶ୍ଚର୍ଯ୍ୟଜନକ ଥିଲା।

ସେପଟେ ଆଜି ୩୦୦ ତମ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛନ୍ତି ବିରାଟ କୋହଲି । ସପ୍ତମ ଭାରତୀୟ ଖେଳାଳି ଭାବେ ସେ ୩୦୦ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଏହା ପୂର୍ବରୁ ସଚିନ ତେନ୍ଦୁଲକର, ଏମଏସ ଧୋନୀ, ସୌରଭ ଗାଙ୍ଗୁଲି, ମହମ୍ମଦ ଆଦ୍ଧାରୁଦ୍ଦିନ, ଯୁବରାଜ ସିଂହ ଏବଂ ରାହୁଲ ଦ୍ରାବିଡ ଏହି କ୍ଲବରେ ସାମିଲ ହୋଇଛନ୍ତି । ଏବେ ବିରାଟ ଏହି କ୍ଲବରେ ସାମିଲ ହୋଇଥିବାବେଳେ ଆଜିର ମ୍ୟାଚରୋ ବଡ଼ ସ୍କୋର କରି ଦଳକୁ ଅପରାଜେୟ ରଖିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ସଲମାନଙ୍କ ପାଇଁ ଝିଅ ଖୋଜିଦେଲେ ରାକ୍ଷୀ ସାଓ୍ବନ୍ତ, ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ଯୋଡ଼ିଲେ..

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହାକି ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓରେ ସେ ପାକିସ୍ତାନୀ ହିରୋଇନଙ୍କ ସହ ସଲମାନଙ୍କ ନାଁକୁ ଯୋଡ଼ିଛନ୍ତି । ପାକିସ୍ତାନୀ ହିରୋଇନ ହାନିଆଙ୍କୁ ସଲମାନ ବାହାହେବେ ଆଉ ଆମର ଭାଉଜ ହେବେ ବୋଲି ରାକ୍ଷୀ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି । ଏହାସହ ସେ କହିଛନ୍ତି ହାନିଆ ବଲିଉଡକୁ ଆସି ସଲମାନଙ୍କ ସହ କାମ କରିବା ଉଚିତ୍ । ରାଖୀ କହିଥିଲେ ଯେ ଯେପରି ବଜରଙ୍ଗୀ ଭାଇଜାନ ଭାରତ-ପାକିସ୍ତାନ ଉପରେ ଥିଲା, ସେହିପରି ପାକିସ୍ତାନ ଏବଂ ଭାରତ ମଧ୍ୟରେ ମଧ୍ୟ ଏକ ସୁନ୍ଦର ପ୍ରେମ କାହାଣୀ ନିର୍ମାଣ ହେବା ଉଚିତ। ଏଠାରୁ ସଲମାନ ଖାନ ଏବଂ ସେଠାରୁ ମୋ ଭାଉଜ ହାନିଆ ରହିବା ଉଚିତ୍। ରାଖୀ ସାୱନ୍ତ ଗତ କିଛି ଦିନ ମଧ୍ୟରେ ହାନିଆ ଆମିରଙ୍କ ବିଷୟରେ ଅନେକ ବୟାନ ଦେଇଛନ୍ତି। କିଛି ଦିନ ପୂର୍ବରୁ ସେ ପାକିସ୍ତାନରେ ବିବାହ କରିଥିବା ମଧ୍ୟ ଦାବି କରୁଥିଲେ। ଏବେ ସେ ସଲମାନ ଏବଂ ହାନିଆଙ୍କୁ ଯୋଡ଼ିବା ବିଷୟରେ କଥା ହୋଇଛନ୍ତି।

 

ଗାଧୋଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋରିଆପାଳ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ । ମୃତକ ଜଣକ ହେଲେ ସେହି ଗାଁର ବିଦ୍ୟାଧର ଦେହୁରୀ । ବିଦ୍ୟାଧର ଗାଁରେ ପୂଜକ ଭାବେ କାମ କରୁଥିବା ବେଳେ ସକାଳୁ ଗାଧୋଇବା ପାଇଁ ଗାଁ ନିକଟ ଜୋରକୁ ଯାଉଥିଲେ । ଯିବା ସମୟରେ ଦନ୍ତା ସାମ୍ନାରେ ପଡ଼ିଯାଇଥିଲେ । ହାତୀଟି ବିଦ୍ୟାଧରଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା । ବନବିଭାଗ କର୍ମଚାରୀମାନେ ତୁରନ୍ତ ବିଦ୍ୟାଧରଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବନବିଭାଗ ତରଫରୁ କୁହାଯାଇଛି  ।

ମନ୍ତେଇ ନଦୀର  ବାଲିଆପାଳ ଘାଟ ନିକଟରେ କୁମ୍ଭୀର ଆତଙ୍କ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ବାସୁଦେବପୁର ବ୍ଳକ ଦେଇ ଯାଇଥିବା ମନ୍ତେଇ ନଦୀର  ବାଲିଆପାଳ ଘାଟ ନିକଟରେ କୁମ୍ଭୀର ଆତଙ୍କ । ଗତକାଲି ଅପରାହ୍ନରେ ପ୍ରାୟ ୧୫ ଫୁଟରୁ ଉର୍ଦ୍ଧ୍ବ ହେବ ଏକ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଡଙ୍ଗାରେ ଘାଟ ପାର ହେଉଥିବା ଯାତ୍ରୀମାନେ ଡ଼ରିଯାଇଥିଲେ । ଚାନ୍ଦବାଲି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବା ଏହି ବାଲିଆପାଳ ଘାଟ ଦେଇ ପ୍ରତିଦିନ ହଜାର ହଜାର ଲୋକ ଡଙ୍ଗାରେ ଘାଟ ପାର ହୋଇଥାନ୍ତି । ଏତେ ବଡ଼ କୁମ୍ଭୀର ଘାଟ ନିକଟରେ ଭାସୁଥିବାର ଦେଖି ଲୋକେମାନେ ଭୟଭୀତ ହୋଇ ଯାଇଥିଲେ । ନଦୀ କୂଳରେ ବସବାସ କରୁଥିବା ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏଣୁ ନଦୀର ଜନବସତି ନିକଟରେ ସୁରକ୍ଷା ବାଡ ଦେବା ସହ ଡାକବାଜି ଯନ୍ତ୍ର ସହାଯ୍ୟରେ ଲୋକମାନଙ୍କୁ ସତର୍କ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ ।

ତୀରମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ତୀରମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ତୋଲିପୋଷ ଗ୍ରାମରେ ଥିବା ଏକ ନାଳରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି ।  ମୃତକ ହେଲେ ରାଜକୁମାର ଯାଦବ । ମୃତ ଯୁଵକ ଦୁଇବର୍ଷ ପୂର୍ବରୁ ଏକ ଦୁଷ୍କର୍ମ ମାମଲାରେ ଜେଲରୁ ଜାମିନରେ ଆସିଥିଲେ । ପିଡିତାଙ୍କ ପରିବାର ଲୋକଙ୍କୁ ସେ ହଇରାଣ କରୁଥିବା ଓ ଧମକ ଚମକ ଦେଉଥିଲେ । ତାଙ୍କୁ ହତ୍ୟା ଅଭିଯୋଗରେ ଦୁଇଜଣଙ୍କୁ କୁଆଁରମୁଣ୍ଡା ଫାଣ୍ଡିରେ ଅଟକ ରଖି ପଚରାଉଚରା ଚଳାଇଛି । ଆଜି ସକାଳେ ମୃତଦେହ ବ୍ୟବଛେଦ ପାଇଁ ପଠାଯିଵ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ବଦ୍ରିନାଥରେ ହିମସ୍ଖଳନ ଘଟଣା : ରେସ୍କ୍ୟୁ ଅପରେସନ ଜାରି

