ନିଜ ଦଳ ବିଜେପିରୁ ସାଂସଦ ଅପରାଜିତାଙ୍କୁ ବିରୋଧ

ଭୁବନେଶ୍ୱର: ନିଜ ଦଳ ବିଜେପିରୁ ଭୁବନେଶ୍ବର ସାଂସଦଙ୍କୁ ବିରୋଧ । ବେଗୁନିଆ ବୋଲଗଡ଼ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧର ସମ୍ମୁଖୀନ ହୋଇଛନ୍ତି । ବେଗୁନିଆ ବୋଲଗଡ଼ର ବିଜେପି ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ମଣ୍ଡଳ ସଭାପତି ଓ ଦଳୀୟ କର୍ମକର୍ତ୍ତା ଏକାଠି ହୋଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ।

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକଚାଟିଆ ମନୋବୃତ୍ତି ଓ ଦଳୟ କର୍ମୀଙ୍କୁ ଅଣଦେଖା ପ୍ରତିବାଦରେ ବେଗୁନିଆ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ତାଙ୍କୁ ବିରୋଧ କରାଯାଇଛି । ନିଜ ପତିଆରା ଜାହିର କରିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ କର୍ମୀଙ୍କୁ ବାରମ୍ବାର ହତାଦର କରୁଛନ୍ତି । ସେହିଭଳି ଦଳରେ ରହି ଅପରାଜିତା, ୟୁଥ ଫର ଆକ୍ସନ ଭଳି ସଂଗଠନ ଗଢ଼ି ଦଳ ବିରୋଧୀ କାର୍ଯ୍ୟ ଚଳାଇଛନ୍ତି ।

ଚର୍ଚ୍ଚାରେ ରହିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ କାଦୁଅ ବିଲରେ ପଶି ଧାନ ରୋଇବା କେବଳ ଫାର୍ସ ବୋଲି କହିଛନ୍ତି କର୍ମୀ । ସାଂସଦଙ୍କ ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ବିଜେପି ରାଜ୍ୟ ସଭାପତି ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦଳୀୟ କର୍ମୀ ଅଣ୍ଟା ଭିଡିଛନ୍ତି । ଆଗାମୀ ଦିନରେ ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ତୀବ୍ର ବିରୋଧ କରାଯିବ ବୋଲି ବିଜେପି କର୍ମକର୍ତ୍ତା କହିଛନ୍ତି ।