spot_img
Home Blog Page 1000

ଚମୋଲି ରେସ୍କ୍ୟୁ ଅପରେସନ ଶେଷ, ଅଷ୍ଟମ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ଉତ୍ତରାଖଣ୍ଡ ବଦ୍ରିନାଥରେ ହିମସ୍ଖଳନ ଘଟଣାରେ ରେସ୍କ୍ୟୁ ଅପରେସନ ଶେଷ। ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ପୁରା ଘଟଣାରେ ୪୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଅଷ୍ଟମ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଦୁଇ ଦିନ ଧରି ଚାଲିଥିଲା ଅପରେସନ । ଚମୋଲି ଗାଁ ନିକଟରେ ବର୍ଡର ରୋଡ୍ ଅର୍ଗାନାଇଜେସନ ଦ୍ଵାରା ରାସ୍ତା ତିଆରି କରାଯାଉଥିଲା। ହିମସ୍ଖଳନ ହେବାରୁ  ୫୦ରୁ ଅଧିକ ଶ୍ରମିକ ବରଫ ତଳେ ଚାପି ହୋଇଥିଲେ। ଦୁଇ ଦିନ ଧରି ଅକ୍ଲାନ୍ତ ପରିଶ୍ରମ ପରେ ୪୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା।  ସେନା, ଆଇଟିବିପି, ଏସଡିଆରଏଫ, ବିଆରଓ, ଏନଡିଆରଏଫ ପକ୍ଷରୁ ୨୦୦ ଜଣ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଉଦ୍ଧାର କାର୍ଯ୍ୟରେ ଭିକ୍ଟିମ ଲୋକେଟିଂ କ୍ଯାମେରା, ଥର୍ମାଲ ଇମେଜିଂ କ୍ୟାମେରା, ଗ୍ରାଉଣ୍ଡ ପେନେଟ୍ରେସନ ରାଡାର, ସ୍ବତନ୍ତ୍ର କୁକୁର ନିୟୋଜିତ ହୋଇଥିଲେ। ଏହା ସହ ସେନାର ୩ ହେଲିକପ୍ଟର, ବାୟୁସେନାର ୨ ହେଲିକପ୍ଟର ଓ ଏକ ସିଭିଲ ହେଲିକପ୍ଟରକୁ ସାମିଲ କରାଯାଇଥିଲା।

ସ୍ପିନରଙ୍କ ଜାଲରେ ଫସିଗଲା ନ୍ୟୁଜିଲାଣ୍ଡ, ୪୪ ରନରେ ଜିତିଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଶେଷ ଲିଗ୍ ମ୍ୟାଚରେ ଭାରତର ବିଜୟ । ୨୫୦ ରନ୍‌ର ଟାର୍ଗେଟ୍‌ ପିଛା କରି ୪୫.୩ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୨୦୫ ରନ୍‌ କରିପାରିଛି ନ୍ୟୁଜିଲାଣ୍ଡ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୪୪ ରନରେ ଭାରତ ବିଜୟୀ ହୋଇଛି।ଏଥିସହ ଭାରତ ଚାମ୍ପିୟନ୍ସ ଟ୍ରଫିରେ ହାଟ୍ରିକ ବିଜୟ ହାସଲ କରି ଗ୍ରୁପ-ଏ’ରେ ସର୍ବାଧିକ ୬ ପଏଣ୍ଟ ସହ ଶୀର୍ଷରେ ରହିଛି।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମ୍ୟାଟ ହେନରୀଙ୍କ ଶାଣିତ ବୋଲିଂର ଉଚିତ୍ ମୁକାବିଲା କରି ନ ପାରି ୯ ଓ୍ଵିକେଟ୍ ହରାଇ ୨୪୯ ରନ କରିଥିଲା ଭାରତ। ଶ୍ରେୟାସ ଆୟର ସର୍ବାଧିକ ୭୯ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଦ୍ଵିତୀୟ ସର୍ବାଧିକ ୪୫ ରନ କରିଥିଲେ। ଅକ୍ଷର ପଟେଲ ୪୨, କେଏଲ ରାହୁଲ ୨୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୨୫୦ ରନର ବିଜୟ ଲକ୍ଷ୍ୟ ରହିଥିଲା । ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୪୨ ରନ ଦେଇ ୫ ସଫଳତା ପାଇଛନ୍ତି।

ଜବାବରେ ନ୍ୟୁଜିଲାଣ୍ଡ ଇନିଂସ ଆରମ୍ଭରୁ ଭାରତୀୟ ସ୍ପିନରଙ୍କ ସହ ସଂଘର୍ଷ କରିଥିଲା। କେନ୍‌ ଓ୍ବିଲିୟମସନ ଗୋଟିଏପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଉଇକେଟ ପତନ ଜାରି ରହିଥିଲା। ଫଳରେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଓ୍ବିଲିୟମସନ ସର୍ବାଧିକ ୮୧ ଓ ଅଧିନାୟକ ମିଚେଲ ସାଣ୍ଟନର ୨୮ ରନ୍‌ କରିଥିଲେ। ଭାରତ ପାଇଁ ବରୁଣ ଚକ୍ରବର୍ତ୍ତୀ ୫ ଉଇକେଟ ସଫଳତା ହାସଲ କରିଥିଲେ।

ଏହି ମ୍ୟାଚର ଫଳାଫଳ ସହିତ ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆସନ୍ତା ୪ ତାରିଖରେ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ସେହିଭଳି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ୫ ତାରିଖରେ ଖେଳାଯିବ।

