ମାଟି ଖୋଳିଲେ ବାହାରିବ ସୁନା କଳସ, ସୁନା ଲୋଭରେ ହୋଇଥିଲା ମାଟି ଖୋଳା

ନୟାଗଡ଼: ବିଜ୍ଞାନ ଯୁଗରେ ଏବେ ବି ଲୋକଙ୍କ ମନରେ ବଞ୍ଚିଛି ଅନ୍ଧବିଶ୍ୱାସ । ଆଜି ଜୀବଜନ୍ତୁ, କାଲି ମଣିଷ ବଳି ଦେବାକୁ ପଛାଇବେନି ଅନ୍ଧ ବିଶ୍ବାସରେ ବିଶ୍ବାସ କରୁଥିବା ଲୋକ । ମାଟି ଖୋଳିଲେ ବାହାରିବ ସୁନା କଳସ । ସୁନା ଲୋଭରେ ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଗୁଣି ଗାରେଡ଼ି ଆଉ ବଳି । ଏ ଦୃଶ୍ୟ ନୟାଗଡ଼ ଦଶପଲ୍ଲା ବ୍ଲକ୍ ବାଣିଗୋଛା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମିଟିଗାଡୁ ଗାଁର । ଗାଁର ରତ୍ନାକର ଜାନିଙ୍କ ଘର ପାଖ ବରଗଛ ତଳେ ସୁନା କଳସ ଥିବା କହିଥିଲେ ବାହାର ରାଜ୍ୟର କିଛି ଗୁଣିଆ ।

ସୁନା ଲୋଭରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ କିଛି ଠକ ଗୁଣିଆଙ୍କ ପ୍ରରୋଚନାରେ ପଡ଼ି ବରଗଛ ମୂଳେ ଆରମ୍ଭ ହେଲା ପୂଜା ପାଠ । ଆରମ୍ଭ ହେଲା ମାଟି ଖୋଳା । ହେଲେ ମାଟି ଛଡ଼ା ସୁନାର ଦେଖା ମିଳିଲାନି । ଗାଁର କିଛି ଶିକ୍ଷିତ ବ୍ୟକ୍ତି ଏହାକୁ ବାରଣ କରିଥିଲେ । ହେଲେ ରତ୍ନାକର ଶୁଣିନଥିଲେ । ଶେଷରେ ଗ୍ରାମବାସୀ ଏକାଠି ହୋଇ ଗ୍ରାମସଭା କରି ବାଣିଗୋଛା ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ପହଞ୍ଚିବା ବେଳକୁ ରତ୍ନାକର ମାଝୀ ସହିତ ଗୁଣିଆ ଫେରାର । ପୋଲିସ ସମ୍ପୃକ୍ତ ସ୍ଥାନକୁ ସିଜ୍ କରି ତଦନ୍ତ ଜାରି ରଖିଛି ।