ଭାରତ ଯୋଡୋ ଯାତ୍ରାରେ ଗର୍ଜିଲେ ରାହୁଲ, କହିଲେ- ମୋ ଛବି ଖରାପ କରିବାକୁ BJP କୋଟି କୋଟି ଖର୍ଚ୍ଚ କରୁଛି

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସର ମେଗା ଶୋ’ । ଭାରତ ଯୋଡୋ ଯାତ୍ରାରେ ହଜାର ହଜାର କର୍ମୀ ସାମିଲ । ଦିଲ୍ଲୀରେ ପଦଯାତ୍ରା ପହଞ୍ଚିବା ପରେ ରାହୁଲଙ୍କ ସହ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ହୋଇଛନ୍ତି । ରାଜଘାଟ ସମେତ ବିଭିନ୍ନ ସମାଧୀସ୍ଥଳରେ ରାହୁଲ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମନ୍ଦିର ଏବଂ ହଜରତ ନିଜାମୁଦ୍ଦିନ ଦରଘାରେ ପହଞ୍ଚି ଆଶୀର୍ବାଦ ନେଇଛନ୍ତି ରାହୁଲ ।

ଏହି ଅବସରରେ ରାହୁଲ କହିଛନ୍ତି, ମୋ ଛବି ଖରାପ କରିବାକୁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । କିନ୍ତୁ ମୁଁ ଗୋଟିଏ ଶବ୍ଦ ବି କହିନି । କିମ୍ବା ସଫେଇ ଦେଇନି । ମୁଁ କେବଳ ଦେଖିବାକୁ ଚାହୁଁଥିଲେ ସେମାନଙ୍କର କେତେ ଦମ୍ । ସୋସିଆଲ୍ ମିଡିଆରେ ଅପପ୍ରଚାର କରିବାକୁ ବି ପଛାଇ ନାହାଁନ୍ତି । ହେଲେ ଏବେ ଖେଳ ଶେଷ । କେହି ଚାହିଁଲେ ବି ସତକୁ ଲୁଚାଇ ପାରିବ ନାହିଁ । ସେମାନେ ଭୁଲି ଯାଉଛନ୍ତି ଘୃଣା ଓ ଭୟ ଯୋଗୁଁ ଦେଶର କ୍ଷତି ହୋଇଥାଏ ।

୧୦୭ ଦିନରେ ୩ହଜାର କିମି ଯାତ୍ରା ସାରି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି କଂଗ୍ରେସର ପଦଯାତ୍ରା । ବଦଲପୁର ବର୍ଡର ଦେଇ ଦିଲ୍ଲୀରେ ପଦଯାତ୍ରା ପଶିଥିବା ବେଳେ ହଜାର ହଜାର ସମର୍ଥକ ପୋଷ୍ଟର, ପ୍ଲାକାର୍ଡ, ତ୍ରିରଙ୍ଗା ଧରି ଯାତ୍ରାରେ ଯୋଡ଼ି ହୋଇଛନ୍ତି । ନିଜେ ରାହୁଲ ଗାନ୍ଧି ଏହି ପଦଯାତ୍ରାରେ ସାମିଲ ହେବାକୁ ବିପକ୍ଷ ଦଳକୁ ନିମନ୍ତ୍ରଣ ଦେଇଛନ୍ତି । ପ୍ରବଳ ଜନସମାଗମକୁ ନଜରରେ ରଖି କଂଗ୍ରେସ ପକ୍ଷରୁ ଏକ ମେଗା ଶୋ’ର ଆୟୋଜନ କରାଯାଇଛି। ଦିଲ୍ଲୀରେ ପ୍ରାୟ ୪୦ରୁ ୫୦ହଜାର ଲୋକ ଭାରତ ଯୋଡାେ ଯାତ୍ରାରେ ସାମିଲ ହୋଇଛନ୍ତି । ଘୃଣା ଛାଡ, ଭାରତ ଯୋଡ ନାରା ଦେଇଛନ୍ତ କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ।

ଆସନ୍ତାକାଲିଠୁ ୯ଦିନ ଯାଏ ଯାତ୍ରା ବନ୍ଦ ରହିବ । ୨ ଜାନୁଆରୀରୁ ପୁଣି ପଦଯାତ୍ରା ଆରମ୍ଭ ହେବ । ୭ ସେପଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୯ ଟି ରାଜ୍ୟ ଅତିକ୍ରମ କରିସାରିଛି । ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ରାଜସ୍ଥାନ ଓ ହରିୟାଣାରେ ସରିଛି ଭାରତ ଯୋଡୋ ଯାତ୍ରା । ଆସନ୍ତା ଫେବୃଆରୀରେ ଏହା କାଶ୍ମୀରରେ ପହଞ୍ଚିବ ।