ପୂର୍ବତନ ବିଜେଡି ସରକାରର ଦୂରଦୃଷ୍ଟିକୁ ଆଗେଇ ନେବେ ସରକାର

ଭୁବନେଶ୍ବର : କୋରାପୁଟ କୋଲାବରେ ଚାଲିବ ଆରାମଦାୟକ କ୍ରୁଜ। ମାଲକାନାଗିରିର ସତୀଗୁଡ଼ାରେ ହେବ କାରାଭାନ ଟୁରିଜମ୍ । ଡ୍ୟାମ, ଝରଣା, ପାହାଡ଼ ସହ ସ୍ପିରିଚ୍ୟୁଆଲ ଟୁରିଜମ୍ ଉପରେ ବି ସରକାରଙ୍କ ନଜର। କୃଷି, ଶିଳ୍ପ ଭଳି ରାଜ୍ୟର ଅର୍ଥନୀତିରେ ପର୍ଯ୍ୟଟନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହାକୁ ନଜରରେ ରଖି ବିଜେଡ଼ି ସରକାର ଏହାର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଥିଲେ। ଧାର୍ମିକ ସ୍ଥଳର ସାମଗ୍ରିକ ବିକାଶ ସହ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିଥିଲେ। ଚିଲିକାରେ ଆରମ୍ଭ ହୋଇଥିଲା କ୍ରୁଜ ସେବା। ଏହାକୁ ଆଗକୁ ନେବାକୁ ଯୋଜନା କରିଛି ବିଜେପି ସରକାର। ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ୩୦୦ କୋଟି ଟଙ୍କା ଦିଆଯାଇଛି, ଯାହାର ଝଲକ ଦେଖିବାକୁ ୩-୪ ମାସ ସମୟ ଲାଗିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ସ୍ପିରିଚ୍ୟୁଆଲ ଟୁରିଜମ୍ ସହ ଆଡ଼ଭେଞ୍ଚର ଟୁରିଜମର ଫାଇଦା କିପରି ପର୍ଯ୍ୟଟକ ନେଇପାରିବେ ତା ଉପରେ ବି ନଜର ଦିଆଯାଉଛି। ସରକାରୀ ପାନ୍ଥନିବାସକୁ ପିପିପି ମୋଡ଼ରେ ବିକାଶ କରିବା ପାଇଁ ପୂର୍ବ ସରକାରର ନିଷ୍ପତ୍ତିକୁ ବିଜେପି ସରକାର ଆଗକୁ ନେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
ପର୍ଯ୍ୟଟନ ଶିଳ୍ପ ଏବେ ସମସ୍ତଙ୍କ ନଜରରେ। ୮ ହଜାର ୧୫୩ କୋଟିର ବଜେଟ ଏହି ବିଭାଗରେ ଥିବା ବେଳେ ଖର୍ଚ୍ଚର ମନିଟରିଂ ପାଇଁ ସ୍ବତନ୍ତ୍ର ସେଲ୍ ଖୋଲାଯାଇଛି। ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ୟମ ହେଉଛି। ଝାରୁସୁଗୁଡ଼ାରୁ ଜଗତସିଂହପୁର ଯାଏଁ ଲମ୍ବିଥବା ମହାନଦୀ ଏବଂ ଏହାର କୂଳେ କୂଳେ ଥିବା ବିଭିନ୍ନ ଝରଣା, ଅଭୟାରଣ୍ୟ, ପାହାଡ଼କୁ ନେଇ ସ୍ବତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ ପ୍ରସ୍ତୁତ କରାଯାଉଛି। କୋଲାବ ଡ଼୍ୟାମ, ମାଲକାନାଗିରିର ସତୀଗୁଡ଼ା ଡ଼୍ୟାମରେ ବଡ଼ ବଡ଼ କ୍ରୁଜ ସେବା ସହିତ କୋରାପୁଟ କଫି ଆଧାରିତ ପର୍ଯ୍ୟଟନ ପାଇଁ ଯୋଜନା ହେଉଛି। ସରକାରଙ୍କ ଯୋଜନାକୁ ଟୁର ଅପରେଟରମାନେ ସ୍ବାଗତ କରିଛନ୍ତି। ହେଲେ ଏହା କିପରି ଠିକ୍ ଢଙ୍ଗରେ ଠିକ୍ ସମୟରେ କାମରେ ଲାଗିବ, ତାହା ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ନବୀନ ସରକାରଙ୍କ ଦୂରଦୃଷ୍ଟିକୁ ଆଗେଇ ନେଉଛି ବିଜେପି ସରକାର। କୃଷି, ଶିଳ୍ପ ସହ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ ଜରୁରୀ ଥିବାରୁ ଏହା ଉପରେ ଆନ୍ତରିକତାର ସହ କାମ କରିବାକୁ ପଡ଼ିବ।