ନନ୍ଦିଘୋଷ ବ୍ୟୁରୋ: ଉତ୍ତରାଖଣ୍ଡ ବଦ୍ରିନାଥରେ ହିମସ୍ଖଳନ ଘଟଣାରେ ରେସ୍କ୍ୟୁ ଅପରେସନ ଜାରି। ୫୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୫ ଜଣଙ୍କୁ ଉଦ୍ଧାର ଲାଗି ଚାଲିଛି ଅଭିଯାନ।  ଅପରେସନରେ ସାମିଲ ଅଛନ୍ତି ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଓ ବିଆରଓ। ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ହେଲିକପ୍ଟରରେ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବଳ ତୁଷାରପାତ ହେବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଉତ୍ତରାଖଣ୍ଡ ମାନାରେ ସେନାବାହିନୀ ଚଳପ୍ରଚଳ ଲାଗି ବରଫ ଆସ୍ତରଣ ସଫା କରୁଥିବାବେଳେ ଅଘଟଣ ଘଟିଥିଲା। ମାନା ଗ୍ରାମ ଓ ମାନା ପାସ୍ ମଧ୍ଯରେ ରହିଥିବା ବିଆରଓ ନିକଟରେ ଘଟିଥିଲା ଅଘଟଣ। ହିମସ୍ଖଳନ ଯୋଗୁ ଗୌଚର, ସହସ୍ରଧାରା, ଡେରାଡୁନରେ ରେସ୍କ୍ଯୁ ଟିମଙ୍କୁ ପ୍ରସ୍ତୁତ ରଖାଯାଇଛି। ଜାମମୁ କାଶ୍ମୀର ମଧ୍ୟ ବରଫ ଝଡ଼ ଦେଖା ଦେଇଛି। ଏଥିରେ ଅନେକ ଘର ଦ୍ଵାର ଭାଙ୍ଗି ଯାଇଛି। ଋଷିକେଶରେ ଭୂସ୍ଖଳନ ହେବା ଯୋଗୁ ବାଟରେ ଅଟକି ରହିଛି ଗାଡ଼ି ମଟର ।

ଜାଗରଯାତ୍ରା ଦେଖିବାକୁ ଯାଇଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଏକକାଳୀନ ୫ ଜଣଙ୍କ ଘରୁ ଚୋରି

ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ୱର ଥାନା ଅଧୀନସ୍ଥ ପୁଇଁଚା ଗାଁରେ ସିରିଜ ଲୁଟ୍ । ଏହି ଗ୍ରାମରେ ଜାଗରଯାତ୍ରା ସହ ଗ୍ରାମର ଯୁବକଙ୍କ ଦ୍ଵାରା ନାଟକ ପରିବେଷଣ ହେଉଥିଲା । ଗ୍ରାମର ମନ୍ଦିର ପଡିଆରେ ଜାଗରଯାତ୍ରା ଚାଲିଥିବା ବେଳେ ଗାଁଲୋକ ଘରେ ତାଲା ପକାଇ ଯାତ୍ରା ଦେଖୁଥିଲେ । ରାତି ପ୍ରାୟ ସାଢେ ୧୨ ଟାରୁ ସାଢ଼େ ଗୋଟେ ମଧ୍ୟରେ ଚୋର ୫ ଜଣଙ୍କ ଘରୁ ଲୁଟ କରିଛନ୍ତି । ସୁନା, ଅଳଙ୍କାର ସହିତ ନଗଦ ଲକ୍ଷାଧିକ ଟଙ୍କା ଲୁଟ କରିଛନ୍ତି । ଲୁଟର ଶିକାର ବ୍ୟକ୍ତି ବୈଦେଶ୍ୱର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବୈଦେଶ୍ଵର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।  ହେଲେ ଏପର୍ଯ୍ୟନ୍ତ ଚୋରଙ୍କ କୌଣସି ପତ୍ତା ମିଳିନାହିଁ  ।