ଶେଯରେ ଜଗିଛି କି ନାଗ! ଭୟ ଭିତରେ ରାତି କାଟୁଛନ୍ତି ଏହି ଗାଁର ଲୋକ

1 min read

ମାଲକାନଗିରି (ଇଶ୍ୱର ପଟ୍ଟନାୟକ): ସ୍ୱପ୍ନରେ ନାଗ ଦଂଶନ! କାହା ପାଇଁ ଅନ୍ଧବିଶ୍ୱାସ ତ କାହା ପାଇଁ ସତ । ସ୍ୱପ୍ନ ଭାଙ୍ଗିଲା ବେଳକୁ ଅସହ୍ୟ ଯନ୍ତ୍ରଣା । ତା’ ପରେ ଛଟପଟ ହୋଇ ଡାକ୍ତରଖାନା ଯାଉଛନ୍ତି ଲୋକେ, ହେଲେ ସୁସ୍ଥ ହୋଇନପାରି ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏଭଳି ଏକ ଅବିଶ୍ୱସନୀୟ ଘଟଣାର ଚର୍ଚ୍ଚା ହେଉଛି ମାଲକାନଗିରି ଜିଲ୍ଲା ଏମ.ଭି.୭୯ ଥାନା ଅନ୍ତର୍ଗତ ଏମଭି ୭୫ ଗାଁରେ ।

ଲୋକଙ୍କ କହିବା କଥା ହେଉଛି, ନାଗଦେବୀ ମାଁ ମନୁସା କୋପ କରିଛନ୍ତି । ଗାଁରେ ପୂଜାର୍ଚ୍ଚନା ଠିକ୍‌ ଭାବରେ ନକରିବାରୁ ରକ୍ତମୁଖା ହୋଇଛନ୍ତି ଦେବୀ। ଏଣୁ ଏଭଳି ଦଶା ଭୋଗୁଛନ୍ତି ଲୋକେ ।

ନିକଟ ଅତୀତରେ କିଛି ଲୋକଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ଯାହା ସ୍ୱପ୍ନରେ ନାଗ ଦଂଶନ ଯୋଗୁଁ ଘଟିଛି ବୋଲି ଲୋକେ ବିଶ୍ୱାସ କରୁଛନ୍ତି । ଲୋକେ ଯାହା କହୁଛନ୍ତି, ସ୍ୱପ୍ନ ଦେଖିବା ପରେ ଲୋକଙ୍କ ମୁଣ୍ଡ ବୁଲାଏ । ହାତଗୋଡ ଝିମ୍ ଝିମ୍ ହେବା ସହ ରୋଗୀ ଅସହ୍ୟ ଯନ୍ତ୍ରଣା ଅନୁଭବ କରନ୍ତି । ସାଧାରଣତଃ ନାଗସାପ କାମୁଡ଼ିଲେ ପରେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ ।

ଗାଁରେ ପ୍ରାୟ ୧୦୦ ପରିବାର ରହୁଥିବାବେଳେ ପ୍ରତ୍ୟେକ ପରିବାରର ପ୍ରାୟ ୩ ରୁ ୪ ଜଣ ଏଭଳି ପୀଡ଼ିତ ହୋଇ ରହିଛନ୍ତି । ଗ୍ରାମବାସୀ ଦୀର୍ଘ ଦିନ ହେବ ଏଭଳି ଆତଙ୍କିତ ଅବସ୍ଥାରେ ରହୁଥିବାରୁ ଗ୍ରାମଦେବୀ ମାଁ ମନୁସାଙ୍କ ପୂଜାର୍ଚ୍ଚନା କରାଯାଉଛି । ପୂଜାର୍ଚ୍ଚନା ପରେ ଲୋକେ କିଛି ମାତ୍ରାରେ ଆଶ୍ୱସ୍ତି ପାଇଥିବା କହିଛନ୍ତି । କିନ୍ତୁ ତଥାପି ବି ଗାଁରେ ଭୟର ବାତାବରଣ ରହିଛି ।

ଅପରପକ୍ଷରେ ଘଟଣା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କହିବା ହେଲା ଯେ, ଏହା ଏକ ଗୁଜବ । ଲୋକେ ପୀଡ଼ିତ ହୋଇଥିବା ଖବର ପାଇ ସ୍ୱତନ୍ତ୍ର ଡାକ୍ତରୀ ଦଳକୁ ଆମେ ଗାଁକୁ ପଠାଇଥିଲୁ । ଗାଁରେ ଲୋକଙ୍କ ରୋଗ ବାବଦରେ ପଚାରି ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇଥିଲା ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ରୋଗର ଲକ୍ଷଣ ମିଳିପାରିନାହିଁ । ଲୋକେ ସଚେତନ ହୋଇ ଯେକୌଣସି ରୋଗରେ ପୀଡ଼ିତ ହେଲେ ଡାକ୍ତରଙ୍କ ପାଖକୁ ଆସି ଚିକିତ୍ସିତ ହେବାକୁ ସିଡିଏମଓ ନିବେଦନ କରିଛନ୍ତି । ')}

Leave a Reply