ରାଜ୍ୟ ସରକାରଙ୍କ ଟାଇମିଂରେ ଗଡ଼ବଡ଼ ଯୋଗୁଁ ଭୁବନେଶ୍ଵର ସୁଭଦ୍ରା ଶକ୍ତି ମେଳା ଖାଁ ଖାଁ

ଭୁବନେଶ୍ବର : ସୁଭଦ୍ରା ଶକ୍ତି ମେଳାରେ ଅଧିକାଂଶ ଷ୍ଟଲ୍ ଖାଁ ଖାଁ। ଭିଡ଼ ନାହିଁ। ଯେଉଁ ଷ୍ଟଲରେ ଲକ୍ଷେ ଟଙ୍କାର ବ୍ୟବସାୟ ହେବା କଥା, ସେଠାରେ ମାତ୍ର ୫ ହଜାର ଟଙ୍କାର କିଣାବିକା। ଭୁବନେଶ୍ଵର ଜନତା ମୈଦାନର ଏହି ଦୃଶ୍ୟ ଭଲ କରି ଦେଖନ୍ତୁ। ଷ୍ଟଲଟି ସୁନ୍ଦରଗଡ଼ର ଦିବ୍ୟଜ୍ୟୋତି ଏସ୍ଏଚ୍ଜିର । ମାଣ୍ଡିଆରେ ପ୍ରସ୍ତୁତ ସାମଗ୍ରୀ ବିକ୍ରିପାଇଁ ଆଣିଛନ୍ତି । କିନ୍ତୁ ଷ୍ଟଲ ଫାଙ୍କା । ସେମିତି ବାଲେଶ୍ବରରୁ ଆସିଥିବା ଏହି ଏସଏଚଜିର କତା ସାମଗ୍ରୀ ବେପାର ବି ମାନ୍ଦା। ଗାଡ଼ି ଭଡ଼ା କରି ଆଣିଥିବା ସାମଗ୍ରୀକୁ ଫେରାଇ ନେବାକୁ ପଡ଼ିବ। ଏସଏଚଜିର ମହିଳାମାନେ କହୁଛନ୍ତି, ବସ୍ ଖର୍ଚ୍ଚ ବି ଉଠିଲାନି। ଆଶ୍ଚର୍ଯ୍ୟର କଥା ହେଲା ନାଚ ଗୀତ ଦେଖିବାକୁ ବି ଲୋକ ନାହାନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମରୁଡ଼ି। ଫାଙ୍କା ପଡ଼ିଛି ଚେୟାର। … ତରବରିଆ ଭାବେ ସୁଭଦ୍ରା ମେଳା ଆୟୋଜନ କରି ରାଜ୍ୟ ସରକାର ବାହାବା ନେବାକୁ ଚାହୁଁଥିଲେ। କିନ୍ତୁ ଦୂରଦୃଷ୍ଟି ଅଭାବ ପାଇଁ ସବୁ ଫସର ଫଟିଗଲା। ଘାଟାରେ ପଡ଼ିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ। ଏହାର କାରଣ ଟାଇମିଂରେ ଗଡ଼ବଡ଼। ଏବେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲିଛି। ପିଲାମାନେ ପଢ଼ାପଢ଼ିରେ ବ୍ୟସ୍ତ। ବାପା ମାଆ ପୁଅ ଝିଅଙ୍କ କ୍ୟାରିୟର୍ ପ୍ରତି ଧ୍ୟାନ ଦେଇ ସେମାନଙ୍କୁ ପ୍ରସ୍ତୁତ କରାଉଛନ୍ତି। ସେଥିପାଇଁ ସଂଧ୍ୟାରେ ବୁଲାବୁଲି ନାହିଁ। ତା ଛଡ଼ା ଖରା ବି ଜୋର୍ ହେଲାଣି। ଏମିତି ସ୍ଥିତିରେ ଲୋକେ ଆସିବେ କେମିତି, ବେପାର ହେବ କିପରି ବୋଲି ପ୍ରଶ୍ନ କରିଛନ୍ତି ଏସଏସଜି।

ବିଜେଡି ସରକାର ସମୟରେ ହୋଇଥିବା ମିଶନ ଶକ୍ତିର ନାଁ ବଦଳାଇ ସୁଭଦ୍ରା ଶକ୍ତି କରିଛନ୍ତି ଏବର ବିଜେପି ସରକାର। କିନ୍ତୁ ବିନା ପ୍ଲାନିଂରେ ଏହି ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରିବା ମହଙ୍ଗା ପଡ଼ିଛି। ପ୍ଲାନିଂ ନାହିଁ କି ଭାବି ଚିନ୍ତି କିଛି କରି ନାହାନ୍ତି। କେବଳ ପୂର୍ବ ସରକାରର ମିଶନ ଶକ୍ତିକୁ ବଦଳେଇ ସୁଭଦ୍ରା ଯୋଜନା ନାଁରେ ଶ୍ରେୟ ନେବାକୁ ଚେଷ୍ଟା କରିଥିଲେ ବିଜେପି ସରକାର। ତରବରିଆ ଭାବରେ ପରୀକ୍ଷା ସମୟରେ, ଖରା ହେବା ବେଳକୁ ଏହି ମେଳାର ଆୟୋଜନ କରିଛନ୍ତି। ଟାଇମିଂ ଗଡ଼ବଡ଼ ହେବାରୁ ସବୁ ଫସର ଫାଟିଛି। ଶୀତ ଦିନରେ ପ୍ରଦର୍ଶନୀ ପଡ଼ିଆ କି ଜନତା ମଇଦାନରେ ଯେଉଁ କାର୍ଯ୍ୟକ୍ରମ ହୁଏ, ସେତେବେଳେ ପ୍ରବଳ ଭିଡ଼ ହୁଏ। ପାଗ ଭଲ ଥାଏ, ମୁଣ୍ଡ ଉପରେ ପରୀକ୍ଷା ଚାପ ନ ଥାଏ। ସଂଧ୍ୟାରେ ବୁଲାବୁଲି ପାଇଁ ଲୋକଙ୍କୁ ସମୟ ମିଳେ। ଏଥିପାଇଁ ଗହଳି ଜମେ, ଭଲ ବ୍ଯବସାୟ ହୁଏ। ଏବେ କିନ୍ତୁ ପରୀକ୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଟାଇଁ ଟାଇଁ ଖରାରେ କାହିଁକି ଯେ, ସୁଭଦ୍ରା ଶକ୍ତି ମେଳା ଆୟୋଜନ କରିଛନ୍ତି, ରାଜ୍ଯ ସରକାର, ତାହା ବୁଝା ପଡୁ ନାହିଁ ।

ଯୋଗାଣ ବିଭାଗର ଅଜବ ନିୟମ, ଚାକିରି କରି ରାସନକାର୍ଡ ହାତେଇଥିଲେ ବି ହେବନି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ପାଇଁ ଡବଲ ଇଂଜିନ ସରକାରଙ୍କ ବଡ଼ ପୁରସ୍କାର। ସରକାରୀ ବାବୁଙ୍କ ବେଆଇନ କାମକୁ ମାଫ୍। ଯେଉଁ ସରକାରୀ କର୍ମଚାରୀ ରାସନ କାର୍ଡ ହାତେଇଥିଲେ, ତାଙ୍କ ବିରୋଧରେ ହେବନି କାର୍ଯ୍ୟାନୁଷ୍ଠାନ। ଏପରି ବିବାଦୀୟ ଘୋଷଣା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଏହି ଘୋଷଣା ପରେ ବର୍ଷ ବର୍ଷ ଧରି ସରକାରୀ ଦରମା ସହ ଚାଉଳ ହାତେଇଥିବା ଅସାଧୁ ବାବୁଙ୍କ ପାଇଁ ଖୋଲା ଆକାଶ ତଳେ ବୁଲିବାର ସୁଯୋଗ ସୃଷ୍ଟି ହୋଇଛି। ବେଆଇନ ଭାବେ ନେଇଥିବା ଚାଉଳର ବି ଯାଞ୍ଚ ହେବନି କି ଫେରାଇବାକୁ କହିବେନି ସରକାର। ସେପଟେ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇ ଚାଲିଛନ୍ତି। ବାରମ୍ବାର ସରକାରୀ ବାବୁଙ୍କୁ ରାସନ କାର୍ଡ ଫେରାଇବାକୁ ସରକାର ଅପିଲ କରିବା ପରେ ମାତ୍ର ସାଢେ ୪ ହଜାର କାର୍ଡ ଫେରସ୍ତ ହୋଇଛି। ଏବେ ଠାରୁ ଯଦି କେହି ସରକାରୀ କର୍ମଚାରୀ ରାସନ କାର୍ଡ ଫେରାଇବେନି, ତେବେ ଆକ୍ସନ ପାଇଁ ଚିନ୍ତା କରିବେ ରାଜ୍ୟ ସରକାର। ଏଯାଏ ୮୦ ହଜାର ଅଯୋଗ୍ୟ ହିତାଧିକାରୀ ୧୨ ହଜାରରୁ ଅଧିକ କାର୍ଡ ଫେରାଇବା ରାସନ କାର୍ଡ ବଣ୍ଟନ ପ୍ରକ୍ରିୟାକୁ କାଠଗଡ଼ାରେ ଠିଆ କରିଛି ।

ସରକାରୀ ବାବୁଙ୍କ ବେଆଇନ କାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ରାଜ୍ୟ ସରକାର ବିଳମ୍ବ କରିଥିବାରୁ ଅନେକ ପ୍ରଶ୍ନ ଉଠିଛି।ସତସାହସ ଅଛି ତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଆହ୍ବାନ ଦେଇଛି ବିଜୁ ଜନତା ଦଳ। ଯେଉଁମାନେ ସରକାରୀ କର୍ମଚାରୀ ବା ଅନ୍ୟ ମାନଦଣ୍ଡ ଖିଲାଫ କରି ରାସନ କାର୍ଡ ହାତେଇଛନ୍ତି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ନିୟମ ରହିଛି।ହେଲେ ଯୋଗାଣ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନ ନେବାକୁ ମନା କଲେ। ସରକାରୀ ବାବୁଙ୍କ ପ୍ରତି ସରକାରଙ୍କ ଭୟ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି। ଆଗକୁ ପଞ୍ଚାୟତ, ପୌର ଓ ସାଧାରଣ ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ବିଜେପି ଏଜେଣ୍ଟ ଓ ଭୋଟ ବ୍ୟାଙ୍କ କରିବା ଉଦ୍ଦେଶ୍ୟରେ ସରକାର କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ଚୟନରେ ସରକାରୀ ତୃଟି ଯୋଗୁଁ କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁରେ ଠିକ୍ ସମୟରେ ଚାଉଳ ପହଞ୍ଚିଲା ନାହିଁ। ଅନାହାରରେ ଅନେକ ଜୀବନ ଗଲା। ଜାତିଆତି କରି ରାସନ କାର୍ଡ ହାତେଇଥିବା ସରକାରୀ ବାବୁଙ୍କୁ ରାଜ୍ୟ ସରକାର ଛାଡିବା ବଣ୍ଟନ ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ଉଛିଛି ଅନେକ ପ୍ରଶ୍ନ।

କାହିଁକି ସ୍ମାର୍ଟ ମିଟର ଲଗାଇବାକୁ କରାଯାଉଛି ବାଧ୍ୟ ? ଓଡିଶା ସିଟିଜେନ୍ସ ଫୋରମର ତୀବ୍ର ବିରୋଧ

ଭୁବନେଶ୍ବର : କାହିଁକି ସ୍ମାର୍ଟ ମିଟର ଲଗାଇବାକୁ କରାଯାଉଛି ବାଧ୍ୟ ? ଓଡିଶା ସିଟିଜେନସ ଫୋରମର ତୀବ୍ର ବିରୋଧ । ଲୋକଙ୍କୁ ଭୋକୁଆ ବନାଇବାକୁ ସ୍ମାର୍ଟ ଷଡ଼ଯନ୍ତ୍ର ଅଭିଯୋଗ ।  ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସ୍ମାର୍ଟ ମିଟର ବାଧ୍ୟତାମୂଳକ ବୋଲି ଲେଖାଯାଇଥିବା ଏହି ମେସେଜକୁ ରାଜ୍ୟର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ପଠାଯାଇଛି । ଓଇଆରସିର ନିୟମାବଳି ଅନୁଯାୟୀ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ସେପଟେ କିନ୍ତୁ ସ୍ମାର୍ଟ ମିଟର ବାଧ୍ୟତାମୂଳକ ନୁହେଁ ବୋଲି କହୁଛନ୍ତି ଆୟୋଗ। ଯଦି ଆୟୋଗଙ୍କ କହିବା ଅନୁଯାୟୀ ସ୍ମାର୍ଟ ମିଟର ବାଧ୍ୟତାମୂଳକ ନୁହେଁ ତାହେଲେ କେଉଁ ଆଧାରରେ ଟିପିସିଓଡିଏଲ ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ବୋଲି ମେସେଜ ଦେଉଛି ? ଏହି ନିଷ୍ପତ୍ତି ସମ୍ପୁର୍ଣ୍ଣ ଭୁଲ। ବିଦ୍ୟୁତ ଶୁଳ୍କ ବଢାଇବା ଯୋଜନା ସହ ସ୍ମାର୍ଟ ମିଟର ବାଧ୍ୟତା ଲୋକଙ୍କୁ ପ୍ରତାରଣା । ଆଗରୁ ତ ମିଟର ଲାଗିଛି ଏବେ ସ୍ମାର୍ଟ ମିଟର କାହିଁକି ବୋଲି ପ୍ରଶ୍ନ ଉଠିଛି । ଏହି ଆର୍ଥିକ ବୋଝ କିଏ ସହିବ ବୋଲି ପ୍ରଶ୍ନ କରିଛି  ସିଟିଜେନସ ଫୋରମ। ତୁରନ୍ତ ଏହି ନିଷ୍ପତ୍ତିରୁ କ୍ଷାନ୍ତ ନ ରହିଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାଇ ଦିଆଯାଇଛି। ବିଦ୍ୟୁତ ଉପଭୋକ୍ତାଙ୍କ କହିବା କଥା, ରାଜ୍ୟରେ ଏବେ ଗଣତନ୍ତ୍ର ନୁହଁ ରାଜତନ୍ତ୍ରର ଶାସନ ଚାଲିଛି ।

ଗୋଟିଏ ପଟେ ବିଦ୍ୟୁତ ଦର ବଢାଇବା ପାଇଁ ଓଇଆରସିଙ୍କ ନିକଟରେ ବିଦ୍ୟୁତ ଉତ୍ପାଦକ ଓ ବଣ୍ଟନକାରୀ କମ୍ପାନୀ ଗୁଡିକ ଦାବି କରିଥିବା ବେଳେ ଏବେ ସ୍ମାର୍ଟ ମିଟର ପ୍ରସଙ୍ଗକୁ ତୀବ୍ର ବିରୋଧ ହୋଇଛି । ଭଲ ମିଟର ଥାଉ ଥାଉ ସ୍ମାର୍ଟ ମିଟର ଲାଗି ପାରିବ ନାହିଁ ବୋଲି ଆୟୋଗଙ୍କ ନିକଟରେ ଖୋଲାଖୋଲି ଶୁଣାଇ ଦେଇଛି ରାଜ୍ୟ ଉପଭୋକ୍ତା ମହାସଂଘ। ସେପଟେ  ମିଟର ଭଲ ଥିଲେ ଓ କାର୍ଯ୍ୟକ୍ଷମ ଥିଲେ ପରିବର୍ତ୍ତନ କରାଯାଇପାରିବନି କିମ୍ବା ସେମିତି ନିର୍ଦେଶ ଦିଆଯାଇ ନାହିଁ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ଏପରିକି ଏ ନେଇ ଅଥରିଟିଙ୍କ ନିକଟରେ ଅଭିଯୋଗ କରିହେବ ବୋଲି କୁହାଯାଇଛି। ପୂର୍ବରୁ ସ୍ମାର୍ଟ ମିଟରକୁ ରାଜ୍ୟରେ ବିରୋଧ ହେବା ପରେ କମ୍ପାନୀ ଏହାକୁ କିଛି ଦିନ ସ୍ଥଗିତ ରଖିବା ପରେ ଏବେ ଉପଭୋକ୍ତାଙ୍କୁ ମେସେଜ କରି ବାଧ୍ୟତାମୂଳକ କହିବା ନିଆଁ ଉପରେ ଘିଅ ଢାଳିବା ସଦୃଶ ।  ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ କଥାକୁ ବିଦ୍ୟୁତ ବିତରକ କମ୍ପାନୀ ଟିପିସିଓଡିଏଲର ଖୋଲାଖୋଲି ଅବମାନନା କରୁଥିବାରୁ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି।

୧୩ ମାସ ପରେ ମହିଳାଙ୍କ କଙ୍କାଳ ଉଦ୍ଧାର କଲା ପୋଲିସ !

ଗାନ୍ଧିନଗର : ଗୁଜୁରାଟର ଜୁନାଗଡ଼ରେ ଏହା ରହସ୍ୟମୟ ହତ୍ୟାକାଣ୍ତ ସାମ୍ନାକୁ ଆସିଛି । ପୋଲିସ ଜଣେ ମହିଳାଙ୍କ କଙ୍କାଳ ଜବତ କରିଛି । ହତ୍ୟାକାଣ୍ଡ ଦୃଶ୍ୟମ ଚଳଚ୍ଚିତ୍ର ଭଳି କରାଯାଇଛି । ଅଭିଯୁକ୍ତ ପୋଲିସକୁ ବହୁ ସମୟ ଧରି ଦ୍ବନ୍ଦ୍ବରେ ପକାଇଥିଲା । ମୃତ ମହିଳା ଜଣଙ୍କ ୩୫ ବର୍ଷିୟ ଦୟା ସାୱାଲିଆ ବୋଲି ଚିହ୍ନଟ କରାଯାଇଛି । ଦୟା ୨୦୨୪ ମସିହାରୁ ନିଖୋଜ ଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ ହାର୍ଦ୍ଦିକ ସୁଖାଡିଆ ଦୀର୍ଘ ସମୟ ଧରି ପୋଲିସକୁ ଭ୍ରମିତ କରୁଥିଲା। ଦୟା ସାୱାଲିଆ ଜୁନାଗଡ଼ ଜିଲ୍ଲାର ବିସାବାଦର ତାଲୁକାର ରୂପାବତୀ ଗାଁର ବାସିନ୍ଦା ଥିଲେ, ଯିଏ ୨୦୨୪ ମସିହା ଜାନୁଆରୀ ୨ ତାରିଖରୁ ନିଖୋଜ ଥିଲେ। କିଛି ଦିନ ପରେ, ତାଙ୍କ ସ୍ୱାମୀ ପୋଲିସରେ ଏତଲା ଦେଇଥିଲେ । ରିପୋର୍ଟ ଅନୁସାରେ, ଦୟା ତାଙ୍କ ଘରୁ ଟଙ୍କା ଏବଂ ଅଳଙ୍କାର ଧରି ବାହାରି ଯାଇଥିଲେ, ଯାହା ପରେ ସେ ନିଖୋଜ ଥିଲେ। ତାଙ୍କର ଏକ ୧୧ ବର୍ଷର ପୁଅ ମଧ୍ୟ ଅଛି।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ଦୟା ସାୱାଲିଆଙ୍କର ହାର୍ଦ୍ଦିକ ସୁଖାଡିଆଙ୍କ ସହିତ ପରକୀୟା ସମ୍ପର୍କ ଥିଲା। ପ୍ରଥମେ ପୋଲିସ ସନ୍ଦେହ କରିଥିଲା ​​ଯେ ହାର୍ଦ୍ଦିକ ଏହି ମାମଲାରେ ସମ୍ପୃକ୍ତ ଥାଇପାରନ୍ତି, କିନ୍ତୁ ହାର୍ଦ୍ଦିକ ଦୟା ଅନ୍ୟ ଜଣଙ୍କ ସହିତ ପଳାଇଯାଇଥିବା କହି ପୋଲିସକୁ ଭ୍ରମିତ କରିଥିଲା। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ପୋଲିସ ହାର୍ଦ୍ଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିଲା ନାହିଁ। କିଛି ଦିନ ପରେ, ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ନୂଆ ପ୍ରମାଣ ପାଇଲା, ଯାହା ଆଧାରରେ ଅଭିଯୁକ୍ତ ହାର୍ଦ୍ଦିକଙ୍କୁ ପୁଣି ଥରେ ପଚରାଉଚରା କରାଯାଇଥିଲା। ଏଥର ଅଭିଯୁକ୍ତ ତାଙ୍କ ଅପରାଧ ସ୍ୱୀକାର କଲେ।

ସମଗ୍ର ଘଟଣାଟି ଦୃଶ୍ୟମ୍ ଚଳଚ୍ଚିତ୍ର ପରି। ଫେବୃଆରୀ ୨୭ ତାରିଖରେ, ପୋଲିସ ଅଭିଯୁକ୍ତକୁ ତଦନ୍ତ ପାଇଁ ଅପରାଧ ସ୍ଥଳକୁ ନେଇଥିଲା, ଯେଉଁଠାରେ ଦୟା ସାଭାଲିଆଙ୍କ କଙ୍କାଳ ଏକ କୂଅରୁ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ୧୩ ମାସର କଠିନ ପରିଶ୍ରମ ପରେ ପୋଲିସ ଏହି ମାମଲାକୁ ସମାଧାନ କରିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ତଦନ୍ତରୁ ଜଣାପଡିଛି ଯେ, ଦୟା ସାୱାଲିଆ ଅଭିଯୁକ୍ତ ହାର୍ଦ୍ଦିକ ସୁଖାଡିଆଙ୍କୁ ବିବାହ କରିବାକୁ ଚାହୁଁଥିଲେ। ହାର୍ଦ୍ଦିକ ଏଥିପାଇଁ ପ୍ରସ୍ତୁତ ନଥିଲେ। ଏହି କାରଣରୁ ଅଭିଯୁକ୍ତ ଦୟାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା । ଜାନୁଆରୀ ୩, ୨୦୨୪ରେ, ହାର୍ଦ୍ଦିକ ଦୟାଙ୍କୁ ଆମରେଲି ଜିଲ୍ଲାର ହଡାଲା ଗାଁର ଉପକଣ୍ଠକୁ ଡାକି ଦୟାଙ୍କ ମୁଣ୍ଡକୁ ଏକ ବଡ଼ ପଥରରେ ଆଘାତ ଦେଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ଅଭିଯୁକ୍ତମାନେ ମୃତଦେହକୁ ଏକ କୂଅରେ ଫିଙ୍ଗି ଦେଇଥିଲେ।

ଦୂଷିତ ହେଉଛି ପୁରୀ ତୀର୍ଥ ପୁଷ୍କରିଣୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି

ପୁରୀ : ବାରମ୍ବାର ଚିଠି ସତ୍ତ୍ବେ ଚେତୁନି ପ୍ରଶାସନ । ଦୂଷିତ ହେଉଛି ପୁରୀ ତୀର୍ଥ ପୁଷ୍କରିଣୀ ଜଳ । ପୁଣି ସଚେତନ କଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ତୀର୍ଥ ପୁଷ୍କରିଣୀ ଜଳ ଗାଧୋଇବା ଅନୁପଯୁକ୍ତ । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପୁରୀ ପୌରପାଳିକାକୁ ଲେଖିଥିବା ଚିଠି ଲେଖିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ନରେନ୍ଦ୍ର, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗା ଓ ପାର୍ବତୀ ସାଗର ତୀର୍ଥ ପୁଷ୍କରିଣୀର ଜଳ ପ୍ରଦୂଷିତ । ଜଳର ଗୁଣାତ୍ମକ ମାନ ‘ଖ’ ଶ୍ରେଣୀର ମାନଦଣ୍ଡ ପୂରଣ କରୁଥିଲେ ତାହା ଗାଧୋଇବା ଉପଯୋଗୀ । ହେଲେ ପୁରୀର ସମସ୍ତ ତୀର୍ଥ ପୁଷ୍କରିଣୀ ଏବେ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଥିବା ଚିଠି ଲେଖି ପୌର ପ୍ରଶାସନକୁ ଅବଗତ କରିଛି ବିଭାଗ । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ସ୍ନାନ ଓ ବୁଡ଼ ପକାଇବାକୁ ଆସୁଥିବାବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ସେବାୟତ ଓ  ଉତ୍କଳ ବିଦ୍ୱତ ପରିଷଦର ଅଧ୍ଯକ୍ଷ ।

୨୦୨୨ ରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଓଡ଼ିଶାର ଥିବା ବିଭିନ୍ନ ପୋଖରୀ, ନାଳ ଏବଂ ହ୍ରଦ ସହ ପୁଷ୍କରିଣୀ ଜଳର ମାନ ପରୀକ୍ଷା କରାଯାଉଛି । ହେଲେ ଗତ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ବୋର୍ଡ଼ ଦ୍ବାରା ପୁରୀରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀର ଜଳର ମାନ ପରୀକ୍ଷା କରାଯାଇ ଏହା ଗାଧୋଇବା ପାଇଁ ଅନୁପଯୁକ୍ତ ଥିବା ଦର୍ଶାଯାଇଛି । ରିପୋର୍ଟ ଅନୁସାରେ ପାଣିରେ ଡିଜଲଭ୍ଡ ଅକ୍ସିଜେନ୍, ବାୟୋ କେମିକାଲ ଅକ୍ସିଜେନ୍ ଡିମାଣ୍ଡ, ଟୋଟାଲ କଲିଫର୍ମ, ଫେକାଲ୍ କଲିଫର୍ମର ମାନ ବହୁତ ତଳେ ରହିଛି । ପାଣିରେ ପୂଜା ସାମଗ୍ରୀ ପକାଇବା, ବିଭିନ୍ନ ଖାଦ୍ୟ ସାମଗ୍ରୀ ଫିଙ୍ଗିବା ଓ ଆବର୍ଜନା ପାଣି ଛାଡିବା ଯୋଗୁଁ ଏପରି ସ୍ଥିତି ଉପୁଜିଛି । ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି, ପୁଷ୍କରିଣୀର ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ପଦକ୍ଷେପ ନିଆଯିବ । ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ବାସ ସହ ପୁରୀର ଏହି ପଞ୍ଚ ପୁଷ୍କରିଣୀ ଯୋଡ଼ି ହୋଇ ରଥିବାରୁ ଏହାକୁ ପ୍ରଦୂଷଣମୁକ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ରାଜଧାନୀରେ ମାତିଛନ୍ତି ନିଶାଡ଼ି, ମଦ ନିଶାରେ ଚୂର ହୋଇ ଘଟାଉଛନ୍ତି ନାରକୀୟ କାଣ୍ଡ

ଭୁବନେଶ୍ବର : ରାତି ହେଲେ ତାତି ବଢୁଛି । ନିଶା ଚଢିଲେ ଗାଡ଼ି ଉଡୁଛି । କେଉଁଠି କାନ୍ଥ ଭାଙ୍ଗୁଛି ତ ଆଉ କେଉଁଠି ନିଆଁ ଜଳୁଛି । ନଜର ପକାନ୍ତୁ ପ୍ରଥମ ଘଟଣା ଉପରେ । ଶନିବାର ରାତି ପ୍ରାୟ ୧୧ ଟା ୫ । ସ୍ଥାନ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ ୫ । ଫିଲ୍ମ ଷ୍ଟାଇଲରେ ୨ ଯୁବକ ଆସୁଛନ୍ତି ଆଉ କଳା ରଙ୍ଗର ସ୍କର୍ପିଓରେ ନିଆଁ ଲଗାଇ ଦେଉଛନ୍ତି । ଘର ମାଲିକାଣୀ ଓ ତାଙ୍କ ପୁଅ ନୟାପଲ୍ଲୀ ଯାଇଥିବା ସମୟରେ ଦୁର୍ବୃତ୍ତ ଘଟାଇଛନ୍ତି ଏଭଳି କାଣ୍ଡ । ସର୍ବସମ୍ମୁଖରେ ହୁ ହୁ ହୋଇ ଜଳୁଛି କାର । ଯାହାକୁ ନେଇ କ୍ୟାମେରା ଆଗରେ ମୁହଁ ଖୋଲିଛନ୍ତି ଘର ମାଳିକାଣୀ ଓ ସ୍ଥାନୀୟ ବାସିନ୍ଦା । ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଭିଆଇଥିବା ସେମାନେ ସନ୍ଦେହ କରିଛନ୍ତି। ପୋଲିସ ଖବର ପାଇ ୪ ଜଣଙ୍କୁ ପଚରାଉଚରା କରିଛି । ସିସିଟିଭିରେ ଅଭିଯୁକ୍ତଙ୍କ କାରନାମା କଏଦ ହୋଇଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ସେମାନେ ଦାବି କରିଛନ୍ତି।

ସେପଟେ ରାତି ଅଧରେ ନିଶାରେ ହିତାହିତ ଜ୍ଞାନ ଭୁଲିଯାଇଛନ୍ତି କାର ଡ୍ରାଇଭର । ଭିଆଇଛନ୍ତି ସାଙ୍ଘାତିକ କାଣ୍ଡ । କାନ୍ଥ ଭାଙ୍ଗି ଘରେ ମଦ୍ୟପଙ୍କ କାର କେମିତି ପଶିଯାଇଛି ଦେଖନ୍ତୁ । ବରମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଭୋର ସାଢ଼େ ୪ ଟା ବେଳେ ଘଟିଛି ଏଭଳି ଘଟଣା । କାନ୍ଥ ଭାଙ୍ଗିବା ପରେ ମଧ୍ୟ ଅବାନ୍ତର ଯୁକ୍ତି କରୁଥିବା ମଦ୍ୟପ ଯୁବକଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିଟିକୁ ଜବତ କରିଛି । ମଦ୍ୟପ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଛି। ତେବେ ମାତ୍ରାଧିକ ନିଶା ଖାଇ ଯୁବକ ବାରମ୍ବାର ଏଭଳି ଘଟଣା ଘଟାଉଥିଲେ ମଧ୍ୟ, ଗଳିକନ୍ଦିରେ ପାଟ୍ରୋଲିଂ ଅଭାବ ଯୋଗୁଁ ଆଇନକୁ ହାତକୁ ନେଉଛନ୍ତି ଅଭିଯୁକ୍ତ । ମଦୁଆ, ନିଶାଡିଙ୍କ ଉପରେ ଲଗାମ ଲଗାଇବା ପାଇଁ ଛକ ଉପରେ ଚେକିଂ, ବ୍ଲକିଂ ହେଉଛି । ନିଶାଡିଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେଉଛି, ଗାଡି ମଧ୍ୟ ସିଜ ହେଉଛି । ତଥାପି ମଧ୍ୟ ଏସବୁକୁ ଖାତିର ନକରି ଅପରାଧ ଘଟାଉଛନ୍ତି ଅପରାଧୀ ।

ଗଞ୍ଜାମ ଜିଲ୍ଲାରେ ହୁଗୁଳିଲାଣି ପ୍ରଶାସନିକ ବ୍ୟବସ୍ଥା, ଜଣେ ଅଧିକାରୀଙ୍କ କାନ୍ଧରେ ଏକାଧିକ ଦାୟିତ୍ବ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ହୁଗୁଳିଲାଣି ପ୍ରଶାସନିକ  ବ୍ୟବସ୍ଥା । ଦାୟିତ୍ବ ସମ୍ଭାଳିବାକୁ ନାହାନ୍ତି ଅଧିକାରୀ । ଜଣଏ ଅଧିକାରୀଙ୍କ କାନ୍ଧରେ ଏକାଧିକ ଦାୟିତ୍ଵ । ବିକାଶ ନାଁରେ ବାହାଦୂରୀ ମାରୁଛନ୍ତି ରାଜ୍ଯ ସରକାର । ଅନେକ ବ୍ଲକରେ ସ୍ଥାୟୀ ବିଡିଓ, ତହସିଲଦାର ନଥିବାବେଳେ ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ପଦ ବି ଖାଲି । ଜିଲ୍ଲାକୁ ୩ଟି ଉପଖଣ୍ଡ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ରେ ବିଭକ୍ତ କରାଯାଇଛି । ୨୨ଟି ବ୍ଲକ୍ ଥିବା ବେଳେ ୫୦୩ ଟି ଗ୍ରାମ ପଞ୍ଚାୟତ ରହିଛି । ସେହିଭଳି ୧୬ଟି ଏନ୍ଏସି, ଗୋଟିଏ ପୌରପାଳିକା ଓ ଗୋଟିଏ ମହାନଗର ନିଗମ ଅଛି । ଗ୍ରାମାଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସମ୍ଭାଳିବା ପାଇଁ ପ୍ରତ୍ୟେକ ବ୍ଲକ୍ରେ ଜଣେ ଲେଖାଏଁ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ସହରାଞ୍ଚଳ ପାଇଁ ଏନ୍ଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ରହିଛନ୍ତି । କିନ୍ତୁ ଆସିକା, ଚିକିଟି, ଛତ୍ରପୁର, ବେଗୁନିଆପଡ଼ା, ଭଞ୍ଜନଗର, ଶେରଗଡ଼, ଦିଗପହଣ୍ଡି, ହିଞ୍ଜିଳିକାଟୁ,  ବ୍ଲକରେ ସ୍ଥାୟୀ ବିଡିଓ ନାହାନ୍ତି ।

ଆସିକା ବ୍ଲକରେ ଦୀର୍ଘ ୬ମାସ ହେଲା ବିଡିଓ ପଦବି ଖାଲି ରହିଥିବା ବେଳେ ଆଉ କେତେକ ବ୍ଲକ୍ ପାଇଁ ନୂତନ ପୋଷ୍ଟିଂ ହୋଇଥିଲେ ସୁଦ୍ଧା ଅଧିକାରୀ ଯୋଗ ଦେଇ ନାହାନ୍ତି । ପୁଣି କେତେକ ବ୍ଲକ୍ର ବିଡିଓ ଟ୍ରେନିଂ ପାଇଁ ଯାଇଥିବା ବେଳେ ଅନ୍ୟ ଅଧିକାରୀ ଦାୟିତ୍ୱରେ ଅଛନ୍ତି । ଆସିକା ବ୍ଲକ୍ ବିଡିଓ ଦାୟିତ୍ବରେ କବିସୂର୍ଯ୍ୟନଗର ବିଡିଓ, ଚିକିଟି ତହସିଲଦାର ଉଭୟ ଚିକିଟି ଓ ପାତ୍ରପୁର ବ୍ଲକ୍ ବିଡିଓ ଦାୟିତ୍ଵରେ ଅଛନ୍ତି । ସେହିପରି ଛତ୍ରପୁର ବିଡିଓ ଟ୍ରେନିଂରେ ଯାଇଥିବା ବେଳେ ଗଞ୍ଜାମ ବିଡିଓ ଦାୟିତ୍ଵରେ ଅଛନ୍ତି । ବେଗୁନିଆପଡ଼ା ବ୍ଲକ୍ ଦାୟିତ୍ଵରେ କୋଦଳା ତହସିଲଦାର ଅଛନ୍ତି ।  ତେବେ ଏହି ସବୁ ବ୍ଲକରେ ଭାରପ୍ରାପ୍ତ ଦାୟିତ୍ବରେ ପ୍ରଶାସନିକ କାମ ଚାଲିଛି । ଫଳରେ ଗ୍ରାମାଞ୍ଚଳ ବାସୀଙ୍କ କାମ ଠିକ ସମୟରେ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି।